Unknown

 

 

 

 

 

 

 

 

 

 

 

ଅବ୍ୟାପାର

ଡକ୍ଟର ଶ୍ରୀ ହରେକୃଷ୍ଣ ମହତାବ

 

ଅବ୍ୟାପାର

–୧–

 

ସଞ୍ଜ ହୋଇଗଲାଣି । ଜହ୍ନ ତରାସି ଆସୁଛି । ସମୁଦ୍ର ଲହଡ଼ି ଅସମ୍ଭାଳ ହୋଇ, ସତେ କୂଳ ଡେଇଁ ଗଲାଭଳି ହେଉଛି । କୂଳରେ ବୁଲୁଥିବା ଲୋକମାନଙ୍କ ଭିତରୁ ଯେଉଁମାନେ କଥାବାର୍ତ୍ତାରେ ବା ନିଜ ଚିନ୍ତାରେ ନିମଗ୍ନ ହୋଇ ସମୁଦ୍ରର ପ୍ରେମୋଲ୍ଲାସକୁ ଲକ୍ଷ୍ୟ କରୁନାହାନ୍ତି, ସେମାନଙ୍କୁ ଗର୍ବୀ ଅଥବା ଗମାର ଭାବି ତାଙ୍କ ଉପରକୁ ଲହଡ଼ି ମାଡ଼ିଯାଉଛି । ଜୋତା, ଲୁଗାପଟା ତିନ୍ତିଯାଇ ସେମାନେ ହାଉଳି ଖାଇ ଉପରକୁ ପଳାଉଛନ୍ତି ଓ ବାଧ୍ୟ ହୋଇ ଥରେ ତରଙ୍ଗର ଲୀଳା ଆଡ଼କୁ ଆଖି ପକାଉଛନ୍ତି ।

 

କୁମୁଦିନୀ ଓ ଲାଲମୋହନ ନିଜ ଭିତରେ କଥାବାର୍ତ୍ତାରେ ଏପରି ତଦ୍‍ଗତ ଯେ ଥରେ ନୁହେ, ଦୁଇଥର ନୁହେ, କେଜାଣି କେତେଥର ତାଙ୍କର ଦୃଷ୍ଟି ନିଜ ପ୍ରତି ଆକର୍ଷଣ କରିବାପାଇଁ ଲହରୀ ଚେଷ୍ଟା କଲାଣି । ମାତ୍ର ସେଥିରେ ବ୍ୟର୍ଥ ହୋଇ ଶେଷରେ ସେମାନଙ୍କୁ ବୁଡ଼ାଇ ଦେବ ବୋଲି ଭାବି ଅଣ୍ଟା ପର୍ଯ୍ୟନ୍ତ ଉଠିଗଲା । ଏଥର ସେ ଦୁଇଜଣ ଚମକିପଡ଼ି ହାତ ଧରାଧରି ହୋଇ ଉପରକୁ ପଳାଇଲେ ଓ ନିଜର ଓଦା ଲୁଗାପଟାକୁ ସାଉଁଟିବାରେ ଲାଗିଲେ । ଲାଲମୋହନ ଲୁଗାକୁ ଚୁପୁଡ଼ୁ ଚୁପୁଡ଼ୁ କହିଲେ–‘ସମୁଦ୍ର ଭଲା ଥରେ ମାଡ଼ି ଆସନ୍ତା–ଯେତେ ଆବର୍ଜନା ଏ ଦେଶରେ ଅଛି ସବୁକୁ ଧୋଇ ପୋଛି ନେଇ ନିଜ ଗର୍ଭରେ ପକାଇ ଦିଅନ୍ତା । ପୁଣି ଏକ ନୂତନ ନିର୍ମଳ ସୃଷ୍ଟି ମଣିଷ ଉପଭୋଗ କରନ୍ତା ।’ କୁମୁଦିନୀ ଜାଗି ଉଠି କହିଲା, ‘ସେ କ’ଣ ନୀଚ ଲୋକ କି, ଯେ ନିଜ ମର୍ଯ୍ୟାଦାଲଙ୍ଘନ କରିବ ?’

 

ଏକ ବାଲିକୁଦ ଉପରକୁ ଯାଇ ଲାଲମୋହନ କୁମୁଦିନୀର ହାତ ଧରି ଟାଣି ନିଜେ ବସିଲେ ଓ ତାକୁ ବସାଇ ଦେଲେ । ବସିପଡ଼ି ପୁଣି ତାଙ୍କ ପୂର୍ବ କଥାବାର୍ତ୍ତା ଚଳାଇଲେ । ଧୀରେ ଧୀରେ ଲାଲମୋହନ ଆରମ୍ଭ କଲେ–‘‘କେଜାଣି କାହିଁକି ତୁମ୍ଭଙ୍କୁ ଛାଡ଼ି ଯିବାକୁ ମନ ହୁଏ ନାହିଁ । ତୁମ ପାଖରେ ଥିଲେ ଜୀବନ ପରିପୂର୍ଣ୍ଣ ଜଣାପଡ଼େ । ଅନ୍ୟଥା ଯେପରି ସବୁ ଅସମ୍ପୂର୍ଣ୍ଣ, କେହି ମରି ବା ହଜିଗଲେ ଯେପରି ଖାଲି ଖାଲି ଜଣାଯାଏ ।’’ କୁମୁଦିନୀ ନିଃସଙ୍କୋଚ ଭାବରେ କହିଲେ, ‘‘କାହିଁକି ତୁମେ ଏତେ କାମରେ ବ୍ୟସ୍ତ, ଏତେ ଉତ୍ତେଜନା ଭିତରେ ଜୀବନ ବିତାଉଛ–ତଥାପି କାହିଁକି ଆଉ ଜଣକ ସାଙ୍ଗ ଲୋଡ଼ୁଛ ?’’

 

ଲାଲମୋହନ–‘‘ସବୁ କ’ଣ, ସବୁ ଉତ୍ତେଜନା ଭିତରେ ସେ ଶୂନ୍ୟତା ଟିକକ ପ୍ରାଣପଣେ ଚେଷ୍ଟା କରି ନିଜର ପ୍ରତିଷ୍ଠା ଅକ୍ଷୁଣ୍ଣରଖି ଆସୁଛି ।’’

 

କୁମୁଦିନୀ–‘‘ଭଲ କରି ଭାବି ଦେଖ, ସେ କେବଳ ତୁମର ମନର ବିକାର । ଦେଶର ମୁକ୍ତି, ଦରିଦ୍ରଙ୍କ ସେବା, ଅତ୍ୟାଚାରର ପ୍ରତିରୋଧ–ଏ ସବୁ କାମରେ ଜଣେ ମାତି ରହିଲେ ବିନ୍ଦୁମାତ୍ର ଶୂନ୍ୟତା ଜୀବନରେ ରହିବ ନାହିଁ । ଯଦି ରହେ ତେବେ ଜଣାଯିବ ଯେ ତା’ର ସମସ୍ତ ପ୍ରାଣ ସେସବୁ କାମରେ ଲାଗି ନାହିଁ ।’’

 

ଏ କଥାରେ ଲାଲମୋହନଙ୍କ ମନରେ ଟିକିଏ ଆଘାତ ଲାଗିଲା ପରି ହେଲା । ସେ ଟିକିଏ ଗମ୍ଭୀର ହୋଇଯାଇ କହିଲେ, ‘‘କୁମୁଦିନୀ ! ମୋ ନିଜ କଥା ମୁଁ କହିବି କ’ଣ ? ମୁଁ ଯେତେବେଳେ ଦେଶ କାମରେ ଯୋଗ ଦିଏଁ, ସେତେବେଳେ ମୋତେ କମ୍ ଭାବିବାକୁ ହୋଇ ନାହିଁ; କେତେ ଆଶାର ମୂଳ କାଟ କରି, ମୁଁ ନିଜ ବଗିଚା ନିଜେ ଉଜାଡ଼ି ଦେଇଛି । ଅର୍ଥ ଉପାର୍ଜନ ଓ ସୁଖର ଜୀବନ ଯେ ଅତି ଦୂରରେ କାଳିଲେସା ହେଲାଭଳି ଦିଶୁଥିବା ଅସ୍ପଷ୍ଟ ଗଛ ପରି ଆଶା ଦିଗ୍‍ବଳୟବି ଦେଖାଯାଉଥିଲା ତା’ ନୁହେଁ, ଫଳନ୍ତି ଗଛ ମୂଳେ ଛିଡ଼ାହୋଇ ହାତ ବଢ଼ାଇଲେହିଁ ଫଳ ଆଗ ହାତକୁ ଆସିଯାନ୍ତା ଓ ଖାଇବାହିଁ ଯାହା ପରିଶ୍ରମ–ଏହି ଅବସ୍ଥାରେ ମୁଁ ସେ ଗଛ ଛାଡ଼ି ଦେଇଛି-। ଚାରିଆଡ଼େ ନିରାହାରଙ୍କ ହାହାକାର–ଓ ହାହାକାରରେ ସାନ୍ତ୍ୱନା ମିଳୁଛି, ଅନ୍ୟ ବାଟରେ ଅଭ୍ୟସ୍ତ ହେବାପାଇଁ ଉପଦେଶ । ଏହା ମୁଁ ସହ୍ୟ କରି ପାରିଲି ନାହିଁ । ଭାବିଲି ଏ ଜୀବନ ସେହି ବୁଭୁକ୍ଷିତଙ୍କରହିଁ ସେବାରେ ଲାଗୁ–ଦଶବର୍ଷକାଳ ମୁଁ ସେଇଥିରେ ଲାଗିଛି । ଅନଶନ ଓ ଉନ୍ନିଦ୍ର ରାତ୍ରି ଆପେଆପେ ଆସି ମୋର ସହଚର ହୋଇଛନ୍ତି । ଅତ୍ୟାଚାର ବିରୋଧରେ ଲାଗି କେତେ ଯେ ଅପମାନ ମୋ ଭାଗ୍ୟରେ ଘଟିଛି ତା’ର ହିସାବ ନାହିଁ । ଥରେ ଦୁଇଥର ଜୀବନକୁ ମୁଁ ବିପଦାପନ୍ନ ମଧ୍ୟ କରିଛି... ।’’

 

କୁମୁଦିନୀ–‘‘ବର୍ତ୍ତମାନ କ’ଣ ସେ ସବୁ କାମ ସରିଗଲାଣି ? ବର୍ତ୍ତମାନ କ’ଣ ଦେଶରେ ଆଉ କିଛି ନାହିଁ ? ଅତ୍ୟାଚାର ପୂରାପୂରି ଲୋପ ପାଇଯାଇଛି ।’’

 

ଲାଲମୋହନ–‘‘ସେ କାମର ତ ଆରମ୍ଭ ସୁଦ୍ଧା ହୋଇ ନାହିଁ । କିନ୍ତୁ ମୋ ପକ୍ଷରେ ମୁଁ ଏସବୁ କାମରେ ଜୀବନକୁ ଢାଳିଦେଇ ମଧ୍ୟ କେଜାଣି କାହିଁକି ମୋ ମନ ଡାକୁଛି କାହାରି ଜଣକ ସହିତ ଏହିପରି ନିଭୃତ ଆଳାପ କରନ୍ତି–କାହାରିଠାରେ ମନକୁ ଚିନ୍ତାଶୂନ୍ୟ ଭାବରେ ସମର୍ପି ଦିଅନ୍ତି, ସେହି ଅଭାବ....ତା’ ତୁମ୍ଭଙ୍କୁ ପାଇଲେ ଯେପରି ମେଣ୍ଟିଯାଏ ।’’

 

କୁମୁଦିନୀ–‘‘ବୁଝୁଛି ତୁମର ମନୋଭାବ । ଏ ସମୁଦ୍ର ଲହରୀର ଘୁଘୁ ଗର୍ଜନ ଭିତରେ ପଦେଅଧେ ମଧୁର ସଙ୍ଗୀତ ଶୁଣିବାର ଅଭିଳାଷ କ’ଣ ମୋ ମନରେ ନାହିଁ–ମନୁଷ୍ୟମାତ୍ରକେ ସମସ୍ତଙ୍କର ସେ ଆକାଂକ୍ଷା ଅଛି; କିନ୍ତୁ ସେ ସଙ୍ଗୀତର ଅଭାବରେ ମନକୁ ମାରିଦେଇ ଏହି ଘୁଘୁ ଭିତରେହିଁ ସରସତା ଖୋଜିବାକୁ ହେବ ।’’

 

ଲାଲମୋହନ ମୁକୁଦିନୀର ହାତ ଧରିପକାଇ କହିଲେ, ‘‘ସତ କହ କୁମୁଦିନୀ, ମୋର ପ୍ରାଣ ତୁମପାଇଁ ଯେପରି ବ୍ୟାକୁଳ, ମୋପାଇଁ ସେହିପରି ତୁମ୍ଭର ହୁଏ କି ନା–ସତ କହ–ତୁମ୍ଭେ ଯଦି ନ କର ସେଥିରେ ମଧ୍ୟ ମୋର ଦୁଃଖ ନାହିଁ । କାରଣ କୌଣସି ପ୍ରତିଦାନର ଆଶା ନ ରଖି ତୁମ୍ଭଙ୍କୁ ମୋ ହୃଦୟ ଦାନ କରି ଯଥେଷ୍ଟ ଆନନ୍ଦ ପାଉଛି ।’’

 

କୁମୁଦିନୀ ତଳକୁ ମୁହଁ କରି ବାଲି ଉପରେ ଆଙ୍ଗୁଳିରେ ଗାର କାଟିବାକୁ ଲାଗିଲା–ମୁରୁକି ମୁରୁକି ହସୁଥାଏ–ମାତ୍ର ଆଖି ସଙ୍କୋଚରେ ବନ୍ଦ ହୋଇଯାଉଥାଏ । କିଛି ଉତ୍ତର ନ ମିଳିବାରୁ ଲାଲମୋହନ ହାତ ବଢ଼ାଇ କୁମୁଦିନୀକୁ ପାଖକୁ ନେଇ ଆବେଗଭରେ ପଚାରିଲେ–‘‘ସତ କହ, ମୁଁ କିଛି ମନେ କରିବି ନାହିଁ ।’’ କୁମୁଦିନୀ ସେହିପରି ତଳକୁ ଅନାଇ ଅସ୍ପଷ୍ଟ ଭାବରେ କହିଲେ, ‘‘ଭାଷାରୁ ତା’ ହୃଦୟ ଜାଣିବାର କ’ଣ ଆଉ କିଛି ଉପାୟ ନାହିଁ ?’’ ଲାଲମୋହନ ବ୍ୟଗ୍ର ହୋଇ କହିଲେ, ‘‘ଭାଷାହିଁ ହୃଦୟକୁ ନିର୍ଦ୍ଦିଷ୍ଟ ଆକାର ଦିଏ ।’’

 

ହସି ହସି କୁମୁଦିନୀ କହିଲେ, ‘‘ଭାଷା ପରା ହୃଦୟକୁ ଲୁଚାଇବା ପାଇଁ, ପ୍ରତାରଣା ପାଇଁ ସିନା ଭାଷାର ଦରକାର ।’’ ଲାଲମୋହନ ସେହିପରି ଜିଦ୍ କରି କହିଲେ, ‘‘ନା ଏ କ୍ଷେତ୍ରରେ ତା’ ନୁହେଁ–ଥରେ ତୁମ ନିଜ ମୁହଁରୁ ଶୁଣିବାକୁ ଚାହେଁ ।’’ କୁମୁଦିନୀ ସିଧାହୋଇ ବସି ଟିକିଏ ଲାଲମୋହନଙ୍କଠାରୁ ଘୁଞ୍ଚିଗଲା । ଗମ୍ଭୀର ହୋଇ କହିଲା, ‘‘ମୋର ଜୀବନର କାହାଣୀ ମୁଁ ତୁମଙ୍କୁ କହି ନାହିଁ–କେବେ କାହାଠାରେ କହିବି, ଏ ଜୀବନରେ ତାହା କେବେ ଘଟିବ କି ନାହିଁ–ତାହା ସୁଦ୍ଧା ମୁଁ ଜାଣେ ନାହିଁ । ତେଣୁ ମୁଁ ଯେତେବେଳେ ତୁମର ପ୍ରଶ୍ନର ଉତ୍ତର କରିବାକୁ ବସୁଛି–କେତେ ଲହରୀ ଯେ ଏ ଛାତିରେ ଆଘାତ କରୁଛି, ତାହା ତୁମେ ବୁଝିପାରିବ ନାହିଁ ।’’ ଏତିକି କହି ସେ ନୀରବ ହୋଇଗଲା । ଲାଲମୋହନ ତା’ ମୁହଁକୁ ନିଠେଇକି ଅନାଇ ତା’ର ମନୋଭାବ ବୁଝିବାପାଇଁ ଚେଷ୍ଟା କରୁଥାନ୍ତି । କ’ଣ ସେ ବୁଝିଲେ କେଜାଣି, ସେ ପୁଣି ଜିଦ୍ କରି ପଚାରିଲେ, ‘‘କ’ଣ କହିବ ନାହିଁ ?’’ କୁମୁଦିନୀ ଟିକିଏ ଲାଲମୋହନକୁ ଅନାଇ ପୁଣି ମୁହଁ ବୁଲେଇ ଦେଇ କହିଲେ, ‘‘ତୁମ ସାଙ୍ଗରେ ଆଳାପ କଲେ ବାସ୍ତବିକ ଜୀବନର ଅନେକ ଚିନ୍ତା ଭୁଲିଯାଏ–’’ ଏହା କହି ଦୀର୍ଘ ନିଃଶ୍ୱାସ ପକାଇଲେ । ଲାଲମୋହନ ନିକଟକୁ ଘୁଞ୍ଚିଯାଇ ତା’ ମୁଣ୍ଡ ଆଉଁସିବାକୁ ଲାଗିଲେ । ଭାବିଲେ ବୋଧହୁଏ ତାଙ୍କର କୌଣସି ପୂର୍ବ ଘଟଣା ମନେ ପଡ଼ୁଛି । କୋମଳ ଭାବରେ ଧୀରେ ଧୀରେ କହିଲେ, ‘‘ସ୍ମୃତିହିଁ ମନୁଷ୍ୟର ପ୍ରଧାନ ଶତ୍ରୁ । ଜହ୍ନି ପଡ଼ିଲା ବା ସଫା ଆକାଶରେ ଖଣ୍ଡେ ଖଣ୍ଡେ ବାଦଲ ଚାଲିଗଲା ପରି, ତା’ରି ଦରିଆରେ ଅତୀତ ଆସି ବଳେ ବଳେ ଉଙ୍କିମାରି ବର୍ତ୍ତମାନ ସୁଖରେ ବାଧା ଦିଏ–ଭୁଲିଯାଅ ଅତୀତକୁ । ବର୍ତ୍ତମାନକୁ ଉପଭୋଗ କର, ଭବିଷ୍ୟତ ତ ସମୁଦ୍ର ପରି ଆଗରେ ପଡ଼ିଛି ।’’ କୁମୁଦିନୀ ହସି ହସି କହିଲା, ‘‘ତୁମେ ତ ମୋତେ ପ୍ରଥମେ ହିନ୍ଦୁସ୍ଥାନୀ ବାଳିକା ବୋଲି ଜାଣିଥିଲ ।’’

 

ଲାଲମୋହନ–‘‘ତୁମେ ସେହିପରି ପରିଷ୍କାରଭାବେ ଉର୍ଦ୍ଦୁ କହୁଥିଲ ।’’

 

କୁମୁଦିନୀ–‘‘ପୁଣି ଯେତେବେଳେ ଓଡ଼ିଆଣୀ ବୋଲି ଜାଣିଲ, ତୁମର କୁତୂହଳ ଏତେ ସହଜରେ ଶାନ୍ତ କିପରି ହୋଇଗଲା ।’’

 

ଲାଲମୋହନ–‘‘ଯେତିକି ତୁମ ସମ୍ବନ୍ଧେ ଜାଣିଲି ସେହିଥିରେ ମୁଁ ବୋଧ ହୋଇଗଲି । ଆଉ ମୁଁ ବେଶି କିଛି ଜାଣିବାପାଇଁ ଇଚ୍ଛା କଲି ନାହିଁ ।’’

 

କୁମୁଦିନୀ–‘‘ମୋ ସମ୍ବନ୍ଧେ କ’ଣ ଜାଣିଛ ?’’

 

ଲାଲମୋହନ–‘‘କହିବି, ତୁମ ମୁହଁ ଉପରେ କହୁଛି ବୋଲି ନୁହେଁ, ମୋର ବିଶ୍ୱାସ–ଓଡ଼ିଶାରେ ତୁମଭଳି ସ୍ତ୍ରୀ ନାହାନ୍ତି କହିଲେ ଚଳେ । କାହାର ପ୍ରାଣ ଗରିବର ଦୀର୍ଘ ନିଃଶ୍ୱାସରେ ଏତେ ବିଚଳିତ ହୋଇ ଉଠେ ? କିଏ ତା’ ଜୀବନକୁ ବିପ୍ଳବର ଘୂର୍ଣ୍ଣିବାୟୁ ଭିତରେ ପକାଇ ଦେବାକୁ ଇଚ୍ଛାକରେ ! ଏହି ଗୁଣ ତୁମର ଅଛି ବୋଲି ମୋର ଆଶା । ତୁମଠି ତା’ର ପ୍ରତିବିମ୍ବ ଦେଖିବାକୁ ପାଇଲି । ତେଣୁ ପରସ୍ପର ସହିତ ଆହୁରି ମିଶିବାପାଇଁ ପ୍ରବଳ ବାସନା ଜାଗି ଉଠିଲା ।’’

 

କୁମୁଦିନୀ–‘‘କିନ୍ତୁ ମୋର ପୂର୍ବ ବୃତ୍ତାନ୍ତ ଶୁଣିଲେ ତୁମର ବୋଧହୁଏ ମୋ ପ୍ରତି ଘୃଣା ହେବ ।’’

 

ଲାଲମୋହନ–‘‘କେବେହେଁ ନୁହେଁ ! ଯେଉଁଦିନ ତୁମ୍ଭଙ୍କୁ ଘୃଣା କରିବାକୁ ଏ ମନ ଚାହିଁବ ତା’ ପୂର୍ବରୁ ସେ ମନକୁ ଧରି ରଖିଥିବା ଏ ଶରୀର ନଥିବ ।’’

 

କୁମୁଦିନୀ–‘‘ମୁଁ ଜାଣେ ମୋର ଅତୀତ ଘୃଣ୍ୟ–’’ ଲାଲମୋହନ କୁମୁଦିନୀର ପାଟିରେ ହାତ ଦେଇ କହିଲେ, ‘‘ଥାଉ, ଆଉ କହିବାର ପ୍ରୟୋଜନ ନାହିଁ । ଫୁଲଟିକୁ ଦେଖିଲେ ଯା ମନରେ ପ୍ରଶ୍ନ ଉଠେ, ଯେ କି ଖତ ସେ ଗଛ ମୂଳରେ ଦିଆହୋଇଥିଲା, ଯେଉଁଥିରୁ ଏ ଫୁଲ ଫୁଟିଛି–ସେ ମଣିଷ ନୁହେଁ, ସେ ମାଛିଠାରୁ ଆହୁରି ହୀନ ।’’ କୁମୁଦିନୀ ଲାଲମୋହନଙ୍କ ବେକରେ ହାତ ପକାଇ କହିଲେ–‘‘ନା, ନା–ମୋର ଅତୀତ ତୁମ୍ଭେ କଳ୍ପନା କରିପାରିବ ନାହିଁ ।’’

 

ଲାଲମୋହନ–‘‘ମୁଁ କଳ୍ପନା କରିବାକୁ ଚାହେଁ ନାହିଁ । ତମେ ଭାଗୁଛ ଯେ ଏପରି କହିଲେ ମୁଁ କୁତୂହଳୀ ହୋଇ ତୁମ୍ଭର ଇତିହାସ ଜାଣିବାପାଇଁ ଇଚ୍ଛା କରିବି ଓ ତେଣିକି ତୁମେ ନାହିଁ କରି ମୋର କୁତୂହଳରେ ବାଧା ଦେଇ ଆନନ୍ଦ ଉପଭୋଗ କରିବ–ମୁଁ ଏ ଫାନ୍ଦରେ ପଡ଼ିବି ନାହିଁ ।’’

 

କୁମୁଦିନୀ ହସି ହସି କହିଲେ, ‘‘ମୁଁ ଚାହେଁ ତୁମେ ମୋ ଫାନ୍ଦରେ ନ ପଡ଼–ତୁମ୍ଭେ ଫାନ୍ଦ ଭିତରକୁ ପଶି ଆସୁଛ–ମୁଁ ତୁମ୍ଭଙ୍କୁ ବାହାର କରିବାକୁ ଚାହେଁ ।’’

 

ଲାଲମୋହନ କୁମୁଦିନୀକୁ ପାଖକୁ ଆଉଜାଇ ଦେଇ ହସି ହସି କହିଲେ, ‘‘କଥା କହିବାର ଏତେ ଚାତୁରୀ–ମୁଁ ହାର ମାନୁଛି ।’’

 

କୁମୁଦିନୀ କହିଲେ, ‘‘ଆସଯିବା, ଏ ଓଦା ଲୁଗାପିନ୍ଧି–କେତେ ସମୟ ଏଠି ବସିଥିବ ।’’

 

ଲାଲମୋହନ ଘଡ଼ି ଦେଖିଲେ ଯେ ଆଠଟା ବାଜିବାକୁ ପନ୍ଦର ମିନିଟ ଅଛି । ତରତର ହୋଇ ଉଠିପଡ଼ି କହିଲେ, ‘‘ବେଳ ହୋଇଗଲାଣି–ଚାଲଯିବା । ମୋତେ ଆଜି ରାତିରେ ବାଲେଶ୍ୱର ଯିବାକୁ ହେବ ।’’ କୁମୁଦିନୀ ଛିଡ଼ାହୋଇ ପଚାରିଲେ, ‘କାମ ?’ ଲାଲମୋହନ ଟିକିଏ ବ୍ୟସ୍ତହୋଇ ପଡ଼ି କହିଲେ, ‘‘ନୀଳଗିରି ଗଡ଼ଜାତରେ ଭୀଷଣ ପ୍ରଜା ଆନ୍ଦୋଳନ ଲାଗିଛି–ବର୍ତ୍ତମାନ ସବୁଆଡ଼େ ଗଡ଼ଜାତରେ ପ୍ରଜା ଜାଗି ଉଠୁଛନ୍ତି । ଅମୁହାଁ ଘର ଭିତରେ ପଥର କାଲି ଭାଙ୍ଗି ଟିକିଏ ଆଲୁଅ ପହୁଞ୍ଚୁଛି ।’’ ଏତିକି କହି କୁମୁଦିନୀର ହାତ ଧରି ଯିବାକୁ ଆରମ୍ଭ କଲେ । କୁମୁଦିନୀ ଧୀରେ ଧୀରେ କହିଲେ, ‘‘କାଲି ନ ଗଲେ କ’ଣ ଚଳିବ ନାହିଁ ? କି ସୁନ୍ଦର ଆଜିକାଲି ପୁରୀରେ ଏ ସମୁଦ୍ରକୂଳରେ ଚାନ୍ଦିନୀ ରାତି ଉପଭୋଗ ଖୋଜୁଛ, ଅଥଚ ପୁଣି ତାକୁ ଫୋପାଡ଼ି ଦେଉଛ ।’’ ଲାଲମୋହନ ହାତକୁ ଚାପିଧରି ଛିଡ଼ାହୋଇ ଯାଇ କହିଲେ, ‘‘କୁମୁଦିନୀ, ମୁଁ ଜାଣେ ତୁମେ ମୋ କର୍ତ୍ତବ୍ୟରେ କେବେ ବାଧା ଦେବ ନାହିଁ । ପବନ ବହିବ–ଶ୍ରାନ୍ତ କ୍ଳାନ୍ତ ହୋଇପଡ଼ି କେତେବେଳେ ଫୁଲକୁ ଚୁମ୍ବି ଦେଇଯିବ–ମାତ୍ର ସେ ଫୁଲ ଯୋଗୁଁ ବହିବା ବନ୍ଦ କରି ପାରିବ ନାହିଁ ।’’ ଏତିକି କହି ଚାଲିଲେ ।

 

କୁମୁଦିନୀ ହସି ହସି କହିଲେ, ‘‘ମୁଁ ଜାଣେ ସେ କଥା, କର୍ତ୍ତବ୍ୟରେ ତ୍ରୁଟି କର ନାହିଁ ବୋଲି ମୁଁ ତୁମଙ୍କୁ ସ୍ନେହ କରେ ।’’

 

ଲାଲମୋହନ ଜାଗି ଉଠି ତାଳିମାରି କହିଲେ, ‘‘ଶେଷରେ ଭାଷାରେ ହୃଦୟ ପ୍ରକାଶ ପାଇଲା ତ ?’’

 

–୨–

 

ସହର ପାଖ ହୋଇ ଆସୁଥାଏ ଓ ଲୋକ ଗହଳ ବଢ଼ୁଥାଏ । ଲାଲମୋହନ ଓ କୁମୁଦିନୀ ନିଜକୁ ସଂଯତ କରି ଶେଷରେ ଦୋଳମଣ୍ଡପ ସାହି ଛକ ଉପରେ ପହଞ୍ଚିବାବେଳକୁ ଦୁହେଁ ଯେପରି ପରସ୍ପର ପରିଚିତ ଦୁଇଜଣ, ଏପରି ହୋଇଗଲେ । ବିବାହିତ ସ୍ତ୍ରୀ ପୁରୁଷ ନିଜ ଭିତରେ ପ୍ରକାଶ୍ୟ ଭାବରେ ଆମୋଦ ପ୍ରମୋଦ ବା ଘନିଷ୍ଠ ଆଳାପ କଲେ ଯେତେବେଳେ ଲୋକଙ୍କ ଆଖିକୁ ଠେକୁଛି, ସେତେବେଳେ ପ୍ରଚଳିତ ରୀତିକୁ ମାନି ଲାଲମୋହନ ଓ କୁମୁଦିନୀ ସଂଯତ ହୋଇ ଯିବାରେ ବିଚିତ୍ର କିଛି ନାହିଁ । ଛକ ଉପରେ ଲାଲମୋହନ ଅଳ୍ପ କଥାରେ ବିଦାୟ ନେଲେ–‘‘ମୁଁ ଯାଉଛି, କେବେ ଫେରିବି ଠିକଣା ନାହିଁ–ଚିଠି ଦେବି’’–ଏତିକି କହି ଦ୍ରୁତଗତିରେ ହଜାରମଲ୍ଲ ଧର୍ମଶାଳା ଆଡ଼କୁ ଚାଲିଲେ । ଛକଠୁ ଅଳ୍ପ ଦୂରରେ ଉଚ୍ଚ ପକ୍କାପିଣ୍ଡା ଥିବା ଗୋଟିଏ ଘରକୁ କୁମୁଦିନୀ ଗଲେ । ଏହି ଘରେ ତାଙ୍କର ଅବସ୍ଥାନ । ଘରଟି ଭଡ଼ା ନେଇଛନ୍ତି । ଏପାଖ ସେପାଖ ନାନା ସ୍ଥାନର ଯାତ୍ରୀ ଆସି ଭଡ଼ା ଦେଇ ରହୁଛନ୍ତି ଓ ଯାଉଛନ୍ତି । ମାତ୍ର କୁମୁଦିନୀ ପ୍ରାୟ ତିନିମାସ ହେଲା ଏ ଘରଭଡ଼ା ନେଇଅଛନ୍ତି । ସାଙ୍ଗରେ ଜଣେ ହିନ୍ଦୁସ୍ଥାନୀ ଚାକର ଅଛି । ଆଉ ସେ ଘରେ କେହି ନାହାନ୍ତି । ଆଖପାଖ ସବୁଲୋକେ କୁମୁଦିନୀଙ୍କୁ ଜାଣନ୍ତି ଯେ ସେ ଜଣେ ପଶ୍ଚିମା ବିଧବା ଓ ନିଜର କର୍ମଦୋଷ ମୋଚନପାଇଁ ଶ୍ରୀକ୍ଷେତ୍ରରେ ଆସି ଅଛନ୍ତି । ଏହିପରି ଶହ ଶହ ବିଧବା ପୁରୀରେ ଆସି ଅଛନ୍ତି–କିଏ କାହା ଖବର ବୁଝୁଛି । ତହିଁରେ ପୁଣି ଜଣେ ପଶ୍ଚିମା ସ୍ତ୍ରୀଲୋକ । ଏଣୁ କୁମୁଦିନୀ ପ୍ରତି କାହାର ସେପରି ନଜର ନାହିଁ । ପ୍ରଥମେ ଆସି ରହିବାବେଳେ କେତେକ ପଣ୍ଡା ପଢ଼ିଆରି ମନେ କରିଥିଲେ ଯେ ଏ ପଶ୍ଚିମା ଯାତ୍ରୀଠୁଁ କିଛି ଲାଭ ଉଠାଇବେ । ମାତ୍ର ସେମାନେ ନିଜ ବ୍ୟବସାୟରେ ଏତେ ଧୂର୍ତ୍ତ ଯେ ଯେତେବେଳେ ସେମାନେ କୁମୁଦିନୀକୁ ଜଣେ ଶିକ୍ଷିତା ରମଣୀ ବୋଲି ଜାଣିଲେ ଓ ଏକଥା ଜାଣିବାକୁ ବେଶି ଡେରି ହେଲା ନାହିଁ ତେତେବେଳେ ସେମାନେ ଲୁଚି ପଡ଼ିଲେ । ତା’ପରେ ଆଉ କେହି ଲକ୍ଷ୍ୟ କରି ନାହାନ୍ତି ଯେ, କୁମୁଦିନୀ ଦିନେ ହେଲେ ସୁଦ୍ଧା ମନ୍ଦିରକୁ ଦର୍ଶନପାଇଁ ଯାନ୍ତି ନାହିଁ କିମ୍ବା ସକାଳୁ ଗାଧୋଇ ମାଳା ଜପ ଇତ୍ୟାଦି କରନ୍ତି ନାହିଁ । ନାମାବଳି ଉପରେ ପକାଇ କୁଆଡ଼େ ବାହାରନ୍ତି ନାହିଁ । ମୋଟ କଥା ଜଣେ କେହି ପଶ୍ଚିମା ଯାତ୍ରୀ କୁଆଡ଼ୁ ଆସିଅଛି, ଏତିକି ଛଡ଼ା କୁମୁଦିନୀ ସମ୍ବନ୍ଧରେ ଆଉ କେହି କିଛି ଜାଣନ୍ତି ନାହିଁ ବା ଜାଣିବାରେ କାହାର କିଛି ସ୍ପୃହା ନାହିଁ ।

 

ବାସ୍ତବିକ ଏତେ ପରିଷ୍କାର ଭାବରେ କୁମୁଦିନୀ ହିନ୍ଦୀ କହନ୍ତି ଯେ ତାକୁ ସହଜରେ ଜଣେ ଓଡ଼ିଆଣୀ ବୋଲି କେହି ଜାଣିପାରିବ ନାହିଁ । ଏପରିକି ତାଙ୍କର ଯେଉଁ ହିନ୍ଦୁସ୍ଥାନୀ ଚାକର ଅଛି, ସେ ମଧ୍ୟ ତାକୁ ଓଡ଼ିଆଣୀ ବୋଲି ବହୁଦିନ ପରେ ଜାଣିଲା । ଚାଲିଚଳନ ସବୁ ହିନ୍ଦୁସ୍ଥାନୀ ଢଙ୍ଗରେ । ବେଶଭୂଷା ମଧ୍ୟ ସେହିପରି । ବୟସ ୨୪।୨୫ ବର୍ଷ ହେବ । ଗୋରା ମୁହଁରେ କୌଣସି ଅଳଙ୍କାର ନଥିବାରୁ ତାଙ୍କୁ ବିଧବା ବୋଲି ଭାବିବା ସ୍ୱାଭାବିକ । ମାତ୍ର ତାଙ୍କ ମୁହଁରେ ଏକପ୍ରକାର ଗାମ୍ଭୀର୍ଯ୍ୟ ଅଛି ଯାହା ତାଙ୍କ ଯୁବତୀର ମୁଖମଣ୍ଡଳରେ ପ୍ରୌଢ଼ତ୍ୱର ଛାୟା ପକାଇ ଦେଇଛି ।

 

ସମୁଦ୍ର କୂଳରୁ ଫେରିବାପରେ ଲୁଗାପଟା ପାଲଟି ଚାକରକୁ ବରାଦ କଲେ, ‘‘ସୁଦର୍ଶନ : ଖାନା ଲେଆଓ–’’ ‘‘ଜି ହଜୁର ।’’ ସୁଦର୍ଶନ ତତ୍ପର ହେବାରେ ଲାଗିଲା । ପିଣ୍ଡାରେ ଖଣ୍ଡେ ଚୌକି ପଡ଼ିଥିଲା । ତା’ରି ଉପରେ ବସି ବହୁକ୍ଷଣ କୁମୁଦିନୀ ଚିନ୍ତା କରିବାରେ ଲାଗିଲା । ଏପରି କି ସୁଦର୍ଶନ ବାରମ୍ବାର ‘‘ଖାନା ତୟାର ହୈ’’ କହିଲେ ସୁଦ୍ଧା ଚିନ୍ତାମଗ୍ନା କୁମୁଦିନୀ କୌଣସି ଉତ୍ତର ଦେଲେ ନାହିଁ । ଶେଷରେ ଉଠିଯାଇ ତରତର ହୋଇ ଖାଇପିଇ ଦେଇ ପୁଣି ସେଇଠି ବସି ସେହିପରି ତଳକୁ ଅନାଇ ଭାବିବାରେ ଲାଗିଥାନ୍ତି । ପୁଣି ହଠାତ୍ ଉଠିଯାଇ ଭିତରେ ଚମଡ଼ା ହାତବାକ୍ସରୁ ଚିଠି ଲେଖା କାଗଜ ଓ ଫାଉଣ୍ଟେନ୍ ପେନ୍ କାଢ଼ି ଏକ ପତ୍ର ଲେଖିଲେ । ଲେଖିସାରି ଲଫାଫାରେ ବନ୍ଦକରି ସୁଦର୍ଶନକୁ ଡାକି କହିଲେ, ‘‘ତୋମ୍‍ହାର ଖାନା ପିନା ହୋ ଗୟା ହୈ ?’’ ସୁଦର୍ଶନ ‘‘ଜି ହଜୁର’’ କହିବାରୁ ସେ ଚିଠିଖଣ୍ଡିକ ତା’ ହାତକୁ ବଢ଼ାଇ ଦେଇ କହିଲେ, ‘‘ଧରମ ଶାଲା ମେଁ ଯୋ ବାବୁ ହେ ଜଲଦି ଏ ଚିଠି ଦେ ଦୋ ।’’ ‘‘ଜି ହଜୁର’’ କହି ସୁଦର୍ଶନ ସାଙ୍ଗେ ସାଙ୍ଗେ ବାହାରିଗଲା ।

 

ଲାଲମୋହନ ବରାବର ଆସି ଧର୍ମଶାଳାରେ ରହନ୍ତି ଓ ଧର୍ମଶାଳାର ତତ୍ତ୍ୱାବଧାରକଙ୍କ ସହିତ ବନ୍ଦୋବସ୍ତ କରି ଦୋତାଲା ଉପରେ ଗୋଟିଏ ବଖରାରେ ସେ ନିଜପାଇଁ ପୃଥକ୍ କରି ରଖିଛନ୍ତି । ଯେବେ ଆସିଲେ ସେଇଠି ରହନ୍ତି । କେତେଥର ସୁଦର୍ଶନ ସେଠିକି ଯାଇଛି । ଏଥର ମଧ୍ୟ ସିଧା ଯାଇ ଲାଲମୋହନକୁ ତାଙ୍କ ବଖରାରେ ଚିଠିଦେଇ ଆସିଲା । ସେଠି ଆହୁରି କେତେ ଲୋକ ବସିଥିଲେ । ସୁଦର୍ଶନକୁ ଅନାଇ ଦେଇ ଲାଲମୋହନ ବାହାରକୁ ଚାଲି ଆସିଲେ ଓ ଚିଠିଖଣ୍ଡକ ନେଇ କହିଲେ, ‘‘ବୋଲ ଦେ ନା, ମୈଂ ଗାଡ଼ି ଫେଲ୍ ହୋ ଗୟା–ଏକ୍‍ସପ୍ରେସ୍ ଗାଡ଼ିମେ ଯାଉଁଗା ।’’ ‘‘ଜି ହଜୁର’’ କହି ସୁଦର୍ଶନ ସଲାମ କରି ଚାଲିଲା । ଚିଠିଖଣ୍ଡ ହଠାତ୍ ଖୋଲି ପଢ଼ିବେ ବୋଲି ମନ କରୁଥିଲେ, ଉପସ୍ଥିତ ଲୋକଙ୍କ ସଙ୍ଗରେ ଆଲୋଚନାକୁ ବଡ଼ ମନେ କରି ଚିଠିଖଣ୍ଡିକ ନିଜ ପକେଟରେ ରଖିଲେ । ଯେଉଁମାନେ ସେଠାରେ ଥିଲେ ସେମାନେ ସମସ୍ତେ ପ୍ରାୟ ଦେଶର କାମ କରନ୍ତି । ସମସ୍ତଙ୍କୁ ନାନାଭାବେ ଉତ୍ସାହ ଓ ପରାମର୍ଶ ଦେଇ ବିଦାୟ ଦେବା ପରେ ଚିଠିଖଣ୍ଡ କାଢ଼ି ପଢ଼ିଲେ ।

 

ପ୍ରିୟ ବନ୍ଧୁ–

 

‘‘ଏଇ କଥାବାର୍ତ୍ତା କରିଆସି ପୁଣି ସାଙ୍ଗେ ସାଙ୍ଗେ ଚିଠି ଲେଖିବାକୁ ସଙ୍କୋଚ ବୋଧ ହେଉଛି । ମାତ୍ର କରିବି କ’ଣ ? ମନ ମାନୁ ନାହିଁ, ତେଣୁ ଲେଖୁଛି–କେଜାଣି କାହିଁକି ଆଜି ତୁମ ଚାଲିଯିବାଟା ମୋତେ ଦୁଃଖ ଦେଲା । କେତେଦିନ ଏପରି ଆସୁଥିବ ଯାଉଥିବ; ମୋତେ ବାରମ୍ବାର ପଚାର ଆଜି ମଧ୍ୟ ପଚାରୁଥିଲ । ମୁଁ ତୁମଙ୍କୁ ହୃଦୟର ସହ ସ୍ନେହ କରେ କି ନା ? ସେ କଥା କ’ଣ ଜାଣିବାକୁ ବାକି ଅଛି । ଯେଉଁଦିନ କଲିକତାରେ ସେ ସଭାରେ ପ୍ରଥମ ଦେଖା ହେଲା, ତା’ପରେ କ୍ରମଶଃ ତୁମର ମୋର ଯେଉଁ ଆଳାପ ପରିଚୟ ହେଲା, ସେହିକାଳୁ ମୋ ମନ କହୁଛି ଯେ ମୁଁ ଜଣେ ସାଥୀ ପାଇଛି । ତଥାପି ପୁଣି ଯେପରି ମନରୁ ଆଉ ଗୋଟିଏ କିଛି କହୁଛି, ନା ଏକାକୀ ଜୀବନହିଁ ଶ୍ରେୟସ୍କର । ଏ ଦୁଇ ପ୍ରକାର ଅନ୍ତର୍ବିବାଦ ଭିତରେ ମୁଁ ଟଣାଟଣି ହେଉଛି । ତୁମର ମଧ୍ୟ ଆସିବା ଓ ପୁଣି ଚାଲିଯିବା, ଏ ଟଣାଟଣିକୁ ବଢ଼ାଇ ଦେଉଛି । ମୋ ମନେ ହୁଏ ତୁମେ ଯଦି କିଛିକାଳ ରହିଯାଆନ୍ତ ତେବେ ମୁଁ ଗୋଟିଏ ସିଦ୍ଧାନ୍ତରେ ପହୁଞ୍ଚି ଯାଆନ୍ତି । ସେ ସିଦ୍ଧାନ୍ତ କ’ଣ ତାହା ତୁମେ ବୁଝିପାରୁଥିବ ।

 

ଆଉ ଏକ କଥା ମୋ ମନରେ ଆଘାତ ଦେଉଛି, ତୁମେ ଜାଣ ମୋର ଜୀବନ ସମାଜର ହେବାପାଇଁ ଉତ୍ସର୍ଗୀକୃତ । ମୁଁ ମଧ୍ୟ ଅତ୍ୟାଚାରୀର ସହାୟ ହେବାପାଇଁ ଓ ଦୁଃଖୀର ସେବା କରିବାପାଇଁ ଜୀବନର ବ୍ରତ କରିଛି; ମାତ୍ର ତୁମ ସହିତ ମୋର ଯେବେ ଦେଖାହୁଏ, ବହୁ ସରସ କଥା ତୁମେ କହ; କିନ୍ତୁ କେବେ ତ ସେ ବିଷୟ ଆଲୋଚନା କର ନାହିଁ । ସେହି ହେତୁରୁ ବୋଧହୁଏ ତୁମ ଭିତରେ ଓ ମୋ ଭିତରେ ବ୍ୟବଧାନ ରହିଯାଉଛି । ଗଡ଼ଜାତ ଅତ୍ୟାଚାରର ପ୍ରତିରୋଧ କରିବାକୁ ତୁମେ ଯାଉଛ । ମୁଁ କ’ଣ ସେଥିରେ ସହାୟ ହୋଇ ପାରନ୍ତି ନାହିଁ–ଦେଶପାଇଁ ତୁମେ ଜୀବନ ଦେଇପାର ! ମୁଁ କ’ଣ ସେଥିରେ ଅକ୍ଷମ ବୋଲି ଭାବ ?

 

ଆଉ ବେଶି ଭାବ ନାହିଁ । ତୁମର ବିଚାର ଉପରେ ମୁଁ ସବୁ ଛାଡ଼ି ଦେଉଛି

 

। ଇତି ।

 

ତୁମର

କୁମୁଦିନୀ

 

ଚିଠିଖଣ୍ଡ ଦୁଇ ତିନି ଥର ଲାଲମୋହନ ପଢ଼ି ଖଟିଆ ଉପରେ ପଡ଼ି ବହୁ ସମୟ ଚିନ୍ତା କଲେ । ମନ ହେଉଥାଏ ଯିବା ବନ୍ଦ କରି ଦେବାପାଇଁ–ବାସ୍ତବିକ ତେଣେ ନାନା କାମରେ ବ୍ୟାପୃତ-। ମଝିରେ ମଝିରେ ଥରେଅଧେ ଆସି ପ୍ରେମର ଆଲୋଚନା ଗୋଟାଏ ଖାପଛଡ଼ା କଥାଭଳି ତାକୁ ବୋଧ ହେଉଥାଏ । ବହୁ ସମୟ ଚିନ୍ତା କରି ସେ ସ୍ଥିରକଲେ ଯେ, ନା, ସେ ରହିବେ ନାହିଁ । ଯିବେ ଓ ବୁଝାଇସୁଝାଇ ବାଲେଶ୍ୱରରୁ ଖଣ୍ଡେ ପତ୍ର ସେ କୁମୁଦିନୀଠାକୁ ଦେବେ । ଉଠି ପଡ଼ି ଘଡି ଦେଖିଲେ ଯେ, ଗାଡ଼ିସମୟ ହୋଇ ଆସୁଛି–ଆଗରୁ ବନ୍ଦୋବସ୍ତ କରିଥିବା ଗାଡ଼ିବାଲା ତଳେ ପାଟି କଲାଣି । ଆଉ ଡେରି ନକରି ସେ ବାହାରିଗଲେ ।

 

–୩–

 

ନୀଳଗିରିର ପ୍ରଜାଏ ଏପରି ମେଳି କରିଛନ୍ତି ଯେ ହାଟ ବାଟ, ଦୋକାନ, ବଜାର ସବୁ ବନ୍ଦ । ରଜା ଘରକୁ ଓ କର୍ମଚାରୀଙ୍କୁ କାହାରିକୁ କେହି ପଇସାଟାକର ଜିନିଷ ସୁଦ୍ଧା ଦେଉ ନାହାନ୍ତି । ଏପରିକି ରଜାଘରେ ଯେଉଁମାନେ ଚାକିରି କରୁଥିଲେ, ଦିନେ ଅଧେ କିଣାଚାକର ପରି ନୁହେଁ, ପୁରୁଷାନୁକ୍ରମେ ଯେଉଁମାନେ ଜାୟଗିରି ଭୋଗି ଦେହଲଗା ଚାକର ହୋଇ ରହିଥିଲେ ସେମାନେ ସୁଦ୍ଧା କିଏ କୁଆଡ଼େ ଚାଲିଗଲେଣି । ନ ଗଲେ ତେଣେ ସେମାନଙ୍କୁ ସେମାନଙ୍କ ଗାଁରେ ଏପରି ବାସନ୍ଦ ହେବ ଯେ, ତାଙ୍କ ପରିବାର ଚଳି ପାରିବେ ନାହିଁ । ରଜାଘରେ ଝାଡ଼ୁ ଦେବାପାଇଁ ଲୋକଟିଏ ସୁଦ୍ଧା ନାହିଁ । ଗୋରୁ, ଘୋଡ଼ା, ହାତୀ ସେହିପରି ବନ୍ଧା ହୋଇ ପଡ଼ିଛନ୍ତି । ଗୁହାଳ, ଶାଳ ସଫା କରିବାକୁ ଲୋକ ନାହାନ୍ତି କି ପଶୁମାନଙ୍କୁ ଖାଇବାକୁ ଦେବାକୁ କେହି ନାହିଁ । ଗାଈଦୁହାଁ ହେଉ ନଥିବାରୁ ରଜାଘର ଦୁଧ ସୁଦ୍ଧା ପାଉ ନାହାନ୍ତି । ପନିପରିବା କିଛି ମିଳୁନାହିଁ । ଯେ କେତେଜଣ ପରଦେଶୀ ଚାକର ଥିଲେ ସେହିମାନଙ୍କୁ ଲଗାଇ ମଟରରେ କୋଡ଼ିଏ ମାଇଲ ଦୂର ବାଲେଶ୍ୱରରୁ ପନିପରିବା, କାଠ ପ୍ରଭୃତି ଆଣି ରଜାଘର ଉପବାସକୁ ଏଡ଼ିଦେଇ ପାରିଛନ୍ତି । ପ୍ରଜାଙ୍କ ମେଳି ଭାଙ୍ଗିବାପାଇଁ ରଜା କେତେଥର ହାଇଦରାବାଦୀ ପାଇକ ନେଇ ଗାଁମାନଙ୍କୁ ଯାଇଁ ଧମକାଚମକା କଲେଣି; ମାତ୍ର ଲୋକେ ସେ ଧମକାଚମକା ପାଖ ପଶୁ ନାହାନ୍ତି । ଏଣୁ ଭୟଗ୍ରସ୍ତ ହେବାର ଅବକାଶ ସୁଦ୍ଧା ମିଳୁନାହିଁ । ଯେଉଁ ଗାଁକୁ ପାଇକ ଗଲା ସେ ଗାଁବାଲା କବାଟ କିଳି ଘରେ ପଶୁଛନ୍ତି । କାହାରି ମୁହଁ ନ ଦେଖି ପାଇକ ବିଚରା ଫେରିଆସୁଛି କିମ୍ବା ଯଦି ଦରମା ସାଙ୍ଗକୁ ଆଉ କିଛି ଉପୁରି ରୋଜଗାର ମନ ହେଲା, ସେ ଗାଁ ଛେଳି, କୁକୁଡ଼ା ଇତ୍ୟାଦି ଯାହା ପାଇଲେ ନେଇ ଆସୁଛି ।

 

ଲାଲମୋହନ ଏ ଅବସ୍ଥା ଦେଖି ଉତ୍ସାହିତ ହୋଇଗଲେ । ଏହିପରି ମେଳି ହେଲେ କିଏ ଏପରି ରଜା ଅଛି ଯେ, ପ୍ରଜାଙ୍କ ମତ ବିରୋଧରେ ଶାସନ ଚଳାଇବ ? ଏହାହିଁ ତାଙ୍କ ଉତ୍ସାହର ଚିତ୍କାର ହେଲା । ମୁଖିଆ ମୁଖିଆ ପ୍ରଜାମାନଙ୍କ ସହିତ ଲାଲମୋହନ ପରାମର୍ଶ କରି ଆନ୍ଦୋଳନକୁ ଆହୁରି ଉତ୍କଟ କରିବାପାଇଁ ଇଚ୍ଛା କଲେ । ଗାଁର ଲୋକେ, ଦେଶବିଦେଶର ଖବର ତାଙ୍କୁ କିଛି ଜଣାନାହିଁ । ଆନ୍ଦୋଳନ ଚଳାଇବା ପାଇଁ ଯେଉଁ ବିଚକ୍ଷଣତା ଅଧ୍ୟୟନ ଯୋଗେ ଅର୍ଜିତ ହୁଏ ତା’ ସେମାନଙ୍କଠାରେ କିଛି ନାହିଁ । ସେମାନେ ଚାଲିଛନ୍ତି ଅନ୍ତର୍ଜାତ ପ୍ରବୃତ୍ତି ଘେନି; ମାତ୍ର ଲାଲମୋହନ ସେମାନଙ୍କୁ ବୁଝାଇଲେ, ‘‘ଜନତାର ସଂକଳ୍ପକୁ ଠେଲି ଦେବ ଏପରି ଶକ୍ତି କୌଣସି ଶାସନର ନାହିଁ । ସେ ସଂକଳ୍ପ ଯେତେବେଳେ ନିର୍ଦ୍ଦିଷ୍ଟଭାବେ ଆଶା ପ୍ରକାଶ କରେ, ସେତେବେଳେ ପ୍ରବଳ ଶକ୍ତି ମଧ୍ୟ ତା’ଠାରେ ମୁଣ୍ଡ ନୁଆଁଇ ଦିଏ । ଆପଣମାନେ ଯେପରି ସଂକଳ୍ପ ପ୍ରକାଶ କରିଛନ୍ତି ତାହା ବାସ୍ତବିକ ପ୍ରଶଂସାଜନକ । ମାତ୍ର ଆହୁରି କିଛି କରିବାକୁ ହେବ । ନିଷ୍କ୍ରିୟତାର ପରାକାଷ୍ଠାଦ୍ୱାରା ଯେ ସଂକଳ୍ପ ରାଜଦରବାରକୁ ଦେଖାଇ ପାରିଛନ୍ତି, ସେହି ସଂକଳ୍ପକୁ ଆହୁରି କାର୍ଯ୍ୟଦ୍ୱାରା ଦେଖାଇବାକୁ ହେବ । ଦରବାରଙ୍କ ହୁକୁମ ହୋଇଛି, କେହି ନୀଳଗିରିରେ ସଭା ବା ଶୋଭାଯାତ୍ରା କରି ପାରିବେ ନାହିଁ । ଶହ ଶହ ହଜାର ହଜାର ଏ ଅନ୍ୟାୟ ଆଦେଶକୁ ଅମାନ୍ୟ କଲେ ସଂକଳ୍ପର ସକ୍ରିୟ ପ୍ରକାଶ ହେବ-। ଦରବାରଙ୍କ ପାଇକମାନେ ଲାଠିମାରି ଆପଣମାନଙ୍କ ମୁଣ୍ଡ ଫଟାଇ ଦେଇ ପାରନ୍ତି । ଗୁଳିମାରି ଜୀବନ ନେଇ ପାରନ୍ତି; ମାତ୍ର ସେ ସବୁ ସହି ଅନ୍ୟାୟ ବିରୋଧରେ ଛିଡ଼ାହୋଇ ଓ ନିଜର ଦାବି ପୂରଣ କରିବାର ସଂକଳ୍ପକୁ ଜଗତ ଆଗରେ ସାବ୍ୟସ୍ତ କରିବାକୁ ହେବ ।’’

 

ଲାଲମୋହନଙ୍କ ଉତ୍ସାହରେ ଲୋକମାନେ ମଧ୍ୟ ଉତ୍ସାହିତ ହେଲେ । ଗୋଟିଏ ଦିନ ନିର୍ଦ୍ଧାରିତ ହେଲା–ଯେଉଁଦିନ ସବୁ ଗାଁରୁ ଶହ ଶହ ଲୋକ ଆସି ରୁଣ୍ଡହେବେ ଓ ଏକ ସମୟରେ ଶୋଭାଯାତ୍ରା କରି ନୀଳଗିରିକୁ ଯିବେ । ଏ କାର୍ଯ୍ୟର ବନ୍ଦୋବସ୍ତ କରିବାପାଇଁ ଲାଲମୋହନ ରାତିଦିନ ପରିଶ୍ରମ କରି ଖାଇବା, ଶୋଇବା ପାସୋରି ଯାଇ ଗାଁକୁ ଗାଁ ବୁଲିବାରେ ଲାଗି ପଡ଼ିଲେ । ସାନ୍ତାଳ ପ୍ରଜା, ସେମାନେ ବନ୍ୟ ପଶୁ ଶିକାର କରିବାକୁ ଖୁବ୍ ସମର୍ଥ । ସବୁବେଳେ ଧନୁଶରରେ କାରବାର ତାଙ୍କର । ସେମାନଙ୍କୁ କୌଣସି ପ୍ରକାରେ ଅହିଂସାର ତାତ୍ପର୍ଯ୍ୟ ବୁଝାଇବାରେ ଲାଲମୋହନ ଯଥାଶକ୍ତି ଲାଗିଛନ୍ତି । ମରିବ କିନ୍ତୁ ମାରିବ ନାହିଁ । ମନ୍ତ୍ରପରି ସମସ୍ତଙ୍କୁ କାନେ କାନେ ଶୁଣାଉଛନ୍ତି । ଚାରିଆଡ଼େ ପ୍ରବଳ ଉତ୍ତେଜନା । ସମସ୍ତେ ସଜବାଜ ହେଉଛନ୍ତି ସେହି ନିର୍ଦ୍ଦିଷ୍ଟ ଦିନ ରଜାର ଆଦେଶ ନ ମାନି ପ୍ରଜାଙ୍କ ସଂକଳ୍ପ ନୀଳଗିରିରେ ଜାରି କରିବେ । ତେଣେ ରାଜା ଦରବାର ମଧ୍ୟ ଖବର ପାଇ ପ୍ରସ୍ତୁତ ହେଉଛନ୍ତି, କିପରି ଜନତାର ସଂକଳ୍ପକୁ ଚୂର୍ଣ୍ଣବିଚୂର୍ଣ୍ଣ କରି ଦେବେ ।

 

ଶେଷରେ ନିର୍ଦ୍ଦିଷ୍ଟ ଦିନ ସନ୍ଧ୍ୟାର କିଛି ସମୟ ପୂର୍ବରୁ ପ୍ରାୟ କୋଡ଼ିଏ ହଜାର ଲୋକ ଏକତ୍ର ହୋଇ ମହାଉତ୍ତେଜନାରେ ନୀଳଗିରି ଅଭିମୁଖରେ ଯାତ୍ରାକଲେ । ଲାଲମୋହନ ନିଜେ ସେ ଶୋଭାଯାତ୍ରାର ଅଗ୍ରଣୀ ହେବାପାଇଁ ଭାରି ମନ କରିଥିଲେ । ମାତ୍ର ଲୋକେ ତାହା କରିବାକୁ ଦେଲେ ନାହିଁ । ‘‘ଆପଣ ନୀଳଗିରିର ଲୋକ ନୁହନ୍ତି, ଯାହା କରିବୁ ନୀଳଗିରି ଲୋକ କରିବୁଁ । ଆପଣ ପରାମର୍ଶ ଦିଅନ୍ତୁ, ଆପଣଙ୍କର ଯଦି କିଛି ଭଲମନ୍ଦ ଘଟେ ତେବେ ଆମର ସବୁ ଯିବ ।’’ ନିତାନ୍ତ ଜିଦ୍ କରି ମଧ୍ୟ ଲାଲମୋହନ ସେ ଶୋଭାଯାତ୍ରା ସହିତ ଯିବାର ସୁବିଧା ପାଇଲେ ନାହିଁ ।

 

ସାଧାରଣ ଜନତାଙ୍କ ଅଦ୍ଭୁତ ଉତ୍ତେଜନା ଓ କୋଳାହଳ ଭିତରେ ଶୋଭାଯାତ୍ରା ଯେତେବେଳେ ନୀଳଗିରିରେ ପହଞ୍ଚିଲା, ସେତେବେଳେ ଚାରିଆଡ଼ୁ ପାଇକମାନେ ଲାଠି ପ୍ରହାର କରିବାକୁ ଲାଗିଲେ । ସେମାନଙ୍କ ଉପରେ ଗାଡ଼ି ମଡ଼ାଇ ଦିଆଗଲା । ନିରସ୍ତ୍ର ଜନତାର ସଂକଳ୍ପ ଭିତରେ ସଂଘର୍ଷ ପ୍ରାୟ ଅଧଘଣ୍ଟାଏ ଚାଲିଛି, ତା’ପରେ ସବୁ ଶୂନଶାନ୍ ହୋଇଗଲା । ପ୍ରାୟ ତିନିଶହ ଲୋକ ଭୀଷଣ ଭାବରେ ଆଘାତପ୍ରାପ୍ତ ହୋଇ ଚଳତ୍‍ଶକ୍ତିବିହୀନ ହୋଇ ପଡ଼ିଛନ୍ତି । ଶହେ ଖଣ୍ଡେ ଲୋକଙ୍କୁ ହାତୀ ମାଡ଼ି ଦେଇ ସେମାନଙ୍କୁ ମୃତପ୍ରାୟ କରିଛନ୍ତି । ବାକି ସମସ୍ତେ କିଏ କୁଆଡ଼େ ପଳାଇଛନ୍ତି–ତା’ର ଠିକଣା ନାହିଁ । ଯେଉଁମାନେ ଆହତ ହୋଇ ପଡ଼ିଛନ୍ତି, ସେମାନଙ୍କୁ ପାଣି ଟୋପାଏ ଦେବାକୁ ସୁଦ୍ଧା କେହି ନାହାନ୍ତି । ରାଜ ଦରବାର ବିଜୟ ଉଲ୍ଲାସ ଉପଭୋଗ କରିବାରେ ଲାଗିଛନ୍ତି । ପଳାଇ ଯାଇଥିବା ଲୋକମାନଙ୍କର ଲୁଗାପଟା ପ୍ରଭୃତି ସଂଗ୍ରହରେ ପାଇକମାନେ ବ୍ୟସ୍ତ-। ଲୋକେ ନିଜ ନିଜ ପ୍ରାଣ ବଞ୍ଚାଇବାରେ କିଏ କୁଆଡ଼େ ପଳାଇ ନିଜ ସାଙ୍ଗ କଥା ଭୁଲି ଯାଇଛନ୍ତି-। ଏହି ଅବସ୍ଥାରେ ଆହତ ଲୋକେ ପଡ଼ି ପଡ଼ି ରାତି ହୋଇଗଲା । ଶେଷରେ ଦୂରରେ ଥିବା ଲାଲମୋହନ ଏ ଖବର ପାଇ କେତେକ ଲୋକଙ୍କୁ ସାହସ ଦେଇ ଏକତ୍ର କରି ଆହତ ଲୋକମାନଙ୍କୁ ନୀଳଗରିରି ଇଲାକାର ବାହାରେ ଥିବା ଗୋଟିଏ ସ୍ଥାନକୁ ନେଇଗଲେ । କ’ଣ କହି ସେମାନଙ୍କୁ ଉତ୍ସାହ ଦେବେ ତାଙ୍କୁ ବୁଦ୍ଧି ଦେଖାଯାଉ ନଥାଏ । ଅନେକ ସାରା ଜୀବନପାଇଁ ଅକର୍ମଣ୍ୟ ହୋଇ ଯାଇଛନ୍ତି । କେତେକଙ୍କର ବଞ୍ଚିବାର ଆଶା ନାହିଁ । ତଥାପି ନିଜକୁ ଦୃଢ଼କରି ଲାଲମୋହନ ସମସ୍ତଙ୍କର ଚିକିତ୍ସାର ବନ୍ଦୋବସ୍ତ କୌଣସି ପ୍ରକାରେ କରାଇଲେ । ମାତ୍ର ସଂକଳ୍ପର ସକ୍ରିୟ ବିକାଶ ସମ୍ବନ୍ଧରେ ଲାଲମୋହନଙ୍କ ମସ୍ତିଷ୍କ ପ୍ରଥମେ ଯେପରି କାମ କରୁଥିଲା, ବର୍ତ୍ତମାନ ଆଉ ସେପରି କରୁନାହିଁ । ନିରସ୍ତ୍ର ଜନତା ସମସ୍ତ ଶକ୍ତିର ସମ୍ମୁଖୀନ ହୋଇପାରେ–ଏ ବିଶ୍ୱାସ ତାଙ୍କର ଅତୁଟ । କାରଣ ସେ ଜାଣନ୍ତି ଥରେ ନେପୋଲିଅନ୍‍ଙ୍କ ଗୁଳି ବାରୁଦ ଶେଷ ହୋଇ ଯାଇଥିଲା । ପ୍ରତିପକ୍ଷ ଯେତେବେଳେ ଏହିପରି ଅବସ୍ଥାରେ ତାଙ୍କୁ ଆକ୍ରମଣ କଲା ସେ ନିଜର ପଚାଶ ହଜାର ସୈନ୍ୟଙ୍କୁ ବିନା ଅସ୍ତ୍ରରେ ଶତ୍ରୁର ସମ୍ମୁଖୀନ ହେବାକୁ ଆଦେଶ ଦେଇଥିଲେ । ଏହି ପଚାଶ ହଜାର ସୈନ୍ୟ ଏପରି ଭାବରେ ଶତ୍ରୁ ସୈନ୍ୟ ସହିତ ଯାଇ ବେଢ଼ିଗଲେ ଯେ, ସେମାନେ ବନ୍ଧୁକ ମାରିବାପାଇଁ ଯଥେଷ୍ଟ ବ୍ୟବଧାନ ପାଇଲେ ନାହିଁ । ପଚାଶ ହଜାରରୁ ଚାଳିଶ ହଜାର ସୈନ୍ୟ ମରିଗଲେ, ମାତ୍ର ଅବଶିଷ୍ଟ ଦଶ ହଜାର ବିଜୟ ଲାଭ କଲେ । ତେଣୁ ଲାଲମୋହନ ଭାବିଲେ ଯେ, ଲୋକେ ସେତେ ସାହସୀ ଓ ଟାଣ ନୁହନ୍ତି । ତାଙ୍କର ଅନୁତାପ ହେଲା, ସେ ନିଜେ କାହିଁକି ଲୋକଙ୍କ ସାଙ୍ଗରେ ନ ଗଲେ । ଲାଠି ଓ ବନ୍ଧୁକର ସମ୍ମୁଖୀନ ହେବାର ଯେ ଆନନ୍ଦ ଅଛି ଓ ସେଥିରେ ଆଘାତ ପାଇବାର ଯେ ସୁଖ ଅଛି, ତା’ ସେ ଉପଭୋଗ କରି ପାରିଲେ ନାହିଁ । ଜୀବନର ଗୋଟାଏ ବଡ଼ ସୁବିଧା ହରାଇଲେ ବୋଲି ସେ ଭାବି ହେଲେ ।

 

ଏ ଘଟଣା ପରେ ନୀଳଗିରି ରାଜା ପ୍ରଜାଙ୍କ ଭିତରେ ଗୋଟାଏ ମିଳାମିଶା ହୋଇଗଲା । ଲୋକେ ଟାଣ ନୁହନ୍ତି ଭାବି ଲାଲମୋହନ ଆଉ ଏ ମେଳିକୁ ବେଶି ଦୂରକୁ ନେବାକୁ ଉଚିତ ମନେ କଲେ ନାହିଁ । କିପରି ମିଳାମିଶା ହେଲା, ପ୍ରଜାଙ୍କ ଲାଭ କେତେ ହେଲା, କ’ଣ ହେଲା, ସେଥିରେ ଏ ଉପନ୍ୟାସର ସମ୍ପର୍କ ନାହିଁ । ଏଠାରେ ଏତିକି ଜାଣିବାର କଥା ଯେ, ଲାଲମୋହନ ଏହି ନୀଳଗିରି ବ୍ୟାପାରରେ ବ୍ୟାପୃତ ରହି କୁମୁଦିନୀ କଥା ପୂରାପୂରି ଭୁଲି ଯାଇଛନ୍ତି । ଏପରି କି ବାଲେଶ୍ୱରରୁ ପତ୍ର ଦେବେ ବୋଲି ଯେ କହି ଆସିଥିଲେ ସେ କଥା ସୁଦ୍ଧା ତାଙ୍କର ମନେ ନାହିଁ । ଇତିମଧ୍ୟରେ ପ୍ରାୟ ଦେଢ଼ ମାସ ଅତୀତ ହୋଇଗଲାଣି । ଯେତେବେଳେ ଆନ୍ଦୋଳନରେ ଉତ୍ତେଜନା କମି ଆସିଲା ସେତେବେଳେ ଦିନେ ରାତିରେ ହଠାତ୍ ଲାଲମୋହନଙ୍କର କୁମୁଦିନୀ କଥା ମନେ ପଡ଼ିଗଲା । ଚିଠି ଖଣ୍ଡେ ସୁଦ୍ଧା ଦେଇ ପାରିଲେ ନାହିଁ–କ’ଣ ସେ ଭାବୁଥିବ–ସେ ପୁରୀରେ ଥିବ ନା କଲିକତା ଚାଲିଗଲାଣି–ପୁଣି କେଉଁ ମୁହଁରେ ଯାଇ ତାକୁ କଥା କହିବି ?

 

ମୁଁ ଏତେ ଅସ୍ଥିର ପ୍ରକୃତିର ଲୋକ, ଏତେ ଡହରା, ଯେଉଁଠି ମାତିଲି ସେଠି ଭାସିଗଲି, ଆଉ ସବୁ ଭୁଲିଗଲି–ଏହିପରି ନିଜକୁ ବହୁତ ଧିକ୍‍କାର କଲେ । ଆତ୍ମଗ୍ଳାନିରେ ସେ ଏତେ ଅସ୍ଥିର ବୋଧ କଲେ ଯେ ତାଙ୍କ ମନ ହେଉଥାଏ ଉଡ଼ିଯାଇ କୁମୁଦିନୀ ପାଖରେ ପହଞ୍ଚି ତା’ ଗୋଡ଼ ତଳେ ପଡ଼ି କ୍ଷମା ମାଗନ୍ତେ । ଏହି ଅନୁଶୋଚନା ମଝିରେ ସେ ତାଙ୍କ ମନକୁ ଦୃଢ଼ କଲେ ଯେ ସେ କୁମୁଦିନୀକୁ ଯଥାବିଧି ବିବାହ କରିବେ ଓ ସେ କାର୍ଯ୍ୟ ଶେଷ ନ ହେବା ଯାଏଁ ସେ ଅନ୍ୟ କୌଣସି କାର୍ଯ୍ୟରେ ମାତିବେ ନାହିଁ ।

 

–୪–

 

ନୀଳଗିରି ପ୍ରଜାମେଳିର କାର୍ଯ୍ୟକାରଣ ପୁଙ୍ଖାନୁପୁଙ୍ଖରୂପେ ଆଲୋଚନା କରି ଲାଲମୋହନ ମନେମନେ ଠିକ୍ କଲେ ଯେ ସବୁ ଗଡ଼ଜାତରେ ଅଳ୍ପ ବହୁତ ମେଳି ନିଶ୍ଚୟ ହେବ । କାରଣ ସବୁ ଗଡ଼ଜାତ ଏକ କାର୍ଯ୍ୟକାରଣର ଅଧୀନ । ଚାରିଆଡ଼େ ପ୍ରଜାମେଳିର ଚିତ୍ର ଯେତେବେଳେ ସେ ମନରେ ଆଙ୍କି ଦେଲେ, ସେ ନିଜେ ଭାବବିଭୋର ହୋଇଗଲେ । ଘରପୋଡ଼ି ସମୟରେ ଖଣ୍ଡଖଣ୍ଡ ହୋଇ ରୁଅ ବାଉଁଶ ଠକ ଠକ ଫୁଟି ଖସି ପଡ଼ିଲାପରି ଯେତେବେଳେ ଗଡ଼ଜାତ ଅତ୍ୟାଚାରୀ ରାଜ ଦରବାର ସବୁ ଖସି ପଡ଼ିବେ–ହୁହୁ ହୋଇ ଚାରିଆଡ଼େ ନିଆଁ ଲାଗିଯିବ; ସେତେବେଳେ ସେ ନିଜେ କି ଉତ୍ତେଜନା ଭିତରେ ଥିବେ ଭାବି ଉଲ୍ଲସିତ ହେଉଥାନ୍ତି । ଯଦି ସେ ଦାବାନଳରେ ନିଜେ ମଧ୍ୟ ଆହୁତି ହୋଇଯାନ୍ତି ତେବେ ତ ପରମ ସୌଭାଗ୍ୟ । ଅତ୍ୟାଚାର ବିରୁଦ୍ଧରେ ଛିଡ଼ା ହୋଇ ଜୀବନ ଦେବାର ଅବସର କେତେ ଲୋକଙ୍କ ଭାଗ୍ୟରେ ଘଟେ-। ଏ ଉଲ୍ଲାସ ମଧ୍ୟରେ କୁମୁଦିନୀ କଥା ମନେ ପଡ଼ି ଯାଉଥାଏ । କି ବେଳରେ ତା’ ସହିତ କଲିକତାରେ ଦେଖା ହେଲା । ଧୀରେ ଧୀରେ ସେ ତ ମନ ଭିତରେ ବହୁତ ସ୍ଥାନ ଦଖଲ କରି ନେଇ ଯାଇଛି । କଲିକତାରେ ଦେଖା ହେଲାଠାରୁ ତା’ ସହିତ ସମ୍ପର୍କ କିପରି କ୍ରମଶଃ ବଢ଼ିବାରେ ଲାଗିଛି ସେ ବିଷୟ ସେ ମନେମନେ ଚିନ୍ତା କଲେ । ଶ୍ରମିକମାନଙ୍କର ଏକ ସଭାରେ ଲାଲମୋହନ ଓଡ଼ିଶା ଶ୍ରମଜୀବୀମାନଙ୍କ ପାଇଁ ଓଡ଼ିଆରେ ବକ୍ତୃତା ଦେଇଥିଲେ । ତା’ପରେ କୁମୁଦିନୀ ମଧ୍ୟ ଏକ ସୁନ୍ଦର ବକ୍ତୃତା ଦେଇଥିଲେ । ସଭା ଶେଷରେ କୁମୁଦିନୀ ଲାଲମୋହନଙ୍କ ପାଖକୁ ଆସି ଓଡ଼ିଆରେ କହିଥିଲେ, ‘‘ଆପଣଙ୍କ ବକ୍ତୃତା ଖୁବ୍ ସୁନ୍ଦର ହୋଇଥିଲା ।’’ ବିସ୍ମିତ ହୋଇ ଲାଲମୋହନ ପଚାରିଥିଲେ, ‘‘ଆପଣ କ’ଣ ଓଡ଼ିଆଣୀ ।’’ ଅଳ୍ପ ହସି କୁମୁଦିନୀ ଉତ୍ତର ଦେଇଥିଲେ, ‘‘ମୁଁ ଓଡ଼ିଆର ଝିଅ । ମାତ୍ର ଅବସ୍ଥା ଚକ୍ରରେ ପଡ଼ି ହିନ୍ଦୁସ୍ଥାନୀ ହୋଇ ଦେଶର କିଛି କାମ କରିବାକୁ ମୋ କପାଳରେ ଲେଖାଥିଲା ।’’ ତା’ପରେ କୁମୁଦିନୀ ଯେଉଁଠାରେ ରହୁଥିଲେ ସେଠିକି ଲାଲମୋହନ କେତେ ଥର ଯା–ଆସ କରିଥିଲେ । କଲିକତାରେ ଆର୍ଯ୍ୟ–ସମାଜୀମାନଙ୍କର ଏକ ଆଡ଼୍‍ଡ଼ା ଅଛି । ସେହିଠାରେ କୁମୁଦିନୀ ଅବସ୍ଥାନ କରୁଥିଲେ । ଧୀରେ ଧୀରେ ଲାଲମୋହନଙ୍କ ମନେହେଲା ସେ ଯେପରି କୁମୁଦିନୀଙ୍କ ଆଡ଼କୁ ଆକୃଷ୍ଟ ଦେଉଛନ୍ତି । ସେ ମଧ୍ୟ ସେହିପରି ତାଙ୍କ ଆଡ଼କୁ ଆକୃଷ୍ଟ ହେଉଛନ୍ତି । ତା’ପରେ କୁମୁଦିନୀ ପୁରୀକୁ ଆସିଲେ–ତାଙ୍କ ନିଜ କାର୍ଯ୍ୟକ୍ରମ ଅନୁସାରେ । ଦୁଷ୍ଟ ଲୋକେ ସମାଜର କେତେକ କୁପ୍ରଥାର ସୁବିଧା ନେଇ ନାରୀମାନଙ୍କୁ ଭୁଲାଇ ଘରୁ ବାହାର କରି ନେଇ ବଡ଼ବଡ଼ ସହରରେ ବିକ୍ରି କରି ଯେଉଁ ବିରାଟ ବ୍ୟବସାୟ ଚଳାଇଛନ୍ତି ତା’ ବିରୁଦ୍ଧରେ କୁମୁଦିନୀ କିଛି କରିବେ ବୋଲି ସ୍ଥିର କଲେ ।

 

ବହୁସଂଖ୍ୟାରେ ଓଡ଼ିଶାରେ ନାରୀ କଲିକତାରେ ବିକ୍ରି ହୋଇ ଯାଉଛନ୍ତି । ମାତାଜୀ ବେଶର କେତେକ ଦୁଷ୍ଟା ରମଣୀ ଗୁଣ୍ଡମାନଙ୍କଦ୍ୱାରା ନିଯୁକ୍ତ ହୋଇ ଘରୁ ବୋହୂଭୁଆସୁଣୀଙ୍କୁ ଶିଖାଇ ନେଇ ଯାଉଛନ୍ତି ବା ସମାଜଦ୍ୱାରା ଅନାଦୃତ ଓ ଅତ୍ୟାଚାରିତ ଯୁବତୀମାନଙ୍କୁ ମଧ୍ୟ ସେମାନେ ଶିଖାଇ ନେଇ ଯାଉଛନ୍ତି–କୌଣସି ପ୍ରକାରେ କଲିକତାରେ ପହଞ୍ଚିଯିବା ପରେ ସେମାନଙ୍କ ରୂପ ଓ ବୟସ ଅନୁସାରେ ଦାମ୍ ଦେଇ ଗୁଣ୍ଡାମାନେ ଖରିଦ କରି ନେଇ କେତେକଙ୍କଦ୍ୱାରା ସେଠାରେ ବେଶ୍ୟା ବ୍ୟବସାୟ ଖୋଲୁଛନ୍ତି । ଆଉ କେତେକଙ୍କୁ କନ୍ୟା ନ ମିଳୁଥିବା ଲୋକଙ୍କୁ ବିବାହପାଇଁ ବିକ୍ରି କରି ଦେଉଛନ୍ତି । ଅନୁସନ୍ଧାନ କରି ଜାଣିଲେ ଯେ ଅନେକ ଓଡ଼ିଆ ନାରୀ ଏହି ସୂତ୍ରରେ ପଞ୍ଜାବର ଶିଖମାନଙ୍କର ଗୃହିଣୀ ହୋଇଛନ୍ତି ଓ ଅନେକ ମୁସଲମାନ ହୋଇ ଯାଇଛନ୍ତି । ଯେଉଁମାନେ ବିବାହିତ ହୋଇଗଲେ ସେମାନଙ୍କ ପାଇଁ ଚିନ୍ତା କିଛି ନାହିଁ । ମାତ୍ର ଯେଉଁମାନେ ବେଶ୍ୟା ବ୍ୟବସାୟ ପାଇଁ ରହିଗଲେ ସେମାନଙ୍କ ଦୁଃଖ କହିଲେ ନ ସରେ । କେବଳ ଖାଇବାକୁ ପିନ୍ଧିବାକୁ ପାଇ, ପଶୁପରି ଏମାନେ ପୋଷା ହେଉଛନ୍ତି । ସକାଳ ହେବାମାତ୍ରକେ ମାଲିକ ଗୁଣ୍ଡା ଆସି ରାତିକ ରୋଜଗାର ପ୍ରତ୍ୟେକ ସ୍ତ୍ରୀଠାରୁ ନେଇ ଯାଉଛି । ଯେ ବେମାର ପଡ଼ିଲା ତା’ର ଚିକିତ୍ସାର ବ୍ୟବସ୍ଥା ନାହିଁ । ଯାହାର ରୂପ ଓ ବୟସ ଖରାପ ହୋଇଗଲା ତାକୁ ବାହାର କରି ଦିଆଗଲା–ତା’ପରେ ସେ ପଥର ଭିଖାରୁଣୀ । ନାରୀ ଜାତି ପ୍ରତି ଏ ଯେଉଁ ବୀଭତ୍ସ ଅତ୍ୟାଚାର ହେଉଛି ତା’ ବିରୋଧରେ କିଛି କରିବାକୁ ହେବ; ଏ ସିଦ୍ଧାନ୍ତ କୁମୁଦିନୀ କଲାପରେ ସେ କଲିକତାରେ ଏ ସମ୍ପର୍କରେ ବହୁତ ସଭା କରିଛନ୍ତି । ଶ୍ରମିକମାନଙ୍କ ମଧ୍ୟରେ ବୁଲି ପ୍ରଚାର କରିଛନ୍ତି ଯେ ସେମାନେ ଘରେ ନିଜ ସ୍ତ୍ରୀମାନଙ୍କୁ ଛାଡ଼ି ଦେଇ ଆସିବା ଉଚିତ ନୁହେଁ । ସଙ୍ଗେ ସଙ୍ଗେ ସ୍ତ୍ରୀକୁ ରଖିବା କର୍ତ୍ତବ୍ୟ । ତା’ପରେ ସେ ପୁରୀ ଆସିଲେ ମାତାଜୀମାନଙ୍କ କାର୍ଯ୍ୟକଳାପ ଲକ୍ଷ୍ୟ କରି ତା’ର କିଛି ପ୍ରତିବିଧାନ କରିବାପାଇଁ । ତୀର୍ଥ–କ୍ଷେତ୍ରହିଁ ନାରୀ ବ୍ୟବସାୟର କେନ୍ଦ୍ରସ୍ଥଳ । କାରଣ ଜୀବନରେ କିଛି ଅଶାନ୍ତି ଘଟିଲେ ଧର୍ମର ସାନ୍ତ୍ୱନା ଘେନିବାପାଇଁ ସେଠାକୁ ଅନେକ ଆସନ୍ତି–ସେଇଠି ପ୍ରଲୋଭନର ପସରା ମେଲାଇ ଅଯଥା ଯୁବତୀଙ୍କୁ କରଗତ କରିବାପାଇଁ ଦୁଷ୍ଟମାନେ ମଧ୍ୟ ଚେଷ୍ଟା କରନ୍ତି । ତେଣୁ କିଛିଦିନ ପୁରୀରେ ରହି ଅବସ୍ଥାରେ ଅନୁସନ୍ଧାନ କରିବେ ବୋଲି କୁମୁଦିନୀ ସ୍ଥିର କଲେ ।

 

ପୁରୀ ଆସିବା ପରେ ଲାଲମୋହନ ତାଙ୍କ ସହିତ ଅନେକ ଥର ଦେଖାସାକ୍ଷାତ୍ କଲେଣି । ଯେବେ ସେ କୁମୁଦିନୀ ସହିତ ଆଳାପ କରନ୍ତି, ତାଙ୍କର ମନେ ହୁଏ ଯେପରି ତାଙ୍କର ହୃଦୟର ଏକ ତପ୍ତ ପ୍ରଦେଶ ଶୀତଳ ହୋଇଗଲା । ତା’ପରେ ସେ ନିଜ କାମରେ ଅଧିକ ଉତ୍ସାହ ଅନୁଭବ କରନ୍ତି । ପୁଣି କାମର ଉତ୍ସାହ ମଧ୍ୟରେ ଆଳାପର ଗୁରୁତ୍ୱ ସେ ଭୁଲିଯାନ୍ତି । ଏହିପରି ଚାଲିଥିଲା; ମାତ୍ର ଏଥର ସେ ସ୍ଥିର କଲେ ଯେ କୁମୁଦିନୀର ଜୀବନ ସହିତ ନିଜ ଜୀବନକୁ ସଂଲଗ୍ନ କରିବେ–ତା’ର ଫଳାଫଳ ଯା ହେଉ ପଛକେ ।

 

ଏ ନିଶ୍ଚୟକୁ ସେ ଆସିପାରୁ ନଥିଲେ । ତାହାର କାରଣ ହେଉଛି ଯେ ବିବାହ ଓ ତା’ର ଆନୁସଙ୍ଗିକ ଦାୟିତ୍ୱପାଇଁ ସେ ପ୍ରସ୍ତୁତ ନଥିଲେ । ଓକିଲାତି ଆରମ୍ଭ କରିବାମାତ୍ରକେ ତାକୁ ସେ ଛାଡ଼ିଛନ୍ତି ଦେଶର କାମ କରିବାପାଇଁ । ଘରେ ଯାହା କିଛି ସାମାନ୍ୟ ବିଷୟ ଆଶ୍ରୟ ଅଛି ତାକୁ ଭାଇମାନେ ବୁଝନ୍ତି ଓ ସେଥିରେ ସେମାନେ ଚଳାଚଳ କରୁଛନ୍ତି । ଘରର ଦାୟିତ୍ୱ କୌଣସି ପ୍ରକାରେ ଲାଲମୋହନଙ୍କ ଉପରେ ନାହିଁ ବା ଘରୁ ସେ ନିଜପାଇଁ କିଛି ଆଶା କରନ୍ତି ନାହିଁ । ଭାରତରେ ଯେପରି ଅବସ୍ଥା ସେଥିରେ ଦେଶର କାମ କରିବାକୁ ହେଲେ ନିଜେ ଚଳିବାପାଇଁ ଯାହା କିଛି ଦରକାର ତାହା ହୁଏତ ପାଇହେବ; ମାତ୍ର ବିବାହ କଲାମାତ୍ରକେ ବ୍ୟକ୍ତି ବିଶେଷ, ଧୀରେ ଧୀରେ ଏକ ଅନୁଷ୍ଠାନ ହୋଇ ଛିଡ଼ା ହେବ । ଯାହାକୁ ପରିବାର କୁହାଯାଏ–ତାହାର ଚଳିବାର ବ୍ୟବସ୍ଥା କିପରି କେଉଁଠୁଁ କରିହେବ ? ଏହାହିଁ ଲାଲମୋହନଙ୍କ ବିବାହ ବିଷୟରେ ବାଧା ଥିଲା । ଏ ବାଧା ସାମାନ୍ୟ ନୁହେଁ, ଭାବିଲେ ଏହା ଗୁରୁତର ମନେ ହେବାର କଥା । ମାତ୍ର ଲାଲମୋହନ ଭାବି ଦେଖିଲେ ଯେ ସେ କୁମୁଦିନୀକୁ ବିବାହ କରି କୌଣସି ଗୋଟିଏ ଗ୍ରାମରେ ଆଶ୍ରମ କରି ଦୁହେଁଯାକ ସମସ୍ତ ସମୟ ଦେଇ ଦେଶର କାମ କରିବେ ଓ ଏ ପ୍ରକାର କର୍ମୀମାନଙ୍କୁ ସାହାଯ୍ୟ କରିବାପାଇଁ ଅନେକ ଅନୁଷ୍ଠାନ ଅଛି । ଯେ ବାଧା ପ୍ରଥମେ ଅତିବଡ଼ ପର୍ବତ ବୋଲି ମନେ ହେଉଥିଲା, ଶେଷରେ ତାହା ଛାୟା ପରି ମନେ ହେଲା । ମନ ଯେଉଁଆଡ଼କୁ ଝୁଙ୍କିଲା ସେ ଦିଗରେ ନିଜର ସମର୍ଥନ ପାଇଁ ଅନେକ ସାମଗ୍ରୀ ପାଇଲା ।

 

–୫–

 

ପୁରୀର ଧର୍ମଶାଳାରେ ପହଞ୍ଚିଲାମାତ୍ରକେ ଲାଲମୋହନ ବୁଝିଲେ ଯେ ସୁଦର୍ଶନ ଅନେକ ଥର ଆସି ତାଙ୍କୁ ଖୋଜି ଯାଇଛି । ତାଙ୍କର ମନର ଆବେଗକୁ ସେ ସମ୍ଭାଳି ପାରୁ ନାହାନ୍ତି । ମନେମନେ ଭାବୁଥାନ୍ତି କି କୈଫିୟତ ସେ କୁମୁଦିନୀକୁ ଦେବେ । ଦେଶ କାମରେ ସେ ତାଙ୍କର ପ୍ରବଳ ଉତ୍ତେଜନା ଓ ସେଥିରେ ତାଙ୍କ ଆତ୍ମ ବିସ୍ମରଣ ସେ କଥା କୁମୁଦିନୀ ଜାଣନ୍ତି ଓ ସେଥିପାଇଁ ସେ ତାଙ୍କୁ ପ୍ରଶଂସା କରନ୍ତି । ମାତ୍ର ସେତିକି କ’ଣ ଯଥେଷ୍ଟ ହେବ ? ହୁଏତ ଦେଖାହେଲାମାତ୍ରକେ ସେ କଥା କହିବେ ନାହିଁ–ମାନ କରିବେ–କ’ଣ କହି ସେ ମାନ ଦୂର କରିବେ ? ତା’ପରେ ବିବାହର ପ୍ରସ୍ତାବକୁ କି ଆକାରରେ ଉତ୍ଥାପିତ କଲେ ତାହା ସହଜରେ ଘେନା ହେବ ? ନା ବିବାହର ପ୍ରସ୍ତାବକୁ ମୋଟେ ଉଠାଇବେ ନାହିଁ । ବାଲେଶ୍ୱରରେ ବିବାହ ବିଷୟରେ ମନ ଯେପରି ଦୃଢ଼ ଥିଲା ପୁରୀରେ ଆସି ପହଞ୍ଚୁ ପହଞ୍ଚୁ ସେ ଦୃଢ଼ତା ବହୁତ କମି ଗଲାଣି–ଏ କଥା ନିଜେ ଜାଣିପାରି ଲାଲମୋହନ ବିସ୍ମିତ ହେଲେ । ନିଜ ମନକୁ ପୁଣି ଦୃଢ଼ କରିବାରେ ଲାଗିଲେ । ଶେଷରେ ସନ୍ଧ୍ୟାବେଳେ ଦୋଳମଣ୍ଡପ ସାହିକୁ ବାହାରିଲେ ।

 

କୁମୁଦିନୀ ବସାପାଖରେ ସୁଦର୍ଶନକୁ ଭେଟି ତା’ଠାରୁ ଶୁଣିଲେ ଯେ ସେ ଅଳ୍ପ ସମୟ ହେଲା ସମୁଦ୍ର କୂଳକୁ ବୁଲି ବାହାରି ଯାଇଛନ୍ତି । ଦ୍ରୁତପଦକ୍ଷେପରେ ଲାଲମୋହନ ଅଳ୍ପ ଦୂରରେ କୁମୁଦିନୀକୁ ଭେଟିଲେ । ଚାହିଁ ଦେଇ କୁମୁଦିନୀ ଅଳ୍ପ ହସି ପଚାରିଲେ, ‘‘କ’ଣ ଖବର ? ନୀଳଗିରି ବିଷୟରେ ସମାଧାନ ହୋଇଗଲା ?’’ ଲାଲମୋହନ ନିଜକୁ ନିଜ ଅପରାଧୀ ବୋଲି ମନେ କରୁଥାନ୍ତି । ସେ ପ୍ରଶ୍ନର ଉତ୍ତରରେ ‘ହଁ, ଏକପ୍ରକାର ହୋଇଗଲା ।’ ଏତିକି କହି ସେ ନିଜର କୈଫିୟତ ଦେବାପାଇଁ ଉଦ୍ୟମ ହେଲାମାତ୍ରକେ କୁମୁଦିନୀ ପୁଣି ପଚାରିଲେ, ‘‘କ’ଣ ସେଠା ଖବର ଭଲକରି କହନ୍ତୁ । ଖବରକାଗଜରୁ ଯେତିକି ଜାଣିଛି ସେତିକିରୁ ବୁଝିଛି ଯେ ସେଠା ଲୋକ ଖୁବ୍ କିଛି କରୁଛନ୍ତି ।’’ ଲାଲମୋହନ ଧୀରେ ଧୀରେ କହିଲେ, ‘‘ହଁ ଖୁବ୍ ସଂଘବଦ୍ଧ ସେମାନେ; ମାତ୍ର ବଡ଼ ଭୟାଳୁ, ଲାଠିମାଡ଼ରେ ଯେପରି ଭୟଭୀତ ହୋଇ ସେମାନେ ପଳାଇଗଲେ ତାହା ଅତ୍ୟନ୍ତ ଲଜ୍ଜାଜନକ ।’’ କୁମୁଦିନୀ ଟିକିଏ ବ୍ୟଙ୍ଗୋକ୍ତି କରି କହିଲେ, ‘‘ତୁମର ଲାଠିମାଡ଼ରେ କେଉଁଠି କ’ଣ ହୋଇଛି ?’’ ଲାଲମୋହନ ଟିକିଏ ବିଚଳିତ ହୋଇ କହିଲେ, ‘‘ମୁଁ ସେ ଶୋଭାଯାତ୍ରାର ଆଗରେ ଯିବାପାଇଁ ବାହାରିଥିଲି; ମାତ୍ର ମୋତେ ସେଠାରେ ସମସ୍ତେ ମନାକଲେ ।’’ କୁମୁଦିନୀ ପୂର୍ବପରି କହିଲେ, ‘‘ତୁମେ ତ ନିଶ୍ଚୟ ପଛେ ପଛେ ଯାଇଥିବ । ଦେଖିବାପାଇଁ କ’ଣ ହେଲା । ତା’ପରେ ଗୋଳମାଳରେ ହୁଏତ ତୁମ ଉପରେ ଲାଠିମାଡ଼ ବସି ଯାଇଥିବ । ମୁଁ ସେ ଖବର ପଢ଼ୁଥିଲାବେଳେ ମୋ ଛାତି ଦକଦକ ହେଉଥାଏ, କାଳେ ଆହତ ବ୍ୟକ୍ତିଙ୍କ ନାମ ଭିତରେ ତୁମ ନାମକୁ ପାଇବି, ମାତ୍ର ଯେତେବେଳେ ନ ପାଇଲି ସେତେବେଳେ ମନେମନେ ଭାବିଲି ରଜାଘର ଲାଠି ଲୋକ ଚିହ୍ନେ । ପାଇକମାନେ ଆଖି ବୁଜି ଲାଠି ଚଳାଇଲେ ମଧ୍ୟ ଲାଠି ତୁମ୍ଭଙ୍କୁ ଚିହ୍ନିପାରି ତୁମ ଉପରେ ବାଜିଲା ନାହିଁ ।’’ ଏ ପରିହାସ ଶୁଣି ଲାଲମୋହନ ଉତ୍ତେଜିତ ହୋଇ କହିଲେ, ‘‘ତୁମେ କ’ଣ ଭାବୁଛ ମୁଁ ଲାଠିମାଡ଼ ଭୟରେ ଲୁଚିଲି ।’’ କୁମୁଦିନୀ ହସି ହସି କହିଲେ, ‘‘ମୁଁ କିଛି ଭାବୁନାହିଁ । କ’ଣ ହେଲା ତୁମଠୁ ଶୁଣିବି ବୋଲି ପଚାରୁଛି ।’’ ଲାଲମୋହନ ଗମ୍ଭୀର ହୋଇଯାଇ କ’ଣ କହିବେ କିଛି ଭାବିପାରିଲେ ନାହିଁ । ଦୁହେଁଯାକ ଧୀରେ ଧୀରେ ଚାଲିଛନ୍ତି । ଶେଷରେ ସମୁଦ୍ରକୂଳରେ ପହଞ୍ଚିବାମାତ୍ରକେ ଲାଲମୋହନ କହିଲେ, ‘‘ଚାଲ ଆଜି କୂଳେ କୂଳେ ଅନେକ ଦୂରକୁ ବୁଲିବାକୁ ଯିବା ।’’ କୁମୁଦିନୀ ହଠାତ୍ ଉତ୍ତର କଲେ, ‘‘ଆଜି ମୋର ଅନେକ କାମ ଅଛି । ଆଜି ଦିବ୍ୟସିଂହବାବୁ ଆସିଛନ୍ତି । ତାଙ୍କ ସହିତ ରାତି ଆଠଟାବେଳେ ସାକ୍ଷାତ ହେବାର କଥା ଅଛି, ଏଣୁ ମୁଁ ଶୀଘ୍ର ଫେରିବି ।’’

 

ବାଲି ଉପରେ ଦଳଦଳ ହୋଇ ଲୋକ ବୁଲୁଛନ୍ତି । ଏକପାଖିଆ ହୋଇ ଲାଲମୋହନ ଓ କୁମୁଦିନୀ ନୀରବରେ କିଛିଦୂର ଗଲାପରେ ଲାଲମୋହନ ଆରମ୍ଭ କଲେ, ‘‘ତୁମେ ବୋଧହୁଏ ମୋ ଉପରେ ବଡ଼ ରାଗିଛ ?’’

 

କୁମୁଦିନୀ–‘‘ମୁଁ ନିଜ ଉପରେ ବଡ଼ ରାଗିଛି ।’’

 

ଲାଲମୋହନ–‘‘ମୁଁ ସେଠି କାମରେ ଏପରି ମାତିଗଲି ଯେ ମୋର ଆଉ କିଛି ମନେ ରହିଲା ନାହିଁ । ମୋର ତ ଏ ଦୋଷ ପୂର୍ବରୁ ଅଛି ତୁମେ ଜାଣ ।’’

 

କୁମୁଦିନୀ ସମୁଦ୍ର ଆଡ଼କୁ ଚାହିଁ କହିଲେ, ‘‘ତାକୁ ଦୋଷ ବୋଲି କିପରି ବା କୁହାଯିବ, ହଁ ସେକଥା ତ କିଛି କହିଲ ନାହିଁ । ଶୋଭାଯାତ୍ରା ସାଙ୍ଗରେ ତୁମେ ଥିଲ ନା ନାହିଁ ? ଥିଲ ଯେବେ ଲାଠିମାଡ଼ରୁ କିପରି ଅବ୍ୟାହତି ପାଇଲ ?’’

 

ପୁଣି ସେ ଅପ୍ରୀତିକର କଥା ଉଠିବାରୁ ଲାଲମୋହନ ଟିକିଏ ଇତସ୍ତତଃ ହୋଇ କହିଲେ, ‘‘ମୁଁ ଶୋଭାଯାତ୍ରା ସଙ୍ଗରେ ଯାଇ ନଥିଲି ।’’ ଏତିକି ଉତ୍ତର କାଳେ ଯଥେଷ୍ଟ ନ ହେବ ସେଥିପାଇଁ କହିବାରେ ଲାଗିଲେ କିପରି ଅଖିଆ ଅପିଆ ବୁଲି ସେ ଲୋକଙ୍କୁ ମତାଇଥିଲେ ।

 

ସବୁ କଥା ଶୁଣିସାରି କିଛି ସମୟ ନୀରବ ରହି କୁମୁଦିନୀ କହିଲେ, ‘‘ଉତ୍ତେଜନା ତୁମ୍ଭଙ୍କୁ ଖୁବ୍ ସୁଖ ଲାଗେ । କିନ୍ତୁ ତା’ର ପରିଣାମ ଆଜି ସୁଦ୍ଧା ଭୋଗିବାର ଅବକାଶ ପାଇନାହିଁ । ତେଣୁ ସେ ଉତ୍ତେଜନା ଉପଭୋଗ ପ୍ରବୃତ୍ତି ପରିପକ୍ୱ ହୋଇ ନାହିଁ ।’’ ଏ କଥା ଲାଲମୋହନଙ୍କୁ ସହ୍ୟ ହେଉ ନଥାଏ । ସେ ବ୍ୟସ୍ତ ହୋଇ କହିଲେ, ‘‘ସମସ୍ତ ପରିଣାମ ସହ୍ୟ କରିବାପାଇଁ ମୁଁ ପ୍ରସ୍ତୁତ । ମୋତେ କ’ଣ କାପୁରୁଷ ବୋଲି ମନେ କରିଛ ?’’ ଏକଥାରେ କୁମୁଦିନୀ କିଛି ନ କହି ସମୁଦ୍ର ସେପାରିରେ ଆକାଶରେ ଖଣ୍ଡେ ମେଘ କିପରି ସୁନ୍ଦର ଦେଖା ଯାଉଛି ସେ ଆଡ଼କୁ ଲାଲମୋହନଙ୍କ ଦୃଷ୍ଟି ଆକର୍ଷଣ କଲେ । ଲାଲମୋହନ ମଧ୍ୟ ସେ ସୌନ୍ଦର୍ଯ୍ୟର ଉପଲବ୍ଧିରେ ସାଥୀ ହେଲେ । ତା’ପରେ ପୁଣି ଲାଲମୋହନ ଆରମ୍ଭ କଲେ, ‘‘ମୁଁ ଏଠୁ ଯିବା ଦିନ ଯେ ଚିଠି ଖଣ୍ଡ ଦେଇଥିଲ ସେ ବିଷୟ ମୁଁ ବହୁତ ଭାବିଛି ।’’ କୁମୁଦିନୀ ଗମ୍ଭୀରହୋଇ କହିଲେ, ‘କ’ଣ ଭାବୁଛ ?’ ଲାଲମୋହନ ପ୍ରସନ୍ନ ଭାବରେ କହିଲେ ଭାବିଛି ମୁଁ ନିଜକୁ ତୁମ୍ଭଠାରେ ପୂରାପୂରି ସମର୍ପଣ କରିବି ।’’ କୁମୁଦିନୀ ସେହିପରି ଗମ୍ଭୀର ହୋଇ କହିଲେ, ‘‘ଆର୍ଥତ୍ କ’ଣ କରିବେ ?’’ ଲାଲମୋହନ ହସି ଦେଇ କହିଲେ, ‘‘ତା’ର ଅର୍ଥ ମୁଁ କିଛି କହି ପାରିବି ନାହିଁ । ଯେତିକି କହିଲି ସେତିକି ।’’ କିଛିକ୍ଷଣ ନୀରବ ରହି କୁମୁଦିନୀ କହିଲେ, ‘‘ବାସ୍ତବିକ ସେ ମୋର ଦୁର୍ବଳତା । ମୁଁ ସେ ପତ୍ର ପ୍ରତ୍ୟାହାର କରି ନେଉଛି-।’’ ଲାଲମୋହନ ବ୍ୟସ୍ତ ହୋଇ କହିଲେ, ‘‘କି ଦୁର୍ବଳତା ?’’ କୁମୁଦିନୀ ଆକାଶକୁ ଚାହିଁ ଏକ ଦୀର୍ଘ ନିଃଶ୍ୱାସ ପକାଇ ଧୀରେ ଧୀରେ ଚାଲୁ ଚାଲୁ କହିଲେ, ‘‘ବିବାହିତ ଜୀବନର ଚିନ୍ତାହିଁ ମୋର ଏକ ଦୁର୍ବଳତା ।’’

 

ଲାଲମୋହନ ଅଧୀର ହୋଇ କହିଲେ, ‘‘କ୍ଷମା ଦିଅ ଏଇଥରକ ମୋତେ । ମୋର ଆଚରଣହିଁ ତୁମ୍ଭଙ୍କୁ ଉତ୍ୟକ୍ତ କରିଛି ।’’

 

କୁମୁଦିନୀ ହସି ହସି କହିଲେ, ‘‘ବ୍ୟସ୍ତ ହୁଅନ୍ତୁ ନାହିଁ ଲାଲମୋହନବାବୁ–ଦିନସାରା ଖରାରେ ଚାଲି ଚାଲି ତୁମ୍ଭର ମନ ଡାକୁଛି ଟିକିଏ ଗଛ ତଳ ଛାଇରେ ବସି ପଡ଼ିବାପାଇଁ–ତୁମେ ଚିରକାଳ ଛାଇରେ ବସି ରହିବା ଲୋକ ନୁହ–ବା ମୁଁ ମଧ୍ୟ ଗଛତଳ ଛାଇ ପରି ସ୍ଥିର ନୁହେଁ । ନିଦାଘମୟ ଜୀବନ ଅତିବାହିତ କରିବାରେ ଯେତିକି ଆନନ୍ଦ ତା’ଠାରୁ ବେଶି ଆଶା କରିବାହିଁ ଅନ୍ୟାୟ । ଛାଡ଼ ସେ କଥା–ଆଜି ଦିବ୍ୟସିଂହବାବୁଙ୍କ ସହିତ ଚାଲ ଦେଖା କରିବ ।’’

 

ଲାଲମୋହନ ଅନ୍ୟମନସ୍କ ଭାବରେ କହିଲେ, ‘‘ମୁଁ ତାଙ୍କୁ ଭଲ କରି ଜାଣେ । ଆମେ ଏକ ସାଙ୍ଗରେ ଦେଶର କାମ କରିବାପାଇଁ ବାହାରିଥିଲୁ । ସେ ମୋଠାରୁ ବୋଧହୁଏ ବର୍ଷେ ଦୁଇବର୍ଷ ବଡ଼ । ମାତ୍ର କାର୍ଯ୍ୟର ଗତିରେ ସେ ଓ ମୁଁ ଦୁହେଁ ପରସ୍ପରଠାରୁ ବହୁଦୂରକୁ ଚାଲିଯାଇଛୁ । ତଥାପି ମୋର ତାଙ୍କ ସହିତ ଖୁବ୍ ବନ୍ଧୁତା ଅଛି । କିନ୍ତୁ ମୁଁ ଏଥର ଏକ ଦୃଢ଼ ସିଦ୍ଧାନ୍ତ ଘେନି ପୁରୀକୁ ଆସିଥିଲି ।’’

 

କୁମୁଦିନୀ–‘‘କି ସିଦ୍ଧାନ୍ତ ?’’

 

ଲାଲମୋହନ–‘‘ତୁମ୍ଭ ସହିତ ମୋର ଆଜୀବନ ସମ୍ପର୍କ ସ୍ଥାପନ କରିବି ଓ ତା’ପରେ ଆଉ ଯାହା କିଛି କରିବି । କାରଣ ମୁଁ ଜାଣୁଛି ମୋର ଦୋଷ ଯେ କାମରେ ମାତିଲେ; ମୋ ମନ ଭିତରେ ଯେ ସୂକ୍ଷ୍ମ ଓ ସରସ ଭାବ ଟିକକ ଅଛି ତାକୁ ଦଳିମଳି ଦେଇ ଚାଲିଯାଏ ।’’

 

କୁମୁଦିନୀ–‘‘ଚିର ସମ୍ପର୍କ ସ୍ଥାପନ ପରେ କ’ଣ ତୁମର ମନ ଅନ୍ୟ ପ୍ରକାର ହୋଇଯିବ ?’’

 

ଲାଲମୋହନ–‘‘ନିଶ୍ଚୟ, ହୁଏତ ମୁଁ ଏକ ନୂଆ ପ୍ରକାର ଲୋକ ହୋଇଯିବି । ଯେଉଁ ସରସତାକୁ ବର୍ତ୍ତମାନ ଶୁଖିଲା ଫୁଲ ପରି ଛିଣ୍ଡାଇ ଫୋପାଡ଼ି ଦେଇଛି, ସେଇ ତେତେବେଳେ ଆଦରର ଫୁଲକଢ଼ି ହୋଇ ଜୀବନର ସୌରଭ ବଢ଼ାଇବ । ତେତେବେଳେ ହୁଏତ କର୍ମତତ୍ପରତା ବର୍ତ୍ତମାନଠାରୁ କମିଯିବ । ଯାଉ କମି ସେ ବରଂ ଭଲ–ମାତ୍ର ନୀରସ ଜୀବନ ଯେତେବେଳେ ମୋ ମନ ଉପରେ ଚାପିପଡ଼େ ସେତେବେଳେ ତ ଏପରି ଅସହ୍ୟ ବୋଧହୁଏ ଯେ, କାମ କରିବାର ପ୍ରେରଣା ଲୋପ ପାଇଯାଏ । ମୁଁ କେବଳ ଚାରିଆଡ଼େ ମରୁଭୂମି ଦେଖେ ।’’

 

‘‘ଆଚ୍ଛା, ସେ ବିଷୟ ପରେ ଆଲୋଚିତ ହେବ । ଚାଲ ବର୍ତ୍ତମାନ ଫେରିବା ।’’ ଏହା କହି କୁମୁଦିନୀଙ୍କ ସହିତ ଲାଲମୋହନ ଫେରିଲେ ।

 

ଅସ୍ପଷ୍ଟ ଭାବରେ କୁମୁଦିନୀ ଶୁଣି ପାରିବା ଭଳି ଲାଲମୋହନ କହିଲେ, ‘‘ଏଥରକ ଅନିର୍ଦ୍ଦିଷ୍ଟ କାଳପାଇଁ ମୁଁ ଏଇଠି ରହୁଛି ।’’

 

ତା’ପରେ ପୁରୀର ଜଳବାୟୁ ଓ ଅତୀତର ଇତିହାସ କଥା ପଡ଼ିଲା । କଥାବାର୍ତ୍ତା ହୋଇ ଦୋଳମଣ୍ଡପସାହି ଛକରେ ପହଞ୍ଚି କୁମୁଦିନୀ ଲାଲମୋହନଙ୍କୁ ବିଦାୟ ଦେବାବେଳେ ପଚାରିଲେ, ‘‘ତୁମେ ଆସିବ ବିଶ୍ୱମ୍ଭରବାବୁଙ୍କ ଘରକୁ, ସେଇଠି ଦିବ୍ୟସିଂହବାବୁ ଅଛନ୍ତି ।’’

 

ଲାଲମୋହନ ଅନ୍ୟମନସ୍କଭାବେ ଉତ୍ତର କଲେ ‘‘ମୁଁ ତାଙ୍କ ସହିତ ପରେ ଦେଖା କରିବି-। ଆଜି ରାତିକ ମୁଁ ଏକାକୀ କିଛି ଚିନ୍ତା କରିବି ।’’

 

–୬–

 

ବିଶ୍ୱମ୍ଭରବାବୁଙ୍କ ବାହାର ପଟ ପିଣ୍ଡାରେ ଖଣ୍ଡେ ସପ ଉପରେ ଦିବ୍ୟସିଂହବାବୁ ବସିଛନ୍ତି-। ଲଣ୍ଠନଟିଏ ଥୁଆ ହୋଇଛି । ଗୋଟାଏ ପାଖରେ ଖଣ୍ଡେ ଦିଖଣ୍ଡ ବହି ଓ ଖଣ୍ଡେ ଖବରକାଗଜ, ଆଉ ଗୋଟିଏ ପାଖରେ ପେଡ଼ି ଅରଟଟିଏ ମୁଦା ହୋଇ ରଖାହୋଇଛି । ଆଉ କେହି ସେଠି ନାହାନ୍ତି । ଦିବ୍ୟସିଂହବାବୁ ଏକାକୀ ବସି ପ୍ରାର୍ଥନା କରୁଛନ୍ତି । ଚକାମାଡ଼ି ସିଧା ହୋଇ ବସି ଆଖି ବୁଜି ମନେମନେ କ’ଣ ପାଠ କରୁଛନ୍ତି । ବାହାର ପାଖ ଘରେ ବିଶ୍ୱମ୍ଭରବାବୁଙ୍କ ସିରସ୍ତା ଜମିଛି-। ଦୁଇ ତିନି ଜଣ ମହକିଲ ବସିଛନ୍ତି । ସେମାନଙ୍କ ଭିତରୁ ଜଣେ ଓକିଲବାବୁଙ୍କୁ ଗୋଟିଏ ମକଦ୍ଦମାର ବିବରଣୀ ଶୁଣାଉଛି । ଏହି ସମୟରେ କୁମୁଦିନୀ ସେଠାରେ ଆସି ପହଞ୍ଚିଗଲେ । ବିଶ୍ୱମ୍ଭରବାବୁ ସମ୍ଭ୍ରମ ସହକାରେ ଛିଡ଼ା ହୋଇପଡ଼ି ‘ବସନ୍ତୁ’ ବୋଲି କହି ଚୌକି ଦେଖାଇ ଦେଲେ ।

 

କୁମୁଦିନୀ ହିନ୍ଦୁସ୍ଥାନୀରେ ପଚାରିଲେ, ‘‘ମୈ ଆୟା ହୁଁ ଦିବ୍ୟସିଂହବାବୁ ସେ ମିଲ୍‌ନେକେ ଲିୟେ । ବାବୁ କାହାଁ ଠହର୍‌ତେ ହୈଁ ?’’

 

ବିଶ୍ୱମ୍ଭରବାବୁ ହିନ୍ଦୁସ୍ଥାନୀ କଥା ଶୁଣି ଆହୁରି ବେଶି ସସମ୍ଭ୍ରମରେ ଟିକିଏ ଆଗକୁ ଚାଲିଯାଇ କହିଲେ, ‘‘ଆପ୍ ବୈଠିୟେ । ମେଁ ପୁଛ୍‌କେ ଆତାହୁଁ ।’’

 

କୁମୁଦିନୀ ଗୋଟିଏ ଚୌକିରେ ବସିଲେ ।

 

ବିଶ୍ୱମ୍ଭରବାବୁ ସେପଟ ପିଣ୍ଡାକୁ ଯାଇ ଦେଖିଲେ ଯେ ଦିବ୍ୟସିଂହବାବୁ ସେହିକ୍ଷଣି ପ୍ରାର୍ଥନା ଶେଷ କରି ଖବରକାଗଜ ଆଡ଼କୁ ହାତ ବଢ଼ାଉଛନ୍ତି । ‘‘ଆପଣଙ୍କ ସହିତ ଜଣେ ହିନ୍ଦୁସ୍ଥାନୀ ମହିଳା ଦେଖା କରିବାକୁ ଆସିଛନ୍ତି’’–ବିଶ୍ୱମ୍ଭରଙ୍କର ଏ ପ୍ରଶ୍ନର ଉତ୍ତରରେ ଦିବ୍ୟସିଂହବାବୁ ଛିଡ଼ା ହୋଇପଡ଼ି କହିଲେ, ‘କାହାନ୍ତି ସେ ? ଡାକନ୍ତୁ ।’ ବିଶ୍ୱମ୍ଭରୁବାବୁ ଆସିଲେ ଓ ତାଙ୍କ ସଙ୍ଗେ ମଧ୍ୟ ଦିବ୍ୟସିଂହବାବୁ ଆଗନ୍ତୁକାଙ୍କୁ ପାଛୋଟି ନେବାକୁ ଆସିଲେ । ତା’ପରେ କୁମୁଦିନୀ ଦିବ୍ୟସିଂହବାବୁଙ୍କ ସହ ସେ ପିଣ୍ଡାକୁ ଗଲେ ।

 

ଦିବ୍ୟସିଂହବାବୁ ଭଲ ହିନ୍ଦୀ କହି ପାରନ୍ତି ନାହିଁ । ତଥାପି ଦରଖଣ୍ଡିଆ ହିନ୍ଦୀରେ କହିଲେ, ‘ଆପ୍‌କା ଚିଠି ଆଜ୍ ମିଲା । ହାମ୍ ତୁରନ୍ତ ଜବାବ ଦିଆ । କ୍ୟା କାମ୍ ହୈ ? ହାମ୍ ଆପ୍‌କା ବାସ୍ତେ କ୍ୟା କର୍ ସକ୍‌ତେ ହେଁ ।’

 

କୁମୁଦିନୀ ଜାଣିପାରିଲେ ଯେ, ହିନ୍ଦୀରେ କଥା କହିବାକୁ ଦିବ୍ୟସିଂହବାବୁଙ୍କୁ ଅସୁବିଧା ହେଉଛି । ତେଣୁ ସେ ଟିକିଏ ହସି ଦେଇ ନମ୍ରଭାବରେ ଓଡ଼ିଆରେ କହିଲେ, ‘‘ଆପଣ ଓଡ଼ିଆରେ କହନ୍ତୁ । ମୁଁ ଓଡ଼ିଆଣୀ ।’’

 

ଦିବ୍ୟସିଂହବାବୁ ବିସ୍ମିତ ହୋଇ କହିଲେ, ‘‘ତେବେ ମୋ ନିକଟକୁ ହିନ୍ଦୀରେ କାହିଁକି ପତ୍ର ଦେଇଥିଲେ ?’’

 

କୁମୁଦିନୀ କହିଲେ, ‘‘ମୋର ଅନ୍ତର ଓଡ଼ିଆଣୀ, ବାହାର ହିନ୍ଦୁସ୍ଥାନୀ । ଚିଠିପତ୍ର ବାହାରର ବିଷୟ ବୋଲି ହିନ୍ଦୀରେ ଚିଠି ଦେଇଥିଲି । ବର୍ତ୍ତମାନ ଦେଖାସାକ୍ଷାତ୍‍ବେଳେ, ଅନ୍ତରର ଭାବ ଆଦାନ ପ୍ରଦାନବେଳେ ଓଡ଼ିଆଭାଷାହିଁ ସୁବିଧାଜନକ ହେବ ।’’

 

ତା’ପରେ ଦିବ୍ୟସିଂହବାବୁ ଶୁଦ୍ଧ ସରଳ ଓଡ଼ିଆ କୁମୁଦିନୀଙ୍କ ମୁହଁରୁ ଶୁଣି କୁତୂହଳୀ ହୋଇ ପଚାରିଲେ, ‘‘ଆପଣଙ୍କ ଘର କେଉଁଠି ?’’ କୁମୁଦିନୀ ଗମ୍ଭୀର ହୋଇ କହିଲେ, ‘‘କ୍ଷମା କରନ୍ତୁ ।’’ ମୋ ପରିଚୟ କେହି ମୋତେ ପଚାରିଲେ ମୋ ମନରେ ବିଶେଷ ଆଘାତ ହୁଏ । ତେଣୁ ସେ ସମ୍ବନ୍ଧରେ ମୁଁ କିଛି କହିବି ନାହିଁ । ହୁଏତ ପରେ ଆପଣ ଜାଣିପାରିବେ ।’’

 

ଦିବ୍ୟସିଂହବାବୁ ଆଉ ସେ କଥା ଉଠାଇଲେ ନାହିଁ । ତା’ପରେ ସେ ପଚାରିଲେ, ‘‘କ’ଣ ମୋଠାରେ କାମ ଅଛି ?’’ କୁମୁଦିନୀ ଟିକିଏ ଚିନ୍ତା କରି କହିଲେ, ‘‘ମୁଁ କଲିକତାରୁ ଓଡ଼ିଶା ଆସିଥିଲି ନାରୀ ବାଣିଜ୍ୟ ସମସ୍ୟା ଅନୁସନ୍ଧାନ କରିବାପାଇଁ । ଆପଣ ଜାଣନ୍ତି ସମାଜରେ ନାରୀହିଁ ସବୁଠାରୁ ବେଶି ନିର୍ଯାତିତ । ସେ ନିର୍ଯାତନାର ସୁବିଧା ନେଇ ଅନେକ ଦୁଷ୍ଟ ଲୋକ ନାରୀମାନଙ୍କୁ ଗୋରୁଗାଈ ପରି ଖରିଦ ବିକ୍ରି କରୁଛନ୍ତି । ଏ ଦିଗରେ ଆପଣମାନଙ୍କ ଦୃଷ୍ଟି ପଡ଼ିଲେ ନାରୀଙ୍କର ମହାକଲ୍ୟାଣ ସାଧିତ ହୁଅନ୍ତା ।’’

 

ଦିବ୍ୟସିଂହବାବୁ ଧୀରେ ଧୀରେ କହିଲେ, ‘‘ଏ ସମ୍ବନ୍ଧରେ ଖବରକାଗଜରେ ମଝିରେ ମଝିରେ କେତେଥର ଆଲୋଚନା ହେବାର ମୁଁ ଜାଣେ । ମାତ୍ର ସେ ସମ୍ପର୍କରେ କ’ଣ କରାଯାଇପାରିବ ?’’

 

କୁମୁଦିନୀ–‘‘ଆପଣମାନେ ସମସ୍ତେ ଦୁଷ୍ଟି ଦେଲେ ଏ ନୃଶଂସ ବ୍ୟବସାୟ ବନ୍ଦ ହୋଇଯାଆନ୍ତା ।’’

 

ଦିବ୍ୟସିଂହବାବୁ–‘‘ଦେଶ ଯେ ଅବସ୍ଥାରେ ପଡ଼ିଛି, ଯେଉଁଆଡ଼କୁ ଚାହିଁଲେ ବିବିଧ ସମସ୍ୟାମାନ ଅସୁର ପରି ଛିଡ଼ା ହୋଇଛନ୍ତି । ସେ ସବୁର ସମ୍ମୁଖୀନ ହେବାକୁ ସାହସ କୁଳାଉନାହିଁ-। ତଥାପି ସାଧାରଣ ଜାଗରଣ ସଙ୍ଗେ ସଙ୍ଗେ ବହୁ ଲୋକ ବହୁବିଧ କାମରେ ନିଃସ୍ୱାର୍ଥଭାବରେ ଲାଗି ପଡ଼ିଲେ ସବୁ ସମସ୍ୟାର ସମାଧାନ ନିକଟ ହୋଇ ଆସିବ ।’’

 

କୁମୁଦିନୀ–‘‘ଆପଣ କ’ଣ ମନେ କରନ୍ତି ନାହିଁ ଯେ, ନାରୀ ସମସ୍ୟାହିଁ ସବୁଠାରୁ ବଡ଼ ସମସ୍ୟା ।’’

 

ଦିବ୍ୟସିଂହବାବୁ–‘‘ପ୍ରତ୍ୟେକ ସମସ୍ୟା ନିଜ ନିଜ ସ୍ଥଳରେ ଅତି ବଡ଼ । ଏ ବିଷୟରେ ତୁଳନା କରିବା କଠିନ । ନାରୀ ବାଣିଜ୍ୟ କଥା ଯେ ଆପଣ କହୁଛନ୍ତି, ଆପଣ ଭଲ କରି ତଳକୁ ଯାଇ ଦେଖନ୍ତୁ ଜାଣିବେ–ଏହାର ମୂଳରେ ଜାତି ପ୍ରଥା ରହିଛି । ଏହି ଜାତ ବିଭେଦ ଯୋଗୁଁ ସମାଜ ଛୋଟ ଛୋଟ କିଆରି ଭଳି ହୋଇଯାଇଛି । ତା’ ଚାରିପାଖରେ ବଡ଼ବଡ଼ ଅତୁଟ ବନ୍ଧମାନ ଛିଡ଼ା ହୋଇଛି । ଗୋଟିଏ କିଆରିରେ ପାଣି ବେଶି ହୋଇ ଧାନ ଗଛ ସଢ଼ିଯାଇଛି । ଟିକିଏ ଦୂରରେ ଅନ୍ୟ କିଆରିରେ ପାଣି ନ ପାଇ ଗଛ ମରିଯାଉଛି । ଗୋଟିଏ ଜାତିରେ କନ୍ୟାର ଅଭାବ, ଅନ୍ୟ ଜାତିରେ ବରର ଅଭାବ । ତେଣୁ ଲୁଚାଲୁଚି କରି କୌଣସି ପ୍ରକାର କାମ ଚଳାଇବାର ଅବକାଶ ମିଳୁଛି । ଦୁଷ୍ଟ ଲୋକେ ତା’ର ସୁବିଧା ନାନାପ୍ରକାରେ ନେଉଛନ୍ତି ।

 

କୁମୁଦିନୀ–‘‘କିନ୍ତୁ ବେଶ୍ୟା ବ୍ୟବସାୟ ପାଇଁ ବହୁସଂଖ୍ୟାରେ ନାରୀ ଆମଦାନୀ–ରପ୍ତାନୀ ହେଉଛନ୍ତି ।’’

 

ଦିବ୍ୟସିଂହବାବୁ–‘‘ସେ କଥା ମୁଁ ଜାଣେ । ତା’ର କାରଣ ଅନୁସନ୍ଧାନ କଲେ ଜାଣିପାରିବ, ସେହି ଜାତି ପ୍ରଥା । ଯେ ଟିକିଏ ସମାଜର ନିୟମର ବାହାରକୁ ଚାଲିଗଲା ବା ଚାଲିଗଲା ବୋଲି ଯାହା ଉପରେ ସନ୍ଦେହ ହେଲା ତାକୁ ବାହାର କରିଦିଅ । ଯେ ବାହାରିଗଲା ତା’ର କପାଳରେ କାଉ ଉଡ଼ିଲା, ତେଣିକି ସେ ମଲା କି ଗଲା କିଏ ତା’ ଖବର ରଖୁଛି ?’’

 

କିଛିକ୍ଷଣ ନୀରବ ରହିଯାଇ ପୁଣି ଦିବ୍ୟସିଂହବାବୁ କହିଲେ, ‘‘ଯେତେ ମୁଁ ଭାବୁଛି, ଏ ଦେଶର ବିଭିନ୍ନ ସମସ୍ୟା, ମୋର ବିଶ୍ୱାସ କ୍ରମଶଃ ଦୃଢ଼ ହେଉଛି ଯେ ଜାତିଭେଦହିଁ ଏ ଦେଶର ସର୍ବନାଶର ମୂଳ । ଆପଣ ହୁଏତ ଗାଁର ଜୀବନ ଟିକିଟିକି କରି ଆଲୋଚନା କରି ନଥିବେ । ମୁଁ ଗାଁରେହିଁ ମୋର ସମସ୍ତ ଶକ୍ତି ଖର୍ଚ୍ଚ କରୁଛି । ସେମାନଙ୍କ ଜୀବନର ପ୍ରତ୍ୟେକ ଅଂଶକୁ ଭଲ କରି ଦେଖୁଛି–କି ଦୁଃଖ କି ଅତ୍ୟାଚାର ଏ ଦେଶ ଭୋଗ କରୁଛି । ଅଧିକାଂଶର ମୂଳ ସେହି ଯେଉଁ ଜାତିର ଭାବ । ଅନ୍ୟକୁ ନିଜର କରି ନେବାର ପ୍ରବୃତ୍ତି ପରିବର୍ତ୍ତେ ସମସ୍ତଙ୍କୁ ନିଜଠାରୁ ଅଲଗା କରିବାର ଉତ୍ସାହ ରକ୍ତମାଂସରେ ରହିଯାଇଛି ।

 

କୁମୁଦିନୀ–‘‘ଆପଣ ସେଦିଗରେ କି ସମାଧାନ ଚିନ୍ତା କରୁଛନ୍ତି ?’’

 

ଦିବ୍ୟସିଂହବାବୁ–‘‘ସମାଧାନ ବଡ଼ ସହଜ ନୁହେଁ, ମୁଁ ମଧ୍ୟ ନିଜକୁ ତା’ର ଉପଯୁକ୍ତ ବୋଲି ମନେ କରେ ନାହିଁ । ଏକ ପ୍ରବଳ ଜାତୀୟତାର ସ୍ରୋତ ଓତପ୍ରୋତ ହୋଇ ଯଦି ଏ ଦେଶରେ ବହିବ ତେବେ ସେ ସମସ୍ୟାର ସମାଧାନ ହେବ । ସେଥିପାଇଁ ବହୁଲୋକ ଜୀବନ ଦେଇ କାମ କରିବାକୁ ହେବ । କାମ ହେଉଛି, ନିଃସ୍ୱାର୍ଥ ଜନସେବା । ଯେ ଯେତିକି ଯେଉଁ ଦିଗରେ ପାରୁଛି, ସେ ସେତିକି ସେ ଦିଗରେ କରୁ । ସମସ୍ତ କାମର ସମବେତ ଫଳ ଦିନେ ଏ ଦେଶକୁ ବାଟକୁ ଆଣିବ । ଆପଣ ଯେଉଁ କାମକୁ ବଡ଼ ବୋଲି ଭାବୁଛନ୍ତି ଅର୍ଥାତ୍ ଏହି ନାରୀ ବାଣିଜ୍ୟ ବନ୍ଦ କରିବା, ଲାଗନ୍ତୁ ମନ ପ୍ରାଣ ଦେଇ । ସେଥିରେ ଛୋଟ ଗଡ଼ିଆ ପାଣି ବାମ୍ଫ ହୋଇ ଯେପରି ମେଘରେ ମିଶେ ସେ ମଧ୍ୟ ସେହିପରି ସେହି ମହତ୍ ଉଦ୍ଦେଶ୍ୟ ପୂର୍ତ୍ତିରେ ସାହାଯ୍ୟ କରିବ ।’’

 

କୁମୁଦିନୀ–‘‘ଆପଣ କେତେଦିନ ଏଠି ଅଛନ୍ତି ?’’

 

ଦିବ୍ୟସିଂହବାବୁ–‘‘ମୁଁ ଆସିଛି ବ୍ରହ୍ମଗିରି ଯିବାପାଇଁ, ସେଠି ଭୟଙ୍କର ଦୁର୍ଭିକ୍ଷ ପଡ଼ିଛି ।’’

 

କୁମୁଦିନୀ–‘‘କାହିଁ ! ଖବରକାଗଜରେ ସେ କଥା କିଛି ତ ବାହାରି ନାହିଁ ।’’

 

ଦିବ୍ୟସିଂହବାବୁ ହସି ଦେଇ କହିଲେ, ‘‘ଆପଣ ଜାଣନ୍ତି ନାହିଁ, ଉପାସ ରହିବା ଏପରି ଏକ ସାଧାରଣ କଥା ହୋଇଗଲାଣି ଯେ ସେଥିପ୍ରତି ଦୃଷ୍ଟି ପଡ଼ିବା କଠିନ ହୋଇ ପଡ଼ିଛି । ଯେତେବେଳେ ଯେଉଁଠି ସବୁ ଭରପୂର ସେଠି ଅଭାବ ପଡ଼ିଲେ ତାହା ଆଖିରେ ପଡ଼େ–ଲୋକେ ପାଟି କରି ଉଠନ୍ତି । ମାତ୍ର ଯେଉଁଠି ସବୁବେଳେ ଅଭାବ ସେଠି ଟିକିଏ ବେଶି ଅଭାବ ଜଣାପଡ଼ିଲେ ହୁଏତ ରବୀନ୍ଦ୍ରନାଥଙ୍କ ଭାଷାରେ ଆଶ୍ଚର୍ଯ୍ୟ ହୋଇ କେହି କେହି କହିବେ, ‘ଅର୍ଦ୍ଧାଶନେ କଟିଗଲା ଚିରକାଳ ଯା’ର, ଅଦ୍ୟାବଧି ଅନଶନ ନ ହେଲା ଅଭ୍ୟାସ’ । ଏହି ଓଡ଼ିଶାରେ ଯେକୌଣସି ବର୍ଷ ଯେକୌଣସି ସମୟରେ ଏପରି ଅନେକ ଅଞ୍ଚଳ ମିଳିବ, ଯେଉଁଠି ଲୋକେ ଉପାସ ରହୁଛନ୍ତି । ପ୍ରବଳ ଶାସନ ତଳେ ଚପିଯାଇ ପ୍ରତିକାରଶୂନ୍ୟ ହୋଇ ଉପାସ ରହିବା ଲୋକଙ୍କ ଦେହଘଷା ହୋଇଗଲାଣି । ଭଗବାନଙ୍କ ରାଜତ୍ୱରେ ମଣିଷର ଏ ଦଶା’’–ଏହା କହୁଁ କହୁଁ ଦିବ୍ୟସିଂହବାବୁଙ୍କ ଆଖି ଛଳଛଳ ହୋଇଗଲା । କୁମୁଦିନୀ ତାଙ୍କ ଆଡ଼କୁ ନିଠେଇ କରି ଅନାଇଥାନ୍ତି । କଥା ଶୁଣୁ ଶୁଣୁ ତାଙ୍କ ଆଖି ଆଡ଼କୁ ନିଠେଇ କରି ଅନାଇଥାନ୍ତି । କଥା ଶୁଣୁ ଶୁଣୁ ତାଙ୍କ ଆଖି ମଧ୍ୟ ଛଳଛଳ ହୋଇ ଆସିଲା । ନିଜକୁ ସମ୍ଭାଳି ନେଇ ସେ ଧୀରେ ଧୀରେ କହିଲେ, ‘‘ଆପଣଙ୍କ ସାଙ୍ଗରେ ମୋତେ ଯିବାକୁ ଅନୁମତି ଦେବେ ?’’

 

ଦିବ୍ୟସିଂହବାବୁ–‘‘ସେଥିରେ ମୋର ଆପତ୍ତି କ’ଣ ? ବରଂ ମୁଁ ଖୁସି ହେବି । ତେବେ ମୁଁ କେବେ ଯିବି ତୁମ୍ଭଙ୍କୁ ଜଣାଇବି । କାରଣ ଏଠାରେ କିଛି ସାହାଯ୍ୟ ସଂଚୟ କରି ସାଙ୍ଗରେ ନେଇଯିବି ବୋଲି ବିଚାରୁଛି । ଆପଣ କେଉଁଠି ରହୁଛନ୍ତି ? ମୁଁ ସେଠିକି ଖବର ପଠାଇବି ।’’

 

କୁମୁଦିନୀ ଟିକିଏ ବ୍ୟସ୍ତ ହୋଇ ପଡ଼ି କହିଲେ, ‘‘ଦରକାର ନାହିଁ । ମୁଁ ନିତି ଏହି ସମୟରେ ଆପଣଙ୍କର ଏଠାକୁ ଆସିବି । ମୁଁ ନିଜେ ଜାଣିଯିବି ।’’

 

ଦିବ୍ୟସିଂହବାବୁ–‘‘ତେବେ ଆଜି ବିଦାୟ, ବଡ଼ ସୁଖୀ ହେଲି ଆପଣଙ୍କ ସହିତ ଆଳାପ କରି । ସେବାବ୍ରତ ଯେ ଆପଣ ଗ୍ରହଣ କରିଛନ୍ତି ଏହା ଗୌରବର ବିଷୟ ।’’

 

କୁମୁଦିନୀ ନମ୍ର ଭାବରେ ନମସ୍କାର କରି ଚାଲିଗଲେ ।

 

–୭–

 

ସକାଳୁ ଦିବ୍ୟସିଂହବାବୁ ବସାରୁ ବାହାରି ବଡ଼ଦାଣ୍ଡରେ ହୋଇଛନ୍ତି, ଏହି ସମୟରେ ଲାଲମୋହନ ଅନ୍ୟମନସ୍କ ଭାବରେ କୁଆଡ଼ୁ ଆସୁଥିଲେ, ଦୁହିଁଙ୍କର ଭେଟ ହେଲା । ଦିବ୍ୟସିଂହବାବୁ ଆନନ୍ଦ ପ୍ରକାଶ କରି କହିଲେ, ‘‘କି ହେଲାରେ ମୋହନ, ଏଣେ କୁଆଡ଼େ ? ପୁରୀ କେବେ ଆସିଛ-?’’ ଲାଲମୋହନ ମଧ୍ୟ ସେହିପରି ଆନନ୍ଦ ଭାବ ପ୍ରକାଶ କରି କହିଲେ, ‘‘ଆପଣଙ୍କ ଆସିବା ଖବର ମୁଁ ପାଇଥିଲି, କେତେଦିନ ରହିବେ ?’’

 

ଦିବ୍ୟସିଂହବାବୁ–‘‘ମୁଁ ଆସିଛି ଏକ ଅଡ଼ୁଆ କାମରେ । ସେ ହେଉଛି ବ୍ରହ୍ମଗିରି ପାଇଁ କିଛି ସାହାଯ୍ୟ ସଂଗ୍ରହ । ସେଇଥିରେ ବାହାରିଛି । ଆସ ଏକସାଙ୍ଗରେ ଯିବା । ତୁମେ ବାହାରିଲେ ବହୁତ କାମ ହେବ ।’’

 

ଲାଲମୋହନ–‘‘ମୁଁ ନିତ୍ୟକର୍ମ ଶେଷ କରି ନାହିଁ । ବଡ଼ିସକାଳୁ ଉଠି ବୁଲିବାକୁ ଚାଲି ଯାଇଥିଲି । ଆର ଓଳି ମୁଁ ଆପଣଙ୍କ ସଙ୍ଗରେ ଯିବି ।’’

 

ଦିବ୍ୟସିଂହବାବୁ–‘‘ହେଲା ତାହାହିଁ ହେଉ । କେଉଁଠି ମୁଁ ତୁମଙ୍କୁ ଭେଟିବି ?’’

 

ଲାଲମୋହନ–‘‘ମୁଁ ଏହି ହଜାରିମଲ୍ଲ ଧର୍ମଶାଳାରେ ଅଛି । ଉପର ତାଲା ନଅ ନମ୍ବର ବଖରାରେ । ଆପଣ ସେଠିକି ସିଧା ଚାଲି ଆସିବେ । ଏକ ସଙ୍ଗରେ ଯିବା ।’’

 

ଦିବ୍ୟସିଂହବାବୁ ପରିତୋଷ ପ୍ରକାଶ କରି ଚାଲିଗଲେ ।

 

ଲାଲମୋହନବାବୁ ଓ ଦିବ୍ୟସିଂହବାବୁ ଏକ ସଙ୍ଗରେ ସାଧାରଣ ଜୀବନ ଆରମ୍ଭ କରିଥିଲେ । ମାତ୍ର ଗତ ଦଶବର୍ଷରେ ପ୍ରତ୍ୟେକ ନିଜ ମନର ଗତି ଅନୁସାରେ ସାଧାରଣ କାର୍ଯ୍ୟରେ ଅଗ୍ରସର ହୋଇ ଦୁହେଁ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି । ପରସ୍ପର ସଙ୍ଗେ ସମ୍ବନ୍ଧ ମଧ୍ୟ ତଦନୁସାରେ ଆପେଆପେ ଅଲକ୍ଷିତ ଭାବରେ ନିରୂପିତ ହୋଇଯାଇଛି । ଦିବ୍ୟସିଂହବାବୁଙ୍କୁ ‘ଆପଣ’ ବୋଲି ଲାଲମୋହନବାବୁ ସମ୍ବୋଧନ କରନ୍ତି । ମାତ୍ର ତାଙ୍କୁ ଦିବ୍ୟସିଂହବାବୁ ‘ତୁମେ’ ବୋଲି କହନ୍ତି । ଏଥିରୁ ପରସ୍ପରର ଭିତରେ ବ୍ୟବଧାନ ଓ ସମ୍ବନ୍ଧ ସହଜରେ ଜଣାଯିବ । ଉଭୟଙ୍କ ଆଚରଣ ଦେଖିଲେ ଜଣେ ମନେ କରିବ, ଦିବ୍ୟସିଂହବାବୁ ଯେପରି ବୟସରେ ବହୁତ ବଡ଼; କାରଣ ସେ ଦାଢ଼ି ଛାଡ଼ି ଦେଇଛନ୍ତି । ଛୋଟ ଲୁଗା ପିନ୍ଧନ୍ତି । ଉପରେ ଖଣ୍ଡେ ଚାଦର ପକାନ୍ତି । ଜାମା ପିନ୍ଧନ୍ତି ନାହିଁ । ଜୋତା ମାଡ଼ିବା ସେ ଭୁଲିଗଲେଣି । ଅନ୍ୟଦିଗରେ ଲାଲମୋହନ ପ୍ରାୟ ପ୍ରତିଦିନ ଖିଅର ହୁଅନ୍ତି । ପରିଷ୍କାର ଲୁଗା, ଜାମା ପ୍ରତି ତାଙ୍କର ଦୃଷ୍ଟିଥାଏ । ଦିବ୍ୟସିଂହବାବୁଙ୍କ ସନ୍ନ୍ୟାସବେଶ ଅନ୍ୟମାନଙ୍କ ମନରେ ତାଙ୍କ ପ୍ରତି ଜ୍ୟେଷ୍ଠର ଭାବ ଜାଗ୍ରତ କରାଇବା ସଙ୍ଗେ ସଙ୍ଗେ ତାଙ୍କ ନିଜ ମନରେ ଅନ୍ୟମାନଙ୍କ ପ୍ରତି କନିଷ୍ଠର ଭାବ ମଧ୍ୟ ଜାତ କରାଉଥିଲା । ଏଣୁ ସେ ଲାଲମୋହନଙ୍କୁ କନିଷ୍ଠ ବୋଲି ମନେ କରନ୍ତି ଓ ଲାଲମୋହନ ମଧ୍ୟ ତାଙ୍କୁ ଜ୍ୟେଷ୍ଠ ବୋଲି ମନେ କରନ୍ତି ।

 

ଖାଇସାରି ଖଟିଆ ଉପରେ ପଡ଼ି ଛାତକୁ ଅନାଇ ଲାଲମୋହନ କ’ଣ ଭାବୁଛନ୍ତି ଏହି ସମୟରେ ଦିବ୍ୟସିଂହବାବୁ ଆସି ପହଞ୍ଚିଲେ । ତରତର ହୋଇ ଉଠିପଡ଼ି ଲାଲମୋହନ ବ୍ୟସ୍ତ ହୋଇ ପଚାରିଲେ, ‘‘ଏହି କ’ଣ ବାହାରିବା ?’’ ଦିବ୍ୟସିଂହବାବୁ ସେ ଖଟିଆ ଉପରେ ବସିପଡ଼ି କହିଲେ, ‘‘ନା ବର୍ତ୍ତମାନ ଖିଆପିଆବେଳ । ଆଉ ଟିକିଏ ଛାଡ଼ି ବାହାରିବା । ଖାଇସାରି ମୁଁ ଚାଲି ଆସିଲି ତୁମ ସହିତ କଥାବାର୍ତ୍ତା ହେବାପାଇଁ । ଅନେକ ଦିନୁ ଦେଖା ହୋଇ ନାହିଁ ।’’ ଲାଲମୋହନ ଖଟିଆର ଆଉ ଗୋଟିଏ ପାଖରେ ବସି କି କଥାବାର୍ତ୍ତା ଆରମ୍ଭ କରିବେ ଜାଣିପାରିଲେ ନାହିଁ ।

 

ଦିବ୍ୟସିଂହବାବୁ ନୀଳଗିରି ବିଷୟରେ ପଚାରିଲେ । ଲାଲମୋହନ ସେ ବିଷୟକୁ ସଂକ୍ଷେପରେ କହି ଶେଷ କରିଦେଲେ । ତାଙ୍କର ଯେପରି କଥାବାର୍ତ୍ତାରେ ଉତ୍ସାହ ନାହିଁ । ତା’ପରେ ଯେତେବେଳେ ଦିବ୍ୟସିଂହବାବୁ କୁମୁଦିନୀ ବିଷୟରେ ଆରମ୍ଭ କଲେ, ସେତେବେଳେ ଲାଲମୋହନଙ୍କର କଥାବାର୍ତ୍ତା ପ୍ରତି ସ୍ପୃହା ଜାଗ୍ରତ ହେଲା । ବିସ୍ମୟରେ ଦିବ୍ୟସିଂହବାବୁ କହିଲେ, ‘‘ମୁଁ ସେ ରହସ୍ୟ କିଛି ବୁଝିପାଇଲି ନାହିଁ । ଖାଣ୍ଟି ଓଡ଼ିଆଣୀ କାହିଁକି ବା ହିନ୍ଦୁସ୍ଥାନୀ ବୋଲାଉଛି । ନିଜର ପରିଚୟ ମଧ୍ୟ କାହିଁକି ଗୋପନ କରୁଛି । ଅଥଚ କଥାବାର୍ତ୍ତାରେ ଏପରି ଏକ ଆନ୍ତରିକତା ରହିଛି, ଯାହାଦ୍ୱାରା ତା’ ପ୍ରତି ଖୁବ୍ ଭଲ ଧାରଣା ହେଉଛି । ତୁମେ ଜାଣ ତାକୁ ? –ସେ ଏଇଠି କେଉଁଠି ଅଛି-। କାଲି ମୋ ସହିତ ଦେଖା ହୋଇଥିଲା । ମୋ ସହିତ ବ୍ରହ୍ମଗିରି ଯିବ ବୋଲି କହିଛି ।’’

 

ଲାଲମୋହନବାବୁ ଟିକିଏ ହସି ଧୀରେ ଧୀରେ କହିଲେ, ମୁଁ ତାଙ୍କୁ ଭଲ କରି ଜାଣେ । ତାଙ୍କ ସହିତ ମୋର କଲିକତାରେ ପ୍ରଥମେ ଭେଟ ହୁଏ । ସେ ଆର୍ଯ୍ୟସମାଜ ଅଧୀନରେ କାମ କରନ୍ତି । କିପରି ସେ ସେଠି ଯୁଟିଲେ ମୁଁ ତାହା କହି ପାରିବି ନାହିଁ; ମାତ୍ର ସେଠି ତାଙ୍କର ଖୁବ୍ ପ୍ରତିପତ୍ତି । ଏହାଛଡ଼ା ଅନେକ ଦିନୁ ମୁଁ ତାଙ୍କ ସମ୍ପର୍କରେ ଆସିଲିଣି । ଟିକିଏ ହେଲେ ମନ୍ଦ କିଛି ତାଙ୍କର ଦେଖି ନାହିଁ । ଭଲ କଥା, ସେ ଯାଆନ୍ତୁ ବ୍ରହ୍ମଗିରି । ମୁଁ ଚାହେଁ ତାଙ୍କୁ ଓଡ଼ିଶା କାମ ସମ୍ବନ୍ଧରେ ଅନୁରାଗିଣୀ ହେବାପାଇଁ । ‘‘ଆଚ୍ଛା, ମୋ କଥା କିଛି କହୁଥିଲେ ?’ ଦିବ୍ୟସିଂହବାବୁ ମୁଣ୍ଡ ହଲାଇ ନା କହିବାମାତ୍ରକେ ଲାଲମୋହନଙ୍କ ମନରେ ହଠାତ୍ ଯେପରି ବିଷାଦର ଛାଇ ପଡ଼ିଗଲା । ମାତ୍ର ତାହା ଅତି ଶୀଘ୍ର ଚାଲିଗଲା । ସେ ପୁଣି ପ୍ରସନ୍ନ ଭାବରେ କହିଲେ, ‘‘ତାଙ୍କ ସହିତ ମୋର ଖୁବ୍ ବନ୍ଧୁତ୍ୱ ଅଛି । ତେଣୁ ମୁଁ ତାଙ୍କର ହୋଇ ଆପଣଙ୍କୁ ଅନୁରୋଧ କରୁଛି, ଆପଣ ଓଡ଼ିଶା କାମରେ ତାଙ୍କୁ ପ୍ରବର୍ତ୍ତାନ୍ତୁ । ଏତେ ମେଧାବିନୀ, ଏତେ ବୁଦ୍ଧିମତୀ ମୁଁ ଆଉ କାହାକୁ ଦେଖି ନାହିଁ । ଓଡ଼ିଶାରେ ସେ କାମ କଲେ ଆମ୍ଭର ଏକ ବଡ଼ ଅଭାବ ଦୂର ହେବ ।’’

 

ଦିବ୍ୟସିଂହବାବୁ ସବୁ ଶୁଣି କେବଳ ଏତିକି କହିଲେ, ‘‘ଯେ ଯାହାର ରୁଚି ଅନୁସାରେ କାମ କରିବେ । ଓଡ଼ିଶା ଅବସ୍ଥା ଯଦି ତାଙ୍କ ମନକୁ ଲାଗିବ ସେ ଏଠି କାମ କରିବେ ।’’ ଲାଲମୋହନବାବୁ ପୁଣି ଜିଦ୍ କରି କହିଲେ, ‘‘ନା ଆପଣ ମୋ ନାଁ ଧରି ତାଙ୍କୁ କହିବେ ଯେ, ସେ ଓଡ଼ିଶାରେହିଁ ନିଜକୁ କର୍ମମଗ୍ନ କରିଦିଅନ୍ତୁ ।’’

 

ଟିକିଏ ହସି ଦିବ୍ୟସିଂହବାବୁ କହିଲେ, ‘‘ଆଚ୍ଛା ମୁଁ ଚେଷ୍ଟା କରିବି ।’’

 

ବନ୍ଧ ଭାଙ୍ଗିଗଲେ ଯେପରି ପାଣିର ସୁଅକୁ ସହଜରେ ଅଟକାଇ ହୁଏ ନାହିଁ, ସେପରି ଲାଲମୋହନଙ୍କ ଚିନ୍ତାର ବେଗ । ସେ ପୁଣି କହିଲେ, ‘‘ମୁଁ ଏକ କଳ୍ପନା କରୁଛି । କୌଣସିଠାରେ ଏକ ଆଶ୍ରମ କରି ସେଇଠି ନିଜକୁ ସମାଧି ଦେଇଦେବି । ସମସ୍ତ ଉତ୍ତେଜନାରୁ ଅପସରି ଯାଇ ନୀରବ ଭାବରେ କିଛି ହେଲେ ସେବା କାର୍ଯ୍ୟ କରିବି, ଯେପରି ଆପଣ କରୁଛନ୍ତି । ସେ କାମରେ କୁମୁଦିନୀ ଯୋଗ ଦେବା ମୁଁ ଇଚ୍ଛା କରେ । ମୁଁ ତାଙ୍କୁ ପ୍ରବର୍ତ୍ତାଉଛି, ଆପଣ ମଧ୍ୟ କହନ୍ତୁ–ନିଶ୍ଚୟ କହିବେ ।’’ ଦିବ୍ୟସିଂହବାବୁ ପୁଣିଥରେ ହଁ ଭରିଲେ ।

 

ତା’ପରେ ବ୍ରହ୍ମଗିରି ବିଷୟ ପଡ଼ିଲା । ସାହାଯ୍ୟ ସଂଗ୍ରହ ବିଷୟ ଆଲୋଚନା କରି ଲାଲମୋହନ କହିଲେ, ‘‘କେତେଦିନ ଏପରି ମାଗିଯାଚି ଅନଶନକୁ ଠେଲି ରଖିବେ । ରଖି ବା ପାରୁଛନ୍ତି କାହିଁ ? ଏସବୁ ବିଷୟ ଚିନ୍ତା କଲେ ବେଳେବେଳେ ମୋର ମନେ ହୁଏ କୌଣସି ପ୍ରକାରେ ମୋ ହାତକୁ କ୍ଷମତା ଆସିଯାଆନ୍ତା କି ? ମୁଁ ମଠ ବାଡ଼ି ସବୁ ଏକାଥରକେ ଲୋପ କରିଦିଅନ୍ତି; ଏପରିକି ଏ ଜଗନ୍ନାଥ ଦେଉଳକୁ ସୁଦ୍ଧା ବନ୍ଦ କରିଦିଅନ୍ତି ।’’

ଦିବ୍ୟସିଂହବାବୁ ହସି ହସି କହିଲେ, ‘‘କି, ଦେଉଳ କ’ଣ କଲା କି ?’’

ଲାଲମୋହନ–‘‘ଏହି ଦେଉଳହିଁ ଆମ୍ଭ ଦରିଦ୍ରତାର ପ୍ରତୀକ ହୋଇ ଛିଡ଼ାହୋଇଛି । ଯେ ଧର୍ମ ଉଦ୍ୟମକୁ ନିନ୍ଦା କରି ଭିକ୍ଷାକୁ ସୁଖ୍ୟାତି କହେ, ଯେ ଧର୍ମ ଅଜଣା ପରଲୋକର ଦ୍ୱାହି ଦେଇ ଅଙ୍ଗେ ନିଭାଇଥିବା ଇହଲୋକ ପ୍ରତି ଲୋକଙ୍କୁ ଉଦାସୀନ କରିଦିଏ, ସେହି ଧର୍ମର ପତାକା ହଲାଇ ଏହି ପ୍ରକାଣ୍ଡ ମନ୍ଦିରର ଏ ଦେଶକୁ ନିର୍ଜୀବ କରିଦେଇଛି । ୟାକୁ ସବୁ ବନ୍ଦ କରି ଲୋକର ଦୃଷ୍ଟ ପରଲୋକ ଆଡ଼ୁ ଫେରାଇ ଏହି ଲୋକ ପ୍ରତି ମୁଁ ଆକର୍ଷଣ କରନ୍ତି । ବାସ୍ତବିକ ଦିବ୍ୟସିଂହବାବୁ ପରଲୋକ କଥା ଲୋପ କରିଦିଅନ୍ତୁ ଦେଖିବେ ଏ ମଠ ଦେଉଳ କୁଆଡ଼େ ଲୋପ ପାଇଯିବ । ଏହା କ’ଣ ସତ ନୁହେଁ ?’’

ଦିବ୍ୟସିଂହବାବୁ ହସି ହସି କହିଲେ, ‘‘ଏ ସବୁ ବଡ଼ବଡ଼ କଥା ମୁଁ ସେଥିରେ ମୁଣ୍ଡ ଖରଚ କରେ ନାହିଁ । ଯେବେ କ୍ଷମତା ଆସିବ ସେତେବେଳେ ଦେଖାଯିବ । ବର୍ତ୍ତମାନ ଚାଲ ଯିବା କିଛି ମାଗିଯାଚି ଆଣି ଯେତିକି ଆମର କାମ ସେତିକି କରିବା ।’’

ଏପରି କିଛି ସମୟ କଥାବାର୍ତ୍ତା ପରେ ଦୁହେଁ ଚାନ୍ଦା ଆଦାୟରେ ବାହାରିଲେ ।

ଆଜି ଲାଲମୋହନ କୁମୁଦିନୀଙ୍କ ସଙ୍ଗେ ଦେଖା କରିବେ ନାହିଁ ବୋଲି ମନେମନେ ସ୍ଥିର କରିଥିଲେ । ଗତକାଲିର କଥାବାର୍ତ୍ତାରେ ସେ କିପରି ଟିକିଏ ଅନୁଭବ କରିଥିଲେ ଯେ, ତାଙ୍କର ମନ କୁମୁଦିନୀଙ୍କ ପ୍ରତି ଯେପରି ଦୌଡ଼ୁଛି, କୁମୁଦିନୀ ମନ ତାଙ୍କ ପ୍ରତି ସେପରି ଦୌଡ଼ୁନାହିଁ । ଦିବ୍ୟସିଂହବାବୁଙ୍କ ସହିତ ସହରର କେତେକ ଭଦ୍ରବ୍ୟକ୍ତିଙ୍କ ସଙ୍ଗେ ଦେଖାସାକ୍ଷାତ୍ କରି କେଉଁଠୁଁ ସିଧା ନାସ୍ତିବାଣୀ, କେଉଁଠୁଁ ଅବା ନିରାଶଜନକ ଭାବରେ କିଛି ସାହାଯ୍ୟ ପାଇ ତାଙ୍କ ମନ ଖରାପ ହୋଇ ଯାଇଥିଲା । ସଞ୍ଜ ଆଗରୁ ଆହାର ଶେଷ କରିବାପାଇଁ ଦିବ୍ୟସିଂହବାବୁ ଫେରିଲେ ।

ଲାଲମୋହନ ମଧ୍ୟ ଫେରି ଆସି ଧର୍ମଶାଳାରେ ନିଜ ଖଟିଆ ଉପରେ ପଡ଼ି ରହି ନାନାପ୍ରକାର ଚିନ୍ତାର ଘୋଡ଼ାଦଉଡ଼ ପାଇଁ ନିଜ ମନକୁ ଛାଡ଼ି ଦେଲେ । ଦୁର୍ଭିକ୍ଷ ପଡ଼ିଛି, ଅଥଚ ଯେଉଁମାନେ ସୁଖରେ ଚଳୁଛନ୍ତି ସେମାନଙ୍କୁ କୁହାବୋଲା କଲେ ମଧ୍ୟ ଅନ୍ତରର ସହିତ ସାହାଯ୍ୟ ଦେବାକୁ କୁଣ୍ଠିତ ହେଉଛନ୍ତି । ଯେଉଁମାନେ ଅନାହାର ଭୋଗୁଛନ୍ତି ସେମାନେ ବା ଉତ୍ତେଜିତ ହୋଇ କାହିଁକି ଅନ୍ୟମାନଙ୍କ ଅସ୍ଥିର କରିଦେଉ ନାହାନ୍ତି ? କିଲେଇବିଲେଇ ହୋଇ ଏମାନଙ୍କୁ ସାହାଯ୍ୟ ମାଗିବାଦ୍ୱାରା ଏମାନେ ମନେ କରୁଛନ୍ତି ଯେ, ଟଙ୍କାଏ ଆଠଣା ଦେଇ ଆମକୁ କୃତାର୍ଥ କରୁଛନ୍ତି । ଏପ୍ରକାର ସାହାଯ୍ୟ ମାଗିବାରେ ଅପମାନ, ଆତ୍ମସମ୍ମାନ ପ୍ରତି ବାଧାଜାତ ହେଉଛି ସିନା ! ଦିବ୍ୟସିଂହବାବୁ ବା କ’ଣ ବୁଝୁଛନ୍ତି, ଲାଗିଛନ୍ତି ସେହି କାମରେ । ଗାଁର ଲୋକଙ୍କ ସହିତ ସେ ଯେତେ ସମ୍ପର୍କରେ ଆସୁଛନ୍ତି, ସେ ତ ସମଗ୍ର ଜନତାକୁ ମତାଇ ଦେଇପାରନ୍ତେ । ଅଥଚ ଜନତା ଆପେଆପେ ଯେତେବେଳେ ମାତେ, ସେତେବେଳେ ଦିବ୍ୟସିଂହଙ୍କ ଦେଖା ମିଳେ ନାହିଁ । କ’ଣ ନା ତାଙ୍କୁ ଉତ୍ତେଜନାମୂଳକ କାମ ସୁଖ ଲାଗେ ନାହିଁ । ସେବା କାର୍ଯ୍ୟରେ ତାଙ୍କୁ ସନ୍ତୋଷ ମିଳେ । ଅଦ୍ଭୁତ ଏ ମନୋଭାବ ।

ଏ ଚିନ୍ତା ପଛେ ପଛେ ଉଙ୍କି ଉଙ୍କି କୁମୁଦିନୀ ଚିନ୍ତା ଉପସ୍ଥିତ । କ’ଣ ବିଚାରି ସେ ଦିବ୍ୟସିଂହବାବୁଙ୍କଠାକୁ ଯାଇଥିଲା–କ’ଣ ବା ବିଚାରି ସେ ତାଙ୍କ ସହିତ ବ୍ରହ୍ମଗିରି ଯିବ ବୋଲି ବସିଛି-। ଓଡ଼ିଶାରେ ରହି କିଛି ହେଲେ କାମ କରିବ ବୋଲି କ’ଣ ମନେମନେ ସ୍ଥିର କରିନେଲାଣି-? କାହିଁ ମୋତେ ତ ତା’ର ସୂଚନା ଦେଲା ନାହିଁ । ମୁଁ ଯେ ଏତେଦିନ ସେଆଡ଼େ ରହିଗଲି–ଚିଠି ପାଇ ସୁଦ୍ଧା ଚିଠି ଖଣ୍ଡେ ଦେଲି ନାହିଁ–ସେ ବୋଧହୁଏ ରାଗି ଯାଇଛି । କିନ୍ତୁ ଏଇଥର ମୁଁ ଏଇଠି ପଡ଼ି ପଡ଼ି ତା’ର ରାଗକୁ ଶାନ୍ତ କରିବି–‘‘ଆଉ ସେ ଯଦି କୌଣସି କାରଣରୁ ବିବାହ କରିବାକୁ ରାଜି ନହୁଏ–ତେବେ-?’’ ବିବାହ ଓ ତା’ ପୁଣି କୁମୁଦିନୀ ସହିତ ନହେଲେ ତାଙ୍କ ଜୀବନ ସରିଗଲା ବୋଲି ସେ ବିଚାରୁଛନ୍ତି । ଜୀବନ ତମାମ୍ ଯଦି ଉତ୍ତେଜନା ଭିତରେ ଗତି କରିବାର ସୁବିଧା ମିଳନ୍ତା, ତେବେ ସେ ବୋଧହୁଏ ବିବାହ ବିଷୟ ଚିନ୍ତା କରନ୍ତେ ନାହିଁ । ଯେତେବେଳେ ସାଧାରଣ କାର୍ଯ୍ୟକ୍ଷେତ୍ରରେ ଉତ୍ତେଜନାର ଅଭାବ ସେ ଅନୁଭବ କରନ୍ତି, ସେତେବେଳେ ତାଙ୍କ ମନ ଦୌଡ଼େ ଘରୋଇ ଜୀବନର କିଛି ଉତ୍ତେଜନା ପାଇଁ । ବସା ନଥିବା ଉଡ଼ନ୍ତା ଚଢ଼େଇ ପରି ସେ ନିଜକୁ ମନେ କରୁଛନ୍ତି-। ଏହିପରି ଚିନ୍ତାର ଦୌଡ଼ରେ ତାଙ୍କ ମନରୁ ଧୂଳି ଉଡ଼ିଯାଉଛି । ଏହିପରି ସମୟରେ ସୁଦର୍ଶନ ଆସି ଆଗରେ ଛିଡ଼ା ହୋଇଗଲା । ତରତର ହୋଇ ଉଠିପଡ଼ି ‘କ୍ୟା’ ବୋଲି କହି ଦେଇ ତା’ ଆଡ଼କୁ ସତୃଷ୍ଣନୟନରେ ଅନାଇଲେ । ସୁଦର୍ଶନ ଏକ ସଲାମ ବଜାଇ ଦେଇ କହିଲା, ‘ଆପ୍‌କୋ ବୋଲାତିଁ ହୈ ।’ ପ୍ରଥମେ ନାହିଁ କରି ଦେବାକୁ ଲାଲମୋହନଙ୍କ ମନ ହେଉଥିଲା; ତା’ପରେ ସେ ଯିବାପାଇଁ ସ୍ଥିର କଲେ । ଚଟି ଜୋତା ହଳକୁ ଗୋଡ଼ରେ ଗଳାଇ ଦେଇ ଦେହରେ ଥିବା ଜାମା ଉପରେ ଖଣ୍ଡେ ଚାଦର ପକାଇ ବାହାରିଲେ ।

କୁମୁଦିନୀଙ୍କ ବସାପାଖରେ ଛିଡ଼ା ହୋଇ ଦେଖିଲେ ଯେ, ସେ ବୁଲିଯିବା ପାଇଁ ପ୍ରସ୍ତୁତ ନୁହନ୍ତି । ବରଂ ଚୌକି ଉପରେ ବସି କ’ଣ ପଢ଼ୁଛନ୍ତି । ଲାଲମୋହନ ଧୀରେ ଧୀରେ ପିଣ୍ଡା ଉପରକୁ ଉଠିଲେ । କୁମୁଦିନୀ ବହି ଖଣ୍ଡ ରଖିଦେଇ ଛିଡ଼ା ହୋଇ ପଡ଼ି ଏକ ଚୌକି ଦେଖାଇ ଦେଲେ ଲାଲମୋହନଙ୍କ ବସିବାପାଇଁ । ଲାଲମୋହନ ହଠାତ୍ ନ ବସି ହସି ହସି ପଚାରିଲେ, ‘ଆଜି ବୁଲିବାକୁ ଯିବ ନାହିଁ ?’

କୁମୁଦିନୀ ସେହିପରି ଛିଡ଼ା ହୋଇ କହିଲେ, ‘‘ନା ଆଜି ଆଉ ବେଳ ନାହିଁ । ମୋତେ ଦିବ୍ୟସିଂହବାବୁଙ୍କଠାକୁ ଯିବାକୁ ହେବ । ଇତିମଧ୍ୟରେ ଲାଲମୋହନ ଚୌକି ଉପରେ ବସିଲେଣି । କୁମୁଦିନୀ ମଧ୍ୟ ବସିଛନ୍ତି । ‘‘ଶୁଣିଲି କୁଆଡ଼େ ବ୍ରହ୍ମଗିରି ଯାଉଛ’’ ଲାଲମୋହନ ପଚାରିଲେ ?

କୁମୁଦିନୀ–‘‘ହଁ ଯିବି ବୋଲି ଭାବୁଛି । ନିଜ ଆଖିରେ ଦେଖିବି ଗାଁର ଅବସ୍ଥା । ଆଜିକି ପ୍ରାୟ ୭।୮ ବର୍ଷ ହେବ ଓଡ଼ିଶାର ମଫସଲ ଗାଁ ଦେଖିନାହିଁ ।’’

ଲାଲମୋହନ ରାସ୍ତା ଆଡ଼କୁ ଅନାଇ କହିଲେ, ‘‘କ’ଣ ଦେଖିବ ଗାଁର ଅବସ୍ଥା । ଦୁଃଖ ଦାରିଦ୍ର୍ୟର ଜୀବନ୍ତ ଅଭିନୟ ଦେଖି ତୁମ ହୃଦୟ ସହି ପାରିବ ତ ?’’

କୁମୁଦିନୀ–‘‘ସେୟାତ ମୁଁ ଚାହେଁ । ଦୁଃଖର ସ୍ମୃତି ମୋଠିହିଁ କେତେଦିନ ଭିତରେ କଳଙ୍କି ଗଲାଣି–ତାକୁ ପୁଣି ଘଷିମାଜି ସଫା କରିଦେବା ପାଇଁ ଚାହେଁ ।’’

ଲାଲମୋହନ ଚାହିଁଦେଇ ଜାଣିଲେ ଯେ, କୁମୁଦିନୀଙ୍କ ମୁହଁ ବଡ଼ ଗମ୍ଭୀର । ସେ କଥାକୁ ବୁଲାଇ ଦେଇ ହସି ପଚାରିଲେ, ‘‘ଆଜି କାହିଁକି ମୋତେ ଡାକରା ହେଲା ?’’

କୁମୁଦିନୀ–‘‘ସେହିକଥା ତୁମକୁ କହିବାପାଇଁ–କାଲି ଦିବ୍ୟସିଂହବାବୁଙ୍କ ସହିତ କଥାବାର୍ତ୍ତା କରୁଁ କରୁଁ ବ୍ରହ୍ମଗିରି ଯିବାକଥା ମନକୁ ଉଠିଲା–ତୁମକୁ ସେ କଥା କହି ନଥିଲି । ତେଣୁ ତୁମର ଅନୁମତି ନେବାପାଇଁ ।’’ ଏତିକି କହି ହସି ଦେଲେ ।

ଲାଲମୋହନଙ୍କ ମୁହଁ ପ୍ରସନ୍ନ ହୋଇଗଲା । ସେ ଗଦ୍‌ଗଦ୍ ହୋଇ କହିଲେ, ‘‘ମୋର ଅନୁମତି ? ସେ ପୁଣି ତୁମଙ୍କୁ ଲୋଡ଼ା ।’’

 

କୁମୁଦିନୀ–‘‘ନିଶ୍ଚୟ ! ତୁମେ ସିନା ବଡ଼ କର୍ମୀ, କାମ ଉପରେ ତୁମର ସାଙ୍ଗମାନଙ୍କୁ ଭୁଲିଯାଅ, କିନ୍ତୁ ମୁଁ ତ ଜଣେ ସାମାନ୍ୟ ସ୍ତ୍ରୀଲୋକ । ଯେତେ କାମ ଥାଉପଛକେ ସାଙ୍ଗକୁ ମୁଁ ଭୁଲେ ନାହିଁ ।’’

 

ଏତିକି ଶୁଣିବାପରେ ଲାଲମୋହନଙ୍କ ଢଙ୍ଗରୁ ଜଣାଗଲା ଯେପରି ସେ ଚୌକିରୁ ଉଠି ଆସି କୁମୁଦିନୀଙ୍କୁ କୁଣ୍ଢାଇ ପକାନ୍ତେ । ମାତ୍ର ରାସ୍ତାପାଖ ପିଣ୍ଡାରେ ବସିଥିବାରୁ ସେ ନିଜକୁ ସମ୍ଭାଳି ନେଲେ । ନିଜ ଆସନରେ ବସି ଆନନ୍ଦରେ ଅଧୀର ହୋଇପଡ଼ି କହିଲେ, ‘‘ବେଳେବେଳେ ମୋର ମନେ ହୁଏ, ମୋର ମୁଣ୍ଡକୁ ଚିରି ମସ୍ତିଷ୍କକୁ କାଢ଼ି ତାକୁ ଧୋଇଧାଇ ସଫା କରିଦିଅନ୍ତି ।’’

 

କୁମୁଦିନୀ–‘‘କାହିଁକି ?’’

 

ଲାଲମୋହନ–‘‘ଏତେ ସ୍ନେହ ମୋ ମନ ବୁଝିପାରୁନାହିଁ ।’’

 

କୁମୁଦିନୀ–‘‘ତା’ର କାରଣ ସେପରି ସ୍ନେହ ସେ ମନ କରି ଜାଣେ ନାହିଁ ।’’

 

ଲାଲମୋହନ–‘‘ଥାଉ ସେ କଥା, ବର୍ତ୍ତମାନ ଆମ ସମ୍ବନ୍ଧରେ ପରିଷ୍କାର କରି କଥାବାର୍ତ୍ତା କରିବା ଦରକାର ନୁହେଁ କି ?’’

 

କୁମୁଦିନୀ–‘‘ନିତାନ୍ତ ଦରକାର ।’’

 

ଲାଲମୋହନଙ୍କ ଶିରାପ୍ରଶିରା ଯେପରି ଆନନ୍ଦରେ ଡେଇଁ ଉଠୁଛି । ସେ କୋମଳ ଭାବରେ କହିଲେ, ‘‘ବିଧି ଅନୁସାରେ ବିବାହ କଲାବେଳେ ନିଃସଙ୍କୋଚରେ ଆମେ ଜୀବନ ଦୁଇଟିକୁ ଗୋଟିଏ ଡଙ୍ଗାରେ ଦରିଆରେ ଛାଡ଼ି ଦିଅନ୍ତେ ।’’

 

କୁମୁଦିନୀ–‘‘ସେହି ସ୍ୱପ୍ନତ ମୁଁ ବରାବର ଦେଖି ପାରୁଛି । ମାତ୍ର କହିବି ମୋ ମନକଥା-?’’

 

ଲାଲମୋହନ ବ୍ୟଗ୍ର ହୋଇ କହିଲେ, ‘‘କହୁ ନ କହୁ’’ କୁମୁଦିନୀ ତଳକୁ ଅନାଇ କହିଲେ, ‘ମୋର ଯଦି ଅତୀତ ଇତିହାସ ତୁମେ ଜାଣିବ ତେବେ ମୋ ସହିତ କଥାବାର୍ତ୍ତା କରିବାପାଇଁ ସୁଦ୍ଧା ତୁମେ ଇଚ୍ଛୁକ ହେବ ନାହିଁ ।’

 

ଲାଲମୋହନ–‘‘ଛାଡ଼ ସେ ଅତୀତ । ବର୍ତ୍ତମାନ ଓ ଭବିଷ୍ୟତ ମୋତେ ସୁନ୍ଦର ଦେଖାଯାଉଛି । ମୁଁ ଅତୀତ ସମ୍ବନ୍ଧରେ କିଛି ପଚାରିବାକୁ ଚାହେଁ ନାହିଁ ।’’

 

କୁମୁଦିନୀ–‘‘କିନ୍ତୁ ଦିନେ ତ ତାହା ଜାଣିବ, ସେତେବେଳେ ହୁଏତ ବର୍ତ୍ତମାନର ସ୍ନେହପାଇଁ ଅନୁତାପ କରିବ । ସେତେବେଳେ ତୁମ୍ଭର ସରସ ଜୀବନ ଦୁର୍ବହ ହୋଇ ପଡ଼ିବ । ତୁମେ ଉତ୍ତେଜନା ପ୍ରିୟ ବୋଲି ମୁଁ ତୁମ୍ଭଙ୍କୁ ସାବଧାନ କରିଦେଉଛି । ଧୀର ଭାବରେ ସବୁ କଥା ଭାବ । ମୁଁ ଜଣାଇ ଦେଉଛି, ମୋର ଅତୀତ ଇତିହାସ ଶୁଣିଲେ ତୁମେ ମୋ ସଙ୍ଗେ ଯେ ସମାସ୍କନ୍ଧ ଭାବରେ କଥାବାର୍ତ୍ତା କରୁଛ ସେଥିପାଇଁ ହୁଏତ ଅନୁତପ୍ତ ହେବ ।’’

 

ଲାଲମୋହନ–‘‘କି ଆଶ୍ଚର୍ଯ୍ୟ, ଏତିକି କ’ଣ ମୁଁ ଜାଣିପାରୁ ନାହିଁ ? ଧରି ନିଆଯାଉ ତୁମ୍ଭ ଅତୀତର ଇତିହାସ ଅତି କୁତ୍ସିତ, ତୁମେ ନିତାନ୍ତ ନୀଚ ଲୋକ ଘରେ ଜନ୍ମ–ତଥାପି ମୁଁ ସେ କଥାକୁ ଖାତିରି କରୁନାହିଁ ।’’

 

କୁମୁଦିନୀ–‘‘କିନ୍ତୁ ତୁମେ ଯାହା ଅନୁମାନ କରୁଛ, ତା’ଠାରୁ ମୋ ଅତୀତ ଆହୁରି ବେଶି ଖରାପ ।’’

 

ଲାଲମୋହନ–‘‘ମୋର ଅନୁମାନ ଯେତେଦୂରକୁ ଯାଇପାରେ ତାହାର ବାହାରେ ସେ ଖରାପ ରହିଥାଉ; ସେଥିରେ ମୋର କିଛି ଯାଏଁ ଆସେ ନାହିଁ । କୁମୁଦିନୀ ! ତୁମ୍ଭେ ମୋ ହୃଦୟ ଜାଣିପାରୁନାହଁ । ଏ ଯେ ସମୁଦାୟ ତୁମ୍ଭଙ୍କୁ ଦିଆହୋଇସାରିଛି । ଯଦି କେବେ ମୋତେ ସେଥିପାଇଁ ଅନୁତାପ କରିବାକୁ ହୁଏ, ତେବେ ସେହି ଅନୁତାପରେହିଁ ମୋର ସାର୍ଥକତା ଅଛି । ସେଥିରେ ମୋର ଅପାର ସନ୍ତୋଷ ।

 

କୁମୁଦିନୀ–‘‘ମୁଁ ଚାହେଁ ନାହିଁ ମୋର ଭରଣପୋଷଣ ଭାର । ନିଜକୁ ନିଜେ ପୋଷିବାର ମୋର ଶକ୍ତି ଅଛି, ତା’ ଛଡ଼ା ଯେଉଁ ଆର୍ଯ୍ୟସମାଜରେ ମୁଁ କାମ କରୁଛି ସେଠି ମୋର ପୋଷଣପାଇଁ ଚିନ୍ତିତ ହେବାକୁ ପଡ଼ିବ ନାହିଁ । ଚିରଜୀବନ ମୁଁ ପତିତା ରମଣୀଙ୍କ ଉଦ୍ଧାରରେ ନିଜକୁ ଲଗାଇବି ବୋଲି ଭାବିଛି; ମାତ୍ର କର୍ମମୟ ଜୀବନର ଗୋଟିଏ ଅତୃପ୍ତ ବାସନା ମୋତେ ସବୁବେଳେ ଅସ୍ଥିର କରି ଦେଉଛି । ସେ ହେଉଛି ମାତାର ଜୀବନ । ମୋର ମନ ହେଉଛି ସବୁ ଆନନ୍ଦ ଯେପରି ସେଇଠି ରହିଛି । ତୁମ୍ଭ ସହିତ ସମ୍ପର୍କରେ ଆସି ସେ ବାସନା ଦିନକୁଦିନ ଯେପରି ବଢ଼ୁଛି । କିନ୍ତୁ ମୁଁ ଚାହେଁ ନାହିଁ ମୋର ଆନନ୍ଦପାଇଁ ମୁଁ ଆଉ ଜଣକୁ ଟାଣି ଆଣି ଜୀବନବ୍ୟାପୀ ଅନୁତାପରେ ପକାଇଦେବି ।

 

ଲାଲମୋହନ–‘‘ସେ ଅନୁତାପରେ ପଡ଼ିବାପାଇଁ ଯଦି ଜଣେ ଉତ୍ସୁକ ହୁଏ ।’’

 

କୁମୁଦିନୀ–‘‘ତଥାପି ମୁଁ ତାକୁ ବାଧା ଦେବି; କାରଣ ସେଥିରେ ମୋ ମନରେ ଆଘାତ ଲାଗିବ ।’’

 

ଲାଲମୋହନ–‘‘କ’ଣ ହେଲେ ତୁମ୍ଭର ମନ ମାନିବ ମୁଁ ଜାଣିପାରୁ ନାହିଁ ।’’

 

କୁମୁଦିନୀ–‘‘ତୁମ ଆଗରେ ମୋର ଅତୀତ ଖୋଲି ଦେଇ ଧୋଇଦେବା ପାଇଁ ଅନେକ ଥର ମନକୁ ତିଆରି କରିଛି; ମାତ୍ର ପାରି ନାହିଁ । ସେ ଦୁର୍ବଳତାହିଁ ମୋତେ ଅନ୍ଧାର ରାତିରେ ଭୂତ ଭଳି ଡରାଇଛି ।’’

 

ଲାଲମୋହନ–‘‘ମୁଁ ତାହା ଶୁଣିବାପାଇଁ ଚାହେଁ ନାହିଁ । ତୁମେ କହିଲେ ସୁଦ୍ଧା ମୁଁ କାନ ବନ୍ଦ କରିଦେବି ।’’

 

କୁମୁଦିନୀ–‘‘ତେବେ ମୁଁ ନିଶ୍ଚିନ୍ତ ହେଉଛି ।’’

 

ଲାଲମୋହନ–‘‘ନିଶ୍ଚୟ ।’’

 

କୁମୁଦିନୀ–‘‘ଆଜି ଆମେ ତାହାହେଲେ ପରସ୍ପର ପ୍ରତିଜ୍ଞାବଦ୍ଧ ହେଲେ ?’’

 

ଲାଲମୋହନ–‘‘ନିଶ୍ଚୟ ! ଏତିକିରେ ମୋ ମନ କି ସନ୍ତୋଷ ଲାଭ କଲା, ତାହା ମୁଁ କଥାରେ କ’ଣ କହିବି ?’’

 

କୁମୁଦିନୀ–‘‘ତେବେ ଇତିମଧ୍ୟରେ ଆଇନ ଅନୁସାରେ ଯାହା କିଛି କରିବାର କଥା ତାହା କରିବାକୁ ହେବ ।’’

 

ଲାଲମୋହନ–‘‘ମୁଁ ସବୁ ଠିକ୍ କରି ରଖିଥିବି । ତୁମେ ବ୍ରହ୍ମଗିରିରୁ ଫେରିଆସ ।’’

 

କୁମୁଦିନୀ–‘‘ଏତିକିପାଇଁ ଭାବିଥିଲି ଯଦି ଭୁଲ ହୋଇଛି କ୍ଷମା କରିବ । ବର୍ତ୍ତମାନ ବେଳ ହେଲାଣି–ମୁଁ ଯାଉଛି ଦିବ୍ୟସିଂହବାବୁଙ୍କ ପାଖକୁ ।’’

 

ଲାଲମୋହନ ଟିକିଏ ବ୍ୟସ୍ତ ହୋଇ ପଡ଼ି କହିଲେ, ‘‘ଆଉ ଏକ କଥା, ଏ ସବୁ ତାଙ୍କୁ କିଛି କହିବ ନାହିଁ । ସେ ଏକପ୍ରକାର ଲୋକ, ବର୍ତ୍ତମାନ କିଛି ନ କହିବା ଭଲ ।’’

 

କୁମୁଦିନୀ ଟିକିଏ ହସିଲେ; ମାତ୍ର ତାଙ୍କ ମୁଖଭଙ୍ଗିରୁ ଜଣାପଡ଼ିଲା ଯେ, ସେ ଟିକିଏ ଚିନ୍ତିତ ହେଲେ ।

 

–୯–

 

ସାକ୍ଷୀଗୋପାଳ ଷ୍ଟେସନ୍‍ରେ ଓହ୍ଲାଇ ବ୍ରହ୍ମଗିରି ଅଞ୍ଚଳକୁ ପ୍ରାୟ ଆଠ କୋଶ ବାଟ ଯିବାକୁ ହେବ । କୁମୁଦିନୀ ବ୍ରହ୍ମଗିରି ଯିବାକଥା ଯେତେବେଳେ ଭାବିଲେ, ସେତେବେଳେ ଚାଲିବା କଥା ତାଙ୍କ ମନକୁ ଲାଗି ନଥିଲା । ଦେହଘଷା କଥାଭଳି ଯେତେବେଳେ ଚାଲିବାପାଇଁ ଦିବ୍ୟସିଂହବାବୁ କହିଲେ, ସେତେବେଳେ କୁମୁଦିନୀଙ୍କ ଟିକିଏ ଖଟକା ଲାଗିଲା । ମାତ୍ର ସେ ନିଜକୁ ଚପାଇ ନେଇ ଉତ୍ସାହ ସହକାରେ ଚାଲିବାକୁ ଲାଗିଲେ । ଦୁଇଖଣ୍ଡ ଲୁଗା ଓ ଖଣ୍ଡେ ଗାମୁଛାକୁ ଛୋଟ ଗଣ୍ଠିଲିଟିଏ କରି ଦିବ୍ୟସିଂହବାବୁ କାଖରେ ଯାକି ବାହାରିଲେ । କୁମୁଦିନୀ ସେତେବେଳେ ଜାଣିସାରିଥିଲେ ଯେ ସଙ୍ଗରେ ଯେଉଁ ପେଡ଼ି ଆଣିଛନ୍ତି ତା’ର କାମ ବ୍ରହ୍ମଗିରିରେ କିଛି ନାହିଁ । ତେଣୁ ସେଥିରୁ ଖଣ୍ଡେ ଦୁଇଖଣ୍ଡ ଲୁଗା ବାହାର କରି ନେଇ ପେଡ଼ିକୁ ସେହି ଷ୍ଟେସନ୍ ମାଷ୍ଟର ଜିମା ଦେଇ ସେ ସଜ ହୋଇ ବାହାରିଲେ । ପ୍ରଥମେ କୋଶେ ବାଟ କୁମୁଦିନୀ ଖୁବ୍ ଫୁର୍ତ୍ତିରେ ଚାଲିଗଲେ । ତା’ପରେ ତାଙ୍କୁ ଯେପରି କିଏ ପଛକୁ ଟାଣୁଛି ଏହିପରି ମନେ କଲେ । ଆହୁରି ସାତକୋଶ ବାଟ ଭାବି ଦେଖିଲାବେଳକୁ ତାଙ୍କୁ ଶୂନ୍ୟ ଦେଖାଯାଉଥାଏ । ନିଜ ଶ୍ରାନ୍ତିକୁ କଥାବାର୍ତ୍ତାରେ ଲୁଚାଇବେ ବୋଲି ସେ ଚେଷ୍ଟା କଲେ । ଦିବ୍ୟସିଂହବାବୁ ମୌନ ହୋଇ ଚାଲିଛନ୍ତି । ଚାଲିବାପାଇଁ ତାଙ୍କର ମନ-। କୁମୁଦିନୀ ପଛରୁ ଥାଇ କହିଲେ, ‘‘ଏହି କେତେକ ବର୍ଷ ମୁଁ ଚାଲିବା ଛାଡ଼ି ଦେଇଥିବାରୁ ଏତେ ବାଟ ଯିବାପାଇଁ ଗୋଡ଼ ଚଳୁନାହିଁ । ଦିବ୍ୟସିଂହବାବୁ ଅନାଇ ଟିକିଏ ହସି କହିଲେ, ‘‘କି, ଏତିକିରେ ଥକି ପଡ଼ିଲଣି କି ?’’ ଖୁବ୍ ଜୋରରେ କୁମୁଦିନୀ ‘ନା’ କହିଦେଲେ; ମାତ୍ର ଏ କଥାର ସୁବିଧା ନେଇ ଦିବ୍ୟସିଂହବାବୁଙ୍କ ମନରେ ଯେ କୌତୂହଳ ଜାଗ୍ରତ ହୋଇଥିଲା, ତାହାର ସମାଧାନ କରିବାକୁ ସେ ଚେଷ୍ଟା କଲେ । କିଛିକ୍ଷଣ ପରେ ସେ ପଚାରିଲେ, ‘‘କେତେ ବର୍ଷ ହେଲା ଚାଲିବା ଛାଡ଼ି ଦେଇଛ-?’’ କଥାବାର୍ତ୍ତାର ସୁବିଧା ପାଇ ଦିବ୍ୟସିଂହବାବୁ ଟିକିଏ ଧୀରେ ଧୀରେ ଚାଲିଲେ ଓ ଦୁହେଁ ସାଙ୍ଗ ହୋଇ ଗଲେ । କୁମୁଦିନୀ ଉତ୍ତର କଲେ, ‘‘ପ୍ରାୟ ସାତ ଆଠବର୍ଷ ହେବ ।’ ପୁଣି ଟିକିଏ ପରେ କହିଲେ, ‘ସେପରି କହିବାକୁ ଗଲେ ବେଶି ବାଟ ଚାଲିବାର ସୁଯୋଗ ସ୍ତ୍ରୀଲୋକ ଭାଗ୍ୟରେ ଘଟେ ନାହିଁ-।’ ଦିବ୍ୟସିଂହବାବୁ ହଠାତ୍ କହିଦେଲେ, ‘‘କାହିଁକି, ହାଟୁଆ ଜାତିର ସ୍ତ୍ରୀଲୋକ ଖୁବ୍ ଚାଲନ୍ତି-।’’ କୁମୁଦିନୀ ଅଳ୍ପ ହସି କହିଲେ, ‘‘ସେ ଜାତିରେ ଜନ୍ମ ହେବାର ମୋର ସୌଭାଗ୍ୟ ଘଟି ନାହିଁ ।’’

 

ଦିବ୍ୟସିଂହବାବୁ–‘‘ତେବେ କି ଜାତିରେ ଜନ୍ମତୁମ୍ଭର ।’’

 

କୁମୁଦିନୀ–‘‘ବର୍ତ୍ତମାନ ମୋର ଜାତି କିଛି ନାହିଁ ।’’

 

ଦିବ୍ୟସିଂହବାବୁ–‘‘ହଁ ତୁମର ପରା ଆର୍ଯ୍ୟସମାଜ ଅଛି । କେଉଁ ଜିଲ୍ଲାରେ ଜନ୍ମ ତୁମ୍ଭର ।’’

 

କୁମୁଦିନୀ–‘‘ବାଲେଶ୍ୱର ।’’

 

ଦିବ୍ୟସିଂହବାବୁ–‘‘ସେଠୁଁ ଯାଇଁ କେଉଁଠି ଶିକ୍ଷା ପାଇଲ ।’’

 

କୁମୁଦିନୀ ଟିକିଏ ଇତସ୍ତତଃ ହେଲେ । ଏଣେ ପଥଶ୍ରମ ତେଣେ କାଳେ ନିଜ ବୃତ୍ତାନ୍ତ ବାହାରି ପଡ଼ିବ ଏ ଚିନ୍ତା । ତଥାପି ସେ ନିଜକୁ ସଂଯତ କରି କହିଲେ, ‘‘ଘଟନା ଚକ୍ରରେ ମୁଁ ଯାଇ କଲିକତା ଆର୍ଯ୍ୟସମାଜରେ ପଢ଼ିଲି । ସେଇଠି ମୋର ଶିକ୍ଷାଦୀକ୍ଷା ସବୁ ।’’

 

ଦିବ୍ୟସିଂହବାବୁ–‘‘ବର୍ତ୍ତମାନ ଘରେ ଆଉ କିଏ ସବୁ ଅଛନ୍ତି ?’’

 

କୁମୁଦିନୀ ଗମ୍ଭୀର ହୋଇ କହିଲେ, ‘‘ମୋତେ ଜଣାନାହିଁ । ଘର ସହିତ ମୋର ସେଦିନୁ କୌଣସି ସମ୍ପର୍କ ନାହିଁ ।’’ ଏହି ସମୟରେ ତାଙ୍କ ଗୋଡ଼ରେ ଏକ କଣ୍ଟା ଫୁଟିଗଲା । ସେ ‘ଉହୁ’ କହି ଛିଡ଼ା ହୋଇଗଲେ । ଦିବ୍ୟସିଂହବାବୁ ମଧ୍ୟ ଛିଡ଼ା ହୋଇ କହିଲେ, ‘ବାଟକୁ ଅନାଇ ଚାଲୁନାହଁ !’

 

ସେ ଦେଖିଲେ ଯେ ଗୋଟିଏ ବଡ଼ ବାଉଁଶ କଣ୍ଟା ଗୋଡ଼ରେ ପଶିଛି । ତତ୍‌କ୍ଷଣାତ ଦିବ୍ୟସିଂହବାବୁ କୁମୁଦିନୀକୁ ବସି ଯିବାକୁ କହିଲେ । ସେ ବସିଲା ପରେ ଦିବ୍ୟସିଂହବାବୁ ନିଜେ କଣ୍ଟାକୁ ବାହାର କରିବାକୁ ବସିଲେ । କୁମୁଦିନୀଙ୍କୁ ବଡ଼ ସଙ୍କୋଚ ଲାଗିଲା । ସେ ନିଜେ ଚେଷ୍ଟା କଲେ ବାହାର କରି ଦେବାପାଇଁ; ମାତ୍ର ସେ ପାରୁ ନଥାନ୍ତି । ତା’ପରେ ଦିବ୍ୟସିଂହବାବୁ ଜବରଦସ୍ତି ତାଙ୍କର ଗୋଡ଼କୁ ଟାଣି କଣ୍ଟାଟି ବାହାର କରିଦେଲେ । ଆଉ ଚାଲିବାପାଇଁ କୁମୁଦିନୀଙ୍କ ବହପ କୁଳାଉ ନାହିଁ । ସେ ଟିକିଏ ବ୍ୟସ୍ତ ହୋଇ କହିଲେ, ‘‘ଏଠି ପାଣି ମିଳିବ ?’’ ଦିବ୍ୟସିଂହବାବୁ ଚାରିଆଡ଼କୁ ଚାହିଁ କହିଲେ, ‘‘ଏଠି ଗାଁ ତ ପାଖରେ ନାହିଁ, ଟିକିଏ ଆଗକୁ ଚାଲ ମିଳିବ ।’’ କୁମୁଦିନୀଙ୍କ ମନ ହେଉଥାଏ ଫେରିଯିବାପାଇଁ; ମାତ୍ର ସେଥିରେ ସେ ଏତେ ଆତ୍ମଗ୍ଳାନି ଅନୁଭବ କରୁଥିଲେ ଯେ, ସେ ଚିନ୍ତା ଉଠିବାମାତ୍ରକେ ତାକୁ ଦବାଇ ଦେଉଥାନ୍ତି । ଧୀରେ ଧୀରେ ସେ ଚାଲିଲେ । କିଛିଦୂର ଗଲାପରେ ଗୋଟିଏ ଛୋଟ ବଗିଚା ପଡ଼ିଲା । ସେଇଠି ଅପେକ୍ଷା କରିବାପାଇଁ କୁମୁଦିନୀଙ୍କୁ ଦିବ୍ୟସିଂହବାବୁ କହିଲେ । ତା’ପରେ ନିଜେ ପ୍ରାୟ ପାଏ ବାଟ ଦୂରରେ ଏକ ଗାଁକୁ ପାଣି ଆଣିବାପାଇଁ ବାହାରିଲେ । କୁମୁଦିନୀଙ୍କୁ ବଡ଼ ସଙ୍କୋଚ ଲାଗୁଥାଏ । ମାତ୍ର ଏତେ ପିପାସା ଯେ, ସେଥିରେ ନିଜକୁ ସଂଯତ କରି ପାରୁ ନଥାନ୍ତି । ଦିବ୍ୟସିଂହବାବୁ ଗାଁକୁ ଗଲାପରେ କୁମୁଦିନୀ ତୋଟାରେ ବସି ଦିବ୍ୟସିଂହବାବୁଙ୍କ କଥା ଭାବୁଥାନ୍ତି । କେତେ କଷ୍ଟସହି ଏ ଦୁଃଖୀ ଦରିଦ୍ରଙ୍କ ସେବା କରୁଛନ୍ତି । ନିଜର ଜୀବନକୁ ଦୁଃଖ ଓ କଷ୍ଟରେ ଏତେ ଅଭ୍ୟସ୍ତ କରି ନେଲେଣି ଯେ, ତାଙ୍କୁ ଆଉ କିଛି ଜଣାଯାଉନାହିଁ । ମୋ ପ୍ରତି ଯେତିକି ସହାନୁଭୂତି ଦେଖାଇଛନ୍ତି ସେ ତାଙ୍କ ସ୍ୱଭାବର ଅନ୍ତର୍ଗତ । କ’ଣ ଭାବି ଏତେ ଦୁଃଖ ଏ ସହ୍ୟ କରୁଛନ୍ତି । ରାଜନୈତିକ ଅଭିଳାଷ ପୂର୍ଣ୍ଣ କରିବାର ବାସନା ତ ନାହିଁ । ନିଜର ସୁଖସ୍ୱାଚ୍ଛନ୍ଦ୍ୟରେ ତ ଜଳାଞ୍ଜଳି ଦେଇଛନ୍ତି । କେବଳ ସିନା ସେବାର ଆନନ୍ଦ ଭୋଗ କରିବାପାଇଁ ଏ ଲାଗିଛନ୍ତି । ତା’ପରେ ଲାଲମୋହନଙ୍କ କଥା ତାଙ୍କ ମନରେ ଉଠିଲା । ସେ ମଧ୍ୟ ଏହିପରି କଷ୍ଟ ସହ୍ୟ କରୁଥିବେ । ଏମାନେ ସମସ୍ତେ ଏଥିରେ ସିଦ୍ଧହସ୍ତ-। ନିଜକୁ ସର୍ବନିମ୍ନସ୍ତରର ଲୋକ ସହିତ ମିଳାଇ ଦେବାରେ ଏମାନେ ସମସ୍ତେ ଏକକୁ ଆରକ ବଳନ୍ତି । ମାତ୍ର ଲାଲମୋହନଙ୍କ ଅଭିଳାଷ ଅଛି । କାର୍ଯ୍ୟରେ ସଫଳତା ଆଶାରେ ଉନ୍ମତ୍ତ ହୁଅନ୍ତି-। ନିଜେ ଯେତିକି ଦାନ କରନ୍ତି ତା’ ବଦଳରେ ସେ ସେତିକି ବା ତା’ଠାରୁ ବେଶି ନେବାକୁ ଇଚ୍ଛା କରନ୍ତି-। ମୋତେ ଯେ ସେ ଏତେ ସ୍ନେହ କରନ୍ତି ତା’ର ବାସ୍ତବ ହେତୁ କ’ଣ ? ସେ କ’ଣ ବାସ୍ତବିକ ଚାହାନ୍ତି ଜଣେ ସାଥୀ ତାଙ୍କର କର୍ମର ମରୁଭୂମି ମଧ୍ୟରେ–ନା କେବଳ ମନୁଷ୍ୟ ସ୍ୱଭାବ ଚରିତାର୍ଥ କରିବାପାଇଁ ? କିନ୍ତୁ ଦିବ୍ୟସିଂହବାବୁଙ୍କ ଦାନର ପ୍ରତିଦାନର କଳ୍ପନା ସୁଦ୍ଧା ନାହିଁ । ନିର୍ମଳ ସ୍ନେହହିଁ କୁମୁଦିନୀଙ୍କ ମନରେ ଏକପ୍ରକାର ପ୍ରତିସ୍ନେହ ଜାତ କରାଇଲା, ତାଙ୍କ ହୃଦୟ ଲାଲମୋହନଙ୍କଠୁଁ ଦିବ୍ୟସିଂହବାବୁଙ୍କୁ ଉଚ୍ଚତର ସ୍ଥାନ ଦେବାପାଇଁ ଏଣିକି ଇଚ୍ଛା କଲା ।

 

ଇତିମଧ୍ୟରେ ଦିବ୍ୟସିଂହବାବୁ ଗାଁର ଜଣେ ଲୋକ ସହିତ ଗୋଟିଏ ଲୋଟାରେ ପାଣି ଧରି ଉପସ୍ଥିତ ହେଲେ । ପାଣି ପିଇବା ପରେ କୁମୁଦିନୀଙ୍କ ଶ୍ରମ ବହୁ ପରିମାଣରେ ଦୂର ହୋଇଗଲା । ଦିବ୍ୟସିଂହବାବୁ ଅଳ୍ପ ହସି ପଚାରିଲେ, ‘‘ଚାଲିପାରିବ ତ ? ନହେଲେ ଏହି ଗାଁରେ ରହିଯାଇ ତା’ପରେ ଫେରିଯିବ । ଭାରି ଖରାପ ବାଟ, ଖାଲି ବିଲରେ ଚାଲିବାକୁ ପଡ଼ିବ ।’’

 

ଏଥିରେ କୁମୁଦିନୀଙ୍କ ମନରେ ଆଘାତ ଲାଗିଲା । ସେ ଛିଡ଼ାହୋଇ କହିଲେ, ‘‘ନା ମୁଁ ଚାଲି ଯିବି । ଆପଣ ପାରିବେ, ମୁଁ ପାରିବି ନାହିଁ କାହିଁକି ?’’

 

ଆଉ କିଛି ନ କହି ଦିବ୍ୟସିଂହବାବୁ ଚାଲିବାକୁ ଲାଗିଲେ । ପ୍ରଥମେ କୁମୁଦିନୀଙ୍କୁ ଯେପରି ପଥଶ୍ରମ ବାଧିଥିଲା ସେପରି ଆଉ ବାଧିଲା ନାହିଁ । ତଥାପି ବାଟରେ ବସି ବସି ବିଶ୍ରାମ ନେଇ ଦୁହେଁ ବହୁତ ଉଛୁରରେ ବ୍ରହ୍ମଗିରିରେ ପହଞ୍ଚିଲେ । କୁମୁଦିନୀ ଥିବାରୁ ଗୋଟିଏ ପାଠଶାଳାରେ ରହିବାର ସ୍ଥିର କଲେ ।

 

–୧୦–

 

Unknown

ଗାଁ ପାଠଶାଳା ଅଧେ ଦିନ ବନ୍ଦ ରହିଥାଏ । ତେଣୁ ଦିବ୍ୟସିଂହବାବୁ ଓ କୁମୁଦିନୀ ସେଠି ରହିବାର କିଛି ଅସୁବିଧା ହେଲା ନାହିଁ । କେବଳ ଘର ପଛଆଡ଼େ ଟିକିଏ ଦୂରକୁ ତାଟି ଉହାଡ଼ କରିଦେଇ କୁମୁଦିନୀଙ୍କ ନିତ୍ୟକର୍ମ କରିବାର ସୁବିଧା କରାଗଲା । ଖାଇବା ପିଇବାର ବନ୍ଦୋବସ୍ତ ପାଠଶାଳାକୁ ଲାଗି ଜଣେ ଭଦ୍ରଲୋକଙ୍କ ଘରେ ସ୍ଥିର କରାହେଲା ।

 

ବହୁକାଳୁ ଗାଁ ଛାଡ଼ି ସହର ଜୀବନଯାପନ କରି ସେଥିରେ ଅଭ୍ୟସ୍ତ ହୋଇ ରହିଥିବାରୁ କୁମୁଦିନୀଙ୍କୁ ସବୁ ଅଡ଼ୁଆ ଲାଗୁଥାଏ । ମାତ୍ର ସେ ଅଡ଼ୁଆ ମଧ୍ୟରେ କେତେ ସ୍ମୃତିର ଢେଉ ଯେ ତାଙ୍କ ମନରେ ବାଜୁଥାଏ, ସେ କେବଳ ତାହା ବୁଝୁଥାନ୍ତି । ଦିବ୍ୟସିଂହବାବୁ ଗାଁରେ ଦୁର୍ଭିକ୍ଷ ବିଷୟ ବୁଝୁଥିଲାବେଳେ କୁମୁଦିନୀ ଏକାକୀ ଗାଲରେ ହାତ ଦେଇ ବସି କ’ଣ ଭାବୁଥାନ୍ତି ତାହା ସେ ଜାଣନ୍ତି-। ସେ ଅତି କ୍ଳାନ୍ତ ବୋଲି ମନେ କରି ଦିବ୍ୟସିଂହବାବୁ ତାଙ୍କୁ ଗାଁ ବୁଲିବାକୁ ଡାକିଲେ ନାହିଁ-। ଆଉ ମଧ୍ୟ ସେ ଭାବିଲେ ଯେ, ଦୁର୍ଭିକ୍ଷ ଦେଖିବାକୁ ଯେ ଏତେ ବାଟ ଆସିଛି, ସେ ଆପେଆପେ ଗାଁକୁ ବୁଲିବାକୁ ଇଚ୍ଛା କରିବ । ସନ୍ଧ୍ୟାବେଳେ ଦିବ୍ୟସିଂହବାବୁ ସପ ଉପରେ ବସି ପାଠଶାଳାରେ ସୂତା କାଟୁଛନ୍ତି, କୁମୁଦିନୀ ମଧ୍ୟ ପାଖରେ ବସି କୌତୁକରେ ସୂତା କାଟୁଛନ୍ତି ।

 

କୁମୁଦିନୀ–କ’ଣ ଦେଖିଲ ଗ୍ରାମର ଅବସ୍ଥା ?

 

ଦିବ୍ୟସିଂହବାବୁ ମୁହଁ ଶୁଖାଇ କହିଲେ, ‘‘ଅତି ଖରାପ ।’’ କୁମୁଦିନୀ–କାହିଁ ବାହାରକୁ କିଛି ତ ଦେଖାଯାଉ ନାହିଁ ।

 

ଦିବ୍ୟସିଂହବାବୁ କିଛିକ୍ଷଣ ପାଇଁ ସୂତା କଟା ବନ୍ଦ କରିଦେଇ ଗୋଟିଏ ହାତ ଅରଟ ଚକ ଉପରେ, ଅନ୍ୟ ହାତରେ ପିଞ୍ଜିଟିଏ ସେହିପରି ଧରି ଧୀରେ ଧୀରେ କହିଲେ, ‘‘ସେହିତ ଅବସ୍ଥାର ବିଶେଷତ୍ୱ । ସମାଜର ସ୍ତର ବିଭାଗ ଏପରି ହୋଇଯାଇଛି ଯେ, ଉପରେ ଧୋବଧୋବଳିଆଙ୍କୁ ଦେଖିଲେ ଆଉ ଯେ କେତେ ଉପାସ ପଡ଼ି ରହୁଛନ୍ତି ତା’ ଜଣାପଡ଼ିବ ନାହିଁ । ଏହି ପାଠଶାଳାକୁ ଯେଉଁମାନେ ଯା–ଆସ କରୁଛନ୍ତି ବା ଯାହାଙ୍କ ଘରେ ଆମେ ଖିଆପିଆ କରୁଛେ, ସେମାନେ ଉପର ସ୍ତରର ଲୋକ । ଯେଉଁମାନେ ଉପାସ ରହୁଛନ୍ତି ସେମାନେ ଏମାନଙ୍କଠାରୁ ଏତେଦୂରରେ ଯେ, ଜଣେ ନିଜ ହୃଦୟକୁ ପରିଚାଳନା କରି ସେଠି ନ ପହଞ୍ଚିଲେ ସେମାନଙ୍କ ଅବସ୍ଥା ଜାଣିପାରିବ ନାହିଁ-।’’

 

କୁମୁଦିନୀ ଗମ୍ଭୀର ହୋଇ କହିଲେ, ‘‘ଆପଣ ଗାଁକୁ ଯାଇଥିବାବେଳେ ଜଣେ ଦୁଇଜଣ ଭଦ୍ରଲୋକ ଏଠାକୁ ଆସିଥିଲେ । ସେମାନେ ପ୍ରଥମେ ମୋ ସଙ୍ଗେ କଥାବାର୍ତ୍ତା କରିବାକୁ ସଙ୍କୋଚ ବୋଧ କରୁଥିଲେ । ମାତ୍ର ମୁଁ ପ୍ରଥମେ ସେମାନଙ୍କ ସହିତ କଥାବାର୍ତ୍ତା କଲି । ସେମାନଙ୍କୁ ପଚାରିଲି ଗାଁର ଅବସ୍ଥା, ସେମାନେ ତ ସବୁ ଭଲ ବୋଲି କହିଲେ । ମୁଁ ପୁଣି କେବଳ ଦୁର୍ଭିକ୍ଷ କଥା ପଚାରିଲି-। କିନ୍ତୁ ସେମାନେ ସେ ବିଷୟରେ କିଛି ଜାଣନ୍ତି ନାହିଁ ବୋଲି କହିଲେ ।’’

 

ଦିବ୍ୟସିଂହବାବୁ ଟିକିଏ ହସି କହିଲେ, ‘‘କାଲି ମୋ ସାଙ୍ଗରେ ଯିବ, ମୁଁ ଦେଖାଇଦେବି । ଉପାସ ତ ଦେହଘଷା ଜିନିଷ ହୋଇ ଗଲାଣି–କିଏ ଖାଉଛି, କିଏ ଉପାସ ରହୁଛି–କିଏ ବଞ୍ଚିଛି, କିଏ ମରୁଛି, କେହି କାହାର କିଛି ଖବର ରଖନ୍ତି ନାହିଁ । ସମସ୍ତେ ନିଜ ନିଜ କଥା ନେଇ ବ୍ୟସ୍ତ । ବାସ୍ତବିକ ହୃଦୟ ବୋଲି ଜିନିଷ ଆମ ଦେଶରୁ ବିଦାୟ ନେଇଗଲାଣି । ତା’ର କାରଣ ହେଉଛି, ଆମ ସମାଜରେ ଯେ ଜନ୍ମାନ୍ତର ବିଶ୍ୱାସ । ଏ ଜନ୍ମ କିଛି ନୁହେଁ । ଯେ ଦୁଃଖ ଭୋଗୁଛି ସେ ପୂର୍ବଜନ୍ମର ଦୋଷରୁ । ଯାହା କିଛି କରିବାକୁ ହେବ ତା’ ପରଜନ୍ମ ପାଇଁ । ଦୁଃଖ ଭୋଗ ଯଦି ସ୍ୱକୃତ ପୂର୍ବଜନ୍ମର ଦୋଷର ପ୍ରାୟଶ୍ଚିତ୍ତ ବୋଲି ବିଶ୍ୱାସ କରାହୁଏ, ତେବେ ସେ ଦୁଃଖ ଦୂର କରିବାର ଶକ୍ତି ଆସିବ କେଉଁଠୁଁ–ସେଦିଗରେ ହୃଦୟ ଖରଚ କରିବାର ଅବକାଶ କାହିଁ ?’’ ତା’ପରେ ତା’ର ପ୍ରତିକାର ସମ୍ବନ୍ଧରେ କୁମୁଦିନୀ ପ୍ରଶ୍ନ କଲେ ।

 

ଦିବ୍ୟସିଂହବାବୁ ଗମ୍ଭୀର ଭାବରେ କହିଲେ, ‘‘ପ୍ରତିକାର ? ସବୁ ସ୍ୱାର୍ଥ ଛାଡ଼ି ଦେଇ କେବଳ ପରର ସେବାରେ ଲୋକେ ବହୁସଂଖ୍ୟାରେ ଲାଗିଲେ ସମାଜର ଗତି ବଦଳି ଯିବ । ଆଗେ ତ ଆମଠାରେ ଆରମ୍ଭ କରିବାକୁ ହେବ । ଆମେ ଯେ କାର୍ଯ୍ୟ କରୁଛୁ ତାହା ସମ୍ପୂର୍ଣ୍ଣ ନିଃସ୍ୱାର୍ଥ କି ସେଥିରେ କେଉଁ କୋଣରେ ସ୍ୱାର୍ଥ ଲୁଚି ରହିଛି ତାହା ମଧ୍ୟ ଜଣାନାହିଁ । ତଥାପି ଯେତେଦୂର ନିଜ ମନକୁ ପରିଷ୍କାର ରଖିବା ସମ୍ଭବ ହେଉଛି, ସେତିକି କରି ଅଗ୍ରସର ହେବାକୁ ହେଉଛି । ଧୈର୍ଯ୍ୟ ଓ ବିଶ୍ୱାସ ରଖି ଚାଲିବାକୁ ପଡ଼ୁଛି ।’’

 

କୁମୁଦିନୀ ସବୁ ଶୁଣି ଏକ ଦୀର୍ଘ ନିଃଶ୍ୱାସ ପକାଇଲେ । ସେ ନିଠେଇ କରି ଦିବ୍ୟସିଂହବାବୁଙ୍କ ମୁହଁକୁ ଅନାଇଥାନ୍ତି । ଏହି ସମୟରେ ଖାଇବାପାଇଁ ଡାକିବାକୁ ଲୋକ ଆସିଲା-। ଦିବ୍ୟସିଂହବାବୁ ବିନୟ ସହକାରେ କହିଲେ, ‘‘ମୁଁ ତ ସଞ୍ଜପରେ ଖାଏ ନାହିଁ । ଏ ଯାଆନ୍ତୁ ଖାଇ ଆସିବେ ।’’ ସେ ଲୋକ ଜିଦ୍ କଲା । ମାତ୍ର ତାକୁ ବୁଝାଇସୁଝାଇ ଦିବ୍ୟସିଂହବାବୁ କହିଲେ, ‘‘ସେ ତାଙ୍କ ନିୟମ, ତେଣୁ ସେ ତାକୁ ଭାଙ୍ଗିପାରିବେ ନାହିଁ ।’’ ଏକା ଯିବାକୁ କୁମୁଦିନୀଙ୍କୁ ଅଡ଼ୁଆ ଲାଗୁଥାଏ । ପ୍ରଥମେ ସେ ମନା କରିଦେଲେ । ମାତ୍ର ଦିବ୍ୟସିଂହବାବୁ ନିତାନ୍ତ ଜିଦ୍ କରି ତାଙ୍କୁ ଖାଇବାକୁ ପଠାଇଲେ । ସେ ଇତସ୍ତତଃ ହୋଇ ଶେଷରେ ଗଲେ ।

 

କୁମୁଦିନୀ ଏକୁଟିଆ ଥିବାରୁ ଘରର ସ୍ତ୍ରୀଲୋକମାନେ ପାଖରେ ଆସି ଘେରି ବସିଲେ । ସେ ଦେଖିଲେ ଯେ ନିଜେ ସ୍ତ୍ରୀ ହୋଇଥିଲେ ମଧ୍ୟ ଘର ଭୁଆସୁଣୀ କେହି ତାଙ୍କ ଆଗକୁ ଆସୁ ନାହାନ୍ତି । ଯେଉଁମାନେ ଆସୁଛନ୍ତି, ସେମାନେ ସମସ୍ତେ ବୟସ୍କା । ତଥାପି ତାଙ୍କ ସଙ୍ଗେ କେଉଁ ବିଷୟରେ କଥାବାର୍ତ୍ତା କରିବେ ଠିକ୍ କରି ପାରିଲେ ନାହିଁ । ଘରର ସ୍ତ୍ରୀମାନେ ଠାକୁର ଦେଖିଲା ପରି କୁମୁଦିନୀଙ୍କୁ କିଛିକ୍ଷଣ ଅନାଇ ରହିଲେ । ଶେଷରେ ଜଣେ ବୁଢ଼ୀ ଧୀରେ ଧୀରେ କହିଲା, ‘‘ଝିଅର ମୋର ଘର କେଉଁ ରାଇଜରେ ?’’

 

କୁମୁଦିନୀ ଏଣେତେଣେ ଅନାଇ କହିଲେ, ‘ବାଲେଶ୍ୱର ଆଡ଼େ ।’ ଏଥିରୁ ସେମାନେ କ’ଣ ବୁଝିଲେ ତାହା ଜଣାନାହିଁ ।

 

ଧୀରେ ଧୀରେ ସେ ବୁଢ଼ୀ ସ୍ନେହରେ କହିଲା, ‘‘ଝିଅତ ମୋର ଏଣେତେଣେ ବୁଲୁଛି, ତେଣେ ଘର କିଏ ସମ୍ଭାଳିଛି ?’’ ଏହା ଉତ୍ତରରେ କୁମୁଦିନୀ କିଛି ନ କହି ହସିଲେ । ତା’ପରେ ପିଲାପିଲି ସମ୍ବନ୍ଧରେ ପ୍ରଶ୍ନ ହେଲା । କୁମୁଦିନୀ ସେ ପ୍ରଶ୍ନରେ ବିଚଳିତ ହୋଇଗଲେ । ଗୃହସ୍ଥାଶ୍ରମଠାରୁ ବହୁଦୂରରେ ସେ ଥିଲେ ମଧ୍ୟ ତାଙ୍କର ତାହାପ୍ରତି ଅନୁରାଗ ଅଛି ଏବଂ ସେଆଡ଼କୁ ଯିବାକୁ ସେ ଭାରି ସ୍ପୃହାନ୍ୱିତା । ତେଣୁ ସେ ପ୍ରଶ୍ନରେ ତାଙ୍କ ମନ ଓଲଟପାଲଟ ହେଉଥାଏ । ମନକୁ ଖୁବ୍ ଦୃଢ଼ କରି ସେ କହିଲେ, ‘‘ମୋର ପିଲାପିଲି କିଛି ନାହାନ୍ତି ।’’ ତା’ପରେ ସେ ବୁଢ଼ୀ କହିବାକୁ ଲାଗିଲା, ‘‘ଝିଅର ଏଡ଼େ ସୁନ୍ଦର ରୂପ, ନାକରେ କାନରେ ଗହଣା କାହିଁ କିଛି ନାହିଁ ?’’ ପାଖରେ ଆଉଜଣେ ସ୍ତ୍ରୀଲୋକ ମୁହଁ ବୁଲାଇ ବୁଢ଼ୀକୁ ଦାବି ଦେଲା । ବୋଧହୁଏ ସେ ବୁଢ଼ୀକୁ ବୁଝାଇ ଦେଲା ଯେ କାଳେ କୁମୁଦିନୀ ବିଧବା ହୋଇଥିବେ, ଏଣୁ ଏ ପ୍ରଶ୍ନ ବଡ଼ ଅସଂଗତ । କୁମୁଦିନୀ ଏ ପ୍ରଶ୍ନଟିର ଉତ୍ତର ଦେବାକୁ ସହଜ ମନେ କଲେ । ‘‘ନାକରେ କାନରେ ଗହଣା ପିନ୍ଧିବା ଭଲ ନୁହେଁ । ମାଙ୍କଡ଼କୁ ନାକରେ କାନରେ ଗହଣା ଦେଇ ସିନା ନଚାନ୍ତି । ଆମେ ତ ସବୁ ମଣିଷ । ପୁରୁଷ ଯେପରି ସ୍ତ୍ରୀ ସେହିପରି । ପୁରୁଷ ଯାହା କରୁଛି ସ୍ତ୍ରୀର ତାହା କରିବାର କ୍ଷମତା ଅଛି । ସେ କାହିଁକି ଗହଣା ପିନ୍ଧି ପିତୁଳା ହୋଇ ଘରେ ବସିବ ।’’ କୁମୁଦିନୀଙ୍କଠାରୁ ଏତିକି ଶୁଣି ଘର ସ୍ତ୍ରୀମାନେ ଖୁସି ହେଲେ । ସେମାନଙ୍କ ସନ୍ଦେହ ଚାଲିଗଲା ଯେ ସେ ବିଧବା ନୁହନ୍ତି । ତା’ପରେ ସେ ବୁଢ଼ୀ ଥମେଇ ଥମେଇ କହିଲା, ‘‘ନାତି ନାତୁଣୀଙ୍କ କଥା କିଏ ବୁଝୁଛିଲୋ ଝିଅ ?’’ ଗାଉଁଲି ଲୋକଙ୍କର ଏପରି ଖୋଳିତାଡ଼ି ପ୍ରଶ୍ନ କରିବାର ଦେଖି କୁମୁଦିନୀ ବିସ୍ମିତ ହେଉଥାନ୍ତି । ମାତ୍ର ତାଙ୍କୁ ବଡ଼ ଅଡ଼ୁଆ ଲାଗୁଥାଏ । ସେ କିଛି ନ କହି ନୀରବ ରହିଲେ । ଖିଆପିଆ ପରେ ଘରଲୋକେ କୁମୁଦିନୀଙ୍କୁ ଘରକୁ ଡାକିନେଲେ । କାରଣ ଇତିମଧ୍ୟରେ ସେମାନେ ତାଙ୍କୁ ଆପଣାର କରି ସାରିଲେଣି ବୋଲି ମନେ କଲେ । ପରସ୍ତ ଭିତରେ ଗୋଟିଏ ଘରେ ବସିବାପାଇଁ ତାଙ୍କୁ ଆସନ ଦେଲେ । ତା’ପରେ ପାନଭାଙ୍ଗି ଆଣି ଦେଲେ । କୁମୁଦିନୀ ପାନ ଖାନ୍ତି ନାହିଁ । ମାତ୍ର ମାନ ରକ୍ଷା କରିବାପାଇଁ ପାନଖିଲିରୁ ସେ ଲବଙ୍ଗଟି ନେଇ ପାଟିରେ ପକାଇଲେ । ତା’ପରେ ଘର ସ୍ତ୍ରୀମାନେ ନାନା ଗପ ଆରମ୍ଭ କଲେ । ସେମାନେ ଜାଣନ୍ତି ଯେ ଘର ଭିତର ହେଉଛି ସ୍ତ୍ରୀର ଅପ୍ରତିହତ ରାଜ୍ୟ । ଏ କିପରି ନାରୀ ଯେ, ତାକୁ ଛାଡ଼ି ବାହାରେ ବୁଲୁଛି । ତେଣୁ ନିଜର କୌତୂହଳ ମେଣ୍ଟାଇବା ପାଇଁ ତାଙ୍କୁ ନାନା କଥା ପଚାରୁଥାନ୍ତି । କୁମୁଦିନୀ ସବୁ କଥା କହିବାକୁ ନାରାଜ । ଯେତେବେଳେ ସେ ବିବାହ କରି ନାହାନ୍ତି ବୋଲି ଘରଲୋକ ଜାଣିଲେ, ତେତେବେଳେ ଜଣେ କିଏ ତାଙ୍କ ମଧ୍ୟରୁ ଦୁଃଖରେ କହିଲା, ‘‘କି ସୁନ୍ଦର ରୂପ–ତା’ ସାଙ୍ଗକୁ ଯଦି ପିଲାଟିଏ ଥାନ୍ତା ସୁନାରେ ସୁହାଗ ସିନା ହୋଇଥାନ୍ତା !’’ ତା’ପରେ ସେ ବୁଢ଼ୀ ଦୀର୍ଘ ନିଃଶ୍ୱାସ ପକାଇ ଥମେଇ ଥମେଇ କହିଲା, ‘‘ଝିଅ, ଚକି ଗୁଡ଼ କହୁଣୀକୁ ବହିଗଲେ ପଛରେ ଭାଳିହେବୁ । ମୋ ପରି ଯେତେବେଳେ ତୋର ବୟସ ହେବ, ପୁଅଛଡ଼ା ଆଉ କିଏ ତୋର ସାହା ହେବ ?’’

 

ଏକଥା ଶୁଣି କୁମୁଦିନୀଙ୍କ ମନ ଭିତର ଘାଣ୍ଟି ଗୋଳେଇ ହେଲା । ସେମାନଙ୍କ ସରଳ ସହାନୁଭୂତି ତାଙ୍କ ପ୍ରାଣଙ୍କୁ ସ୍ପର୍ଶ କରୁଥାଏ । ତା’ ସାଙ୍ଗେ ସାଙ୍ଗେ ଗୃହସ୍ଥ ଜୀବନପାଇଁ ପ୍ରବଳ ଇଚ୍ଛା । ସେ ଅତି ଅପ୍ରତ୍ୟାଶିତ ଭାବରେ ବିଚଳିତ ହେଲେ । କେବଳ ଦୀର୍ଘ ନିଃଶ୍ୱାସଟିଏ ପକାଇ ଶୀଘ୍ର ଶୀଘ୍ର କଥାବାର୍ତ୍ତା ଶେଷ କରି ଚାଲି ଆସିଲେ ।

 

–୧୧–

 

ଦିବ୍ୟସିଂହବାବୁ ବସି ପଢ଼ୁଛନ୍ତି । କୁମୁଦିନୀ ଆସି ବସି ପଡ଼ିଲେ । ତାଙ୍କ ମୁହଁ ଚିନ୍ତାକୁଳ-। ଅନେକ ସମୟ ବସି ରହି ତା’ପରେ ମୁହଁରେ ହାତ ଦେଇ ଶକ୍ ଶକ୍ ହୋଇ କାନ୍ଦିବାରେ ଲାଗିଲେ । ଦିବ୍ୟସିଂହବାବୁ ଚମକି ପଡ଼ି ଅନାଇ ଦେଖିଲେ ଯେ, କୁମୁଦିନୀ କାନ୍ଦୁଛନ୍ତି । ସେ ବ୍ୟସ୍ତ ହୋଇ ପଚାରିଲେ ‘କି, କଥା କ’ଣ ? କ’ଣ ହେଲା ?’ କୁମୁଦିନୀ ନୀରବ । ଦିବ୍ୟସିଂହବାବୁ ପାଖକୁ ଉଠି ଆସିଲେ । ମାତ୍ର ଦେହ ଛୁଇଁବାପାଇଁ ତାଙ୍କୁ ସଙ୍କୋଚ ବୋଧ ହେଉଥାଏ । କଥା କ’ଣ ବୋଲି ବାରମ୍ବାର ପଚାରିଲେ । ନିଜର ଯେତେ ଶକ୍ତି ଥିଲା ସବୁ ଲଗାଇ କୁମୁଦିନୀ ନିଜକୁ ସଂଯତ କଲେ ଓ ଶୀଘ୍ର ଶୀଘ୍ର ଲୁହ ପୋଛି ଯେତେଦୂର ସମ୍ଭବ ଯେପରି କିଛି ହେଉ ନାହିଁ ଏହିପରି ଭାବ ପ୍ରକାଶ କରିବାକୁ ଚେଷ୍ଟା କଲେ । ଦିବ୍ୟସିଂହବାବୁ ସ୍ନେହ ସହକାରେ ପଚାରିଲେ, ‘‘କ’ଣ ? ବ୍ୟାପାର କ’ଣ-?’’ କୁମୁଦିନୀ କଥାକୁ ବାଁରେଇ ଦେବେ ବୋଲି ବହୁତ ଚେଷ୍ଟା କଲେ । ମାତ୍ର ଦିବ୍ୟସିଂହବାବୁଙ୍କ ମନ ମାନୁ ନାହିଁ । ଶେଷରେ କହିଲେ, ‘‘ସେ ସ୍ତ୍ରୀଲୋକମାନେ ମୋତେ ପିଲାପିଲି କଥା ପଚାରିବାରୁ ମୋ ମନ କ’ଣ ହୋଇଗଲା ।’’ ଦିବ୍ୟସିଂହବାବୁ ତଳକୁ ମୁହଁ କରି ଅସ୍ପଷ୍ଟ ସ୍ୱରରେ କହିଲେ, ‘‘ସେହି ହେଉଛି ସ୍ତ୍ରୀଲୋକଙ୍କ ହୃଦୟରେ ଅତି ଦୁର୍ବଳ ବିନ୍ଦୁ ।’’ ତା’ପରେ ସ୍ପଷ୍ଟ ଭାବରେ ମୁହଁକୁ ଚାହିଁ ଅଳ୍ପ ହସି କହିଲେ, ‘‘ଆଚ୍ଛା, ତୁମର ଖବର ତ, କିଛି କହିଲ ନାହିଁ ? ଏତେ ପର ଆମକୁ ମନେ କରୁଛ ?’’

 

କୁମୁଦିନୀଙ୍କ ମନ ବାସ୍ତବିକ ଅତି ଦୁର୍ବଳ ହୋଇ ପଡ଼ିଥାଏ । ଶୀତଦେଶରେ ବରଫ ଯେତେବେଳେ ପଡ଼େ ସେତେବେଳକୁ ତାହା ଏତେ ଟାଣ ଥାଏ ଯେ, ସେଥିରେ ଅସାବଧାନ ଲୋକ ପଡ଼ିଗଲେ ଗୋଡ଼ ହାତ ଭାଙ୍ଗି ଲହୁଲୁହାଣ ହୋଇଯାଏ । ମାତ୍ର ଯେତେବେଳେ ପୁଣି ସେହି ବରଫ ତରଳେ, ସେତେବେଳେ ତା’ର ଜଳପ୍ରଭାବ ଏପରି ପ୍ରଖର ହୁଏ ଯେ, ସେଥିରେ ମଧ୍ୟ ଭାସି ଯିବାର ଆଶଙ୍କା ହୁଏ । ବର୍ତ୍ତମାନ କୁମୁଦିନୀଙ୍କ ମନ ବରଫ ତରଳି ଯିବା ଅବସ୍ଥାରେ । ସେ ନିଜକୁ ନିଜେ ସମ୍ଭାଳି ପାରୁ ନଥାନ୍ତି । ତାଙ୍କ ମନ ହେଉଥାଏ ଯେପରି ସେ ନିଜକୁ ଅଜାଡ଼ି ଦେବେ । ତହିଁରେ ଦିବ୍ୟସିଂହବାବୁଙ୍କ ସସ୍ନେହ ବ୍ୟବହାର ମଧ୍ୟ ତାଙ୍କୁ ଆହୁରି ଅସମ୍ଭାଳ ହେଉଥାଏ । ସେ ଆଉ ସମ୍ଭାଳି ନ ପାରି ଧୀରେ ଧୀରେ କହିଲେ, ‘‘ଆପଣ ଆଦର୍ଶ ପୁରୁଷ । ମୁଁ ଆପଣଙ୍କଠାରୁ କେତେ ତଳେ । ମୋର ବୃତ୍ତାନ୍ତ ଆପଣ ଶୁଣିଲେ ଆପଣଙ୍କର ଯେତେ ଘୃଣା ଅଛି ସବୁ ମାହରିଠାରେ ଶେଷ ହୋଇଯିବ ।’’

 

ଦିବ୍ୟସିଂହବାବୁ କଅଁଳେଇ କହିଲେ, ‘‘ପ୍ରତ୍ୟେକଙ୍କ ଜୀବନରେ ଏପରି ଘଟଣା ଅଛି, ଯାହାକୁ ପ୍ରକାଶ କରିଦେଲେ ଓ କେବଳ ସେୟାକୁ ଘେନି ତା’ର ବିଚାର କଲେ ସେ ଘୃଣ୍ୟ ବୋଲି ଜଣାପଡ଼ିବ । ତେଣୁ ସମସ୍ତେ ଚେଷ୍ଟା କରନ୍ତି ସେସବୁ ଘଟଣା ଲୁଚାଇବା ପାଇଁ । ମାତ୍ର ନିଜର ଲୋକ ପାଖରେ ସେସବୁ ଲୁଚାଇ ଲାଭ କିଛି ନାହିଁ । ତୁମର ସେବାବ୍ରତ, ତୁମର ବିଚକ୍ଷଣତା ମୋ ଉପରେ ଏପରି ପ୍ରଭାବ ପକାଇଛି ଯେ, ମୋର ମନେ ହେଉଛି ତୁମକୁ ଧରିବାନ୍ଧି ଏହି ଓଡ଼ିଶାରେ କାମ କରାଇବା ପାଇଁ । ଗରିବ ଏ ପ୍ରଦେଶ, କେବଳ ଧନରେ ନୁହେଁ, କର୍ମୀ ହିସାବରେ ମଧ୍ୟ ବଡ଼ ଦରିଦ୍ର । ତୁମପରି କର୍ମୀଙ୍କୁ ଯେପରି ଓଡ଼ିଶା ଚାହିଁ ବସିଛି । ତେଣୁ ମୁଁ ତୁମର ନିଜର ଲୋକଭଳି ହେବାକୁ ଚାହୁଁଛି । ଲାଲମୋହନଙ୍କର ମଧ୍ୟ ସେଇଆ ଇଚ୍ଛା ଯେ ତୁମେ ଏଇଠି ରହିଯାଅ । ସେ ବିଚରା ଏକାକୀ ଯେତିକି ପାରୁଛି, ତା’ ହିସାବରେ କାମ କରୁଛି । ସବୁ କ୍ଷେତ୍ରରେ ଜଣେ ଅଧେ ଊର୍ଦ୍ଧ୍ୱଶ୍ୱାସ ହୋଇ କେତେଦୂର ଦୌଡ଼ିବେ ? ତେଣୁ ସାହାଯ୍ୟ ଲୋଡ଼ା । ତୁମେ ତୁମର ବୃତ୍ତାନ୍ତ କହିବାକୁ ସଂକୋଚ ବୋଧ କରୁଛ–ମୋର ବୃତ୍ତାନ୍ତ ତୁମେ ଶୁଣିଲେ ତୁମର ପ୍ରାଣ ଥରି ଉଠିବ । ତୁମେ ମୋତେ ମାରି ଗୋଡ଼ାଇବ । ସେହିପରି ମଧ୍ୟ ଲାଲମୋହନର । ପ୍ରତ୍ୟେକର ଜୀବନରେ କିଛି ନା କିଛି ସମସ୍ୟା ଅଛି ଓ ତାହା ତାକୁ ଭିତରେ ଭିତରେ କେତେ କଷ୍ଟ ଦେଉଛି, ତାହା ସେ ଜାଣେ । ମାତ୍ର ନିଜ ନିଜ ଭିତରେ ସେ ବିଷୟ କଥାବାର୍ତ୍ତା ହୋଇଗଲେ ଅନେକ ପରିମାଣରେ ଦୁଃଖର ଲାଘବ ହୁଏ ।’’

 

ଏତେ କହିବା ପରେ ମଧ୍ୟ କୁମୁଦିନୀ ସେହିପରି ତଳକୁ ମୁହଁ କରି ଚାହିଁ ବସିଥାନ୍ତି । ଟିକିଏ ଅପେକ୍ଷା କରି ଦିବ୍ୟସିଂହବାବୁ ପୁଣି କହିଲେ, ‘‘ଶୁଣିବ ମୋ ଦୁଃଖର କାହାଣୀ ?’’ ମୁଁ ଅତି ଗରିବ ଘରେ ଜନ୍ମ । ଯାହାର ଏକତାଲା କୋଠା ଅଛି, ସେ ଦୋତାଲା କରିପାରୁନାହିଁ ବୋଲି ନିଜକୁ ଗରିବ କହୁଛି । ଯାହାର ବାଟିଏ ଜମି ଅଛି, ସେ ଜମିଦାରୀ କରିପାରୁନାହିଁ ବୋଲି ନିଜକୁ ଗରିବ ଭାବୁଛି । ମୁଁ ସେପରି ଗରିବ ନୁହେଁ, ମୋର ବାପା ଅତି ପିଲାଦିନେ ମରି ଯାଇଥିଲେ । ଆଉ କେହି ନଥିଲେ, କେବଳ ମୋର ମା’ ଧାନକୁଟି ନିଜ ପେଟ ପୋଷୁଥିଲା । ମତେ ମଧ୍ୟ ପାଳୁଥିଲା । ଗାଁ ପାଠଶାଳାରେ ମୁଁ ଉଚ୍ଚ ପ୍ରାଇମେରୀରେ ବୃତ୍ତି ପାଇଲି । ତା’ପରେ ଉପରକୁ ପଢ଼ିଲି-। ବରାବର ବୃତ୍ତି ପାଇ ମୁଁ ପଢ଼ି ଆସିଛି । ପଢ଼ିବାବେଳେ ମୁଁ ଏପରି ଗରିବ ଭାବରେ ଚଳୁଥିଲି ଯେ, ସେହି ବୃତ୍ତି ଟଙ୍କାରୁ କିଛି ବଳାଇ ମା’ଠାକୁ ପଠାଉଥିଲି । ମା’ ମୋର ସେ ଟଙ୍କାକୁ ଖର୍ଚ୍ଚ ନ କରି, ନିଜ ଦୁଃଖଧନ୍ଦା କରି ଚଳି, ତାକୁ ଜମା କରି ରଖୁଥାଏ । ମୁଁ ଯେତେବେଳେ ଆଇ.ଏ. ପାସ୍ କରେ, ମୋ ମାଆ ଲଗାଇଲା ମୋତେ ବାହା କରିବାପାଇଁ । ମୁଁ ଯେତେ ବୁଝାଇଲି ସେ ମାନିଲା ନାହିଁ-। ପାଠପଢ଼ି ମୁଁ ଯେ ରୋଜଗାର କରିବି, ସେ ଚିତ୍ର ସେ ଦୂରରୁ ଦେଖି ତା’ ମନ ସମ୍ଭାଳି ରହିପାରୁ ନଥାଏ । ମାଆ ମନରକ୍ଷା କରିବାପାଇଁ ମୁଁ ବାହାହେଲି । ଯାହାକୁ ବାହାହେଲି ସେ ମଧ୍ୟ ଗରିବ ଘରର ଝିଅ । ଆଇ.ଏ.ରେ ବୃତ୍ତି ପାଇଲି । ନିଜେ ଗରିବ ଭାବରେ ଚଳି, ଆଉମଧ୍ୟ ଦୁଇଟି ଟିଉସନ୍ କରି ଅଧିକ ରୋଜଗାର କଲି । ଘରକୁ ମାସକୁ ୧୦।୧୫ ଟଙ୍କା ପଠାଇବାରେ ଲାଗିଲି-।’’

 

‘‘ମୁଁ କହିବି କ’ଣ, ସେ ବୁଢ଼ୀ ସବୁ ଟଙ୍କାତକ ଜମା କରି ରଖେ । ନିଜେ ଦୁଃଖଧନ୍ଦା କରି ବୋହୂକୁ ମଧ୍ୟ କାମରେ ଖଟାଇ କୌଣସି ପ୍ରକାରେ ଚଳିଯାଏ । ଯେଉଁ ବର୍ଷ ମୁଁ ବି.ଏ. ପରୀକ୍ଷା ଦିଏ, ସେହି ବର୍ଷ ଗଚ୍ଛିତ ଟଙ୍କାରେ ଦୁଇମାଣ ଜମି ମୋ ମା’ କିଣିଲା । ସେଦିନ ତା’ର କି ଆନନ୍ଦ ! ତା’ ଗୋଡ଼ ଆଉ ତଳେ ଲାଗୁ ନଥାଏ । ତା’ପରେ ମୁଁ ଓକିଲାତି ପାସ୍ କଲି । ଇତିମଧ୍ୟରେ ଆହୁରି ଦେଢ଼ମାଣ ଜମି ମା’ ଖରିଦ କରି ସାରିଲାଣି । ଯେଉଁ ବର୍ଷ ମୁଁ ଓକିଲାତି ଆରମ୍ଭ କରେ, ସେହି ବର୍ଷ ମୋର ଗୋଟିଏ ପୁଅ ହେଲା । ସେ ଦୁଃଖର କାହାଣୀ କହିବାକୁ ସୁଦ୍ଧା ମୋ ଛାତି ଥରି ଉଠୁଛି । ମା’ ମୋର ଏପରି ଯେ ବୋହୂକୁ ଚାକରାଣୀ ପରି ଖଟାଏ । ଯେତେ ପଇସା ଜମା କରି ସେ ଜମି କିଣିବ, ତା’ର ସେତେ ଆନନ୍ଦ । ମୋର ଓକିଲାତି କରିବାର ୨।୩ ବର୍ଷ ପରେ, ଦେଶ କାମ କରିବାପାଇଁ ଓକିଲାତି ଛାଡ଼ିଲି । ଯେଉଁ ଦିନ ସିଦ୍ଧାନ୍ତ କଲି ସେ ଦିନ କଥା ଆଜି ସୁଦ୍ଧା ମୋର ଟିକିଟିକି କରି ମନେ ଅଛି । ମୋତେ ଯେପରି କିଏ କାନେ କାନେ କହିଲା, ‘‘ଦେଶସାରା ତ ଗରିବ, ନିରାହାରରେ ହାହାକାର କରୁଛନ୍ତି, ଜଣେ ରୋଜଗାର କରି ବଡ଼ଲୋକ ହେଲେ ଲାଭ କ’ଣ ?’’ ଯଦି ଦେଶର ଦାରିଦ୍ର୍ୟ ଦୂର କରିବାପାଇଁ ଅନେକ ଆତ୍ମବଳୀ ଦେଇଦିଅନ୍ତି ତେବେ ସିନା ଜୀବନ ସାର୍ଥକ ହେବ ।’’

 

‘‘ମା’, ସ୍ତ୍ରୀ ସମସ୍ତଙ୍କ ଚିନ୍ତାକୁ ଠେଲି ଦେଇ ମୁଁ ଦେଶକାମରେ ବାହାରିଲି । ତୁମେ ସହଜରେ ଅନୁମାନ କରିପାରୁଥିବ ମୋ ମା’ ମନ କ’ଣ ହୋଇ ଯାଉଥିବ । ମାତ୍ର ସେ ମୋତେ ଛାଡ଼ି ଦେଇ ତା’ର ସଂସାର ସେ ଜମାଇବାରେ ଲାଗିଲା ।

 

ସାଢ଼େ ତିନି ମାଣ ଜମିରୁ ସେ ଯେତିକି ପାଇଲା ସେ ତାକୁ ଜମାଇବାକୁ ଲାଗିଲା । ଏଣେ ନିଜେ ଧାନକୁଟି, ବୋହୂକୁ ଧାନ କୁଟାଇ କୌଣସି ପ୍ରକାରେ ଦୁଇପେଟ ଓ ମୋର ସେ ହତଭାଗ୍ୟ ପୁଅଟିକୁ ପୋଷିଲା । ଦେଶର କାମ ଯେ କିଭଳି ଅନିଶ୍ଚିତ ତା’ ତୁମ୍ଭେ ଭଲ କରି ଜାଣ । ଘଟନାକ୍ରମେ ମୋତେ ରାଜଦ୍ରୋହ ଅପରାଧରେ ବର୍ଷେ ଜେଲ ହୋଇଗଲା । ସେହି ଜେଲରେ ଥିବାବେଳେ ପ୍ରଥମେ ମୁଁ ଖବର ପାଇଲି ଯେ, ମୋ ପୁଅଟି ମରିଗଲା । ଓଃ କି ଦୁଃଖ ! ଭାବିଲାବେଳକୁ ଦେହ ଥରିଯାଉଛି । ତା’ପରେ ଖବର ପାଇଲି ଯେ, ମୋ ସ୍ତ୍ରୀ ମଧ୍ୟ ପୁଅର ସାଥୀ ହେଲା । କାରାଗାର ଯନ୍ତ୍ରଣା ମଧ୍ୟରେ ଏ ଯନ୍ତ୍ରଣା ମୋତେ ପାଗଳ କରିଦେଲା । ମୋର କେତେକ ବନ୍ଧୁ, ଯେଉଁମାନେ ମୋ ସଙ୍ଗରେ ଜେଲରେ ଥିଲେ, ସେମାନେ ଭାବିଲେ ମୁଁ ନିଶ୍ଚୟ ପାଗଳ ହୋଇଯିବି । ମାତ୍ର ସୌଭାଗ୍ୟ ବା ଦୁର୍ଭାଗ୍ୟ ଯାହାହେଉ, ସେପରି ନ ହୋଇ ଯେତେବେଳେ ଜେଲରୁ ଘରକୁ ଫେରିଲି ଦେଖେ ଯେ ମୋ ମା’ ମଧ୍ୟ ଅତି ପୀଡ଼ିତ । ଶୁଣିଲି ମୋ ସ୍ତ୍ରୀ ଯେତେବେଳେ ବେମାର ପଡ଼ିଥିଲା, ସେତେବେଳେ ତା’ର କୌଣସି ଚିକିତ୍ସାର ବ୍ୟବସ୍ଥା ହୋଇ ନଥିଲା । ପୁଅଟି ତ ଉପାସରେ ମରିଗଲା ବୋଲି କହିବାକୁ ହେବ । ମୁଁ ମୋର ମା’ ଉପରେ ରାଗିଲି । ମାତ୍ର ଯେଉଁଥିପାଇଁ ମୁଁ ରାଗୁଥିଲି ଠିକ୍ ସେଇଆ ମୋ ଭାଗ୍ୟରେ ମଧ୍ୟ ଘଟିଲା । ମୋର ମା’ର ଚିକିତ୍ସାପାଇଁ ମୁଁ କିଛି ହେଲେ କରି ପାରିଲି ନାହିଁ । ମୁହଁ ଖୋଲି ମୋର କେତେକ ବନ୍ଧୁଙ୍କୁ କିଛି ସାହାଯ୍ୟ ଚାହିଁଥିଲି । ସମସ୍ତେ ମୋତେ ହତଭାଗ୍ୟ ବୋଲି ଦୟା କଲେ । ପୁଣି ଓକିଲାତି କରିବାପାଇଁ ପରାମର୍ଶ ଦେଲେ; ମାତ୍ର ସାହାଯ୍ୟ କିଛି ମିଳିଲା ନାହିଁ । ମୋରି ଆଖି ଆଗରେ ମୋ ମା’ର ପ୍ରାଣ ଚାଲିଗଲା । ମୁଁ ତା’ପାଇଁ କିଛି କରିପାରିଲି ନାହିଁ । ସେ ମୋତେ ବୁଢ଼ୀ ବୟସରେ ସୁଦ୍ଧା ଧାନକୁଟି ପାଠ ପଢ଼େଇଥିଲା ।

 

‘‘ତା’ପରେ ଗୋଳମାଳ ଲଗାଇ ଗାଁ ଜମିଦାର, ମା’ କିଣିଥିବା ଜମିତକ ମଧ୍ୟ ନେଇଗଲେ । ଏ ସବୁ କଥା ମୋ ମନେ ପଡ଼ିଗଲେ ଏପରି ଆତ୍ମଗ୍ଳାନି ଜାତ ହୁଏ ଯେ, ମୁଁ ମୁଣ୍ଡ ଟେକିପାରେ ନାହିଁ ।’’

 

‘‘ଯଦି କେହି ନ୍ୟାୟାସନରେ ବସି ବିଚାର କରେ ତେବେ ସେ ମୋତେ ତିନୋଟି ମନୁଷ୍ୟର ହତ୍ୟାରେ ଅଭିଯୁକ୍ତ କରିବ । ଏହି ଦୁଃଖର ବୋଝ ନେଇ ମୁଁ ଚାଲିଛି ନିରାଶାରେ କୁହୁଡ଼ି ଭିତରେ କେତେବେଳେ ଝୁଣ୍ଟି ପଡ଼ୁଛି । ମାତ୍ର ଚାଲିଛି କୁଆଡ଼େ ତା’ ମୁଁ ନିଜେ ସୁଦ୍ଧା ଜାଣେ ନାହିଁ । ଏହାଠାରୁ ବଳି କ’ଣ ତୁମର ସମସ୍ୟା ବଡ଼ ? କିଛି ନୁହେଁ । ଯାହା ଅତୀତ ତାକୁ ଭାଳିହେଲେ ମଧ୍ୟ କେବେ କେହି ସୁଧାରି ପାରିବେ ନାହିଁ । ସେଥିପାଇଁ ତା’ର ଚିନ୍ତାରେ ଲୋକ ଦବିଯିବ କାହିଁକି ?’’

 

ଦିବ୍ୟସିଂହବାବୁ ନିଜର କାହାଣୀ କହୁଥିବା ଭିତରେ କୁମୁଦିନୀଙ୍କ ଆତ୍ମଚିନ୍ତା ଧୀରେ ଧୀରେ ଅପସରି ଯାଉଥାଏ । ସେ କ୍ରମଶଃ ଏକମନ ହୋଇ ଦିବ୍ୟସିଂହବାବୁଙ୍କ ଜୀବନ କଥା ଶୁଣିବାରେ ଲାଗିଲେ । ଅନୁକମ୍ପା, ସମ୍ମାନ ଓ ସେହିହେତୁ ସ୍ନେହ ସ୍ୱତଃ ଯେପରି କୁମୁଦିନୀଙ୍କ ହୃଦୟରୁ ଦିବ୍ୟସିଂହବାବୁଙ୍କ ଆଡ଼କୁ ବହି ଯାଉଥାଏ । କଥାପ୍ରସଙ୍ଗରେ ସେ ଲାଲମୋହନଙ୍କ ଜୀବନ ସମସ୍ୟା କଥା କହିଲେ । ସେ କଥା କୁମୁଦିନୀଙ୍କ ମନକୁ ଲାଗିଥିଲା । ତେଣୁ ଶେଷରେ ସେ ଧୀରେ ପଚାରିଲେ, ‘‘ଲାଲମୋହନବାବୁଙ୍କ ସମସ୍ୟା କ’ଣ ? ତାଙ୍କର ତ କିଛି ନଥିଲା ପରି ଜଣାପଡ଼େ ।’’ ଦିବ୍ୟସିଂହବାବୁ ହସି ଉଠି କହିଲେ, ‘‘ବିନା ସମସ୍ୟାରେ କାହାରି ଜୀବନ ଅଛି ?’’ କୁମୁଦିନୀ ଉତ୍ସୁକ ହୋଇ ପଚାରିଲେ, ‘‘କ’ଣ ସେ ସମସ୍ୟା । ବଡ଼ଲୋକଙ୍କ ବିଷୟ ଶୁଣିଲେ ମନ ଟିକିଏ ଆଶ୍ୱସ୍ତ ହୁଏ ।’’

 

ଦିବ୍ୟସିଂହବାବୁ ସଂକ୍ଷେପରେ କହିଲେ, ‘‘ଲାଲମୋହନବାବୁଙ୍କ ବିବାହିତ ଜୀବନରେ ଶାନ୍ତି ଆଦୌ ନାହିଁ । ସେଥିପାଇଁ ସେ ବଡ଼ ବ୍ୟସ୍ତ । ମାତ୍ର ନିଜକୁ ଖୁବ୍ ସମ୍ଭାଳି ସେ ଚାଲିଛନ୍ତି ।’’

 

ଏ କଥା ଶୁଣି କୁମୁଦିନୀ ଗମ୍ଭୀର ହୋଇଗଲେ । ତାଙ୍କ ମନ ଯେପରି ହଠାତ୍ କୁଆଡ଼େ ଚାଲିଗଲା । ଦିବ୍ୟସିଂହବାବୁ ଯେତେବେଳେ ପଚାରିଲେ, ‘‘ତୁମ ନିଜର କି ଦୁଃଖ ଏଥର କୁହ ?’’ ସେତେବେଳେ କୁମୁଦିନୀ ପ୍ରକୃତିସ୍ଥ ହୋଇଯାଇ ତଳକୁ ଚାହିଁ ଧୀରେ ଧୀରେ କହିଲେ, ‘‘ମୋ କଥା କହିବାପାଇଁ ପ୍ରଚୁର ମନ ବଳ ଦରକାର, ଯାହା ବର୍ତ୍ତମାନ ମୋର ନାହିଁ । ଦିନେ ମୁଁ ଆପଣଙ୍କୁ କହିବି । ସେ ଦିନ ଆପଣ ଏ ବାଳିବାକୁ ପାତକିନୀ ବୋଲି ଗୋଡ଼ରେ ଠେଲି ନ ଦେଇ ଆପଣଙ୍କ ବିଶାଳ ହୃଦୟରେ ଟିକିଏ ସ୍ଥାନ ଦେବେ ?’’ ଏତିକି କହୁ କହୁ କୁମୁଦିନୀଙ୍କ କଣ୍ଠ ରୁଦ୍ଧ ହୋଇଆସିଲା-

 

–୧୨–

 

ସେଦିନ ରାତିସାରା କୁମୁଦିନୀ ଶୋଇ ନାହାନ୍ତି । ଲାଲମୋହନବାବୁ ବିବାହିତ ଓ ତାଙ୍କ ବିବାହିତ ଜୀବନ ପୁଣି ସମସ୍ୟାପୂର୍ଣ୍ଣ । କାହିଁ ସେ କଥା ତ ସେ କେବେ ପ୍ରକାଶ କରି ନାହାନ୍ତି । ସିଧା ସିଧା ସେ କଥା ପଡ଼ି ନଥିଲେ ସୁଦ୍ଧା ସେ ତ ବରାବର ସୂଚନା ଦେଇଛନ୍ତି ଯେପରି ସେ ଅବିବାହିତ । ସେ ନିଜେ ମୋ ବୃତ୍ତାନ୍ତ ଶୁଣିବାପାଇଁ ଅନିଚ୍ଛୁକ । ସେହି ଅନିଚ୍ଛାଦ୍ୱାରାହିଁ ମୋତେ ତାଙ୍କ ଜୀବନବୃତ୍ତାନ୍ତ ଜାଣିବାପାଇଁ ବାଧା ଦେବାରେ ସେ ସଫଳକାମ ହୋଇଛନ୍ତି । ତାଙ୍କ ସଙ୍ଗରେ ପୁଣି ମୋର ବିବାହ ସୁନିଶ୍ଚିତ । ଏଠୁ ଗଲେ ସେ କାର୍ଯ୍ୟରେ ସମାଧାନ–ଜଣେ ସ୍ତ୍ରୀ ବଞ୍ଚି ଥାଉଁଥାଉଁ ପୁଣି ଦାରପରିଗ୍ରହ । ତା’ପରେ ଯଦି ତାଙ୍କ ସମସ୍ୟାର ସମାଧାନ ହୋଇଯାଏ, ତେବେ ମୋର ବା ସ୍ଥାନ କେଉଁଠି ? ସୁଖର ଜୀବନ ଭାବି ମୁଁ ଏତକ ଦୁଃଖର ବିରାଟ ଫାନ୍ଦ ଭିତରକୁ ମୁହିଁଛି । ଏହି ପ୍ରକାର ଚିନ୍ତାରେ ସେ ଅସ୍ଥିର । ମନଖୋଲି କାହାରିଠାରେ ସେ କଥା କହି ନଥିଲେ ମଧ୍ୟ ସେ ନିଜର ବିବାହିତ ଜୀବନର ଏକ ବିରାଟ ପରିକଳ୍ପନା ନିଜ ମନ ଭିତରେ ଗଢ଼ି ନେଇଥିଲେ । ଲାଲମୋହନବାବୁଙ୍କ ପରି ଜଣେ ଅଦ୍ୱିତୀୟ ଉତ୍ସାହୀ ଦେଶ ସେବକ ସହିତ ସେ ନିଜ ଜୀବନକୁ ଛନ୍ଦି ଦେଇ ନିଜର ସେବାର ଆଦର୍ଶ ଅକ୍ଷୁଣ୍ଣ ରଖିବା ସଙ୍ଗେ ସଙ୍ଗେ ଗାର୍ହସ୍ଥ୍ୟସୁଖ ମଧ୍ୟ ପୂରାପୂରି ଆସ୍ୱାଦନ କରିବେ ବୋଲି ସେ ଭାବି ନେଇଥିଲେ । ମାତ୍ର ସେ ସବୁ ଯେପରି ବାଲିଘର ପରି ଭୁଷୁଡ଼ି ପଡ଼ିଛି ।

 

କଲିକତା ଛାଡ଼ି ପୁରୀ ଆସିବା ଓ ସେଠାରେ ଏତେଦିନ ପଡ଼ି ରହିବା ଏସବୁ ଯେପରି କୁଆ ପାଟିରେ ଦାନ୍ତ ଖୋଜିବା ଭଳି ତାଙ୍କୁ ବୋଧହେଲା । ଏପାଖ ସେପାଖ ଛଟପଟ ହୋଇ ତାଙ୍କୁ ନିଦ ଲାଗୁ ନଥାଏ । ମନ ହେଉଥାଏ ସୁବିଧା ଥାଆନ୍ତା କି ସେ ତତ୍‌କ୍ଷଣାତ ଯାଇଁ ଲାଲମୋହନବାବୁଙ୍କୁ ଦୁଇ ଚାରି ପଦ କଡ଼ା କଥା ଶୁଣାଇ ଦେଇ ତାଙ୍କ ସହିତ ସମସ୍ତ ସମ୍ପର୍କ ଛିନ୍ନ ବିଚ୍ଛିନ୍ନ କରିଦିଅନ୍ତେ । ତା’ପରେ ଦିବ୍ୟସିଂହବାବୁଙ୍କଠାରେ ନିଜର ଯାହା କିଛି ସବୁ ସମର୍ପଣ କରି ଦେଇ ତାଙ୍କରି ଆଶାରେ ଜୀବନଟାକୁ କୌଣସି ପ୍ରକାରେ ସାଙ୍ଗ କରି ଦିଅନ୍ତେ । ଯେତିକି ସେ ଲାଲମୋହନଙ୍କୁ ଖରାପ ବୋଲି ଭାବୁଥାନ୍ତି, ସେତିକି ସେ ଦିବ୍ୟସିଂହବାବୁ ଭଲ ବୋଲି ତାଙ୍କୁ ବୋଧ ହେଉଥାଏ–କି ତ୍ୟାଗୀ ସେ ମହାପୁରୁଷ !!! ଦେଶର କାମପାଇଁ ପୁତ୍ର, ସ୍ତ୍ରୀ ଓ ମା’ ସବୁ ହରାଇଲେ । ଦରିଦ୍ରତାର ମସ୍ତକରେ ପଦାଘାତ କରି ସେ ତିଳେହେଲେ ନିଜର ସୁଖସ୍ୱାଚ୍ଛନ୍ଦ୍ୟ ବିଷୟ ନ ଭାବି ପରର ସେବାରେ ଆତ୍ମହରା । ଧନ୍ୟ ସେ ପୁରୁଷ, ଧନ୍ୟ ସେ ଦେଶ, ଯେଉଁଠି ଏ ପ୍ରକାର ସେବକ ଅଛନ୍ତି ! କି ଭାବରେ ଦିବ୍ୟସିଂହବାବୁଙ୍କ ଗୁଣକୁ କଳ୍ପନା କରିବେ ତାହା ସେ ଜାଣି ପାରି ନାହାନ୍ତି ।

 

ମନେମନେ ଭାବୁଥାଆନ୍ତି, ଆଉ ଅପେକ୍ଷା କାହିଁକି ? ଗଜା ଶାଳଗଛ ଝଡ଼ତୋଫାନରେ ଭାଙ୍ଗି ପଡ଼ିଥିଲା । ପୁଣି ତା’ରି ମୂଳରୁ ଯେଉଁ ନୂଆ ଗଜା ମୁଣ୍ଡ ଟେକି ବାହାରୁଥିଲା ସେ ଯେତେବେଳେ ମରିଯାଇଛି ସେତେବେଳେ ତାକୁ ଧରିରଖି ଲାଭ କ’ଣ ? ଦିବ୍ୟସିଂହବାବୁଙ୍କଠାରେ ନିଜକୁ ସଅଁପି ଦେଇ ତାଙ୍କ ସାଙ୍ଗରେ ଦେଶ ସେବାରେ ନିଜକୁ ଅର୍ପଣ କରି ଦେଲେ ତ ହୁଅନ୍ତା । ଏ ଚିନ୍ତା ସାଙ୍ଗେ ସାଙ୍ଗେ ତାଙ୍କ ମନକୁ ଉଠୁଥାଏ ଓଡ଼ିଶାକୁ ଯେପରି ସେ ଛାଡ଼ି ଦେଇଥିଲେ ସେହିପରି ପୁଣି ଛାଡ଼ି ଦେଇ ହିନ୍ଦୁସ୍ଥାନୀ ହିସାବରେ ବାହାରେ ଅନ୍ୟ କେଉଁଠି ସେହି ଦେଶର କାମ କଲେ ବା କ୍ଷତି କ’ଣ ? କାହିଁକି ସେ ନିଜକୁ ନିଜ ନିର୍ମିତ ଏକ ସୀମା ଭିତରକୁ ଆଣି ଆଶା ନିରାଶାର ଜୁଆର ଭଟ୍ଟା ଭିତରେ ହନ୍ତସନ୍ତ ହେଉଛନ୍ତି ? ମାତ୍ର ଏ ଚିନ୍ତା ବେଶି ଦୂର ଟେକୁ ନଥାଏ । ତା’ର କାରଣ ସେ ନିଜେ ଜାଣିପାରୁ ନଥାନ୍ତି । ମାତ୍ର ତାଙ୍କ ମନ ଯେପରି ଡାକୁଥାଏ ଏହି ଓଡ଼ିଶାରେ ସେ ନିଜ ଜୀବନକୁ କିଛି ହେଲେ ସେବା କାମରେ ଖଟାଇବେ । ନିଜେ ଓଡ଼ିଆଣୀ ବୋଲି ଭାବିଲାମାତ୍ରକେ ତାଙ୍କ ମନ ପୂରି ଉଠୁଥାଏ । ଯାହା ସେ ହିନ୍ଦୁସ୍ଥାନୀ ବୋଲି ଭାବିବାଦ୍ୱାରା ଅନୁଭବ କରିପାରୁ ନଥାନ୍ତି-। କ’ଣ କରିବେ ଏହି ପଞ୍ଚାକ୍ଷର ମନ୍ତ୍ର ଜପରେ ରାତି ପାହିଗଲା । ରାତି ଘଡ଼ିଏ ଥିଲା ଦିବ୍ୟସିଂହବାବୁ ଅଭ୍ୟାସ ଅନୁସାରେ ବିଛଣାରୁ ଉଠିଲେ । ସେ ତାଙ୍କ ନିତ୍ୟକର୍ମ ସାରି ଆସିବାବେଳକୁ କୁମୁଦିନୀ ମଧ୍ୟ ଉଠି ବସିଛନ୍ତି ।

 

ଦିବ୍ୟସିଂହବାବୁ ଜାଣିପାରିଛନ୍ତି ଯେ ରାତିସାରା ସେ ଛଟପଟ ହେଉଥିଲେ । ତେଣୁ ସେ ବୁଝାଇ କହିଲେ, ‘‘ତୁମ୍ଭେ ଶୁଣ ମୋର ଅଭ୍ୟାସ ମୁଁ ସକାଳୁ ଉଠେଁ । ତୁମେ ତ ରାତିସାରା ଶୋଇନାହଁ । ଏହି ପାହାନ୍ତିଆ ପବନରେ ଟିକିଏ ନିଦେଇ ଯାଅ ।’’ ଏତିକି କଥାରେ କେତେ ଯେ ସ୍ନେହର ସୂଚନା କୁମୁଦିନୀ ପାଇଲେ ସେହି ଏକା ତା’ ଜାଣନ୍ତି । ତାଙ୍କର ମନେ ହେଲା ସେ ଉଠିଯାଇ ଦିବ୍ୟସିଂହବାବୁଙ୍କ ଗୋଡ଼ ଧରି ପଡ଼ିଯାଇ ତାଙ୍କରିଠାରେ ନିଜକୁ ସଅଁପି ଦିଅନ୍ତେ । ମାତ୍ର ସେ ନିଜକୁ ସମ୍ଭାଳି ନେଲେ । ଲାଲମୋହନବାବୁଙ୍କ ସହିତ ଥରେ ସେ ସାକ୍ଷାତ କରିବେ ଓ ତାଙ୍କ ସହିତ ପରିଷ୍କାର କଥାବାର୍ତ୍ତା କରିବେ । ତା’ପରେ ଯାହା ହେବ । ଏ ଚିନ୍ତା ମନକୁ ଆସିବାମାତ୍ରକେ ତାଙ୍କ ମନ ସେହିପରି ଶାନ୍ତ ଅନୁଭବ କଲା, ଯେପରି ଗ୍ରୀଷ୍ମକାଳ ଧୂମ ଖରାବେଳେ ଦୂର ବାଟୋଇ ଥଣ୍ଡା ପାଣି ମନ୍ଦେ ପିଇ ଅନୁଭବ କରେ । ମନ ଶାନ୍ତ ହୋଇଯିବାରୁ ନିଦ କୁଆଡ଼େ ଛକି ବସିଥିଲା କେତେବେଳେ ଆସି ତାଙ୍କୁ ଘାରିଗଲା । ତାଙ୍କୁ ଶୋଇଥିବାର ଦେଖି ସେ ଘରେ ଖଟ୍‍ଖାଟ୍ କିଛି ଶବ୍ଦ ନହୁଏ ସେଥିପାଇଁ ଦିବ୍ୟସିଂହବାବୁ ବାହାରକୁ ଚାଲିଯାଇ ସେଇଠ ତାଙ୍କର ପୂଜାପାଠ ସୂତାକଟା ଇତ୍ୟାଦି କଲେ ।

 

କୁମୁଦିନୀ ଉଠିଲାବେଳକୁ ଖରା ଆସି ଯାଇଥିଲା । ତାଙ୍କୁ ବଡ଼ ସଙ୍କୋଚ ବୋଧ ହେଲା–ବିଶେଷତଃ ଯେତେବେଳେ ସେ ଦେଖିଲେ ଯେ ଦିବ୍ୟସିଂହବାବୁ ବାହାରେ ଟିକିଏ ଦୂରରେ ଅନେକ ଗ୍ରାମବାସୀଙ୍କ ସହିତ କଥାବାର୍ତ୍ତା କରୁଛନ୍ତି । ତରତର ହୋଇ ଉଠି ସଂକୋଚକୁ ଚାପିବାପାଇଁ ସେ ଯାଇ ଦିବ୍ୟସିଂହବାବୁକୁ କହିଲେ, ‘‘ଆଜି ଗାଁକୁ ଯିବେ ପରା, ଚାଲନ୍ତୁ ।’’

 

ଦିବ୍ୟସିଂହବାବୁ ଟିକିଏ ହସି କହିଲେ, ‘‘ତୁମେ କାମସାରି କିଛି ଟିକିଏ ଖାଅ, ଯିବା–ଏତେ ତରତର କାହିଁକି ?’’

 

କୁମୁଦିନୀ ଜିଦ୍ କରି କହିଲେ, ‘‘ମୁଁ ସକାଳେ କିଛି ଖାଏ ନାହିଁ । ମୋର ଆଉ କି କାମ, ମୁଁ ବର୍ତ୍ତମାନ ପ୍ରସ୍ତୁତ ।’’

 

ଦିବ୍ୟସିଂହବାବୁ ହସି ଦେଇ ମୁଣ୍ଡ ହଲାଇ କହିଲେ, ‘‘ମୋର ଯିବାର ଟିକିଏ ଡେରି ଅଛି-।’’

 

କୁମୁଦିନୀ ପରାସ୍ତ ହୋଇ ଗଲାପରି କିଛି ନ କହି ଚୁପ୍ ହୋଇ ଛିଡ଼ା ହେଲେ । ଦିବ୍ୟସିଂହବାବୁ ଦାନ୍ତକାଠି ପାଣି ଦେବାକୁ ଜଣକୁ ବରାଦ କଲେ । ଏଥିରେ କୁମୁଦିନୀଙ୍କୁ ଆହୁରି ସଂକୋଚ ବୋଧ ହେଲା । ସବୁ ସଂକୋଚ ଭିତରେ ସେ ନିତ୍ୟକର୍ମ ଶେଷ କଲେ; ଦିବ୍ୟସିଂହବାବୁଙ୍କ ଅନୁରୋଧ ଯୋଗେ କିଛି ମଧ୍ୟ ଖାଇଲେ । ତା’ପରେ ଦୁହେଁ ଗାଁ ଭିତରକୁ ଗଲେ-

 

–୧୩–

 

ଦୁଇଆଡ଼ ମଇଳା ଗନ୍ଧ ନାକ ଭିତରେ ପଶିଯାଉଛି । ସ୍ଥାନେ ସ୍ଥାନେ ଅଣଓସାରିଆ ବାଟ ଉପରେ ମଧ୍ୟ ମଇଳା ଆଖିରେ ପଡ଼ିଯାଉଛି । କୁମୁଦିନୀଙ୍କୁ ଏ ସବୁ ବଡ଼ ଅଡ଼ୁଆ ଲାଗୁଥାଏ । ସେ ଦୁଇ ଆଡ଼କୁ ଚାହିଁ ପଛରୁ ଥାଇ ଦିବ୍ୟସିଂହବାବୁଙ୍କୁ କହିଲେ, ‘‘ଏହି ବାଡ଼ଗୁଡ଼ିକରେ ଭଲ ଭଲ ଗଛ ଲଗାଇଥିଲେ କେଡ଼େ ସୁନ୍ଦର ଦିଶୁ ନଥାନ୍ତା ? ଭଲ ଫୁଲ ଫୁଟିଥାନ୍ତା !’’ ଦିବ୍ୟସିଂହବାବୁ କିଛି ନ କହି ଗମ୍ଭୀର ଭାବରେ ‘ହୁଁ’ଟିଏ ମାରିଲେ । କିଛିକ୍ଷଣ ପରେ କହିଲେ, ‘‘ଦରିଦ୍ରର ଦୋଷଗୁଣ ରାଶିରାଶି ।’’ ଯାଉଁ ଯାଉଁ ବାଟରେ ଜଣକ ଘର ଦେଖାଗଲା । ଦିବ୍ୟସିଂହବାବୁ କହିଲେ, ‘‘ଏଇଠିକି ଯିବା ।’’ ଦୁହେଁଯାକ ସେ ଘରଦୁଆରେ ଯାଇ ପହଞ୍ଚିଲେ । ଘର ବୋଲି ତାକୁ କହିବା ଶବ୍ଦର ଅପବ୍ୟବହାର ମାତ୍ର । ବୋଧହୁଏ ଦୁଇବର୍ଷ ହେଲା ଛାଉଣୀ ହୋଇ ନାହିଁ । ପଟେ କାନ୍ଥରେ ବର୍ଷାପାଣି ବହି, କାନ୍ଦିଲା ମୁହଁରେ କଜଳ ବହିଗଲା ପରି ଦେଖାଯାଉଛି–ପିଣ୍ଡା ଠାଏଠାଏ ଖସିପଡ଼ିଛି । ସେହି ପିଣ୍ଡା ଉପରେ ବସି ପଡ଼ି ପାଟିକରି ଡାକ ମାଇଲେ, ‘‘ଘରେ କରିବେ କ’ଣ ?’’ ଏହି ସମୟ ଭିତରେ କୁଆଁ କୁଆଁ ଶବ୍ଦ ଭିତରୁ ଶୁଭିଲା । ଦିବ୍ୟସିଂହବାବୁ ଅତି ପରିଚିତ ଲୋକ ଭଳି ପଚାରିଲେ, ‘କିଲୋ ପିଲାଟିଏ ହୋଇଛି କି ?’ ଭିତରୁ ଉତ୍ତର ଆସିଲା ଅସ୍ପଷ୍ଟ ଭାବରେ ‘ହଁ’ । ଦିବ୍ୟସିଂହବାବୁ ଘର ଭିତରକୁ ଯାଇ ପିଲାକୁ ଦେଖିଲେ । ସେତିକିରେ ସନ୍ତୁଷ୍ଟ ନ ହୋଇ କୁମୁଦିନୀଙ୍କୁ ଦେଖିବାକୁ ଡାକିଲେ । ଘରର ସ୍ତ୍ରୀଟି ଦିବ୍ୟସିଂହବାବୁଙ୍କୁ ଲାଜ କରୁ ନାହିଁ; କିନ୍ତୁ କୁମୁଦିନୀଙ୍କି ଅପରିଚିତ ହୋଇଥିବାରୁ ଲାଜ କରୁଛି । ଦିବ୍ୟସିଂହବାବୁ ମୁରବି ସ୍ୱରରେ କହିଲେ, ‘‘ମୁଁ ତ ମରଦପୁଅ ମୋତେ ଲାଜ କରୁନାହୁଁ, ମାଇକିନିଆଟାକୁ ଲାଜ କାହିଁକି କରୁଛୁ ?’’

 

ଏକ ଅନ୍ଧକାର କୋଠରୀ, ଗୋଟିଏ ଛୋଟ ଦରଜା ବାଟେ ବହୁ କଷ୍ଟରେ ସୂର୍ଯ୍ୟାଲୋକ କେଜାଣେ କେତେ ସ୍ଥାନରେ ପ୍ରତିଫଳିତ ହୋଇ ଶେଷରେ ସେ କୋଠରୀ ଭିତରକୁ ଟିକିଏ ଟିକିଏ ଯାଉଛି । ହଠାତ୍ ଭିତରକୁ ଚାଲିଗଲେ ଅନଭ୍ୟସ୍ତ ଆଖିକୁ ସବୁ ଅନ୍ଧାର ଦେଖାଯିବ । କେଉଁଠି ଶିଶୁଟି କଇଁକଇଁ ହୋଇ କାନ୍ଦୁଛି ? ଦିବ୍ୟସିଂହବାବୁ ଓ କୁମୁଦିନୀ ତା’ ଭିତରକୁ ଗଲେ । କୁମୁଦିନୀ କିଛିକ୍ଷଣ ରହି ଆଉ ଛିଡ଼ା ହୋଇ ପାରିଲେ ନାହିଁ । କିଛି ତାଙ୍କୁ ଦେଖା ଯାଉ ନାହିଁ । ଖାଲି ଦୁର୍ଗନ୍ଧମୟ ସେ କୋଠରୀ । ସେ ବାହାରକୁ ଆସି ସ୍ତ୍ରୀଲୋକଟିକୁ କହିଲେ, ‘ପିଲାକୁ ବାହାରକୁ ଆଣ-।’ ଦିବ୍ୟସିଂହବାବୁ ମଧ୍ୟ ବାହାରକୁ ଚାଲିଆସି ପିଲାକୁ ଆଣିବାକୁ କହିଲେ । ଘର ଭିତରକୁ ଯାଇ ଅତି ମଇଳା ଛିଣ୍ଡା କନା ସମେତ ଶିଶୁଟିକୁ କୋଳରେ ଧରି ମା’ ବାହାରକୁ ଆସି ଛିଡ଼ା ହେଲା-। ମା’ କୋଡ଼ରେ ଅତି ଉଚ୍ଚାଟ ହୋଇ ପିଲାଟି କାନ୍ଦୁଛି ।

 

କୁମୁଦିନୀ ପଚାରିଲେ, ‘ୟାକୁ କ’ଣ ଖାଇବାକୁ ଦିଆଯାଏ ।’ ଦିବ୍ୟସିଂହବାବୁ ମଧ୍ୟ ସେହି ଶୁଶୁର ମୁଣ୍ଡ ଉପରେ ହାତ ଥୋଇ ମୁହଁ ଟିକିଏ ପୋଛି ଦେଇ ମାଆକୁ ପ୍ରଶ୍ନ ପଚାରିଲେ । ସେ ଧୀରେ ଧୀରେ କହିଲା, ‘‘ଗଣ୍ଡିଏ ଚାଉଳ ଆଠଦିନ ହେଲା ମାଗି ଆଣିଥିଲି, ତାକୁ ଫୁଟାଇ ପାଣି ଟିକିଏ ଟିକିଏ ଦେଉଛି ।’’

 

କୁମୁଦିନୀ ଲକ୍ଷ୍ୟ କରି ଦେଖିଲେ ଯେ ମାଆର ସ୍ତନ ଅତି ଶୁଷ୍କ । ତେଣୁ ଶିଶୁଟି ସେଥିରୁ କମ୍ କ୍ଷୀର ପାଉଥିବ । ଅତି ଦୁଃଖରେ ଦୀର୍ଘ ନିଃଶ୍ୱାସଟିଏ ପକାଇଲେ । ସେ ଦୃଶ୍ୟ ସହ୍ୟ କରି ପାରିଲେ ନାହିଁ ବାହାରକୁ ଚାଲି ଆସିଲେ । ଦିବ୍ୟସିଂହବାବୁ ସେହି ସ୍ତ୍ରୀଲୋକକୁ ଗୋଟିଏ ଟଙ୍କା ଦେଇ କହିଲେ, ‘ରାମା ଆସିଲେ କହିବୁ ମୁଁ ଆସିଥିଲି, ଏଥିରେ ଏ ପିଲାକୁ ଖୁଆଇବୁ, ବୁଝିଲୁ ?’ ସେ ସ୍ତ୍ରୀଲୋକଟି ଟଙ୍କାଟି ରଖି ଧୀରେ ଧୀରେ ପଚାରିଲା, ‘‘ପୁଣି କେବେ ଆସିବ ?’’–‘‘ଠିକଣା ନାହିଁ, ପୁଣି ଆସିଲେ କିଛି ଦେବି ।’’

 

ବାହାରକୁ ଚାଲି ଆସି କୁମୁଦିନୀ ସେଠୁ ଚାଲିଯିବାକୁ ବ୍ୟଗ୍ର ଭାବ ପ୍ରକାଶ କଲେ । ଦିବ୍ୟସିଂହବାବୁ ମଧ୍ୟ ଆସିଲେ । ବାଟରେ କୁମୁଦିନୀ ଚିନ୍ତାକୁଳ ହୋଇ ପଚାରିଲେ, ‘‘ଏତେ ଗରିବ, ଏଥିରେ ବିବାହ ହୁଅନ୍ତି କାହିଁକି ? ସନ୍ତାନ ଜନ୍ମ କରି ଦରିଦ୍ରତାକୁ ପ୍ରଶ୍ରୟ ଦିଅନ୍ତି ବା କାହିଁକି ?’’

 

ଦିବ୍ୟସିଂହବାବୁ ଟିକିଏ ହସି କହିଲେ, ‘‘ସେ ହେଉଛି ଦେଶର ଆଉ ଏକ ସମସ୍ୟା ।’’

 

ଟିକିଏ ଆଗକୁ ଯାଇ ଆଉ ଗୋଟିଏ ଘର ଭେଟିଲେ । ସେ ଘରଟି ଅପେକ୍ଷାକୃତ ଭଲ ଦେଖାଯାଉଛି । ବାହାର ପିଣ୍ଡାରେ ଘରର ମାଲିକ ବସିଛନ୍ତି । ଦିବ୍ୟସିଂହବାବୁ ଦୂରରୁ ‘ମହାପାତ୍ରେ, ନମସ୍କାର,’ ବୋଲି କହି ସେ ଦୁଆରକୁ ଗଲେ । କୁମୁଦିନୀ ମଧ୍ୟ ସାଙ୍ଗରେ ଗଲେ । ଏମାନଙ୍କୁ ବସିବାପାଇଁ କହିବା କର୍ତ୍ତବ୍ୟ ବୋଲି ମହାପାତ୍ରଙ୍କୁ ଜଣାନାହିଁ । ସେ ଥରେ ଦୁଇଥର କୁମୁଦିନୀଙ୍କ ମୁହଁକୁ ଚାହିଁ ଦେଇ ଦିବ୍ୟସିଂହବାବୁଙ୍କୁ ପଚାରିଲେ, ‘‘ଆପଣ କେବେ ଆସିଥିଲେ ?’’ ଦିବ୍ୟସିଂହବାବୁ ଆପେଆପେ ପିଣ୍ଡାରେ ବସି କହିଲେ, ‘‘ବାଃ, ଆପଣ ତ ଖୁବ୍ ଆମ ଖବର ବୁଝୁଛନ୍ତି । ଆମେ କାଲିଠାରୁ ଆସି ଆପଣଙ୍କ ଗ୍ରାମରେ ଅଛୁପରା ।’’ ମହାପାତ୍ରେ ହସି ହସି ପଚାରିଲେ, ‘‘ଏଥର କିଛି ଚାଉଳ ବଣ୍ଟା ହେବ, ନା କ’ଣ ?’’ ଦିବ୍ୟସିଂହବାବୁ ମୁଣ୍ଡ ହଲାଇ କହିଲେ, ‘‘କିପରି ହେବ ? ବଡ଼ଲୋକେ ଦାନ କଲେ ସିନା ହେବ ।’’ ମହାପାତ୍ରେ ମୁହଁ ଶୁଖାଇ କହିଲେ, ‘‘କିଛି ନ ଦେଲେ ତ ଏ ଲୋକ ମରିଯିବେ । ଏବର୍ଷ ଧାନ ଆଦୌ ମିଳିଲା ନାହିଁ ।’’

 

ଦିବ୍ୟସିଂହବାବୁ ପଚାରିଲେ, ‘‘ଆପଣଙ୍କ ଧାନ ସବୁ ଅସୁଲ ହୋଇଯାଇଛି ତ ?’’

 

ମହାପାତ୍ରେ ଦୁଃଖରେ କହିଲେ, ‘‘ହଁ, ସବୁ ହୋଇଛି କାହିଁ ?’’ ଦିବ୍ୟସିଂହବାବୁ କୁମୁଦିନୀଙ୍କ ଆଡ଼କୁ ଚାହିଁ ଦେଇ ତାଙ୍କ ପରବର୍ତ୍ତୀ ପ୍ରଶ୍ନ ଓ ଉତ୍ତରକୁ ମନ ଦେଇ ଶୁଣିବାକୁ ଇଙ୍ଗିତ କଲେ ।

 

ଦିବ୍ୟସିଂହବାବୁ–‘‘ରାମା ତା’ର ଯେତିକି ଦେଣା ସବୁ ଦେଇ ଦେଇଛି ତ ?’’

 

ରାମା ନା ଶୁଣି ମହାପାତ୍ରେ ତେଜି ଉଠି ବିରକ୍ତ ସ୍ୱରରେ କହିଲେ, ‘‘ସେଟା ଦୁଆଳିଆ, ଏଥରକ ଯାହା ଧାନ ଥିଲା ତାକୁ ରାତାରାତି ଆଣି ଲୁଚାଇ ଖାଇଦେଲା । ଏଣେ ମୋ ଧାନ ବାକି ପଡ଼ିଛି । ମୁଁ ଯେତେ ବୁଝାଉଛି, ଯାହା କିଛି ଧୀରେ ଧୀରେ ମୋତେ ଦିଅ, ତୁମ ଘରେ ଥିଲେ ତୁମେ ଖାଇଦେବ, ମୋ ଘରେ ଥିଲେ ତ କାମେ ଆସିବ ।’’

 

ଦିବ୍ୟସିଂହବାବୁ ଖୁବ୍ ଜୋରରେ ଅନେକ ବେଳଯାଏ ହସିଲେ । ହସ ଯୋଗେ ସେ କହିବାକୁ ଯାଇ କହିପାରୁ ନଥାନ୍ତି । ତା’ପରେ ସେ ମହାପାତ୍ରଙ୍କୁ କହିଲେ, ‘‘ଆପଣଙ୍କ ଘରେ ଥିଲେ କାମେ ଆସିବ ଅର୍ଥାତ୍ ଉପାସେ ରହିଲେ ସେମାନେ ନେଇ ଖାଇବେ, ବିଲରୁ ଆଣି ତ ସେଇଆ କଲେ–ଆପଣ କ’ଣ କହୁଛନ୍ତି, ମହାପାତ୍ରେ ?’’

 

ମହାପାତ୍ରେ ଟିକିଏ ଅପଦସ୍ତ ହୋଇ ଗଲାପରି ହୋଇଗଲେ–ତା’ପରେ ଗମ୍ଭୀର ହୋଇଯାଇ କହିଲେ, ‘‘କେବେ ଯିବେ ?’’ ଦିବ୍ୟସିଂହବାବୁ କହିଲେ, ‘‘ମୁଁ ଅତି ଶୀଘ୍ର ଯିବି, ମୋ ସାଙ୍ଗରେ ଏ ଭଦ୍ରମହିଳା ଅଛନ୍ତି, ତେଣୁ ଶୀଘ୍ର ଯିବି ।’’

 

ତା’ପରେ ମହାପାତ୍ରେ ନମସ୍କାର କରି ତାଙ୍କୁ ବିଦାୟ ନେବାପାଇଁ ଇଙ୍ଗିତ କଲେ । ଦିବ୍ୟସିଂହବାବୁ ଓ କୁମୁଦିନୀ ଚାଲି ଆସିଲେ । ବାଟରେ ଦିବ୍ୟସିଂହବାବୁ କହିଲେ, ‘‘ଏ ହେଉଛି ଏ ଗାଁ ମହାଜନ । କିଛି ବେଶି ରଖିଛି ତାହା ନୁହେଁ; ମାତ୍ର ନଥିଲା ସ୍ଥଳେ ଜଣେ ବଡ଼ଲୋକ ବୋଲାଉଛି-।’’ କୁମୁଦିନୀ ଗମ୍ଭୀରଭାବେ କହିଲେ, ‘‘ଲୋକଟା ବଡ଼ ଅତ୍ୟାଚାରୀ । ସେ ରାମାଠୁ ମଧ୍ୟ ଧାନ ନେବାକୁ ବସିଥିଲା ?’’

 

ଦିବ୍ୟସିଂହବାବୁ ଗମ୍ଭୀରଭାବରେ କହିଲେ, ‘‘ପ୍ରଥମ ବିଚାରରେ ତାଙ୍କୁ ଅତ୍ୟାଚାରୀ କୁହାଯାଇପାରେ; ମାତ୍ର ଏ ଯେ ଦରିଦ୍ରତାର ଧ୍ୱଂସଲୀଳା ଚାଲିଛି ସେଥିରେ ସମସ୍ତେ ତ କାମୁଡ଼ି ହୋଇ ପ୍ରତ୍ୟେକଙ୍କୁ ଖାଇଯିବାକୁ ବସିଛନ୍ତି ।’’

 

–‘‘ମୁଁ ଜାଣେ ମହାପାତ୍ରଙ୍କ ଅବସ୍ଥା, ତାଙ୍କର ବର୍ଷକ ଚଳୁଛି, କାରଣ ସେ ଅତ୍ୟାଚାରୀ ବୋଲି । ସେ ଅତ୍ୟାଚାର ବନ୍ଦ କଲେ ସେ ମଧ୍ୟ ଉପାସେ ରହିଯିବେ । ଏ ସବୁର ସମୂହ ପ୍ରତିକାର ନହେଲେ ରକ୍ଷାନାହିଁ ।’’ ନାନା ପ୍ରଶ୍ନ କୁମୁଦିନୀଙ୍କ ମନକୁ ଉଠୁଥିଲା । କିନ୍ତୁ ସେ ଅନ୍ୟ ଚିନ୍ତାରେ ମଗ୍ନ ଥିବାରୁ କିଛି କହିଲେ ନାହିଁ । ତାହାପରେ ଆହୁରି ଅନେକଙ୍କ ଘରକୁ ଯାଇ କାହାକୁ ଟଙ୍କାଏ, କାହାକୁ ଦୁଇଟଙ୍କା, କାହାକୁ ବା ଆଠଅଣା, ଏହିପରି ବିତରଣ କରି ପୁରୀରେ ସଂଗୃହୀତ ହୋଇଥିବା ଟ୨୫ଙ୍କା ଯାକ ଖର୍ଚ୍ଚ କରିଦେଇ ଦିବ୍ୟସିଂହବାବୁ ଫେରିଲେ । କୁମୁଦିନୀ ବିସ୍ମିତ ହୋଇଗଲେ ଯେ, ଦିବ୍ୟସିଂହବାବୁ ଓ ଲାଲମୋହନବାବୁଙ୍କ ପରି ଲୋକ ଦିନସାରା ବୁଲି ମୋଟେ ଟ୨୫ ମାତ୍ର ଅନାହାରୀଙ୍କ ସାହାଯ୍ୟ ସକାଶେ ସଂଗ୍ରହ କରି ପାରିଲେ । ସେ ଏ ବିଷୟରେ ଦିବ୍ୟସିଂହବାବୁଙ୍କୁ ପଚାରିଲେ । ଦିବ୍ୟସିଂହବାବୁ ଦୁଃଖରେ କହିଲେ, ‘‘ସେହି ତ ଦେଶର ଅବସ୍ଥା ।’’ କୁମୁଦିନୀ ଚିନ୍ତିତ ହୋଇ ପଚାରିଲେ, ‘‘ଏ ଦୁର୍ଭିକ୍ଷପାଇଁ କ’ଣ ପ୍ରତିକାର ହେବ ?’’ ଦିବ୍ୟସିଂହବାବୁ ପ୍ରସନ୍ନ ଭାବରେ କହିଲେ, ‘‘ଯେତିକି ମୋଦ୍ୱାରା ସମ୍ଭବ ମୁଁ ସେତିକି କରୁଛି । କରିବି କ’ଣ ? ଚାରିଆଡ଼େ ବଡ଼ବଡ଼ ସମସ୍ୟାମାନ ଓ ସେ ସବୁ ପରସ୍ପର ସହିତ ଏପରି ଛନ୍ଦାଛନ୍ଦି ଯେ, ସେଥିରୁ ଉଧୁରିବା ବାଟ ହେଉଛି, ଯେ ଯେତିକି ପାରୁଛି ସେ ସେତିକି ତା’ର ରୁଚି ଅନୁସାରେ କରୁଥାଉ । ଅନ୍ୟଥା ଲୋକ ପାଗଳ ହୋଇଯିବ ।’’

 

କୁମୁଦିନୀ କିଛି ସମୟ ନୀରବ ରହି ଧୀରେ ଧୀରେ କହିଲେ, ‘‘ସେ ଶିଶୁଟି ମା’ କୋଳରେ ଥାଇ କୁଆଁ କୁଆଁ ହୋଇ କାନ୍ଦୁଥିଲା । ତା’ ବର୍ତ୍ତମାନ ସୁଦ୍ଧା ମୋ ଆଖି ଆଗରେ ନାଚୁଛି । ମାଆର ଆଖି ସନ୍ତାନ ଉପରେ ପଡ଼ି ଛଳଛଳ ହୋଇ ଯାଉଥାଏ । ଦରିଦ୍ରତାର ଜ୍ୱାଳାରେ କେତେବେଳେ ହୁଏତ ଭାବୁଥିବ ପିଲାଟି ମରିଯାଆନ୍ତା କି ?’’ ଏତିକି କହୁ କହୁ କୁମୁଦିନୀଙ୍କ ଆଖି ଛଳଛଳ ହୋଇଆସିଲା । ଦିବ୍ୟସିଂହବାବୁ ସେ କଥାକୁ ଭୁଲେଇ ଦେବାପାଇଁ ଚେଷ୍ଟାକଲେ; ମାତ୍ର ପାରିଲେ ନାହିଁ । କୁମୁଦିନୀ ନିଜକୁ ଯେତେ ସଂଯତ କଲେ ମଧ୍ୟ ଲୁହ ତାଙ୍କୁ ମାନିଲା ନାହିଁ । ଶେଷରେ ସେ ଆଖି ଖୋସିଦେଇ ନିଜ ପାଖରେ ଥିବା ପାଞ୍ଚଟି ଟଙ୍କା ଦିବ୍ୟସିଂହବାବୁଙ୍କୁ ଦେଇ କହିଲେ, ‘‘ୟାକୁ ସେହି ଶିଶୁ ଓ ତା’ ମାଆର ପୋଷଣପାଇଁ ଦିଅନ୍ତୁ ।’’ ଦିବ୍ୟସିଂହବାବୁ ଟଙ୍କାଯାକ ନେଇ ଅତି ଖୁସି ହୋଇ ସାଙ୍ଗେ ସାଙ୍ଗେ ରାମାକୁ ଡକାଇ ସେ ଟଙ୍କା ଦେଇଦେଲେ ।

 

ଭାବପ୍ରବଣ କୁମୁଦିନୀକୁ ନେଇ ବେଶିଦିନ ଗାଁରେ ରହିବା ଦିବ୍ୟସିଂହବାବୁଙ୍କୁ ଅଡ଼ୁଆ ଲାଗିଲା । ତେଣୁ ତାଙ୍କ କାମ ଶୀଘ୍ର ଶେଷକରି ସେ ତହିଁ ଆରଦିନ ସେଠାରୁ ବାହାରିଲେ ।

 

–୧୪–

 

ଯିବାବେଳୁକୁ ଯେପରି, ଆସିଲାବେଳକୁ ସେହିପରି ବାଟସାରା କିଛିଦୂର ଚାଲି, ପୁଣି କିଛିକ୍ଷଣ ବସି କୌଣସି ପ୍ରକାରେ କୁମୁଦିନୀ ଦିବ୍ୟସିଂହବାବୁଙ୍କ ସହିତ ଆସି ସାକ୍ଷୀଗୋପାଳରେ ପହଞ୍ଚିଲେ । ପୁରୀ ଆଡ଼କୁ ଗାଡ଼ି ଯିବାବେଳ ଥାଏ । ମାତ୍ର ପୁରୀରୁ ଯେ ଗାଡ଼ି ଆସେ, ସେ ବାହାରି ଯାଇଛି । ଦିବ୍ୟସିଂହବାବୁ ତରତରରେ କୁମୁଦିନୀକୁ କହିଲେ, ‘‘ଏଠି କିଛି ଖାଇଦିଅ, ଏହି ଗାଡ଼ିରେ ଚାଲିଯିବ ।’’

 

କୁମୁଦିନୀ ବିମର୍ଷ ହୋଇ ପଚାରିଲେ, ‘‘ଆପଣ ?’’

 

ଦିବ୍ୟସିଂହବାବୁ କହିଲେ, ‘‘ମୁଁ ତ ଭଦ୍ରଖ ଫେରିଯିବି, ଆଶ୍ରମକୁ ?’’

 

କୁମୁଦିନୀ ଟିକିଏ ଚମକି ପଡ଼ିଲା ପରି ହେଲେ । କିଛିକ୍ଷଣ ଚୁପ୍ ରହି କହିଲେ, ‘‘ଆପଣ ଯିବା ପର୍ଯ୍ୟନ୍ତ ମୁଁ ଆପଣଙ୍କ ସାଙ୍ଗରେ ରହିବି ।’’

 

ଆଉ କିଛି ନ କହି ଦିବ୍ୟସିଂହବାବୁ ଧର୍ମଶାଳାକୁ ଗଲେ । ଗୋଟିଏ କୋଠରୀରେ ଲୁଗାପଟା ରଖିଦେଇ କୁମୁଦିନୀକୁ ବିଶ୍ରାମ କରିବାକୁ କହି ଦିବ୍ୟସିଂହବାବୁ ବାହାରକୁ ଚାଲିଗଲେ । ଇତିମଧ୍ୟରେ ପଣ୍ଡା ଜଣେ ଆସି କୁମୁଦିନୀଙ୍କ ବେଶଭୂଷାରୁ ତାଙ୍କୁ ହିନ୍ଦୁସ୍ଥାନୀ ଭାବି ଯାତ୍ରୀ ଲୋଭରେ ତାଙ୍କୁ ପ୍ରଶ୍ନ ଉପରେ ପ୍ରଶ୍ନ କରିବାକୁ ଲାଗିଲା । କୁମୁଦିନୀ ହିନ୍ଦୀରେ ତା’ ସହିତ ଅତି କୌତୁକରେ କଥାବାର୍ତ୍ତା କରୁଥାଆନ୍ତି । ମଝିରେ ପଣ୍ଡା ପଚାରିଲା, ‘‘ତୁମେ ଏକା ଆସିଛ, ନା ତୁମ ସ୍ୱାମୀ ସଙ୍ଗରେ ଅଛନ୍ତି ।’’

 

କୁମୁଦିନୀ ପରିହାସରେ କହିଲେ, ‘‘ମୋ ସ୍ୱାମୀ ସଙ୍ଗରେ ଅଛନ୍ତି ।’’

 

ତା’ପରେ ପଣ୍ଡା ସାକ୍ଷୀଗୋପାଳଙ୍କ ମହାତ୍ମ୍ୟ ବର୍ଣ୍ଣନା କରି କୁମୁଦିନୀଙ୍କୁ ପୁତ୍ରଲାଭର ପ୍ରଲୋଭନ ଦେଖାଇବାରେ ଲାଗିଲା ।

 

କୁମୁଦିନୀ ସବୁ ଶୁଣୁ ଥାଆନ୍ତି । ଅବଶ୍ୟ ଅର୍ଥଲୋଭରେ ପଣ୍ଡା ପୁତ୍ର ପ୍ରାପ୍ତିର ଶୁଭେଚ୍ଛା ଜ୍ଞାପନ କରିଥିଲା । କୁମୁଦିନୀ ମଧ୍ୟ ପରିହାସରେ ଏତେବେଳ ପର୍ଯ୍ୟନ୍ତ ସବୁ କଥାବାର୍ତ୍ତା ଚଳାଇଥିଲେ । ମାତ୍ର ସନ୍ତାନର ଜନନୀ ହେବାର ଆଶୀର୍ବାଦ ତାଙ୍କୁ ବଡ଼ ବିଚଳିତ କରିଦେଲା । ହଠାତ୍ ତାଙ୍କ ମୁହଁ ଗମ୍ଭୀର ହୋଇଗଲା–ଆଖି ଚିନ୍ତାକୁଳ ହୋଇଗଲା । ଚତୁର ପଣ୍ଡା ମଧ୍ୟ ତାଙ୍କ ମୁହଁରୁ କ’ଣ ବୁଝି ସେହିକଥାକୁ ବାରମ୍ବାର କହିବାରେ ଲାଗିଲା । କୁମୁଦିନୀ ନୀରବ ହୋଇ ଶୁଣି ଶୁଣି ଶେଷରେ ଲୁଗାକାନି ଦେଇ ମୁହଁକୁ କୋଳରେ ଜାକି ଦେଲେ । ଅଜଣା ଭାବରେ କେତେ ବିନ୍ଦୁ ଅଶ୍ରୁ ମଧ୍ୟ ବୋହି ପଡ଼ିଲା । ଇତିମଧ୍ୟରେ ଦିବ୍ୟସିଂହବାବୁ ଆସି ଏ ଦୃଶ୍ୟ ଦେଖି ବିରକ୍ତ ହେବାରୁ ପଣ୍ଡା ବୁଝିଲା ଯେ, ଏମାନେ ଯାତ୍ରୀ ନୁହନ୍ତି । ସେ ଚାଲିଗଲା ।

 

କୁମୁଦିନୀ ଅନାଇବାମାତ୍ରକେ ଦିବ୍ୟସିଂହବାବୁ ତାଙ୍କର ଆରକ୍ତ ଆଖିରୁ ଜାଣିପାରିଲେ ଯେ, ନିର୍ଗତ ଅଶ୍ରୁ ତା’ର ଚିହ୍ନ ରଖିଦେଇ ଯାଇଛି । ସେ ବ୍ୟସ୍ତହୋଇ ପଚାରିଲେ, ‘‘କ’ଣ ? ପଣ୍ଡା ସାଙ୍ଗରେ କଥା ହେଲା କି ? ଏମାନେ ଏଡ଼େ ମୂର୍ଖ; ଯାହାକୁ ପାରୁ ତାକୁ ଅତି ବ୍ୟସ୍ତ କରିପକାନ୍ତି ?’’ କୁମୁଦିନୀ ନିଜ ଓଠ ଉପରେ ବଳାତ୍କାର ଈଷତ୍ ହାସ୍ୟର ଏକ ରେଖା ଟାଣି କହିଲେ, ‘‘ନା କିଛି ନୁହେଁ । ପଣ୍ଡା ପଚାରିଲେ, ‘‘ତୁମେ ଏକା ଆସିଛ, ନା ତୁମ ସ୍ୱାମୀ ସଙ୍ଗରେ ଅଛନ୍ତି ।’’ ମୁଁ କହିଲି, ‘‘ମୋ ସ୍ୱାମୀ ମୋ ସଙ୍ଗରେ ଅଛନ୍ତି ।’’ ଏହା କହି ହସିଲେ,–ଯେପରି କି ପଣ୍ଡାଙ୍କ ସହିତ ପରିହାସରେ ସେ ଜିଣିଛନ୍ତି । ଦିବ୍ୟସିଂହବାବୁ ଟିକିଏ ମୁରୁକି ହସା ଦେଇ ଗୋଡ଼ହାତ ଧୋଇଲେ ।

 

ଖାଇପିଇ ସାରି ସନ୍ଧ୍ୟାବେଳେ ଦିବ୍ୟସିଂହବାବୁ ବସି ସୂତା କାଟୁଛନ୍ତି–କୁମୁଦିନୀ ଆସି ପାଖରେ ବସିଲେ । କିଛିକ୍ଷଣ ନୀରବ ରହି ତା’ପରେ ଧୀରେ ଧୀରେ କହିଲେ, ‘‘ଆପଣଙ୍କୁ ଛାଡ଼ିଯିବା ପାଇଁ ମୋର କାହିଁକି ମନ ହେଉ ନାହିଁ । ଆପଣ ପୁରୀ ଚାଲନ୍ତୁ, କିଛିଦିନ ସେଠାରେ ରହି ପୁଣି ଆଶ୍ରମକୁ ଯିବେ ।’’

 

ଦିବ୍ୟସିଂହବାବୁ ହସି ହସି କହିଲେ, ‘‘ନା, ମୁଁ ଅନେକ ଦିନୁଁ ଆଶ୍ରମରୁ ଆସିଲିଣି–ଆଜି ଫେରିଯିବି । ତୁମେ ଚାଲ ଆମ ଆଶ୍ରମ ଦେଖି ଆସିବ । ଅବଶ୍ୟ ସେଠି ଦେଖିବା ଜିନିଷ କିଛି ନାହିଁ-। ଆମେ କେତେଜଣ କର୍ମୀ ଏକାଠି ରହୁ । ଦେଶର ସବୁଜ ଯାଇଛି, ରହିଛି କେବଳ ସେହି ସନ୍ନ୍ୟାସର ରୁଚି; କର୍ପୂର ଉଡ଼ିଯାଇ କନା ରହିବା ଭଳି । ତେଣୁ ଆମେ ଯେଉଁଠି ରହୁ, ତାହାକୁ ଆଶ୍ରମ କୁହାଯାଏ । ତେବେ କାମ କରିବାର ବାୟୁମଣ୍ଡଳ ସେଠି ଅଛି ।’’

 

କୁମୁଦିନୀ ପଚାରିଲେ, ‘‘ଆଶ୍ରମ କେଉଁଠି ?’’

 

‘‘–ଭଦ୍ରଖ ଷ୍ଟେସନ୍‍ଠାରୁ ପାଞ୍ଚମାଇଲ ଦୂରରେ ।’’

 

କୁମୁଦିନୀଙ୍କୁ ଟିକିଏ ଗାଏକମ୍ପ ହେଲାପରି ହେଲା । ଭଦ୍ରଖ ନା ଶୁଣି ସେ ଯେପରି ଚମକି ଉଠିଲେ । ସେ କିଛି ନ କହି ସୂତାକଟା ଆଡ଼କୁ ଅନାଇ କ’ଣ ଭାବୁଥାଆନ୍ତି ।

 

ଦିବ୍ୟସିଂହବାବୁ କିଛି ସମୟ ଅପେକ୍ଷା କରି ପୁଣି କହିଲେ, ‘ଯିବ ଆଶ୍ରମକୁ ?’ କୁମୁଦିନୀ ମୁହଁ ତଳକୁ କରିଦେଲେ । କିଛି ସମୟ ପରେ ଦିବ୍ୟସିଂହବାବୁ ଜାଣିଲେ ଯେ କୁମୁଦିନୀଙ୍କ ଆଖିରୁ ଲୁହ ବହୁଛି । ସେ ବ୍ୟସ୍ତ ହୋଇ କହିଲେ, ‘‘କ’ଣ ମନେ ପଡ଼ୁଛି ? ଏତେ ଭାବପ୍ରବଣ ତୁମେ ? କଥା କ’ଣ କିଛି ତ କହୁନାହଁ ?’’ କୁମୁଦିନୀ ଆଖି ପୋଛିଦେଇ ନିଜକୁ ସଂଯତ କରି ଯେପରି ତାଙ୍କର କିଛି ହୋଇ ନାହିଁ ଏହିପରି ଭାବ ଦେଖାଇ କହିଲେ, ‘‘ସେ ଆଶ୍ରମ ଚଳେ କିପରି ?’’

 

ଦିବ୍ୟସିଂହବାବୁ ଧୀର ସ୍ୱରରେ କହିଲେ, ‘‘ମହାତ୍ମା ଗାନ୍ଧୀଙ୍କ ତପସ୍ୟା ଫଳରେ ଏ ଦେଶରେ ଅନେକ ଲୋକ ବାହାରିଛନ୍ତି, ଯେଉଁମାନେ ନିଜର ଅର୍ଥୋପାର୍ଜନକୁ ସାଧାରଣଙ୍କ ସେବାରେ ଖର୍ଚ୍ଚ କରିବାପାଇଁ ଉତ୍ସାହୀ ହୋଇଛନ୍ତି । ଅବଶ୍ୟ ସେମାନଙ୍କ ସଂଖ୍ୟା ବେଶି ନୁହେଁ । ମାତ୍ର ସାଧାରଣ କାମ କରିବାକୁ ହେଲେ ଉପାସେ ରହିବାକୁ ହେବ ନାହିଁ । ଜଣେ ଧନୀ ଲୋକ ନିଜର ଜୀବନର ଶେଷରେ ତାଙ୍କର ସମସ୍ତ ଧନ, ଦରିଦ୍ରଙ୍କୁ ଯେ ସେବା କରିବେ ସେମାନଙ୍କ ଭରଣପୋଷଣ ପାଇଁ ଗାନ୍ଧିଜୀଙ୍କ ହାତରେ ଦେଇଗଲେ । ସେହି ଧନରୁ ସେ ଆଶ୍ରମ ଚଳେ । ଅର୍ଥାତ୍ ଆମ୍ଭେମାନେ ସେହିଥିରୁ କିଛି କିଛି ପାରିଶ୍ରମିକ ପାଇଥାଉଁ ।

 

କୁମୁଦିନୀଙ୍କ ମନ ଟିକିଏ ଭଲ ହୋଇ ଆସିଲାଣି । ସେ ଉଚ୍ଛୁକ ହୋଇ ପଚାରିଲେ, ‘‘ସେଠି କି କି ନିୟମ ପାଳିତ ହୁଏ ?’’

 

ଦିବ୍ୟସିଂହବାବୁ–‘‘କୌଣସି ବିଶେଷ ନିୟମ ସେଠି ନାହିଁ । କେବଳ ସମୁଦାୟ ଶକ୍ତି ଦରିଦ୍ରଙ୍କ ସେବାରେ ଦେବାକୁ ହେବ ।’’

 

କୁମୁଦିନୀ–‘‘ନା, ମୁଁ ପଚାରୁଥିଲି ଗାନ୍ଧିଜୀଙ୍କର ଯେ କେତୋଟି ବ୍ରତ ଅଛି, ବ୍ରହ୍ମଚର୍ଯ୍ୟ ପ୍ରଭୃତି, ସେ ସବୁ ନିୟମ ସେଠି ଅଛି କି ନାହିଁ ।’’

 

ଦିବ୍ୟସିଂହବାବୁ–‘‘ଗାନ୍ଧିଜୀଙ୍କ ଏପରି କୌଣସି ବ୍ରତ ନାହିଁ ଯାହା ଜଣକୁ ଅନ୍ୟମାନଙ୍କଠାରୁ ଅଲଗା କରିଦେବ । ସେହି ତ ତାଙ୍କର ମହାତ୍ମ୍ୟ । ବ୍ରତଭିତରେ ସହନଶୀଳତା ଏତେ ପରିମାଣରେ ଅଛି ଯେ, ତଦ୍ଦ୍ୱାରା ସେ ବ୍ରତର ମହାତ୍ମ୍ୟ ବଢ଼ୁଛି । ଆଉ ମଧ୍ୟ ନୂଆ ଗୋଟାଏ ସଂପ୍ରଦାୟ ସୃଷ୍ଟି ହେଉନାହିଁ । ବ୍ରହ୍ମଚର୍ଯ୍ୟ ଆଦର୍ଶ ରହିଛି; ମାତ୍ର ସେ ଆଦର୍ଶକୁ ଯେ ପହୁଞ୍ଚି ନ ପାରିଛି ସେ ଘୃଣ୍ୟ ହେଉନାହିଁ । ତେଣୁ ବିବାହର ମଧ୍ୟ ସ୍ଥାନ ସେଥିରେ ଅଛି । କିନ୍ତୁ ସେ ଆଦର୍ଶ ଥିବାରୁ ଉଦ୍ଦାମ ବିବାହିତ ଜୀବନର ଅବକାଶ ସେଠି ରହୁନାହିଁ । ଆଦର୍ଶକୁ ମାନି ତେଣିକି ନିଜକୁ ମିଥ୍ୟାଚାରୀ ନ କରି ଯେତିକି ସମ୍ଭବ ସେତିକି ସେ ଆଦର୍ଶ ଦିଗରେ ଅଗ୍ରସର ହେବା ପ୍ରକୃଷ୍ଟ ପନ୍ଥା । ଏହାହିଁ ଗାନ୍ଧିଜୀଙ୍କର ଦୁନିଆକୁ ନୂତନ ଦାନ । ନୂଆ ଆଦର୍ଶ ସେ ଜଗତକୁ ଯୋଗାଇ ନାହାନ୍ତି; ମାତ୍ର ଆଦର୍ଶକୁ କାମରେ ପରିଣତ କରିବାର ସୀମା ସେ ଦେଖାଇ ଦେଇଛନ୍ତି । ତେଣୁ ସେ ସବୁ ଆଦର୍ଶ ବର୍ତ୍ତମାନ ଯେକୌଣସି ଲୋକର ଦୈନନ୍ଦିନ ଜୀବନରେ ଯେତେଦୂର ସମ୍ଭବ ପରିପାଳିତ ହୋଇପାରେ, ସେଥିପାଇଁ ସଂସାରତ୍ୟାଗୀ ହେବାର ଓ ସଂସାରତ୍ୟାଗୀ ହେଲେ ମଧ୍ୟ ଶେଷରେ ବୌଦ୍ଧମାନଙ୍କର ଯେ ଦଶା ହେଲା ସେପରି ମିଥ୍ୟାଚାରୀ ହେବାର ଆବଶ୍ୟକତା ସେଥିରେ ଆଦୌ ନାହିଁ ।’’

 

କୁମୁଦିନୀ ମନଦେଇ ଶୁଣି ଏହାକୁ ବୁଝିବାକୁ ଚେଷ୍ଟା କରୁଥିଲେ । ସେ ଗମ୍ଭୀର ଭାବରେ ପଚାରିଲେ ଯେ, ‘‘ସେ ଆଶ୍ରମରେ କେହି ବିବାହିତ ଅଛନ୍ତି ? କେହି ସେଠାରେ ରହି ପରେ ବିବାହ କରିପାରେ ?’’

 

ଦିବ୍ୟସିଂହବାବୁ ଦୃଢ଼ଭାବରେ କହିଲେ, ‘‘ନିଶ୍ଚୟ, ଆମର ସେଠି ତ ସମସ୍ତେ ବିବାହିତ । ମୋ ଛଡ଼ା ଅନ୍ୟମାନଙ୍କ ସ୍ତ୍ରୀ ବାଳକ ଅଛନ୍ତି । ତା’ଛଡ଼ା ଜଣେ ସେଠାରେ ରହି ବିବାହ ମଧ୍ୟ କରିପାରେ । ମାତ୍ର ସେଠି ରହି ଦାମ୍ପତ୍ୟ ଜୀବନକୁ ପ୍ରଧାନ ବୋଲି ମନେ କରିବାକୁ ହେବ ନାହିଁ । ସେଥିରେ ମାତି ଯିବାକୁ ମଧ୍ୟ ସୁବିଧା ନାହିଁ । ଏ ସବୁ ଆନ୍ତରିକତା ଉପରେ ନିର୍ଭର କରେ । ମିଥ୍ୟାଚାରକୁ ଦୂରରେ ରଖି ଆଦର୍ଶ ଅନୁସରଣ କରିବାକୁ ଯାଇ ନିଜର ସୀମା ସ୍ୱୀକାର କରିନେବାହିଁ ହେଉଛି ଗାନ୍ଧିଜୀଙ୍କ ପ୍ରଦର୍ଶିତ ପନ୍ଥା ।

 

କୁମୁଦିନୀ କ’ଣ କହିବେ କହିବେ ବୋଲି ହୋଇ ଅଟକି ଗଲେ । ଦିବ୍ୟସିଂହବାବୁ ପଚାରିଲେ, ‘‘କ’ଣ କହୁଛ କୁହ ।’’ କୁମୁଦିନୀ ଲାଜରେ ମୁହଁ ତଳକୁ କରି ଦେଇ ଧୀରେ ଧୀରେ ଅସ୍ପଷ୍ଟ ଭାବରେ କହିଲେ, ‘‘ମୁଁ କହିବାକୁ ଯାଉଥିଲି–ଆପଣ ଇଚ୍ଛା କଲେ ଆଶ୍ରମ ନିୟମାନୁସାରେ ବିବାହ କରି ପାରନ୍ତି କି ନା ?’’

 

ଦିବ୍ୟସିଂହବାବୁ ପୁଣି ଗାନ୍ଧୀତତ୍ତ୍ୱ ବୁଝାଇ କହିଲେ, ‘‘ହଁ, କରିପାରେ । ସେଥିପାଇଁ ନିୟମରେ କୌଣସି ବ୍ୟାଘାତ ଘଟିବ ନାହିଁ । ମାତ୍ର ସେହି ବିବାହ ପଛରେ ପଡ଼ି, ସେବାଧର୍ମରୁ ମୁଁ କ୍ଷାନ୍ତ ହୋଇ ପାରିବି ନାହିଁ । ତାହାହେଲେ ଆଶ୍ରମ ଛାଡ଼ି ଦେବାରେ ମୋତେ କେହି ବାଧା ଦେଇ ପାରିବେ ନାହିଁ । ମୋ ମନ ମାନିଛି ବୋଲି ମୁଁ ସେଠାରେ ଅଛି ଓ ସେହି କାମରେ ଯେତିକି ଶକ୍ତି ସେତିକି ମୁଁ ଦେଉଛି ।

 

କୁମୁଦିନୀ ଆଉ କିଛି ନ କହି ଚୁପ୍ ରହିଲେ । ଦିବ୍ୟସିଂହବାବୁ ପୁଣି କହିଲେ, ‘‘ଯିବ ଆଶ୍ରମକୁ ? ଗାନ୍ଧିଜୀ ଏ ଯୁଗର ପ୍ରବର୍ତ୍ତକ । ସେ କିଛି ନୂଆ କଥା କହୁ ନାହାନ୍ତି । ମାତ୍ର ପୁରୁଣା କଥାକୁ ନୂଆ ଢଙ୍ଗରେ କହୁଛନ୍ତି । ଯେ ଯେକୌଣସି ସ୍ତରରେ ଅଛି, ସେ ମଧ୍ୟ ସେ ନିର୍ଦ୍ଦେଶ ଅନୁସାରେ ଚଳି ଲାଭ ଉଠାଇପାରେ ।’’ କୁମୁଦିନୀ ଧୀରେ ଧୀରେ କହିଲେ; ‘‘ମୁଁ କିଛି ସମୟ ପରେ କହିବି ।’’

 

ରାତିରେ ଦିବ୍ୟସିଂହବାବୁ ଶୋଇବାପାଇଁ ସଜ କରୁଛନ୍ତି । କୁମୁଦିନୀ ମଧ୍ୟ ନିଜ ବିଛଣାରେ ଶୋଇବା ଆଗରୁ ବସି କ’ଣ ଭାବୁଛନ୍ତି, ଏହି ସମୟରେ ସେ ହଠାତ୍ ଦିବ୍ୟସିଂହବାବୁଙ୍କୁ ପଚାରିଲେ ‘‘ଆଚ୍ଛା ! ଆପଣ ବେଶ୍ୟାମାନଙ୍କ ସମ୍ବନ୍ଧରେ କ’ଣ ଭାବନ୍ତି ?’’

 

ଦିବ୍ୟସିଂହବାବୁ ବିଛଣାରେ ବସିପଡ଼ି କହିଲେ, ‘‘ବେଶ୍ୟା ସମସ୍ୟା, ହଁ, ସେ ମଧ୍ୟ ଖୁବ୍ ବଡ଼, ସେମାନଙ୍କ କଥା ପଡ଼ିଲେ ମୋର ବଡ଼ ଦୟା ହୁଏ । କେତେ ନିରୀହା ବାଳିକା, ସମାଜର ଅତ୍ୟାଚାରକୁ ବା ଦରିଦ୍ରତାର ଉତ୍ପୀଡ଼ନରୁ ନିଜର ସମ୍ମାନ ବିକ୍ରୟ କରି ଜୀବିକା ପୋଷିବାକୁ ବାଧ୍ୟ ହେଉଛନ୍ତି ।’’

 

କୁମୁଦିନୀ–‘‘ସେମାନଙ୍କୁ ଆପଣ ଘୃଣା କରନ୍ତି ନାହିଁ ?’’

 

ଦିବ୍ୟସିଂହବାବୁ–‘‘ସେମାନଙ୍କୁ ଯେ ଘୃଣା କରେ ସେ ଅମନୁଷ୍ୟ । ସେମାନେ ଆମର ମାଆ ଭଉଣୀ ପରି । ଘଟଣାଚକ୍ରରେ ବିପଥଗାମୀ ହୋଇଯାଇଛନ୍ତି । ହୁଏତ ଅଧିକାଂଶ ସେଥିପାଇଁ ନିଜେ ଦାୟୀ ନୁହନ୍ତି । ତା’ଛଡ଼ା ପୁରୁଷର ନଷ୍ଟ ଚରିତ୍ରତା ସେ ସମସ୍ୟା ସୃଷ୍ଟି କରିଛି । ଏଣୁ ପୁରୁଷ ହୋଇ ମୁଁ ଲଜ୍ଜିତ ହେବି ସିନା, ସେମାନଙ୍କୁ ଘୃଣା କରିବାର ମୋର ଅଧିକାର ନାହିଁ ।’’

 

କୁମୁଦିନୀ ହଠାତ୍ ବିଛଣାରୁ ଉଠି ଦିବ୍ୟସିଂହବାବୁଙ୍କ ବିଛଣା ପାଖକୁ ଆସି ତାଙ୍କ ଗୋଡ଼ ଧରି ପଡ଼ିଗଲେ । ଦିବ୍ୟସିଂହବାବୁ ଅତି ବିସ୍ମିତ ହୋଇ, ‘‘ଏ କ’ଣ ? କ’ଣ ପାଗଳ ନା କ’ଣ ?’’ କହି ଉଠିଲେ । ତା’ପରେ କୁମୁଦିନୀ ଉଠି ବସି କାନ୍ଦିବାରେ ଲାଗିଲେ । ଦିବ୍ୟସିଂହବାବୁ କିଛି ବୁଝିପାରୁ ନଥାନ୍ତି, ତାଙ୍କ ମନରେ ସନ୍ଦେହ ଜାତ ହେଉଥାଏ । ଏ ବାଳିକା ପ୍ରମାଦ ଗ୍ରସ୍ତ ନୁହେଁ ତ ! ସେ ବିରକ୍ତ ହୋଇ କହିଲେ, ‘‘ଏପରି କାହିଁକି ହେଉଛ ? ମୋତେ ବଡ଼ ଖରାପ ଲାଗୁଛି ।’’

 

କୁମୁଦିନୀ ନିଜକୁ ସମ୍ଭାଳି ନେଇ ରୁଦ୍ଧକଣ୍ଠରେ କହିଲେ, ‘‘ମୋର ସାହସ ନାହିଁ ଭଦ୍ରଖ ଯିବାପାଇଁ । ଅନ୍ୟ କେଉଁଠି ଆପଣଙ୍କ ଆଶ୍ରମ ହୋଇଥିଲେ ମୁଁ ନିଶ୍ଚୟ ଆପଣଙ୍କ ସାଙ୍ଗରେ ଯାଇଥାନ୍ତି । ମାତ୍ର ଯେଉଁଠି ଏ ଜୀବନ ନରକ ଭୋଗିଛି, ସେଠିକି ଯିବା କଥା ଭାବିବାବେଳକୁ ମୋର ଦେହ କମ୍ପି ଉଠୁଛି । ଏତେ ମହାନ୍ ଆପଣ, ଏତେ ଦୟାଳୁ ଆପଣ, ଆପଣଙ୍କ ନିର୍ଦ୍ଦେଶମତେ ଦରିଦ୍ର ସେବାର ଅଧିକାର ପାଇବାକୁ ମୋ ଜୀବନର ସାର୍ଥକତା ବୋଲି ମନେ କରୁଛି । ମାତ୍ର ବର୍ତ୍ତମାନ ସୁଦ୍ଧା ମୁଁ ତା’ଠାରୁ ବହୁଦୂରରେ । ଆଶୀର୍ବାଦ କରନ୍ତୁ, ମୁଁ ସେ ଅଧିକାର ଭାଜନ ହୁଏ ।’’ ଏତିକି କହି ପୁଣି ଗୋଡ଼ଧରି ପଡ଼ିଗଲେ । ଦିବ୍ୟସିଂହବାବୁ ଏତେ ବିସ୍ମିତ ଯେ, ସେ କିଛି କହିପାରୁ ନଥାନ୍ତି । କିଛି ସମୟ ପରେ କୁମୁଦିନୀ ଉଠି ନିଜ ବିଛଣାକୁ ଗଲେ । ବିସ୍ମୟ ଓ ତଦ୍‌ଜନିତ ବିରକ୍ତି ଯୋଗେ ଦିବ୍ୟସିଂହବାବୁ କିଛି ନ କହି ବିଛଣାରେ ପଡ଼ିଗଲେ ।

 

ସକାଳ ଗାଡ଼ିଲେ ଦିବ୍ୟସିଂହବାବୁ ଭଦ୍ରଖ ଚାଲିଗଲେ ଓ କୁମୁଦିନୀ ସେହିଦିନ ପୁରୀ ଆସିଲେ । ବିଦାୟ ସମୟରେ କୁମୁଦିନୀଙ୍କ ଅଶ୍ରୁ ପ୍ରବାହ ଦିବ୍ୟସିଂହବାବୁଙ୍କ ଆଖିରେ ମଧ୍ୟ କେତେ ବିନ୍ଦୁ ସାନୁକମ୍ପ ଅଶ୍ରୁ ଆଣି ଦେଇଥିଲା ।–‘‘ଚିଠିପତ୍ର ଦେବେ, ବରାବର ଖବର ବୁଝିବେ ଓ ଆଶ୍ରମକୁ ଆସିଲେ ସେ ଭାରି ଖୁସି ହେବେ–’’ ଇତ୍ୟାଦି ପ୍ରକାର ସାନ୍ତ୍ୱନା ଦେଇ ଦିବ୍ୟସିଂହବାବୁ ବିଦାୟ ନେଇଗଲେ ।

 

–୧୫–

 

କୁମୁଦିନୀ ପୁରୀ ଛାଡ଼ିଲାପରେ ଲାଲମୋହନ ଆଇନ ଅନୁସାରେ ବିବାହ ଦଲିଲ୍ ଚିଠା କରାଇବାପାଇଁ ତତ୍ପର ହୋଇ ପଡ଼ିଥିଲେ । ସେତିକି କାମ କିଛି ବଡ଼କଥା ନୁହେଁ–ମାତ୍ର ତା’ ପଛରେ ତାଙ୍କର ଯେ ଆବେଗ ଓ ଉନ୍ମାଦନା ରହିଛି, ତାହାହିଁ ତାଙ୍କୁ ଅତି ବ୍ୟସ୍ତ କରିଦେଇଥିଲା ।

 

ଦୀନବନ୍ଧୁବାବୁ ଓକିଲ ତାଙ୍କର ଜଣେ ପୁରୁଣା ବନ୍ଧୁ । ତାଙ୍କରିଠାରେ ଯାଇ ଆଇନ ବୁଝି ଚିଠା ତିଆରି କରିବାପାଇଁ କହିଲେ । ଦୀନବନ୍ଧୁବାବୁ ପ୍ରଥମେ ମନେ କଲେ ଯେ ବୋଧହୁଏ ପରିହାସରେ ଲାଲମୋହନବାବୁ ସେ କଥା କହୁଛନ୍ତି–ମାତ୍ର ଯେତେବେଳେ ସେ ପ୍ରକୃତ କଥା ଜାଣିଲେ, ସେ ବିସ୍ମିତ ହୋଇ ଲାଲମୋହନବାବୁଙ୍କୁ କହିଲେ, ‘‘ତୁମେ ପରା ବିବାହ କରିଛ ? ପୁଣି ଏ କି ବିବାହ ? ସାଧାରଣ ଜୀବନରେ ତୁମର ଯେ ଖାତିରି ଟିକକ ଅଛି, ତାକୁ କ’ଣ ଜାଣୁ ଜାଣୁ ଧୂଳିରେ ଲୋଟାଇ ଦେବ ?’’

 

ଲାଲମୋହନବାବୁ ମନେମନେ ଟିକିଏ ବିରକ୍ତ ହେଲେ; ମାତ୍ର ବାହାରେ ତା’ର କୌଣସି ଚିହ୍ନ ପ୍ରକାଶ ନ କରି କହିଲେ, ‘‘କାହିଁକି, ଏଥିରେ କ୍ଷତି କ’ଣ ? ବିବାହ ଇତ୍ୟାଦି ଲୋକର ସ୍ୱକୀୟ ବିଷୟ । ଏଥିରେ ସାଧାରଣ ଲୋକଙ୍କର କି ଅଧିକାର ଅଛି ଯେ ସେମାନେ ଚର୍ଚ୍ଚା କରିବେ ?’’

 

ଦୀନବନ୍ଧୁବାବୁ ହସି ହସି କହିଲେ, ‘‘ତମର କି ଅଧିକାର ଅଛି ଯେ, ତୁମକୁ ସାଧାରଣ ଲୋକେ ମାନିବେ । ସେମାନେ ଯେ ତୁମକୁ ସମ୍ମାନ କରୁଛନ୍ତି, ଏଟା ସେମାନଙ୍କ ସ୍ୱକୀୟ ନୁହେଁ କି-? ସେହି ଦୃଷ୍ଟିରୁ ସେମାନେ ଯେ ସମ୍ମାନ ଦାନ କରୁଥିଲେ, ତାକୁ ପ୍ରତ୍ୟାହାର କରିବାର ଅଧିକାର ସେମାନଙ୍କର ଅଛି–ନୁହେଁ କି ?’’

 

ଲାଲମୋହନ ଏତେ ଯୁକ୍ତିପାଇଁ ପ୍ରସ୍ତୁତ ନଥିଲେ । ଜନସାଧାରଣଙ୍କ ଦୃଷ୍ଟିକୋଣରୁ ସେ ଏ ବିଷୟକୁ ବିଚାର କରିବାର ଅବକାଶ ପାଇ ନଥିଲେ । ସେ ଯାହା କହୁଥିଲେ ତାହା ତାଙ୍କର ସତ୍ୱର ଚିନ୍ତା ମାତ୍ର । ସେ କହିଲେ, ‘‘ସାଧାରଣଙ୍କଠାରୁ ସମ୍ମାନ ମୁଁ କେବେ ଦାବି କରି ନାହିଁ । ମୋଦ୍ୱାରା ଯେତିକି ହେଉଛି, ମୁଁ ସାଧାରଣ କାର୍ଯ୍ୟ କରୁଛି । ସେଥିପାଇଁ ସାଧାରଣ କ’ଣ ମୋର ସ୍ୱକୀୟ ଜୀବନ ଉପରେ ହସ୍ତକ୍ଷେପ କରିବେ ?’’

 

ଦୀନବନ୍ଧୁବାବୁ–‘‘କରିବା ଅନ୍ୟାୟ ଯଦି କହ, ତେବେ ସେମାନେ ଯଦି ତୁମର ସେବା ନ ଚାହାନ୍ତି, ତେବେ ଅନ୍ୟାୟ କାହିଁକି ହେବ ? ଅର୍ଥାତ୍ ତୁମର ସାଧାରଣ ଜୀବନରେ ବ୍ୟାଘାତ ଘଟିଲେ ତୁମର କିଛି କହିବାର ନାହିଁ ?’’

 

ଲାଲମୋହନବାବୁ–‘‘ବାସ୍ତବିକ ବନ୍ଧୁ ହିସାବରେ ବୁଝାଇ ମୋତେ କହ, ମୋର କେଉଁଠି ଅନ୍ୟାୟ ହେଉଛି–ମୁଁ ବିବାହ କରିଥିଲି, କୌଣସି କାରଣରୁ ମୋର ସେ ବିବାହରେ ସୁଖ ଓ ଶାନ୍ତି ମିଳିଲା ନାହିଁ । ତେଣୁ ମୁଁ ମୋ ମନ ଅନୁସାରେ ଅନ୍ୟ ବିବାହ କଲି । ଏଥିରେ ମୋର ସାଧାରଣ ଜୀବନର ଆନ୍ତରିକତାରେ କେଉଁଠି ବ୍ୟାଘାତ ଘଟୁଛି, ମୁଁ ବୁଝିପାରୁ ନାହିଁ ।’’

 

ଦୀନବନ୍ଧୁବାବୁ ଟିକିଏ ଚୁପ୍ ରହି କହିଲେ, ‘‘ମୁଁ ଯଦି ମନ ଖୋଲି କହେ ତୁମେ ବିରକ୍ତ ହେବ ନାହିଁ ତ ?’’

 

ଅତି ଦୃଢ଼ଭାବରେ ଲାଲମୋହନ ‘ନା’ ବୋଲି କହିଲେ । ତା’ପରେ ଦୀନବନ୍ଧୁବାବୁ ଗଳାଖଙ୍କାରି କହିଲେ, ‘‘ସାଧାରଣ ଜୀବନ ବୋଲନ୍ତେ, ଅନ୍ୟର ଦୁଃଖରେ ସହାନୁଭୂତି ଓ ତଦନୁସାରେ ସେ ଦୁଃଖ ଦୂର କରିବାପାଇଁ ଚେଷ୍ଟା–ଏହି ତ ? ତୁମେ ତୁମର ନବବିବାହିତ ପତ୍ନୀ ସହିତ ବେଶ୍ ଆମୋଦପ୍ରମୋଦରେ ଦିନ କଟାଇବ । ତେଣେ ତୁମର ଆଉ ଜଣେ ସ୍ତ୍ରୀ ଦୁଃଖରେ ଜୀବନକୁ ଦୁର୍ବହ ମନେ କରିବ । ଏହି ଦୁଇ ଦୃଶ୍ୟକୁ ଏକ ସଙ୍ଗରେ ରଖ ଦେଖି ? କ’ଣ ମନେ କରୁଛ ?’’

 

ଲାଲମୋହନ ଉତ୍ତେଜିତ ହୋଇ କହିଲେ, ‘‘ଦୁଃଖ କିଛି ତା’ର ହେବ ନାହିଁ । ମୋର ସମ୍ପତ୍ତିରେ ଯେତିକି ଅଂଶ ଅଛି, ସେଥିରେ ସେ ଖୁସିରେ ଚଳିବ ।’’

 

ଦୀନବନ୍ଧୁବାବୁ ହସି ଉଠି କହିଲେ, ‘‘ଖାଇବାପାଇଁ କ’ଣ ଲୋକେ ବିବାହ ହୋଇଥାନ୍ତି-?’’

 

ଲାଲମୋହନବାବୁ ଟିକିଏ ଅପ୍ରତିଭ ହୋଇଯାଇ କହିଲେ, ‘‘ଯେଉଁଥିପାଇଁ ବିବାହ, ତା’ ଯେ ନିଷ୍ଫଳ, ଅନ୍ୟ ଉପାୟ କ’ଣ ?’’

 

ଦୀନବନ୍ଧୁବାବୁ ଗମ୍ଭୀର ହୋଇ କହିଲେ, ‘‘ଅବଶ୍ୟ ମୁଁ ତୁମର ଭିତରର କଥା ଜାଣେ ନାହିଁ । କିନ୍ତୁ ମୋର କାହିଁକି ମନେ ହେଉଛି ଆଧୁନିକ ଶିକ୍ଷିତା ରମଣୀର ଲୋଭରେ ଜଣେ ନିରୀହା ଗ୍ରାମ୍ୟ ବାଳିକାକୁ ବଳି ଦିଆହେଉଛି । ମୋର ମଧ୍ୟ ବେଶି କିଛି କହିବାର ନାହିଁ । କିଛି ମନେ କରିବେ ନାହିଁ । ବନ୍ଧୁ ବୋଲି ଓ କଲେଜ ସାଙ୍ଗ ବୋଲି ଏ ସବୁକଥା କହିଲି ।’’

 

ଲାଲମୋହନବାବୁ କିଛିକ୍ଷଣ ଚୁପ୍ ରହି ତା’ପରେ କହିଲେ, ‘‘ଆଚ୍ଛା ! ତାହାହେଲେ ଛାଡ଼ପତ୍ର ବ୍ୟବସ୍ଥା ଯେଉଁ ସମାଜରେ ଅଛି ତା’ କ’ଣ ଖରାପ ? ବିବାହ କଲାମାତ୍ରକେ ମୁଣ୍ଡମାଡ଼ି ଆଜୀବନ ପଡ଼ି ରହିବାକୁ ହେବ ? ଏହି ଯେ ହିନ୍ଦୁ ସମାଜର ବିଧି ଏହା କ’ଣ ଭଲ ?’’

 

ଦୀନବନ୍ଧୁବାବୁ ଆଉ ଏ ଯୁକ୍ତିରେ ମନ ନଥିଲା ଭଳି ଭାବ ପ୍ରକାଶ କରି କହିଲେ, ‘‘ସେ ଏକ ବଡ଼ ପ୍ରଶ୍ନ । ମୋ ମତରେ ଛାଡ଼ପତ୍ର ବ୍ୟବସ୍ଥା ସମାଜର ମଙ୍ଗଳଜନକ ନୁହେଁ । ଛାଡ଼ ସେ କଥା–ମୋତେ ଯଦି କହିବ, ମୁଁ ତେବେ ଜଲଦି ଚିଠା କରିଦେବି ।’’

 

ଯୁକ୍ତି ନ କରି ଦୀନବନ୍ଧୁବାବୁ ଯେ କ୍ଷାନ୍ତ ରହିଲେ, ଏହାହିଁ ଲାଲମୋହନବାବୁଙ୍କ ମନରେ ବଡ଼ ଧକ୍‌କା ଦେଲା । ତାଙ୍କ ମନରେ ବିକଳ୍ପ ଜାତ ହେଲା, ସେ କିଛି ଭୁଲ କହୁଛନ୍ତି କି ? ଜଲଦି ଚିଠା କରିବାପାଇଁ ନ କହି ସେ ଉଠିଲେ ଯିବାପାଇଁ । ଦୀନବନ୍ଧୁବାବୁ–ବସ, ବସ କହୁଥାଆନ୍ତି । ମାତ୍ର ଲାଲମୋହନବାବୁ ପରେ ଆସିବି ବୋଲି କହି ଉଠି ଚାଲିଗଲେ ।

 

ଧର୍ମଶାଳାରେ ପୁଣି ସେ ବିଷୟ ଭାବିଲେ । ଯେଉଁ ଦୁଇଟି ଚିତ୍ର ଲଗାଲଗି କରି ଦୀନବନ୍ଧୁବାବୁ ଥୋଇଲେ, ତାହାହିଁ ତାଙ୍କ ଆଖି ଆଗରେ ନାଚୁଥାଏ । କୁମୁଦିନୀ ସହିତ ତାଙ୍କର ହସାହସି ଉତ୍‌ଫୁଲ ଜୀବନ, ତା’ରି ପାଖରେ ତାଙ୍କର ପ୍ରଥମ ସ୍ତ୍ରୀ ନିଶାମଣିଙ୍କର ବିଷଣ୍ଣ ବଦନ, ଏ କିପରି ତାଙ୍କୁ ଅପ୍ରୀତିକର ବୋଧ ହେଲା । ତାଙ୍କର ହୃଦୟ ଯେପରି ଏ ଦୃଶ୍ୟ ଦେଖିବାକୁ ସଫା ମନା କଲା । ସେ ଭାବିହେଲେ, ବିବାହିତ ମୁଁ, ସେଇଠି ମୋ ଜୀବନ ଶେଷ । ଅରୁଚିକର ଉପନ୍ୟାସ ଭଳି ତା’ର ପ୍ରଥମ ସଂସ୍କରଣରେହିଁ ଆୟୁ ଶେଷ । ଦ୍ୱିତୀୟ ସଂସ୍କରଣର ପରିକଳ୍ପନା ବାତୁଳତା ନୁହେଁ ତ ?

 

ବହୁଦିନୁ ସେ ନିଶାମଣିଙ୍କୁ ଭେଟି ନାହାନ୍ତି । କାରଣ ସେ ଘରକୁ ଯାଉ ନାହାନ୍ତି । ବିବାହିତ ଜୀବନର ପ୍ରଥମ ବର୍ଷେ ଦୁଇବର୍ଷ କଥା ତାଙ୍କର ମନେ ପଡ଼ିଗଲା । କେତେ ସ୍ନେହ, କେତେ ଅନୁକମ୍ପା ଭିତରେ ସେ ଗତି କରିଛନ୍ତି । ତା’ପରେ କିପରି ତାଙ୍କ ମନରେ ପ୍ରତିକ୍ରିୟା ଆରମ୍ଭ ହେଲା–ସେ କଥା ସେ ମନେ କଲେ । କିଛି ପାଠଶାଠ ପଢ଼ିନାହିଁ, ଦୁନିଆର କୌଣସି ଖବର ସେ ଜାଣେ ନାହିଁ ବା ଜାଣିବାର ଶକ୍ତି ନାହିଁ । ନିଜର ସମସ୍ତ ଅଭିଳାଷକୁ କେବଳ ଅଳଙ୍କାର ଓ ବେଶଭୂଷାରେ କେନ୍ଦ୍ରୀଭୂତ କରି ରଖିଛି । ସୁନ୍ଦର ରୂପକୁ ଚଢ଼େଇଧରା ଫାଶ ବୋଲି ମନେକରି, ସେଇଥିରେ ସ୍ୱାମୀଙ୍କୁ ବାନ୍ଧି ରଖିବାପାଇଁ ସବୁବେଳେ ଚେଷ୍ଟା । ତା’ ମନକଥା ବୁଝିବାପାଇଁ ମୁଁ କେତେ ଚେଷ୍ଟା କଲି । ତାକୁ ମୋ ସଙ୍ଗକୁ ଆଣିବାପାଇଁ ଅନେକ ଦୂର ତା’ ସାଙ୍ଗକୁ ମୁଁ ଗଲି, କିନ୍ତୁ ସେତ ମୋ ମନକଥା ବୁଝିବାପାଇଁ ଚେଷ୍ଟା କଲା ନାହିଁ ? ସେ ତ ଆଙ୍ଗୁଳିଏ ସୁଦ୍ଧା ସ୍ଥାନ ଛାଡ଼ିଲା ନାହିଁ ? ପାରିବ କିପରି ? ତା’ର ଯେ ଶକ୍ତି ନାହିଁ, ସେ ଯଦି ଜଣେ ଧନୀ କାମୁକର ପତ୍ନୀ ହୋଇଥାଆନ୍ତା, ତେବେ ତା’ ଜୀବନ ସାର୍ଥକ ହୋଇଥାଆନ୍ତା । ମୋ ସଙ୍ଗରେ ତା’ର ପଟ ପଡ଼ିବ କିପରି ? ମଝିରେ ମଝିରେ ମୁଁ ଯେତେବେଳେ ଘରକୁ ଯାଏଁ, କେବଳ ଶରୀର ସମ୍ପର୍କ ଛଡ଼ା ତା’ ମନର ସମ୍ପର୍କ ଆଦୌ ଘଟିଲା ନାହିଁ । କ’ଣ ତା’ ସଙ୍ଗରେ କଥାବାର୍ତ୍ତା କରିବି ମୋତେ ବୁଦ୍ଧି ଦିଶେ ନାହିଁ । ଯେ ସବୁ କାମରେ ମୁଁ ଉନ୍ମତ ସେ ତ ତା’ର କିଛି ବୁଝେନାହିଁ । ଯେ ସବୁଥିରେ ଉନ୍ମତ୍ତ, ସେ ତ ତା’ର କଷ୍ଟ ବୁଝେନାହିଁ । ଏହିପରି ସିନା ଜୀବନଟା ଧୀରେ ଧୀରେ ଅତି ନୀରସ ହୋଇଗଲା । କୁମୁଦିନୀଙ୍କ ସମ୍ପର୍କରେ ଆସିବା ଦିନ ପର୍ଯ୍ୟନ୍ତ କି ଛଟପଟ ବେଳେବେଳେ ମୁଁ ନ ହୋଇଛି ! କୁମୁଦିନୀଙ୍କ ସହିତ ଆଳାପ ହେଲା ଦିନୁ କେତେ ଶାନ୍ତି ମୁଁ ନ ପାଉଛି ! କେହି ତ ଜଣେ ଦରକାର; ଯାହାଠାରେ ନିଜର ଯାହା କିଛି ସବୁ ଉନ୍ମୁକ୍ତ କରି ଥୋଇ ଦେଇ ହେବ । ସେଇ ତ ଶାନ୍ତି, ସେଇ ତ ସୁଖ !

 

ଏ ସବୁ ଚିନ୍ତା ତାଙ୍କୁ ବଡ଼ ବିବ୍ରତ କରି ପକାଉଥାଏ । ବେଳେବେଳେ ଭାବୁଥାଆନ୍ତି, ସେ ନିଜେ ଜଣାଶୁଣା ଲୋକ ହୋଇ ନଥାଆନ୍ତେ କି, ତାହାହେଲେ ତାଙ୍କ ଜୀବନର ଅନ୍ଧିସନ୍ଧି ପ୍ରତି କେହି ଦୃଷ୍ଟି ପକାନ୍ତେ ନାହିଁ । ଦୀନବନ୍ଧୁବାବୁ ଯେ ଖ୍ୟାତିନାଶର ଆଶଙ୍କା କଲେ ତାହା ସମ୍ଭବ ବୋଲି ସେ ମନେ କରୁଥାଆନ୍ତି । କିନ୍ତୁ ଉପାୟ କ’ଣ ? ଯଦି ଖ୍ୟାତି ନଷ୍ଟ ହୁଏ ଓ ସାଧାରଣ ସେବାରୁ ସେ ବଞ୍ଚିତ ହୁଅନ୍ତି, ତେବେ କେବଳ ବିବାହିତ ଜୀବନର ସୁଖ ଭୋଗ କରିବାପାଇଁ ସେ କୁମୁଦିନୀକୁ ବିବାହ କରିବେ ନା, ତା’ କେବେ ହେବନାହିଁ । କିନ୍ତୁ ଖ୍ୟାତି ବା ନଷ୍ଟ ହେବ କାହିଁକି ? ଯଦି ପୂର୍ବପରି ଅନ୍ତରର ସହିତ ସେ ଦେଶସେବା କରନ୍ତି, ତେବେ ତ ଖ୍ୟାତିନାଶର ଆଶଙ୍କା ନାହିଁ । କିନ୍ତୁ ଯେଉଁଠି ସେ ଦ୍ୱିତୀୟ ବିବାହ ପରେ ଆଶ୍ରମ କରି ବସିବେ ସେଠି ଲୋକେ ଆଙ୍ଗୁଳି ଦେଖାଇ କହିବେ, ଏ ଲୋକଟା ଗୋଟିଏ ବାହାହୋଇ ସେଥିରେ ମନ ମାନିଲା ନାହିଁ ଯେ, ଆଉ ଗୋଟିଏ ବାହା ହୋଇଛି । ଏ ପୁଣି ଆଶ୍ରମ କରୁଛି !

 

ଏହିପରି ନାନା ଚିନ୍ତାରେ ସେ ଏପାଖ ସେପାଖ ହୋଇ ବିବାହ ଦଲିଲ୍‌ର ଚିଠା ତିଆରି କରି ପାରିଲେ ନାହିଁ । ମାତ୍ର ସେଥିପାଇଁ ତ ବେଶି ଡେରି ଲାଗିବ ନାହିଁ । ଏହି ସାନ୍ତ୍ୱନାରେ ସେ ଏ ବିଷୟକୁ ଭଲକରି ଭାବିବାରେ କୁଣ୍ଠିତ ହୋଇ ନଥିଲେ ।

 

–୧୬–

 

ଲାଲମୋହନବାବୁ ଧର୍ମଶାଳାରେ ବସିଛନ୍ତି, ଏହି ସମୟରେ ସୁଦର୍ଶନ ଆସି ଖବର ଦେଲା ଯେ, କୁମୁଦିନୀ ଡାକି ପଠାଇଛନ୍ତି । ହଠାତ୍ ନାନାପ୍ରକାର ଭାବ ଏପରି ଭାବରେ କାମ କଲା ଯେ, ଲାଲମୋହନବାବୁ କିଛି ସମୟ ସ୍ତବ୍ଧ ହୋଇଗଲେ । ଏତେ ଶୀଘ୍ର ସେ ଫେରି ଆସିବେ ବୋଲି ତାଙ୍କର ଧାରଣା ନଥିଲା । ସେ ଭାବିଥିଲେ ଅନ୍ତତଃ ସାତ ଆଠ ଦିନ ଲାଗିବ; ମାତ୍ର ମୋଟେ ଚାରିଦିନ ଭିତରେ ଫେରି ଆସିଲେ, ଅଥଚ ବିବାହ ଦଲିଲ୍ ଚିଠା ହୋଇନାହିଁ । ଏ କଥା ଶୁଣିଲେ ସେ କ’ଣ ଭାବିବେ–ଏହି ଚିନ୍ତାହିଁ ଲାଲମୋହନବାବୁଙ୍କୁ ଉତ୍କଟ ଭାବରେ ଆକ୍ରମଣ କଲା । ସେ ନିଜକୁ ଯେତେ ଶୀଘ୍ର ସମ୍ଭବ ପ୍ରକୃତିସ୍ଥ କରି କୁମୁଦିନୀଙ୍କ ବସାକୁ ବାହାରିଲେ ।

 

ସୁଦର୍ଶନ ତେଣେ ବଜାର ସଉଦା କରି ପଛରେ ଆସୁଛି । ବସାରେ କେହି ନାହାନ୍ତି । ଏକାକୀ କୁମୁଦିନୀ ଚୌକି ଉପରେ ବସି ତାଙ୍କର ଅନୁପସ୍ଥିତିରେ ଆସିଥିବା ଚିଠିପତ୍ର ସବୁ ଓଲଟପାଲଟ କରୁଛନ୍ତି ।

 

ଲାଲମୋହନଙ୍କ ମୁହଁରେ ହସ, ମାତ୍ର ସେ ହସ ଭିତରେ ସଂକୋଚ ମଧ୍ୟ ଲୁଚି ରହିଛି । ସେ ଆସି ନମସ୍କାର କହି ଆଉ ଗୋଟିଏ ଚୌକି ଉପରେ ବସି ପଡ଼ିଲେ । କୁମୁଦିନୀ କିଛି ନ କହି ଗମ୍ଭୀର ଭାବରେ ଚିଠିପତ୍ର ପଢ଼ୁଥାନ୍ତି । କିଛି ସମୟ ଗଲା । ଶେଷରେ ଲାଲମୋହନବାବୁ ପଚାରିଲେ, ‘‘ଏତେ ଜଲଦି କିପରି ଫେରି ଆସିଲେ ?’’ କୁମୁଦିନୀ ଚିଠିପତ୍ର ରଖିଦେଇ ଗମ୍ଭୀର ଭାବରେ ଉତ୍ତର କଲେ, ‘‘ଏକ ସମ୍ବାଦ ଶୁଣିଲି, ସେଥିପାଇଁ ଶୀଘ୍ର ଚାଲି ଆସିଲି । କାଳେ ଏଥିମଧ୍ୟରେ ତୁମେ ଗୁଡ଼ାଏ ବୃଥା ପରିଶ୍ରମ କରିପକାଇବ, ସେ କଥାକୁ ବନ୍ଦ କରିବାପାଇଁ ।’’

 

ଉଦ୍‌ବିଗ୍ନ ହୋଇ ଲାଲମୋହନବାବୁ କୁମୁଦିନୀଙ୍କ ମୁହଁକୁ ଚାହିଁ ରହିଥାଆନ୍ତି । କୁମୁଦିନୀ ଆଖି ତଳକୁ କରି ଆଉ କୌଣସି ପ୍ରକାର ଉପକ୍ରମଣିକା ନ କରି ସିଧା ସେହି ପ୍ରଶ୍ନ ଗମ୍ଭୀର ଭାବରେ ପଚାରିଲେ, ‘‘ଲାଲମୋହନବାବୁ ! ତୁମେ କୁଆଡ଼େ ବିବାହିତ ?’’

 

ଚମକି ପଡ଼ିଲା ପରି ଲାଲମୋହନବାବୁ ଚୌକି ଉପରେ ଏପାଖ ସେପାଖ ହୋଇ ଦୃଢ଼ଭାବରେ କହିଲେ, ‘‘ହଁ ମୁଁ ବିବାହିତ । ହେଲା କ’ଣ ?’’

 

କୁମୁଦିନୀ ସେହିପରି ଗମ୍ଭୀର ଭାବରେ କହିଲେ, ‘‘କାହିଁ, ଏ କଥା ତ ତୁମେ ମୋତେ କେବେ କହିନାହଁ ?’’

 

ଲାଲମୋହନବାବୁ–‘‘କହିବାର ପ୍ରୟୋଜନ ନାହିଁ । ଅତୀତ ଉପରେ ଜୋର ଦେବା ଲୋକ ମୁଁ ନୁହେଁ । ତେଣୁ ମୁଁ ତୁମ ଅତୀତ ଶୁଣିବାକୁ ଚାହିଁ ନାହିଁ ବା ମୋର ଅତୀତ ବ୍ୟାଖ୍ୟାନ କରିବାର ପ୍ରୟୋଜନ ବୁଝିନାହିଁ ।’’

 

କୁମୁଦିନୀ କିଛି ସମୟ ନୀରବ ରହି ତା’ପରେ କହିଲେ, ‘‘ଏପରି ଭାବରେ ଆଖି ବୁଜି ଅନ୍ଧାରକୁ ଡିଆଁ ମାରିବା ତ ଭଲ ନୁହେଁ ?’’

 

ଲାଲମୋହନବାବୁ ହସି ହସି କହିଲେ, ‘‘ଏ ତ ଅନ୍ଧାରକୁ ଡିଆଁମାରିବା ନୁହେଁ । ଏ ଅନ୍ଧାରରୁ ଡିଆଁ ମାରିବା ।’’ କୁମୁଦିନୀଙ୍କ ମୁହଁରେ ଟିକେ ହସ ମଧ୍ୟ ଦେଖାଗଲା । ଲାଲମୋହନ ନିଜ କଥାକୁ ବୁଝାଇ କହିଲେ, ‘‘ତୁମେ କ’ଣ ମୁଁ ଜାଣିଛି ଓ ମୁଁ କ’ଣ ତା’ ବୋଧହୁଏ ତୁମେ ଜାଣିଛ । ତେଣୁ ଅତୀତର ଆଲୋଚନାରେ ଆବଶ୍ୟକ କ’ଣ ? ଏକମାତ୍ର ଆଲୋଚନାର ବିଷୟ, ବର୍ତ୍ତମାନ ଓ ଭବିଷ୍ୟତ ।’’

 

କୁମୁଦିନୀ ମୁଣ୍ଡ ହଲାଇ ଧୀରେ ଧୀରେ କହିଲେ, ‘‘ମାତ୍ର ସେ ସିନା ଅଭାଗୀନି ହୋଇ ପଡ଼ିରହିବ ।’’

 

ଲାଲମୋହନ ଗମ୍ଭୀର ହୋଇ କହିଲେ,–‘‘ବହୁ ଚିନ୍ତାକରି ମୁଁ ଦେଖିଲି ଯେ ତାକୁ ସୌଭାଗିନୀ କରିବାର ଶକ୍ତି ବା ଅବକାଶ ମୋର ନାହିଁ । ତେଣୁ ମନେମନେ ମୁଁ ତାକୁ ବିଦାୟ ଦେଇଛି–ଅବଶ୍ୟ ତା’ର ଭରଣପୋଷଣର ବ୍ୟବସ୍ଥା କରିଛି; ମାତ୍ର ବାଲି କଳସୀ ବେକରେ ବାନ୍ଧି ମୁଁ ପହଁରି ପାରିବି ନାହିଁ । ସେ ତ ମୋ କଥା । ମାତ୍ର ତୁମର ଆପତ୍ତି କ’ଣ ? ଆଉ ମଧ୍ୟ ସମାଜରେ ବହୁବିବାହ ତ ନିଷଦ୍ଧ ନୁହେଁ ?’’

 

କୁମୁଦିନୀ ହଠାତ୍ କହିଲେ, ‘‘ତା’ ତ ନିଷିଦ୍ଧ ନୁହେଁ । ମାତ୍ର ସବୁ ଆଡ଼କୁ ମୁଁ ବିଚାର କରୁଛି–ଆଚ୍ଛା, ତୁମେ କ’ଣ ତୁମ ମନରେ ସ୍ଥିର କରିଛ, ଯେ, ତା’ ସହିତ ଆଉ ସମ୍ପର୍କ ରଖିବ ନାହିଁ-?’’

 

ଲାଲମୋହନବାବୁ ଦୃଢ଼ଭାବରେ କହିଲେ, ‘‘ହଁ ତାହାହିଁ ସ୍ଥିର କରିଛି ।’’ ମାତ୍ର ଏ କଥା କହିବାବେଳେ ତାଙ୍କ ଛାତି ଭିତର ଟିକିଏ ଥରିଗଲା । ସେ ଟିକିଏ ଚୁପ୍ ହୋଇ ବସି ରହିଲେ ।

 

କୁମୁଦିନୀ–‘‘କାହିଁକି ଏପରି ସିଦ୍ଧାନ୍ତରେ ପହଞ୍ଚିଲ ?’’

 

ଲାଲମୋହନ–‘‘ପୁଣି ସେହି ଅତୀତର ଆଲୋଚନା, ମୁଁ ତୁମର ଅତୀତ ଜାଣିବାପାଇଁ ତିଳେହେଲେ ସ୍ପୃହା ପ୍ରକାଶ କରି ନାହିଁ, ତୁମେ କାହିଁକି ମୋର ଅତୀତ ଜାଣିବାପାଇଁ ଏତେ ବ୍ୟାକୁଳ-।’’

 

କୁମୁଦିନୀ ଅଳ୍ପ ହସି ହସି କହିଲେ, ‘‘ତା’ର କାରଣ–ମୁଁ ନାରୀ । ମୁଁ ଜାଣେ–ନାରୀ କିପରି ଅତ୍ୟାଚାରିତା । ମୁଁ ଜାଣେ ପୁରୁଷ କିପରି ମାଟି ଗୋଡ଼ି ପରି ନାରୀକୁ ବ୍ୟବହାର କରେ । ତେଣୁ ମୁଁ ବ୍ୟସ୍ତ । ସେ ବିଚାରୀପାଇଁ–ଯାହାକୁ ତୁମେ ବିଦାୟ ଦେଇଛ ବୋଲି କହୁଛ ।’’

 

ଲାଲମୋହନବାବୁ ଅତି ବ୍ୟସ୍ତ ହୋଇ ପଡ଼ିଲେ, ତାଙ୍କୁ ବାସ୍ତବିକ ବିରକ୍ତ ଲାଗିଲା ଏ ବିଷୟରେ ଆଉ କଥାବାର୍ତ୍ତା ଚଳାଇବା ପାଇଁ । ସେ ମୁହଁ ଝାଡ଼ି କହିଲେ, ‘‘ଏ ବିଷୟରେ ମୁଁ କୌଣସି ପ୍ରକାର ଆଲୋଚନା କରିବାକୁ ଚାହେଁନାହିଁ । ସେହି ହେଉଛି ମୋର ଜୀବନର ଦୁର୍ବଳ ବିନ୍ଦୁ, ସେଇଠି କେବଳ ଜୀବନରେ ମୁଁ ଦୁଃଖ ଓ ନୈରାଶ୍ୟ ଭେଟେ । ସେଥିପାଇଁ ନୂତନ ବିବାହର ପରିକଳ୍ପନା । ତୁମେ ସେଇଠି ପୁଣି ଆଘାତ କରୁଛ–ମୁଁ ଯାଉଛି ବର୍ତ୍ତମାନ, ପରେ ଆସିବି ।’’

 

କୁମୁଦିନୀ ବ୍ୟସ୍ତ ହୋଇ ପଡ଼ି ତରତରରେ କହିଲେ, ‘‘ବସ, ବସ, ଏତେ ବ୍ୟସ୍ତ କାହିଁକି-? ଖାଲି କ’ଣ ପ୍ରେମର କଥା ଛଡ଼ା ଆଉ କିଛି କଥା ନାହିଁ । ଜଗତରେ କ’ଣ ସୁଖର କଥାଛଡ଼ା ଦୁଃଖର କିଛି କଥା ନାହିଁ । ଜଗତରେ କ’ଣ ସୁଖର କଥାଛଡ଼ା ଦୁଃଖର ଆଲୋଚନା ଆଦୌ ନାହିଁ ? ହୃଦୟର ସଂଯୋଗ ସେଇଠି, ଯେଉଁଠି ସୁଖ ଓ ଦୁଃଖର ଉଭୟ ଆଲୋଚନା ନିର୍ବିକାର ଭାବରେ କରାହୁଏ । ସେଥିପାଇଁ ତ ମୁଁ ତୁମକୁ ମୋ ଅତୀତ ଶୁଣାଇବା ପାଇଁ ବ୍ୟସ୍ତ । ଆମର ବିବାହ ପରେ କ’ଣ ମନେ କରିଛ, ଆମର ଜୀବନ କେବଳ ଗୋଲାପ ଫୁଲର ଶେଯ ଉପଭୋଗ କରିବ-? କେତେ କଣ୍ଟା ଅଜାଣତରେ ସୁଦ୍ଧା ଆସି ବାଜିବ ? ତାକୁତ ସହି ନେବାକୁ ହେବ ? ହଁ, କଣ୍ଟା ବାଜିବାମାତ୍ରକେ ମୁଁ ପୁଣି ନୂତନ ସ୍ୱାମୀ ଖୋଜିବି ବା ତୁମେ ପୁଣି ତୃତୀୟ ସ୍ତ୍ରୀ ଖୋଜିବ । ଜୀବନରେ ଅତି ନିକୃଷ୍ଟ ଧକ୍କା ଖାଇଛି ବୋଲି ମୁଁ ଚମକୁଛି–ଡର ମାଡ଼ୁଛି, କାଳେ ପୁଣି ଯାଇ ଖାଲରେ ପଡ଼ିବି । ଏ ସବୁ ବିଷୟରେ ଉତ୍ତେଜନା ଯେତେ କମ୍ ରହେ ତେତେ ଭଲ ନୁହେଁ କି ଲାଲମୋହନବାବୁ ?’’

 

ଲାଲମୋହନବାବୁ ମୁହଁ ତଳକୁ କରି ସବୁ ଶୁଣୁଥିଲେ । ତାଙ୍କ ମନରେ କୁମୁଦିନୀଙ୍କ ଅତୀତ ଜାଣିବାପାଇଁ ଟିକିଏ ଇଚ୍ଛା ଜାଗ୍ରତ ହେଲାଭଳି ସେ ଅନୁଭବ କଲେ । ସେ ମୁହଁ ଟେକି ଧୀରେ ଧୀରେ ଚିନ୍ତିତ ଭାବରେ କହିଲେ, ‘‘କି ଧକ୍କା ଜୀବନରେ ତୁମେ ସହିଛ ?’’

 

କୁମୁଦିନୀ ହସି ଉଠି କହିଲେ, ‘‘ଏତେବେଳେ ମୋର ଅତୀତ ଜାଣିବାପାଇଁ ଇଚ୍ଛା ହେଲା ? ତେଣୁ ମୁଁ କହୁଛି ବିବାହ ବର୍ତ୍ତମାନ ବନ୍ଦ ରହୁ । ପୁଣି ବିଷୟକୁ ଭଲକରି ଭାବିବାକୁ ଦେବା ଉଚିତ ।’’

 

ଲାଲମୋହନବାବୁ ରାସ୍ତା ଆଡ଼କୁ ଅନାଇ କିଛି ସମୟ ଚିନ୍ତା କରି କହିଲେ, ‘‘ତୁମେ ଜାଣ କୁମୁଦିନୀ, ତୁମକୁ କେନ୍ଦ୍ରକରି ମୋ କଳ୍ପନା ବ୍ୟାସରେ କେତେ ବଡ଼ ବୃତ୍ତ ମୁଁ ଆଙ୍କି ସାରିଲିଣି । ଶେଷରେ ସେ କ’ଣ କେବଳ ଛାତ୍ରଙ୍କର ଖଡ଼ିଅଙ୍କା ଚିତ୍ରପରି କିଛି ସମୟରେ ପୋଛି ଦେବାପାଇଁ ଅଙ୍କା ହେଲା ?’’

 

କୁମୁଦିନୀ ଦୁଃଖିତ ସ୍ୱରରେ କହିଲେ, ‘‘ତୁମେ ଜାଣ, ମୁଁ ମଧ୍ୟ କିଛି କମ୍ ଧରଣର ଚିତ୍ର ଆଙ୍କିନାହିଁ । ବିବାହିତ ଜୀବନର ସୁଖ ମୋତେ ଯେତେ ଅସ୍ଥିର ନ କରୁଛି, ମା’ ହେବାର ଇଚ୍ଛା ତା’ଠାରୁ ବେଶି ଅସ୍ଥିର କରୁଛି । ଶିଶୁଟିଏ କୋଳରେ ଦେଖିଲେ ମୋର ଯେପରି ଜୀବନର ସମସ୍ତ ସୁଖ ମିଳିଯିବ ।’’ –ଏତିକି କହି ସେ ନୀରବ ହୋଇ ତଳକୁ ଅନାଇ ରହିଲେ ।

 

କିଛି ସମୟ ପରେ ଦୁଇ ଚାରି ବିନ୍ଦୁ ଲୁହ ତାଙ୍କ ଆଖିରୁ ଖସି ପଡ଼ିବାର ଲାଲମୋହନବାବୁ ଦେଖିଲେ । ତା’ପରେ ରୁମାଲରେ କୁମୁଦିନୀ ଆଖି ପୋଛିଦେଲେ ।

 

ଲାଲମୋହନବାବୁ କରୁଣ ଭାବରେ କିଛି ସମୟ କୁମୁଦିନୀଙ୍କୁ ଚାହିଁ ରହିଲେ । ତା’ପରେ ଧୀରେ ଧୀରେ କହିଲେ, ‘‘ତେବେ ବର୍ତ୍ତମାନ ବିବାହ ସ୍ଥଗିତ ରହୁ, ମାତ୍ର–।’’

 

କୁମୁଦିନୀ ରୁଦ୍ଧକଣ୍ଠରେ କହିଲେ, ‘‘ବର୍ତ୍ତମାନ ଥାଉ ଏ ବିଷୟରେ ଚର୍ଚ୍ଚା–ପୁଣି ପରେ କଥାବାର୍ତ୍ତା ହେବା–ମୁଁ ଚାହେଁ ସ୍ନେହ; ଏପରି ସ୍ନେହ ଯେ ସେଥିରେ ଭାଗୀଦାର କେହି ଆଉ ରହିବେ ନାହିଁ । ସେହି ସ୍ନେହ ଶିଶୁଠାରେ ପ୍ରତିଫଳିତ ହେବ, ଯାହାକୁ ଜୀବନ ସଙ୍ଖାଳି କରି ମୋର ପାପ ଜୀବନ ସାଙ୍ଗ କରିବି । ତେଣୁ ତୁମର ପ୍ରଥମ ବିବାହ କଥା ଶୁଣି ମୁଁ ବିଚଳିତ ହେଲି । କିଛି ମନେ କରିବେ ନାହିଁ । ବର୍ତ୍ତମାନ ମୋତେ ଭାବିବାକୁ ଅବସର ଦିଅନ୍ତୁ ।’’

 

ଲାଲମୋହନବାବୁଙ୍କୁ ଏ କଥା ମଧ୍ୟ ଲାଗିଲା । ସେ ତୁନି ହୋଇ ରହିଲେ । ତା’ପରେ ଏଣୁତେଣୁ କଥା ହୋଇ ସେ ଧର୍ମଶାଳାକୁ ଫେରିଗଲେ ।

 

–୧୭–

 

ବାସ୍ତବିକ ଲାଲମୋହନବାବୁଙ୍କ ମନରେ ବଡ଼ ଆଘାତ ଲାଗିଲା । ତାଙ୍କ ବନ୍ଧୁ ଦୀନବନ୍ଧୁବାବୁ ଯାହା କହୁଥିଲେ ତା’ ସତ ବୋଲି ଜଣାପଡ଼ିଲା । ବିବାହିତ ଲୋକ ଆଉ ଗୋଟିଏ ବିବାହ କରିବାକୁ ଗଲେ ପ୍ରଥମେ ସେ ପୁରୁଷକୁ ଦୋଷୀ ବୋଲି ଧରି ନିଆହେଉଛି । ଏହାହିଁ ଯଦି ରୀତି ହୁଏ, ତେବେ ସମୁଦାୟ ହିନ୍ଦୁ ବିବାହ ପ୍ରଥାହିଁ ଉନ୍ମୁକ୍ତ ହେବା ଆବଶ୍ୟକ–ତା’ ନହେଲେ ବହୁ ଜୀବନ ଅକାରଣ ଅଶାନ୍ତିରେ ଜଳିପୋଡ଼ି ଭସ୍ମ ହୋଇଯିବ । ସେ କାହିଁକି ପ୍ରଥମେ ବିଦ୍ରୋହର ଧ୍ୱଜା ନ ଉଡ଼ାଇବେ । ଅର୍ଥାତ୍ ନିଜ ସ୍ତ୍ରୀକୁ କିଛି ଭରଣପୋଷଣ ଦେଇ ଆଇନ ଅନୁସାରେ ଆଗ ଛାଡ଼ପତ୍ର ଦେଇ ନ ଦେବେ, ଏହାହିଁ ତାଙ୍କ ମନକୁ ଆଲୋଡ଼ନ କରିବାକୁ ଲାଗିଲା । ଆହୁରି ମଧ୍ୟ ସେ ନିଜକୁ ପରୀକ୍ଷା କରି ଦେଖିଲେ ଯେ, ଜନମତକୁ ଏଡ଼େଇ ଦେବା ଯେତେ ସହଜ ବୋଲି ସେ ଭାବୁଥିଲେ, ତାହା ତେତେ ସହଜ ନୁହେଁ । ଭାବି ସ୍ଥିର କଲେ, ଏ ବିଷୟରେ ଦିବ୍ୟସିଂହବାବୁଙ୍କ ସହିତ ଆଲୋଚନା କରିବେ । ଆହୁରି ମଧ୍ୟ ପରୋକ୍ଷରେ ତାଙ୍କ ସମ୍ବନ୍ଧରେ, କୁମୁଦିନୀ ଓ ଦିବ୍ୟସିଂହବାବୁଙ୍କ ସମ୍ବନ୍ଧରେ କିଛି କଥା ହୋଇଛି । ନହେଲେ କୁମୁଦିନୀ କାହୁଁ ଜାଣିଲେ ତାଙ୍କ ପ୍ରଥମ ବିବାହ କଥା–ଏଣୁ ଦିବ୍ୟସିଂହବାବୁଙ୍କ ସହିତ କଥାବାର୍ତ୍ତା ହୋଇଗଲେ ଓ ସେ ଯଦି ତାଙ୍କ ବିବାହକୁ ସମର୍ଥନ କରନ୍ତି, ତେବେ ବହୁ ପରିମାଣରେ ପଥ ପରିଷ୍କାର ହୋଇଯିବ । ଏହା ସ୍ଥିର କରି ସେ ସେହିଦିନ ରାତିଗାଡ଼ିରେ ଭଦ୍ରଖ ଯିବାର ସ୍ଥିର କଲେ । ଯିବା ପୂର୍ବରୁ ଥରେ କୁମୁଦିନୀଙ୍କ ସହିତ ଦେଖା କରିବାକୁ ଗଲେ । କୁମୁଦିନୀ ବସି ଖବରକାଗଜ ପଢ଼ୁଥିଲେ । ତାଙ୍କ ମୁହଁରୁ ଜାଣିପାରିଲେ ଯେ, ସେ ପ୍ରସନ୍ନ ମନରେ ଅଛନ୍ତି । ଲାଲମୋହନବାବୁଙ୍କୁ ଚୌକିରେ ବସିବାକୁ ଦେଇ କୋମଳ ଭାବରେ ପଚାରିଲେ, ‘‘କ’ଣ ଆଉ ଖବର, ଲାଲମୋହନବାବୁ ?’’ ଲାଲମୋହନବାବୁ ହଠାତ୍ ତାଙ୍କ ମନକଥାର ଅବତାରଣା ନ କରି ଅନ୍ୟମନସ୍କ ଭାବରେ କହିଲେ, ‘‘ଖବର ତୁମଠି ନା । ବ୍ରହ୍ମଗିରି ଯାଇଥିଲ କ’ଣ ଦେଖିଲ, କାହିଁ କିଛି ତ କହିଲ ନାହିଁ ।’’

 

କୁମୁଦିନୀ–‘‘ଦେଖିବି କ’ଣ–ଅକଳ୍ପନୀୟ ଦାରିଦ୍ର୍ୟ–ଯାହାଙ୍କୁ ଲୋକେ ବଡ଼ଲୋକ ବୋଲି କହୁଛନ୍ତି, ସେ ସୁଦ୍ଧା ଏତେ ଗରିବ ମୁଁ ତ ଦେଖି ଅବାକ୍ । ଯାହାଙ୍କ ଘରେ ଆମର ଖାଇବା ପିଇବାର ବନ୍ଦୋବସ୍ତ ହୋଇଥିଲା–ସେ ଖୁବ୍ ଚଳାଚଳ ଘର ବୋଲି ଲୋକେ କହନ୍ତି । ମାତ୍ର ତାଙ୍କ ଘର ଭିତର ମୁଁ ଦେଖିଲି, ଚାଲିଚଳନ ଲକ୍ଷ୍ୟ କଲି । ତାଙ୍କୁ ଅନ୍ୟମାନଙ୍କ ସହିତ ତୁଳନା ନ କରି ଏକାକୀ ବିଚାର କଲେ ସ୍ୱଚ୍ଛନ୍ଦରେ କୁହାଯିବ ଯେ, ସେ ଜଣେ ଗରିବ ଲୋକ, ତଥାପି ଯେଉଁଠି ଲୋକେ ଖାଇବାକୁ ପାଉ ନାହାନ୍ତି, ସେଠି ଯେ ଦୁଇ ଓଳି ପେଟ ପୂରିବା ଭଳି ଖାଇବାକୁ ପାଉଛି–ସେ ମଧ୍ୟ ବଡ଼ଲୋକ ।’’

 

ଲାଲମୋହନବାବୁ–‘‘ଦରିଦ୍ରତା ତ ଗୋଟିଏ ସମ୍ବନ୍ଧବାଚକ ଶବ୍ଦ । ସେହିହେତୁରୁ ମୁଁ ଚୁଡ଼ା ଚାଉଳ ବାଣ୍ଟିବାକୁ ପସନ୍ଦ କରେ ନାହିଁ । ଯେଉଁମାନେ ଅଭାବଗ୍ରସ୍ତ ସେମାନେ ନିଜକୁ ଏପରି କାହିଁକି ନ କରିବେ ଯେ, ସେମାନେ ଅଭାବରେ ଥିବା ପର୍ଯ୍ୟନ୍ତ ଅନ୍ୟମାନେ ଭଲଭାବରେ ଚଳି ପାରିବେ ନାହିଁ । ଦେଶସାରା ପ୍ରବଳ ଅସନ୍ତୋଷର ଏକ ବିରାଟ ଅଗ୍ନିକାଣ୍ଡ ଘଟୁ ! ହୋଇଯାଉ ଭସ୍ମସାତ୍ । ଯୁଗଯୁଗ ବ୍ୟାପୀ ଯେ ସବୁ ଆବର୍ଜନା ଏ ଦେଶ ସମାଜରେ ଜମାଟ ବାନ୍ଧି ଯାଇଛି–ଯେଉଁଠି ମୁଁ ଦେଖେ ଟିକିଏ ହେଲେ ସେ ପ୍ରକାର ସକ୍ରୀୟ ଅସନ୍ତୋଷର ବର୍ହିବିକାଶ, ମୁଁ ସେଠି ମୋ ପ୍ରାଣକୁ ଢାଳି ଦିଏଁ । କିନ୍ତୁ ଦେଶରେ ବହୁ ମାନ୍ୟଗଣ୍ୟ ଲୋକ ଅଛନ୍ତି, ଯେଉଁମାନେ ଚଢ଼େଇକୁ ଆଧାର ଦେଲାଭଳି ଭୋକୀ ମୁହଁରେ ଗଣ୍ଡେ ଗଣ୍ଡେ ଚୁଡ଼ା ଚାଉଳ ଦେବାକୁ ବଡ଼ ମନେ କରନ୍ତି ।

 

କୁମୁଦିନୀ ମଝିରେ ବାଧା ଦେଇ କହିଲେ, ‘‘ଦିବ୍ୟସିଂହବାବୁ ସେହିପରି ଲୋକ । କିନ୍ତୁ ସେ ଏତେ ମହାନ୍, ତାଙ୍କର ହୃଦୟ ଏତେ ବଡ଼, ମୁଁ ଏପରି ଲୋକ ପ୍ରାୟ ଦେଖି ନାହିଁ । ମୋର ମନେହୁଏ–ସେ ଯାହା କହୁଛନ୍ତି, ତା’ର ପରିଣାମ ତୁମେ ଯାହା କହୁଛ ତାହାହିଁ ଘଟିବ ।’’

 

କେଜାଣେ କାହିଁକି କୁମୁଦିନୀଙ୍କ ମୁହଁରେ ଦିବ୍ୟସିଂହବାବୁଙ୍କ ପ୍ରଶଂସା ଲାଲମୋହନବାବୁଙ୍କ ମନରେ ଠେକିଲା । ହୁଏତ ତାହାଙ୍କ ପ୍ରଣୟୀର ଈର୍ଷା ବା ସାଧାରଣ ଜୀବନରେ ଏକାଧିକ ବଡ଼ଲୋକଙ୍କ ଭିତରେ ଯେପରି ପରସ୍ପର ଅସହିଷ୍ଣୁତା ସାଧାରଣତଃ ଦେଖାଯାଏ । ତାହା ଯାହାହେଉ, ସେ ନିଜ ମନ ଭାବକୁ ପ୍ରକାଶ ନ କରି ଧୀରେ ଧୀରେ କହିଲେ, ‘‘ଆଜି ଯାଉଛି ତାଙ୍କ ପାଖକୁ ।’’ କୁମୁଦିନୀ ବ୍ୟଗ୍ର ହୋଇ କହିଲେ, ‘‘ତୁମେ ଭଦ୍ରଖ ଯାଉଛ ଆଜି ?’’ ଲାଲମୋହନ ତଳକୁ ମୁହଁ କରି କହିଲେ, ‘‘ଯାଉଛି ତାଙ୍କ ସହିତ ଆଲୋଚନା କରିବି । ହିନ୍ଦୁ ବିବାହ ପ୍ରଥା ସମ୍ବନ୍ଧରେ । ମୁଁ ଭାବୁଛି ଆଇନ ଅନୁସାରେ ମୋ ପ୍ରଥମ ବିବାହିତ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଦେବି । ତା’ର ଭରଣପୋଷଣର ବ୍ୟବସ୍ଥା କରି ଦେବି । ତାହାହେଲେ ମୁଁ ସେଥିରୁ ପୂର୍ଣ୍ଣ ଭାବରେ ମୁକ୍ତ ହୋଇଯିବି ।’’

 

କୁମୁଦିନୀ ହସି ହସି କହିଲେ, ‘‘ଆଚ୍ଛା, ତା’ପରେ ଯଦି ମୁଁ କହେ ଯେ ବିବାହ କରିବି ନାହିଁ–ତେବେ ?’’

 

ଲାଲମୋହନବାବୁ ବ୍ୟସ୍ତ ହୋଇ ପଡ଼ିଲେ । ତାଙ୍କ ମୁଖମଣ୍ଡଳ ବିବର୍ଣ୍ଣ ହୋଇଗଲା । ସେ ଟିକିଏ ରହିଯାଇ କହିଲେ, ‘‘କୁମୁଦିନୀ, ସମୁଦାୟ ହୃଦୟକୁ ଅଜାଡ଼ି ଦେଇ ମଧ୍ୟ ତୁମ ମନର କଥା ମୁଁ କିଛି ଜାଣିପାରିଲି ନାହିଁ । ଆଶା ଦେଖାଇ ନିରାଶ କରିବାରେ ତୁମର ଏତେ ଆନନ୍ଦ ?’’

 

କୁମୁଦିନୀ ହସି ଉଠି କହିଲେ, ‘‘କିଛି ମନେ କର ନାହିଁ । ମୁଁ ଜାଣିବାକୁ ଚାହେଁ ଯେ, ମୋପାଇଁ ତାକୁ ଛାଡ଼ିବ ନା ମୋତେ ବାଦ୍ ଦେଇ ମଧ୍ୟ ତାକୁ ତୁମର ଛାଡ଼ିବାର କଥା ।’’

 

ଲାଲମୋହନବାବୁ ଗମ୍ଭୀର ଭାବରେ କହିଲେ, ‘‘ତୁମ ସହିତ ମୋର ବିବାହ ହେଉ ବା ନ ହେଉ ମୋର ହୃଦୟ ତୁମଠି । ମାତ୍ର ଯେତେବେଳେ ପ୍ରଶ୍ନ ଉଠିଛି ମୋର ପ୍ରଥମ ସ୍ତ୍ରୀ ସମ୍ବନ୍ଧରେ, ତେଣୁ ସେ ସମ୍ପର୍କ ପ୍ରକାଶ୍ୟ ଭାବରେ ଛିଣ୍ଡାଇ ଦେବାକୁ ଚାହେଁ ।’’

 

କୁମୁଦିନୀ–‘‘ଲୋକେ ଯଦି ଖରାପ କହନ୍ତି ।’’

 

ଲାଲମୋହନବାବୁ–‘‘କହନ୍ତୁ ପଛେ, ମୁଁ ନିଜକୁ ବାନ୍ଧି ରଖିପାରିବି ନାହିଁ ।’’

 

କୁମୁଦିନୀ–‘‘ଭଲ କଥା, ଦିବ୍ୟସିଂହବାବୁଙ୍କୁ ପଚାରି ନିଅନ୍ତୁ । ମୋର ମନେହୁଏ ସେ ଯାହା କହିବେ ତାହାହିଁ ପ୍ରକୃତ ପନ୍ଥା ।’’

 

ଲାଲମୋହନବାବୁ–‘‘ସେ ଯଦି ମନା କରନ୍ତି ।’’

 

କୁମୁଦିନୀ–‘‘ତେବେ ଭାବିବାର ବିଷୟ ।’’

 

ଲାଲମୋହନବାବୁ–‘‘ଏହି ମୋ ସ୍ନେହର ପ୍ରତ୍ୟର୍ପଣ ପରା !’’

 

କୁମୁଦିନୀ–‘‘ଲାଲମୋହନବାବୁ, ଆଜିସୁଦ୍ଧା ଆପଣ ମୋ ମନ ଜାଣିଲେ ନାହିଁ । ଥରେ ମୋ ଜୀବନରେ ମୁଁ ଯେ କଳଙ୍କ ଭୋଗିଛି, ତେଣୁ ଚାହେଁ ନାହିଁ ପୁଣି କୌଣସି ପ୍ରକାରେ ଲୋକନିନ୍ଦା ଘଟୁ । ତାହାହେଲେ ମୁଁ ମରିଯିବି । ତୁମକୁ ବିବାହର ଦଲିଲ୍ ଚିଠା କରିବାପାଇଁ କହି ପୁଣି କାହିଁକି ତା’ ବନ୍ଦ କଲି । କାଳେ ମୋ ନାଁରେ ପୁଣି କଳଙ୍କ ରଟିବ । କାଳେ ଲୋକେ କହିବେ, ମୁଁ ତୁମକୁ ଭୁଲାଇଦେଲି । ବିବାହିତ ଜୀବନ ଓ ମାତୃତ୍ୱ ଏ ସବୁବେଳେ ମୋ ମନକୁ ଅଧିକାର କରି ବସିଛି । କିନ୍ତୁ ତା’ ସଙ୍ଗରେ ଭୟ ମଧ୍ୟ ରହିଛି । ଯେପରି କୌଣସି ନିନ୍ଦା ମୁଁ ନ ଶୁଣେ । ଦିବ୍ୟସିଂହବାବୁଙ୍କ ସହିତ ଆଲୋଚନା କର, ତା’ପରେ ଦେଖାଯିବ ।’’

 

ଲାଲମୋହନବାବୁ ଅସ୍ପଷ୍ଟ ଭାବରେ କହିଲେ, ‘‘ଦୁଇଟା ଦିନରେ ତାଙ୍କ ପ୍ରତି ଏତେ ପ୍ରଗାଢ଼ ଭକ୍ତି ହେଲା ତୁମର ?’’

 

କୁମୁଦିନୀ–‘‘ମୋର ମନେ ହୁଏ ସେ ଜଣେ ଆଦର୍ଶ ପୁରୁଷ । ତାଙ୍କର ତ୍ୟାଗ ଆଗରେ ଅତି ଉନ୍ନତ ମସ୍ତକ ମଧ୍ୟ ଅବନତ ହୋଇଯିବ ।

 

ଲାଲମୋହନ ଅଳ୍ପ ହସି କହିଲେ, ‘‘ଆଚ୍ଛା, ତୁମର ବିବାହିତ ଜୀବନ ବା ମାତୃତ୍ୱପାଇଁ ଏତେ ଅଭିଳାଷ କହୁଛ । ଯଦି ମୁଁ କୌଣସି କାରଣରୁ ବିବାହ ନ କରେ ?’’

 

କୁମୁଦିନୀ ଗମ୍ଭୀର ହୋଇଯାଇ କହିଲେ, ‘‘ସେ କଥା ଚିନ୍ତାର ବିଷୟ । ମାତୃତ୍ୱର ସ୍ୱପ୍ନ ଏ ଜୀବନକୁ ଏପରି ଘାରି ରଖିଛି ଯେ, ମୁଁ ଭାବିପାରୁନାହିଁ । ଅସଂଖ୍ୟ ନାରୀ ସେ ସୁଖରେ ଭାସୁଥିବା ସ୍ଥଳେ ଏ ଅଭାଗୀନି ସେ ଦେବାଶୀର୍ବାଦରୁ ଚିରକାଳ ବଞ୍ଚିତା । ସେ ସ୍ୱପ୍ନ ହଟିଗଲେ ମୁଁ ରହିପାରିବି କି ନା ଭାବିପାରିବି ନାହିଁ । ଏତିକି କହି ନୀରବ ହୋଇଗଲେ । ଲାଲମୋହନବାବୁ ଲକ୍ଷ୍ୟ କଲେ ଯେ, ତାଙ୍କ ଆଖି ଛଳଛଳ ହୋଇଆସୁଛି । କାଳେ କାନ୍ଦି ପକାଇବେ, ଏଣୁ ସେ ତରତର ହୋଇ କହିଲେ, ‘‘ମୁଁ ଦିବ୍ୟସିଂହବାବୁଙ୍କୁ ରାଜି କରାଇବି । ତାଙ୍କ ଉପସ୍ଥିତିରେ ଆମର ବିବାହ ହେଲେ ବାସ୍ତବିକ ଅତି ଆନନ୍ଦର ବିଷୟ ହେବ ।’’

 

କୁମୁଦିନୀ ରୁମାଲରେ ମୁହଁ ପୋଛି ହୋଇ କହିଲେ, ‘‘ଅତି ନିନ୍ଦିତ, ଏ ଜୀବନ ଆଉ ନିନ୍ଦା ସହିବାକୁ ପ୍ରସ୍ତୁତ ନୁହେଁ । ଭଲ କରି ଭାବିବାକୁ ହେବ । ମନେ କର ନାହିଁ–ମୁଁ ତୁମର ସ୍ନେହ ସହିତ ଖେଳିଲା ପରି ହେଉଛି ।’’

 

ଲାଲମୋହନବାବୁ ଆଉ ସେକଥା ଆଲୋଚନା କଲେ ନାହିଁ । ସେ ଖବରକାଗଜ ଉଠାଇ ଦେଇ ସେଦିନ ପ୍ରକାଶିତ କେତେକ ଖବର ସମ୍ବନ୍ଧରେ ଆଲୋଚନା କରି କୁମୁଦିନୀଙ୍କ ମନ ବଦଳାଇବାରେ ଚେଷ୍ଟା କଲେ ।

 

–୧୮–

 

ଲାଲମୋହନବାବୁ ସେହିଦିନ ରାତି ଗାଡ଼ିରେ ଭଦ୍ରଖ ଗଲେ । ତହିଁ ପରଦିନ ସକାଳେ ଭଦ୍ରଖ ଷ୍ଟେସନ୍‍ରେ ପହଞ୍ଚି ସେଠୁଁ ପାଞ୍ଚ ମାଇଲ ଯାଇ ଦିବ୍ୟସିଂହବାବୁଙ୍କ ଆଶ୍ରମରେ ପହଞ୍ଚିଲେ । ସେତେବେଳକୁ ଦିବ୍ୟସିଂହବାବୁ କୁଆଡ଼େ କାମରେ ବାହାରି ଯାଇଥାନ୍ତି । ସେଥିଯୋଗୁଁ ଲାଲମୋହନବାବୁଙ୍କୁ କିଛି ଅସୁବିଧା ଭୋଗିବାକୁ ହେଲା ନାହିଁ । କାରଣ ସେ ଆଶ୍ରମରେ ସୁପରିଚିତ । ଦିବ୍ୟସିଂହବାବୁଙ୍କ ଅନୁପସ୍ଥିତିରେ ଯେ ଆଶ୍ରମ କାମ ଦେଖାଶୁଣା କରନ୍ତି, ସେ ଲାଲମୋହନବାବୁଙ୍କୁ ଅଭିବାଦନ କରି, ତାଙ୍କ ଲୁଗାପଟା ତାଙ୍କ ହାତରୁ ନିଜେ ନେଇ, ଏକ କୋଠରୀରେ ରଖି ଦେଲେ ଓ ଗୋଡ଼ ହାତ ଧୋଇବାପାଇଁ ପାଣି ଦେଲେ ।

 

ଗୋଡ଼ ହାତ ଧୋଇସାରି ଲାଲମୋହନବାବୁ ପଚାରିଲେ, ‘‘କି ବ୍ରଜକିଶୋରବାବୁ, ଆଶ୍ରମ କାମ କିପରି ଚାଲିଛି ?’’

 

ବ୍ରଜକିଶୋର ଖଣ୍ଡେ ସପ ବିଛାଇ ଦେଇଥିଲେ । ସେଇଠି ଲାଲମୋହନ ବସିଲେ । ବ୍ରଜକିଶୋର ପାଖରେ ବସି ଈଷତ୍ ହାସ୍ୟ କରି କହିଲେ, ‘‘ଆଶ୍ରମ କାମ ଭଲ ଚାଲିବ କୁଆଡ଼ୁ ? ଆପଣମାନେ ତ ଏ ଆଡ଼କୁ ମନ ଦେଉ ନାହାନ୍ତି ।’’

 

ଲାଲମୋହନବାବୁ ସେହି ପୁରୁଣା ଯୁକ୍ତି ବିଷୟରେ କହିବାପାଇଁ ତିଆରି ହୋଇଗଲେ । ଯାହାକୁ ସେ ବରାବର ଏହି ଆଶ୍ରମବାଲାଙ୍କ ବିରୋଧରେ ପ୍ରୟୋଗ କରନ୍ତି । ସେ କହିଲେ, ‘‘କେତେ ମଠ ଏ ଭାରତବର୍ଷରେ ଅଛି, କେତେ ସାଧୁ ସନ୍ଥ ସେଠି ପଡ଼ି ରହିଛନ୍ତି । ଆପଣମାନେ ତା’ ସାଙ୍ଗକୁ ଆଉ କେତେଟା ଯୋଗ କରି ଦେଶର କରୁଛନ୍ତି କ’ଣ ? ଏ ସବୁ ବିଷୟରେ ଯୁକ୍ତିପାଇଁ ବ୍ରଜକିଶୋରବାବୁ ମଧ୍ୟ ତିଆର । ସେ ଗମ୍ଭୀର ହୋଇ କହିଲେ, ‘‘ସେହି ମଠ ସବୁ ଅଛି ବୋଲି ଭାରତବର୍ଷର ସଂସ୍କୃତି ଅକ୍ଷୁଣ୍ଣ ଅଛି; ନହେଲେ ଭାରତର ସଂସ୍କୃତି ଆଜି କେବଳ ପ୍ରାଚୀନ ସାହିତ୍ୟର ବିଷୟ ହୋଇ ରହିଥାନ୍ତା ।

 

ଲାଲମୋହନବାବୁ–‘‘ଯେତେ ମଠ ଅଛି, ସବୁ ଯଦି ଏକ କଲମଗାରରେ ଲୋପ କରି ଦିଆହୋଇଥାନ୍ତା, ଯେପରି ଇଉରୋପର ଦେଶମାନଙ୍କରେ କରାହୋଇଛି, ତେବେ ଏ ଭାରତ ଆଜି ଆଉ କିଛି ହେଉ ବା ନ ହେଉ ପରାଧୀନ ହୋଇ ରହି ନଥାନ୍ତା । କି ସଂସ୍କୃତି ଆମର ଅଛି ! ପରାଧୀନ ବୋଲି ପୃଥିବୀରେ ଚାରିଆଡ଼େ ଛିଛାକର । ଆମେ ଏଇଠି ବସି ଧୋତି ପିନ୍ଧି କୁଞ୍ଚ ହଲାଇ କହୁଁଛୁ, ଏଇ ଆମର ସଂସ୍କୃତି ।’’

 

ବ୍ରଜକିଶୋରବାବୁ–‘‘ମୁଁ ଧର୍ମଗତ ଜୀବନ କଥା କହୁଛି, ଯାହା ଭାରତକୁ ଏକ ସ୍ୱତନ୍ତ୍ର ଜାତି ଓ ତା’ର ଅତୀତ ଇତିହାସ ସହିତ ତାଙ୍କୁ ହଜାର ହଜାର ବାଧାର ସମ୍ମୁଖୀନ ହୋଇ ସଂଯୁକ୍ତ କରି ରଖିଅଛି–ସେହି ବିଶେଷତ୍ୱ କଥା ମୁଁ କହୁଛି ମାତ୍ର । ଅବଶ୍ୟ ବହୁ ଆବର୍ଜନା ତାଙ୍କୁ ଘୃଣ୍ୟ କରି ପକାଉଛି; ମାତ୍ର ସେ ସବୁର କିଛି ଯେ ଆବଶ୍ୟକତା ନାହିଁ ଏ କଥା ଆପଣ କହି ପାରିବେ ନାହିଁ ।’’

 

ଲାଲମୋହନବାବୁ–‘‘ସେ ସବୁ ବାଜେ କଥା । ମୋ ହାତରେ ଯଦି କ୍ଷମତା ଥାଆନ୍ତା, ମୁଁ ଆଗେ ଏ ଜଗନ୍ନାଥ ଦେଉଳକୁ ଏକ ସଂଗ୍ରହାଳୟ ବନାଇ ଦିଅନ୍ତି, ଯେଉଁଠି ଐତିହାସିକ ଉତ୍କୃଷ୍ଟ ବସ୍ତୁର ପ୍ରଦର୍ଶନୀ ଖୋଲାଯାଆନ୍ତା । ପ୍ରତ୍ୟେକ ମଠକୁ ଏକ ଏକ ଶିକ୍ଷାକେନ୍ଦ୍ର କରିଦିଅନ୍ତି । ଯେପରି ଅକ୍‌ସଫୋର୍ଡ଼ କେମ୍ବ୍ରିଜ ପ୍ରଭୃତି ପ୍ରଥମେ ମଠ ଥାଇ ଶେଷରେ ବିଶ୍ୱବିଦ୍ୟାଳୟ ହୋଇଛି । ଧର୍ମକୁ ଯେ ଏକ ସମାଜଗତ ବିଷୟ କରି ଜାତିର ବାଡ଼ରେ ତାଙ୍କୁ ଘେରି ରଖୁଛନ୍ତି, ତାକୁ ଏକାଥରେ ମୁଁ ଲୋପ କରିଦିଅନ୍ତି । ତେଣିକି ଧର୍ମ ବ୍ୟକ୍ତିଗତ ବିଷୟ ହୋଇରହନ୍ତା । ସମାଜ ସହିତ ତା’ର ସମ୍ପର୍କ ରହନ୍ତା ନାହିଁ ।

 

ଏହି ସମୟରେ ଦିବ୍ୟସିଂହବାବୁ ଆସି ପହୁଞ୍ଚିଲେ । ସେ ଲାଲମୋହନବାବୁଙ୍କୁ ଦେଖି ଅତିଶୟ ଆନନ୍ଦିତ ହୋଇ ତାଙ୍କ ପାଖରେ ବସିପଡ଼ିଲେ । ଲାଲମୋହନବାବୁ ପୂର୍ବକଥା ବନ୍ଦ କରିବା ପରି କହିଲେ, ‘‘ଜାତି ଜାତି ହୋଇ ଏ ସମାଜଟା ସର୍ବନାଶ ହୋଇଗଲା । କ୍ଷମତା ଥିଲେ ଏକ ବର୍ଷରେ ଏ ଜାତି ଲୋପ ହୋଇଯାନ୍ତା ।’’

 

ଦିବ୍ୟସିଂହବାବୁ ହସି ହସି କହିଲେ–‘‘କିପରି’’ ?

 

ଲାଲମୋହନବାବୁ–‘‘କିପରି, ମୋଠାରେ କ୍ଷମତା ଥିଲେ ମୁଁ ଘୋଷଣା କରିଦିଅନ୍ତି ଯେ, ଚାକିରିପାଇଁ ଦରଖାସ୍ତରେ ବା କୌଣସି ସରକାରୀ କାଗଜପତ୍ରରେ କେହି ନିଜର ଜାତି ଉଲ୍ଲେଖ କରିବେ ନାହିଁ । କୌଣସି ପାଠ୍ୟପୁସ୍ତକ, ଉପନ୍ୟାସ ଇତ୍ୟାଦି କେଉଁଥିରେ ଜାତିର କଥା ଉଲ୍ଲିଖିତ ହେବ ନାହିଁ, ଏତିକିରେ ତ ଜାତିର ଟାଣ ବାରପଣ କମିଯିବ ।

 

ଗାଁରେ ଜାତି ଯେଉଁ ଧରଣର ଅଛି, ସେ ତ କ୍ରମଶଃ ଅପସରି ଯାଉଛି; ମାତ୍ର ତଥାକଥିତ ଶିକ୍ଷିତ ଲୋକେ ଚାକିରିବାକିରି ଓ ରାଜନୈତିକ ପ୍ରାଧାନ୍ୟପାଇଁ ଜାତିକୁ ଆବୁରୁଛନ୍ତି । ତଦ୍ଦ୍ୱାରା ସେ ଅର୍ଦ୍ଧମୃତ ଅନୁଷ୍ଠାନ ପୁଣି ଜୀବନ ପାଉଛି । ତାକୁ ତ ସହଜରେ ବନ୍ଦ କରିଦିଆଯାଇପାରନ୍ତା ।’’

 

ଦିବ୍ୟସିଂହବାବୁ କିଛିକ୍ଷଣ ଚୁପ୍ ରହି ତା’ପରେ କହିଲେ, ଆଚ୍ଛା, ସେସବୁ ବିଷୟ ପରେ ହେବ । ତୁମେ ଆସିଲ କୁଆଡ଼େ ? ସେ କଥା ମଧ୍ୟ ପରେ ହେବା । ଆଗେ ଗାଧୁଆପାଧୁଆ କର, ଥଣ୍ଡା ହୁଅ । ପହୁଞ୍ଚିବାମାତ୍ରକେ ବଡ଼ବଡ଼ ବିଷୟର ଆଲୋଚନା ଆରମ୍ଭ କରି ଦେଲ ?’’

 

ଲାଲମୋହନବାବୁ ମୁରୁକି ହସାଦେଇ କହିଲେ, ‘‘ରାତିସାରା ରେଳରେ ଚାଲି ଚାଲି ଥକିପଡ଼ିଛି ନା କ’ଣ ? ବିଶ୍ରାମ ନ କଲେ କଥାବାର୍ତ୍ତା କରି ପାରିବି ନାହିଁ ?’’

 

ଦିବ୍ୟସିଂହବାବୁ ବନ୍ଧୁ ସ୍ନେହରେ ଲାଲମୋହନବାବୁଙ୍କ ପିଠିରେ ହାତ ପକାଇ କହିଲେ, ‘‘ସୂର୍ଯ୍ୟ ଚନ୍ଦ୍ର ବରଂ ବିଶ୍ରାମ ଖୋଜିବେ କିନ୍ତୁ ଲାଲମୋହନବାବୁଙ୍କର ବିଶ୍ରାମ ଲୋଡ଼ା ନାହିଁ । କ’ଣ ଆଉ ସବୁ ଗଡ଼ଜାତ ଖବର ?’’

 

ଲାଲମୋହନ ବ୍ରଜକିଶୋରବାବୁଙ୍କ ଆଡ଼କୁ ଅନାଇ କହିଲେ, ‘‘ଗଡ଼ଜାତର ସବୁଆଡ଼େ ମହାଉତ୍ତେଜନା । ମୁଁ ତ ଆଶା କରୁଛି, ଅଳ୍ପଦିନେ ହୁକରି ଚାରିଆଡ଼େ ନିଆଁ ଜଳିଉଠିବ । କିଏ ଜାଣେ ସେଥିରେ କେତେ ଲୋକ ଆହୁତି ହୋଇ ପଡ଼ିଯିବେ । ସେତେବେଳେ ଆପଣମାନେ ଆଶ୍ରମ ଛାଡ଼ି ଜନତା ସଙ୍ଗରେ କାନ୍ଧକୁ କାନ୍ଧ ମିଳାଇବେ ତ ?’’

 

ବ୍ରଜକିଶୋରବାବୁ ହଠାତ୍ କହିଲେ, ‘‘ଆମେ ତ ଏକ କାମରେ ଲାଗିଛୁ । ଆପଣମାନେ ତା’ କରନ୍ତୁ ?’’

 

ଲାଲମୋହନବାବୁ–‘‘କି କାମ ଆପଣମାନେ କରୁଛନ୍ତି ? ଶଏବର୍ଷ ଏପରି କାମ କଲେ କିଛି କୁଆଡ଼େ ହେବ ନାହିଁ ।’’

 

ଦିବ୍ୟସିଂହବାବୁ ହସି ଉଠି କହିଲେ, ‘‘କଥା କହିବାବେଳେ ଲାଲମୋହନର ମୁହଁରେ ବାଟୁଳି ବାଜେ ନାହିଁ । କେହି କାହାର କାମରେ ଦୋଷ ଦେଖିବା ଉଚିତ ନୁହେଁ । କେତେ ସମସ୍ୟା ଦେଶରେ ପଡ଼ିଛି । ଯେ ଯେତିକି ପାରୁଛି ନିଜ ରୁଚି ଅନୁସାରେ ସେ ସେତିକି କରୁ । ପରସ୍ପର ଠେଲାପେଲାରେ ଲାଭ କ’ଣ ? ସେହି କଥା ମୁଁ ସେଦିନ କୁମୁଦିନୀକୁ କହୁଥିଲି । ଆଚ୍ଛା ଲାଲମୋହନ, କୁମୁଦିନୀ କେଉଁଠି ? ଭଲ ଅଛନ୍ତି ?’’

 

ଲାଲମୋହନବାବୁ–‘‘ହଁ ଭଲ ଅଛନ୍ତି । ସେ ବର୍ତ୍ତମାନ ପୁରୀରେ । ମୁଁ ତ ସେଇଠୁଁ ଆସୁଛି ।’’

Unknown

 

ଦିବ୍ୟସିଂହବାବୁ କହିଲେ, ‘‘ଏଡ଼େ ଭାବପ୍ରବଣ ସେ, ବ୍ରହ୍ମଗିରିରେ ଖାଲି ତ ସେ କାନ୍ଦିଲେ ।’’

 

ଲାଲମୋହନବାବୁ ବିସ୍ମିତ ହୋଇ ପଚାରିଲେ, ‘‘କାହିଁକି ?’’

 

ଦିବ୍ୟସିଂହବାବୁ–‘‘ମୁଁ ଜାଣେ ? ଯେତେ ପଚାରିଲି କିଛି କହିଲେ ନାହିଁ ।’’

 

ଲାଲମୋହନବାବୁ ଗମ୍ଭୀର ହୋଇଗଲେ । କିଛି ସମୟ ତଳକୁ ଚାହିଁ ବସି ରହିଲେ । ତା’ପରେ ଉଠିଲେ ଗାଧୁଆପାଧୁଆ କରିବାପାଇଁ ।

 

–୧୯–

 

ଖରାବେଳେ ଦିବ୍ୟସିଂହବାବୁଙ୍କ କୋଠରୀରେ ଆଉ କେହି ନାହାନ୍ତି । ଖାଇସାରି ସେ ଓ ଲାଲମୋହନବାବୁ ଦୁହେଁ ନିଭୃତରେ କଥାବାର୍ତ୍ତା ହେଉଛନ୍ତି । ଲାଲମୋହନବାବୁଙ୍କ ମୁହଁରେ ତାଙ୍କର କୁମୁଦିନୀ ସହିତ ମିଳାମିଶା କେତେଦୂର ଅଗ୍ରସର କରିଯାଇଛି, ସବୁ ଧୀରଭାବରେ ଶୁଣି ଦିବ୍ୟସିଂହବାବୁ କହିଲେ, ‘‘ତୁମେ ସେ ବାଳିକାର ସମସ୍ତ ବିବରଣ ଜାଣିନାହଁ । ଅଥଚ ଏତେଦୂର ଚାଲିଗଲ କିପରି ?’’

 

ଲାଲମୋହନବାବୁ–‘‘ଧରି ନିଅନ୍ତୁ ତା’ର ଅତୀତ ଅତି ଖରାପ । ସେଥିରେ ଯାଏଁ ଆସେ କ’ଣ । ମୋର ସ୍ୱଭାବ ତ ଆପଣ ଜାଣନ୍ତି । ମୁଁ ଚାହେଁ ସବୁବେଳେ ଉତ୍ତେଜନାରେ ରହିବାପାଇଁ । ନହେଲେ ମୋର ଶିରାପ୍ରଶିରାରେ ରକ୍ତ ପ୍ରବାହ ଶିଥିଳ ହୋଇଗଲା ପରି ଜଣାପଡ଼େ । ତେଣୁ ମନ ଯେତେବେଳେ ଦୌଡ଼େ କେଉଁଠି ହେଲେ କିଛି ଆନନ୍ଦ ପାଇବ, ସେତେବେଳେ ମୁଁ ଏକ ବିରାଟ ଶୂନ୍ୟ ଅନୁଭବ କରେଁ । ଆପଣ ଜାଣନ୍ତି, ମୋର ପ୍ରଥମ ସ୍ତ୍ରୀ ସହିତ ସମ୍ପର୍କ । ସେ ବିଷୟରେ ମୁଁ ତ କେତେଥର ଆପଣଙ୍କୁ କହିଛି । ମୁଁ କରିବି କ’ଣ ?’’

 

ଦିବ୍ୟସିଂହବାବୁ–‘‘ମୁଁ ବୁଝୁଛି–ମାତ୍ର ଏ ବିଷୟରେ ତୁମେ ନିଶ୍ଚିତ ଯେ, କୁମୁଦିନୀ ସହିତ କିଛିଦିନ ପରେ ସେହିପରି ଶିଥିଳତା ଅନୁଭବ କରିବ ନାହିଁ, ଯେପରି ନିଶାମଣିଠାରେ ଘଟିଲା ?’’

 

ଲାଲମୋହନ–‘‘ହଁ, ମୁଁ ସେ ବିଷୟରେ ନିଶ୍ଚିତ ।’’

 

ଦିବ୍ୟସିଂହବାବୁ–‘‘ଏତେ ଶୀଘ୍ର ନିଶ୍ଚିତ ବୋଲି ଅନୁଭବ କରୁଛ ? ମାତ୍ର ମୋତେ ତ ବୋଧହେଉଛି, ଏଠି ମଧ୍ୟ ସେହିପରି ହେବ । କାରଣ ଯେକୌଣସି ବସ୍ତୁ ପୁରୁଣା ହୋଇଗଲେ ସେଠି ଆଉ ଉତ୍ତେଜନା ରହେ ନାହିଁ । ଯେ ସଙ୍ଗୀତ ନୂଆ ଶୁଣିଲାବେଳେ ପ୍ରାଣକୁ ଉଲ୍ଲସିତ କରେ, ସେୟାକୁ ଏକାଧିକଥର ଶୁଣିଲେ, ସେଥିରେ ଏକ ସ୍ମରଣ ଆସିଥାଏ । ତା’ ଛଡ଼ା ଆଉ ଏକ ଦିଗ ଅଛି ।’’ ଏତିକି କହି ଦିବ୍ୟସିଂହବାବୁ ନୀରବ ହୋଇ ରହିଗଲେ ।

 

ଲାଲମୋହନବାବୁ ଉଚ୍ଛୁକ ହୋଇ ଚାହିଁ କିଛିକ୍ଷଣ ପରେ ପଚାରିଲେ–‘‘କ’ଣ ?’’

 

ଦିବ୍ୟସିଂହବାବୁ ଧୀରେ ଧୀରେ କହିଲେ, ‘‘ଏ ଜୀବନରେ ଆଉ ଆନନ୍ଦ ଖୋଜି ଲାଭ କ’ଣ ? ସେହି ଆନନ୍ଦଟିକୁ ତ ଆମେ ଦେଶ ପାଖରେ ବଳି ଦେଇଛୁ ବୋଲି ଭାବୁ । ସେହି ଆନନ୍ଦର ଅଭାବହିଁ ଆମକୁ ଆନନ୍ଦ ଦେବା ଉଚିତ । ଯେ ଆନନ୍ଦ ତୁମେ ଖୋଜୁଛ, ସେହି ଆନନ୍ଦ ତୁମ ଜୀବନ ସହିତ ଖାପ ଖାଇବ ନାହିଁ । କାରଣ ସେହି ଆନନ୍ଦଟିକକ ପାଇଁ ତା’ ପଛରେ ବହୁତ ଲାଗିବାକୁ ହେବ, ଯାହା ମୁଁ ଜାଣେ ତୁମେ କରିବାକୁ ପ୍ରସ୍ତୁତ ନୁହ । ତା’ ହୋଇଥିଲେ ନିଶାମଣି ବୋଧହୁଏ ସେହି କୁମୁଦିନୀ ପରି ହୋଇଥାନ୍ତା । ମୁଁ ବୁଝିପାରୁଛି, ସାଧାରଣ କାର୍ଯ୍ୟରେ ଆଶା ନିରାଶାର ଦୌଡ଼ାଦୌଡ଼ି ଭିତରେ ମନ ଯେତେବେଳେ କ୍ଳାନ୍ତ ହୁଏ, ସେତେବେଳେ ସେ ସେଠୁଁ ଅପସରି ଯାଇ ଶୀତଳ ଛାୟାରେ ଟିକେ ବିଶ୍ରାମ ନେବାପାଇଁ ଚାହେଁ । ମାତ୍ର ସେହି ଛାୟାଟିକୁ ବଜାୟ କରି ରଖିବାପାଇଁ ଗଛ ମୂଳରେ ନିତି ପାଣି ଦେବାଠାରୁ ଆରମ୍ଭ କରି କେତେ କାମ ଯେ କରିବାକୁ ହେବ, ହୁଏତ ସେହି କାମରେହିଁ ଜଣେ ରହିଯିବ । ଭାବି ଦେଖ, ତୁମେ ଜଣେ ଗୃହସ୍ଥର ଜୀବନଯାପନ କରିବାରେ ଲାଗିଲ । କିଏ ଏ ଅତ୍ୟାଚାରକୁ ଉତ୍ସାହ ଦେବ, କିଏ ନଖାଇ ନପିଇ ସମସ୍ତଙ୍କୁ ସାହସ ସାନ୍ତ୍ୱନା ଦେବ ? ଏଇତ ତୁମେ କହୁଛ, ଗଡ଼ଜାତସାରା ନିଆଁ ଲାଗିବା ଉପରେ । କିଏ ଜାଣେ ସେତେବେଳେ ତୁମର ଅବସ୍ଥା କ’ଣ ହେବ ? ମାତ୍ର ଯଦି ତୁମେ ନିଜର ଆନନ୍ଦପାଇଁ ଆଉ ଜଣଙ୍କୁ ସଙ୍ଗରେ ରଖ, ହୁଏତ ତୁମେ, ସେତେଦୂର କାର୍ଯ୍ୟକ୍ଷମ ହୋଇ ପାରିବ ନାହିଁ ।’’

 

ଲାଲମୋହନବାବୁ–‘‘ଯଦି ସେ ଦିଗରୁ କିଛି ଅସୁବିଧା ନହୁଏ, ତେବେ ଅନ୍ୟ କୌଣସି ଦିଗରୁ କିଛି ଆପତ୍ତି ଅଛି କି ?’’

 

ଦିବ୍ୟସିଂହବାବୁ–‘‘କାହିଁକି ସେ ଆଡ଼କୁ ମନ ଦେଉଛ ? ମୋତେ କାହିଁକି ସେ କଥାଟା ଅବାଗିଆ ଲାଗୁଛି ।’’

 

ଲାଲମୋହନବାବୁ କିଛି ନ କହି ଚୁପ୍ ହୋଇ ଗମ୍ଭୀର ଭାବରେ ବସିଥିବା ସପ ଉପରେ ଆଙ୍ଗୁଳିରେ ଗାର କାଟୁଥାନ୍ତି । କିଛି ସମୟ ପରେ ଦିବ୍ୟସିଂହବାବୁ କହିଲେ, ‘‘ଘରକୁ କେବେ ଯାଇଥିଲ ?’’

 

ଲାଲମୋହନବାବୁ–‘‘ସାତ ଆଠ ମାସ ହେଲା ଯାଇଥିଲି, ଦିନେ ଦୁଇ ଦିନପାଇଁ ।’’

 

ଦିବ୍ୟସିଂହବାବୁ–‘‘ଚିଠିପତ୍ର ବରାବର ପାଉଥିବ ।’’

 

ଲାଲମୋହନବାବୁ–‘‘ଚିଠିପତ୍ର ଦେବ କିଏ ? ଆପଣ ତ ଜାଣନ୍ତି ଭାଇମାନେ ମୋ କାମକୁ ପସନ୍ଦ କରନ୍ତି ନାହିଁ । ମୋର ସ୍ତ୍ରୀ ତ ଲେଖାପଢ଼ା ଜାଣେନାହିଁ । ଆଉ କିଏ ଅଛି ଚିଠିପତ୍ର ଦେବ ?’’

 

ଦିବ୍ୟସିଂହବାବୁ–‘‘ସେ ଦିଗରୁ ତୁମେ ମୋରି ଭଳି ପ୍ରାୟ ନିଶ୍ଚିନ୍ତ ।’’

 

ଲାଲମୋହନବାବୁ ଅନ୍ୟମନସ୍କ ଭାବରେ ଏକ ଦୀର୍ଘ ହୁଁ ମାରିଲେ । ଦିବ୍ୟସିଂହବାବୁ ପୁଣି କହିଲେ, ‘‘ଛାଡ଼, ଏ ଜୀବନରେ ସବୁ କଥା ଏକ ସଙ୍ଗରେ ଆଶା କର ନାହିଁ । ଦାମ୍ପତ୍ୟ ଜୀବନର ସୁଖ ଏ ଜନ୍ମରେ ଅନ୍ତତଃ ନାହିଁ । ଏହିପରି ମନକୁ ମାରିଦେଇ ଲାଗ କାମରେ ।’’

 

ଲାଲମୋହନବାବୁ କିଛି କହିଲେ ନାହିଁ । ମାତ୍ର ତାଙ୍କ ମନରେ ବଡ଼ ବ୍ୟଥିତ ହେଲେ । କୌଣସି ପ୍ରକାରେ ସେ ଦିବ୍ୟସିଂହବାବୁଙ୍କୁ ରାଜି କରାଇବା ପାଇଁ ଚେଷ୍ଟା କଲେ । ସେ କହିଲେ, ‘‘ଯଦି ସେ ଓ ମୁଁ ବିବାହ କରିବାକୁ ମନସ୍ଥ କରୁଁ, ଆପଣ ଆମ ବିବାହରେ ଯୋଗଦାନ କରିବେ ?’’

 

ଦିବ୍ୟସିଂହବାବୁ ପ୍ରସନ୍ନ ଭାବରେ କହିଲେ, ‘‘ଯୋଗ ଦେବାରେ ମୋର ଆପତ୍ତି ନାହିଁ । କାରଣ ବିବାହର ଦାୟିତ୍ୱ ତ ମୋର ନୁହେଁ, ବନ୍ଧୁର ଦାୟିତ୍ୱ ତୁଲାଇବା ପାଇଁ ଯେପରି ବର୍ତ୍ତମାନ ପରାମର୍ଶ ଦେଉଛି, ସେତେବେଳେ ସେହିପରି ସେହି ହିସାବରେ ଯୋଗ ଦେବି ।’’

 

ଲାଲମୋହନବାବୁ–‘‘ମୁଁ ଚାହେଁ ଯେ, ଏ ବିବାହ ଘେନି ବିରୁଦ୍ଧ ଲୋକମତ ସୃଷ୍ଟି ନ ହେଉ ।’’

 

ଦିବ୍ୟସିଂହବାବୁ–‘‘ଯଦି ବିବାହହିଁ କରିବ, ତେବେ ଲୋକମତ ପ୍ରତି ଦୃଷ୍ଟି କାହିଁକି ? ଚାରିଆଡ଼େ ସମସ୍ତେ ଜୟ ଜୟକାର କରୁଥିବେ ଓ ତା’ରି ଭିତରେ ତୁମର ସବୁ କାମ ତୁମେ କରିବ, ଏପରି ଆଶା ବା କାହିଁକି କରୁଛ ?’’

 

ଲାଲମୋହନବାବୁ–‘‘ନା ମୁଁ ସେ ବିଷୟରେ ଚିନ୍ତିତ ନୁହେଁ; କିନ୍ତୁ କୁମୁଦିନୀ–’’

 

ଦିବ୍ୟସିଂହବାବୁ–ଆଚ୍ଛା, ଭଲା, ସେ କହୁଥିଲା ତା’ ଘର ବାଲେଶ୍ୱର ଜିଲାରେ କେଉଁଠି ଜାଣ ?

 

ଲାଲମୋହନବାବୁ–‘‘ମୁଁ କିଛି ତା’ର ଅତୀତ ସମ୍ବନ୍ଧରେ ଜାଣେନାହିଁ ।’’

 

ଦିବ୍ୟସିଂହବାବୁ–‘‘ଏ ତ ବଡ଼ କୌତୂହଳଜନକ । ମୁଁ ତାକୁ ଆମ ଆଶ୍ରମକୁ ଡାକିଥିଲି । ମାତ୍ର ସେ ଯେପରି ଏ ଅଞ୍ଚଳକୁ ଆସିବାକୁ ନାରାଜ, ସେହିପରି ଜଣାଗଲା ।’’

 

ଲାଲମୋହନବାବୁ–‘‘ମାତ୍ର ତା’ର ତ ଆପଣଙ୍କ ସମ୍ବନ୍ଧରେ ଭାରି ଉଚ୍ଚ ଧାରଣା । ସେ କହେ ଯେ, ଆପଣ ଜଣେ ଅଦ୍ୱିତୀୟ ଆଦର୍ଶ ପୁରୁଷ ।’’

 

ଦିବ୍ୟସିଂହବାବୁ–‘‘ହଁ, ସେ ଜଣେ ଭାବପ୍ରବଣ ବାଳିକା । ପ୍ରଶଂସା କଲେ ବା ନିନ୍ଦା କଲେ ଶେଷ ସୀମାକୁ ଚାଲିଯାଉଥିବ ।’’

 

ଲାଲମୋହନବାବୁ–‘‘ବାସ୍ତବିକ ତା’ର ହୃଦୟ ଏତେ ସରଳ ଓ ସେବାକାମରେ ଏତେ ମନ ଯେ, ଆପଣ ଜାଣିଲେ ଅବାକ୍ ହୋଇଯିବେ ।’’

 

ଦିବ୍ୟସିଂହବାବୁ–‘‘ହୋଇଥିବ, ଆଚ୍ଛା, ଏ କଥା ଥାଉ । ଏ ସମ୍ବନ୍ଧରେ ତୁମେ ଯାହା ଭାବି ସ୍ଥିର କରିବ । ବର୍ତ୍ତମାନ ଦେଶର କଥା ପଡ଼ୁ ।’’

 

ଲାଲମୋହନବାବୁ–‘‘ଆପଣମାନେ ତ ଦେଶଠାରୁ ନିଜକୁ ଦୂରରେ ରଖୁଛନ୍ତି । ଦେଶର ସମସ୍ୟାକୁ ନିଜ ଉପରକୁ ନେଉ ନାହାନ୍ତି ।’’

 

ଦିବ୍ୟସିଂହବାବୁ–‘‘ସେ ଭୁଲ କଥା, ତୁମ କାମ ଆମ କାମ ଏକା–ଏ ବିଷୟରେ ଖେଳାଳିଙ୍କ ଭିତରେ ଯେପରି ସହଯୋଗ ରହେ, ସେହିପରି ରହିବା ଉଚିତ । ତୁମେ ଆଗରେ ଖେଳୁଛ–ଆମେ ପଛରେ ତୁମକୁ ସାହାଯ୍ୟ କରୁଛୁ ।’’

 

ଲାଲମୋହନବାବୁ–‘‘ମୋର କାହିଁକି ଧାରଣା ହୋଇଛି ଯେ, ଏ ପ୍ରକାର ଆଶ୍ରମ ସବୁ ଦେଶ ଉପରେ ଚାପା ପରି ।’’

 

ଦିବ୍ୟସିଂହବାବୁ–‘‘ସେ ଭୁଲ ଧାରଣା–ଉତ୍ତେଜନାର ଅଭାବରେ ତୁମେ ଯେପରି ମନକୁ ଅନ୍ୟଆଡ଼େ ଖେଳାଅ, ସେହିପରି ଯେତେବେଳେ ଉତ୍ତେଜନା ନାହିଁ, ଆଶ୍ରମ କରି ସେଇଠି ପୁଣି ଭବିଷ୍ୟତ ପାଇଁ ତିଆରି ହେବାକୁ ଆମେ ଲାଗୁଁ । ବିବାହ ଆଡ଼ୁ ତୁମ ମନ ଯଦି ମରିଯାନ୍ତା, ତେବେ ତୁମେ ଏପରି ଏକ ଆଶ୍ରମ କରି ବସନ୍ତ ନା ଆଉ କ’ଣ କରନ୍ତ ? ଏସବୁ ଶାନ୍ତି ସମୟ ଅତିବାହିତ କରିବାର ଉପାୟ । ସମ୍ମୁଖ ସମର ଯେତେବେଳେ ନାହିଁ, ସେତେବେଳେ ପୁଣି ଭବିଷ୍ୟତ ପାଇଁ ଗୁଳି ବାରୁଦ ତିଆରି କରିବା ତ ଦରକାର । ସମ୍ମୁଖ ସମର ଥିଲେ ମଧ୍ୟ ଗୁଳି ବାରୁଦ ତିଆରି ତ ଯୁଦ୍ଧର ଏକ ଅଂଶ ।’’

 

ଲାଲମୋହନବାବୁ–‘‘ମାତ୍ର ଏ ବିଷୟକୁ ଯେଉଁମାନେ ସବୁ ମନେ କରୁଛନ୍ତି–’’

 

ଦିବ୍ୟସିଂହବାବୁ–‘‘ସେମାନେ ମଧ୍ୟ ସେହିପରି ଭୁଲ କରୁଛନ୍ତି । ମୁଁ ଜାଣେ ଆମର ଏହି ଆଶ୍ରମରେ ଅନେକ ଏହିପରି ଅଛନ୍ତି, ଯେଉଁମାନେ ମଠରେ ବାବାଜି ଯେପରି ପଡ଼ିଥାନ୍ତି, ସେହିପରି ପଡ଼ିଛନ୍ତି । ସେମାନଙ୍କଦ୍ୱାରା ଦେଶର କାମ ବେଶି କିଛି ହେବ ନାହିଁ; ମାତ୍ର ତୁମ ପରି ଲୋକ ଯଦି ଅବସର ସମୟରେ ଏଥିରେ ଯୋଗ ଦିଅନ୍ତେ, ତେବେ ସବୁ ଖେଳାଳିଙ୍କ ଭିତରେ ସହଯୋଗ ପୂରା ସ୍ଥାପିତ ହୁଅନ୍ତା । ଯେଉଁମାନେ ଆଗରେ ଭଲ ଲଢ଼ନ୍ତି ଓ ଯେଉଁମାନେ ପଛରେ ରହି ସାମଗ୍ରୀ ଯୋଗାଉଛନ୍ତି, ଏ ସମସ୍ତଙ୍କ ଭିତରେ ଏକ କାର୍ଯ୍ୟକାରୀ ସହଯୋଗ ସ୍ଥାପିତ ହୁଅନ୍ତା-।’’

 

ଲାଲମୋହନବାବୁ–‘‘ଧରନ୍ତୁ, ମୁଁ ଏଠି ରହିଲି । ମୁଁ କରନ୍ତି କ’ଣ ?’’

 

ଦିବ୍ୟସିଂହବାବୁ–‘‘ବର୍ତ୍ତମାନ କରୁଛ କ’ଣ ? ଏଠି ଥିଲେ ନିଜକୁ ତିଆରି କରିବାର ଅବକାଶ ମିଳନ୍ତା । ଅନ୍ୟ ସବୁ ଆଡ଼ୁ ମନ ଗୋଟାଇ ହୋଇ ଆସି କେବଳ ଦେଶକାମ ଓ ଚିନ୍ତାରେ କେନ୍ଦ୍ରୀଭୂତ ହୁଅନ୍ତା । ଆଶ୍ରମ ବୋଲନ୍ତେ–କିଛି ଗୋଟାଏ ଅତି ବଡ଼ ଜିନିଷ ନୁହେଁ ବା ସେଠି ଯେଉଁମାନେ ରହନ୍ତି, ସେମାନେ ଭାରି ବିଚକ୍ଷଣ ଲୋକ–ତାହା ମଧ୍ୟ ନୁହେଁ । ଜଣେ ଦେଶସେବକର କେବଳ ମାତ୍ର ଦେଶଚିନ୍ତା ରହିବ, ସ୍ୱକୀୟ ବିଷୟ ଘେନି ଚିନ୍ତା ରହିବ ନାହିଁ–ଏହି ଅଭ୍ୟାସ କରିବାପାଇଁ ଆଶ୍ରମ ଜୀବନ ଲୋଡ଼ା । ପାରିପାର୍ଶ୍ୱିକ ଅବସ୍ଥା ବିଚାରରେ ଆଖିରେ ଦେଖିବା ଭଳି କାମ କିଛି ନାହିଁ । ସେପରି ସ୍ଥଳେ କ’ଣ କଲେ ଦେଶର ମଙ୍ଗଳ ହେବ ସେସବୁ କାମର ପରୀକ୍ଷା ନିତାନ୍ତ ଛୋଟ ଆକାରରେ ହେଉପଛେ, ନିଜେ କଲେ ମନ ବରାବର ଦେଶ ଚିନ୍ତାରେ ନିଯୁକ୍ତ ଥାଏ । ଶୁଣିଛି, ବଡ଼ବଡ଼ ଯୋଦ୍ଧା ଟେବୁଲ ଉପରେ ମାନଚିତ୍ର ରଖି ନାନାପ୍ରକାର ସୈନ୍ୟ ଚାଳନାର କାଳ୍ପନିକ ପରୀକ୍ଷା କରନ୍ତି । ବଡ଼ବଡ଼ ଖେଳାଳି ନିଜେ ନିଜେ ପାଲି ଉପରେ ଗୋଟି ଚଳାଇ ମନକୁ ସେଇଥିରେ ଲଗାନ୍ତି । ସେହିପରି ଦେଶର ନାନାବିଧ ସମସ୍ୟାର ସମାଧାନ ସମ୍ବନ୍ଧରେ ଚିନ୍ତା କରି, ତାକୁ କାମରେ ନିଜେ ପରୀକ୍ଷା କରିବାରେ ଲାଗିଥିଲେ, ସେଇଥିରେ ଲାଗି ରହିବ । ତେଣୁ ତୁମେ ଆଶ୍ରମରେ ରହିଲେ ବଡ଼ ଭଲ ହୁଅନ୍ତା, ଆଉ ମଧ୍ୟ ତୁମ ସଂସ୍ପର୍ଶରେ ଯେଉଁମାନେ ଆସନ୍ତେ ସେମାନେ ମଧ୍ୟ କିଛି କିଛି ତିଆରି ହୁଅନ୍ତେ ।

 

ଲାଲମୋହନବାବୁ–‘‘କେଜାଣି କାହିଁକି ମୋର ମନେ ହୁଏ, ଏ ସବୁ ମଠ ପରି ଶେଷରେ ଏହାର ବିରୋଧରେ ଆନ୍ଦୋଳନ କରିବାକୁ ପଡ଼ିବ ।’’

 

ଦିବ୍ୟସିଂହବାବୁ–‘‘ତୁମ ଭଳି ଲୋକ ଏହା ଭିତରକୁ ନ ଆସିଲେ ଏସବୁ ସେହିପରି ହୋଇଯିବ, ଏଥିରେ ସନ୍ଦେହ ନାହିଁ । ବିପ୍ଳବ ଓ ସଂଗଠନ ଏ ଦୁଇ ଭିତରେ ସମ୍ବନ୍ଧ ନ ରହିଲେ ସଂଗଠନର ମୂଲ୍ୟ କିଛି ରହିବ ନାହିଁ । ସେହିପରି ବିପ୍ଳବ ମଧ୍ୟ ସହଜସାଧ୍ୟ ହେବନାହିଁ ।’’

 

ଲାଲମୋହନବାବୁ–‘‘ଏ ଅବଶ୍ୟ ଏକ ନୂଆ କଥା । ମୁଁ ଏପରି ଭାବିନାହିଁ । ମୋର ଧାରଣା ଆପଣ ଯେପରି ଭାବୁଛନ୍ତି, ଆପଣଙ୍କ ଆଶ୍ରମବାସୀମାନେ ସେପରି ଭାବନ୍ତି ନାହିଁ ।’’

 

ଦିବ୍ୟସିଂହବାବୁ–‘‘ବୋଧହୁଏ ତା’ ସତ । ସେହି ତ ଅବସାଦର କାରଣ । ଯେଉଁମାନେ ବିପ୍ଳବରେ ବିଶ୍ୱାସ ନ କରନ୍ତି, ସେମାନେ ସଂଗଠନରେ ବିଶ୍ୱାସ କରୁନାହାନ୍ତି । ଯେଉଁମାନେ ସଂଗଠନରେ ବିଶ୍ୱାସ କରୁଛନ୍ତି ସେମାନେ ବିପ୍ଳବରେ ବିଶ୍ୱାସ କରୁ ନାହାନ୍ତି । ଏ ଦୁହିଁଙ୍କ ସହଯୋଗହିଁ ଏକାନ୍ତ ଲୋଡ଼ା ।’’

 

ଲାଲମୋହନବାବୁ–‘‘ଶେଷରେ ମୋତେ ଏ ଆଶ୍ରମକୁ ଆପଣ ଟାଣିବେ କି ?’’

 

ଦିବ୍ୟସିଂହବାବୁ–‘‘ଟାଣୁଛି ତ ? ଅନ୍ତତଃ ତୁମ ମନକୁ ଶାନ୍ତି ଦେବାପାଇଁ । ତୁମକୁ ଆହୁରି ବଡ଼ କରିବାପାଇଁ ।’’

 

ଲାଲମୋହନବାବୁ ଟିକିଏ ହସିଲେ । କିଛିକ୍ଷଣ ନୀରବ ରହି ତା’ପରେ କହିଲେ, ‘‘କୁମୁଦିନୀ ଓ ମୁଁ ଉଭୟେ ଯଦି ଏଠାରେ ରହୁଁ ?’’

 

ଦିବ୍ୟସିଂହବାବୁ–‘‘ଆପତ୍ତି ନାହିଁ । ମୁଁ ତ କୁମୁଦିନୀକୁ ଡାକୁଥିଲି ଆଶ୍ରମକୁ ଆସିବାପାଇଁ-। କିନ୍ତୁ ଜାଣିରଖ ତୁମର ଏ ବିବାହ ପ୍ରସ୍ତାବରେ ମୋର ମତ ନାହିଁ । ଏ ଏକ ଅବ୍ୟାପାର-

 

ଲାଲମୋହନବାବୁଙ୍କର ମୁହଁ ଗମ୍ଭୀର ହୋଇଗଲା । ଚିନ୍ତାରେ ଟିକିଏ ନୀରବ ରହି ତା’ପରେ କହିଲେ, ‘‘ଆଚ୍ଛା ମୁଁ ତାଙ୍କୁ ନେଇ ଏଠାକୁ ଆସିବି । ପରେ ପୁଣି ଏ ବିଷୟ ଆଲୋଚନା ହେବ ।’’

 

–୨୦–

 

ଦିବ୍ୟସିଂହବାବୁଙ୍କଠାରୁ ବିଦାୟ ନେଇ ଲାଲମୋହନ ସିଧା ପୁରୀ ନ ଯାଇ କଟକରେ ପହଞ୍ଚିଲେ । ତା’ର କାରଣ ଯେଉଁସବୁ ସାଧାରଣ କାର୍ଯ୍ୟର ଭାର ତାଙ୍କ ଉପରେ ଅଛି, ଅନେକ ଦିନୁ ସେ ସବୁର ଖବର ସେ କିଛି ପାଇ ନାହାନ୍ତି । ବିଶେଷତଃ ଯେଉଁସବୁ ଗଡ଼ଜାତରେ ତୁମୂଳ ଆନ୍ଦୋଳନର ସୂତ୍ରପାତ ହେବାରେ ସୂଚନା ମିଳୁଥିଲା ସେଠି କ’ଣ ହେଲା ବୁଝିବାପାଇଁ ତାଙ୍କର କର୍ତ୍ତବ୍ୟ ଜ୍ଞାନ ଜାଗ୍ରତ ହେଲା । କଟକରେ ପହଞ୍ଚି ସେ ବୁଝିଲେ ଯେ, ଢେଙ୍କାନାଳ, ତାଳଚେର, ପାଲଲହଡ଼ା, ଗାଙ୍ଗପୁର ପ୍ରଭୃତି ଅନେକ ଗଡ଼ଜାତରେ ଲୋକେ ଖୁବ୍ ମାତିଛନ୍ତି । ଏପରି କି କେତେକ ଜାଗାରେ ଲୋକେ ମେଳ କରି ରାଜଦରବାର ଶାସନକୁ ପଙ୍ଗୁ କରିଦେବା ଉପରେ । ଏଣୁ ରାଜାମାନଙ୍କ ତରଫରୁ ଚିଠି ଯାଇଛି, ଇଂରେଜସରକାରଙ୍କୁ ସୈନ୍ୟ ପଠାଇବା ପାଇଁ । ଫୌଜ ଆସିଗଲେ ଅବସ୍ଥା ଅତି ସଙ୍ଗିନ ହୋଇଯିବ ଓ ନିରସ୍ତ୍ର ଜନତା ସଶସ୍ତ୍ର ସୈନ୍ୟଙ୍କର କିପରି ସମ୍ମୁଖୀନ ହେବେ, ଏ ଚିନ୍ତାରେ ଲାଲମୋହନବାବୁ ନିମଗ୍ନ ହୋଇଗଲେ । ଅନ୍ଧାର ରାତିରେ ବିଜୁଳି ମାରିଲା ପରି ତାଙ୍କ ମନରେ ଏକ ଚିନ୍ତା ଝଲସି ଗଲା ଯେ, ସେ ନିଜେ ଯାଇଁ ଜନତାକୁ ଉଦ୍‌ବୁଦ୍ଧ କରାଇବେ, କିପରି ବନ୍ଧୁକଧାରୀ ସୈନ୍ୟଙ୍କ ସମ୍ମୁଖୀନ ହେବାକୁ ହେବ । ଦୁର୍ଭିକ୍ଷରେ, ମହାମାରୀରେ ଶହ ଶହ ହଜାର ହଜାର ମରି ଯାଉଛନ୍ତି, ଅଥଚ ସେ ମରଣ ସମ୍ପୂର୍ଣ୍ଣ ନିରର୍ଥକ । ମାତ୍ର ସାର୍ଥକ ମରଣ ଶହ ଶହଙ୍କର ଘଟୁ । ରାହୁ ଗ୍ରାସକଲାପରି ଯେ ବିକଟ ଭୟ ଜନତାକୁ ଗ୍ରାସ କରିଛି, ସେ ଛାଡ଼ି ପଳାଉ ।

 

ଏହି ଚିନ୍ତାକୁ ନିଜ ମନରେ ଖେଳାଇ ଲାଲମୋହନବାବୁ ଏକ ଅପୂର୍ବ ଉତ୍ତେଜନା ଅନୁଭବ କଲେ । କିଛିଦିନ ପାଇଁ କୁମୁଦିନୀଙ୍କ ଚିନ୍ତାରୁ ସେ ମୁକ୍ତ ବୋଲି ଭାବି ଯେ ଦୁଃଖିତ ହେଲେ ତାହା ନୁହେଁ, ବରଂ ସେ ସେଥିରେ ଖୁସି ହେଲେ । କାରଣ ତାହାହିଁ ତାଙ୍କର ସ୍ୱଭାବ । ମାତ୍ର ସେ କୁମୁଦିନୀଙ୍କଠାକୁ ଏକ ପତ୍ର ଲେଖିବା ଉଚିତ ମନେକଲେ । ଛୋଟ ଚିଠିଟିଏ, ସେଥିରେ ପ୍ରେମିକର ଭାବର ଅବତାରଣା ଆଦୌ ନାହିଁ । କେବଳ ଲେଖାଅଛି ଯେ, ‘‘ଦିବ୍ୟସିଂହବାବୁଙ୍କ ସହିତ ବିବାହ ବିଷୟରେ ଆଲୋଚନା ହେଲା । ପୁଣି ତାଙ୍କ ସହିତ ଆଲୋଚନା ହେବ; ମାତ୍ର ସେ ଦୁହିଁଙ୍କୁ ଆଶ୍ରମରେ ରହିବାପାଇଁ ମଧ୍ୟ ଆଗ୍ରହ ପ୍ରକାଶ କରିଛନ୍ତି । ବର୍ତ୍ତମାନ ସୈନ୍ୟ ଆସୁଛନ୍ତି, ଜାଗ୍ରତ ଜନତାକୁ ଦବାଇବାପାଇଁ ତା’ର ପ୍ରତିକାର କରାଇବାକୁ ହେବ । ତେଣୁ ସେ କିଛିଦିନ ପୁରୀ ଯାଇ ପାରିବେ ନାହିଁ । ମଝିରେ ମଝିରେ ଚିଠି ଲେଖୁଥିବେ ।’’ ଏତିକି ମାତ୍ର ଲେଖି କୁମୁଦିନୀଙ୍କଠାକୁ ପଠାଇ ଦେଇ ସେ ଦୀର୍ଘନିଃଶ୍ୱାସ ପକାଇଲେ । ଏ ଚିଠିଖଣ୍ଡ ଡାକଘରକୁ ପଠାଇ ଦେବାପରେ ସେ ଆଉ ତାଙ୍କ ବିଷୟରେ କିଛି ଭାବି ନାହାନ୍ତି । ଏଣିକି କିପରି ସୈନ୍ୟଙ୍କୁ ମୁକାବିଲା କରିବାକୁ ହେବ ଏହି ଏକମାତ୍ର ଚିନ୍ତା ।

 

କଟକରେ ନ ରହି ସେ ସିଧା ଢେଙ୍କାନାଳ ଗଲେ । ଯେଉଁ ଗାଁରେ ପ୍ରଥମେ ପହଞ୍ଚିଲେ, ସେଠି ଦେଖିଲେ ଯେ ରାଜାଘରର କୌଣସି ଲୋକଙ୍କୁ ସେ ଗାଁକୁ ଛାଡ଼ି ଦେଉନାହାନ୍ତି । ଯେ ରାଜ ସପକ୍ଷ ଲୋକ ତା’ର ସେ ଗାଁରେ ସ୍ଥାନ ନାହିଁ । ତାକୁ ବାଧ୍ୟ ହୋଇ ସେ ଗାଁ ଛାଡ଼ିବାକୁ ହୋଇଛି । ନହେଲେ ତା’ ଘରେ ନିଆଁ ଲଗାଇ ଦେବେ । ତା’ ବିଲରୁ ଫସଲ ବୋହି ନେବେ ବା ତା’ ଘର ଲୁଟ କରିନେବେ । ଜଣକୁ ଏହିପରି କରିବାରୁ ଅନ୍ୟମାନେ ସମସ୍ତେ ପ୍ରଜା ପକ୍ଷ ହୋଇଗଲେଣି । ବାସ୍ତବିକ ଉତ୍କଟ ରାଜଦ୍ରୋହ ଓତପ୍ରୋତ ଭାବରେ ଯେଉଁଠି ଲୋକଙ୍କ ଭିତରେ ପ୍ରବେଶ କରେ, ସେଠି ରାଜ ସପକ୍ଷ ହୋଇ କି ବିଡ଼ମ୍ବନା ତା’ ଲାଲମୋହନବାବୁ ନିଜ ଆଖିରେ ଦେଖି ସ୍ତମ୍ଭୀଭୂତ ହୋଇଗଲେ ।

 

ଗୋଟିଏ ଦିଗରେ ସାଧାରଣ ଲୋକଙ୍କ ଦୃଷ୍ଟି ନଥିଲା । ସେ ହେଉଛି ସମୂହଭାବରେ ଚିନ୍ତା କରିବା । ସମସ୍ତେ ମନେ କରୁଥିଲେ ତାଙ୍କର ଗାଁଟିହିଁ ସମୁଦାୟ ଜଗତ । ସେହି ହିସାବରେ ସବୁ ଚିନ୍ତାକରି କାମ କରୁଥିଲେ । ମାତ୍ର ଲାଲମୋହନବାବୁ ଗାଁକୁ ଗାଁ ଖବର ଦିଆନିଆର ବ୍ୟବସ୍ଥା ଓ ଢେଙ୍କାନାଳସାରା ସମସ୍ତେ ଯେପରି ଗୋଟିଏ ବାଟରେ ଚାଲିବେ, ତା’ର ବ୍ୟବସ୍ଥା କରାଇଲେ । ପ୍ରତ୍ୟେକ ଗାଁରେ ଜଣେ ସର୍ଦ୍ଦାର; ସେ ସର୍ଦ୍ଦାରମାନଙ୍କୁ ନେଇ ଗୋଟିଏ କମିଟି ଓ ସେଥିରେ ଜଣେ କର୍ତ୍ତା ଏବଂ ସେ କର୍ତ୍ତା ଯାହା କହିବେ ସମସ୍ତେ ମାନିବେ । ଏହିପରି ଏକ ସୁନ୍ଦର ସଂଗଠନ ସେ ଛିଡ଼ା କଲେ । ରାଜ ହୁକୁମ କେହି ତ ମାନୁ ନଥିଲେ; ମାତ୍ର ସୈନ୍ୟ ଆସିଲେ ସେମାନଙ୍କୁ ସୁଦ୍ଧା କେହି ମାନିବେ ନାହିଁ । ସେମାନଙ୍କୁ କୌଣସି ପ୍ରକାର ସାହାଯ୍ୟ କରିବେ ନାହିଁ । ସମସ୍ତେ ଛାତିରେ ଗୁଳି ସହିବେ । ଯାହାର ପିଠିରେ ଗୁଳି ବାଜିବାର ଦେଖାଯିବ, ସେ ରାଜପକ୍ଷ ଲୋକ ବୋଲି ଧରି ନିଆଯିବ । ଏ ବିଷୟ ସର୍ଦ୍ଦାରମାନଙ୍କୁ ଲାଲମୋହନବାବୁ ବୁଝାଇ ଅବସ୍ଥା ଏପରି ସୃଷ୍ଟି କଲେ ଯେ, ବାସ୍ତବିକ ସେଠି ରାଜଶାସନ ନାହିଁ । ଏହିପରି କାର୍ଯ୍ୟତଃ ହୋଇଗଲା । ଲୋକଙ୍କ ଭିତରେ ଯେ ଉତ୍ସାହର ପ୍ରବାହ ସେଥିରେ ଏ ସବୁ କରିବାପାଇଁ ଲାଲମୋହନଙ୍କୁ ବେଶି ସମୟ ଲାଗି ନଥିଲା ।

 

ସାତ ଆଠ ଦିନପରେ ଗୋରାସୈନ୍ୟ ଆସି ଢେଙ୍କାନାଳରେ ପହୁଞ୍ଚିଲେ । ଚାରିଆଡ଼େ ଏ ଖବର ବ୍ୟାପିଗଲା । ଘର ଭୁଆସୁଣୀ ସହିତେ ସେ ସୈନ୍ୟଙ୍କୁ ଖଡ଼ୁ ଭୁଷା ଉଚ୍ଚାଇବେ ବୋଲି ମନେ କଲେ । ସାଧାରଣ ଲୋକଙ୍କ ଭିତରେ ସେତେବେଳେ ଅପୂର୍ବ ଉତ୍ତେଜନା । ଲାଲମୋହନ ସେତେବେଳେ ଆଉ ମଣିଷ ହୋଇ ନଥାନ୍ତି । ସେ ସେତେବେଳେ ଅଗ୍ନିକଣା ତୋଫାନରେ ଉଠିଲା ଭଳି ଚାରିଆଡ଼େ ସଂଗଠନ ଅନୁସାରେ କାମ ହେଉଛି କି ନା ଦେଖି ବୁଲୁଥାଆନ୍ତି ।

 

ପ୍ରଥମେ ସୈନ୍ୟମାନେ ଆସି କ’ଣ କରିବେ କିଛି ବୁଝିପାରିଲେ ନାହିଁ । କାରଣ ଲଢ଼େଇ ତ କେଉଁଠି ନାହିଁ, ସେମାନେ ଲଢ଼ିବେ କାହା ସହିତ । ଶେଷରେ ଇଂରେଜ ସରକାରଙ୍କ ତରଫରୁ ଜଣେ ଗୋରା ହାକିମ, ଯେ ସୈନ୍ୟମାନଙ୍କୁ ନିୟନ୍ତ୍ରଣ କରିବାର ଅଧିକାରରେ ଥିଲେ ସେ ବୁଦ୍ଧି କଲେ ଯେ, ଗାଁକୁ ଗାଁ ଘେରାଉକରି ଲୋକମାନଙ୍କ ଉପରେ ଅତ୍ୟାଚାର କରାଯାଉ, ଯେପରି ଲୋକେ ମେଳି ଭାଙ୍ଗିଦେବାକୁ ବାଧ୍ୟ ହେବେ । ଏହି ନିର୍ଦ୍ଦେଶ ଅନୁସାରେ ଗୋଟିଏ ଗାଁକୁ ସୈନ୍ୟମାନେ ଘେରାଉ କଲେ । ଗାଁ ଛାଡ଼ି ପଳାଇବାର କାହାର ସାଧ୍ୟ ନାହିଁ । ତା’ପରେ ରଜାଘର ପାଇକମାନେ ବନ୍ଧୁକ ନେଇ ଗାଁ ଭିତରେ ପଶି ଘର ଘର ଲୁଟି କରି ସ୍ତ୍ରୀମାନଙ୍କ ସମ୍ମାନ ଉପରେ ହସ୍ତକ୍ଷେପ କରିବାରେ ଲାଗିଲେ । ଗାଁସାରା ଯେତେ ଟୋକା ଥିଲେ, ସର୍ଦ୍ଦାରଙ୍କ କଥା ଅନୁସାରେ ଲାଠି, ବାଡ଼ି, କାତି, କୁରାଢ଼ି, ଯାହା ଘରେ ଯାହା ଥିଲା ସବୁ ନେଇ ଅତ୍ୟାଚାରୀମାନଙ୍କ ସମ୍ମୁଖୀନ ହେଲେ । ଅବସ୍ଥା ଏହିପରି ହେଲା, ଗାଁ ଚାରିପାଖ ଇଂରେଜ ସୈନ୍ୟ ଘେରିଛନ୍ତି । ଗାଁ ଭିତରେ ରଜାଘର ପାଇକ ପ୍ରାୟ ପଚାଶ ଜଣ ବନ୍ଧୁକ ଧରି ଘର ଘର ପଶି ଅତ୍ୟାଚାର ଚଳାଉଛନ୍ତି ।

 

ଗାଁ ଯୁବକ ପ୍ରାୟ ୨୫।୩୦ ଜଣ ଖୁବ୍ ଖୋଜାଖୋଜି କରି ୧୦।୧୨ ଖଣ୍ଡ ଲାଠି; ୫।୭ ଖଣ୍ଡ ବା ୨।୪ ଖଣ୍ଡ କୁରାଢ଼ି ଓ କାତି ନେଇ ଆସି ପହଞ୍ଚିଛନ୍ତି । ଆଶ୍ଚର୍ଯ୍ୟର ବିଷୟ ଏହି ଯେ, ଏହି ସାଜସରଞ୍ଜାମ ନେଇ ଲଢ଼ିବାକୁ ଆସିବା ୨୫।୩୦ ଜଣ ଟୋକାଙ୍କୁ ଦେଖି ପଚାଶ ଜଣ ବନ୍ଧୁକଧାରୀ ପାଇକ ଭୟରେ ପଳାଇଗଲେ । ତା’ପରେ ଗୋରା ସୈନ୍ୟଙ୍କୁ କାମ ଯୁଟିଲା । କାରଣ ଲଢ଼େଇ ଆରମ୍ଭ ହୋଇଗଲା; ତେଣୁ ସେମାନେ ଗୁଳି ଚଳାଇଲେ । ପ୍ରାୟ କୋଡ଼ିଏ ଜଣ ଲୋକ ମରିଗଲେ । ତା’ପରେ ବିଜୟ ଟିକା ଘେନି ସୈନ୍ୟ ଅନ୍ୟ ଗାଁକୁ ଚାଲିଲେ ।

 

ଏହିପରି ଗାଁକୁ ଗାଁ ଚାଲିଲା–ଘର ଲୁଟି, ପାଶବିକ ଅତ୍ୟାଚାର, ରୋଗୀ, ମୁମୂର୍ଷୁ, ନାରୀ ବନ୍ଧୁକ ଗୁଳିରେ ମରି ପଡ଼ିଥିବା ମୁର୍ଦ୍ଦାରକୁ ଦେଖି ଲାଲମୋହନ ଶଙ୍କିଗଲେ । ସେ ଭାବିଲେ ଯେ, ଜାତୀୟ ସଂକଳ୍ପ ମଜଭୁତ ହୋଇ ପରାଧୀନତାର ସମ୍ମୁଖୀନ ହେଲେ, ପରାଧୀନତା ଯେତେ ବଳଶାଳୀ ହେଉ ପଛକେ ଶେଷରେ ପରାସ୍ତ ହେବ । ଏ ଏକ ନିଗୂଢ଼ ତଥ୍ୟ । ମାତ୍ର ସେ ତଥ୍ୟ ଯେତେବେଳେ କାମରେ ପରିଣତ ହେଲା, ସେତେବେଳେ ସେ ଚିନ୍ତା ଶୂନ୍ୟରୁ ଆସି ନାମ ରୂପ ଧରି ଦେଖାଦେଲା, ସେତେବେଳେ ତାଙ୍କ ହୃଦୟ ଥରିଗଲା ।

 

ଜାତୀୟ ସଂକଳ୍ପ ବୋଲନ୍ତେ ବ୍ୟକ୍ତିଗତ ସଂକଳ୍ପର ସମଷ୍ଟି ବୁଝାଏ । ସେ ହିସାବରେ ବ୍ୟକ୍ତିଗତ କ୍ଷତି ଓ ବିନାଶ ଦେଖି ସେ ସ୍ତବ୍ଧ ହୋଇଗଲେ । ତାଙ୍କର ମନ ହେଲା ସେ ଯାଇ ଗୋରା ହାକିମ, ଯେ ସୈନ୍ୟମାନଙ୍କୁ ପରିଚାଳନା କରୁଛି ତାଙ୍କୁ ମାରି ଦେବା ଉଚିତ । ମାତ୍ର ସେ ନିଜକୁ ନିଜେ ସମ୍ଭାଳି ନେଲେ । ନିଜ ମନକୁ ଦୃଢ଼ କଲେ । ଭାବିଲେ ଏ ସବୁ ହେବାର କଥା ହେବ । ଯେଉଁ ଗାଁ ସୈନ୍ୟମାନଙ୍କଦ୍ୱାରା ଅତ୍ୟାଚାରିତ ସେ ଗାଁସବୁରେ ବୁଲି ଲୋକଙ୍କୁ ସାହସ ଦେଲେ । ସେ ଦେଖି ବିସ୍ମିତ ହେଉଥାନ୍ତି ଯେ, ଏତେ ଅତ୍ୟାଚାର ପରେ ମଧ୍ୟ ସାଧାରଣ ଲୋକେ ଦବି ନାହାନ୍ତି । କେବଳ ଯେଉଁମାନେ ବାଧ୍ୟ ହୋଇ ରାଜପକ୍ଷର ସ୍ୱାର୍ଥ ଛାଡ଼ିଥିଲେ, ସେହିମାନେ ପୁଣି ମୁଣ୍ଡ ଟେକୁଛନ୍ତି । ସେ ସ୍ୱାର୍ଥର ପୁର୍ନଲାଭ ଉଦ୍ଦେଶ୍ୟରେ; ମାତ୍ର ପୁଣି ଠୋକର ଖାଇ ମୁଣ୍ଡ ନୁଆଁଇ ଦେଉଛନ୍ତି ।

 

ଯେଉଁ ସମୟରେ ଢେଙ୍କାନାଳରେ ଏପରି ବୀଭତ୍ସଲୀଳା ଚାଲିଥାଏ ସେହି ସମୟରେ ଆପେଆପେ ସଂଲଗ୍ନ ଇଲାକା ତାଳଚେରରେ ମଧ୍ୟ ଆନ୍ଦୋଳନ ଲାଗିଥିଲା । ସେଠି ଲୋକେ ଅତ୍ୟାଚାର ସହ୍ୟ ନ କରିପାରି ହଜାର ହଜାର ପଳାଇ ନିକଟବର୍ତ୍ତୀ ଇଂରେଜରାଜ୍ୟରେ ଯାଇ ପହଞ୍ଚିଲେ । ସେ ସମ୍ବାଦ ପାଇ ଲାଲମୋହନବାବୁ ସେଠିକି ଦୌଡ଼ିଲେ । ସେଠି ସେ ଦେଖନ୍ତି ଯେ, ଆବାଳବୃଦ୍ଧବନିତା ପ୍ରାୟ ପଚାଶ ହଜାର ଲୋକେ ପଳାଇ ଯାଇଅଛନ୍ତି । ସେମାନଙ୍କ ପେଡ଼ି ପେଟ୍ରା, କୁଲା ଛାଞ୍ଚୁଣି ଯାହାର ଯାହା ଥିଲା ସବୁ ନେଇ ପଳାଇ ଆସିଛନ୍ତି । ଆମେ କେବେ ଫେରିବୁ ନାହିଁ ବୋଲି ସମସ୍ତେ କହୁଛନ୍ତି ।

 

ଜଣେ ବୁଢ଼ୀକୁ ଲାଲମୋହନବାବୁ ପଚାରିବାରୁ ସେ କହିଲା, ‘‘ପ୍ରଜାକୁ ଘେନି ରଜା ନାଁ ଖାଲି ଭୂଇଁକୁ ନେଇ ରଜା, ରଜା ଯଦି ପ୍ରଜାକୁ ନ ଚାହିଁଲା, ରହୁ ସେ ତା’ ଭୂଇଁ ନେଇ । ଆମେ ଯିବୁନାଇଁ ।’’ ଏତେଲୋକଙ୍କ ସମାଗମ ଅଥଚ ସେମାନଙ୍କ ରହିବାପାଇଁ ଜାଗା ନାହିଁ । ଖାଇବାର ବ୍ୟବସ୍ଥା ନାହିଁ, ସମସ୍ତେ ଖରାକାକରରେ ପଦାରେ ପଡ଼ିଥାଆନ୍ତି । ଆଖି ଆଗରେ ମା’ କୋଳରେ ଶିଶୁଟିଏ କାନ୍ଦି କାନ୍ଦି ଆଖି ବୁଜିଦେଲା । ଆଉ କେତେଜଣ ମୁମୂର୍ଷୁ ବୁଢ଼ା ସୁକୁ ସୁକୁ ହେଉଛନ୍ତି ।

 

ଏ ସବୁ ଦେଖି ଲାଲମୋହନ ଅବଶ ପ୍ରାୟ ହୋଇଗଲେ । ସେ ତାର କଲେ ଦିବ୍ୟସିଂହବାବୁଙ୍କୁ ଆସିବାପାଇଁ । ସେ ନିଜେ କ’ଣ କରିବେ କିଛି ବୁଝିପାରୁ ନଥାନ୍ତି । ତାଙ୍କୁ ବୋଧ ହେଉଥାଏ ଅବସ୍ଥା ଯେପରି ତାଙ୍କ ହାତମୁଠାରୁ ବାହାରି ଯାଇ ଓଲଟି ତାଙ୍କୁ ଆକ୍ରମଣ କରିବାକୁ ଆସିଛି । ତଥାପି ସେ ମନ ଦୃଢ଼କରି ସମସ୍ତଙ୍କୁ ଉତ୍ସାହ ଓ ସାନ୍ତ୍ୱନା ଦେବାରେ ଲାଗିଥାଆନ୍ତି । ଏ ସମୟରେ ତାଙ୍କ ମନରେ କୁମୁଦିନୀର ସତ୍ତା ସୁଦ୍ଧା ନାହିଁ । ଏପରିକି କୁମୁଦିନୀ ଯଦି ବର୍ତ୍ତମାନ ଆସି ପହଞ୍ଚନ୍ତା ସେ ବୋଧହୁଏ ତାଙ୍କୁ ଅନାନ୍ତେ ନାହିଁ; ମାତ୍ର ତେଣେ କୁମୁଦିନୀ କରୁଛନ୍ତି କ’ଣ ?

 

–୨୧–

 

କୁମୁଦିନୀ ଲାଲମୋହନବାବୁଙ୍କ ପତ୍ର ପାଇ ଯେତେବେଳେ ଜାଣିଲେ ଯେ, ଦିବ୍ୟସିଂହବାବୁ ସେମାନଙ୍କ ବିବାହରେ ସମ୍ମତି ଦେଇ ନାହାନ୍ତି; ମାତ୍ର ସେମାନଙ୍କୁ ଆଶ୍ରମରେ ସ୍ଥାନ ଦେବେ ବୋଲି ଆଗ୍ରହ ପ୍ରକାଶ କରିଛନ୍ତି, ସେତେବେଳେ ତାଙ୍କ ମନ ଖୁବ୍ ଚିନ୍ତାକୁଳ ହେଲା । ଭଦ୍ରଖ ଯିବା କଥାରେ ସେ ଏକପ୍ରକାର ଭୟ ଅନୁଭବ କରୁଥାଆନ୍ତି । ଅନ୍ଧାର ରାତିରେ ବରଗଛରୁ ଭୂତ ବାହାରିଲା ପରି ତାଙ୍କୁ ଜଣାପଡ଼ୁଥାଏ । ସେ ନିଜ ଜୀବନରେ ଯେ ସୁଖମୟ ଚିତ୍ର କଳ୍ପନା କରିଥିଲେ, ତାହା ଯେପରି ଧୂଳିରେ ମଳିଆ ହୋଇ ଯାଉଛି, ଏହିପରି ସେ ଅନୁଭବ କଲେ । ବିବାହ କରିବେ; ତା’ପରେ ଶିଶୁର ମାତା ହେବେ । ସେତେବେଳେ ଜୀବନର ଯା କିଛି ସବୁ ଅଜାଡ଼ି ଦେଇ ସେହି ଶିଶୁକୁ ଲାଳନପାଳନ କରିବେ, ଏ ସ୍ୱପ୍ନ ଶେଷ ହୋଇଆସୁଛି ମନେ କରି ଅଲକ୍ଷିତ ଭାବରେ କୁମୁଦିନୀଙ୍କ ଆଖି ଛଳଛଳ ହୋଇଗଲା । ବାରମ୍ବାର ଦୀର୍ଘ ନିଃଶ୍ୱାସ ପକାଇ ସେ ଭାବୁଥାନ୍ତି ଯେ, ଚାନ୍ଦିନୀ ରାତି ମେଘ ଅନ୍ଧାରରେ ଢାଙ୍କି ହୋଇଯାଇଥିଲା, ସେ ପୁଣି ଧୋବ ଫରଫର ହୋଇ ଆସିବାବେଳକୁ ପୁଣି ଆଉ ଖଣ୍ଡେ ମେଘ ଘୋଟିଗଲା । ଗଡ଼ଜାତ କାମରେ ଲାଲମୋହନବାବୁ ବ୍ୟସ୍ତ ରହିଛନ୍ତି । ଏଥିପାଇଁ କୁମୁଦିନୀ ଦୁଃଖିତ ହେଲେ ନାହିଁ । ବରଂ ସେ କାମ ନ କରିଥିଲେ ଲାଲମୋହନବାବୁଙ୍କ ପ୍ରତି କୁମୁଦିନୀଙ୍କର ଖରାପ ଧାରଣା ହୋଇଥାଆନ୍ତା । ସାଧାରଣ କାର୍ଯ୍ୟରେ ତ୍ରୁଟି ନ ଘଟୁ ଅଥଚ ଏଣେ ଜୀବନର ଅନ୍ୟ ସାଧ ମେଣ୍ଟୁ, ଏହାହିଁ ତାଙ୍କର ଅଭିଳାଷ ଥିଲା । ମାତ୍ର ସେ ଅଭିଳାଷ ଯେ ପୂର୍ଣ୍ଣ ହେବ, ଏଥିରେ ତାଙ୍କର ବର୍ତ୍ତମାନ ଘୋର ସନ୍ଦେହ-

 

ଲାଲମୋହନବାବୁଙ୍କୁ ଭିତ୍ତିକରି ସେ ଯେଉଁ ଆଶାର ସୌଧ ତୋଳିଥିଲେ, ତାହା ଯେପରି ଭୂମିକମ୍ପରେ ଟଳମଳ ହୋଇ ଖସି ପଡ଼ିବାକୁ ଯାଉଛି । ସେ ଭାବିଲେ ଯେ, ଦିବ୍ୟସିଂହବାବୁଙ୍କ ଅନୁମତି ନ ଦେବାର କାରଣ ହୋଇଥିବ–ଲାଲମୋହନଙ୍କ ନିଜର ବିବାହିତ ପତ୍ନୀ ପ୍ରତି ଦୁର୍ବ୍ୟବହାର । ଲାଲମୋହନବାବୁ ଏତେ ପ୍ରେମିକ, ଏତେ ତ୍ୟାଗୀ ଓ ଦେଶ ପ୍ରେମିକ; ମାତ୍ର କାହିଁକି ତାଙ୍କର ବିବାହିତ ଜୀବନ ଏପରି ସମସ୍ୟାପୂର୍ଣ୍ଣ । ଏ କୌତୂହଳ ବଢ଼ିବା ସଙ୍ଗେ ସଙ୍ଗେ କୁମୁଦିନୀଙ୍କ ମନରେ ନିଶାମଣିଙ୍କ ପ୍ରତି ଦୟା ମଧ୍ୟ ବଢ଼ୁଥାଏ । ଏଣେ ଦେଶ କାମରେ ଏତେ ବ୍ୟସ୍ତ-। ସେ ତେଣେ କି ଅବସ୍ଥାରେ କ’ଣ କରୁଛି ଜାଣିବାପାଇଁ ତାଙ୍କର ପ୍ରବଳ ଇଚ୍ଛା ହେଲା । ସୁବିଧା ପାଇଲେ ନିଶାମଣିକୁ ନେଇ ଆସି ସଙ୍ଗରେ ରଖିଲେ ତା’ର ମଧ୍ୟ କିଛି ଆଧୁନିକ ଶିକ୍ଷା ପାଇବାର ସୁବିଧା ଘଟିବ । ଆଉ ମଧ୍ୟ ପରୋକ୍ଷରେ ଲାଲମୋହନବାବୁଙ୍କୁ ସାହାଯ୍ୟ କରାହେବ ବୋଲି ମନେ କଲେ । ଏହି ବିଷୟକୁ ଭାବୁ ଭାବୁ ତାଙ୍କ ମନକୁ ଆସିଲା ଯେ, ଯଦି ନିଶାମଣି ଓ ସେ ଦୁହେଁ ପରସ୍ପର ସ୍ନେହାବଦ୍ଧ ହୋଇ ଯାଆନ୍ତି, ହୁଏତ ତାଙ୍କ ମନରେ ଲାଲମୋହନବାବୁଙ୍କୁ ବିବାହ କରିବା ଯେ ଅଭିଳାଷ ବଢ଼ିଛି, ତା’ ପୂର୍ଣ୍ଣ ହେବାରେ ବାଧା ବହୁତ କମିଯିବ ।

 

ତାଙ୍କ ମନକୁ ଲାଗିଲା ଯେ, ଲାଲମୋହନବାବୁ ତାଙ୍କ ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ବା କାହିଁକି ଦେବେ ? ସେ ବିଚାରୀ ଅନାଥା ହୋଇ କାହିଁକି ଜୀବନକୁ ବିଷପରି ମନେ କରି ନିଃଶ୍ୱାସ ପକାଇବ । ଆର୍ଯ୍ୟସମାଜର ନିୟମାନୁସାରେ ବହୁବାର ବିବାହ କିଛି ଅଧର୍ମ ନୁହେଁ । ଯଦି ସେ କୌଣସି ପ୍ରକାରେ ନିଶାମଣିକୁ ଆପଣାର କରି ନେଇପାରନ୍ତି, ତେବେ ତ ଆଉ କିଛି ଅଶାନ୍ତିର କାରଣ ରହିବ ନାହିଁ–ଲୋକନିନ୍ଦା ମଧ୍ୟ ହେବ ନାହିଁ । ସଉତୁଣୀ କେବେ ସ୍ନେହୀ ହେବ ନାହିଁ, ଏ କଥା କ’ଣ ସବୁଦିନେ ସତ ହୋଇ ରହିଥିବ ? ଚେଷ୍ଟା କଲେ ତା’ ମଧ୍ୟ ମିଛ ହୋଇ ଯାଇପାରେ । ସ୍ତ୍ରୀ ହିସାବରେ ସ୍ୱାମୀଠାରେ ସ୍ୱାର୍ଥର ଦାବି ଘେନି ସିନା ସଉତୁଣୀଙ୍କ ବିବାଦ ହୁଏ । ମାତ୍ର ମୁଁ ଯଦି ସେପରି ପତ୍ନୀର ଆଚରଣ ନ କରେ, ତେବେ ତ ନିଶାମଣି ମୋର ଜଣେ ବନ୍ଧୁ ହୋଇଯିବ । ଆଉ ମଧ୍ୟ ତା’ ଜୀବନରେ କୌଣସି ପ୍ରକାର ଆଘାତ ଲାଗିବ ନାହିଁ ।

 

ଏହିପରି ଚିନ୍ତା କରି କରି ସେ ଏହା ନିଶ୍ଚୟ କଲେ ଯେ, ଲାଲମୋହନବାବୁଙ୍କ ଆସିବା ପୂର୍ବରୁ ସେ ଯାଇ ନିଶାମଣିଙ୍କ ସହିତ ଥରେ ଦେଖାସାକ୍ଷାତ୍ କରିବେ ଓ ତା’ ମନ ନେବାକୁ ଚେଷ୍ଟା କରିବେ । ଇତିମଧ୍ୟରେ କୁମୁଦିନୀ ଲାଲମୋହନବାବୁଙ୍କ ଘର ଓ ସେଠାରେ ରହିବାର କି ସୁବିଧା ଅଛି ଇତ୍ୟାଦି ସବୁ ଅନୁସନ୍ଧାନ କରି ବୁଝିଲେ । ଏଥିରେ ତାଙ୍କୁ ବେଶି ଅସୁବିଧା ଭୋଗିବାକୁ ପଡ଼ିଲା ନାହିଁ । କାରଣ ଲାଲମୋହନବାବୁଙ୍କ ଘର କେନ୍ଦ୍ରାପଡ଼ାଠାରୁ ପ୍ରାୟ ୪ ମାଇଲ ଦୂର ହେବ ଓ କେନ୍ଦ୍ରାପଡ଼ାରେ ବିଦେଶୀଙ୍କ ରହିବାର ସୁବିଧା ଅଛି । ଅନେକ ବର୍ଷ ସାଧାରଣ କାର୍ଯ୍ୟ କରି ଅପରିଚିତଙ୍କ ସହିତ ବନ୍ଧୁତା ସ୍ଥାପନ କରିବାର ଦକ୍ଷତା କୁମୁଦିନୀ ହାସଲ କରିଛନ୍ତି । ଏଣୁ ସୁଦର୍ଶନଙ୍କୁ ସଙ୍ଗରେ ନେଇ ସେ କେନ୍ଦ୍ରାପଡ଼ା ଗଲେ । ସେଠାରେ ସେ ଡାକବଙ୍ଗଳାରେ ଗୋଟିଏ ବଖରା ଭଡ଼ା ନେଇ ରହିଲେ । ନାରୀ କଲ୍ୟାଣ ସମ୍ପର୍କରେ ସହରର ଅନେକ ଭଦ୍ରଲୋକଙ୍କ ସହିତ କଥାବାର୍ତ୍ତା କଲେ । ମାତ୍ର ସେ ନିଜକୁ ହିନ୍ଦୁସ୍ଥାନୀ ବୋଲି ପରିଚୟ ଦେଇ ସମ୍ମାନଜନକ ଅବସ୍ଥାରେ ରଖିପାରିଲେ । ଦିନେ ଦୁଇଦିନ ପରେ ସେ ଡାକବଙ୍ଗଳା ଚୌକିଦାର ସହିତ ବନ୍ଦୋବସ୍ତ କରି ଲାଲମୋହନବାବୁଙ୍କ ଗାଁକୁ ଗଲେ । ସେ ଗାଁଟି ବଡ଼ ଛୋଟ, ମୋଟେ ୧୦ ଘର ଲୋକ ଅଛନ୍ତି ଓ ସମସ୍ତେ ଗରିବ । ଲାଲମୋହନବାବୁଙ୍କ ଘର ଦେଖି କୁମୁଦିନୀ ଜାଣିଲେ ଯେ, ସେମାନେ ଅବସ୍ଥାପନ୍ନ ନୁହନ୍ତି । ତାଙ୍କ ଡାକବଙ୍ଗଳା ଚୌକିଦାର, ଲାଲମୋହନଙ୍କ ଭାଇ ହରମୋହନଙ୍କୁ ଖବର ଦେଲେ ଯେ, ତାଙ୍କ ସହିତ ଦେଖା କରିବାପାଇଁ କୁମୁଦିନୀ ଆସିଛନ୍ତି । ହରମୋହନ ଅତି ବ୍ୟସ୍ତ ହୋଇ ଏକ ପୁରୁଣା ଗାଲିଚା, ପାଖେ ଚିରି ଯାଇଛି, ଘରୁ ଆଣି ବାହାର ପିଣ୍ଡାରେ ସପ ଉପରେ ପକାଇ ଦେଲେ । ଜଣେ ପଶ୍ଚିମା ସ୍ତ୍ରୀଲୋକ କାହିଁକି କୁଆଡ଼େ ଆସିଛି, ଏଥିପାଇଁ ହରମୋହନ ବିସ୍ମିତ ହୋଇ କ’ଣ ତାକୁ କହିବାକୁ ହେବ କିଛି ଜାଣିପାରୁ ନଥାନ୍ତି । ଶେଷରେ କୁମୁଦିନୀ ଓଡ଼ିଆରେ ପଚାରିଲେ, ‘‘ଆପଣ ଲାଲମୋହନବାବୁଙ୍କ ଭାଇ !’’

 

ହରମୋହନ, ‘‘ହଁ’’ ।

 

କୁମୁଦିନୀ–‘‘ଆପଣମାନେ କେତେ ଭାଇ ।’’

 

ହରମୋହନ–‘‘ଆମେ ତିନି ଭାଇ, ଆମେ ଦୁଇଜଣ ଘରେ ଥାଉଁ, ସେ ତ ସେଆଡ଼େ ବୁଲୁଛନ୍ତି ।’’

 

କୁମୁଦିନୀ–‘‘ସେ ତ ଦେଶର ଉପକାର ପାଇଁ ନିଜକୁ ବଳି ଦେଇଛନ୍ତି । ତାଙ୍କ ଜୀବନ ମହତ୍ ।’’

 

ହରମୋହନ ମୁହଁମୋଡ଼ି ଅସ୍ପଷ୍ଟ ଭାବରେ କହିଲେ, ‘‘ହଁ ଦେଶର ଉପକାର ସେ କରୁଥାଉ, ଆମେ ଏଣେ ପଡ଼ି ମରୁଁ ।’’ ତା’ପରେ ନିଜକୁ ସଂଯତ କରି ବ୍ୟସ୍ତ ହୋଇ କହିଲେ, ‘‘ହଁ ଭଲ କାମରେ ଲାଗିଛି ।’’

 

କୁମୁଦିନୀ ଜାଣିଲେ ଯେ ହରମୋହନବାବୁଙ୍କ ମନ ଭଲ ନୁହେଁ । ତେଣୁ ସେ ଧୀରେ ଧୀରେ କହିଲେ, ‘‘ସେ ଯେତେବେଳେ ଦେଶ କାମରେ ଲାଗିଛନ୍ତି, ମୁଁ ଭାବିଲି ମୋର କର୍ତ୍ତବ୍ୟ ତାଙ୍କ ଘରକୁ ଥରେ ଦେଖିଯିବା ଓ ତାଙ୍କ ଖବର ବୁଝିଯିବା । ମୁଁ ଆସିଥିଲି କେନ୍ଦ୍ରାପଡ଼ା ମୋ କାମରେ । ମାତ୍ର କେନ୍ଦ୍ରାପଡ଼ା ଆସି ଲାଲମୋହନବାବୁଙ୍କ ଘରକୁ ନ ଆସିବା, ପୁରୀଯାଇଁ ଜଗନ୍ନାଥ ଦର୍ଶନ ନ କରିବା ଭଲ ନୁହେଁ–ତେଣୁ ମୁଁ ଆସିଛି ।

 

ହରମୋହନଙ୍କ ମୁହଁରେ ସୁଖ ନାହିଁ କି ଶାନ୍ତି ନାହିଁ । ସେ ପୂର୍ବପରି ଗମ୍ଭୀର ଭାବରେ କହିଲେ, ‘‘ଭଲ କଥା ଆପଣ ଆସିଛନ୍ତି । କ’ଣ ଆଉ ବୁଝିବେ ? ଦୁଃଖରେ ପଡ଼ିଛୁଁ ଆମେ ।’’

 

ତା’ପରେ କୁମୁଦିନୀ ଅବସ୍ଥା ଜାଣିବାପାଇଁ ସମ୍ପତ୍ତିବାଡ଼ି ସମ୍ବନ୍ଧରେ ପଚାରିଲେ, ନିଜର ଦରିଦ୍ରତାକୁ ପ୍ରତିପନ୍ନ କରିବାପାଇଁ ହରମୋହନବାବୁ ଉତ୍ସାହ ସହକାରେ କହିଲେ, ‘‘ମୋଟେ ତିରିଶ ମାଣ ଜମିକୁ ତିନିଟି ପରିବାର–କିଛି କୁଆଡ଼କୁ ଅଣ୍ଟୁନାହିଁ । ଘରେ ବଢ଼ିଲା ଝିଅ ତିନୋଟି । ସେମାନେ ବାହା କିପରି ହେବେ ଜଣାଯାଉ ନାହିଁ । ପୁଅ ଚାରୋଟି ମୂର୍ଖ ହୋଇ ବୁଲୁଛନ୍ତି । ସେମାନଙ୍କୁ ପଢ଼ାଇବାର ବା ଉପାୟ କାହିଁ । ଏତେ ପଇସା ଖର୍ଚ୍ଚ କରି ଭାଇ ପାଠ ପଢ଼ିଲା ଯେ, ସେ ଘରକଥା ମନେ ସୁଦ୍ଧା ପକାଏ ନାହିଁ । ହଁ, ସେତ ବଡ଼ କାମ କରୁଛି । ଦେଶ ସେବା କରୁଛି ।’’

 

ଏକଥା ଭିତରେ ନିରାଶା ଭରି ରହିଥିଲା, ଯାହା କୁମୁଦିନୀଙ୍କ ମନକୁ ଆଘାତ କଲା । ଓଡ଼ିଶାର ଯେଉଁମାନେ ସାଧାରଣ କାମକୁ ବାହାରିଛନ୍ତି, ସେମାନେ କେତେ ଗରିବ, ଏ କଥା ତ ଆଖିରେ ନ ଦେଖିଲେ ଜଣେ କଳ୍ପନା କରିପାରିବ ନାହିଁ । ତେଣୁ କୁମୁଦିନୀ ବିସ୍ମିତ ହୋଇଗଲେ ଯେ, ଲାଲମୋହନବାବୁ କିପରି ନିଜ ଘରକୁ ଆଦୌ ଦୃଷ୍ଟି ନ ଦେଇ, ମନପ୍ରାଣ ଦେଇ ଦେଶ କାମରେ ଲାଗିଛନ୍ତି । ତା’ପରେ ସେ ହରମୋହନଙ୍କୁ ସାନ୍ତ୍ୱନା ଦେଇ ଘରେ ସ୍ତ୍ରୀଲୋକମାନଙ୍କ ସାକ୍ଷାତ କରିବାପାଇଁ ଇଚ୍ଛା ପ୍ରକାଶ କଲେ । ଏଥିରେ ହରମୋହନ ପ୍ରଥମେ ଟିକିଏ ଇତସ୍ତତଃ ହେଲେ । ମାତ୍ର ଶେଷରେ ରାଜି ହେଲେ । ଆଗରୁ ଯାଇ ଘରେ ଖବର ଦେଇଦେଲେ । ସମସ୍ତେ ନିଜ ନିଜ ପେଡ଼ିରୁ ଧୋବ ଶାଢ଼ି ଖଣ୍ଡେ ଖଣ୍ଡେ କାଢ଼ି ପିନ୍ଧି ପକାଇଲେ । ଆଉ ତ ଅନ୍ୟ କିଛି ପୋଷାକ ନାହିଁ । ଗହଣାଗାଣ୍ଠି ମଧ୍ୟ ସେପରି କିଛି ନାହିଁ । କିଛି ସମୟ ପରେ ହରମୋହନବାବୁ ଖବର ଦେବାରୁ କୁମୁଦିନୀ ଘର ଭିତରକୁ ଗଲେ ।

 

ନିଶାମଣିଙ୍କ ସହିତ କଥାବାର୍ତ୍ତା ହେବା ତାଙ୍କର ଉଦ୍ଦେଶ୍ୟ; ମାତ୍ର ଅନେକ ସ୍ତ୍ରୀଲୋକ ଏକାଠି ବସିଛନ୍ତି । ଏଣୁ ସାଧାରଣ ଭାବରେ କଥା କହିବା ଛଡ଼ା ଅନ୍ୟ ବାଟ ନଥାଏ । ମାତ୍ର ଦୈବାତ ଏକ ସୁଯୋଗ ଆସି ପହଞ୍ଚିଗଲା । ହରମୋହନଙ୍କ ସ୍ତ୍ରୀ, ଯେ ସମସ୍ତଙ୍କଠାରୁ ବଡ଼, ସେ କଥାପ୍ରସଙ୍ଗରେ କହିଲେ, ‘‘ଲାଲମୋହନଙ୍କୁ କହୁନାହଁ । ସେ ଘରକଥା ବୁଝନ୍ତା, ଦିନକୁଦିନ ତ ଆମେ ଗରିବ ହୋଇଗଲୁ । ଶେଷରେ କ’ଣ ଆମେ ଭିଖ ମାଗିବୁ ।’’

 

କୁମୁଦିନୀ ଟିକିଏ ଚୁପ୍ ରହି ତା’ପରେ କହିଲେ, ‘‘ସେତ ଦୁନିଆର ମଙ୍ଗଳପାଇଁ ଲାଗିଛନ୍ତି । ବରଂ ସେତ ଖୁସି ହୁଅନ୍ତେ, ଯଦି ନିଶାମଣି ତାଙ୍କ ସହିତ ଯୋଗ ଦିଅନ୍ତେ ।’’

 

ହରମୋହନଙ୍କ ସ୍ତ୍ରୀ ଆନନ୍ଦ ପ୍ରକାଶ କରି କହିଲେ, ‘‘ତାହା ଭଲ ହୁଅନ୍ତା, ତାହା ହେଉଛି କାହିଁ । ଯାହାକୁ ବାହା ହୋଇଥିଲା, ତାକୁତ ପୋଷିଲେ କିଛି ହୁଅନ୍ତା । ସେ ଆମକୁ ପୋଷିବ କ’ଣ, ତା’ ନିଜ ଲୋକକୁ ସୁଦ୍ଧା ସେ ଅନାଉଁ ନାହିଁ ।’’

 

ଏଥିରେ କୁମୁଦିନୀ ଉତ୍ସାହିତ ହୋଇ କହିଲେ, ‘‘ଆଚ୍ଛା, ମୋ ସହିତ ତାଙ୍କୁ ପଠାଇ ଦିଅନ୍ତୁ । ମୁଁ ଲାଲମୋହନବାବୁଙ୍କ ପାଖେ ତାଙ୍କୁ ଛାଡ଼ିଦେବି ଓ ସେମାନେ ଏକାଠି ରହିବେ ।’’

 

ନିଶାମଣି ଏ କଥାବାର୍ତ୍ତା ଶୁଣି ମୁଣ୍ଡ ତଳକୁ କରି ବସିଥାଏ । ଏଣୁ ତା’ ମନରେ ଯେ କି ଭାବ କାମକରୁଛି ତାହା ଜାଣିବା କଠିନ ।

 

ହରମୋହନବାବୁଙ୍କ ସ୍ତ୍ରୀ ଧୀରେ ଧୀରେ କହିଲେ, ‘‘ଘରର ମୁରବି ଯେ ତାଙ୍କୁ ପଚାର । ଆମେ ସେଥିରେ କ’ଣ କହିବୁ ?’’

 

କୁମୁଦିନୀ ହସି ହସି କହିଲେ, ‘‘ଏଇତ ସ୍ତ୍ରୀଲୋକଙ୍କ ରୋଗ । ସବୁବେଳେ ମରଦଙ୍କ ଉପରେ ନିର୍ଭର । ସ୍ତ୍ରୀ କାହିଁକି ତା’ର ନିଜର ଦାବି କିଛି ହାସଲ ନ କରିବ । ନିଶାମଣି ଟିକିଏ ମଜଭୁତ ହୋଇ ଦାବି କଲେ, ଲାଲମୋହନବାବୁ ବାଧ୍ୟ ହୁଅନ୍ତେ ତା’ର ସମସ୍ତ ତତ୍ତ୍ୱ ବୁଝିବାପାଇଁ । ଆସୁ ନିଶାମଣି ମୋ ସହିତ, ସେ ଦାବି କରୁ ସାଙ୍ଗରେ ରହିବାପାଇଁ । ଦେଖିବି, କିପରି ଲାଲମୋହନବାବୁ ଅରାଜି ହେବେ ।’’ ଆଚ୍ଛା, ନିଶାମଣିଙ୍କର ଏଥିରେ ମତ କ’ଣ ? ନିଶାମଣି ମୁହଁ ତଳକୁ, କୌଣସି ଉତ୍ତର ନାହିଁ । ତା’ପରେ କୁମୁଦିନୀ ବିନୀତ ଭାବରେ କହିଲେ ଯେ, ‘‘ସେ ଏକୁଟିଆ ତା’ ସହିତ କଥା ହେବାକୁ ଚାହାଁନ୍ତି ।’’ ସମସ୍ତେ ଚାଲିଗଲା ପରେ ନିଶାମଣିକୁ ବହୁତ ପ୍ରବର୍ତ୍ତାଇ ତାଙ୍କୁ କଥାବାର୍ତ୍ତାକୁ ଟାଣିଲେ । କଅଁଳେଇ କଅଁଳେଇ ତା’ ପେଟରୁ କୁମୁଦିନୀ ଯେତିକି କଥା ବାହାର କଲେ, ସେ ଏହି ଘରେ ସବୁଠାରୁ ସାନ, ତା’ର ସ୍ୱାମୀ କିଛି ରୋଜଗାର କରୁ ନାହାନ୍ତି-। ଏଣୁ ଘରେ ତାଙ୍କୁ କେହି ପଚାରନ୍ତି ନାହିଁ । ଏପରିକି ଦିନେଅଧେ ଉପାସ ରହିଗଲେ ମଧ୍ୟ, କେହି ବୁଝନ୍ତି ନାହିଁ । ବେରାମ ଆରାମରେ କେହି ପାଖକୁ ଆସନ୍ତି ନାହିଁ । ଏ ସବୁ ସେ ସ୍ୱାମୀଙ୍କୁ କହିଲେ, ସେ ଚିଡ଼ିଚିଡ଼ି ହୁଅନ୍ତି । କିଛି ନ କରି ମଝିରେ ମଝିରେ ଥରେ ଥରେ ସେ ଘରକୁ ଆସୁଥିଲେ, ତା’ର ଘରେ ଖାତିର ଥାଆନ୍ତା । ଅନ୍ୟାନ୍ୟ ଯା’ମାନଙ୍କ ସଙ୍ଗରେ ତା’ର ପଡ଼େ ନାହିଁ । ଘରର ମୁରବି ହରମୋହନ ଜଣେ କୁଟିଳପ୍ରକୃତିର ଲୋକ । ସେ ଯାହା କିଛି ଆୟ, ସବୁ ଅଙ୍ଗିତା କରି ନିଜେ ରଖି ନେଉଛନ୍ତି । ଗତବର୍ଷ ବଳକା ଧାନ ବିକିଦେଇ ଟଙ୍କା ସେ ରଖିନେଲେ । ଘରେ ଖାଇବାକୁ ଥାଉ ବା ନ ଥାଉ, ଆଗ ଧାନ ବିକି କିଛି ଟଙ୍କା ସେ ରଖିନିଅନ୍ତି । ମଝିଆଁ ଭାଇ ଯେ ହୁଣ୍ଡା, କିଛି ବୁଝେନାହିଁ । ମାତ୍ର ବଡ଼ଭାଇ କଥାରେ ଚାଲିଥାଏ । ଏଣୁ ତା’ର ସ୍ତ୍ରୀ କିଛି ଅସୁବିଧା ଭୋଗେ ନାହିଁ, ଅତି ହୀନମାନ ହୋଇ ଦୁଃଖରେ ସେ ପଡ଼ିଛି ।

 

ଏତିକି ବିବରଣୀ ପାଇ କୁମୁଦିନୀଙ୍କୁ ଦୁଃଖ ଲାଗିଲା । ସେ ଦେଖିଲେ ଯେ, ନିଶାମଣି ଅସୁନ୍ଦର ନୁହେଁ । ପାଠ ନ ପଢ଼ିଥିଲେ ମଧ୍ୟ ସେ ସେପରି ନିର୍ବୋଧ ନୁହେଁ । ସ୍ୱାମୀପ୍ରତି ତା’ର ସେପରି ଖରାପ ଧାରଣା ନାହିଁ । ଏପରି ସ୍ଥଳେ କୁମୁଦିନୀ ଯେ ଉଦ୍ଦେଶ୍ୟରେ କେନ୍ଦ୍ରାପଡ଼ା ଆସିଥିଲେ, ତାହା ସଫଳ ହେବାର ଯଥେଷ୍ଟ ସୂଚନା ପାଇଲେ । ତା’ପରେ ସେ ପଚାରିଲେ, ଆଚ୍ଛା, ‘‘ତୁମେ ମୋ ସହିତ ଯିବ ? ଲାଲମୋହନବାବୁଙ୍କ ସହିତ ରହିବ ।’’ ଏଥିରେ ନିଶାମଣି ଆଗ୍ରହ ସହକାରେ ହଁ ଭରିଦେଲେ ।

 

ତା’ପରେ କୁମୁଦିନୀ ବାହାରକୁ ଆସି ହରମୋହନବାବୁଙ୍କୁ ନାନା କଥା ଭିତରେ କହିଲେ, ‘‘ଲାଲମୋହନବାବୁଙ୍କ ସ୍ତ୍ରୀ, ସ୍ୱାମୀ ସହିତ ରହିଲେ ତ ଭଲ ହୁଅନ୍ତା ।’’ ହରମୋହନଙ୍କର ମଧ୍ୟ ଆପତ୍ତି ନାହିଁ । ମାତ୍ର ସେ ଇଙ୍ଗିତ ଦେଲେ ଯେ, ସେ ଗର୍ଭବତୀ । ୭।୮ ମାସ ଗର୍ଭ । ଏପରିସ୍ଥଳେ ସେ ଯିବ କିପରି ? କୁମୁଦିନୀ ପ୍ରଥମେ ଚିନ୍ତିତ ହୋଇଗଲେ । ତା’ପରେ ଧୀରେ ଧୀରେ କହିଲେ, ‘‘ମୋ ସଙ୍ଗରେ ଚାଲୁ । ମୁଁ ତା’ର ରହିବାପାଇଁ ସବୁ ବନ୍ଦୋବସ୍ତ କରିଦେବି । କିଛି ଅସୁବିଧା ହେବ ନାହିଁ ।’’

 

ମାତ୍ର ଅପରିଚିତ ଲୋକ ସହିତ ଗର୍ଭବତୀ ସ୍ତ୍ରୀଲୋକଟିକୁ କିପରି ପଠାଇବେ କହି ହରମୋହନ ଭାବବ୍ୟକ୍ତ କଲେ । କୁମୁଦିନୀ ଯେତେ ପ୍ରବର୍ତ୍ତାଇଲେ ମଧ୍ୟ କିଛି ମାନୁ ନଥାନ୍ତି । ମାତ୍ର ଯେତେବେଳେ ଡାକବଙ୍ଗଳା ଚୌକିଦାର କହିଲା ଯେ, କୁମୁଦିନୀ ଜଣେ ଭାରି ବଡ଼ଲୋକର ଝିଅ । ସେ କେନ୍ଦ୍ରାପଡ଼ାରେ ସବୁ ବଡ଼ବଡ଼ ଲୋକଙ୍କଦ୍ୱାରା ସମ୍ମାନିତ, ସେତେବେଳେ ହରମୋହନଙ୍କ ମନରେ ବିଶ୍ୱାସ ଆସିଲା ।

 

କୁମୁଦିନୀ ହରମୋହନଙ୍କୁ ଅନୁରୋଧ କଲେ, ତାଙ୍କ ସହିତ କେନ୍ଦ୍ରାପଡ଼ା ଯିବାପାଇଁ ଓ ତାଙ୍କ ସମ୍ବନ୍ଧରେ ସମସ୍ତ କଥା ଅନ୍ୟମାନଙ୍କଠାରୁ ଜାଣିବାପାଇଁ । ମାତ୍ର ଏଥିରେ ହରମୋହନ ରାଜି ହେଲେ ନାହିଁ । ସେ ଶୁଣୁଥିଲେ ଯେ, ଦେଶ କାମରେ ସ୍ତ୍ରୀଲୋକ ମଧ୍ୟ ଚାରିଆଡ଼େ ବାହାରିଛନ୍ତି । ଏପରି କି ସେଥିପାଇଁ ଜେଲ ମଧ୍ୟ ଯାଇଛନ୍ତି । ଏଣୁ ଲାଲମୋହନବାବୁଙ୍କ ପରି ନାମୀ ଲୋକଙ୍କ ସ୍ତ୍ରୀ ପଦାକୁ ବାହାରିବାରେ ସେପରି କିଛି ଆପତ୍ତି କରିବାର କଥା ନାହିଁ । ତା’ ଛଡ଼ା ନିଜ ଗାଁବାଲା ଡାକବଙ୍ଗଳା ଚୌକିଦାର ଯାହା କହୁଛି ତା’ କଥାରେ ହରମୋହନଙ୍କର କୁମୁଦିନୀଙ୍କ ପ୍ରତି ଅବିଶ୍ୱାସ ଛାଡ଼ି ଯାଉଛି । ଏଣୁ ସେ ଆଉ କିଛି ଆପତ୍ତି ନ କରି କେବଳ କହିଲେ, ‘‘ଆପଣ ତ ଅଛନ୍ତି ବର୍ତ୍ତମାନ, ଦିନେ ଦୁଇ ଦିନ ପରେ ସେ ନିଶାମଣିଙ୍କୁ ତାଙ୍କ ସହିତ ଛାଡ଼ିଦେବେ ।’’

 

ଏଥିରେ କୁମୁଦିନୀ ସନ୍ତୁଷ୍ଟ ହେଲେ ଓ ନାନାପ୍ରକାର ସାନ୍ତ୍ୱନା ଦେଇ କେନ୍ଦ୍ରାପଡ଼ା ଫେରିଲେ । ଠିକ୍ ସାତ ଦିନ ପରେ ଆସି ନିଶାମଣିଙ୍କୁ ନେଇଯିବା ପାଇଁ କହିଗଲେ ।

 

–୨୨–

 

ଲାଲମୋହନବାବୁଙ୍କର ଘରର ଅବସ୍ଥା ଦେଖି ଓ ନିଶାମଣିଙ୍କର ମନର ଗତି ବୁଝି କୁମୁଦିନୀଙ୍କ ମନରେ ଆଶା ବଢ଼ିଲା ଯେ, ସେ ନିଜର ଭାବୀ ସପତ୍ନୀଙ୍କୁ ମଙ୍ଗେଇ ପାରିବେ । ସେ ନିଜେ ତା’ର ମୁରବି ହୋଇ ପାରିବେ । ଅବଶ୍ୟ ନିଶାମଣି ଗର୍ଭବତୀ ଥିବା ସମ୍ବନ୍ଧରେ ତାଙ୍କ ମନରେ ପ୍ରଥମେ ଟିକିଏ ବିକାର ଆସିଥିଲା । ମାତ୍ର ସେତେବେଳେ ସେ ଭାବିଲେ ଯେ, ଲାଲମୋହନବାବୁ ଶରୀର ସମ୍ପର୍କର ତ୍ରୁଟି ଯୋଗୁଁ ନିଶାମଣି ପ୍ରତି ସ୍ପୃହାହୀନ ନୁହନ୍ତି । କିନ୍ତୁ ତାଙ୍କ ମାନସିକ ତୃପ୍ତି ସେ ସେଠି ପାଇ ନାହାନ୍ତି ଓ ସେଥିପାଇଁ ସେ ପୁଣି ବିବାହର ଇଚ୍ଛା କରୁଛନ୍ତି । ଅତଏବ ତାଙ୍କର ଦ୍ୱିତୀୟ ବିବାହ କାମୁକର ଅଭିଳାଷ ନୁହେଁ । ବରଂ ଠିକ୍ ତା’ର ବିପରୀତ । ସେତେବେଳେ କୁମୁଦିନୀ ମନରେ ଏକ ବିରୁଦ୍ଧ ଭାବ ଖେଳିଗଲା । ସେ ଭାବିଲେ ଯେ, ଲାଲମୋହନବାବୁଙ୍କୁ ପୂର୍ଣ୍ଣ ସନ୍ତୋଷଦାନ କରି ପାରିବେ ଓ ତାଙ୍କ ସଙ୍ଗେ ସଙ୍ଗେ ନିଶାମଣିଙ୍କ ଜୀବନ ମଧ୍ୟ ଦୁଃଖମୟ ହେବନାହିଁ । କିନ୍ତୁ ଲାଲମୋହନବାବୁ ଜାଣନ୍ତିକି ନିଶାମଣି ଗର୍ଭବତୀ ବୋଲି । ବୋଧହୁଏ ସେ ଜାଣି ନଥିବେ । ସେକଥା ଜାଣିଲେ ହୁଏତ ମନର ପରିବର୍ତ୍ତନ ଘଟିପାରେ ଓ ସେ ପୁଣି ବିବାହ କରିବାପାଇଁ ସଙ୍କୋଚ ଅନୁଭବ କରିପାରନ୍ତି । କାରଣ ବହୁଦିନ ହେଲା ବିବାହ କରି ଜଣଙ୍କର ବୟସ ବେଶି ହୋଇ ଯାଇଥିଲେ ମଧ୍ୟ, ଯଦି ପିଲାପିଲି କିଛି ନାହାନ୍ତି, ତେବେ ପୁଅ ଝିଅର ବାପ ଅଥଚ ବୟସରେ କମ୍, ଏପରି ଲୋକଠାରୁ ସେ ନିଜକୁ ଯୁବକ ବୋଲି ମନେକରେ । ପୁଅ ଝିଅହିଁ ବାବା ବାବା ଡାକି ଡାକି ଲୋକଙ୍କୁ ବାର୍ଦ୍ଧକ୍ୟର ଧାରଣା ଆଣିଦିଅନ୍ତି । ଏଣୁ ଲାଲମୋହନବାବୁଙ୍କୁ କି ପ୍ରକାରରେ ତାଙ୍କର ନୂତନ ବିବାହ ସିଦ୍ଧାନ୍ତରେ ସ୍ଥିର ରଖିବେ, ଅଥଚ ନିଶାମଣିଙ୍କୁ ସାଙ୍ଗକୁ ଆଣିବେ ଏହି ସମସ୍ୟା କୁମୁଦିନୀଙ୍କୁ ଅତି ବଡ଼ ଜଣାଗଲା ।

 

ନିରୋଳା ଦେଖାସାକ୍ଷାତ୍ ହେବାର ସୁବିଧା ହେଲେ, ସେ ଲାଲମୋହନବାବୁଙ୍କୁ ବାଗେଇ ପାରନ୍ତେ । ମାତ୍ର ସେ ସୁବିଧା ବା କାହିଁ । ବର୍ତ୍ତମାନ ସେ କେଉଁଠି ବୋଲି କେଉଁଠି ବୁଲୁଛନ୍ତି । ତାଙ୍କ ସହିତ ଦେଖାହେବା ତ କଠିନ । ତେଣୁ କେବଳ ଚିନ୍ତା ଭିତରେ କାମ କରିବାକୁ ଦେଇ କୁମୁଦିନୀ କଟକ ଆସିଲେ । ଏତେଦିନେ କେନ୍ଦ୍ରାପଡ଼ାରେ ରହିବାପାଇଁ କୌଣସି କାମ ତାଙ୍କୁ ଦେଖାଗଲା ନାହିଁ । କଟକ ସହର ଦେଖି ଚାହିଁ ଯିବାପାଇଁ ମନହେଲା ।

 

ଦିନେ କଟକରେ ସେ ଦେଖିଲେ ଯେ, ବିରାଟ ଶୋଭାଯାତ୍ରା ଚାଲିଛି, ଜନତାର ମୁହଁରେ ଦୁଃଖ କ୍ରୋଧ ସମାନ ସମାନ ହୋଇ ଏକ ଅଦ୍ଭୁତ ଉଚ୍ଛ୍ୱାସ ଦେଖାଯାଉଛି । ସେହି ଶୋଭାଯାତ୍ରା ମଝିରେ ୧୦।୧୨ଟା ଛ’ ଖଣ୍ଡିଆରେ ଶବ ବୁହାହୋଇ ଚାଲିଛି । ଅନୁସନ୍ଧାନ କରି କୁମୁଦିନୀ ବୁଝିଲେ ଯେ, ଏ ଶବ ଢେଙ୍କାନାଳରୁ ଅଣାହୋଇଅଛି । ଦେଶବାସୀଙ୍କ ଆଖିରେ ଆଙ୍ଗୁଳି ଦେଇ ଦେଖାଇ ଦେବାପାଇଁ ଯେ ପଡ଼ୋଶୀ ଗଡ଼ଜାତରେ କିପରି ଲୋକଙ୍କୁ ଗୁଳିକରି ମାରିଦିଆ ହୋଇଅଛି । ଏ ଦୃଶ୍ୟ କୁମୁଦିନୀଙ୍କୁ ବଡ଼ ବୀଭତ୍ସ ବୋଧହେଲା ବରଂ କେତେଜଣ ଉତ୍‌କ୍ଷିପ୍ତ ହୋଇଯାଇ ଅତ୍ୟାଚାରୀକୁ ଦେଖାଇ ଦିଅନ୍ତେ ଯେ, ସେମାନେ ଅନ୍ୟମାନଙ୍କ ପ୍ରାଣ ଯେପରି ତୁଚ୍ଛ ମନେ କରୁଛନ୍ତି, ସେମାନଙ୍କ ନିଜ ପ୍ରାଣ ମଧ୍ୟ ସେହିପରି ତୁଚ୍ଛ । କିନ୍ତୁ ମୁର୍ଦ୍ଦାରଙ୍କୁ ଆଣି ଶୋଭାଯାତ୍ରା କରିବା କ୍ଲୀବର ଅଭିମାନ ପ୍ରକାଶ କରିବା ଭଳି ତାଙ୍କୁ ବୋଧ ହେଲା । ସେ ପୁଣି ଜାଣିଲେ ଯେ, ଏ ପ୍ରକାର ଶୋଭାଯାତ୍ରାର ବନ୍ଦୋବସ୍ତ ଲାଲମୋହନବାବୁ କରିଛନ୍ତି । ସେ ସମୟରେ ଗଡ଼ଜାତରେ ଯେ ଅତ୍ୟାଚାର ଚାଲିଥାଏ, ତାହାର ସମସ୍ତ ବିବରଣୀ ସେହି କଟକରେ କୁମୁଦିନୀ ବିସ୍ତୃତ ଭାବରେ ଶୁଣିଲେ ।

 

ନାରୀମାନଙ୍କ ଉପରେ ଅକଥନୀୟ ଅତ୍ୟାଚାରର ବୃତ୍ତାନ୍ତ ଶୁଣି ସେ ଏତେ ବିଚଳିତ ହେଲେ ଯେ, ତାଙ୍କର ମନେ ହେଲା, ସେ ତତ୍‌କ୍ଷଣାତ ଯାଇ ଅନ୍ତତଃ ଜଣେ ଅତ୍ୟାଚାରୀକୁ ତା’ର ପ୍ରାଣ ବିନିମୟରେ ତାକୁ ନାରୀପ୍ରତି ସମ୍ମାନ ଦେଖାଇବାକୁ ଶିକ୍ଷା ଦିଅନ୍ତେ । ସେ ଏତେ ବିଚଳିତ ହେଲେ ଯେ, ସେ ଭାବିଲେ ନିଜେ ଘଟନାସ୍ଥଳକୁ ଯାଇ ଅବସ୍ଥାର ସମ୍ମୁଖୀନ ହେବେ । ସେ ଶୁଣିବାକୁ ପାଇଲେ ଯେ, ଅନୁଗୁଳରେ ପ୍ରାୟ ପଚାଶ ହଜାର ଲୋକ ସ୍ତ୍ରୀ, ବାଳକଙ୍କ ସହିତ ଗଡ଼ଜାତରୁ ପଳାଇ ଆସି ପଡ଼ିଛନ୍ତି ଓ ସେଇଠି ଦିବ୍ୟସିଂହବାବୁ ପ୍ରଭୃତି ମଧ୍ୟ ଅଛନ୍ତି ।

 

ସେ ଦିନକପାଇଁ ଅନୁଗୁଳ ଗଲେ । ଅନୁଗୁଳଠାରୁ ଷୋଳମାଇଲ ଦୂରରେ କୋଶଳା ଗାଁରେ ପଳାତକମାନେ ଡାଳପତରରେ ପଲା ମାରି ପଡ଼ିଛନ୍ତି । ଦୂରରୁ ଏକ ଶବର ବସ୍ତିପରି ଦେଖାଯାଉଛି । ସେଇଠି ଯାଇ କୁମୁଦିନୀ ପହଞ୍ଚିଲେ । ସେ ସମୟରେ ବଡ଼ ଶୀତ ପଡ଼ିଥାଏ । ନିଛାଟିଆ ପଦାରେ କେବଳ ମନ ଭୁଲାଇବା ପାଇଁ ଖଣ୍ଡେ ଦୁଇଖଣ୍ଡ ଡାଳ ପୋତିଦେଇ ତା’ ଉପରେ ପତ୍ର ଝାଟି ପକାଇଦେଇ ହଜାର ହଜାର ଲୋକ ପଡ଼ିଛନ୍ତି । ଗୋଟିଏ ପଲା । ଭିତରକୁ ଅନାଇ ଦେଖିଲେ ଯେ, ଯୁବତୀ ସ୍ତ୍ରୀଟିଏ, ତା’ କୋଳରେ ମାସେ ଦୁଇ ମାସର ଏକ ଶିଶୁକୁ ଶୁଆଇବା ପାଇଁ ଚେଷ୍ଟା କରୁଛି । ପାଖରେ ଗୋଟିଏ ଛୋଟ ହାଣ୍ଡିରେ ଅଳ୍ପ ପଖାଳଭାତ ଢଙ୍କା ହୋଇଅଛି । ଆଉ ଗୋଟିଏ ବୁଢ଼ୀ ଗୋଟିଏ ପାଖରେ ଶୋଇ ଜରରେ କମ୍ପୁଛି ।

 

କୁମୁଦିନୀ ବସିପଡ଼ି ପଲା ଭିତରକୁ ଘୁଷୁରି ଗଲେ । ସେ ସ୍ତ୍ରୀଲୋକଟିକୁ ପଚାରିଲେ, ‘‘ତୁମର ସ୍ୱାମୀ କାହାନ୍ତି ? ପ୍ରଶ୍ନ ଶୁଣିବାମାତ୍ରକେ ସେହି ସ୍ତ୍ରୀଲୋକଟି କାନ୍ଦିବାରେ ଲାଗିଲେ; ମାତ୍ର ଜରରେ ପଡ଼ିଥିବା ବୁଢ଼ୀଟି ଉଚ୍ଚସ୍ୱରରେ ଏହାର ଉତ୍ତର ଦେଲା, ‘‘ଆଉ ସେ ଅଛି ନା, ତାକୁ ମାରି ପକାଇଛନ୍ତିଲୋ ମା’–ତାକୁ ମାରି ପକାଇଛନ୍ତି ।’’ ଏହାପରେ ବୁଢ଼ୀ ସୈନ୍ୟ ତଥା ରାଜ କର୍ମଚାରୀମାନଙ୍କୁ ମନଇଚ୍ଛାରେ ଗାଳି ଦେବାରେ ଲାଗିଲା । ସେ ସ୍ତ୍ରୀଲୋକଟିର ବିକଳ କାନ୍ଦଣା ସହି ନ ପାରି କୁମୁଦିନୀ ସେଠାରୁ ବାହାରି ଆସିଲେ ।

 

ତା’ପରେ ଆଉ ଏକ ପଲାରେ ଦେଖନ୍ତି ଜଣେ ପ୍ରୌଢ଼ା ସ୍ତ୍ରୀ ନାକରେ ସୁନାର ଗହଣା ପିନ୍ଧି ବସିଛି । ଚାରିପାଖଯାକ ଚାଉଳ ବସ୍ତା, ବାକ୍‍ସ, ଛୋଟ ସିନ୍ଦୁକ ସବୁ ଥୁଆହୋଇଛି । ପାଖରେ ଜଣେ ଚାକର ବସିଛି । ସ୍ତ୍ରୀଲୋକର ଚେହେରା କହିଦେଉଅଛି ଯେ, ତା’ର କର୍ତ୍ତୃତ୍ୱ କରିବାର କ୍ଷମତା ଅଛି । କୁମୁଦିନୀ ଏ ପଲା ଭିତରକୁ ଯାଇ, ଏ ସ୍ତ୍ରୀଲୋକକୁ ସବୁ କଥା ପଚାରିଲେ । ସେ ସ୍ତ୍ରୀଲୋକ ଗମ୍ଭୀରଭାବରେ କହିଲେ ଯେ ସେ ଓ ତା’ର ସ୍ୱାମୀ କେବେ ଆଉ ରାଇଜକୁ ଫେରିବେ ନାହିଁ । ଯାହା ସମ୍ପତ୍ତି ରଜାଘର ବହି ନେଇଗଲା, ଯାଉ ସବୁ, ମାନ ତ ରହିଲା । ଘରେ ଘରେ ପଶି ଲୁଟତରାଜ, ସ୍ତ୍ରୀଲୋକଙ୍କ ଉପରେ ଅତ୍ୟାଚାର, ସେଥିରେ ଲୋକେ ଉତ୍ତେଜିତ ହେଲେ ଗୁଳି, ଏହିପରି କେତେ ଆଉ ମଣିଷ ସହିବ !

 

କୁମୁଦିନୀ ଜାଣିପାରିଲେ ଯେ, ଏ ପରିବାର ସେ ଅଞ୍ଚଳରେ ଅତି ପ୍ରତିଷ୍ଠିତ ଓ ଧନୀ; ମାତ୍ର ବର୍ତ୍ତମାନ ପଲା ଛଡ଼ା ଅନ୍ୟ ଆଶ୍ରା ନାହିଁ । ଏହି ସ୍ତ୍ରୀଲୋକଟି ପଳାତକ ସମସ୍ତଙ୍କ ଖବର ବୁଝିଛି ଓ ସମସ୍ତଙ୍କୁ ନିଜର କର୍ତ୍ତୃତ୍ୱରେ ଚପାଇ ରଖି ପରସ୍ପର ଭିତରେ ଶାନ୍ତି ରଖିଛି ।

 

ଦିବ୍ୟସିଂହବାବୁ ଆଉ ଟିକିଏ ଆଗରେ ଗୋଟିଏ ପଲାରେ ଅଛନ୍ତି ବୋଲି ଏହିଠାରୁ କୁମୁଦିନୀ ଜାଣିଲେ । ଟିକିଏ ଆଗକୁ ଯାଇ ଦେଖନ୍ତି ଯେ, ଦିବ୍ୟସିଂହବାବୁ ସେଆଡ଼ୁ ଆସୁଛନ୍ତି । କୁମୁଦିନୀକୁ ଦେଖି ସେ ଅତିଶୟ ପ୍ରୀତି ପ୍ରକାଶ କରି କହିଲେ, ‘‘କିହୋ, ତୁମେ କେବେ ଆସଲ ? ଆଚ୍ଛା, କଥା ପଛେ ହେବ, ଏହିକ୍ଷଣି ଆସ ଯିବା ଡାକ୍ତରବାବୁ ଆସିଛନ୍ତି । ଜଣେ ବୁଢ଼ୀ ଅତ୍ୟନ୍ତ ବେରାମ ପଡ଼ିଛି । ତାକୁ ଦେଖି ଆସିବା ।’’

 

ସମସ୍ତେ ଏକା ସାଙ୍ଗରେ ସେ ବୁଢ଼ୀର ପଲା ପାଖକୁ ଗଲେ । ବୁଢ଼ୀର ସାତ ପୁଅ । ଚାରିଜଣ କଲିକତାରେ, ଆଉ ତିନିଜଣ ଘରେ ଅଛନ୍ତି । ସେଥିରୁ ଦୁଇଜଣ ଗୁଳିଖାଇ ମରିଛନ୍ତି । ବୁଢ଼ୀର ବୟସ ପ୍ରାୟ ୫୫ ହେବ । ତା’ର ରୋଗ ହେଉଛି ଯେ, ଯେତେବେଳେ ସୈନ୍ୟମାନେ ସେ ଗାଁ ଘେରାଉ କରି ଘର ଘର ଅତ୍ୟାଚାର ଆରମ୍ଭ କଲେ, ସେତେବେଳେ ଏ ବୁଢ଼ୀ କେତେଜଣ ପଶୁଙ୍କ ହାବୁଡ଼ରେ ପଡ଼ିଗଲା । ଜଣଙ୍କ ପରେ ଜଣେ ପାଶବିକ ଅତ୍ୟାଚାର କରିବା ଫଳରେ ବୁଢ଼ୀ ବେହୋସ ହୋଇ ପଡ଼ି ଯାଇଥିଲା । ତା’ପରେ ତାକୁ ଟେକିଆଣି ପଲାରେ ପକାଇଛନ୍ତି । ବର୍ତ୍ତମାନ ହୋସ ଆସିଲାଣି । ଜନନେନ୍ଦ୍ରିୟ ଏପରି ଭାବରେ ଜଖମ ହୋଇ ଯାଇଛି ଯେ, ସେ ଯନ୍ତ୍ରଣାରେ ବୁଢ଼ୀ ଅସ୍ଥିର ହେଉଛି ।

 

କୁମୁଦିନୀ ଏ ବୀଭତ୍ସ ଦୃଶ୍ୟ ଦେଖି ପାଗଳପ୍ରାୟ ହୋଇଗଲେ । ସେ ଜୋରରେ କହିଲେ, ‘‘ସେ ଗାଁବାଲାମାନେ ଏକଜୁଟ ହୋଇ ସେ ପଶୁମାନଙ୍କ ଭିତରୁ ଜଣଙ୍କୁ ସୁଦ୍ଧା ମାରି ଦେଇ ପାରିଲେ ନାହିଁ ?’’

 

ଜଣେ ପାଖରେ ଛିଡ଼ା ହୋଇଥିବା ଲୋକ କହିଲା, ‘‘ସେଠି କ’ଣ କରିବୁଁ ? ଗୁଳି ଆଗରେ ଆମର ସାଧ୍ୟ କ’ଣ ?’’

 

କୁମୁଦିନୀ ତୀବ୍ର ସ୍ୱରରେ କହିଲେ, ‘‘ସେ ଏତେ ଅତ୍ୟାଚାର କରିଗଲେ, ଜଣକୁ ସୁଦ୍ଧା ମାରି ପାରିଲ ନାହିଁ ? ତୁମେଗୁଡ଼ାକ ନପୁଂସକ, ହୀନବିର୍ଯ୍ୟ ।’’ ଦିବ୍ୟସିଂହବାବୁ ଅଳ୍ପ ହସି କୁମୁଦିନୀକୁ ଶାନ୍ତ କରି କହିଲେ, ‘‘ପରେ କଥାବାର୍ତ୍ତା ।’’ ସେଠି ବୁଢ଼ୀର ଚିକିତ୍ସାର ବ୍ୟବସ୍ଥା କରିସାରିବା ପରେ ଡାକ୍ତର ଅନ୍ୟ ସବୁ ପିଲା ଦେଖି ଆସିବାପାଇଁ ବରାଦ କରି, ଦିବ୍ୟସିଂହବାବୁ କୁମୁଦିନୀକୁ ନେଇ ନିଜ ପଲାକୁ ଫେରିଲେ ।

 

ଏକ ଅତ୍ୟାଚାର ପ୍ରଦର୍ଶନୀ ଭିତରେ ଛିଡ଼ାହେଲା ପରି ଅନୁଭବ କରି କୁମୁଦିନୀ ଅତି ଅସ୍ଥିର ମନେ କରୁଥାଆନ୍ତି । ଚାରିଆଡ଼କୁ ଚାହିଁ କହିଲେ, ‘‘ଏ ସବୁର ଜବାବ ଦେବାକୁ ହେବ । ନହେଲେ ସୃଷ୍ଟିର ନିୟମ ବୋଲି ଆଉ କିଛି ରହିବ ନାହିଁ ।’’

 

ଦିବ୍ୟସିଂହବାବୁ ଶାନ୍ତି ଭାବରେ କୁମୁଦିନୀକୁ ବସିବାକୁ କହିଲେ ।

 

କୁମୁଦିନୀ ସେହିପରି ଉଗ୍ରଭାବରେ କହିଲେ, ‘‘ବସିବି କ’ଣ ? ମୋତେ କହନ୍ତୁ, କ’ଣ ଆପଣମାନେ କରୁଛନ୍ତି–ଏ ଅତ୍ୟାଚାରର ପ୍ରତ୍ୟୁତ୍ତର ଦେବାପାଇଁ ।’’

 

ଦିବ୍ୟସିଂହବାବୁ–‘‘ପ୍ରତ୍ୟୁତ୍ତର ବୋଲି ଚିତ୍କାର କଲେ ତ କିଛି ହେବନାହିଁ ।’’

 

କୁମୁଦିନୀ–‘‘ଆପଣ ବୋଧହୁଏ କହିବେ ଏ ସବୁ ଅତ୍ୟାଚାର ସହ୍ୟ କରିଯିବା ପାଇଁ ।’’

 

ଦିବ୍ୟସିଂହବାବୁ ହସି ଉଠିଲେ ।

 

କୁମୁଦିନୀ ପୁଣି କହିଲେ, ‘‘ମୁଁ ଜାଣେ ଆପଣ ଯାହା କହିବେ ।’’

 

ଦିବ୍ୟସିଂହବାବୁ କୁମୁଦିନୀର ହାତଧରି ଟାଣି ବସାଇ ଦେଲେ । ତା’ପରେ ଧୀରେ ଧୀରେ କହିଲେ, ‘‘ବର୍ତ୍ତମାନ ପ୍ରଶ୍ନ ହେଉଛି, ଏ ହଜାର ହଜାର ଲୋକଙ୍କୁ ସାନ୍ତ୍ୱନା ଦେବା ଓ ସେମାନଙ୍କୁ ସବୁ ଦୁଃଖ ମୁଣ୍ଡେଇନେବା ପାଇଁ ଦୃଢ଼ କରିବା । ମରି ଯାଆନ୍ତୁ ପଛକେ ମୁଣ୍ଡ ନ ନୁଆଁନ୍ତୁ-।’’

 

କୁମୁଦିନୀ–‘‘ଏମାନଙ୍କ ଭିତରୁ ମଜବୁତ୍ ଯେତେଜଣ ଅଛନ୍ତି ସମସ୍ତଙ୍କୁ ସାହସ ଦେଇ ପଠାଇ ସେ ସୈନ୍ୟଛାଉଣୀକୁ ଘେରାଉ କରି ଅନ୍ତତଃ କେତେଜଣ ସେମାନଙ୍କ ଭିତରୁ ମାରି ଦିଆଯାଉ । ତେବେ ଜଗତ ଜାଣିବ ଯେ, କୌଣସି ଅତ୍ୟାଚାର ଅପ୍ରତିହତ ହୋଇ ଫେରି ନାହିଁ ।’’

 

ଦିବ୍ୟସିଂହବାବୁ–‘‘ଥଣ୍ଡାହୁଅ, ସବୁ କଥା ବିଚାର କର । ଧରିନିଅ ଦୁଇ ଚାରି ଜଣ ସୈନ୍ୟଙ୍କୁ ଏମାନେ ମାରିଦେଲେ । ତା’ପରେ ଯଦି ଏମାନେ ଅତ୍ୟାଚାର ସହି ନ ପାରି ପୁଣି ଯାଇ ଶରଣ ପଶନ୍ତି, ତେବେ ତ ଯୁଗଯୁଗ ପାଇଁ ଏମାନଙ୍କ ଆତ୍ମସମ୍ମାନ ଚାଲିଯିବ । ବଳ ନାହିଁ, ଅଥଚ ବଳ ପ୍ରୟୋଗର ଚିନ୍ତା ଲାଭ କ’ଣ ? ଯଦି ଆମେ ଏତିକି କହିପାରୁ ଯେ, ଯେତେ ଅତ୍ୟାଚାର ହେଉପଛକେ କେହି ଯେପରି ମୁଣ୍ଡ ନ ନୁଆଁନ୍ତି, ତାହାହେଲେ ଅତ୍ୟାଚାର ବ୍ୟର୍ଥ ହୋଇଯିବ । ଏହି ହେଉଛି ନୈତିକ ପନ୍ଥା, ଯାହା ମାରିଲେ ବଡ଼ବଡ଼ ପହିଲମାନ ସୁଦ୍ଧା ଚିତ୍ ମାତ୍ ହୋଇ ପଡ଼ିଯିବେ । ସେମାନେ ଭାବିଛନ୍ତି ଏପରି ଅତ୍ୟାଚାର କଲେ ଲୋକ ଦବି ଯିବେ । ଯଦି ଲୋକ ନ ଦବନ୍ତି ତେବେ ସେମାନେ କ’ଣ କରିବେ ।

 

କୁମୁଦିନୀ ମୁହଁ ତଳକୁ କରି ବହୁକ୍ଷଣ ଗମ୍ଭୀର ହୋଇ ବସି ରହିଲେ । ଦିବ୍ୟସିଂହବାବୁ କ’ଣ କହିଲେ ତା’ର ଉତ୍ତର ଦେବା ଦୂରେଥାଉ, ତା’ ତାଙ୍କ କାନ ଭିତରକୁ ସୁଦ୍ଧା ଯାଇନାହିଁ । କିଛିକ୍ଷଣ ପରେ ତାଙ୍କର ଆଖି ଛଳଛଳ ହୋଇ ଆସିଲା । ଲୁଗା କାନିରେ ମୁହଁ ଢାଙ୍କିଦେଲେ । ବହୁକ୍ଷଣ ପରେ, ଯେତେବେଳେ ଦିବ୍ୟସିଂହବାବୁ ପଚାରିଲେ, ‘‘ଆଜି ଏଠି ରହିବ ତ ?’’ ସେତେବେଳେ କୁମୁଦିନୀ ରୁଦ୍ଧକଣ୍ଠରେ କହିଲେ, ‘‘ଏଇଠି ମରିଯିବା ପାଇଁ ମନ ହେଉଛି ।’’

 

ସାଙ୍ଗେ ସାଙ୍ଗେ ପାଖରେ ଚାରିଖଣ୍ଡ ଡାଳ ପୋତି, ଉପରେ ଆଠ ଦଶ ଖଣ୍ଡ ପତ୍ର ଝାଟି ଲମ୍ବା ବାଗରେ ପକାଇ ଦେଇ, କୁମୁଦିନୀଙ୍କ ପାଇଁ ପଲାର ବନ୍ଦୋବସ୍ତ ହେଲା । ସାଙ୍ଗରେ ସୁଦର୍ଶନ ଥିଲା । ତାକୁ ଦିବ୍ୟସିଂହବାବୁ କହିଲେ, ‘‘ସେହି ପଲା ଭିତରେ ଜିନିଷପତ୍ର ଥୋଇ ଦେବାପାଇଁ ।’’

 

–୨୩–

 

ରାତି ପ୍ରାୟ ପହରେ ଖଣ୍ଡେ ହୋଇଛି । କୁମୁଦିନୀ ନିଜ ପଲା ଭିତରେ ବିଛଣା ଉପରେ ପଡ଼ିରହି ନାରୀଜାତିର ଦୁର୍ଦ୍ଦଶା ସମ୍ବନ୍ଧରେ ଚିନ୍ତା କରୁଛନ୍ତି । କେତେ ଅତ୍ୟାଚାରର ଝଡ଼ତୋଫାନ ନାରୀଜାତି ଉପରେ ବହିଯାଉଛି । ଅଥଚ ସେ ତା’ର ପ୍ରତିକାର କିଛି କରିପାରୁ ନାହିଁ । କାହିଁକି କରିପାରୁ ନାହିଁ ? ତାହାର ନିଜ ଭିତରେ ଥିବା କୋମଳ ସ୍ୱଭାବଗତ ଦୁର୍ବଳତା ହେତୁ ନା ସମାଜର ଯୁଗଯୁଗ ବ୍ୟାପୀ ଚାପାହେତୁ; ଏହି ଚିନ୍ତାରେ ମଗ୍ନଥିବା ସମୟରେ ବାହାରେ ଲାଲମୋହନବାବୁଙ୍କର ପାଟି ଶୁଭିଲା, ତର୍ଜନ କରି କ’ଣ କହୁଛନ୍ତି ?

 

କୁମୁଦିନୀ ହଠାତ୍‌ ଉଠିପଡ଼ି ବାହାରକୁ ଯାଇ ଦେଖିଲେ ଯେ, ଦିବ୍ୟସିଂହବାବୁ ତାଙ୍କ ପଲା ଆଗରେ ମୁହଁ ତଳକୁ କରି ବିଷଣ୍ଣ ହୋଇ ବସିଛନ୍ତି । ଲାଲମୋହନବାବୁ ତାଙ୍କ ଆଗରେ ଛିଡ଼ାହୋଇ ଉତ୍ତେଜିତ ହୋଇ କହିବାରେ ଲାଗିଛନ୍ତି । ଆଉ କେତେ ଲୋକ ଚାରିପାଖ ଘେରି ଛିଡ଼ାହୋଇଛନ୍ତି । ‘‘ଏ ହେଉଛି ଆପଣଙ୍କର ଅହିଂସା ନୀତି ? ଯେ ଅତ୍ୟାଚାରିତ ତାହାହିଁ ଅତ୍ୟାଚାରୀ ଆଗରେ ନିନ୍ଦା କରି ପରୋକ୍ଷରେ ଅତ୍ୟାଚାରକୁ ସମର୍ଥନ କରିବା ।’’ ଏ ବିଷୟ କ’ଣ କୁମୁଦିନୀ ବୁଝିବାପାଇଁ ଭିଡ଼ ଭିତରକୁ ଯାଇ ଲାଲମୋହନବାବୁଙ୍କ ଆଗରେ ଛିଡ଼ାହୋଇ ଗଲେ । ଲାଲମୋହନବାବୁ ଏତେ ଉନ୍ମତ୍ତ ଯେ, କୁମୁଦିନୀକୁ ସେଠି ହଠାତ୍ ଦେଖି ସେ ତିଳେମାତ୍ର ବିଚଳିତ ହେଲେ ନାହିଁ । କେବଳ ଟିକିଏ ନିଠେଇ କରି ଚାହିଁଦେଲେ ମାତ୍ର । କୁମୁଦିନୀ କଥା କ’ଣ ବୋଲି ପଚାରିଲେ ।

 

ଲାଲମୋହନବାବୁ–‘‘ଦିବ୍ୟସିଂହବାବୁଙ୍କ ଆଶ୍ରମର ବ୍ରଜକିଶୋରବାବୁ ବର୍ତ୍ତମାନ ଢେଙ୍କାନାଳ, ତାଳଚେରରେ ବୁଲି ଚାରିଆଡ଼େ କହୁଛନ୍ତି ଯେ, ଗାଁ ଲୋକ ଯେ ଲାଠି ବାଡ଼ି ନେଇ ରାଜାଘର ପାଇକ ବା ଗୋରାସୈନ୍ୟଙ୍କୁ ମାରିବାକୁ ବାହାରୁଛନ୍ତି, ଏହା ଅନ୍ୟାୟ, କାରଣ ତା’ ଅହିଂସା ନୀତି ବିରୁଦ୍ଧ । ସେ ଲୋକଙ୍କୁ ଏପରି ଭାବରେ ନିନ୍ଦା କରୁଛନ୍ତି ଯେ, ଗୋଟିଏ ଦୋ’ଟି ଗାଁରେ ତାଙ୍କ କଥା ଶୁଣି ଲୋକେ ଏତେ ଦବିଗଲେଣି ଯେ, ରଜାଘର ଲୋକ ସେମାନଙ୍କଠୁ କ୍ଷମାପତ୍ର ଲେଖାଇ ନେଇ ସାରିଲେଣି । ଆଉ ଏ ସବୁ କାମ ବ୍ରଜକିଶୋରବାବୁଙ୍କ ସାମନାରେ ହେଉଛି । ସେହି କଥା ମୁଁ ଦିବ୍ୟସିଂହବାବୁଙ୍କୁ କହୁଛି; ଏହି କ’ଣ ଅହିଂସା ନୀତିର ଯଥାର୍ଥ ପ୍ରୟୋଗ, ଲୋକଙ୍କୁ କାପୁରୁଷ କରି ଛାଡ଼ିଦେବା ? ଲୁଟତରାଜ, ଗୁଳି ପ୍ରଭୃତି ଯାବତ୍ ଅତ୍ୟାଚାର ସହ୍ୟ କରି ଶେଷରେ କ୍ଷମାପତ୍ର ଲେଖି ଦେଇ ଶାନ୍ତିକ୍ରୟ କରିବା ?’’

 

କୁମୁଦିନୀ ତେଜି ଯାଇ କହିଲେ, ‘‘ତାହାହିଁ ଯଦି ଅହିଂସା ହୋଇଥାଏ, ତେବେ ଯେତେ ଶୀଘ୍ର ତା’ର ଧ୍ୱଂସ ସାଧିତ ହୁଏ ତେତେ ଭଲ ।’’ ସେ ଆଉ କ’ଣ କହିବାକୁ ଯାଉଥିଲେ, ଏହି ସମୟରେ ଦିବ୍ୟସିଂହବାବୁ ଲାଲମୋହନବାବୁଙ୍କୁ ଟାଣି ବସାଇ ଦେଲେ ଓ କୁମୁଦିନୀକୁ ବସିବାପାଇଁ କହିଲେ ।

 

ସମସ୍ତେ ବସିବାପରେ ସେ ଧୀରେ ଧୀରେ କହିଲେ, ‘‘ଏ ଦେଶର ଦୁର୍ଭାଗ୍ୟ ଏହି ଯେ, କୌଣସି ଜିନିଷକୁ ଲୋକେ ସିନ୍ଦୁକ ଭିତରେ ବନ୍ଦ କରି ତାଲା ଚାବି ପକାଇ ତାକୁ ପୂଜା କରିବେ । ମୋତେ ବଡ଼ ଦୁଃଖ ହେଉଛି ଯେ, ଏ ଅହିଂସାନୀତିକୁ ମଧ୍ୟ ସେହିପରି ସିନ୍ଦୁକ ଭିତରେ ପୂରାଇ କେତେକ ଚାବି ପକାଇଲେଣି । ବିରାଡ଼ି ମୂଷାକୁ ଧରିବାପାଇଁ ବସିଛି । ମୂଷା ଯଦି ନିଜକୁ ବଞ୍ଚାଇବା ପାଇଁ ଏପାଖ ସେପାଖ ହେବା ଫଳରେ ତା’ର ଗୋଡ଼ ନଖ ବିରାଡ଼ି ଦେହରେ ବାଜି ଟିକିଏ ଛିଡ଼ିଯାଏ, ତେବେ କେଉଁ ମୂର୍ଖ କହିବ ଯେ, ମୂଷା ବିରାଡ଼ି ପ୍ରତି ହିଂସା ଆଚରଣ କରୁଛି । ଯେ ସେ କଥା କହିବ, ସେ ଅହିଂସାର ତତ୍ତ୍ୱ କିଛି ବୁଝିନାହିଁ । ଯେଉଁଠି ତୋପ କମାଣ ଧରି ଗୋରା ସୈନ୍ୟ ଘେରାଉ କରିଛନ୍ତି ଓ ସେ ଘେରାଉ ଭିତରେ ବନ୍ଧୁକଧାରୀ ପାଇକ ଅତ୍ୟାଚାର କରୁଛନ୍ତି, ସେଠି ସମ୍ପୂର୍ଣ୍ଣ ନିରସ୍ତ୍ର ଲୋକ ଲାଠି ବାଡ଼ିଧରି ନିଜ ମା’ ଭଉଣୀଙ୍କ ସମ୍ମାନ ରକ୍ଷାପାଇଁ ବାହାରିବାକୁ ହିଂସା କହି ନିନ୍ଦା କରିବା ଅମନୁଷ୍ୟତା । ବ୍ରଜକିଶୋର ଯାହା କହୁଛି ଭୁଲ କରୁଛି । ଅହିଂସା ଏକ ସ୍ଥାଣୁ ନୀତି ନୁହେଁ । ଏହା ସବୁ ଶକ୍ତିଠାରୁ ଗତିଶୀଳ । ଅର୍ଥାତ୍ ଯେକୌଣସି ଅବସ୍ଥାରେ ଏହାକୁ କାମରେ ଆଣି ପାରିହେବ । ଏଣୁ ଏହାର ମଧ୍ୟ ସୀମା ଅଛି । ଅବସ୍ଥା ଭେଦରେ ମାତ୍ରା ଭେଦ ମଧ୍ୟ ଅଛି । ତା’ ନହେଲେ ଷୋଳଅଣା ଅହିଂସା, ଯାହା ବହିରେ ଲେଖା ହୋଇଛି ବା ଯାହା ଜଣେ ପରିପୂର୍ଣ୍ଣ ବ୍ୟକ୍ତି ପକ୍ଷରେ ସମ୍ଭବ, ସେଇଆକୁ ତୋତା ଚଢ଼େଇ ଘୋଷି ହୋଇ ସେଥିରୁ ଟିକେ ଏପାଖ ସେପାଖ ହେଲେ, ତାକୁ ନିନ୍ଦା କରିବା ଅର୍ଥ ଅହିଂସାକୁ ସିନ୍ଦୁକରେ ଚାବି ପକାଇ ଦେବା । ଦୁଃଖର ବିଷୟ ଅହିଂସାର ପ୍ରଚାରକ ନିଜେ ବଞ୍ଚି ଥାଉଁଥାଉଁ, ସେ ନୀତିର ଏପରି କଦର୍ଥ ହେଉଛି । ପରେ କ’ଣ ହେବ ଭଗବାନ୍ ଜାଣନ୍ତି ।’’ ଏତିକି କହି ଦିବ୍ୟସିଂହବାବୁ ଏକ ଦୀର୍ଘନିଃଶ୍ୱାସ ପକାଇଲେ । ସଙ୍ଗେ ସଙ୍ଗେ ଏକ ପତ୍ର ଲେଖିଲେ, ବ୍ରଜକିଶୋରବାବୁଙ୍କ ପାଖକୁ, ଶୀଘ୍ର ଆସି ତାଙ୍କୁ ଦେଖା କରିବାପାଇଁ ।

 

କୁମୁଦିନୀ–‘‘ଏତେ ଅତ୍ୟାଚାର ହୋଇ ଯାଉଛି, କେହି ସେ ଅତ୍ୟାଚାରୀକୁ ଅତ୍ୟାଚାର ନିଭେଇବାର ସୁବିଧା ଦେଉ ନାହାନ୍ତି କାହିଁ ?’’

 

ଲାଲମୋହନବାବୁ–‘‘ଅତ୍ୟାଚାର ପରିମାଣ କଳ୍ପନା କରିବା କେବେ ? ମୋର କେତେଥର ମନ ହୋଇଛି ଯାଇଁ ସେ ଗୋରା ହାକିମକୁ ଅତ୍ୟାଚାର ବୋଲନ୍ତେ କ’ଣ ବୁଝାଏ ଜଣାଇ ଦେବାପାଇଁ ।’’

 

କୁମୁଦିନୀ–‘‘ଖାଲି ମନ ହୋଇଛି ନା କାମରେ କେବେ ଚେଷ୍ଟା କରିଛ ?’’

 

ଲାଲମୋହନବାବୁ ସଙ୍କୁଚିତ ହୋଇଗଲେ । ତାଙ୍କର ହଠାତ୍ ମନେ ପଡ଼ିଗଲା, ନୀଳଗିରି ଆନ୍ଦୋଳନ ବର୍ଣ୍ଣନା କଲାବେଳେ ଏହିପରି ମନ୍ତବ୍ୟ କୁମୁଦିନୀ ପ୍ରକାଶ କରିଥିଲେ । ଶେଷରେ ‘ସେ ଜଣେ କଥାର ଲୋକ, କାମର ନୁହନ୍ତି’–ଏହା ଯେପରି କୁମୁଦିନୀଙ୍କ ଧାରଣା ହୋଇଛି । କିଛିକ୍ଷଣ ସମସ୍ତେ ନୀରବ ରହିବା ପରେ ଦିବ୍ୟସିଂହବାବୁ ବ୍ରଜକିଶୋରଙ୍କଠାକୁ ଚିଠି ପଠାଇବାର ବ୍ୟବସ୍ଥା କରି, ଅଳ୍ପ ହସି ଲାଲମୋହନବାବୁଙ୍କୁ କହିଲେ, ‘‘କୁମୁଦିନୀ ଆଜି ଆସି ଏଠି ପହୁଞ୍ଚିଛନ୍ତି । ମୁଁ ତାଙ୍କୁ ପରାମର୍ଶ ଦେବି ବୋଲି ଭାବୁଛି । ସେ ଏଠୁ ଚାଲି ଯାଆନ୍ତୁ । ଏ ଯେ ଦାନବ ଲୀଳା ଚାଲିଛି, ତାକୁ ସେ ବରଦାସ୍ତ କରି ପାରିବେ ନାହିଁ । ତାଙ୍କର ହୃଦୟ ଅତି କୋମଳ ।’’

 

ଲାଲମୋହନବାବୁ–‘‘ବାସ୍ତବିକ ଏ ସବୁଥିରେ କୋମଳତାର ସ୍ଥାନ ନାହିଁ । ଛାତି ପଥର ନହେଲେ ଏ ସମସ୍ୟା ଭିତର ଦେଇ ଅତିକ୍ରମ କରିବା କଠିନ ।’’

 

କୁମୁଦିନୀ–‘‘ସ୍ତ୍ରୀଲୋକ ବୋଲି ଯଦି ମୋତେ କୋମଳ ଭାବୁଥାନ୍ତି, ତେବେ ତାହା ଭୁଲ । ତେବେ ମୁଁ କେତେକ ପୁରୁଷଙ୍କ ପରି ଅନ୍ୟମାନଙ୍କୁ ଅତ୍ୟାଚାର ମୁହଁକୁ ଠେଲିଦେଇ ପଛରେ ଉତ୍ସାହରେ ଛାଟିପିଟି ହେବା ଲୋକ ନୁହେଁ । ମୁଁ ମନେ କରୁଛି, ଏହି ପଳାତକମାନଙ୍କୁ ସଂଘବଦ୍ଧ କରି ଅନ୍ତତଃ କେତେକ ଅତ୍ୟାଚାରୀଙ୍କୁ ଉଚିତ ଶିକ୍ଷା ଦେବି ।’’

 

ଦିବ୍ୟସିଂହବାବୁ–‘‘ସେହି ତ କୋମଳତାର ଲକ୍ଷଣ । ତୁମେ କ’ଣ ମନେ କରୁଛ, ବ୍ରଜକିଶୋର ଯାହା କହୁଛି ତା’ କୋମଳତା, ସେ ତ ବିଶୁଦ୍ଧ ଭୀରୁତା ବା ମୂର୍ଖତା । ଦୂରଦୃଷ୍ଟିରେ କୌଣସି କଥା ବିଚାର ନ କରି ଉପସ୍ଥିତ ଘଟଣାରେ ବାହାରି ଯିବା ହେଉଛି ବିଶୁଦ୍ଧ କୋମଳତା, ଯାହା ଏଠି କିଛି କାମରେ ଲାଗିବ ନାହିଁ ।’’

 

ଲାଲମୋହନବାବୁ କୁମୁଦିନୀଙ୍କ କଥାରେ ତାଙ୍କ ନିଜ ପ୍ରତି ନିର୍ଦ୍ଦୟ ଆକ୍ଷେପ ଥିବାର ଅନୁମାନ କଲେ । ସେ ଅନେକକ୍ଷଣ ଚୁପ୍ ରହି ଶେଷରେ କହିଲେ, ‘‘ସମୟ ଜଣାଇ ଦେବ, କେତେକ ପୁରୁଷ କ’ଣ କରୁଛନ୍ତି । ମାତ୍ର ତୁମେ ଏଠୁ ଫେରିଯାଅ । କାରଣ ଏଠା ଅବସ୍ଥା କେତେବେଳେ ଯେ କ’ଣ ହେବ ତା’ର ଠିକଣା ନାହିଁ ।’’

 

କୁମୁଦିନୀ–‘‘ମୁଁ ଏଇଠି ରହିବି ଓ ଅବସ୍ଥା ବୁଝି ମୁଁ କିଛି କରିବି ।’’

 

ଦିବ୍ୟସିଂହବାବୁ–‘‘ଆଚ୍ଛା, ତୁମେ ଏହି ପଳାତକମାନଙ୍କ ଭିତରେ ରୋଗୀଙ୍କ ଖବର ବୁଝ-। କେବଳ ସେତିକିର ଭାର ନିଅ । ତେବେ ମୁଁ ଟିକିଏ ମୁକ୍ତ ହେବି ।’’

 

କୁମୁଦିନୀ–‘‘ସେ ପ୍ରକାର ସେବା କାମରେ ମୋ ମନ ଲାଗିବ ନାହିଁ । ମୁଁ ଏଇଠି ରହି ଏ ପଳାତକମାନଙ୍କ ଭିତରେ ବିଚରଣ କରି ଏମାନଙ୍କ ଭିତରେ ଉତ୍ସାହର ପ୍ରବାହ ଖେଳାଇଦେବି ।’’

 

ଲାଲମୋହନବାବୁ–‘‘ତୁମେ ଯାଅ । ଏଠି ତୁମର କିଛି କରିବାର ନାହିଁ । ମୁଁ ଆଜି ଏଠୁ ଯାଉଛି ଏକ କାର୍ଯ୍ୟକ୍ରମରେ ।’’

 

କୁମୁଦିନୀ–‘‘ମୁଁ ଏଇଠି ରହିବି ଓ ଏ ଅତ୍ୟାଚାରର କିଛି ପ୍ରତିକାର କରିବି ।’’

 

ପରେ ଏ ବିଷୟ ଆଲୋଚିତ ହେବ ବୋଲି କହି ଦିବ୍ୟସିଂହବାବୁ ଅନ୍ୟକଥା ପକାଇଲେ ।

 

–୨୪–

 

ରାତି ଛଅଘଡ଼ିବେଳକୁ ଖିଆପିଆ ସରିଲା । ଲାଲମୋହନବାବୁ ସୁବିଧା ଖୋଜି ବୁଲୁଥିଲେ, କିପରି କୁମୁଦିନୀଙ୍କ ସହିତ ଏକୁଟିଆ ଟିକେ କଥାବାର୍ତ୍ତା କରିବେ । ସେ ସୁବିଧା ଜୁଟିଗଲା, ଯେତେବେଳେ ଖାଇସାରି ଧୋବ ଫରଫର ଜହ୍ନ ରାତିରେ କୁମୁଦିନୀ ପଲା ବାହାରେ ପଡ଼ିଆକୁ ଟିକେ ବୁଲିବାକୁ ଗଲେ । ଚାରିପାଖ ପଲା ଓ ମଝିରେ ନିତାନ୍ତ ବୀଭତ୍ସ ଅତ୍ୟାଚାରର କରୁଣ କାହାଣୀ ଶୁଣି ଶୁଣି କୁମୁଦିନୀଙ୍କ ମନ ଉଚାଟିଗଲା । ତେଣୁ ସେ ପଲାଠାରୁ କିଛି ଦୂରକୁ ଚାଲିଯାଇ ଏକାକୀ ପଡ଼ିଆରେ ପାଇଚାରି କରୁଛନ୍ତି । ଉପରୁ ଜହ୍ନ ଯେପରି ଶୀତଳ ହାୱା ଦେଇ ଦେଇ ତଳେ ସମସ୍ତଙ୍କୁ ସାନ୍ତ୍ୱନା ଦେଇଛି । ଦୂରରେ ଗଛ ସନ୍ଧିରେ ପେଚାଟିଏ ବସି କାନ୍ଦିଲା ପରି ଉଁ ଉଁ ଶବ୍ଦ କରୁଛି, ଯେପରି କି ସେ ଘୋଷଣା କରୁଛି ଯେ, ସୁଖର ଚାନ୍ଦିନୀ ଭିତରେ ଦୁଃଖ ମଧ୍ୟ ରହିଛି-। ଧୀରେ ଧୀରେ ଥଣ୍ଡା ଉତ୍ତରା ପବନ ବହୁଛି; ଦୁନିଆକୁ କାନେକାନେ କହୁଛି ‘ମୁଁ ସେହି ପବନ, ଯାହାକୁ ଗରମଦିନେ ତୁମେ ସବୁ ଖୋଜି ବୁଲୁଥାଅ–ସେହି ପୁଣି ମୁଁ ମୋତେ ବର୍ତ୍ତମାନ ଦୁଆର କିଳୁଛ ।’ ଅଳ୍ପ ଦୂରରେ ଶିଆଳ ଡାକୁଛି, ‘ହୁକେ ହୁ’ କରି । ସେମାନେ ସତେ ଯେପରି ମନୁଷ୍ୟପ୍ରତି ମନୁଷ୍ୟର ଅତ୍ୟାଚାରକୁ ପରିହାସ କରୁଛନ୍ତି ।

 

କୁମୁଦିନୀ ଧୀରେ ଧୀରେ ପାଦ ଗଣି ଗଣି ଚାଲୁଛନ୍ତି । ପଛରୁ ଲାଲମୋହନବାବୁ କୁମୁଦିନୀଙ୍କ ପାଖକୁ ଧୀରେ ଧୀରେ ଯାଇ ତାଙ୍କ କାନ୍ଧରେ ହାତ ପକାଇ ଦେଲେ । ଟିକିଏ ଚମକି ପଡ଼ି କୁମୁଦିନୀ ବୁଲି ଚାହିଁଲେ ଓ ସେ ମଧ୍ୟ ତାଙ୍କର ଅଳସ ହାତଟିକୁ ଲାଲମୋହନଙ୍କ କାନ୍ଧରେ ଥୋଇଦେଲେ । ଲାଲମୋହନବାବୁ କୋମଳ ଭାବରେ କହିଲେ, ‘‘ତୁମ୍ଭଙ୍କୁ ମୁଁ ଏଠି ଦେଖି ବିସ୍ମିତ ହୋଇଗଲି ।’’

 

କୁମୁଦିନୀ–‘‘କାହିଁକି ? ତୁମେ କ’ଣ ମନେ କର ମୁଁ ହୃଦୟ ଶୂନ୍ୟ ଜୀବ ଓ କେବଳ ପ୍ରେମହିଁ ମୋର ଗଣ୍ଠିଧନ । ଆଉ ଦୁନିଆରେ କିଛି ନାହିଁ ।’’

 

ଲାଲମୋହନବାବୁ–‘‘ନା, ତା’ ମୁଁ ମନେ କରେ ନାହିଁ । ମାତ୍ର ତୁମେ ଏସବୁ ବିଷୟରେ କେବେ ଶ୍ରଦ୍ଧା ପ୍ରକାଶ କରନାହିଁ, ସେଥିପାଇଁ ବିସ୍ମିତ ହେଲି ।’’

 

କୁମୁଦିନୀ ହସିଉଠି କହିଲେ, ‘‘ତାହାହେଲେ ତ ତୁମେ ମୋତେ ଖୁବ୍ ଚିହ୍ନିଛ ? ବରଂ ମୁଁ ଯେତେବେଳେ ସ୍ପୃହା ଦେଖାଇଛି, ସେତେବେଳେ ତୁମେ ମୋତେ ସେ କଥାରୁ ନେଇ ଅନ୍ୟ କଥାରେ ପହଞ୍ଚାଇ ଦେଉଛ । ତା’ର କାରଣ ମୁଁ କହିବି ?’’

 

ଲାଲମୋହନବାବୁ–‘‘ମୁଁ ତ ସେପରି କେବେ କରିନାହିଁ । ତେବେ କ’ଣ ତୁମେ କହ ।’’

 

କୁମୁଦିନୀ–‘‘ତା’ର କାରଣ ତୁମେ ଏସବୁ କାମରେ ଏକୁଟିଆ ଯିବାକୁ ଚାହଁ । କାଳେ ଆଉ କେହି ସାଥିରେ ରହିଲେ, ତୁମକୁ ଅସୁବିଧା ହେବ ?’’

 

ଲାଲମୋହନବାବୁ କୁମୁଦିନୀଙ୍କୁ ପାଖକୁ ଟାଣି ନେଇ ହସି ହସି କହିଲେ, ‘‘ସେ କଥା ସତ, ମୋର କର୍ମମୟ ଜୀବନରେ ମୁଁ କାହାରିକୁ ସାଥିରେ ରଖିଲେ ମୋତେ ବଡ଼ ଅଡ଼ୁଆ ଲାଗେ । ଯେପରି ଗୋଡ଼ ହାତ କିଏ ବାନ୍ଧି ପକାଏ !’’

 

କୁମୁଦିନୀ–‘‘ତା’ର ପ୍ରତିକ୍ରିୟାସ୍ୱରୂପ, ତୁମେ କାହାରି ହୃଦୟକୁ ଦଖଲ କରିପାରୁନାହଁ । ତମେ ମନେ କରୁଛ ଯେ, ଆଉ ଜଣେ ତୁମ ମନ ଅନୁଯାୟୀ ନିଜକୁ ତିଆରି ରଖିଥିବ ଓ ବଡ଼ଲୋକଙ୍କ ଝାଳ ବୋହିଲେ ଯେପରି ଚାକର ପଙ୍ଖା କରନ୍ତି, ସେହିପରି ତୁମେ ଯେତେବେଳେ କର୍ମକ୍ଳାନ୍ତ, ସେତେବେଳେ ତୁମକୁ ଜଣେ ପ୍ରେମର ପଙ୍ଖାରେ ସେବା କରିବ ।’’

 

‘‘ସେପରି କାହାକୁ ତୁମେ ଏ ଦୁନିଆରେ ପାଇବ ନାହିଁ । ଯେ ଧର୍ମର ସାଥୀ, ସେ ମଧ୍ୟ କର୍ମର ସାଥୀ ହେବାକୁ ଚାହିଁବ ।’’

 

ଲାଲମୋହନବାବୁ କହିଲେ, ‘‘ଛାଡ଼ ସେ ସବୁ ସିଦ୍ଧାନ୍ତର କଥା–ମୁଁ ଯାହା ତୁମେ ଭଲ କରି ଜାଣିଛ, ଆଉ ଏ ବୟସରେ ମୋର ପରିବର୍ତ୍ତନ ଘଟିବାର ସମ୍ଭାବନା ନାହିଁ । ହଁ ତୁମେ କେବେ ଯିବ ?’’

 

କୁମୁଦିନୀ–‘‘ମୁଁ ତ ଏଠି ରହିବି ।’’

 

ଲାଲମୋହନବାବୁ–‘‘ମୋର ଅନୁରୋଧ ତୁମେ ଏଠୁଁ ଚାଲିଯାଅ ।’’

 

କୁମୁଦିନୀ–‘‘ତା’ର କାରଣ ?’’

 

ଲାଲମୋହନବାବୁ–‘‘ସଂକ୍ଷେପରେ କହିବାକୁ ଗଲେ ତା’ର କାରଣ ମୁଁ । ତୁମେ ଏଠି ରହିଲେ ମୋ ମନ ବରାବର ଏଇଠି ରହିବ । ମୁଁ ପୂରା ମନ ଦେଇ ଯେ କାମ କରୁଛି, ତା’ ଆଉ କରି ପାରିବି ନାହିଁ । ତୁମେ ଜାଣ ମୋ ମନ ବଡ଼ ଅଶୃଙ୍ଖଳିତ । ଯେତେବେଳେ କାମରେ ମାତିଥାଏ, ସେତେବେଳେ ସବୁ ମୁଁ ଭୁଲିଯାଏ । ପୁଣି ଯେତେବେଳେ କାମ ନଥାଏ, ସେତେବେଳେ ମୋ ପ୍ରାଣ ଅସ୍ଥିର ହୋଇପଡ଼େ, ଯାଇ ତୁମରି ଆଶ୍ରା ନିଏ । ଯେତେବେଳେ ତୁମରି ଆଶ୍ରାରେ ଥାଏ, ସେତେବେଳେ ହଜାର କାମଥିଲେ ମଧ୍ୟ ତାକୁ ଭୁଲିଯାଏ ।’’

 

କୁମୁଦିନୀ–‘‘ମୁଁ ଯଦି ଏଇଠି ରହେ, ତୁମେ କ’ଣ ଆଉ କୁଆଡ଼େ ନ ଯାଇ ଏଇଠି ଆସି ରହିବ !’’

 

ଲାଲମୋହନବାବୁ–‘‘ଆଉ ଯୁଆଡ଼କୁ ଗଲେ ମଧ୍ୟ ମନ ସବୁବେଳେ ଏଇଠି ରହିବ । ମୁଁ ଯେଉଁ କାମରେ ମାତିଛି, ମୋର ସ୍ନେହୀ ଯଦି ସେ କାମ ଭିତରକୁ ଆସେ, ତେବେ ମୋର ଗତିରୁଦ୍ଧ ହୋଇଯିବ ।’’

 

କୁମୁଦିନୀ–‘‘ତେବେ ତୁମେ ସ୍ତ୍ରୀଙ୍କୁ ସହଧର୍ମିଣୀ ବୋଲି ମନେକର ନାହିଁ ।’’

 

ଲାଲମୋହନବାବୁ–‘‘ବୋଧହୁଏ ନୁହେଁ, କର୍ମକ୍ଳାନ୍ତ ଜୀବନ ଅସ୍ଥିରବୋଧ ଯଦି କରୁଥାନ୍ତା, ତେବେ ତ ପ୍ରେମର କୌଣସି ଆବଶ୍ୟକତା ଦେଖନ୍ତି ନାହିଁ ।’’

 

କୁମୁଦିନୀ–‘‘ବୁଝିଲି ତୁମ କଥା । ଆଚ୍ଛା, ତୁମକୁ ସାହାଯ୍ୟ କରିବାପାଇଁ ମୁଁ ଏଠୁ ଯିବି । ବାସ୍ତବିକ ଏ ମୋର କ୍ଷେତ୍ର ନୁହେଁ । ନିର୍ଯାତିତ ନାରୀକୁ ସେବା କରିବା ମୋର କର୍ତ୍ତବ୍ୟ । ଅଳ୍ପଦିନ ହେଲା ଜଣେ ଅତି ନିର୍ଯାତିତା ନାରୀର ସେବାର ଭାର ମୁଁ ହାତକୁ ନେଇଛି ।’’

 

ଲାଲମୋହନବାବୁ–‘‘କିଏ ସେ ?’’

 

କୁମୁଦିନୀ–‘‘ସେ ଜଣେ ପ୍ରସିଦ୍ଧ ବ୍ୟକ୍ତିଙ୍କଦ୍ୱାରା ଅତ୍ୟାଚାରିତ । ତା’ର ସେବାରେ ମୁଁ ଗୌରବ ଅନୁଭବ କରୁଛି । ସେ କଥା ତୁମେ ପରେ ଜାଣିବ ।’’

 

ଲାଲମୋହନବାବୁ–‘‘ତେବେ ତୁମେ ଏଠୁ କାଲି ଯିବ ? ମୁଁ ବର୍ତ୍ତମାନ ଏଠୁ ବାହାରି ଯିବି, ମୋ ମନରେ ଏକ କାର୍ଯ୍ୟକ୍ରମ ଖେଳୁଛି । ତାକୁ ସାରିଲେ ହେବ ଯଦି ଦେଖା ହେବ ।’’

 

କୁମୁଦିନୀ–‘‘ସବୁ କଥାରେ ତୁମେ ଏତେ ଚଞ୍ଚଳ କାହିଁକି ? କାଲି ସକାଳେ ଗଲେ କ’ଣ ହେବ ନାହିଁ ?’’

 

ଲାଲମୋହନବାବୁ–‘‘ମୋତେ ବର୍ତ୍ତମାନ ଯିବାକୁ ହେବ । ସେ ଗାଁ ଏଠିକି ସାତ କୋଶ-। ସକାଳୁ ସେ ଗାଁକୁ ସୈନ୍ୟ ଘେରିବେ । ରାତିରେ ଯାଇ ସେଠାରେ ପହଞ୍ଚିବାକୁ ହେବ-। ମୁଁ ବାହାରୁଛି । ତୁମେ କାଲି ଏଠୁଁ ଯିବ ?’’

 

କୁମୁଦିନୀ–‘‘ହଁ ମୁଁ କାଲି ସକାଳେ ଚାଲିଯିବି ।’’

 

ଦୁହେଁଯାକ ପରସ୍ପରକୁ ଟିକିଏ ଚାହାଁଚାହିଁ ହେଲେ । ତା’ପରେ ଲାଲମୋହନବାବୁ ବିଦାୟ ନେଲେ ।

 

ଲାଲମୋହନବାବୁ ଗଲା ପରେ କୁମୁଦିନୀ ବିଛଣାରେ ପଡ଼ି ଅନେକ ସମୟ ଚିନ୍ତା କରିବାରେ ଲାଗିଲେ । ବାସ୍ତବିକ ଲାଲମୋହନବାବୁ କୌଣସି ପ୍ରକାରେ ନିଜକୁ ସଂଯତ କରି ଆଜୀବନ ଅବିବାହିତ ରହିପାରିଥିଲେ ଭଲ ହୋଇଥାନ୍ତା । କାମରେ ତାଙ୍କର ଏତେ ଉନ୍ମାଦନା, ସେଇଥିରେ ସେ ଆତ୍ମହରା । ମାତ୍ର ମନୁଷ୍ୟ ପ୍ରବୃତ୍ତି କାମର ଚାପରେ ଦବିଯାଇ ପୁଣି ଯେତେବେଳେ ମୁଣ୍ଡ ଟେକେ, ସେତେବେଳେ ସେ ଜଣେ ସାଥୀ ଖୋଜେ । ଯେ ସାଥୀ ହେବ ତାକୁ ଏକ କଳ, ନା କ’ଣ ମନେ କରନ୍ତି ସେ । ସେପରି ମନେ କରୁଥିଲେ ବା ତାଙ୍କର ଦୋଷ ହେବ କାହିଁକି ? ମୁଁ ତ ସ୍ୱାମୀପାଇଁ ବିବାହର କଳ୍ପନା କରୁନାହିଁ । ମୁଁ ଏକ ଶିଶୁପାଇଁ ସ୍ୱାମୀ ବରଣ କରିବାକୁ ଯାଉଛି । ସନ୍ତାନ–ବାତ୍ସଲ୍ୟ ମୋର ଯେପରି ସ୍ୱାର୍ଥ, ସେହିପରି ଚିତ୍ତବିନୋଦନ ମଧ୍ୟ ତାଙ୍କର ସ୍ୱାର୍ଥ । ଏହି ଦୁଇ ସ୍ୱାର୍ଥକୁ ବଜାୟ ରଖି ସମତା ସ୍ଥାପନ କରିବା ତ ବିବାହିତ ଜୀବନର ଅର୍ଥ-। ଯେଉଁମାନେ କେବଳ ପ୍ରେମର ସ୍ୱାର୍ଥରେ ବିବାହ କରନ୍ତି, ସେମାନଙ୍କ କଥା ସ୍ୱତନ୍ତ୍ର । କିଏ ଜାଣେ ସେହି ପ୍ରେମହିଁ ସାଧାରଣ ସ୍ୱାର୍ଥ ହୋଇ ବହୁଦିନ ଯାବତ୍ ରହେ କି ନା ? ହୁଏତ ପ୍ରଥମେ ପ୍ରେମର ପୂଜାରୀ ଉଭୟ ହେଉଥିବେ । ପୁଣି ଜୀବନର ଗତି ସଙ୍ଗେ ସଙ୍ଗେ ଉଭୟଙ୍କ ସ୍ୱାର୍ଥ ଭିନ୍ନ ଭିନ୍ନ ପଥ ଧରୁଥିବ । ଯଦି ସମତା ନ ରହିଲା, ତେବେ ସେ ବିବାହିତ ଜୀବନ ବିରକ୍ତିଜନକ ହୋଇ ଯାଉଥିବ-। ସେଇଥିପାଇଁ ତ ସ୍ତ୍ରୀ ସ୍ୱାମୀର ପରସ୍ପର ସଂସର୍ଗ–ତ୍ୟାଗ ବହୁକ୍ଷେତ୍ରରେ ଘଟୁଚି । ଏପରି ଚିନ୍ତା କରୁ କରୁ ସେ ଶୋଇ ପଡ଼ିଲେ ।

 

ଲାଲମୋହନବାବୁ ଯେତେଶୀଘ୍ର ପାରନ୍ତି ଆଉ ଜଣଙ୍କୁ ସାଙ୍ଗରେ ନେଇ ସେ ଗାଁକୁ ଚାଲିଛନ୍ତି । ତାଙ୍କର ପାଦ ଯେତେଶୀଘ୍ର ଗତି କରୁଥାଏ, ତେତେ ତାଙ୍କର ଚିନ୍ତା ମଧ୍ୟ ପ୍ରଖର ହେଉଥାଏ । କର୍ମମୟ ଜୀବନରେ ବାସ୍ତବିକ ପ୍ରେମର ସ୍ଥାନ ନାହିଁ । ଏକ ଭୁଲ ମୁଁ କରିଥିଲି ପ୍ରଥମ ବିବାହ କରି । ପୁଣି ବୋଧହୁଏ ଆଉ ଏକ ଭୁଲ କରିବାକୁ ଯାଉଛି । କୁମୁଦିନୀ କି ମୁହୂର୍ତ୍ତରେ ମୋ ସହିତ କଲିକତାରେ ଦେଖାହେଲା, ମନ୍ଦ ଗ୍ରହପରି, ମୋତେ ଭୁଲାଇ ଭୁଲାଇ କେତେଦୂର ନେଲାଣି-। ଶେଷରେ ମୁଁ ଯାଇ ଅତଳ ଗଭୀରରେ ସିନା ପଡ଼ିବି ! ତା’ ସହିତ ମୋର ଯଦି ସାଧାରଣ ସମ୍ପର୍କ ଥାଆନ୍ତା, ତେବେ ସେ ଆସିଥିଲା କାମ କରିବାପାଇଁ, ମୁଁ ତ ତାକୁ ଆଦର ଅଭ୍ୟର୍ଥନା କରିଥାଆନ୍ତି-। କିନ୍ତୁ ତାକୁ ଦେଖିଲେ ମୋର ସେହି ପ୍ରେମର ଉଚ୍ଛ୍ୱାସ କେଉଁଠି ଥାଏ ଉଛୁଳି ଉଠେ । ମୁଁ ଆତ୍ମହରା ହୋଇଯାଏ । କାହିଁକି ଏ ପ୍ରୀତି ମୁଁ ସୃଷ୍ଟି କଲି ? କାହିଁ ସେ ନିଶାମଣି, କାହିଁ ବା କୁମୁଦିନୀ-? କର୍ମମୟ ଜୀବନରେ ଏମାନଙ୍କର ସ୍ଥାନ କାହିଁ ? ହୁଏତ ମୁଁ ମରି ଯାଇପାରେ-। ଜୀବନ ମୁରୁଛି ଯେ କାମକୁ ବାହାରିଛି, ସେ ପ୍ରେମକୁ ତ ପ୍ରଥମେ ପଦାଘାତ କରି ବିଦାୟ ଦେବାର କଥା । ନିଶାମଣି ବିଚାରୀ କେତେ ଦୁଃଖରେ ଦିନ କାଟୁଥିବ । ମୋ ହାତ ଧରିଥିଲା, ଜୀବନର ସୁଖ ଭୋଗପାଇଁ । ତାକୁ ତ ସୁଖ ଦେଇ ପାରିଲି ନାହିଁ । ପୁଣି କୁମୁଦିନୀ ! ତାକୁ ବା ମୁଁ କି ସୁଖ ଦେବି ! ଦୁହିଁଙ୍କୁ ଏକସଙ୍ଗରେ ବା କେଉଁ ମୁହଁରେ ଦେଖିବି ? ଏ ବ୍ୟାପାର କୁଆଡ଼କୁ ଗତି କରୁଛି । ଭାଗ୍ୟେ କୁମୁଦିନୀ ସହିତ ବିବାହ ହୋଇନାହିଁ । ଅନ୍ୟଥା ମୁଁ ତ ଏକ ମହାଜଞ୍ଜାଳରେ ପଡ଼ିଥାଆନ୍ତି । ହୁଏତ ମୁଁ ଏତେ କାମ କରି ପାରୁ ନଥାନ୍ତି । ଭଲ ହୋଇଛି, ବିବାହ ହୋଇନାହିଁ-। କର୍ମର ପ୍ରବାହରେ ପ୍ରେମର ସ୍ଥାନ ନାହିଁ । ଯାଆନ୍ତୁ ଯେ ଯାହା ଭାଗ୍ୟ ଘେନି । କାମରୁ ମୁଁ ଟିକିଏ ହେଲେ ବିଚଳିତ ହେବିନାହିଁ ।’’

 

ଏ ଚିନ୍ତା ମଝିରେ ବାଦଲ ଭିତରୁ ଚନ୍ଦ୍ର ଧୀରେ ଧୀରେ ମୁହଁ କାଢ଼ିଲା ପରି ନିଶାମଣି ମଧ୍ୟ ଶୁଖିଲା ମୁହଁରେ ତାଙ୍କ କଳ୍ପନାର ଆଖିରେ ଆସି ପଡ଼ିଲା । ସେ ଜାଣନ୍ତି, ଭାଇ–ଭାଗ ଘରେ ଉପାର୍ଜନହୀନ, ଭାଇର ସ୍ତ୍ରୀ କି ଅପମାନ ସହେ । ତାଙ୍କ ବଡ଼ଭାଇ ହରମୋହନ ଜଣେ କୁଟିଳପ୍ରକୃତିର ଲୋକ ଓ ତାଙ୍କର ସାନଭାଇ ପ୍ରତି ମୋଟେ ସହାନୁଭୂତି ନାହିଁ–ରହିବ ବା କେଉଁଠି-? ଯେଉଁଠି ଭାଇପଣିଆ ସୁନା ରୁପାରେ ଓଜନ ହେଉଛି, ସେଠି ଯେ ଭାଇ ଆଦୌ କିଛି ଉପାର୍ଜନ କରୁନାହିଁ, ସେ ଭାଇ ତଳେ ରହିବ ବା କାହିଁକି ? ନିଶାମଣି ଯଦି ଶିକ୍ଷିତା ହୋଇଥାଆନ୍ତା, ତା’ର ଯଦି ମନ ଘରକରଣା ଆଡ଼କୁ ଦୌଡ଼ୁ ନଥାନ୍ତା, ତେବେ ତ ସେ ଘରୁ କେଉଁ ଦିନୁ ଚାଲି ଆସିଥାଆନ୍ତା । ତାକୁ ସେ ନିଜେ ନେଇ ଆସିଥାଆନ୍ତେ । ମାତ୍ର ସେ ଯେ ଅବସ୍ଥାରେ ଅଛି, ସେ ତ କର୍ମରେ ବନ୍ଧନ ହେବ । ତେଣୁ ତା’ ଭାଗ୍ୟକୁ ତାକୁ ଛାଡ଼ିଦେବା ଛଡ଼ା ଉପାୟ କ’ଣ ଅଛି ? କୁମୁଦିନୀଙ୍କ ସହିତ ବିବାହ ପରେ ତା’ କଥା କ’ଣ ହେବ ? ନିଶାମଣି ବଦଳିବାର ନୁହେଁ । ତେଣୁ କୁମୁଦିନୀ ଲୋଡ଼ା । କିନ୍ତୁ କର୍ମମୟ ଜୀବନରେ କୁମୁଦିନୀର ବା କି ଲୋଡ଼ା ? ବାସ୍ତବିକ ଏସବୁ ଚିନ୍ତାର କର୍ମମୟ ଜୀବନରେ ସ୍ଥାନ କାହିଁ ? କାହିଁକି ବା ଏସବୁ ଅବାନ୍ତର ଚିନ୍ତା ତାଙ୍କ ମନକୁ ଆସୁଛି-। ତା’ପରେ ଆସନ୍ତାକାଲିର ସମସ୍ୟା ଜୁଆର ଆସି ଧକ୍କା ମାରିଲାରୁ କୁମୁଦିନୀ ନିଶାମଣି ଏସବୁ କୁଆଡ଼େ ମନରୁ ପଳାଇଲେ ।

 

–୨୫–

 

କୁମୁଦିନୀ ପରଦିନ ସେ ପଳାତକମାନଙ୍କଠୁ ବିଦାୟ ନେଇ ପୁଣି କେନ୍ଦ୍ରାପଡ଼ା ଗଲେ । ଗତଥର ଗଲାବେଳେ ଡାକବଙ୍ଗଳା ଚୌକିଦାରକୁ ଦୁଇଟଙ୍କା ବକ୍ସିସ୍ ଦେଇଥିବାରୁ, ଏଥର ସେ କୁମୁଦିନୀଙ୍କ ସମସ୍ତ ସୁବିଧା ସକାଶେ ବେଶି ତତ୍ପର ହୋଇ ଲାଗିପଡ଼ିଲା । ଚୌକିଦାରର ଧାରଣା ହୋଇଯାଇଛି ଯେ, କୁମୁଦିନୀ ଜଣେ ଅତି ଧନୀ ପଶ୍ଚିମା ସ୍ତ୍ରୀଲୋକ । ତାକୁ ସଙ୍ଗରେ ନେଇ କୁମୁଦିନୀ ଲାଲମୋହନବାବୁଙ୍କ ଗାଁକୁ ଗଲେ ।

 

କୁମୁଦିନୀ ହରମୋହନବାବୁଙ୍କୁ ଦେଖି ନିଶାମଣିକୁ ବିଦାୟ ଦେବାପାଇଁ ଅନୁରୋଧ କଲେ । ହରମୋହନଙ୍କ ମନ ଭିତରେ ପଶି ଯଦି ଜଣେ ଦେଖନ୍ତା, ତେବେ ସେ ଦେଖିବାକୁ ପାଆନ୍ତା, ଦୁଇଟି ପ୍ରକାର ଚିନ୍ତା ସେଠି ଚାଲିଛି । ଗୋଟିଏ ହେଉଛି ‘ଯାଉ, ତା’ ଭାରିଯା ତା’ ପାଖରେ ରହିବ । ତା’ ବୋଝଟି କାହିଁକି ମୁଁ ମୁଣ୍ଡାଇ ବୁଲୁଥିବି । ସେ ଗଲେ ତା’ର ଖର୍ଚ୍ଚତକ ବଞ୍ଚିବ । ଯେତିକି ଲାଭ ହେଲା ସେତିକି ।’ ଆଉ ଗୋଟିଏ ଚିନ୍ତା ହେଉଛି, ‘ଭାଇ ତ ପାଠ ପଢ଼ିଛି, ରୋଜଗାର ସିନା କରୁ ନାହିଁ, ମାତ୍ର ରୋଜଗାର କରିବାର ଶକ୍ତି ଅଛି ।’

 

‘ଭାରିଯାକୁ ସାଙ୍ଗରେ ରଖି ଯଦି ରୋଜଗାର କରେ ତେବେ ତ ସେଥିରୁ କିଛି ମୋତେ ମିଳିବ ନାହିଁ । ଭାରିଯା ଘରେ ଥିଲେ, ଯେତେବେଳେ ସେ ରୋଜଗାର କରିବ ତା’ ଘରକୁ ଆସିବ ତ । ସେଥିରେ ମୋର ହାତ ମଧ୍ୟ ପଡ଼ିବ ?’ ଏ ଦୁଇପ୍ରକାର ଚିନ୍ତାର ଟଣାଟଣିରେ ସେ ହଠାତ୍ କିଛି ମତ ଦେଇ ପାରିଲେ ନାହିଁ । ମାତ୍ର ପ୍ରଥମେ ଯେଉଁ ଭଦ୍ରତା ଦେଖାଇବାର କଥା, ସେହି ଅନୁସାରେ କହିଲେ, ‘‘ଘର ବୋହୂକୁ ଏତେ ଜଲଦି କିପରି ପଠାଇ ଦେବି । କୁଆଡ଼ୁ କିଛି ନାହିଁ । ଘରେ ତ ଫେର୍ ସୁବିଧା ଅସୁବିଧା ଅଛି ।’’

 

କୁମୁଦିନୀ–‘‘କୌଣସି ସୁବିଧା ଆପଣଙ୍କୁ କରିବାକୁ ପଡ଼ିବ ନାହିଁ । ମୁଁ ସବୁ ସୁବିଧା କରି ଦେଇଯିବି ।’’ ଇତିମଧ୍ୟରେ ଡାକବଙ୍ଗଳା ଚୌକିଦାର ହରମୋହନବାବୁଙ୍କଠାକୁ ଯାଇ ଚୁପ୍ ଚୁପ୍ କହିଲା, ‘‘ଏ ଜଣେ ଶେଠାଣୀ, କୁଆଡ଼ୁ ପଶ୍ଚିମରୁ ଆସିଛନ୍ତି । ସବୁ ସେ ଖର୍ଚ୍ଚ କରିବେ । ତୁମକୁ କିଛି କରିବାକୁ ପଡ଼ିବ ନାହିଁ ।’’ ହରମୋହନବାବୁ କିଛି ନ କହି ଘର ଭିତରକୁ ଉଠିଗଲେ । ଘରେ ନିଜ ସ୍ତ୍ରୀ ସହିତ ପରାମର୍ଶ କଲେ । ହରମୋହନବାବୁଙ୍କ ସ୍ତ୍ରୀ ନାକ ନଥ ହଲାଇ ଦେଇ କହିଲେ, ‘‘ତୁମଙ୍କୁ ପରା କହୁଥିଲି, ଘରେ ତ ନିଜେ ଯିବାପାଇଁ ଗୋଡ଼ ଟେକି ବସିଛି । ସେଦିନ କି ମନ୍ତ୍ର ସେ ଶିଖିଲା କେଜାଣି, ସେ ତ ଯିବାକୁ ଦିନ ଗଣୁଛି । ଆମର ଅଟକାଇ ଲାଭ କ’ଣ ? ଯାଉ ସେ ତା’ର ଘରକରଣା କରୁ ।’’ ବହୁ ଆଲୋଚନା ପରେ ସ୍ଥିର ହେଲା ଯେ, ନିଶାମଣିକୁ ପଠାଇ ଦେବାକୁ ହେବ ।

 

ଇତିମଧ୍ୟରେ ନିଶାମଣିର ଯିବାର ବନ୍ଦୋବସ୍ତ ହେଲା । ଖଣ୍ଡେ ସଫା ଶାଢ଼ି ପିନ୍ଧିବାକୁ ଦେଇ ହରମୋହନବାବୁଙ୍କ ସ୍ତ୍ରୀ କହିଲେ, ‘‘ତୁ ତ ବୋହୂ ଯାଉଛୁ ସହର ବଜାର ଜାଗାକୁ । କେତେ ରଙ୍ଗର ଜିନିଷ ତୋତେ ମିଳିବ । ଆମେ ସିନା ଗରିବ ହୋଇ ପଡ଼ିଥିବୁଁ । ତୋତେ କ’ଣ କିଛି ଅପ୍ରାପତ ହେବ ନା ?’’ ଏହାର ଅର୍ଥ ନିଶାମଣି ଏହାହିଁ ବୁଝିଲା ଯେ, ଆଉ ଲୁଗାପଟା ତା’ର ଯାହା ଅଛି ତାକୁ ଦେବାକୁ ରାଜି ନୁହନ୍ତି । ବାହାଘରବେଳେ ଯେଉଁ ଶାଢ଼ି ଖଣ୍ଡକ ବାପଘରୁ ଆଣିଥିଲା, ତାହା ପ୍ରତି ନିଶାମଣିର ଭାରି ମମତା । ସେ ଖଣ୍ଡକ ମାଗିବାବେଳକୁ ହରମୋହନବାବୁଙ୍କ ସ୍ତ୍ରୀ କହିଲେ, ‘‘ସେ ଥାଉ ଘରେ, ତୁ ତ ନୂଆ ନୂଆ କେତେ ଶାଢ଼ି କିଣିବୁ, ଘରେ ଯା ଅଛି ସେ ଥାଉ ।’’ ଗହଣା ଯା କିଛି ଥିଲା ପ୍ରାୟ ଟ ୧୫୦ର ହେବ, ତାକୁ ମାଗିବାବେଳକୁ ମଧ୍ୟ ସେହି ଉତ୍ତର ମିଳିଲା-। ନିଶାମଣି ଟିକିଏ ବିରକ୍ତ ହୋଇ କହିଲେ, ‘‘ମୋତେ କ’ଣ ଏହିପରି ଲଙ୍ଗଳା କରି ପଠାଇ ଦେବ ନା ?’’ ହରମୋହନବାବୁ ବାହାରୁ ଥାଇ ଗଳାଖଙ୍କାର ମାରି କହିଲେ, ‘‘ଘର ଜିନିଷ ଘରେ ଅଛି-। ଆଗେ ଯାଅ, ସେଠିକା ହାଲହଇକତ ବୁଝି ପୁଣି ଖବର ଦେଲେ ପରେ ପଠାଇ ଦିଆଯିବ-।’’ ନିଶାମଣି ଆଉ କିଛି ନ କହି ଚୁପ୍ ହୋଇଗଲା । ଦେଢ଼ଶୁର ଉପରକୁ ରାଗୁଥାଏ; ମାତ୍ର ମନରେ ସୁଖର ଆଶା ଜାଗୁଥାଏ ଯେ, ବାସ୍ତବିକ ଏଣିକି ସେ ମନ ଅନୁସାରେ କେତେ ଗହଣା, କେତେ ଲୁଗାପଟା କରିବ । ଏଣୁ କଳିକଜିଆ କରିବାପାଇଁ ତା’ ମନ ହେଉଥିଲେ ମଧ୍ୟ, ତାକୁ ବନ୍ଦ କରୁଥାଏ-

 

ଖୁଆଇ ପିଆଇ ନିଶାମଣିକୁ ବିଦାୟ କଲାବେଳେ ଘରେ ଅନ୍ୟ ସ୍ତ୍ରୀଲୋକ ଏପରି କି ହରମୋହନବାବୁ ନିଜେ ମଧ୍ୟ ବିକଳ ହୋଇ କାନ୍ଦିଲେ । ଏମାନଙ୍କ କାନ୍ଦଣା ଦେଖି ନିଶାମଣି ମଧ୍ୟ କାନ୍ଦିଲା । ସମସ୍ତଙ୍କୁ ଶାନ୍ତ କରାଇ କୁମୁଦିନୀ ନିଶାମଣିକୁ ନେଇ କେନ୍ଦ୍ରାପଡ଼ା ଆସିଲେ । ତା’ପରେ ପୁରୀ ଗଲେ ।

 

ନିଶାମଣି ଏହି ପ୍ରଥମ ଥର ଘର ଛାଡ଼ି ପଦାକୁ ଆସିଛି । ତାକୁ ସବୁ କିମ୍ଭୂତକିମାକାର ଜଣାଯାଉଥାଏ । ପ୍ରଥମେ ମଟରରେ ଗଲାବେଳେ ସେ ତ ନ ଢୁଳେଇ ବସି ପାରିଲା ନାହିଁ । ତା’ପରେ ରେଳରେ ଚଢ଼ି ଥରେ ଦୁଇଥର ବାନ୍ତି ମଧ୍ୟ କଲା । ମାତ୍ର କୁମୁଦିନୀ ଯଥାଶକ୍ତି ତା’ର ସେବା ଶୁଶ୍ରୂଷା କରି ପୁରୀରେ ନିଜ ବସାରେ ନେଇ ପହୁଁଚାଇଲେ । ଅତି ପିଲାଦିନେ ଥରେ ନିଜ ବାପ ମାଆଙ୍କ ସହିତ ନିଶାମଣି ପୁରୀ ଆସିଥିଲା, ରଥଯାତ୍ରାକୁ । ତା’ର ଧାରଣା ପୁରୀରେ ଭାରି ଲୋକ ଭିଡ଼ । ପୁରୀ ଯିବାକୁ ହେଲେ ବହୁତ ପଇସା ଖର୍ଚ୍ଚ ହୁଏ । କାରଣ ଏହି ପୁରୀ ଆସିବାପାଇଁ ତା’ ବାପା ସେ ସମୟରେ ମାଣେ ଜମି ବିକ୍ରି କରିଥିଲେ । ବର୍ତ୍ତମାନ ସେ ଯେତେବେଳେ ଏତେ ସହଜରେ ପୁରୀ ଆସିଲା, ସେତେବେଳେ ତା’ ମନ ଭାରି ଖୁସି ହେଲା । ସେ ଶୁଣିଛି ଯେ ତା’ ସ୍ୱାମୀ ଯେତେ ପାଠ ପଢ଼ିଛନ୍ତି, ସେଥିରେ କେଜାଣେ କେତେ ଯେ ରୋଜଗାର କରିହେବ, ତା’ର ଠିକଣା ନାହିଁ । ତା’ ମନେମନେ କେତେବେଳେ ଏକଥା ଉଠିଛି ଯେ, ସେ ବହୁତ ବେଶି ରୋଜଗାର କରି ପାରିବା ଲୋକ । ସେ କିଛି ନା କିଛି, ଅବଶ୍ୟ କମ୍ ସମୟରେ ରୋଜଗାର କରୁଥିବେ । ପୁରୀରେ ଯେଉଁ ବସାରେ ସେ ଯାଇଁ ରହିଲେ ସେ ଘର ଖୁବ୍ ଭଲ ଘର, ଆଉ କେହି ନାହାନ୍ତି । ଶୋଇବାପାଇଁ ଖଟ ଉପରେ ଗଦି ଓ ୨।୩ଟା ବଡ଼ବଡ଼ ଲୁଗାରଖା ପେଡ଼ି, ଆଉ ୨।୩ଟା ଛୋଟ ଛୋଟ ବାକ୍‌ସ ଅଛି । ଏସବୁ ଦେଖି ନିଶାମଣି ମନେ ଭାବିଲା, ଏସବୁ ତା’ ସ୍ୱାମୀ କମାଇଛନ୍ତି ଓ ତାକୁ ଆଣିବାପାଇଁ ଉଦ୍ଦେଶ୍ୟ ହେଉଛି ଯେ, ଭାଇମାନଙ୍କଠୁଁ ସେ ଅଲଗା ହୋଇ ନିଜ କଥା ନିଜେ ବୁଝିବେ ବୋଲି ସେ ବାହାରିଛନ୍ତି । ଏ ଚିନ୍ତା ତା’ ମନକୁ ଏତେ ଆନନ୍ଦ ଦେଲା ଯେ, ସେ ଅତିଶୀଘ୍ର ଘରକଥା ପୂରାପୂରି ଭୁଲିଗଲା ।

 

କୁମୁଦିନୀ ତାକୁ ବୁଝାଇ କହିଲେ, ‘‘ଏ ତୁମର ଘର, ସବୁ ଜିନିଷ ତୁମର । ମୁଁ ଜାଣେ ତୁମକୁ ଖଣ୍ଡିଏ ଲୁଗା ମାତ୍ର ଦେଇ ଘରୁ ବିଦା କରିଦେଲେ ମାତ୍ର; ଏସବୁ ଜିନିଷପତ୍ର ତୁମର । ତୁମର ସ୍ୱାମୀ ଅଳ୍ପଦିନେ ଆସିବେ । ସେ ଦେଶ କାମରେ ମାତିଛନ୍ତି । ତୁମେ ବ୍ୟସ୍ତ ହେବ ନାହିଁ । ଯାହା ଦରକାର ମୋତେ କହିବ ।’’

 

ନିଶାମଣିର ବାସ୍ତବିକ ବିଶ୍ୱାସ ଜନ୍ମିଲା ଯେ, ସେ ତା’ ନିଜ ଘରେ ଆଜି ପହଞ୍ଚିଛି । ଯେଉଁଠି ଭାଇ–ଭାଗ ନେବାପାଇଁ କେହି ନାହିଁ । ଭଲ ଭଲ ଶାଢ଼ି ଚାରି ଖଣ୍ଡ କାଢ଼ି କୁମୁଦିନୀ ତାକୁ ପିନ୍ଧିବାକୁ ଦେଲେ । ନିଶାମଣି କେବେ କୁରୁତା ପିନ୍ଧେ ନାହିଁ । ତାକୁ କୁରୁତା ପିନ୍ଧିବା ଓ ଆଧୁନିକ ଢଙ୍ଗରେ ଲୁଗାପଟା ପିନ୍ଧିବା କୁମୁଦିନୀ ଶିଖାଇଲେ । ତା’ପାଇଁ ନୂଆ କୁରୁତା ଓ ଅନ୍ୟାନ୍ୟ ଲୁଗାପଟା ଆସିଲା । ହାତରେ ଦୁଇ ଦୁଇ ପଟ ସୁନ୍ଦର ଚୁଡ଼ି ମଧ୍ୟ ତାକୁ ପିନ୍ଧିବାକୁ ଦେଲେ । ମାତ୍ର ତା’ ନାକରୁ ନୋଥକୁ କାଢ଼ି ପକାଇଲେ । ନୋଥ ସହିତ ସଧବାତ୍ୱର ଯେ ସମ୍ପର୍କ ସେଥିରେ ଅତି କଷ୍ଟରେ ନିଶାମଣି ତାକୁ କାଢ଼ିବାକୁ ରାଜି ହେଲା । ମୁଣ୍ଡରେ ଲଗାଇବାପାଇଁ ଭଲ ବାସନା ତେଲ ମଧ୍ୟ ମିଳିଲା । ନିଜକୁ କୌଣସି କାମ କରିବାକୁ ହେଉନାହିଁ । ସବୁ ଚାକର ଜଣେ କରୁଛି ।

 

ନିଶାମଣି ମନେମନେ ଭାବିଲା ଯେ, ସେ ଜଣେ ସାଆନ୍ତାଣୀ । ତା’ର ମନେ ହେଉଥାଏ ଖାଲି ତାଙ୍କ ଯା’ମାନେ ଆସି ତା’ର ଏ ଅବସ୍ଥା ଦେଖି ଯାଆନ୍ତେ କି ? ଅରୋଜଗାରିଆର ସ୍ତ୍ରୀ ବୋଲି କେତେ ଖୁଣ୍ଟା ସେମାନେ ନ ଦେଇଛନ୍ତି । ବର୍ତ୍ତମାନ ଥରେ ସେମାନେ ଆସି ଦେଖିଗଲେ ତା’ ମନବୋଧ ହୋଇଯାନ୍ତା । କେବଳ ତା’ ମନରେ ପ୍ରଥମରୁ ଯେ ପ୍ରଶ୍ନଟିକ ଉଠିଥିଲା ଓ ଯାହା ମନେମନେ ଦବି ରହିଥିଲା ସେ ହେଉଛି ଯେ, ସ୍ତ୍ରୀଲୋକଟି କିଏ ? ମାତ୍ର ସେ କଥା ପଚାରିବାକୁ ତା’ର ବହପ କୁଳାଇଲା ନାହିଁ । ସେ ମନେ କରିଛି ଯେ, ସ୍ୱାମୀ ସହିତ ଦେଖା ହେଲେ ତାଙ୍କୁ ପଚାରି ସେ ବୁଝିନେବ । ବେଳେବେଳେ ତା’ ମନରେ ଏ କଥା ମଧ୍ୟ ଉଠିଛି ଯେ, ଏହା ସହିତ ସ୍ୱାମୀର କିଛି ସମ୍ପର୍କ ଅଛି କି ? ମାତ୍ର ଯେତେବେଳେ ସେ ଭାବିଛି ଯେ, ତା’ ହୋଇଥିଲେ ତାକୁ ବା ଅଣାଇଥାନ୍ତେ କାହିଁକି ? ସେତେବେଳେ ସେ ପ୍ରଶ୍ନ ଆପେଆପେ ମରିଯାଇଛି । ତେଣୁ କୁମୁଦିନୀ ଏକ ପ୍ରହେଳିକା ହୋଇ ତା’ ଆଗରେ ରହିଥାଆନ୍ତି ।

 

ନିଶାମଣି ଗର୍ଭବତୀ ଥିବାରୁ ତା’ର ଖାଇବା ପିଇବା ପ୍ରତି କୁମୁଦିନୀ ଭାରି ନଜର ଦେଇଥାଆନ୍ତି । ଗାଁରେ ପୁନେଇଁ ଓଷାବ୍ରତରେ ଯାହା ଖାଇବାକୁ ମିଳୁ ନଥିଲା, ଏଠି ତା’ ପ୍ରତିଦିନ ତାକୁ ଖାଇବାକୁ ମିଳୁଛି । ଭାତରେ ଘିଅ, ଦୁଧ, ନାନାପ୍ରକାର ଫଳ, ଏସବୁ ଗାଁରେ ଧନୀଲୋକେ ତ ପାଆନ୍ତି ନାହିଁ । ଗରିବ ଘରେ ତା’ର କଳ୍ପନା ବା କୁଆଡ଼ୁ ଆସିବ । କୁମୁଦିନୀ ନିଶାମଣିକୁ ବୁଝାଇ କହନ୍ତି, ‘ତୁମେ ବର୍ତ୍ତମାନ ଜଣକର ମାଆ ହେବାକୁ ଯାଉଛ । ବର୍ତ୍ତମାନ ସେହି ଶିଶୁର କଲ୍ୟାଣ ଦୃଷ୍ଟିରୁ ତୁମକୁ ସବୁ କରିବାକୁ ହେବ । ତୁମେ ଯାହା ଖାଇବ, ତୁମେ ଯେପରି ଚଳିବ, ତୁମେ ଯାହା ମନେମନେ ଭାବିବ, ଏସବୁ ସେହି ଶିଶୁର ଶରୀର ଓ ମନ ଉପରେ କାମ କରିବ । ଏଣୁ ସାବଧାନ ରହିବ । କେବେ କିଛି ଖରାପ ଖାଇବ ନାହିଁ ବା ଖରାପ ଚିନ୍ତା କରିବ ନାହିଁ ।’’ ଏ ସମ୍ପର୍କରେ ତାଙ୍କ ପାଖରେ ଥିବା ଖଣ୍ଡେ ବହି କାଢ଼ି ନିତି କିଛି କିଛି ପଢ଼ି ନିଶାମଣିକୁ ଶୁଣାନ୍ତି ।

 

କିଛିଦିନ ପରେ ନିଶାମଣିର ଜଗନ୍ନାଥ ଦର୍ଶନ କରିବାକୁ ମନ ହେଲା । ପୁରୀ ଆସିବା ଦିନୁ ସେଇ ଇଚ୍ଛା ଜାତ ହୋଇଥିଲା । ହେବା ସ୍ୱାଭାବିକ; ମାତ୍ର ମନଖୋଲି ସେ କଥା କହିବାକୁ କିଛିଦିନ ଲାଗିଲା । କୁମୁଦିନୀ ବୁଝାଇ କହିଲେ, ‘‘କ’ଣ ଦେଖିବ ସେଠି ? ଈଶ୍ୱର ଏକ–କାଠ ପାଷାଣରେ ଈଶ୍ୱର ଅଛନ୍ତି ନା ? ତେବେ ଯଦି ଦେଖିବାକୁ ଚାହୁଁଛ ଦିନେ ଯିବ । ମୁଁ ଯିବି ନାହିଁ ।’’ ଏକଥା ଶୁଣି ନିଶାମଣି ବିସ୍ମିତ ହୋଇଗଲା । ସେ ‘ଆର୍ଯ୍ୟସମାଜ’ ନାଁ ସୁଦ୍ଧା ଶୁଣି ନାହିଁ, ତା’ର ଧର୍ମତତ୍ତ୍ୱ ବା ବୁଝିବ କୁଆଡ଼ୁ । ମାତ୍ର ସେ ଯେତେବେଳେ ଜାଣିପାରିଲା ଯେ, କୁମୁଦିନୀ ସେଥିରେ ସ୍ପୃହୀ ନୁହନ୍ତି, ସେ କଥାକୁ ମନରେ ମାରି ରହିଲା । କେତେ କଥା ଏହିପରି ସେ ମନେମନେ ମାରି ରଖୁଥାଏ । ଅନାଇଥାଏ ସ୍ୱାମୀ କେବେ ଆସିବେ ।

 

Unknown

–୨୬–

 

ଦିନ ପରେ ଦିନ ଚାଲି ଯାଉଥାଏ । ପ୍ରଥମେ ପ୍ରଥମେ ଦିନ ଯେପରି ସୁନ୍ଦର ସଙ୍ଗୀତ ପରି ବହି ଯାଉଥିଲା ପରେ ଆଉ ସେପରି ହେଲା ନାହିଁ । ଲାଲମୋହନବାବୁଙ୍କର କୌଣସି ସମ୍ବାଦ ନାହିଁ । କେବଳ ଖବରକାଗଜରେ ଗଡ଼ଜାତର ଘଟଣା ଯାହା ସବୁ ପ୍ରକାଶ ପାଉଥାଏ; ସେଇଥିରୁ କୁମୁଦିନୀ ଜାଣୁଥାଆନ୍ତି ଯେ, ଲାଲମୋହନବାବୁ ସେହିପରି ଘଟନାସ୍ଥଳରେ ନିଶ୍ଚୟ ଥିବେ । ଖବରକାଗଜ ପ୍ରତିଦିନ କୁମୁଦିନୀ ନିଶାମଣିକୁ ଶୁଣାନ୍ତି ଓ ଲାଲମୋହନବାବୁ କିପରି ଏକ ଅତି ଉତ୍କଟ ସମସ୍ୟା ଭିତରେ ଜୀବନଯାପନ କରୁଛନ୍ତି, ସେ କଥା ମଧ୍ୟ ବୁଝାଇ କହନ୍ତି । ଏସବୁ ନିଶାମଣିକୁ କିଛି ସୁଖ ଲାଗୁ ନଥାଏ । ସେ ଭାବୁଥାଏ, ଏ ସବୁ କାମ ଶହ ଶହ ହଜାର ହଜାର ଲୋକ ଅଛନ୍ତି କାହିଁ କେହି ତ କରୁ ନାହାନ୍ତି । ଏକା ତା’ର ସ୍ୱାମୀ ମୁଣ୍ଡରେ ଶାଢ଼ି ବନ୍ଧା ହୋଇଛି ଯେ ସେହି ସବୁ କରିବେ । ଘରେ ଥିବାବେଳେ ସାମାନ୍ୟ ଲୁଗାପଟା ଖଣ୍ଡେପାଇଁ କିମ୍ବା ରନ୍ଧାବଢ଼ା ସମ୍ପର୍କରେ ଅନ୍ୟ କୌଣସି ଘର କାମରେ, ବା ନିଜ ଯା–ମାନଙ୍କ ସାଙ୍ଗରେ ଯେ ବରାବର କଳିକଜିଆ–ସେ ବରଂ ଭଲ ଥିଲା । ମାତ୍ର ଏଠି ତା’ ମନକୁ ଯାହା ଆସୁଛି, ତାକୁ ଖୋଲି କହିବାପାଇଁ କେହି ଲୋକ ନାହାନ୍ତି ।

 

କୁମୁଦିନୀ ଏକ ଭିନ୍ନ ଶ୍ରେଣୀ ଲୋକ, ଯାହା ସହିତ କୌଣସି ଗୋଟିଏ ବିଷୟରେ ସୁଦ୍ଧା ନିଶାମଣି ନିଜକୁ ସମସ୍କନ୍ଧ ମନେ କରୁନାହିଁ । ଅବଶ୍ୟ କୁମୁଦିନୀ ପ୍ରଥମେ ତାକୁ କିଛି ପାଠ ପଢ଼ାଇବାର ଚେଷ୍ଟା କରିଥିଲେ । ମାତ୍ର ସେଥିରେ ନିଶାମଣି ଆଦୌ ମନ ଲାଗିଲା ନାହିଁ । ତେଣୁ ତା’ ବନ୍ଦ ରହିଲା । ପୁଣି ଗଳ୍ପଛଳରେ ନାନା କଥା କହି ତା’ର ସାଧାରଣ ଜ୍ଞାନ ବଢ଼ାଇବାର ଉଦ୍ୟମ ହେଲା; ଢୁଳାଏ । ତା’ର ସେ ସବୁଥିରେ ମନ ଲାଗେ ନାହିଁ । ଧୀରେ ଧୀରେ ନିଶାମଣିକୁ ଏକଥା ଜାଣିବାପାଇଁ ବାକି ରହିଲା ନାହିଁ ଯେ, ସେ ଘର ଓ ଜିନିଷ ପାତି ସବୁ ଯାହାକୁ ସେ ପ୍ରଥମେ ନିଜ ସ୍ୱାମୀର ଅର୍ଥାତ୍ ନିଜର ବୋଲି ମନେ କରୁଥିଲା, ସେ ସବୁ ବାସ୍ତବିକ କୁମୁଦିନୀଙ୍କର ଓ ତା’ର ସ୍ୱାମୀର ସେଠାରେ କୁଟା କେରେ ସୁଦ୍ଧା ନାହିଁ । ଏକଥା ଜାଣିଲା ଦିନୁ ସେ ମନେ କରୁଛି ଯେପରି ସେ ପରଘରେ ଆସି ଅଛି । ନିଜ ଘରେ, ଯେଉଁଠି କିଛି ହେଲେ ଆଧିପତ୍ୟ ଥିଲା ତାକୁ ଛାଡ଼ି ସେ ପରଘରକୁ ଆସିଲା ବା କାହିଁକି ? ଯାହା ଭାବି ସେ ଆସିଥିଲା ତାହା ତ ସ୍ୱପ୍ନରେ ସୁଦ୍ଧା ଦିଶୁ ନାହିଁ । ବେଳେବେଳେ ନିଜ ମନକଥା ମନ ଭିତରେ ଘୁଙ୍ଘୁଳି ହୋଇ ଆଖିବାଟେ ଲୁହ ହୋଇ ବାହାରେ ।

 

କୁମୁଦିନୀ ଯେତେ ସାକୁଲେଇ ପଚାରିଲେ ସୁଦ୍ଧା କାନ୍ଦିବାର କାରଣ ସେ କିଛି କହେ ନାହିଁ । କୁମୁଦିନୀଙ୍କର ଯେତିକି ଅଭିଜ୍ଞତା ଅଛି, ସବୁ ଖର୍ଚ୍ଚ କରି ସେସବୁ ପ୍ରକାର ଚେଷ୍ଟା କଲେ କିପରି ନିଶାମଣିକୁ ଖୁସି କରି ରଖିବେ । ମାତ୍ର ସେ ଲକ୍ଷ୍ୟ କରୁଥାଆନ୍ତି ଯେ, ତା’ ମନ କେଉଁଥିରେ ଲାଗୁ ନାହିଁ । ସେ ଅଧିକାଂଶ ସମୟରେ ଗୁମ୍‌ମାରି ବସି ରହୁଛି । ଖାଇବା ପିଇବାରେ ମଧ୍ୟ ସେପରି ରୁଚି ଦେଖା ଯାଉନାହିଁ । ପ୍ରଥମେ ପ୍ରଥମେ ତାକୁ ସମୁଦ୍ର କୂଳ ଆଡ଼କୁ ବୁଲାଇ ନେଇଯାଉଥିଲେ; ମାତ୍ର ଏଣେ ଗର୍ଭାବସ୍ଥା ବଢ଼ି ଯାଉଥିବାରୁ ତା’ ମଧ୍ୟ ଆଉ ସମ୍ଭବ ହେଉ ନାହିଁ ।

 

ଦିନେ ସଞ୍ଜବେଳେ ନିଶାମଣି ମନକୁ କ’ଣ ଆସିଲା, ସେ ଏତେ କାନ୍ଦିଲା ଯେ, କୁମୁଦିନୀ ଥୟ ଧରି ରହିପାରିଲେ ନାହିଁ । ଯେତେ ବୁଝାସୁଝା କରାଇଲେ ମଧ୍ୟ କିଛି ଫଳ ହେଲା ନାହିଁ । ଅନେକକ୍ଷଣ କାନ୍ଦି କାନ୍ଦି ଥକି ପଡ଼ି ସେ ନିଦେଇ ଗଲା । ତା’ପରେ ଯେତେବେଳେ ନିଦ ଭାଙ୍ଗେ, ସେତେବେଳେ ଦେଖେ ଯେ, କୁମୁଦିନୀ ବସି ତା’ ଗୋଡ଼ ହାତ ଆଉଁସି ଦେଉଛନ୍ତି । ତା’ ମୁହଁରୁ ଆଗେ ବାହାରିଗଲା, ‘‘କେଉଁ ଜନ୍ମରେ ତୁମେ ମୋର ମାଆ ଥିଲ । ଏତେ ସେବା ମୋର ଆଉ କିଏ କରନ୍ତା ।’’ କୁମୁଦିନୀ ଦେଖିଲେ ଗୁଡ଼ାଏ କାନ୍ଦିବା ଫଳରେ ତା’ର ମନ ହାଲୁକା ହୋଇଯାଇଛି । ସେ ଅତି ସ୍ନେହରେ ତା’ ଦେହରେ ହାତ ବୁଲାଇ ପଚାରିଲେ, ‘‘ତୁମକୁ ତ ମୁଁ ମୋ ନିଜ ଭଉଣୀ ବୋଲି ଜାଣି ସବୁ କରୁଛି । ତୁମେ ତ ମୋତେ ପର ମନେ କରୁଛ, କିଛି ମତେ କହୁନାହଁ । କଥାବାର୍ତ୍ତା କଲେ ସିନା ମନ ଖୁସି ରହନ୍ତା ।’’

 

ନିଶାମଣି ଉଠି ବସି ଧୀରେ ଧୀରେ କହିଲା, ‘‘ମୋ କପାଳ ତ ପୋଡ଼ା–ମୁଁ କ’ଣ କହିବି-?’’

 

କୁମୁଦିନୀ–‘‘ତୁମଠାରୁ ଭାଗ୍ୟବତୀ ଆଉ ଦୁନିଆରେ କିଏ ଅଛି । ଯାହାର ସ୍ୱାମୀ ଆଜି ହଜାର ହଜାର ଦୁଃଖିଙ୍କ ମାଆ ବାପ ପରି ତାଙ୍କରି ସେବାରେ ନିଜର ଜୀବନ ବିତାଉଛନ୍ତି, ସେ ଭାଗ୍ୟବତୀ ନୁହେଁ ତ ଆଉ କିଏ ?’’

 

ନିଶାମଣି ମୁହଁ ତଳକୁ କରିଦେଇ ଦୀର୍ଘଶ୍ୱାସଟିଏ ମାତ୍ର ପକାଇଲା ।

 

କୁମୁଦିନୀ–‘‘କ’ଣ ମନରେ ଭାବୁଛ ?’’

 

ନିଶାମଣି କାନ୍ଦ କାନ୍ଦ ହୋଇ କହିଲା, ‘‘ଯେଉଁଦିନୁ ବାହା ହେଲି, ସେହି ଦିନୁଁ ବାପା ମାଆକୁ ଛାଡ଼ିଲି । ବାପଘରୁ ଝିଅ ଆସି ଶାଶୁଘରେ ଯାହାକୁ ନିଜର ବୋଲି କହନ୍ତା ସେ ତ ପର ହେଲେ, ଆଉ ମୋର ଅଛି କିଏ ? ଦୁନିଆରେ ମୋ ପରି ଚାରିଦଉଡ଼ିକଟାକୁ ତୁମେ କପାଳିଆ ବୋଲି କହୁଛ, ମୁଁ ଆଉ କ’ଣ କହିବି ?’’

 

କୁମୁଦିନୀ–‘‘ତୁମର ସ୍ୱାମୀ ତୁମକୁ ପର କାହିଁକି କରିବେ ? ସେ ତ ତମକୁ ସବୁଠାରୁ ଶ୍ରେଷ୍ଠ ଦାନ କରିଛନ୍ତି; ସେ ହେଉଛି ତୁମଠି ଯେ ଶିଶୁଟି ଅଛି ।’’

 

ନିଶାମଣି–‘‘ଦୁନିଆରେ ମୋର ଅଛି କ’ଣ ? ମୁଁ ଯେପରି ଉପାସେ ଭୋକେ ଦିନ କଟାଉଛି, ପିଲାଟିଏ ଜନ୍ମ ହେଲେ ମଧ୍ୟ ସେହିପରି କୁକୁର ବିରାଡ଼ି ପରି ଦିନ କାଟିବ । ମୋର କ’ଣ ଅଛି ନା ସେ ପିଲାର କ’ଣ ଅଛି ? ଘରେ ଯା ସମ୍ପତ୍ତି ତା’ ତ ଭାଇ ସବୁ ମାରିପିଟି ଖାଇଲେ । ଏଠି ତ ମୁଁ ଆସି ପରଘରେ ପଡ଼ି ଖାଉଛି । ପିଲାଟିଏ ହେଲେ ସେହିପରି ଭିଖମାଗି ଚଳିବ । ଅଭାଗୀନି କପାଳରେ ପିଲା ହେଲେ ଯାହା, ଗରିବ ଜଣକୁ ହାତୀଟାଏ ଦେବା ତାହା ।’’

 

କୁମୁଦିନୀ–‘‘ଛି, ଛି ସେପରି ଭାବ ନାହିଁ । ବହୁ ଭାଗ୍ୟଫଳରେ ମାତା ହେବାର ଅଧିକାର ସ୍ତ୍ରୀଲୋକ ପାଏ ।’’ ‘‘ଶିଶୁ–ଶିଶୁ–ଶିଶୁ–’’ ଏତିକି କହି କୁମୁଦିନୀ ଅନ୍ୟମନସ୍କ ହୋଇ ଉପରକୁ ଚାହିଁଲେ । ତାଙ୍କ ଆଖିରୁ ଲୁହ ବୋହିଗଲା । ମାତ୍ର ଅତିଶୀଘ୍ର ନିଜକୁ ସମ୍ଭାଳି ନେଇ ସେ ପୁଣି ନିଶାମଣିକୁ ସାନ୍ତ୍ୱନା ଦେବାର ଚେଷ୍ଟା କଲେ ।

 

ନିଶାମଣି କୁମୁଦିନୀଙ୍କ ଆଖିରେ ଲୁହ ଦେଖିବାମାତ୍ରକେ, ଭାବିଲା ଯେ, ଦୁଃଖ ଏକାକୀ ତା’ର ନୁହେଁ, ଅନ୍ୟର ମଧ୍ୟ କିଛି ଦୁଃଖ ଅଛି । ଏ ଚିନ୍ତା ତାକୁ କୁମୁଦିନୀଙ୍କ ଆଡ଼କୁ ଆହୁରି ଟାଣିନେଲା । ତେଣୁ ଧୀରେ ଧୀରେ ମନଖୋଲି କହିବାକୁ ଆରମ୍ଭ କଲା, ‘‘ସ୍ୱାମୀ ସିନା ସ୍ତ୍ରୀର ସବୁ, ସ୍ୱାମୀ ବଳରେ ସିନା ସ୍ତ୍ରୀର ବଳ, ନହେଲେ ସ୍ତ୍ରୀର କ’ଣ ଅଛି ଏ ସଂସାରରେ । ସେ ତ ମୋ କଥା କିଛି ବୁଝିଲେ ନାହିଁ । କେତେ ହୀନମାନ ହୋଇ ମୁଁ ଶାଶୁଘରେ ଗଞ୍ଜଣା ସହିଲି । କେତେଥର ମନେ କରିଛି ବିଷ ଖାଇ ଜୀବନ ହରାଇ ଦେବାକୁ । ଏ ପୋଡ଼ାପ୍ରାଣ ସହଜେ ଯାଉଛି କାହିଁ ? ବରାବର ମୋ ପାଖରେ ବିଷ ପୁଟୁଳାଟିଏ ରଖିଥାଏ, ଆତ୍ମାକୁ ଯେତେବେଳେ ବେଶି ବାଧିବ ଖାଇଦେବି ବୋଲି । ଖାଲି ତାଙ୍କରି ଆଶାରେ ମୁଁ ଜୀବନ ଧରି କେତେ ଦୁଃଖ ଅପମାନ ସହି ଆସିଲିଣି । ସେ ପଚାରୁ ନାହାନ୍ତି, ମୁଁ କହିବି କାହାକୁ କ’ଣ ? ଆଜି ଯଦି ସେ ରୋଜଗାର କରୁଥାଆନ୍ତେ, ସବୁ ଭାଇ ତାଙ୍କରି ଆଡ଼କୁ ଚାହିଁ ବସିଥାନ୍ତେ । ଉଁ ବୋଲି ମୋତେ କିଏ ପାଟି ଫିଟାନ୍ତା ନାହିଁ । ସଂସାର ସୁଖ ବୋଲି ମୁଁ ଦିନେ ହେଲେ ଜାଣିଲି ନାହିଁ । ଜୀବନ ଯିବ ଜାଣିବି ନାହିଁ ମଧ୍ୟ । ତୁମେ ସିନା ଦୟା କରି ମୋ କଥା ବୁଝୁଛ । ତାଙ୍କ ସକାଶେ ମୁଁ ଏଠିକି ଆସିଲି । ତୁମେ ମୋତେ ନେଇ ଆସିଲ, କାହିଁ ତାଙ୍କର ତ ଦେଖା ନାହିଁ । ଦେଖାହେଲେ ବା କରନ୍ତେ କ’ଣ ? ତୁମେ ନଥିଲେ ମୁଁ ସିନା ଭିଖାରୁଣୀ ପରି ବୁଲୁଥାନ୍ତି ।’’

 

କୁମୁଦିନୀ ବୁଝିଲେ ଯେ ନିଶାମଣିର ପ୍ରାଣ ଯାହା ଚାହେଁ, ନିଜର ଘର–ନିଜର ଚଳିବା–ନିଜର କର୍ତ୍ତୃତ୍ୱ–ଗୃହିଣୀ ହେବାର ଅଭିଳାଷ, ତାହା ବାସ୍ତବିକ ଲାଲମୋହନବାବୁ ପୂରଣ କରିପାରିନାହାନ୍ତି, ପାରିବେ ବୋଲି ମଧ୍ୟ ବିଶ୍ୱାସ ନାହିଁ । ଦେଶଚିନ୍ତା ଯେପରି ମନକୁ ନିୟୋଜିତ କରି ରଖିବାର ଏକ ବାଟ, ସେହିପରି ବିଷୟ କରିବା, ଘରଦ୍ୱାର ସୁନ୍ଦର କରିବା, ନିଜର ଆୟତନ ଭିତରେ ନାନା ସମସ୍ୟା ଭିତରେ ନିଜର କର୍ତ୍ତୃତ୍ୱ ଜାରି କରି ସେଇଥିରେ ନିମଗ୍ନ ରହିବା ଏହା ମଧ୍ୟ ମନର ଅନ୍ୟପ୍ରକାର ନିୟୋଗ । ଲାଲମୋହନବାବୁଙ୍କୁ ଦେଶର ଚିନ୍ତା ଛାଡ଼ିଦେବାକୁ କହିଲେ, ସେ ଯେପରି ନିଜକୁ ମହାଶୂନ୍ୟ ଭିତରେ ଦେଖିବାକୁ ପାଇବେ, ନିଶାମଣି ମଧ୍ୟ ସେହିପରି ଗୃହିଣୀ ହେବାର ଅବକାଶ ନ ପାଇ ନିଜକୁ ମହାଶୂନ୍ୟ ଭିତରେ ଦେଖିବାକୁ ପାଇଛି । ଏ ଚିନ୍ତା ସାଙ୍ଗେ ସାଙ୍ଗେ ମଧ୍ୟ କୁମୁଦିନୀ ନିଜ ଜୀବନ ଚିନ୍ତା କଲେ, ସେ କାହିଁକି ଜୀବନକୁ ଶୂନ୍ୟମୟ ଦେଖୁଛନ୍ତି । ଚଳିବାପାଇଁ ତାଙ୍କର ଅସୁବିଧା ନାହିଁ । ସେବାପାଇଁ ମଧ୍ୟ ତାଙ୍କର ଯଥେଷ୍ଟ ଅବସର ଅଛି । ତଥାପି ସେ କେଉଁଠି କ’ଣ ଊଣା ଦେଖୁଛନ୍ତି ଯେ, କଲିକତା ଛାଡ଼ି ଆସି ପୁରୀରେ ପଡ଼ି ରହି ବିବାହିତ ସୁଖର ସ୍ୱପ୍ନ ଦେଖୁଛନ୍ତି । ଏହିପରି ପ୍ରତ୍ୟେକ କାମନାର ଏକ ସ୍ୱତନ୍ତ୍ର ନିୟୋଗ ଅଛି । ସେହି ନିୟୋଗ ଭିତରେ ସମତା ସ୍ଥାପିତ ନହେଲେ, ବାସ୍ତବିକ ବିବାହିତ ଜୀବନ ବଡ଼ ଦୁଃଖମୟ । ଖାଲି ନିଶାମଣିକି କାହିଁକି ଦୋଷ ଦିଆହେବ ? ସେ ଯେପରି ସ୍ୱାମୀର ଚିତ୍ତ ନିୟୋଗ ସହିତ ନିଜକୁ ଚଳାଇପାରୁନାହିଁ, ସ୍ୱାମୀ ମଧ୍ୟ ସେହିପରି ତା’ର ଚିତ୍ତ ନିୟୋଗ ସହିତ ନିଜକୁ ଚଳାଇପାରୁନାହାନ୍ତି ।

 

ଏସବୁ ଚିନ୍ତା କରି କୁମୁଦିନୀଙ୍କ ହୃଦୟ ନିଶାମଣି ପ୍ରତି କରୁଣାରେ ପୂରିଗଲା । ସେ ସାନ୍ତ୍ୱନା ଦେଇ କହିଲେ, ‘‘ଲାଲମୋହନବାବୁ ଆସନ୍ତୁ । ମୁଁ ତାଙ୍କୁ ବୁଝାଇ କହିବି, ତୁମେ ବ୍ୟସ୍ତ ହୁଅ ନାହିଁ । ମନକୁ ଖୁବ୍ ଖୁସି ରଖ । ମୁଁ ପରା କହିଥିଲି, ତୁମେ ମନକୁ ଯେପରି ରଖିବ, ତା’ର ଫଳ ଶିଶୁଠି ମିଳିବ । ତୁମେ ଯେ ଯାହା ହେବାକୁ ଯାଇଛ, ଏ କଥା ଭୁଲ ନାହିଁ । ତୁମର ଜୀବନ ଯେପରି ସୁଖମୟ ହେବ ମୁଁ ତା’ର ଚେଷ୍ଟା କରିବି । ଆଗେ ଏ ଶିଶୁଟି କଥା ଭାବ । ଆଉ କେତେଟା ଦିନେ ସେ ଶୁଣି ଦୁନିଆର ଆଲୁଅ ଦେଖିବ । କେତେ ଆନନ୍ଦ ସେ ସାଙ୍ଗରେ ଆଣିବ–ସେହି ଆନନ୍ଦର ପ୍ରତୀକ୍ଷା କର ।’’ ନିଶାମଣିର ମନ ଟିକିଏ ଭଲ ହୋଇଆସିଲା ।

 

ପ୍ରାୟ ମାସକ ପରେ ନିଶାମଣି ପୁଅଟିଏ ଜନ୍ମ କଲା । ମାଆ ଓ ଶିଶୁର ସେବାଶୁଶ୍ରୂଷା ସମ୍ବନ୍ଧରେ କୁମୁଦିନୀ ସମସ୍ତ ପ୍ରକାର ବ୍ୟବସ୍ଥା କଲେ । ତା’ରି ଫଳରେ ସାଧାରଣତଃ ଯେପରି ସନ୍ତାନ ଜନ୍ମ ପରେ ମାଆର ଅବସ୍ଥା ସଙ୍କଟାପନ୍ନ ହୋଇପଡ଼େ, ସେପରି ନିଶାମଣିଙ୍କ ପକ୍ଷରେ ହେଲା ନାହିଁ । ନିଶାମଣି ଇଙ୍ଗିତରେ କୁମୁଦିନୀକୁ କହିଲେ, ‘‘ଲାଲମୋହନବାବୁଙ୍କୁ ଖବର ଦେବାପାଇଁ ଆସିବାକୁ ।’’ କୁମୁଦିନୀ ମଧ୍ୟ ଏ ଅନୁରୋଧର ଯଥାର୍ଥତା ଉପଲବ୍ଧି କଲେ । ସେ ଦିବ୍ୟସିଂହବାବୁଙ୍କୁ ସେ ପଳାତକ ଛାଉଣୀ ଠିକଣାରେ ଏକପତ୍ର ଦେଲେ, ଶୀଘ୍ର ଲାଲମୋହନବାବୁଙ୍କୁ ଖବର ଦେବାପାଇଁ । ଏହି ଚିଠିରେ ସେ ନିଶାମଣି, ପୁରୀ ଆସିବା ଓ ତା’ର ସନ୍ତାନ ଜନ୍ମ କଥା ବିସ୍ତାରିତ ଭାବରେ ଲେଖିଥିଲେ । ପିଲା ଜନ୍ମ ପରେ କୁମୁଦିନୀଙ୍କର ଆଉ ସେ ସରସତା ନାହିଁ ଯାହା ପୂର୍ବେ ଥିଲା । ସେ ପିଲାଟିକୁ ଅନେକ ସମୟରେ ଚାହିଁ ଗମ୍ଭୀରଭାବରେ ବସି ରହନ୍ତି । ବେଳେବେଳେ ତାଙ୍କ ଆଖିକୁ ଲୁହ ମଧ୍ୟ ଆସିଯାଏ । ନିଶାମଣି ପଚାରିଲେ ସେ ଆଉ କିଛି କହନ୍ତି ନାହିଁ । ମାତ୍ର ନିଶାମଣି ବର୍ତ୍ତମାନ ଖୁବ୍ ପ୍ରସନ୍ନ । ପିଲାଟିକୁ ଦେଖି ଯେପରି ତା’ ମନ ଭରି ଯାଉଛି । ତା’ର ନିଜର ବୋଲି ଜଣେ ତ କେହି ଏ ଦୁନିଆକୁ ଆସିଲା । ସେ ଦିନେ ବଡ଼ ହେବ, ଯାହାକୁ ସେ ମୋର ବୋଲି କହିବ ଓ ଭାଗ୍ୟରେ ଥିଲେ ସେ ପୁଅ ସବୁ ତା’ର ପୂରଣ କରିଦେବ । ଏହିପରି କେତେ ଆଶା ତା’ ମନରେ ଜାଣତରେ ଅଜାଣତରେ ଖେଳି ତାକୁ ପ୍ରଫୁଲ୍ଲ କରୁଥାଏ । ଜୀବନର ଦୁର୍ଗମପଥରେ ବିବାହ ଯେପରି ଗୋଟିଏ ଘାଟି; ସନ୍ତାନ ଲାଭ ସେହିପରି ମଧ୍ୟ ଆଉ ଏକ ଘାଟି । ଗୋଟିଏ ଘାଟିରେ ସିନା ସେ ଦୁଃଖ ପାଇଲା; ମାତ୍ର ଦ୍ୱିତୀୟ ଘାଟିରେ ଆଶା ଡାକୁଛି ଯେ, ସୁଖ ପାଇବ ।

 

–୨୭–

 

ଦିବ୍ୟସିଂହବାବୁ କୁମୁଦିନୀଙ୍କର ଚିଠି ପାଇଲେ । ଲାଲମୋହନଙ୍କର ପୁଅଟିଏ ହୋଇଥିବା ଜାଣି ଖୁସି ହେଲେ । ସାଙ୍ଗେ ସାଙ୍ଗେ ବିସ୍ମିତ ହେଲେ ଯେ, ନିଶାମଣି କିପରି ଯାଇ କୁମୁଦିନୀଙ୍କଠି ପହୁଞ୍ଚିଲା, ଯେଉଁ କୁମୁଦିନୀ ସହିତ ବିବାହ ହେବାପାଇଁ ଲାଲମୋହନ ସ୍ଥିର କରି ଅଛନ୍ତି । ସମୁଦାୟ ଘଟଣାର ରହସ୍ୟ ସେ କିଛି ବୁଝିପାରିଲେ ନାହିଁ । ପୁଅ ହେବା ଖବର ଲାଲମୋହନଙ୍କଠାକୁ ପଠାଇବା ପାଇଁ ସେ ବହୁ ଚେଷ୍ଟା କଲେ; ମାତ୍ର ସେ ପାରିଲେ ନାହିଁ । କାରଣ ଲାଲମୋହନବାବୁ ସେତେବେଳେ ଯାଇ ରଣପୁର ଗଡ଼ଜାତରେ । ଘରପୋଡ଼ିବେଳେ ନିଆଁ ଯେପରି ଗୋଟିଏ ଚାଳରୁ ଅନ୍ୟ ଚାଳକୁ ଡିଏଁ ସେହିପରି ଆନ୍ଦୋଳନ ଗୋଟିଏ ଗଡ଼ଜାତରୁ ଅନ୍ୟ ଅନ୍ୟ ଗଡ଼ଜାତକୁ ଡେଇଁବାରେ ଲାଗିଛି । ଏକ ଦିଗରେ ନିରସ୍ତ୍ର ଜନତା ବହୁଦିନର ଅତ୍ୟାଚାର ସହି ସହି କଡ଼ ଲେଉଟାଇଛି–ଅନ୍ୟଦିଗରେ ତାକୁ ଗୋରା ପଲଟଣ ଓ ଦେଶୀ ଫୌଜ ବନ୍ଧୁକ ମୁନରେ ଚପାଇ ଦେବାପାଇଁ ବସିଛନ୍ତି । ଏ ଭୀଷଣ ଦମନନୀତିକୁ ପାର ହୋଇ ସତେ ଏ ନିରୀହ ଜନତା ନିଜର ଦାବି ହାସଲ କରିବେ ? ଏପ୍ରକାର ନିରାଶ ନିଃଶ୍ୱାସ ମଧ୍ୟ ବିଚକ୍ଷଣ ବ୍ୟକ୍ତିର ହୃଦୟରୁ ନିର୍ଗତ ହେଉଛି । ଯେଉଁଠି ଅତ୍ୟାଚାର ସେଠି ଲୋକଙ୍କୁ ସେବା କରିବାପାଇଁ ଦିବ୍ୟସିଂହବାବୁ ଯେପରି ଚତୁର୍ଥ ମୂର୍ତ୍ତି ହୋଇ ଛିଡ଼ା ହୋଇଛନ୍ତି । ତାଙ୍କର ସେବା ଓ ଅକ୍ଳାନ୍ତ ପରିଶ୍ରମ ଅନେକ ପରିମାଣରେ ନିର୍ଯାତିତ ଲୋକଙ୍କୁ ସାନ୍ତ୍ୱନା ଓ ଉତ୍ସାହ ଦେଉଛି; ମାତ୍ର ଆଉ ତେଣିକି କିଛି କରିପାରୁ ନାହିଁ । ଯେତେବେଳେ ଲାଲମୋହନବାବୁ ତାଙ୍କୁ କହିଲେ ଯେ, ଏଣିକି ଯାହାହେଉ ସେ ନିଜକୁ ଗଡ଼ଜାତ ବ୍ୟାପାରରେ ବଳି ଦେଇଦେବେ, ସେତେବେଳେ ସେ ସେକଥା ବୁଝାଇ କହିବାପାଇଁ ଅନୁରୋଧ କରିଥିଲେ ।

 

ଲାଲମୋହନବାବୁ କହିଥିଲେ, ‘‘ଲୋକଙ୍କୁ ଦାବି ଦାବି ବୋଲି ଯାହା କୁହାଯାଉଛି ସେ ଦାବି କ’ଣ ? ହାତୀ ନା ଘୋଡ଼ା ? ଏହି ଦେଖନ୍ତୁ ଢେଙ୍କାନାଳରେ ଭାତ ରାନ୍ଧି ଖାଇବାପାଇଁ ଲୋକେ ଜାଳ କାଠ ମାଗୁଛନ୍ତି । ରାଜାର କିଛିହେଲେ ନିର୍ଦ୍ଦିଷ୍ଟ ଆଇନ ଚାଲୁ ବୋଲି କହୁଛନ୍ତି । ବର୍ଷକସାରା ନିଜ ହାତରୁ ଖାଇ ବେଠି ଖଟି ଖଟି ଓ ସେଥିରେ ପୁଣି ମାଡ଼ଖାଇ, ଜୀବନ ପର୍ଯ୍ୟନ୍ତ ଦେଇ, ପ୍ରଜା ବର୍ତ୍ତମାନ ଚାହୁଁଛନ୍ତି ଯେ ବେଠି କରିବେ ନହିଁ । ତାଳଚେରରେ ବେଠିକୁ ବେଠି ପୁଣି ବେଠି ଛାଡ଼ ହେଲା କହି, ବେଠିବାବତ କର । ଏ ଦୁଇ ପ୍ରକାର ଅତ୍ୟାଚାର ପ୍ରଜା ସହ୍ୟ କରି ପାରୁନାହାନ୍ତି । ପ୍ରଜା ଚାହାନ୍ତି ସୁବିଚାର । ରାଜଦରବାରଠାରୁ ମନୁଷ୍ୟୋଚିତ ବ୍ୟବହାର, ଏ କ’ଣ ଭାରି ବଡ଼ ଦାବି ? ପ୍ରଜା ଚାହୁଁନାହାନ୍ତି ରାଜାବଂଶ ନିପାତ କରି କବିଙ୍କ ଭାଷାରେ ରାଇଜକୁ ମହୀରେ ନ ରଖି କେବଳ ବହିରେ ରଖି ଦେବାପାଇଁ । ଅବଶ୍ୟ ସେ ଦାବି କିଛି ଅନ୍ୟାୟ ନୁହେଁ । ସେପ୍ରକାର ଦାବି ପ୍ରଜାଙ୍କ ଭିତରୁ ଉଠୁଥିଲେ ମୁଁ ଖୁସି ହେଉଥାନ୍ତି; ମାତ୍ର ସେ ତ ଦାବି ନୁହେଁ ।

 

‘‘ଏହି ରଣପୁରରେ ଯାଉଁଳି କବାଟ କେହି ଲଗାଇ ପାରିବେ ନାହିଁ । ବିନା ଅନୁମତିରେ କେହି ଯାନବାହନ ଚଢ଼ି ପାରିବେ ନାହିଁ । ସ୍ତ୍ରୀଲୋକେ ଗହଣା ମଧ୍ୟ ପିନ୍ଧି ପାରିବେ ନାହିଁ । ଏସବୁ ବର୍ବର ଯୁଗର ବୀଭତ୍ସ ବ୍ୟାପାର ବିରୁଦ୍ଧରେ ପ୍ରଜା କିଛି କହିଲେ ତାକୁ ଗୁଳି କରାଯାଇ ଜବତ କରାଯାଉଛି । ଏଥିପାଇଁ ଆମକୁ ଏଥିରେ ବଳି ଦେବାକୁ ହେବ । ଅନ୍ୟଥା ବନ୍ଧୁକ ମୁନରେ ଏ ଦେଶ ଚିରକାଳ ଏକ ପତିତ ଦେଶ ହୋଇ ରହିଥିବ ।’’

 

ଉତ୍ସାହ ସହକାରେ ଏକନିଃଶ୍ୱାସରେ ଯେତେବେଳେ ଲାଲମୋହନବାବୁ ଏତେ କଥା କହିଗଲେ, ସେତେବେଳେ ଦିବ୍ୟସିଂହବାବୁ ହୃଦୟ ଭିତରେ ଅନୁଭବ କଲେ, ବାସ୍ତବିକ କିଛି ନା କିଛି କରିବାକୁ ହେବ । ମାତ୍ର କ’ଣ ତା’ ସେ କିଛି ଜାଣିପାରିଲେ ନାହିଁ । କିନ୍ତୁ ଏତିକି ସେ ଭାବିଲେ, ସେ ଯାହା କିଛି କଥା ହେଉ ସେ ଅହିଂସା ନୀତି ଦୃଷ୍ଟିରୁ ଅନ୍ୟାୟ ହେବ ନାହିଁ । ତା’ପରେ ଲାଲମୋହନବାବୁ ରଣପୁର ଚାଲିଗଲେ । କାରଣ ସେଠାକୁ ଫୌଜ ଯାଉଛନ୍ତି । ଯିବାବେଳେ ସେ ଦିବ୍ୟସିଂହବାବୁଙ୍କୁ ଆଲିଙ୍ଗନ କରି କହିଗଲେ, ‘‘ଯାଉଛି, ଦେଖା ହେବ କି ନା କହିପାରୁନାହିଁ । ଦେଖା ନହେଲେ କୁମୁଦିନୀ କଥା ବୁଝୁଥିବେ ।’’ ଭାବର ଆବେଗରେ ଲାଲମୋହନବାବୁ ଏପରି ଅଧୀର ହୋଇ ପଡ଼ନ୍ତି, ଏ କଥା ଦିବ୍ୟସିଂହବାବୁ ଜାଣନ୍ତି । ତେଣୁ ସେ ସେତେବେଳେ କିଛି ମନେ କରି ନଥିଲେ । ଯେଉଁ ସମୟରେ ସେ ପୁଅ ହେବାର ଖବର ପଠାଇବା ପାଇଁ ଚେଷ୍ଟା କରୁଛନ୍ତି, ସେହି ସମୟରେ ସେ ଖବର ପାଇଲେ ଯେ ରଣପୁରରେ ସେହି ଗୋରା ହାକିମ ଯେ ସୈନ୍ୟମାନଙ୍କ ପରିଚାଳନାର ଅଧିକାରରେ ଥିଲେ ସେ ଏଇ ଉତ୍ତେଜିତ ଜନତାଦ୍ୱାରା ନିହତ ହୋଇଛନ୍ତି । ସେ ଖବର ପାଇ ତରତର ହୋଇ ରଣପୁର ଚାଲିଲେ । ନିହତ ହାକିମଙ୍କ ପାଇଁ ତାଙ୍କର ସହାନୁଭୂତି ଥାଏ । ମାତ୍ର ଏହି ହତ୍ୟା ଫଳରେ ଯେଉଁ ପ୍ରତିହିଂସାମୂଳକ ଅତ୍ୟାଚାର ସେଠାରେ ହେବ, ସେହି ଚିନ୍ତାରେ ଦିବ୍ୟସିଂହବାବୁ ଅଧୀର ହୋଇ ପଡ଼ିଲେ । କଳାଲୋକ ଶହେ ମରିଗଲେ ସେଥିରେ କିଛି ଯାଏଁ ଆସେ ନାହିଁ । ମାତ୍ର ଜଣେ ରାଜକର୍ମଚାରୀକୁ ଓ ଖାସ୍ କରି ଜଣେ ଗୋରାକୁ ଯେତେବେଳେ ମାରି ପକା ହୋଇଅଛି, ସେତେବେଳେ ସେ ଲୋକଙ୍କୁ ଶିକ୍ଷା ଦେବାପାଇଁ କି ଯେ ଅତ୍ୟାଚାରର ଲୀଳା ଚାଲିବ, ସେ କଥା ଦିବ୍ୟସିଂହବାବୁ କଳ୍ପନା କରି ପାରୁ ନଥାନ୍ତି । ଅତି ବ୍ୟସ୍ତ ହୋଇ ସେ ରଣପୁରରେ ଯାଇଁ ପହଞ୍ଚିଲେ । ସେଠାରେ ଖବର ନେଇ ଘଟଣା ବୁଝିଲେ ।–

 

‘‘ପ୍ରାୟ ୫।୭ ହଜାର ଲୋକ ଏକାଠି ହୋଇ ରାଜାଙ୍କଠାକୁ ଯାଇଥିଲେ, ତାଙ୍କର ଦୁଃଖ ଜଣାଇବା ପାଇଁ । ଯେଉଁଠି ଅଖଣ୍ଡ ରାଜତ୍ୱ, ସେଠି ଲୋକ ମେଳକୁ ବଡ଼ ଭୟ । ଏତେ ଲୋକ ଏକାଠି ହୋଇ ରାଜାଙ୍କଠାକୁ ଆସିବା ଖବର ସେ ଆଗରୁ ପାଇ ବନ୍ଧୁକଧାରୀ ସୈନ୍ୟ ଅଣାଲ ନେଇଥିଲେ । ସୈନ୍ୟଙ୍କ ସାଙ୍ଗରେ ସେ ଗୋରା ହାକିମ ମଧ୍ୟ ଆସିଥିଲେ । ରଜାଘରଠାରୁ ସେହି ଲୋକେ ଖଣ୍ଡେ ବାଟରେ ଅଛନ୍ତି, ଏହି ସମୟରେ ସେ ଗୋରା ହାକିମ ସୈନ୍ୟଙ୍କୁ ନେଇଆସି ଲୋକଙ୍କୁ ଅଟକାଇଲେ । ହାକିମଙ୍କ ସଙ୍ଗରେ ବନ୍ଧୁକଧାରୀ ପ୍ରାୟ ୪୦ ଜଣ ଥିଲେ । ପ୍ରଥମେ ଲୋକଙ୍କୁ ଫେରିଯିବା ପାଇଁ ସାହେବ ବହୁତ ବୁଝାସୁଝା କରିଥିଲେ ।

 

ଲାଲମୋହନବାବୁ ସେ ଜନତାର ଅଗ୍ରଣୀ ହୋଇ ସାହେବଙ୍କ ସାଙ୍ଗରେ ବହୁ ତର୍କ ବିତର୍କ କଲେ । ରାଜାଙ୍କଠାକୁ ପ୍ରଜାଙ୍କର ଯିବାର ଅଧିକାର ଅଛି ବୋଲି ସେ ଦାବି କଲେ । ଯୁକ୍ତିତର୍କ ହେଉ ହେଉ କ୍ରମଶଃ ଉଚ୍ଚବାଚ ଆରମ୍ଭ ହେଲା । ଜନତା ଖୁବ୍ ଜୋରରେ ଚିତ୍କାର କରି କହିଲା, ‘‘ଆମେ ରଜାଙ୍କ ପାଖକୁ ଯିବୁ ।’’ ପାଞ୍ଚ, ସାତ ହଜାର ଲୋକଙ୍କ ଏ ଚିତ୍କାର ଶୁଣି ସୈନ୍ୟ ଓ ହାକିମ ଭୟ ପାଇଗଲେ । ବିନା ଭୟ ନ ପାଇଲେ କେହି କାହାକୁ ଆଘାତ କରେ ନାହିଁ । ହିଂସାର ଆରମ୍ଭ ହୁଏ ପ୍ରଥମେ ଭୟରୁ । ଭୟ ପାଇ ଯାଇ ହାକିମ ନିଜ ପକେଟରେ ଥିବା ପିସ୍ତଲ କାଢ଼ି ଜନତା ଆଡ଼କୁ ଫାୟାର୍ କଲେ । ଦୁଇଜଣ ଲୋକ ଧଡ଼ଧାଡ଼୍ ପଡ଼ି ମରିଗଲେ । ଏତିକିରେ ସମଗ୍ର ଜନତା ଉତ୍‌କ୍ଷିପ୍ତ ହୋଇଗଲା । ‘‘ସାହେବ ମଣିଷ ମାରି ପକାଉଛି, ମାର ତାକୁ’’ ଏହି ସୁର ଉଠିଲା । ସମସ୍ତେ ମାତି ଉଠି ସୈନ୍ୟମାନଙ୍କ ଉପରେ ଏପରି ମାଡ଼ିପଡ଼ିଲେ ଯେ, ସୈନ୍ୟମାନେ ବନ୍ଧୁକ ଫୋପାଡ଼ି ଦେଇ କେ କୁଆଡ଼େ ପଳାଇଲେ । ସାହେବ ଭୟରେ ରାସ୍ତା ପାଖ ଜଣକ ପିଣ୍ଡାର ଏକ କୋଣରେ ଲୁଚିଗଲେ । ମାତ୍ର ଉତ୍‌କ୍ଷିପ୍ତ ଜନତା ତାଙ୍କୁ ସେଠୁ ଟାଣି ଆଣି ରାସ୍ତା ଉପରେ ଥିବା ଟେକାରେ ତାଙ୍କ ମୁଣ୍ଡକୁ ଛେଚି ତାଙ୍କୁ ମାରି ପକାଇଲେ । ଖଣ୍ଡେ ଛୋଟ ବାଡ଼ି ସୁଦ୍ଧା କାହାରି ହାତରେ ନଥିଲା । କେବଳ ସଂଖ୍ୟା ଅତି ବେଶି ଥିବାରୁ ରାସ୍ତା ଉପର ଟେକା ସୁଦ୍ଧା ବନ୍ଧୁକକୁ ବଳିଗଲା । ଏ ଘଟଣା ପରେ ଜନତା ଯେତେବେଳେ ବିଜୟ ଉଲ୍ଲାସରେ ରାଜାଙ୍କ ପାଖକୁ ଯାନ୍ତି, ସେତେବେଳେ ରାଜା ନିଜ ପ୍ରାଣ ଭୟରେ ପ୍ରଜାଙ୍କ ସମସ୍ତ ଦାବି ମଞ୍ଜୁର କରି ଦେଇ ଜେଲରେ ଥିବା ପ୍ରଜା ନେତାମାନଙ୍କୁ ମୁକ୍ତି କରି ରକ୍ଷା ପାଇଲେ ବୋଲି ମନେ କଲେ । ଏହାପରେ ଯେ ପୁଣି କ’ଣ ଘଟିବ ସେ ବିଷୟରେ ଚିନ୍ତା କରିବାକୁ କାହାରି ଅବସର ନାହିଁ ।’’

 

ଦିବ୍ୟସିଂହବାବୁ ଯେତେବେଳେ ଜଣକୁ କହିଲେ, ‘‘ଏହାପର କଥା ବିଚାରି କାମ କର-।’’ ସେତେବେଳେ ସେ ଜଣକ କହିଲା, ‘‘ଯେତେ ଅତ୍ୟାଚାର ସେ କରିଲା କର୍ମଫଳ ତା’ର ଭୋଗିଛି-।’’ ଦିବ୍ୟସିଂହବାବୁ ବିରକ୍ତ ହୋଇଯାଇ କହିଲେ, ‘‘ସେ ତ କର୍ମଫଳ ଭୋଗିଲା, ତୁମେ ଯେ କର୍ମ କଲ, ତା’ର ଫଳ ତୁମେ ଭୋଗିବ ।’’ ଯେତେବେଳେ ଦିବ୍ୟସିଂହବାବୁ ତାକୁ ବୁଝାଇଲେ ସେ ସାହେବର ହତ୍ୟା ଫଳରେ ଭୟାବହ ପ୍ରତିହିଂସା ସାଧିତ ହୋଇପାରେ, ତେତେବେଳେ ଲୋକେ ଯାଇ ଚିନ୍ତା କରିବାକୁ ଆରମ୍ଭ କଲେ । ତା’ପରେ ଦିବ୍ୟସିଂହବାବୁଙ୍କ ପରାମର୍ଶ ଅନୁସାରେ ସେମାନେ ରାଜ୍ୟ ଛାଡ଼ି ଚାଲିଗଲେ ଓ ପ୍ରତିହିଂସା ସାଧନ କରିବାର ଅବକାଶ ରହିଲା ନାହିଁ । ସେ ସବୁ ଗଳ୍ପର ବହିର୍ଭୂତ ବ୍ୟାପାର । ଦିବ୍ୟସିଂହବାବୁ ଯେତେ ଚେଷ୍ଟା କଲେ ସୁଦ୍ଧା ଲାଲମୋହନବାବୁଙ୍କ ଖବର ପାଇଲେ ନାହିଁ । କୁଆଡ଼େ ଗଲେ, କେଉଁଠି ଅଛନ୍ତି କିଛି ଜାଣିପାରିଲେ ନାହିଁ । ଜଣେ ଦୁଇଜଣଙ୍କଠାରୁ ଶୁଣିଲେ ଯେ, ସେ ରାସ୍ତାରେ ‘ଜନ ଦରବାରେ ତା’ର ହୋଇଅଛି ସଜା’ ଏ ପଦକ ସୁର ଧରି ଗୀତ ଗାଇ ଗାଇ ଯାଇଥିବାର ସେମାନେ ଦେଖିଥିଲେ-। କିଛିଦିନ ପରେ ଶୁଣିଲେ ଯେ ସେ ଗିରଫ୍‍ଦାର ହୋଇ ରଣପୁର ଜେଲରେ ଅଛନ୍ତି ଓ ତାଙ୍କ ବିରୋଧରେ ହତ୍ୟାର ଅଭିଯୋଗ ଅଣାହୋଇଅଛି । ଏ ଖବର ପାଇ ଦିବ୍ୟସିଂହବାବୁ ଅତି ବ୍ୟସ୍ତ ହୋଇପଡ଼ିଲେ । ମୋକଦ୍ଦମା ଲଢ଼ିବା ବ୍ୟବସ୍ଥା କରିବାପାଇଁ କଟକ ଗଲେ । ସେଇଠୁ ସେ କୁମୁଦିନୀ ବୁଝାଇସୁଝାଇ ଚିଠି ଲେଖିଲେ ଯେ, ସେମାନେ ବ୍ୟସ୍ତ ହେବା ଉଚିତ ନୁହେଁ ଏ ସମସ୍ତ ବନ୍ଦୋବସ୍ତ ସେ କରୁଛନ୍ତି ।

 

–୨୮–

 

ବିଷୟର କଳ୍ପନା କରିବା ସହଜ ଓ ସୁଖମୟ; ମାତ୍ର ସେହି କଳ୍ପନା ଯେତେବେଳେ ନାମ ରୂପ ଧରେ ବିଶେଷତଃ ଯେତେବେଳେ ସେ କଳ୍ପନା କାମରେ ପରିଣତ ହୋଇ ନିଜକୁ କୌଣସିଆଡ଼ୁ ଧକ୍କା ଦିଏ, ସେତେବେଳେ ଜଣାଯାଏ ଯେ, ସେ କଳ୍ପନା ତେତେ ସହଜ ବା ସୁଖମୟ ନୁହେଁ । ଯେଉଁ କୁମୁଦିନୀ ଅନୁଗୁଳରେ ପଳାତକ ଛାଉଣୀରେ ବ୍ୟାକୁଳ ଥିଲେ, ଅତ୍ୟାଚାରକୁ ଜଣାଇ ଦେବାପାଇଁ ଯେ ସେମାନଙ୍କ ଜୀବନ ପାଣିଫୋଟକା ପରି ଜଣେ କେତେ ଉନ୍ମତ୍ତ ଲୋକଙ୍କ ଦୟା ଉପରେ ନିର୍ଭର କରେ, ସେହି କୁମୁଦିନୀ ଯେତେବେଳେ ଜାଣିଲେ ସେ ସେହି ହାକିମ, ଯେ ହଜାର ହଜାର ଲୋକଙ୍କ ଉପରେ ଅମାନୁଷିକ ଅତ୍ୟାଚାର କରିଥିଲା–ସେ ରଣପୁରରେ ନିହତ ହୋଇଛି । ସେତେବେଳେ ତାଙ୍କ ମନ ପୁଲକି ଉଠୁଥିଲା । ଭାବିଲେ ଯାହାହେଉ ଜନତା ଜଡ଼ ହେଲେ ମଧ୍ୟ ତା’ର ଜୀବନ ଯାଇ ନାହିଁ । ମାତ୍ର ଯେ ମୁହୂର୍ତ୍ତରେ ସେ ଖବର ପାଇଲେ ଯେ ଲାଲମୋହନବାବୁ ହତ୍ୟା ଅପରାଧରେ ଧରା ହୋଇ ରଣପୁର ଜେଲ୍‌ରେ–ସେତେବେଳେ ତାଙ୍କ ଦେହ ଶିହରି ଉଠିଲା । ତାଙ୍କର ପ୍ରତିହିଂସାର କଳ୍ପନା ଠିକ୍ ତାଙ୍କରି ପ୍ରିୟତମ ବ୍ୟକ୍ତିଙ୍କଠି ରୂପ ଧାରଣ କରିବ, ଏ କଥା ତ ସେ ଭାବି ନଥିଲେ । ସେ ଖବରକାଗଜରେ ଖବର ପଢ଼ି ଓ ସେହି ସମୟରେ ଦିବ୍ୟସିଂହବାବୁଙ୍କ ଚିଠିପାଇ ଏତେ ବ୍ୟସ୍ତ ହୋଇ ପଡ଼ିଲେ ଯେ ଚୌକିରୁ ଉଠିପଡ଼ି ଉନ୍ମତ୍ତ ପରି ବାରଣ୍ଡାର ଏପାଖରୁ ସେପାଖ କ୍ଷିପ୍ର ଗତିରେ ଯିବା ଆସିବା କରିବାରେ ଲାଗିଲେ । ସେ ଯେ କେତେଥର ଲାଲମୋହନବାବୁଙ୍କୁ ବ୍ୟଙ୍ଗ କରି କହିଛନ୍ତି ଯେ ବିପଦର ସମ୍ମୁଖୀନ ହେଉ ନାହାନ୍ତି, ସେଥିପାଇଁ ମଧ୍ୟ ତାଙ୍କ ମନ ଘାଣ୍ଟିହେଲା । କାହିଁକି ସେ ସେପରି କହିଲେ–ହୁଏତ ତାଙ୍କରି ପରିହାସ–ଲାଲମୋହନବାବୁଙ୍କ ମନରେ କାମ କରି ତାଙ୍କୁ ବିପଦର ମୁହଁକୁ ଠେଲି ଦେଇଥିବ । ବହୁକ୍ଷଣ ଯାଏଁ ସେ ନିଜକୁ ସାନ୍ତ୍ୱନା ଦେଇ ପାରିଲେ ନାହିଁ । ଶେଷରେ ଯେତେବେଳେ ସେ ନିଶାମଣି କଥା ଭାବିଲେ, ସେତେବେଳେ ଯାଇ ତାଙ୍କର ଜ୍ଞାନ ହେଲା ଯେ ଆଉ ଜଣକୁ–ତାଙ୍କୁ ସାନ୍ତ୍ୱନା ଦେବାକୁ ହେବ । ନିଜର ହୃଦୟକୁ ବଳାତ୍କାରରେ ବାଗକୁ ଆଣି ନିଶାମଣିକୁ କି ପ୍ରକାରେ ବୁଝାଇ ସମସ୍ତ କହିବେ ସେ କଥା ସେ ଚିନ୍ତା କଲେ । ପ୍ରଥମେ ମନ କଲେ ଯେ ତାଙ୍କୁ କୌଣସି ଖବର ଦେବେ ନାହିଁ ।

 

ବାସ୍ତବିକ ତାଙ୍କୁ ଅନେକ ଦିନ ପର୍ଯ୍ୟନ୍ତ ଏକଥା ସେ କିଛି ଜଣାଇ ନାହାନ୍ତି । ମାତ୍ର ନିଶାମଣି ତେଣେ ଅତିବ୍ୟସ୍ତ ଯେ, କାହିଁକି ଲାଲମୋହନବାବୁ ଆସୁ ନାହାନ୍ତି । ଦିନ ପରେ ଦିନ, ମାସ ପରେ ମାସ ଗଡ଼ି ଯାଉଛି । ତାକୁ କିଛି ସୁଖ ଲାଗୁ ନାହିଁ । ପୁଅଟିର ମୁହଁ ସୁଦ୍ଧା ଥରେ ଦେଖିବାପାଇଁ ବାପ ଆସିଲା ନାହିଁ । ସତେ ତାଙ୍କ ସହିତ ଭେଟ କରାଇବା ପାଇଁ କୁମୁମିନୀ ତାଙ୍କୁ ନେଇ ଆସିଲେ ନା ଅନ୍ୟ କୌଣସି ଉଦ୍ଦେଶ୍ୟରେ ପ୍ରବଞ୍ଚନା କରିଛନ୍ତି, ଏ ସନ୍ଦେହ ମଧ୍ୟ ଜାତହେଲାଣି । କିମ୍ବା ହୁଏତ ଭାଇ ସବୁ ସମ୍ପତ୍ତି ଖାଇବେ ବୋଲି କୌଶଳ କରି ତାଙ୍କୁ ଘରୁ ବିଦାୟ କରିଦେଲେ । କୁମୁଦିନୀ ଚୌକି ଉପରେ ବସି ମୁଣ୍ଡକୁ ଛୋଟ ଟେବୁଲଟିଏ ଉପରେ ମାଡ଼ି ଦେଇଛନ୍ତି । ନିଶାମଣି ଘରୁ ଥାଇ କହିଲା, ‘‘କ’ଣ ଖବର ଆସିଛି କି ? ଏତେ ଭାବି ହେଉଛ ?’’

 

କୁମୁଦିନୀ ମୁଣ୍ଡ ଟେକି ହଠାତ୍ ଉଠିପଡ଼ି ଘର ଭିତରକୁ ଯାଇ କହିଲେ, ‘‘ନା, କିଛି ନୁହେଁ, ଖାଲି ସେହିପରି ବସିଥିଲି ।’’

 

ନିଶାମଣି ଶିଶୁଟିକୁ କୋଳରେ ଧରି ଦୁଧ ଦେଉ ଦେଉ କହିଲା–‘‘ଚିଠି ଦେବାର ତ ମାସେ ହୋଇଗଲା–କାହିଁ, ତାଙ୍କର ଦେଖା ନାହିଁ କି କିଛି ଖବର ନାହିଁ । ମୋ ମନ ଖାଲି କ’ଣ ହୋଇଯାଉଛି; ସବୁମାଡ଼ି ପଡ଼ିଲା ପରି ଲାଗୁଛି । ମୁଁ ଘରେ ଥିଲି ଭଲ ଥିଲି । ଏଠିକି କାହିଁକି ଆଣିଲ-। ତାଙ୍କପାଇଁ ମୋତେ ତୁମ୍ଭେ ଅଣାଇନାହଁ । ତୁମ୍ଭର ଆଉ କିଛି ମାୟା ଅଛି । କ’ଣ ତୁମ୍ଭ ମନ କଥା ଖୋଲି କହ । ତାଙ୍କପାଇଁ ମୁଁ ଯଦି ଆସିଥାନ୍ତି, ମୁଁ ଆସି ପର ଦୁଆରେ ଏତେଦିନ ହେଲା ପଡ଼ିଲିଣି, ଥରେ ସେ ମୋ କଥା ବୁଝନ୍ତେ ନାହିଁ ।’’ ଏତିକି କହୁ କହୁ ତା’ ଆଖି ଛଳଛଳ ହୋଇଆସିଲା-

 

କୁମୁଦିନୀ ବସି ପଡ଼ି ବୁଝାଇ କହିଲେ, ‘‘ସେ ତ ବର୍ତ୍ତମାନ ଏପରି ବଡ଼ କାମରେ ଲାଗିଛନ୍ତି ଯେ, ତା’ ତୁମେ ବୁଝିପାରୁନାହଁ । ସେ ଜୀବନ ମୁରୁଛି ଦେଇ ହଜାର ହଜାର ଲୋକଙ୍କୁ ଅତ୍ୟାଚାରରୁ ରକ୍ଷା କରିବାପାଇଁ ଲାଗିଛନ୍ତି । ସେ ସବୁ ଅତ୍ୟାଚାର ଓ ସବୁ ଖବର ପରା ମୁଁ ତୁମକୁ ବରାବର ଶୁଣାଉଛି । ‘ମୁଁ ବରାବର କହିଛି ଯେ, ପରକୁ ରକ୍ଷା କରିବାପାଇଁ ଯେ ବାହାରିବ ତା’ର ଧନ ସମ୍ପତ୍ତି ପ୍ରିୟାପ୍ରୀତି କିଛି ରହିବ ନାହିଁ । ତୁମେ ତ ଏଠି ଭଲରେ ଅଛ; କିଛି ଅସୁବିଧା ହେଉଥିଲେ ମୋତେ କହ । ୟାକୁ ପରଘର ବୋଲି କାହିଁକି ଭାବୁଛ ? ମୁଁ ପରା ତୁମ୍ଭର ସାନ ଭଉଣୀ ପରି । ତୁମେ ଯାହା କହିବ ମୁଁ ତା’ କରିବି ।’’

 

ନିଶାମଣି ପିଲାଟିକୁ ଶେଯ ଉପରେ ଶୁଆଇ ଲୁଗାଖଣ୍ଡେ ଢାଙ୍କି ଦେଇ, ଆଖି ମିଳି ମିଳି କହିଲା, ‘‘ଘରେ ଥିଲି ବରଂ ଭଲ ଥିଲି–ଯାହା କରନ୍ତୁ ପଛକେ ସେ ତ ଭାଇ, ନିଜର ଲୋକ–ଯେତେହେଲେ ଏତ ପର ଦୁଆର । ସେ ଆସୁ ନାହାନ୍ତି କାହିଁକି ? କେଉଁଠି ସେ ଅଛନ୍ତି । ମୁଁ ସେଠିକି ଯିବି ଏ ପିଲାଟିକି ନେଇ । ଯାହା କରୁଥାନ୍ତୁ ପଛକେ ଏପିଲାଟିକୁ ତାଙ୍କୁ ଜିମା କରିଦେବି-।’’

 

କୁମୁଦିନୀ ନିଶାମଣିଙ୍କ ପିଠିରେ ହାତ ମାରି କହିଲେ, ‘‘ପିଲା ତ ତୁମର । ମାଆ ହେବାର ସୌଭାଗ୍ୟ ସମସ୍ତଙ୍କୁ ମିଳେ ନାହିଁ । ମିଳିଲେ ମଧ୍ୟ ଅଭାଗୀନିକୁ ତାହା ସହେ ନାହିଁ । ତୁମେ ଭାଗ୍ୟବତୀ । ବ୍ୟସ୍ତ କାହିଁକି ହେଉଛ ? ଥୟଧରି ରହ ।’’

 

ନିଶାମଣି ରୁଦ୍ଧକଣ୍ଠରେ କହିଲା, ‘‘ସେ ଆଜିକାଲି କେଉଁଠି ଅଛନ୍ତି । ମୋତେ କହୁନା କାହିଁକି ?’’

 

କୁମୁଦିନୀ ମୁହଁରୁ ହଠାତ୍ ବାହାରି ପଡ଼ିଲା, ‘‘ସେ ବର୍ତ୍ତମାନ ଜେଲରେ ଅଛନ୍ତି ।’’

 

ନିଶାମଣି ଚମକି ପଡ଼ି କହିଲା, ‘‘ଆଁ, ଜେଲ୍‍ଖାନାରେ ! ଥରେ ଯାଇଥିଲେ ଯେ ଦଶବର୍ଷ ପରେ ଆସିଲେ; କାନ୍ଦି କାନ୍ଦି ମୋ ଦିନ ସରିଛି । ପୁଣି କେତେଦିନେ ସେ ଆସିବେ । କେତେ ମାସ ନା କେତେ ବର୍ଷ ଜେଲ ହୋଇଛି ? ମୋତେ ସବୁ ଲୁଚାଉଚ କାହିଁକି ? ଖୋଲି କହ-।’’

 

କୁମୁଦିନୀ ଅତି ବ୍ୟସ୍ତ ହୋଇ ନିଜକୁ ସମ୍ଭାଳି କହିଲେ, ‘‘ତାଙ୍କ ମୋକଦ୍ଦମା ଚାଲିଛି । କ’ଣ ହେବ କିଛି ଠିକ୍ ନାହିଁ । ତୁମେ ଥୟଧରି ରହ; ତୁମର କିଛି ଅସୁବିଧା ହେବ ନାହିଁ । ତୁମେ ଘରେ ଯେପରି ରହନ୍ତ ଏଠି ସେହିପରି ରହ । ତୁମର ସ୍ୱାମୀ ଯେ, ସେ ମୋର ସ୍ୱାମୀ ପରି ।’’

 

ଏ ପଦକ ଛୁରିପରି ନିଶାମଣି ଛାତିରେ ବାଜିଲା । ବହୁଦିନୁ ତା’ ମନକୁ ଆସୁଥିଲା, ତା’ ସ୍ୱାମୀଙ୍କର ଏ କୁମୁଦିନୀ ସହିତ କିଛି ଅନ୍ୟ ପ୍ରକାର ସମ୍ପର୍କ ଅଛି କି ? ମାତ୍ର ତା’ ହୋଇଥିଲେ ସେ ଏତେ ଯତ୍ନ କାହିଁକି ନିଅନ୍ତା ? ଏକଥା ପୁଣି ତା’ ମନକୁ ଆସି କୌଣସି ସନ୍ଦେହକୁ ଦୃଢ଼ କରି ନଥିଲା । ବର୍ତ୍ତମାନ ଯେ କଥା ଶୁଣିଲା, ସେଥିରେ ତା’ର ସନ୍ଦେହ ଜାଗି ଉଠିଲା । ମନ ଭିତରେ ଈର୍ଷା ପ୍ରବଳ ହୋଇ ଉଠିଲା । ସେ ଗମ୍ଭୀର ଭାବରେ ପଚାରିଲା, ‘‘ତୁମର କ’ଣ ସେ ସ୍ୱାମୀ ?’’

 

କୁମୁଦିନୀ ଇତସ୍ତତଃ ହୋଇ କହିଲେ–‘‘ନା ସେ ମୋର ଅତି ପ୍ରିୟ ବନ୍ଧୁ । ସ୍ୱାମୀ ହେଲେ ମଧ୍ୟ ତୁମେ ମୋତେ ସଉତୁଣୀ ବୋଲି ଈର୍ଷା କରିବ ନାହିଁ । ମୁଁ ତୁମର ଦାସୀ ହୋଇ ରହିବି । ତୁମର ସବୁ ସେବା କରିବି ।’’

 

ନିଶାମଣି ଉଠିପଡ଼ି ମୁହଁ ଝାଡ଼ି କହିଲା–‘‘ସେହି କଥା ଆଜିଯାଏ ମୋତେ କାହିଁକି କହୁନାହଁ । ତୁମର ତାଙ୍କର ତାହାହେଲେ କିଛି ସଲା ଅଛି–ମୁଁ ତ ମୂର୍ଖ ଲୋକ, ମୁଁ ଏତେ କଥା କାହୁଁ ଜାଣିବି ?’’

 

କୁମୁଦିନୀ ନିଶାମଣି ହାତ ଧରି ଟାଣି ବସାଇ ଦେଇ କହିଲେ, ‘‘ରାଗ କରୁଛ କି; ସେ କିଛି ତ ମୋତେ ଚିଠିପତ୍ର ଦେଇ ନାହାନ୍ତି । ତୁମଠାରୁ ମୋତେ କ’ଣ ସେ ବେଶି ପଚାରୁଛନ୍ତି ଯେ, ତୁମେ ମୋ ଉପରେ ରାଗୁଛ । ବାସ୍ତବିକ ସେ ମୋର ସ୍ୱାମୀ ନୁହନ୍ତି । ମାତ୍ର ସେହିପରି ଜଣେ ପ୍ରିୟତମ ବନ୍ଧୁ ।’’ ନିଶାମଣି ବିଛଣାରେ ଶୋଇ ପଡ଼ିଲା । ଆଉ କିଛି କହିଲା ନାହିଁ । କେତେ ସନ୍ଦେହ ତା’ ମନରେ ଲହରୀ ମାରିଲା । ତାକୁ କ’ଣ ନେଇ ଆସିଛି, ସେ ମାରିପକାଇବା ପାଇଁ–କିମ୍ବା କୁଆଡ଼େ ତାକୁ ଛାଡ଼ିଦେଇ ସେ ଦୁହେଁ ସ୍ତ୍ରୀ ପୁରୁଷ ହୋଇ ଅନ୍ୟ କେଉଁଠାରେ ରହିବେ ? କଥା କ’ଣ ? ନିଜେ ଉପେଷିତା ଓ ଶେଷରେ ତା’ ନିଜ ଆଖିରେ ଜଣେ ସଉତୁଣୀ ଦେଖିବ, ଏହାଠାରୁ ବଳି ଦାରୁଣ ଜିନିଷ କ’ଣ ଅଛି ? କିଛିକ୍ଷଣ ପରେ ସେ ବିଛଣାରେ ମୁହଁ ଲୁଚାଇ ସକସକ ହୋଇ କାନ୍ଦିଲା ।

 

କୁମୁଦିନୀ ବହୁତ ବୁଝାଇଲେ, ସେ କାନ୍ଦଣା ବନ୍ଦ କଲା । ମାତ୍ର ତା’ ମନ ଆଉ ବୁଝିଲା ନାହିଁ । କୁମୁଦିନୀ ଦେଖୁଥାଏ ଯେ, ବେଳକୁ ବେଳ ଅବସ୍ଥା ବଡ଼ ଜଟିଳ ହୋଇଯାଉଛି । ମୋକଦ୍ଦମାରେ ଯାହା କିଛି ପରିଣାମ ଘଟିପାରେ ଏ କଥା ଯେତେବେଳେ ସେ ଭାବି ପକାଏ, ତାକୁ ଚତୁର୍ଦ୍ଦିଗ ଅନ୍ଧକାର ଦେଖାଯାଏ । ସେ କେଉଁଠି ? ନିଶାମଣି ବା କେଉଁଠି ? କୁଆଡ଼େ ଯାଇ ତା’ ନୌକା ଲାଗିବ । ନିତାନ୍ତ ବ୍ୟସ୍ତହୋଇ ଦିବ୍ୟସିଂହବାବୁଙ୍କଠାକୁ ପତ୍ର ଦେଲା ଥରେ ଆସିବାପାଇଁ ।

 

–୨୯–

 

ଦିବ୍ୟସିଂହବାବୁ କଟକରୁ ଓକିଲ ନେଇ ରଣପୁରରେ ଲାଲମୋହନବାବୁଙ୍କୁ ଆଇନର କବଳରୁ ରକ୍ଷା କରିବାପାଇଁ ବ୍ୟସ୍ତ । ଗୋରା ଲୋକେ ଏ ଦେଶର ରାଜା । ରାଜା ଘରେ ଜଣେ ବଡ଼ ହାକିମ ଓ ସେ ପୁଣି ଜଣେ ସୈନ୍ୟପରିଚାଳକ । ସେ ଯେତେବେଳେ ନିହତ ହୋଇଛି, ତେତେବେଳେ ଯେଉଁମାନେ ଦୋଷୀ ସେମାନଙ୍କୁ ଉଚିତ ଶାସ୍ତି ଭୋଗ କରିବାକୁ ପଡ଼ିବ । ତେଣୁ ଗଡ଼ଜାତ ମୋଗଲବନ୍ଦି ସବୁ ପୋଲିସ୍ ଲାଗିପଡ଼ି ମୋକଦ୍ଦମାକୁ ସଜାଇବାରେ ଲାଗିଛନ୍ତି । ଲାଲମୋହନବାବୁଙ୍କ ପଛେ ପଛେ ଆହୁରି ପଚାଶ ଜଣ ଗିରଫ୍‍ଦାର ହେଲେଣି । ମୋକଦ୍ଦମା ସଜାଇବା ପାଇଁ ଯେଉଁ ପୋଲିସ୍ କର୍ମଚାରୀ ନିଯୁକ୍ତ ଥିଲେ, ସେ ଜଣେ ସେହି ରଣପୁରବାସୀଙ୍କୁ ହାତ କରି ତାହାଠାରୁ ଖବର ବୁଝି ଦୋଷୀ ଗିରଫ୍‍ଦାର କରିବାରେ ଲାଗିଛନ୍ତି । ସେତେବେଳେ ରଣପୁର ଜନଶୂନ୍ୟ । ପ୍ରତିହିଂସାକୁ ଏଡ଼ିବାପାଇଁ ଲୋକେ ଘରଦ୍ୱାର ଛାଡ଼ି ଚାଲି ଯାଇଥାନ୍ତି । କେବଳ ଶାମା ବୋଲି ଜଣେ ମଜବୁତ ଟୋକା ଚାଷବାସ କରି ଚଳେ । ସେ ପୋଲିସ୍ କର୍ମଚାରୀଙ୍କ ଶରଣ ପଶି ସବୁ ଖବର ଟିକିନିଖି ଦେବାର ପ୍ରତିଶ୍ରୁତି ଦେଇ ବିଶ୍ୱାସୀ ହୋଇ ପୋଲିସ୍ ଆଶ୍ରୟରେ ଥାଏ । ସାକ୍ଷୀ ସହଜରେ ମିଳୁ ନଥାନ୍ତି । ମାତ୍ର କୌଣସି ପ୍ରକାରେ ଆଇନ ଅନୁସାରେ ଜଣକ କଥାକୁ ଆଉ ଜଣକ କଥାରେ ମିଳାଇ ସାକ୍ଷୀ ଛିଡ଼ା କରାଇବାକୁ ହେବ । ନହେଲେ ହାକିମ ଦଣ୍ଡ ଦେଇପାରିବେ ନାହିଁ । ଏଣୁ ଯେଉଁମାନେ ବହୁଦିନ ଘରଦ୍ୱାର ଛାଡ଼ି ପଳାଇ ପୁଣି ଘରକୁ ଫେରିବାପାଇଁ ଅତି ଉଦ୍‍ବିଗ୍ନ, ସେହିମାନଙ୍କୁ ଶାମା ଠଉରାଇ ଶିଖାଇଲା–‘‘ମୋ କଥାମାନ, ଚାଲିଆସ, ଯାହା ଦାରୋଗାବାବୁ କହୁଛନ୍ତି ସେଇଆ କରିଦିଅ । ବାସ୍ ଖଲାସ, ଘରକରଣା କରି ରହ ।’’ ଏଥିରେ ଅନେକ ରାଜି ହୋଇ ସାକ୍ଷୀ ହେବାର ଶିକ୍ଷା, ପୋଲିସ୍ ଦାରୋଗାଙ୍କ ତତ୍ତ୍ୱାବଧାନରେ ପାଉଛନ୍ତି । ଜଣେ ପ୍ରୌଢ଼, ନିରୀହ ଲୋକ ତାକୁ ଯେତେବେଳେ କୁହାଗଲା ଯେ ସେ ସାକ୍ଷ୍ୟ ଦେଇ କହିବ, ଲାଲମୋହନବାବୁଙ୍କୁ ଦେଖିଛି ସାହେବ ମୁଣ୍ଡରେ ଆଘାତ କରିବାର । ସେତେବେଳେ ସେ ଆବାକାବା ହୋଇ ଚାରିଆଡ଼କୁ ଅନାଇ ନିଃଶ୍ୱାସ ମାରି କହିଲା, ‘‘କେଉଁ ବାବୁ ସେ, ଯେଉଁ ବାବୁ କଟକରୁ ଆସିଥିଲେ ନା ।’’

 

ପୋଲିସ୍ ଦାରୋଗା ବିରକ୍ତ ହୋଇ କହିଲା, ‘‘ହଁବେ ସେହି–କେତେ ଏଟାକୁ ଶିଖାଇବି-।’’

 

ବୁଢ଼ା ମୁହଁ ତଳକୁ କରି କହିଲା, ‘‘ନା, ବାବୁ ମୋତେ ମାରିପକାଅ ପଛେକେ ମୁଁ ସେ କଥା କହି ପାରିବି ନାହିଁ । ଯେତେବେଳେ ଲୋକେ ସାହେବକୁ ଘେରିଗଲେ ସେତେବେଳେ ତ ସେ ବାବୁ ସାହେବଙ୍କୁ ଓଗାଳି ଘଡ଼ିଏ ତାକୁ ସମ୍ଭାଳି ନେଇଥିଲେ । ସେତେବେଳେ ତ କେତେ ମାଡ଼ ସେ ବାବୁଙ୍କ ଦେହରେ ବସିଯାଇଛି । ଶେଷରେ ଲୋକେ ତାଙ୍କୁ ଛଡ଼ାଇ ଦେଇ ସାହେବକୁ ଧରିଲେ । ମୁଁ କିପରି କହିବି ଯେ, ସେ ବାବୁ ମାରିଛନ୍ତି ?’’

 

ଦାରୋଗା ଏତେକ ଶୁଣି, ରାଗି ଅସ୍ଥିର ହୋଇ ତାକୁ ସାଙ୍ଗେ ସାଙ୍ଗେ ଗିରଫ୍‌ଦାର କରି ଜେଲ୍‍ଖାନାକୁ ପଠାଇ ଦେଲେ । ଏହିପରି ମିଛ କହିବାକୁ ହନ୍ତସନ୍ତ ହୋଇ ଅନେକ ମଧ୍ୟ ଜେଲ୍‍ଖାନାକୁ ପଠାହେଲେଣି । ମାତ୍ର ସାହେବଙ୍କ ହଣା ମୋକଦ୍ଦମା ପାଇଁ ଯେତେ ସାକ୍ଷୀ ଦରକାର ତା’ଠାରୁ ବେଶି ଠିକ୍ ହୋଇଗଲେଣି । ସାହେବ ଜଣେ ନିହତ ହୋଇଯାଇଛି ବୋଲି ଯେ ଆଇନ ବାହାରେ ତାଙ୍କ ଘର ସରକାର କିଛି କରିଯିବେ ଏ ଧାରଣା ସାଧାରଣଙ୍କ ମନରେ ଯେପରି ନହୁଏ, ସେଥିପାଇଁ ମୋକଦ୍ଦମା ବିଚାରର ବିଧିମତ ବ୍ୟବସ୍ଥା ହୋଇଛି । ବାହାରୁ ଭଲ ହାକିମ ଓ ପୁଣି ତାଙ୍କ ରାୟ ବିରୋଧରେ ହାଇକୋର୍ଟ ପର୍ଯ୍ୟନ୍ତ ଅପିଲ୍, ଯାହା ଗଡ଼ଜାତି ବୁଝାମଣାରେ କେହି କଳ୍ପନା ସୁଦ୍ଧା କରିପାରିବ ନାହିଁ, ସେ ସବୁର ବନ୍ଦୋବସ୍ତ ହୋଇଛି । ପରଦା ଭିତରେ ଯାହା ହେଉଥାଉ ପଛକେ ପରଦା ବାହାରେ ଆଇନ ଏକ ଦିଗରେ, ଅନ୍ୟ ଦିଗରେ ଧର୍ମକୁ ସାକ୍ଷୀ ରଖି ସତ୍ୟ ପାଠ–ମଝିରେ ନିରପେକ୍ଷତାର ଆବରଣ ତଳେ ନିପଟ ମିଥ୍ୟା ଗତିକରୁଛି । ସେ ଆବରଣକୁ ହଟାଇବା ପାଇଁ ଓକିଲ ଯେତେ ବୁଦ୍ଧି ଖର୍ଚ୍ଚ କଲେ ସୁଦ୍ଧା ପାରୁନାହାନ୍ତି । ଜେରା କ’ଣ କରାଯିବାର ସମ୍ଭାବନା ତାକୁ ଅନୁମାନ କରି ତା’ର ଉତ୍ତର କ’ଣ ହେଲେ ଠିକ୍ ଖାପ ଖାଇବ, ସେ ସବୁ ସାକ୍ଷୀମାନେ ତୋତା ଚଢ଼େଇ ପରି କଣ୍ଠସ୍ଥ କରୁଛନ୍ତି । ଯେଉଁ ପୋଲିସ୍ କର୍ମଚାରୀ ମୋକଦ୍ଦମା ସଜାଉଥିଲେ, ତାଙ୍କର ବୁଦ୍ଧି ସହିତ ଯେ ଓକିଲ ମୋକଦ୍ଦମା ଲଢ଼ୁଥିଲେ ତାଙ୍କର ବୁଦ୍ଧି ସମକକ୍ଷ ହୋଇ ପାରିଲା ନାହିଁ । ଏଣୁ ଲାଲମୋହନବାବୁ ଯେ ହତ୍ୟାକାରୀଙ୍କ ମଧ୍ୟରେ ମୁରବି ଲୋକ, ଏହା ବିଚାରକଙ୍କ ଆଗରେ କୌଣସି ଅମେଳ ନ କରି ବହୁ ସାକ୍ଷୀ କହିଗଲେ । ଶେଷରେ ହାକିମ ଲାଲମୋହନବାବୁଙ୍କୁ ପଚାରିଲେ, ତାଙ୍କର କ’ଣ କହିବାର ଅଛି ।

 

ଲାଲମୋହନବାବୁ କଚେରିରେ ଖୁବ୍ ଦମ୍ଭ ସହକାରେ ଛିଡ଼ା ହୋଇଥାନ୍ତି । ତାଙ୍କ ମୁହଁରେ ଧୈର୍ଯ୍ୟ ପ୍ରସନ୍ନତା ଖେଳି ଯାଉଥାଏ । ସେ ଟିକିଏ ହସି ଦେଇ କହିଲେ, ‘‘ଏତେ ଲୋକ କହି ଯାଉଛନ୍ତି ମୁଁ ସାହେବଙ୍କୁ ମାରିଥିଲି ବୋଲି । ଏମାନେ ସମସ୍ତେ ନିରୀହ, ଗାଁର ଲୋକ । କେତେ ଅତ୍ୟାଚାର ସହି ଏତିକି କହିବାକୁ ଏମାନେ ରାଜି ହୋଇଛନ୍ତି । ମୁଁ ବୁଝିପାରୁଛି, ମୁଁ ଏଠାରେ କୌଣସି ନ୍ୟାୟର ଆଶା ରଖିନାହିଁ । ଲୋକେ ଯେପରି ଉତ୍‌କ୍ଷିପ୍ତ ହୋଇ ସେ ସାହେବଙ୍କୁ ମାରି ପକାଇଲେ ସେହିପରି ଆପଣ ଉତ୍‌କ୍ଷିପ୍ତ ହୋଇ ମୋତେ ମାରି ପକାଇଲେ ମୋର କିଛି କହିବାର ନଥାନ୍ତା । ମାତ୍ର ଯେତେବେଳେ ନ୍ୟାୟ ବିଚାରର ଗୋଟିଏ ପ୍ରଦର୍ଶନୀ ଏଠି ଖୋଲା ଯାଇଛି ଓ ମୋତେ ମୋ କଥା କହିବାପାଇଁ ଗମ୍ଭୀର ଭାବରେ ପଚରା ଯାଉଛି, ମୁଁ ବାଧ୍ୟ ହୋଇ କହୁଛି ଯେ, ମୁଁ ସାହେବଙ୍କୁ ମାରିନାହିଁ । ବରଂ ମୁଁ ତାଙ୍କୁ ରକ୍ଷା କରିବାକୁ ଯାଉଥିଲି । ଆଗଭର ହୋଇ ମୁଁ ସାହେବଙ୍କ ସହିତ ତର୍କବିତର୍କ କରୁଥିଲି ସତ । ମାତ୍ର ସାହେବ ମଝିରେ ବୁଦ୍ଧି ହରାଇ ପିସ୍ତଲରେ ଦମାଦମ ଗୁଳି ମାରି ଯେତେବେଳେ କେତେଜଣଙ୍କୁ ମାରି ପକାଇଲେ, ସେତେବେଳେ ଜନତା କ୍ଷିପ୍ତ ହୋଇଯାଇଁ ତାଙ୍କୁ ଆକ୍ରମଣ କଲା । ମୋର ସମସ୍ତ ଶକ୍ତି ଦେଇ ମଧ୍ୟ ମୁଁ ତାଙ୍କୁ ରକ୍ଷାକରି ପାରିଲି ନାହିଁ । ମୁଁ ଯେ କାହିଁକି ତାଙ୍କୁ ରକ୍ଷା କରିବାକୁ ବାହାରିଲି ସେକଥା ସବୁ ବୁଝାଇ କହି ପାରିବି ନାହିଁ । ଏ ସାହେବ ସୈନ୍ୟମାନଙ୍କୁ ନେଇ ଯେ ପୈଶାଚିକ ଅତ୍ୟାଚାର ଗ୍ରାମେ ଗ୍ରାମେ ଗଡ଼ଜାତରେ ଚଳାଇଥିଲେ, ତାହା ମୁଁ ଆଖିରେ ଦେଖିଛି ।

 

ବେଳେବେଳେ ମୋ ପ୍ରାଣ ଭାବିଛି ଏହାକୁ ଉଚିତ ଶିକ୍ଷାଦେବା ପାଇଁ । ମାତ୍ର ପୁଣି ମୁଁ ଭାବିଛି ଯେ, ଜଣେ ଦୁଇ ଜଣଙ୍କୁ ଶିକ୍ଷା ଦେଇ ଲାଭ କ’ଣ ? ସେତେବେଳେ ସେ ଭିଡ଼ରେ ମୋ ମନରେ ସେହି କଥା ଉଠିଲା । ସାହେବଙ୍କୁ ରକ୍ଷା କରିବାପାଇଁ ମୁଁ ମଧ୍ୟ ମାଡ଼ ଖାଇଛି । ମୋତେ ଯେତେବେଳେ ଲୋକେ ଟାଣି ବାହାରକୁ ନେଇଗଲେ, ସେତେବେଳେ ସାହେବଙ୍କୁ ଏକୁଟିଆ ଲୋକ ଧରିଲେ । ମାତ୍ର ଏ କଥା ମୁଁ ବା କିପରି ପ୍ରମାଣ କରିବି ? କିପରି ବା ମୋ ମୁହଁରୁ ବାହାରିବ ଯେ, ଯେଉଁମାନେ ଏଠି ସାକ୍ଷୀ ଦେଇଗଲେ ସେହିମାନଙ୍କ ଭିତରୁ ଅନେକ ସେହିଦିନ ମୋତେ ସାହେବଙ୍କଠୁଁ ଛଡ଼ାଇ ଟେକି ନେଇଗଲେ । ସେମାନେ ନିରୀହ ଲୋକ; ଅତ୍ୟାଚାର ବିରୁଦ୍ଧରେ ମୁଣ୍ଡ ଟେକି ଉଠିଥିଲେ । ପୁଣି ଲାଠିମାଡ଼ ଖାଇ ମୁଣ୍ଡ ନୁଆଁଇ ଦେଇଛନ୍ତି । ପୁଣି ହୁଏତ ସେମାନେ ଉଠିବେ । ନିଶ୍ଚୟ ସେମାନେ ଉଠିବେ । ମୁଁ ଯଦି ଫାଶୀ ପାଏ–ପାଇବି, ଯେପରି ମୁଁ ଅନୁମାନ କରୁଛି–ତେବେ ଫାଶୀକାଠ ଉପରେ ମୃତ୍ୟୁ ସମ୍ମୁଖରେ ମୋର ଏତିକି ଆଶ୍ୱାସନା ଥିବ ଯେ, ଆଉ ଏ ଲୋକ ପାଶବିକ ଅତ୍ୟାଚାର ସହି ପାରିବେ ନାହିଁ । ଏମାନେ କଡ଼ ଲେଉଟାଇବେ ଓ ସେଇଥିରେ ଯେ ଭୂମିକମ୍ପ ଜାତ ହେବ ତାହାହିଁ ଏ ବିରାଟ ଅତ୍ୟାଚାର ସମସ୍ତଙ୍କୁ ଧୂଳିସାତ୍ କରାଇଦେବ ।’’

 

ବିଚାରପତି ମନ ଦେଇ ସବୁ କଥା ଶୁଣୁଥିଲେ । ଲାଲମୋହନବାବୁ ବନ୍ଦ ହେବାମାତ୍ରକେ ଧୀରେ ଧୀରେ କହିଲେ, ‘‘ଏହି ଆପଣଙ୍କ ଯାହା କିଛି କହିବାର । ଆପଣ ନିଜ ପକ୍ଷ ସମର୍ଥନ କରି ସାକ୍ଷୀ ଦେବେ ।’’

 

ଲାଲମୋହନବାବୁ ହସି ଦେଇ କହିଲେ, ‘‘ଆଉ ସେ ପ୍ରହସନ ଭିତରକୁ ମୁଁ ଯିବାକୁ ଚାହେଁ ନାହିଁ । ଯା ହେବାର ଶୀଘ୍ର ହୋଇଯାଉ । ମୋର ଏତିକି ସନ୍ତୋଷ ଯେ, ଲୋକେ ଅତ୍ୟାଚାରରେ ଭୀତ ନ ହୋଇଯାଇ କିଛିହେଲେ କରିଛନ୍ତି । ବିଶେଷତଃ ଯେ ସବୁଠାରୁ ବେଶି ଅତ୍ୟାଚାରୀ ତା’ର ବିଚାର ସେମାନେ କରି ଦେଇଛନ୍ତି । ଏଣିକି ମୁଁ ଫାଶୀ ପାଇଲେ ମୋର ଦୁଃଖ ନାହିଁ ।’’

 

ବିଚାରପତି ମୁହଁ ତଳକୁ କରି କିଛି ସମୟ ଭାବି ପୁଣି ମୁହଁ ଉଠାଇ କହିଲେ, ‘‘ଆଚ୍ଛା, ଆପଣ ଦୋଷୀ ନା ନିର୍ଦ୍ଦୋଷୀ ?’’

 

ଲାଲମୋହନବାବୁ କିଛିକ୍ଷଣ ଚିନ୍ତା କରି କହିଲେ, ‘‘ଏତେ ଲୋକଙ୍କୁ ଯେ ହତ୍ୟା ଅପରାଧରେ ଗିରଫ୍‍ଦାର ହୋଇଯାଇଛି, ଏମାନେ ନିର୍ଦ୍ଦୋଷ, ମୁଁ ଏକମାତ୍ର ଦୋଷୀ । ମାତେହିଁ ଫାଶୀ ହେଉ, ଏମାନଙ୍କୁ ମୁକ୍ତ କରିଦିଆଯାଉ ।’’

 

ବିଚାରପତି ମୁହଁ ତଳକୁ କରି ଲେଖିବାରେ ଲାଗିଲେ ।

 

ବିଚାର ସରିଲା । କିଛିଦିନ ପରେ ରାୟ ଦିଆଗଲା । ଲାଲମୋହନବାବୁ ଓ ଆହୁରି ତିନିଜଣଙ୍କୁ ଫାଶୀ ଓ କୋଡ଼ିଏ, ପଚିଣ ଜଣଙ୍କୁ ଯାବଜ୍ଜୀବନ କାରାବାସ ଓ ଅନ୍ୟମାନଙ୍କୁ ପାଞ୍ଚବର୍ଷ, ଦଶବର୍ଷ କରି ଜେଲ ହୁକୁମ ହେଲା । ଏ ହୁକୁମ ଶୁଣିଲାମାତ୍ରକେ ଲାଲମୋହନବାବୁଙ୍କ ମୁହଁ ଯେପରି ହଠାତ୍ ଶୁଖିଗଲା । ସେ ସେହି କଚେରିରେ ଶୁଖିଲା ମୁହଁରେ ଦିବ୍ୟସିଂହବାବୁଙ୍କୁ ଚାହିଁଦେଲେ । ଦିବ୍ୟସିଂହବାବୁ ମଧ୍ୟ ଦଣ୍ଡ ଦେବା ଶୁଣି ବିବ୍ରତ ହୋଇଗଲେ । ସେ ଲାଲମୋହନବାବୁଙ୍କ ଆଡ଼କୁ ଅନାଇଲେ ।

 

ଲାଲମୋହନବାବୁ ଅସ୍ପଷ୍ଟ ସ୍ୱରରେ କହିଲେ, ‘‘କୁମୁଦିନୀ, ଆପଣଙ୍କୁ ଲାଗିଲା ।’’

 

ଦିବ୍ୟସିଂହବାବୁ କେବଳ କୁମୁଦିନୀ ନାଁଟି ଶୁଣି ବିଷୟ ବୁଝିପାରିଲେ । ଆଉକିଛି କଥାବାର୍ତ୍ତା ହେବାକୁ ପୋଲିସ୍ ଅନୁମତି ଦେଲେ ନାହିଁ । ଲାଲମୋହନବାବୁ ଜେଲ୍‌କୁ ନିଆହେଲେ । ଦିବ୍ୟସିଂହବାବୁ ସିଧା ସେହିଠାରୁ ପୁରୀ ଆସିଲେ ।

 

–୩୦–

 

ସକାଳଓଳି ଦିବ୍ୟସିଂହବାବୁ କୁମୁଦିନୀଙ୍କ ବସା ଆଗରେ ରାସ୍ତା ଉପରେ ଛିଡ଼ା ହୋଇ ଏଣେତେଣେ ଅନାଉଛନ୍ତି, ଏହି ସମୟରେ କୁମୁଦିନୀ ଘରୁ ବାହାରି ଆସି, ‘‘ଆସନ୍ତୁ, ଭିତରକୁ’’ କହି ତରତର ହୋଇ ଚୌକି ସଜାଡ଼ି ବସିଲେ ।

 

‘‘ସେଦିନ ତୁମେ ବସା ଠିକଣାଟା କହିଥିଲ । ମୁଁ ସେୟାକୁ ଖୋଜି ଖୋଜି ଭାବୁଥିଲି, ଏହିକି, ୟା ପାଖ ବସା ।’’ ଏହା କହି କହି ହସି ହସି ପିଣ୍ଡା ଉପରକୁ ଉଠି ଚୌକିରେ ବସିଲେ । କୁମୁଦିନୀ ତାଙ୍କର ଗୋଡ଼ତଳେ ନଇଁ ଜୁହାର ହେଲା ।

 

ଦିବ୍ୟସିଂହବାବୁ ପଚାରିଲେ, ‘‘ନିଶାମଣି କିପରି ଅଛି ? ପିଲାଟା ଭଲ ଅଛି ତ ?’’

 

କୁମୁଦିନୀ ନମ୍ରଭାବରେ କହିଲେ, ‘‘ହଁ, ସମସ୍ତେ ଭଲ ଅଛନ୍ତି । ଲାଲମୋହନବାବୁଙ୍କ ଖବର କ’ଣ ? ଘର ଭିତରେ ନିଶାମଣି ଯେତେବେଳେ ଶୁଣିଲା, ତା’ ନାଁ ଧରି ଜଣେ କିଏ ପଚାରୁଛି ଓ ଲାଲମୋହନବାବୁଙ୍କ ଖବର ତାଙ୍କୁ କୁମୁଦିନୀ ପଚାରୁଛନ୍ତି, ସେତେବେଳେ ସେ ବିଛଣାରୁ ଉଠି ପଡ଼ି ଛିଡ଼ା ହୋଇଗଲା । ତା’ ଛାତି ଥରି ଉଠିଲା । ଏହିଥର ନିଶ୍ଚୟ ତା’ ସ୍ୱାମୀଠାରୁ କେହି ଲୋକ ଆସିଛି । ଏହିଥର ସବୁ ଖବର ବଳେ ଜଣାଯିବ । ଏହା ଭାବି ଆନନ୍ଦ ବିଷାଦ ଓ କୌତୂହଳ ସବୁ ମିଶି ତାକୁ ଏପାଖ ସେପାଖ କରିଦେଲେ । ସେ ଆସି କବାଟ ପାଖରେ ଆଡ଼ ହୋଇ ଛିଡ଼ା ହୋଇ ବାହାର କଥାବାର୍ତ୍ତା ଶୁଣିଲା । ଦିବ୍ୟସିଂହବାବୁ ଚୌକିରୁ ଉଠି କହିଲେ, ‘‘କହିବି ସବୁ କଥା, ଆଗେ ମୁଁ ପିଲାଟିକୁ ଦେଖେଁ ।’’

 

କୁମୁଦିନୀ ଦିବ୍ୟସିଂହବାବୁଙ୍କୁ ଘର ଭିତରକୁ ନେଇଗଲେ । ବାଟରେ ନିଶାମଣିଙ୍କୁ ଦିବ୍ୟସିଂହବାବୁଙ୍କୁ ଚିହ୍ନାଇ ଦେଲେ । ଲାଜରେ ନିଶାମଣି ମୁହଁ ତଳକୁ କରି ଦେଲା । ପିଲାଟି ପାଖକୁ ଯାଇ ତାକୁ ହାତରେ ଉଠାଇ କୋଳରେ ବସାଇ ଦିବ୍ୟସିଂହବାବୁ ହସି ହସି କହିଲେ, ‘‘ତୁ ତୋ ବାପାଠୁ ଆହୁରି ବଡ଼ମଣିଷ ହେବୁ ।’’ ପିଲାଟି ଅଚିହ୍ନା ଲୋକର କୋଡ଼ ନ ବାରି ପାକୁଆ ପାଟିରେ ହସିଲା, ଯେପରି ଉଠାଣିଆ ମେଘ ଖୁବ୍ ବର୍ଷା ହୋଇ ଛାଡ଼ିଗଲା ପରେ କଅଁଳିଆ ଖରା ପୁଣି ଖେଳିଯାଏ । ଶିଶୁର ହସ ଦେଖି ଦିବ୍ୟସିଂହବାବୁ ଭାରି ଖୁସି ହେଲେ । ତା’ ସହିତ କିଛି ସମୟ କୌତୁକ କରି ନିଶାମଣି ଆଡ଼କୁ ଅନାଇ କହିଲେ, ‘‘ମୁଁ ଏହାଙ୍କ ନାମ ଅନେକ ଦିନୁ ଶୁଣିଥିଲି; ମାତ୍ର କେବେ ଦେଖି ନଥିଲି । ଯାହାହେଉ ସବୁ ଭଲ ତ ?’’

 

ନିଶାମଣି ସଙ୍କୁଚିତ ହୋଇ ଗୋଟିଏ ପାଖରେ ମୁହଁ ତଳକୁ କରି ଛିଡ଼ା ହୋଇଥାଏ । ତା’ପରେ ଦିବ୍ୟସିଂହବାବୁ ବାହାରକୁ ଆସି କୁମୁଦିନୀକୁ କହିଲେ, ‘‘ଚାଲ ମୋ ସାଙ୍ଗରେ ଧର୍ମଶାଳାକୁ ଯିବ, ମୁଁ ଏଥର ସେଇଠି ଆସି ଅଛି ।’’

 

କୁମୁଦିନୀ ଭିତରକୁ ଯାଇ ଲୁଗାପଟା ପିନ୍ଧି ନିଶାମଣିକୁ କହିଦେଇ ଦିବ୍ୟସିଂହବାବୁଙ୍କ ସହିତ ଧର୍ମଶାଳାକୁ ବାହାରିଲେ । ନିଶାମଣି ବ୍ୟଗ୍ର ହୋଇ ପଚାରିଲା, ‘‘କ’ଣ ତାଙ୍କ ଖବର ?’’

 

କୁମୁଦିନୀ ତରତର ହୋଇ କହିଲେ, ‘‘କିଛି ସେ କହି ନାହାନ୍ତି । ସେଇକଥା ବୁଝିବାପାଇଁ ଯାଉଛି ।’’ ନିଶାମଣି ମୁହଁ ଶୁଖାଇଦେଇ ନିଃଶ୍ୱାସଟିଏ ମାରିଲା । କୁମୁଦିନୀ ଦିବ୍ୟସିଂହବାବୁଙ୍କ ସାଙ୍ଗରେ ଧର୍ମଶାଳାକୁ ଗଲେ ।

 

ଧର୍ମଶାଳାର ଉପର ତାଲାରେ ଗୋଟିଏ କୋଣ ବଖରାରେ ଖଟିଆ ଉପରେ ଦିବ୍ୟସିଂହବାବୁ ବସିଲେ । ନିଜେ ଖଣ୍ଡେ ସତରଞ୍ଜି ନିଜ ବିଛଣାରୁ ବାହାର କରି ମୁକୁଦିନୀ ପାଇଁ ପକାଇ ଦେବାକୁ ଯାଉଥିଲେ । ମାତ୍ର କୁମୁଦିନୀ ତାଙ୍କୁ ବାଧାଦେଇ ନିଜେ ସତରଞ୍ଜି ପକାଇ ଦେଇ ବସିଯାଇ ବ୍ୟଗ୍ରହୋଇ ପଚାରିଲେ, ‘‘କ’ଣ କହନ୍ତୁ ଲାଲମୋହନବାବୁଙ୍କ ମୋକଦ୍ଦମା ଖବର ।’’

 

ଦିବ୍ୟସିଂହବାବୁ–‘‘ଦେଶସେବାର ସର୍ବୋତ୍କୃଷ୍ଟ ପୁରସ୍କାର ତାଙ୍କୁ ମିଳିଛି । ବାସ୍ତବିକ ସେ ଭାଗ୍ୟବାନ ।’’

 

କୁମୁଦିନୀଙ୍କ ଧୈର୍ଯ୍ୟ ଶେଷ ସୀମାରେ ସେ ଉଦ୍‌ଗ୍ରୀବ ହୋଇ ଚାହିଁଥାଆନ୍ତି । କିଛିକ୍ଷଣ ନୀରବ ହୋଇ ଦିବ୍ୟସିଂହବାବୁ କହିଲେ, ‘‘ତୁମେ ତାଙ୍କୁ ଭଲ ପାଇଥିଲ, ସେ ମଧ୍ୟ ତୁମକୁ ଭଲ ପାଉଥିଲେ । ଏଣୁ ତୁମେ ତାଙ୍କର ବାକି କାମତକ କରିବାକୁ ବାହାରିବା ଉଚିତ ।’’

 

କୁମୁଦିନୀ ବ୍ୟସ୍ତହୋଇପଡ଼ି କହିଲେ, ‘‘କ’ଣ ହେଲା କହନ୍ତୁ ।’’

 

ଦିବ୍ୟସିଂହବାବୁ–‘‘ମୋ ଜିଭ ଲେଉଟୁ ନାହିଁ କହିବାକୁ, କାରଣ ମୁଁ ଅତି ଦୁର୍ବଳ । ମୁହଁରେ ସିନା ମୁଁ ଟାଣ ଦେଖାଉଛି, ମୋ ଭିତରଟା ଥରୁଛି ।’’

 

କୁମୁଦିନୀଙ୍କ ଉଦ୍‌ବେଗ ସ୍ଥଳକୂଳ ନ ମାନି ବଢ଼ି ଚାଲିଛି । ନିଃଶ୍ୱାସ ପ୍ରଖର ହୋଇଉଠୁଛି-। ସେ ଏକଧ୍ୟାନରେ ଦିବ୍ୟସିଂହବାବୁଙ୍କ ଓଠକୁ ଅନାଉଅଛନ୍ତି । ଦିବ୍ୟସିଂହବାବୁ ତଳକୁ ମୁହଁକରି କିଛିକ୍ଷଣ ଚୁପ୍‍ରହି କହିଲେ, ‘‘ତାଙ୍କୁ ମୃତ୍ୟୁଦଣ୍ଡ ହୋଇଛି ।’’ ଏ ପଦକ ବାହାରିଲାମାତ୍ରକେ କୁମୁଦିନୀ ଚିତ୍କାର କରି କହି ଉଠିଲେ, ‘‘କ’ଣ କହିଲେ ?’’ ତା’ପରେ ସେ ମୂର୍ଚ୍ଛାହୋଇ ପଡ଼ିଗଲେ-। ଦିବ୍ୟସିଂହବାବୁ ବ୍ୟସ୍ତହୋଇ ତାଙ୍କୁ ଉଠାଇ ମୁହଁରେ ପାଣି ଛାଟି ଚେତା କରାଇ ତାଙ୍କ ମୁଣ୍ଡରେ ପଙ୍ଖା କରିବାରେ ଲାଗିଲେ । କୁମୁଦିନୀ ସଚେତନ ହୋଇ ମଧ୍ୟ ଜଳକାପରି ଚାହିଁ କିଛି କଥା କହୁ ନଥାନ୍ତି । ଦିବ୍ୟସିଂହବାବୁ ତାଙ୍କୁ ନିଜ ଛାତିରେ ଆଉଜାଇ ପଙ୍ଖା କରୁଛନ୍ତି । କିଛି ସମୟ ପରେ କୁମୁଦିନୀ ଆଖିରୁ ଝରଝର ହୋଇ ଲୁହ ବାହାରିବାରେ ଲାଗିଲା । ଦିବ୍ୟସିଂହବାବୁ କିଛି କହୁ ନଥାନ୍ତି, ନୀରବରେ ସେ ଅଶ୍ରୁବର୍ଷଣ ଦେଖୁଥାନ୍ତି ।

 

‘‘ଏହି ଖବର ଦେବାପାଇଁ ମୋତେ ଏଠିକି ଡାକି ଆଣିଥିଲେ ? ମୋର ଆଶାର ଜାହାଜ ଚୂରମାର ହୋଇ ସମୁଦ୍ରର ବାଲି ହୋଇଗଲା । ଆଉ ମୁଁ ବଞ୍ଚିବି କାହିଁକି ?’’

 

ଦିବ୍ୟସିଂହବାବୁ–‘‘ଏ କ’ଣ କୁମୁଦିନୀ ? ଏ କ’ଣ ତୁମର ପ୍ରିୟପ୍ରତି କର୍ତ୍ତବ୍ୟ ! ଦେଶ ସେବା କରି ଯାହା ଜଣେ ଖୋଜି ଖୋଜି ନ ପାଏ ତା’ ଭାଗ୍ୟରେ ମିଳିଗଲା । ତାଙ୍କ ପ୍ରତି ତୁମ୍ଭର ସ୍ନେହ ଥିଲେ ଦୃଢ଼ହୁଅ, ଛାତି ଦମ୍ଭ କର । ଏ କ’ଣ ?’’

 

ଶେଷରେ ଯେତେବେଳେ ସୁଦର୍ଶନ ଆସି ଛିଡ଼ା ହୋଇଗଲା, ସେତେବେଳେ ଦିବ୍ୟସିଂହବାବୁ ଜାଣିଲେ ଯେ ବୋଧହୁଏ ଖାଇବାପାଇଁ ଡାକିବାକୁ ଆସିଛି । ସୁଦର୍ଶନ ବିସ୍ମିତ ହୋଇ ଚାହିଁ ଦେଖିଲା ଯେ, କୁମୁଦିନୀ କାନ୍ଦି କାନ୍ଦି ଅସ୍ଥିର । ଦିବ୍ୟସିଂହବାବୁଙ୍କ ମୁହଁ ମଧ୍ୟ ଦୁଃଖରେ ଭରା । ସେ କିଛି ନ କହି ନୀରବରେ ସବୁ ଦେଖୁଥାଏ ।

 

ଦିବ୍ୟସିଂହବାବୁ ପାଟିକରି କହିଲେ, ‘‘କୁମୁଦିନୀ, ତୁମ୍ଭଙ୍କୁ ଖାଇବାକୁ ଡାକି ଆସିଛି । ଧୈର୍ଯ୍ୟଧର, ଏପରି କାହିଁକି ହେଉଛ ?’’ କୁମୁଦିନୀ ସୁଦର୍ଶନ ଆଡ଼କୁ ଚାହିଁ ବାହୁନି ହେଲା, ‘‘ଆଉ କାହିଁକି ଖାଇବି ? ଆଉ ଏ ଦେହରେ କି ପ୍ରୟୋଜନ ? ଯାହାର ଏ ଦେହ ସେତ ଆଉ ନାହିଁ, ମୁଁ ଆଉ ବଞ୍ଚିବି କାହିଁକି ?’’

 

ସୁଦର୍ଶନ ଓଡ଼ିଆ ଭଲ ବୁଝିପାରୁ ନଥାଏ । ମାତ୍ର ଦିବ୍ୟସିଂହବାବୁଙ୍କ ସାନ୍ତ୍ୱନା ଓ କୁମୁଦିନୀଙ୍କ ବାହୁନାରୁ ବେଶ୍ ବୁଝିପାରିଲା ଯେ ବୋଧହୁଏ ଲାଲମୋହନବାବୁଙ୍କର କିଛି ଅନିଷ୍ଟ ଘଟିଛି । ସେ ଦିବ୍ୟସିଂହବାବୁଙ୍କ ପାଖକୁ ଯାଇ ଚୁପ୍ କରି ପଚାରିଲା, ‘‘ବାବୁଜୀ କ୍ୟା ହୁଆ ?’’

 

ଦିବ୍ୟସିଂହବାବୁ–‘‘ଲାଲମୋହନବାବୁଙ୍କୁ ଫାସିକା ହୁକୁମ ହୁଆ ହୈ ।’’

 

ସୁଦର୍ଶନର ମୁହଁ ହଠାତ୍ ଶୁଖିଗଲା । କାରଣ ସେ ଜାଣେ କୁମୁଦିନୀଙ୍କ ସହିତ ତାଙ୍କର ସମ୍ପର୍କ । ସୁଦର୍ଶନକୁ ସେତିକି କହିଦେଇ ଦିବ୍ୟସିଂହବାବୁ ପସ୍ତେଇ ହେଲେ ଯେ ସେ କାହିଁକି କହିଲେ । କାରଣ ସେ ହୁଏତ ହଠାତ୍ ଯାଇ ସେ ଖବର ନିଶାମଣିକୁ ଦେଇ ଦେବ । ଏଣୁ ସୁଦର୍ଶନକୁ ବୁଝାଇ କହିଲେ, ‘‘ଏହା ସେଠି କହିବ ନାହିଁ, ସାବଧାନ ।’’

 

ସୁଦର୍ଶନ–‘‘ଜୀ, ହଜୁର’’ କହି ଏକପାଖିଆ ହୋଇ ଛିଡ଼ା ହେଲା ।

 

ଦିବ୍ୟସିଂହବାବୁ–‘‘ଏପରି କାହିଁକି ହେଉଛ ? ତୁମେ ବୁଝୁନାହଁ । ତୁମେ ଜଣେ କର୍ତ୍ତୃସ୍ଥାନୀୟା । ତୁମକୁ ପରା ଆଉ କେତେଜଣକୁ ସାନ୍ତ୍ୱନା ଦେବାକୁ ହେବ । ନିଶାମଣିକୁ ଯେ ଆଣିଛ ସେ ପରା ତୁମକୁ ଚାହିଁଛି, ତୁମେ ତ ଏପରି ହେଉଛ ତାକୁ କ’ଣ ସାନ୍ତ୍ୱନା ଦେବ ?’’ ଏ କଥା କୁମୁଦିନୀ ମନରେ ଧଇଲା । ନିଜର ଚିନ୍ତାକୁ ଦବାଇ ନିଶାମଣି ଚିନ୍ତା ତାଙ୍କ ମନରେ ଭଦ୍ରେକ ହେଲା । ସେ ବହୁ କଷ୍ଟରେ ନିଜକୁ ସଂଯତ କରି ଗୁମ୍‍ମାରି ବସି ରହିଲେ । ଯେପରି କି ତାଙ୍କ ମନ ଭିତରେ ଏକ ଭାରୀ ସଂଘର୍ଷ ଚାଲିଛି, ନିଜ ଘେନି ଚିନ୍ତା ଓ ନିଶାମଣି ବିଷୟରେ ଚିନ୍ତା, ଏ ଦୁହିଁଙ୍କ ଭିତରେ ।

 

ଦିବ୍ୟସିଂହବାବୁ–‘‘ପୁଣି ଏ ରାୟ ବିରୋଧରେ ଅପିଲ୍ ହେବ । ଦେଖାଯାଉ କ’ଣ ହେଉଛି । ଏପରି ଅସ୍ଥିର କାହିଁକି ହେଉଛ ?’’ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିର ଜହ୍ନପରି ଏକ କ୍ଷୀଣ ଆଶାର ରେଖା କୁମୁଦିନୀଙ୍କ ଅନ୍ଧାର ହୃଦୟରେ ଦେଖାଗଲା । ସେ ତ ଆଶା ଯୁକ୍ତିତର୍କ କିଛି ମାନେ ନାହିଁ । ଧୀରେ ଧୀରେ କୁମୁଦିନୀ ଶାନ୍ତ ହେଲେ । ସେତେବେଳକୁ ଦିନ ଢେର୍ ହୋଇ ଗଲାଣି । ଖାଇବାବେଳ ଗଡ଼ିଗଲାଣି । କୁମୁଦିନୀକୁ ମୁହଁ ଧୋଇବାପାଇଁ ଦିବ୍ୟସିଂହବାବୁ ଲୋଟାରେ ପାଣି ଦେଲେ । ମୁହଁ ଧୋଇ କୁମୁଦିନୀ ଯିବାକୁ ବାହାରିଲେ । ଦିବ୍ୟସିଂହବାବୁ ସାଙ୍ଗରେ ଯିବାପାଇଁ ବାହାରିଲେ । ମାତ୍ର କୁମୁଦିନୀ ନିଷେଧ କରି କ୍ଷୀଣସ୍ୱରରେ କହିଲେ, ‘‘ଆପଣ ଥାଆନ୍ତୁ । ମୁଁ ଅଳ୍ପ ସମୟ ଭିତରେ ଆସିବି ।’’ କୁମୁଦିନୀ ଚାଲିଗଲା ପରେ ଦିବ୍ୟସିଂହବାବୁ ଚିନ୍ତିତ ଭାବରେ ଖଟିଆରେ ଅନେକ ସମୟ ପଡ଼ି ରହିଲେ । ସେଦିନ କିଛି ଖାଇବାକୁ ତାଙ୍କର ଆଉ ମନ ହେଲା ନାହିଁ ।

 

କୁମୁଦିନୀ ଯେତେବେଳେ ବସାରେ ପହୁଞ୍ଚିଲେ ସେତେବେଳକୁ ସେ ମନକୁ ନିଜ ବାଗକୁ ଆଣି ସାରିଥିଲେ । କାରଣ ତାଙ୍କୁ ନିଶାମଣିଙ୍କ ସମ୍ମୁଖୀନ ହେବାକୁ ହେବ । ମୁରବିମାନଙ୍କୁ ଛାତି ପଥର କରି କେତେ ଯେ ସମ୍ଭାଳି ଚାଲିବାକୁ ହୁଏ ତା’ କୁମୁଦିନୀ ଅଙ୍ଗେ ନିଭାଇ ଥାଆନ୍ତି । ବସାରେ ପହୁଞ୍ଚି ଆଗେ ନିଶାମଣି ପ୍ରତି ବିରକ୍ତ ହେଲେ ଯେ ସେ କାହିଁକି ଖାଇ ନେଇ ନାହିଁ । ତା’ପରେ ସୁଦର୍ଶନ ପ୍ରତି ବିରକ୍ତ ହେଲେ ଯେ କାହିଁକି ନିଶାମଣିଙ୍କୁ ଖାଇବାକୁ ନ ଦେଇ ସେଠାକୁ ଚାଲିଗଲା ।

 

ନିଶାମଣି ବ୍ୟଗ୍ର ହୋଇ ପଚାରିଲା, ‘‘କ’ଣ ଖବର ? ମୋତେ ଟିକିଏ ଶୁଣାଅ ଭଲା । ମୁଁ କ’ଣ କେହି ନୁହେଁ, ନା ?’’

 

କୁମୁଦିନୀ ଆଗ ଖାଇବାପାଇଁ ଜିଦ୍ କଲେ । ମାତ୍ର ନିଜେ ଖାଇବାପାଇଁ ତାଙ୍କ ମନ ବଳୁ ନଥାଏ । ସେ କହିଲେ, ‘‘ମୁଁ ସେଠୁ ଖାଇ ଆସିଛି, ତୁମେ ଖାଇନିଅ । ଖାଇ ସାରିଲା ପରେ ଖବର କହିବି ।’’

 

ନିଶାମଣି ବିରସ ହୋଇ ଖାଇବା ଘରକୁ ଗଲା । କୁମୁଦିନୀ ବାହାର ଘରେ ବିଛଣାରେ ଶୋଇ ନିଜର ଚିନ୍ତାକୁ ଦମନ କରିବାକୁ ଚେଷ୍ଟା କଲେ । ଖାଇବାବେଳେ ସୁଦର୍ଶନ ଚୁପ୍ ଚୁପ୍ କରି କହିଲା ଯେ, କୁମୁଦିନୀ ଖାଇ ନାହାନ୍ତି ଓ ସେଠାରେ ସେ ବହୁତ କାନ୍ଦୁଥିଲେ । ନିଶାମଣି ଏ ଖବର ପାଇ ଖାଇବା ଛାଡ଼ି କୁମୁଦିନୀକୁ ଆସି ଡାକିଲା । ତୁମେ କୁଆଡ଼େ ଖାଇନାହଁ, ଆସ ଖାଇବା ଆସ । କୁମୁଦିନୀ ଇତସ୍ତତଃ ହୋଇଯାଇ ସୁଦର୍ଶନ ଉପରେ ବିରକ୍ତ ହେଲେ । ନିଶାମଣି ନିତାନ୍ତ ଜିଦ୍ କରି ପଚାରିଲେ, ‘‘କ’ଣ ଖବର ମୋତେ କହିବାକୁ ହେବ । ନହେଲେ ମୁଁ ଛାଡ଼ିବି ନାହିଁ ।’’

 

କୁମୁଦିନୀ କ’ଣ କହିବେ କିଛି ବୁଝିପାରୁ ନଥାନ୍ତି । ଭାବୁଥାନ୍ତି ତାକୁ କିଛି ଜଣାଇବେ ନାହିଁ । ମାତ୍ର ନ ଜଣାଇ ଶେଷରେ କରିବେ କ’ଣ ? ତାଙ୍କର ସମସ୍ତ ଯୋଜନା ତ ପଣ୍ଡ ହେବାକୁ ଯାଉଛି । କେତେଦିନ ଖବର ଲୁଚେଇବେ । ବରଂ ଆଗରୁ କହି ତା’ ମନକୁ ବାଟକୁ ଆଣିପାରିଲେ ଭଲ । ନିଜର ଅବସ୍ଥା ସହ ମୋକଦ୍ଦମାର ମୂଳ ବିବରଣ ଶୁଣାଇ ଶେଷରେ ଫାଶୀର ଖବର କହିଲେ । ଉଦ୍‍ଗ୍ରୀବ ହୋଇ ନିଶାମଣି ସବୁ ଶୁଣୁଥାଏ । ମଝିରେ ମଝିରେ ତା’ର ଶ୍ୱାସରୁଦ୍ଧ ହୋଇ ଯାଉଥାଏ । ଶେଷରେ ଯେତେବେଳେ ଫାଶୀର ଖବର ଶୁଣିଲା, ସେତେବେଳେ ସେ କଳ୍ପନାକୁ ଆଣି ପାରିଲା ନାହିଁ ଯେ, ବ୍ୟାପାର କ’ଣ ହେଲା ? ସେ ଜଳଜଳ ହୋଇ ଚାହିଁ ରହିଲା ।

 

ତା’ପରେ ଯାଇ ନିଜ ବିଛଣା ଉପରେ ପଡ଼ି ରହିଲା । କୁମୁଦିନୀ ଆଶ୍ୱସ୍ତ ହେଲେ ଯେ, ସେପରି ଶୋକର ଆବେଗରେ ନିଶାମଣି ବିକ୍ଷିପ୍ତ ହୋଇ ନାହିଁ । ବିଛଣାରେ କିଛି ସମୟ ପଡ଼ିରହି ତା’ପରେ ଉଠି ନିଶାମଣି ନିଜ ଗାଁରୁ ଯେଉଁ ଛୋଟ ବଟୁଆଟିଏ ଆଣିଥିଲା ତାକୁ ବାହାର କରି ନିଜ କଡ଼ ତଳେ ତାକୁ ମାଡ଼ି ପୁଣି ବିଛଣାରେ ପଡ଼ି ରହିଲା । ତା’ ମୁହଁରୁ ଜଣେ କିଛି ଜାଣିପାରିବ ନାହିଁ ଯେ, ତା’ ମନରେ କି ଚିନ୍ତା କାମ କରୁଛି । କୁମୁଦିନୀ ନିଜ ବିଛଣାରୁ ଉଠିପଡ଼ି କହିଲେ, ‘‘ଯାହାଭାଗ୍ୟରେ ଥିବ ତା’ ହେବ । ବର୍ତ୍ତମାନ ଏହି ଶିଶୁଟିହିଁ ସମ୍ବଳ । ଏହାକୁ ଯତ୍ନ ନେଇ ଦୀର୍ଘଜୀବୀ କରାଇବାକୁ ହେବ ।’’ ନିଶାମଣି କୁମୁଦିନୀଙ୍କ ମୁହଁକୁ ଚାହିଁଦେଲା, ମାତ୍ର କିଛି କହିଲା ନାହିଁ ।

 

କୁମୁଦିନୀ ପିଣ୍ଡାରେ ଚୌକି ଉପରେ କିଛି ସମୟ ଗୁମ୍‍ମାରି ବସି, ଭିତରକୁ ଆସି କହିଲେ, ‘‘ନିଶାମଣି ତୁମେ ଥାଅ, ମୁଁ ଦିବ୍ୟସିଂହବାବୁଙ୍କଠୁ ଆସେ । ମନ ଖରାପ କର ନାହିଁ । ଏକ ନୌକାରେ ତମେ ଓ ମୁଁ ବସିଛେ; ଯାହା ହେବ ଦୁହିଁଙ୍କର ହେବ ।’’

 

–୩୧–

 

ଦିବ୍ୟସିଂହବାବୁ କୁମୁଦିନୀକୁ ଅପେକ୍ଷା କରି ବସିଛନ୍ତି । ତାଙ୍କୁ ମଧ୍ୟ କିଛି ବୁଦ୍ଧି ଦିଶୁ ନଥାଏ, କିପରି ସେ ଏ ଦୁଇଜଣ ସ୍ତ୍ରୀଲୋକଙ୍କୁ ସାନ୍ତ୍ୱନା ଦେବେ । ସେ ମନେମନେ ଭାବି ଆଶ୍ୱସ୍ତ ହେଉଥାନ୍ତି ଯେ, ଏ ପ୍ରକାର ଜଞ୍ଜାଳରୁ ସେ ନିଜେ ମୁକ୍ତ । ବାସ୍ତବିକ ପରାଧୀନ ଦେଶରେ ଦେଶସେବା କରିବାକୁ ବାହାରି ସବୁ ଦଉଡ଼ି ନ କାଟି ଦେଲେ ଚଳିବ ନାହିଁ । ଲାଲମୋହନ ତ ତାହାହିଁ ବୁଝି ସବୁ ଛାଡ଼ିଛୁଡ଼ି ଦେଇଥିଲା । ପୁଣି କାହିଁକି ଏ ଅବ୍ୟାପାରରେ ପଶିଲା । ନିଶାମଣି ତା’ର ଘରେ ମାଡ଼ି ଜାକି ହୋଇ ରହିଯାଇଥିଲା । ପିଲାଟିକି ନେଇ ତା’ର ଘରେ କୌଣସି ପ୍ରକାରେ ଥାଆନ୍ତା । ତାକୁ ବା କାହିଁକି ପୁରୀ ଅଣାହେଲା । ଏ ସବୁ ଅଡ଼ୁଆ ମେଲାଇବାର କି ପ୍ରୟୋଜନ ଥିଲା । ଯଦି ଏଆଡ଼େ ଏତେ ମନ, ତେବେ ସେଆଡ଼େ ବା ଏତେ ଉନ୍ମାଦନା କାହିଁକି ? ଏହିପରି ଭାବି ଦିବ୍ୟସିଂହବାବୁ ଲାଲମୋହନଙ୍କ ପ୍ରତି ବିରକ୍ତ ହୋଇ ଯାଉଥାନ୍ତି । ମାତ୍ର ପୁଣି ସେ ବିରକ୍ତିପାଇଁ ଦୁଃଖିତ ହେଉଥାନ୍ତି । କାରଣ ତା’ର ତ ସବୁ ଶେଷ ହେଲା, ସେ ତ ଟିକଟ୍ କାଟିଲାଣି । ଆଉ ତା’ କାମ ସମାଲୋଚନା କରି ଲାଭ କ’ଣ ?

 

ଏହି ସମୟରେ କୁମୁଦିନୀ ଆସି ପହୁଞ୍ଚିଲେ । ମୁହଁ ସେହିପରି ଶୁଖିଲା, ଖାଇ ନଥିବାରୁ ଆହୁରି ମଧ୍ୟ ଟିକିଏ ଶୁଖିଲା ଦେଖାଯାଉଛି । ଦିବ୍ୟସିଂହବାବୁ ସ୍ନେହଭରେ ବସିବାପାଇଁ କହିଲେ ।

 

କୁମୁଦିନୀ–‘‘ସେତେବେଳେ ଯେ ଅପିଲ୍ କଥା କହୁଥିଲେ ତା’ର କି ବ୍ୟବସ୍ଥା ହେଉଛି-?’’

 

ଦିବ୍ୟସିଂହବାବୁ ‘‘ହଁ, ହେଉଛି । ମାତ୍ର...।’’ କୁମୁଦିନୀ ବ୍ୟସ୍ତ ହୋଇ ଅନାଇଥାନ୍ତି, କ’ଣ ପୁଣି କହିବେ ।

 

କୁମୁଦିନୀ–‘‘ଥାଉ ଅସୁବିଧା କ’ଣ ?’’

 

ଦିବ୍ୟସିଂହବାବୁ ମୁହଁ ତଳକୁ କରି କହିଲେ, ‘‘ତୁମେ ତ ଏତେ ବ୍ୟସ୍ତ ହୋଇ ପଡ଼ୁଛ, ତୁମକୁ ମୁଁ କ’ଣ କହିବି କିଛି ବୁଝିପାରୁନାହିଁ । ତୁମେ କହୁଥିଲ ଦୁଃଖୀ ସେବାପାଇଁ ତୁମେ ବାହାରିଛ; ମାତ୍ର ଏତେ ନରମ ହୃଦୟରେ ତୁମେ ତ କିଛି କରିପାରିବ ନାହିଁ । କେତେ ଝଡ଼ତୋଫାନ ସହିବାକୁ ହେବ, କେତେ ଢେଉ ଏ ଲୁହା ଛାତିରେ ଆସି ବାଜିବ ବର୍ତ୍ତମାନ ଏହି ଯେଉଁ ସମସ୍ୟା ଉପସ୍ଥିତ ହୋଇଛି, ଏଥିରେ କର୍ତ୍ତବ୍ୟ ନିର୍ଣ୍ଣୟ କରିବାକୁ ହେଲେ ଖୁବ୍ ଦମ୍ଭ ଧରିବାକୁ ହେବ । ଧୀର ଭାବରେ ଚିନ୍ତା କରିବାପାଇଁ ଚେଷ୍ଟା କର । ତା’ଛଡ଼ା ଯେ ସେବକ ବା ସେବିକା ହେବାକୁ ଯିବ, ସେ ମମତାକୁ ଏତେଦୂରକୁ ନେବା ଠିକ୍ ନୁହେଁ । ମୁଁ ଦାର୍ଶନିକ ହିସାବରେ କହୁନାହିଁ, ଜଣେ ସାଧାରଣ ଲୋକ ହିସାବରେ ବିଚାର କରି କହୁଛି । ପରାଧୀନ ଦେଶରେ ଦେଶ ସେବା ଅର୍ଥ ଯେକୌଣସି ସମୟରେ ଜେଲ ବା ଫାଶୀ । ସେତିକିକୁ ମଇଦାଣ୍ଡି କରି ଚାରିଆଡ଼କୁ ଯେ ଯେତିକି ପାରିବ ପ୍ରସାର କରିବ । ଆଜି ସକାଳେ ତୁମେ ଯେପରି ହେଲ ମୋତେ ବଡ଼ ଆଶ୍ଚର୍ଯ୍ୟ ଲାଗିଲା । ଅବଶ୍ୟ ତୁମ ମନ ମୁଁ ବୁଝୁଛି । ମାତ୍ର ନିଜକୁ ନିଜେ ସମ୍ଭାଳିବାର ଉଦ୍ୟମ ସୁଦ୍ଧା ତୁମେ ଟିକେ କରିପାରୁନାହଁ । ଏ ତ ଏକ ଭୀଷଣ ଅଯୋଗ୍ୟତା ।’’ ଏତିକି କହି ନୀରବ ରହିଲେ ।

 

କୁମୁଦିନୀ ଲଜ୍ଜିତ ହୋଇ କହିଲେ, ‘‘ଦୁର୍ବଳ ମୋ ମନ, କାହିଁକି ଏତେ ଦୁର୍ବଳ ଆପଣ ଜାଣନ୍ତି ନାହିଁ । ଏ ଛାତି ଏକ ସମୟରେ ପାଷାଣଠାରୁ ଆହୁରି କର୍କଶ ହୋଇଥିଲା, ଲୁହାଠାରୁ ଆହୁରି କଠିନ ହୋଇଥିଲା । କିନ୍ତୁ କି ବେଳାରେ ଲାଲମୋହନବାବୁଙ୍କ ସହିତ ମୋର ଦେଖା ହୋଇଗଲା, ଆଉଟି ହେଲା ପରି ମୋର ସେ କଠିନ ହୃଦୟ ତରଳି ଗଲା । ଏତେ ତରଳ ଯେ, ମୁଁ ନିଜେ ତାକୁ ସମ୍ଭାଳି ପାରୁନାହିଁ ।’’

 

ଦିବ୍ୟସିଂହବାବୁ–‘‘ଆଶ୍ରମ ଜୀବନ ଅର୍ଥ ଏ ସବୁ ମମତାକୁ ଯେତେ କମାଇ ଦିଆଯାଇପାରେ, ତେତେ କମାଇ ଦେବା । ତୁମେ ଭାବି ଦେଖ, ନାନାପ୍ରକାର ମମତା ଚାରିଆଡ଼େ ମେଲାଇ ଉତ୍ସାହ ସହକାରେ ଜଣେ ପରାଧୀନ ଦେଶର ସ୍ୱାଧୀନତା ସକାଶେ କାମ କରି ପାରିବ କି-? ତେଣୁ ମୁଁ ତୁମକୁ କହୁଥିଲି ଚାଲ ଆଶ୍ରମରେ ରହିବ । ସେଠି ଯେ ବେଶି କିଛି ଅଛି, ତାହା ନୁହେଁ-। ଆଶ୍ରମରେ ରହିବା ଅର୍ଥ ଏ ସବୁ ଝଞ୍ଜଟରୁ ନିଜକୁ ଦୂରରେ ରଖିବା ।’’

 

କୁମୁଦିନୀ–‘‘ମୁଁ ଇଚ୍ଛା କରେ ବା ନ କରେ ମୋର ଆଶ୍ରୟହିଁ ଶେଷ ଆଶ୍ରୟ, ମୁଁ ଭାବି ଦେଖୁଛି । କିନ୍ତୁ ମୋତେ ଆପଣ ଆଶ୍ରମକୁ ନେବେ କି ?’’

 

ଦିବ୍ୟସିଂହବାବୁ–‘‘କାହିଁକି ନୁହେଁ, ମୁଁ ତ ଅନେକ ଦିନୁ ସେ କଥା କହିଛି ।’’

 

କୁମୁଦିନୀ–‘‘ମୋର ପୂର୍ବ ଇତିହାସ ଆପଣ ଜାଣିଲେ, ମୋତେ ଆପଣ ଘୃଣା କରିବେ । ପାଖରେ ବସାଇ ଦେବେ ନାହିଁ ।’’

 

ଦିବ୍ୟସିଂହବାବୁ–‘‘କ’ଣ ତୁମର ଏପରି ପୂର୍ବ ଇତିହାସ ଯେ, ବାରବାର ସେ କଥା ଦେଖାଇ ଦେଉଛ ଅଥଚ କହୁନାହଁ ।’’

 

କୁମୁଦିନୀ–‘‘ମୁଁ ଆଜି ମନକୁ ଦୃଢ଼ କରି ଆସିଛି, ଆପଣଙ୍କୁ ସେ କଥା କହିବାପାଇଁ । ଆଶାର ଆଲୁଅରେ ମୁଁ ଅନ୍ଧାର ବାଟରେ ଚାଲୁଥିଲି, ସେ ଆଲୁଅ ନିଭିଯାଇଛି । ଆଉ ମୋର ଜୀବନରେ ଅଛି କ’ଣ ?’’ ଏତିକି କହୁ କହୁ କୁମୁଦିନୀଙ୍କ କଣ୍ଠ ରୁଦ୍ଧ ହୋଇଆସିଲା । ସେ ଲୁଗାକାନି ମୁହଁରେ ଦେଇ କାନ୍ଦିବାରେ ଲାଗିଲେ ।

 

ଦିବ୍ୟସିଂହବାବୁ ବିରକ୍ତ ହୋଇ କହିଲେ, ‘‘ଏତେ କାନ୍ଦୁଛ କାହିଁକି ? ବାସ୍ତବିକ ମୋତେ ତାହା ସୁଖ ଲାଗୁ ନାହିଁ । ନିଜକୁ ଟିକିଏ ସଂଯତ କରିପାରୁନାହଁ ।’’

 

‘‘କ’ଣ ତୁମ କଥା ?–ନିଶ୍ଚିତ ଜାଣ ଯେ, ତୁମ ପ୍ରତି ମୋର କେବେ ଖରାପ ଧାରଣା ହେବ ନାହିଁ । କେତେ ସ୍ନେହରେ ତୁମକୁ ଆଶ୍ରମକୁ ଡାକୁଛି, ତୁମେ ଜାଣିପାରୁନାହଁ ।’’

 

କୁମୁଦିନୀ କଡ଼େଇ କରି ଦିବ୍ୟସିଂହବାବୁଙ୍କ ଆଡ଼କୁ ଚାହିଁଲେ । ଦିବ୍ୟସିଂହବାବୁ ମଧ୍ୟ ସ୍ନେହଭରେ ତାଙ୍କ ମୁହଁକୁ ଚାହିଁ ରହିଥିଲେ । କୁମୁଦିନୀ ଧୀରେ ଧୀରେ କହିଲେ, ‘‘ମୋର ଘର ଭଦ୍ରଖଠାରୁ ବାର ମାଇଲ ଦୂରରେ ନଳାଙ୍ଗ ଗାଁରେ । ମୋ ବାପା ଜଣେ ବଡ଼ ଜ୍ୟୋତିଷ ଥିଲେ । ସେ ଅଞ୍ଚଳର ସମସ୍ତେ ତାଙ୍କୁ ଭାରି ମାନୁଥିଲେ । ସମସ୍ତେ ତାଙ୍କଠିଁ ଜାତକ ଦେଖାଉଥିଲେ । ପୂଜାପାର୍ବଣରେ ସବୁଠିଁ ତାଙ୍କର ପ୍ରଥମ ଆସନ । ମୁଁ ଥିଲି ତାଙ୍କର ଏକମାତ୍ର କନ୍ୟା । ମୋର ଜାତକ ସାଧି ପିଲାଦିନେ ମୋତେ କହିଥିଲେ, ତୁ ମୋ ନାଁ ରଖିବୁ । ତୋଦ୍ୱାରା ମହତ୍‌କର୍ମ ସାଧିତ ହେବ । ସେ ମୋତେ ଘରେ କିଛି ପାଠ ପଢ଼ାଇଥିଲେ ଓ ମୋତେ ଏତେ ସ୍ନେହରେ ବଢ଼ାଇଥିଲେ ଯେ, ଦୁଃଖ ବୋଲି କ’ଣ ମୁଁ ପିଲାଦିନେ ଜାଣି ନଥିଲି । ମୋର ବୟସ ଯେତେବେଳେ ନ’ବର୍ଷ, ସେତେବେଳେ ମୋତେ ବିବାହ ଦେଇ ଜୋଇଁଟିଏ ଆଣି ଘରେ ରଖି ତାକୁ ପୁଅପରି ଲାଳନପାଳନ କରି ଶେଷରେ ତାକୁହିଁ ଉତ୍ତରାଧିକାରୀ ରଖିଯିବେ ବୋଲି ସେ ସ୍ଥିରକଲେ । ପନ୍ଦରବର୍ଷର ଜଣେ ଯୁବକ, ତାଙ୍କର ଜାତକ ମୋ ଜାତକ ମିଳାଇ ବାବା ଜାଣିଲେ ଯେ, ଏପରି ଜୋଟକ କମ୍ ଲୋକଙ୍କ ଭାଗ୍ୟରେ ଯୁଟେ । ତେଣୁ ଆମ୍ଭର ବିଭା କରାଇଦେଲେ । ମୋର ଯେତେବେଳେ ତେରବର୍ଷ ବୟସ, ସେତେବେଳେ ଆମ ଗାଁରେ ହଇଜା ଲାଗିଲା । ସେହି ସମୟରେ ମୁଁ ବିଧବା ହେଲି । ସେତେବେଳେ ମୋ ବାପାଙ୍କ ବୟସ ବାଉନ । ମାଆ ତ ମୋର ପିଲାଦିନୁ ଚାଲିଯାଇଥିଲେ । ବାପାଙ୍କ ଦୁଃଖ ସେତେବେଳେକାର ମୁଁ କହିବି କ’ଣ । କାନ୍ଦି କାନ୍ଦି ସେ ପ୍ରାଣତ୍ୟାଗ କଲେ । କନ୍ୟାର ବୈଧବ୍ୟ ଓ ଉତ୍ତରାଧିକାରୀର ଅକାଳ ବିୟୋଗ ତ ତାଙ୍କୁ ଖୁବ୍ ବାଧିଥିଲା ।

 

ଘରେ ମୁଁ ଏକା, ଯୁବତୀ । ବାପା ବଞ୍ଚିଥିବାବେଳେ ଯେଉଁ ଜମିବାଡ଼ି ଆମର ଥିଲା ସେସବୁ ଜମିଦାରଙ୍କ ପୁରୋହିତ ଜାଗିରି ଜମି । ନିଜର ଖୁବ୍ ଅଳ୍ପ ଜମି ଥିଲା । ମୋରି ହିତ କାମନା କରି ସେଥିପାଇଁ ବାପା ଜଣେ ଉତ୍ତରାଧିକାରୀ ରଖିବାର ସ୍ଥିର କରିଥିଲେ । କାରଣ ସେ ଜମିଦାରଙ୍କ କାମ ଚଳେଇବ ଓ ଜମି ଭୋଗ ଦଖଲ କରିବ । ମାତ୍ର ତା’ ତ ହେଲା ନାହିଁ । ବାପା ମରିଯିବା ପରେ ପରେ ଜମିଦାର ସେ ଜାଗିରି ଜମି ଛଡ଼ାଇ ନେଲେ । ଶେଷରେ ମୁଁ ପଥର ଭିକାରୁଣୀ ହୋଇଗଲି । ଏହି ସମୟରେ ମୁଁ ଗର୍ଭବତୀ ବୋଲି ଗାଁ ଲୋକେ ଜାଣିଲେ । ମୋର ସ୍ୱାମୀଙ୍କ ପରଲୋକ ପରି ମୁଁ ଋତୁସ୍ନାନ ନ କରୁଥିଲେ ମଧ୍ୟ ମୋର ଧାରଣା ନଥିଲା ଯେ, ମୁଁ ମାତା ହେବାକୁ ଯାଉଛି । ୭।୮ ମାସ ପରେ ଗାଁଲୋକେ କୁହାକୁହି ହେଲେ ଯେ, ମୁଁ ଭ୍ରଷ୍ଟା ହୋଇଯାଇଛି-। କ’ଣ କହିବି ସେ ଲଜ୍ଜାର କାହାଣୀ, ସେ ଅପମାନ, ବର୍ତ୍ତମାନ ସୁଦ୍ଧା ଭାବିଲେ ମୋ ଦେହ ରାଗରେ ଜଳିଯାଉଛି । ମନ ହେଉଛି ଭାଙ୍ଗି ଚୂରି ଏ ସମାଜକୁ ସମୁଦ୍ରଗର୍ଭରେ ଫୋପାଡ଼ି ଦିଅନ୍ତି-।’’

 

କୁମୁଦିନୀର ମୁହଁ ଆରକ୍ତ ହୋଇଗଲା । ନିଃଶ୍ୱାସ ପ୍ରଖର ହୋଇ ଉଠିଲା । ସେ ଆଉ କିଛି କହି ପାରିଲେ ନାହିଁ । ଉତ୍ତେଜିତ ହୋଇ ଚାରିଆଡ଼କୁ ଚାହିଁଲେ ।

 

ଦିବ୍ୟସିଂହବାବୁ କୋର୍ଟରେ ସାକ୍ଷୀକୁ ଜବାବ ବନ୍ଦି କରାଇଲା ଭଳି କହିଲେ, ‘‘ହଁ ତେଣିକି କହ, ମୁଁ ଜାଣେ ଗାଁରେ ଏହିପରି କେତେ ମିଥ୍ୟା ଜନରବ ଉଠାନ୍ତି । ଅଳସୁଆ ଲୋକେ, କାମ କିଛି ନାହିଁ–ସେୟା ବସି କରନ୍ତି । ହଁ ତେଣିକି କ’ଣ ହେଲା ?’’

 

କୁମୁଦିନୀ ଉତ୍ତେଜିତ ଭାବରେ କହିଲେ, ‘‘ଏତେ ନୀଚ ଲୋକ ସେମାନେ, ମୋତେ ନେଇ ଜମିଦାର କଚେରିରେ ପହଞ୍ଚାଇଲେ । ପୋଲିସ୍‍ରେ ଖବର ଦେଲେ । ସମସ୍ତଙ୍କ ମୁହଁରେ ମୁଁ ଜଣେ ଭ୍ରଷ୍ଟା ଓ ବିଧବା ଅବସ୍ଥାରେ ଅବୈଧପ୍ରଣୟ ଯୋଗେ ଗର୍ଭବତୀ ହୋଇଛି । ସେ ସମୟରେ ମୋ ମନ ହେଉଥାଏ, ବିଷ ଖାଇ ମୁଁ ମରିଯାନ୍ତି । କିନ୍ତୁ କେଜାଣି କାହିଁକି ମୋ ମନ ଡାକୁଥାଏ, ମୋ ଶିଶୁଟିର ମୁହଁ ମୁଁ ଦେଖନ୍ତି । ଶେଷରେ ପ୍ରସବବେଦନା ଯେତେବେଳେ ଅନୁଭବ କଲି, ସେତେବେଳେ ଘରେ କେହି ନାହାନ୍ତି । ମୋତେ ଏପରି ବାସନ୍ଦ କରିଥାନ୍ତି ଯେ, ମୋ ଦୁଆରକୁ କେହି ଆସିବେ ନାହିଁ । ବାପାଙ୍କ ଅନ୍ତେ ଘରେ ଯେତିକି ଯାହା ଥିଲା, ସେଇଥିରେ ମୁଁ ଯଥାକଥା ଚଳୁଥିଲି । ମାତ୍ର ଗାଁବାଲା ଲଗାଇଥାନ୍ତି, ଯେତିକି ଜମି ନିଜର ଥିଲା ସେତିକି କବଲା କରିଦେଲେ ମୋତେ ଚଳାଇବେ । ମୁଁ ରାଜି ହେଲି ନାହିଁ । ଶେଷରେ ନିଆଁପାଣି ଅଟକ ମୋତେ କଲେ । ଅତି ଗଭୀର ପ୍ରସବବେଦନା ପରେ ମୁଁ ବେହୋସ ହୋଇଗଲି । ଘରେ ପଡ଼ିଛି, କେହି ପାଖରେ ନାହାନ୍ତି-। ଯେତେବେଳେ ହୋସ ହେଲା, ସେତେବେଳେ ଶୁଣିଲି ଶିଶୁଟିର କ୍ରନ୍ଦନ । କ’ଣ କରିବି-! ସେତିକିବେଳେ ମୋର ଜଣେ ପଡ଼ୋଶୀକୁ କହିଲି ଯେ, ମୋ ଦେହ ଭଲ ହୋଇଗଲେ ମୁଁ ଜମି କବଲା କରିଦେବି । ଏଣିକି ମୋତେ ଚଳାନ୍ତୁ । ଏ ଖବର ପାଇ ଗାଁର ଯେ ମାମଲତ୍‍କାର ସେ ଆସି ମୋଠାରୁ ଦୁଇ ତିନି ଖଣ୍ଡ କାଗଜରେ ଟିପଚିହ୍ନ ନେଇ ନେଲେ । ତା’ପରେ ମୋ ଉପରୁ ବାସନ୍ଦ ଉଠିଗଲା । ସେ ଶିଶୁଟିର ଫୁଲ ପାଖୁଡ଼ା ପରି ହସହସ ମୁହଁ ମୋର ବର୍ତ୍ତମାନ ସୁଦ୍ଧା ଆଖିରେ ନାଚିଯାଉଛି । ମାତ୍ର ମୋର ଭାଗ୍ୟ ଖରାପ । ୭।୮ ଦିନ ପରେ ସେ ଶିଶୁଟି ମଧ୍ୟ ବିଦାୟ ନେଲା । ଯାହାପାଇଁ ଏତେ ଲଜ୍ଜା, ଏତେ ଅପମାନ ସହି, ମୁଁ ଜୀବନ ଧରିଥିଲି, ସେ ଯେତେବେଳେ ମୋତେ ଛାଡ଼ି ଚାଲିଗଲା, ମୋର ଆଉ କୌଣସି ବିଷୟରେ ମମତା ରହିଲା ନାହିଁ । ଏଣେ ଗାଁବାଲା ବରାବର ମୋ ସାଙ୍ଗରେ ଲଗାଇଥାଆନ୍ତି, ତେଣେ ଘରେ ମଧ୍ୟ ଆଉ କିଛି ଖାଇବାର ନଥାଏ ।

 

ମୁଁ ଜୀବନ ମୁରୁଛି ଘର ଛାଡ଼ି ଦିନେ ରାତିରେ ଉଠି ପଳାଇଲି । ସେତେବେଳେ ମୁଁ ପାଗଳିନୀ । କେଉଁଠିକି ଯିବି ବା କ’ଣ କରିବି କିଛି ଭାବୁ ନଥାଏ । ଯେତେବେଳେ ଭଦ୍ରଖରେ ପହଞ୍ଚିଲି ସେତେବେଳେ ଜଣେ ପ୍ରୌଢ଼ା ସ୍ତ୍ରୀଲୋକ ମୋତେ ଦେଖି ଅତି ସ୍ନେହଭରେ ପଚାରିଲା, ‘କିଲୋ ଝିଅ, କୁଆଡ଼େ ଯାଉଛୁ ?’ ଦୁଃଖର ମରୁଭୂମି ଭିତରେ ଏ ସ୍ନେହ ଡାକ ପଦକ ମୋତେ ଏତେ ସନ୍ତୋଷ ଦେଇଥିଲା ଯେ, ସେତେବେଳର ମୋ ମନର ଭାବ ବର୍ତ୍ତମାନ ସୁଦ୍ଧା ମନେ ପଡ଼ୁଛି-। ସେହି ସ୍ତ୍ରୀଲୋକଟି ମୋତେ ଆଶ୍ରୟ ଦେବ ବୋଲି ଆଶ୍ୱାସନା ଦେଇ ସାଙ୍ଗରେ ନେଇଗଲା-। ତାଙ୍କ ଘରେ ପ୍ରାୟ ମାସେ ଖଣ୍ଡେ ରହିଛି । ସେ ହେଉଛି ଏକ ବେଶ୍ୟା ନିବାସ । ସେଠା କାରବାର ସବୁ ମୁଁ ଦେଖୁଥାଏ । ମୋତେ ଘୃଣା ବୋଧ ହେଉଥାଏ । ମାତ୍ର ମୋ ପ୍ରତି କିଛି ଆଞ୍ଚ ଆସି ନଥାଏ-

 

ଦିନେ ରାତିରେ ମୁଁ ଶୋଇଛି ସେ ସ୍ତ୍ରୀଲୋକ ମୋତେ ଆସି ରାତିଅଧରେ ଉଠାଇଲା । ମୁଁ ଉଠି ବସିଲି ନିଦ ଅଳସରେ, ସେ କ’ଣ କହିଲା, ମୁଁ ବୁଝିପାରିଲି ନାହିଁ । ତା’ପରେ ଯେତେବେଳେ ମୋର ପୂରା ଜ୍ଞାନ ହେଲା, ସେତେବେଳେ ମୁଁ ଜାଣିଲି ଯେ ଜଣେ ରସିକ ଆସିଛନ୍ତି, ମୋତେ ଉପଭୋଗ କରିବାପାଇଁ । ମୁଁ କିଛି ବୁଝିପାରିଲି ନାହିଁ । ମୁଁ ଖୁବ୍ ଜୋରରେ ‘ନା’ କହିଲି । ମାତ୍ର ସେ ସ୍ତ୍ରୀଲୋକଟି ମୋତେ କହିଲା, ‘‘ତୁ ଚୁପ୍‌ହୋଇ ରହ । ମୁଁ ତାକୁ ଡାକି ଆଣୁଛି । ସେ ସୁନାର ଗହଣା ଦେବ, ପାଟଶାଢ଼ି ଦେବ ।’’ ମୁଁ ସେତେବେଳେ ଜଡ଼ପ୍ରାୟ, ମୂକ ହୋଇ ବସିଥାଏ । ଇତିମଧ୍ୟରେ ସେ ପୁରୁଷ ଆସି ଆଗରେ ଛିଡ଼ା ହୋଇଗଲେ । ମୋ ସହିତ ନାନାପ୍ରକାର ପ୍ରେମର ବ୍ୟବହାର କଲେ । ମୁଁ ଯାକିଜୁକି ହୋଇ ମୁହଁ ତଳକୁ କରି ଦୃଢ଼ଭାବେ ବସିଥାଏ । ଶେଷରେ ବିରକ୍ତ ହୋଇ ସେ ଚାଲିଗଲେ । ତା’ପରେ ସେ ସ୍ତ୍ରୀଲୋକଟି ଆସି ମୋତେ ଅତି ଅସଭ୍ୟ ଭାଷାରେ ଗାଳିଦେଇ ମାଡ଼ଦେଲା । ମୁଁ ସେହି ରାତିରେ ସେଠୁ ପୁଣି ପଳାଇଲି । କୁଆଡ଼େ ଯିବି କିଛି ଠିକ୍ ନାହିଁ । ଶେଷରେ ଭଦ୍ରଖ ରେଳ ଷ୍ଟେସନ୍‍ରେ ପହଞ୍ଚି ଦେଖିଲି କଲିକତା ଆଡ଼ୁକୁ ଯେଉଁ ଗାଡ଼ିଯାଏ ସେଇଟା ଛିଡ଼ା ହୋଇଛି । ସେତେବେଳେ ଏ ସବୁ କିଛି ମୁଁ ଜାଣି ନଥାଏ-। ମୁଁ ଯାଇ ଗୋଟିଏ ଡବାରେ ଯେଉଁଠି ଖାଲି ସ୍ତ୍ରୀଲୋକ ବସିଥାଆନ୍ତି ସେଇଠି ବସିଲି-। ମନେମନେ ଭାବୁଥାଏ–ଏ ରାଜ୍ୟରୁ ବାହାରିଗଲେ ମୋତେ ତ୍ରାହି ମିଳିବ । ଯେଉଁଠି ହେଲେ ରେଳ ଉତ୍ତାରି ଦେଲେ ତେଣିକି ଦେଖାଯିବ । ଏହି ଯେ ଟିକିଏ ଦମ୍ଭ ମୋ ମନରେ ଥିଲା, ସେହି ମୋତେ ଆଜିସୁଦ୍ଧା ରକ୍ଷା କରିଛି । ତା’ପରେ ରେଳ ଯେଉଁଠି ଉତ୍ତାରି ଦେଲା, ସେ ହେଉଛି ହାଓଡ଼ା ଷ୍ଟେସନ୍–କଲିକତା ।

 

ମୁଁ ଚାରିଆଡ଼କୁ ଚାହିଁଦେଇ ଅବାକ୍ ହୋଇଗଲି । ଗୋଟିଏ ପାଦ ସୁଦ୍ଧା ଯିବାକୁ ମୋର ବହପ ହଉ ନଥାଏ । ମୁଁ ଜଡ଼ ପରି ଛିଡ଼ା ହୋଇଥାଏ । ଜଣେ ଭଦ୍ରଲୋକ ମୋତେ କ’ଣ କହିଲେ, ମୁଁ କିଛି ବୁଝିପାରିଲି ନାହିଁ । ତା’ପରେ ସେ ମୋତେ ସଙ୍କେତ କରି ଡାକିଲେ, ‘ମୁଁ ଯନ୍ତ୍ର ପରି ତାଙ୍କ ପଛେ ପଛେ ଗଲି । ତା’ପରେ ସେ ମୋତେ ଗାଡ଼ିରେ ବସାଇ ଦେଇ ଗଲେ ।

 

କଲିକତା ସହର ଦେଖି ମୋର ବୁଦ୍ଧି ଶୂନ୍ୟ ହୋଇଗଲା । ମୋ ମୁଣ୍ଡ ଭିତରେ କିଛି ଚିନ୍ତା କରିବାର ଶକ୍ତି ଥାଏ କି ନା ମୋତେ ଜଣାଯାଉ ନଥାଏ । ମୋତେ ଯେଉଁଠାରେ ଭଦ୍ରଲୋକ ନେଇ ପହୁଞ୍ଚାଇ ଦେଲେ, ସେ ହେଉଛି ଏକ ଅବଳାଶ୍ରମ । ଏ ଆଶ୍ରମର ସ୍ୱେଚ୍ଛାସେବକମାନେ ଷ୍ଟେସନ୍‍କୁ ଯାଇ ଅନାଥା ସ୍ତ୍ରୀଲୋକମାନଙ୍କୁ, ଯେଉଁମାନଙ୍କୁ ଦୁଷ୍ଟଲୋକ ଶିଖାଇ ନେଇ ଆସିଥାନ୍ତି, ସେମାନଙ୍କୁ ଖୋଜି ନେଇଆସନ୍ତି । ଏହି ଅବଳାଶ୍ରମରେ ଜଣେ ହିନ୍ଦୁସ୍ଥାନୀ ଅଧ୍ୟକ୍ଷା ଥିଲେ । କିଛିଦିନ ପରେ ସେ ମତ ପ୍ରକାଶ କଲେ ଯେ, ମୋର ପାଠଶାଠ ହେବ । ତେଣୁ ମୋତେ ନିୟମିତରୂପେ ପାଠ ପଢ଼ାଇବା ପାଇଁ ବ୍ୟବସ୍ଥା କରାଗଲା । ଆଠବର୍ଷ କାଳ ମୁଁ ସେହି ଆଶ୍ରମରେ ରହିଲି । ସେଇଠି ଏ ଜୀବନରେ ଯାହା କିଛି ଶିଖିଲି । ତା’ପରେ ମୋର କି ଗୁଣ ଦେଖିଲେ କେଜାଣି, ଅବଳାଶ୍ରମର କର୍ତ୍ତାମାନେ ସୁପାରିସ୍ କଲେ ଯେ, ମୁଁ କଲିକତାରେ ଶ୍ରମିକମାନଙ୍କ ଭିତରେ ନାରୀ ଜାଗରଣ ସମ୍ପର୍କରେ କାମ କରିବି ଓ କଲିକତାରେ ଯେଉଁ ନାରୀ ବ୍ୟବସାୟ ଚାଲିଛି ତା’ ବିରୋଧରେ ଆନ୍ଦୋଳନ ଚଳାଇବି । ଗଳି ଗଳି ବୁଲି ମୁଁ ଉତ୍ସାହ ସହକାରେ କାମ କରିଛି । ମୋ କାମରେ ଆର୍ଯ୍ୟସମାଜ ଯାହାଙ୍କଦ୍ୱାରା ମୁଁ ନିଯୁକ୍ତ, ସେମାନେ ମୋ ଉପରେ ସନ୍ତୁଷ୍ଟ ଥିଲେ ।

 

ଏହି ସମୟରେ ଲାଲମୋହନବାବୁ କଲିକତାରେ ଶ୍ରମିକମାନଙ୍କ ଭିତରେ କାମ କରିବାକୁ ଗଲେ । ଥରେ ସେଠାରେ ଏକ ବଡ଼ ସଭା ହୋଇଥାଏ । ସେଥିରେ ଲାଲମୋହନବାବୁ ବକ୍ତୃତା ଦେଉଥାନ୍ତି । ମୁଁ ଜଣେ ହିନ୍ଦୁସ୍ଥାନୀ ରମଣୀ ହିସାବରେ ସେଠି ବସିଥାଏ । ତାଙ୍କର ବକ୍ତୃତା ଯେପରି ମୋର ହୃଦୟର ପ୍ରତ୍ୟେକ ଶିରାକୁ ସ୍ପର୍ଶ କରୁଥାଏ । ସେ ବକ୍ତୃତା ଦେଇସାରିଲା ପରେ ମୁଁ ନାରୀ ଜାଗରଣ ସମ୍ବନ୍ଧରେ କିଛି କହିବାପାଇଁ ଉଠିଲି ।

 

ମୁଁ ହିନ୍ଦୁସ୍ଥାନୀରେ ବକ୍ତୃତା ଦେଲି । ଅଧିକାଂଶ ଶ୍ରୋତା ଓଡ଼ିଆ ଥିଲେ ମଧ୍ୟ ମୋର ବକ୍ତୃତାର ପ୍ରଭାବ ସେମାନଙ୍କ ଉପରେ ପଡ଼ିଥିବାର ମୁଁ ଲକ୍ଷ୍ୟ କରୁଥାଏ ।

 

ସେଇଠି ଲାଲମୋହନବାବୁଙ୍କ ସହିତ ମୋର ପରିଚୟ । ସେ ବରାବର ମୋ ବସାକୁ ଆସିଲେ । ଧୀରେ ଧୀରେ ତାଙ୍କ ସହିତ ମୋ ପ୍ରଣୟ ଏପରି ଘନୀଭୂତ ହେଲା ଯେ, ମୁଁ କାର୍ଯ୍ୟର ଛଳନା କରି ପୁରୀରେ ଆସି ପହଞ୍ଚିଲି । ଦାମ୍ପତ୍ୟ ସୁଖର ଯେ କ୍ଷୁଦ୍ର ଅଙ୍କୁରଟି ମାଟିଭେଦି ସୁକୋମଳ ଶିଶୁ ଆକାରରେ ଦେଖା ଦେଇଥିଲା, ତା’ ତ ଦୁର୍ଭାଗ୍ୟର ମରୁଡ଼ିରେ ଜଳିପୋଡ଼ି କୁଆଡ଼େ ଉଭେଇ ଯାଇଥିଲା । ମନ ଅନ୍ୟ ଆଡ଼େ ଗତି କରୁଥିଲା; ମାତ୍ର ଲାଲମୋହନଙ୍କ ସଂସ୍ପର୍ଶହିଁ ପୁଣି ସେ ଶୁଖିଲା ମାଟିରେ ପାଣି ବର୍ଷା କଲା । ଯେଉଁଠି ସେ ଶୁଖିଲା ଅଙ୍କୁର ଲୁଚି ରହିଥିଲା ସେ ପୁଣି ମୁଣ୍ଡ ଟେକି ଧୀରେ ଧୀରେ ବଢ଼ିବାରେ ଲାଗିଲା । କ୍ଷୁଦ୍ର ଅଙ୍କୁରଟି ବଡ଼ଗଛ, ଡାଳ ପତର ମେଲାଇ କେତେ ଚଢ଼େଇଙ୍କର ବାସସ୍ଥଳ ହେବ, ସେ ଚଢ଼େଇ କେତେ ରକମର ସ୍ୱରରେ କେତେ ରକମର ଗାନ ଗାଇବେ । ମୁଁ ସେହି ମଧୁର ସଙ୍ଗୀତର କଳ୍ପନାରେ ବିଭୋର । ଏଣେ ସେ ଅଙ୍କୁରଟିର ମୂଳ ଉପୁଡ଼ିଗଲାଣି । ଏହି ମୋ ଜୀବନ–କଳଙ୍କରେ ଚିତ୍ରିତ, ନିରାଶାରେ ଆଚ୍ଛାଦିତ । ଏଣିକି ଆପଣ ମୋତେ ପାଖରେ ବସାଇବାପାଇଁ ସ୍ନେହରେ କଥା କହିବାପାଇଁ ସଙ୍କୋଚ ବୋଧ କରିବେ ନାହିଁ କି ? ମୁଁ ଯଦି ଭଦ୍ରଖ ଯାଏଁ, ସେଠି ମୁଁ ମୁହଁ ଦେଖାଇ ପାରିବି କି ? ସେଠି ମୋତେ ‘ଏ’ ବୋଲି କହି ଆଙ୍ଗୁଳି ଦେଖାଇଲେ ମୋ ମୁହଁ ତ ଜଳିଯିବ ।

 

‘‘ଲାଲମୋହନବାବୁ ଗଲେ–ମୁଁ ତାଙ୍କ ପଛେ ପଛେ କୌଣସି ପ୍ରକାରେ ଯାଇ ପାରିଲେ ହୁଏତ, ଦୁହେଁଯାକ ପୁଣି ନୂଆ କରି ଜୀବନ ଆରମ୍ଭ କରନ୍ତୁ । ପୁରୁଣାକୁ ଧୋଇପୋଛି ସାଫ୍ କରି ଉଜ୍ଜ୍ୱଳ ନୂତନ କିଛି ଉପଭୋଗ କରନ୍ତୁ । କିନ୍ତୁ କାହିଁ ? ଏ ଜୀବନ ତ ଯିବାଭଳି ଦେଖାଯାଉ ନାହିଁ-।’’

 

ଦିବ୍ୟସିଂହବାବୁ ଉତ୍ସୁକ ହୋଇ ନୀରବ ଭାବରେ ସବୁ ଶୁଣୁଥିଲେ । ସେ ବାଧା ଦେଇ କହିଲେ, ‘‘ତୁମର ଜୀବନ ବାସ୍ତବିକ ଏକ ଉପନ୍ୟାସ । ମୁଁ ତ ଏଥିରେ ଲଜ୍ଜାର କୌଣସି ସଂକେତ ପାଉ ନାହିଁ । ବର୍ତ୍ତମାନ ଶାନ୍ତ ହୁଅ । ଯେଉଁ ଜୀବନଟିକି ପାଇଛ, ସେ ଟିକକର ସଦୁପଯୋଗ କର । ତା’ପରେ ଆପଣା ଛାଏଁ ସେ ଯେତେବେଳେ ଯିବ ସେତେବେଳେ ଆନନ୍ଦହିଁ ସଙ୍ଗେ ନେଇଯିବ । ନିରାଶାକୁ ପ୍ରଶ୍ରୟ ଦେଲେ ତା’ର ଅନ୍ତ ନାହିଁ–ଅସ୍ଥିର ହୋଇ ପଡ଼ିବ । ତୁମର ବାପା କହିଥିଲେ, ତୁମେ ଖୁବ୍ କୀର୍ତ୍ତି ଅର୍ଜନ କରିବ । କିଏ ଜାଣେ, ଏତେ ଘାତ ପ୍ରତିଘାତ ପରେ ତୁମର ଜୀବନ ଏପରି ତିଆରି ହୋଇଯିବ ଯେ, ତୁମଦ୍ୱାରା ମହତ୍ କାର୍ଯ୍ୟମାନ ସାଧିତ ହୋଇ ପାରିବ ।’’

 

ଏହି ସମୟରେ ହଠାତ୍ ସୁଦର୍ଶନ ଖବର ଦେଲା ଯେ, ନିଶାମଣିଙ୍କ ଅବସ୍ଥା ଅତି ସାଂଘାତିକ । ତରତର ହୋଇ କୁମୁଦିନୀ ଓ ଦିବ୍ୟସିଂହବାବୁ ଦୁହେଁ ଉଠିଲେ ।

 

–୩୨–

 

ନିଶାମଣି ବେହୋସ ହୋଇ ପଡ଼ିଛି, କ’ଣ ହୋଇଛି କିଛି ଜଣାପଡ଼ୁନାହିଁ । ପାଖରେ ପିଲାଟି କାନ୍ଦୁଛି । କୁମୁଦିନୀ ଓ ଦିବ୍ୟସିଂହବାବୁ ପହଞ୍ଚି ଯାଇ ହଠାତ୍ ଡାକ୍ତରଙ୍କୁ ଖବର ଦେଲେ । ଦିବ୍ୟସିଂହବାବୁ ନାଡ଼ି ଦେଖି ମୁଣ୍ଡ ହଲାଇ ସଂକେତ ଦେଲେ ଯେ, ଅବସ୍ଥା ଭଲ ନୁହେଁ । କୁମୁଦିନୀ ମୁହଁରେ ପାଣି ଛାଟି ବିଞ୍ଚିବାରେ ଲାଗିଲେ । ମାତ୍ର କ୍ରମଶଃ ନିଃଶ୍ୱାସ ଧିମେଇ ଆସୁଛି, ମୁହଁରୁ ନାଳ ବୋହି ଯାଉଛି, ଆଖି ବୁଜି ହୋଇ ଯାଉଛି । ଡାକ୍ତର ଆସି ପରୀକ୍ଷା କରି ଦେଖି କହିଲେ ଯେ, କୌଣସି ପ୍ରକାର ବିଷାକ୍ତ ଜିନିଷ ସେ ଖାଇଛି । ପାକସ୍ଥଳୀ ସାଫ୍ କରିବାପାଇଁ ଜଳ ପ୍ରୟୋଗ କଲେ-। ବହୁ କଷ୍ଟରେ ବାନ୍ତି ହୋଇ ଅଳ୍ପ କିଛି ବାହାରକୁ ବାହାରି ପଡ଼ିଲା । ଡାକ୍ତର ମୁଣ୍ଡ ହଲାଇ ବିରସ ହୋଇ କହିଲେ, ‘‘ସେ ଶଙ୍ଖୁଆ ଖାଇ ଦେଇଛି । ତା’ର ପ୍ରତିକାର କିଛି ଦିଶୁ ନାହିଁ ।’’ କୁମୁଦିନୀ ତରତର ହୋଇ ତକିଆ ତଳେ ହାତ ବୁଲାଇ ଦେଖିଲେ ଯେ, ଛୋଟ ବଟୁଆଟିଏ ପଡ଼ିଛି-। ୟାକୁ ନେଇ ସେ ପାଖରେ ରଖୁଥିଲା, ସେ ଦେଖିଥିଲେ । ବଟୁଆରେ ଶଙ୍ଖୁଆ ଆହୁରି କିଛି ରହିଛି । କୁମୁଦିନୀଙ୍କ ମନେ ପଡ଼ିଗଲା ଥରେ ନିଶାମଣି କଥାପ୍ରସଙ୍ଗରେ କହୁଥିଲା ଯେ, ଘରେ ସବୁବେଳେ ବିଷ ତା’ ପାଖରେ ରଖିଥାଏ । କାରଣ ତା’ର ତ କେହି ସାହା ନାହାନ୍ତି । ଯେତେବେଳେ ଜୀବନକୁ ବାଧିବ ବିଷ ଖାଇଦେବ । ସେତେବେଳେ କୁମୁଦିନୀ ଏ କଥାକୁ ତେତେ ଗୁରୁତ୍ୱ ଦେଇ ନଥିଲେ-। ବର୍ତ୍ତମାନ ଏ ଘଟଣାରେ ସେ ଅତି ବ୍ୟସ୍ତ ହୋଇ ଡାକ୍ତରଙ୍କୁ ପଚାରିଲେ, ‘‘କିଛି ଆଶା ଅଛି କି ନାହିଁ-?’’ ଡାକ୍ତର ମୁଣ୍ଡ ହଲାଇ କହିଲେ, ‘‘ଘଣ୍ଟାକ ଆଗରୁ ଜଣାଇଥିଲେ କିଛି କରାଯାଇପାରିଥାନ୍ତା, ବର୍ତ୍ତମାନ ତ ହୃତ୍‌ଯନ୍ତ୍ର ଅଚଳ ହୋଇଗଲାଣି ।’’

 

ଦିବ୍ୟସିଂହବାବୁ ଅବାକ୍ ହୋଇ ବସିଥାନ୍ତି । କୁମୁଦିନୀ ମଧ୍ୟ ସ୍ତବ୍ଧ । ଡାକ୍ତର କିଛି ସମୟ ରହି ବିଦା ହୋଇଗଲେ । ସେ ଯେପରି ଚିକିତ୍ସା କରିବାପାଇଁ କହିଥିଲେ, ସେହିପରି କିଛି ସମୟ ଚାଲିଲା । ଶେଷରେ ନିଶାମଣିର ଗୋଡ଼ ହାତ ସବୁ ଥଣ୍ଡା ହୋଇଗଲା ।

 

କୁମୁଦିନୀ ହାତ ବୁଲାଉ ବୁଲାଉ ଦେହ ସମୁଦାୟ ଶୀତଳ ହୋଇଗଲା । ତଥାପି କୁମୁଦିନୀଙ୍କ ମନ ମାନୁ ନଥାଏ ଯେ, ନିଶାମଣି ମରିଗଲାଣି । ଦିବ୍ୟସିଂହବାବୁ ଦେହରେ ହାତ ମାରି କହିଲେ, ‘‘ଏତ ମୃତ । କୁମୁଦିନୀ ସେହି ଶବ ଉପରେ ମୁଣ୍ଡ ଥୋଇ କାନ୍ଦିବାରେ ଲାଗିଲେ । ଦିବ୍ୟସିଂହବାବୁ ଅପେକ୍ଷା ନ କରି ପୋଲିସ୍‍ରେ ଖବର ଦେଲେ । ପୋଲିସ୍ କର୍ମଚାରୀ ଜଣେ ଆସି ସନ୍ତୁଷ୍ଟ ହୋଇଗଲେ ଯେ, ନିଶାମଣି ଆତ୍ମହତ୍ୟା କରିଛନ୍ତି ଓ ପୋଡ଼ିଦେବା ପାଇଁ ଅନୁମତି ଦେଇଗଲେ ।

 

ଦିବ୍ୟସିଂହବାବୁ ଶବ ସତ୍କାର କରିବାପାଇଁ ବାହାରକୁ ଯିବା ପୂର୍ବରୁ କୁମୁଦିନୀକୁ କହିଲେ, ‘‘ସବୁ କଥା ଭୁଲିଯାଅ, ତୁମେ ଏ ପିଲାଟିକୁ ଅଲଗା ଶୁଆଇ ତା’ର ତତ୍ତ୍ୱ ବୁଝ । ଅତି କଠିନ ପରୀକ୍ଷା ସମୟ ଏ । ଅଧିକ ଆଉ କ’ଣ କହିବି । ପିଲାଟିକୁ ରଖିବାର ଭାର ତୁମ ଉପରେ । ନହେଲେ ସେ ତା’ ମା’ ସାଙ୍ଗ ଧରିବ ।’’ କୁମୁଦିନୀ ଏ ପଦକ ଶୁଣି ଚମକି ଉଠି ପିଲାଟି ଆଡ଼କୁ ଅନାଇଲେ । ସେ କାନ୍ଦି କାନ୍ଦି ଥକି ପଡ଼ି ଟିକିଏ ନିଦେଇଯାଇଛି । ପ୍ରଶାନ୍ତ ସେ ଶିଶୁର ବଦନମଣ୍ଡଳ-। କୌଣସି ପ୍ରକାର ଉଦ୍‌ବେଗ ରେଖା ତା’ କପାଳରେ ନାହିଁ । କି ସ୍ୱପ୍ନ ଦେଖୁଛି କେଜାଣେ ମଝିରେ ମଝିରେ ବିଜୁଳି ପରି ଆନନ୍ଦର ରେଖା ତା’ ମୁହଁରେ ଖେଳିଯାଉଛି । କୁମୁଦିନୀ ବହୁ ସମୟ ସେ ପିଲାଟି ମୁହଁକୁ ଅନାଇ ରହିଲେ । ଶିଶୁକୁ ଦେଖି ସିନା ଲୋକ ଦେବତ୍ୱର କଳ୍ପନା କରିପାରନ୍ତି-! ଆଶାର ତୋଫାନ ସେଠି ପହୁଞ୍ଚି ପାରେ ନାହିଁ କି ନିରାଶାର ମରୀଚିକା ତାକୁ ବିଚଳିତ କରେ ନାହିଁ-। ବାପ ଫାଶୀ ପାଇବାକୁ ଯାଉଛି । ମା’ ଗଲାଣି ଆଗରୁ ବାଟକୁ, ପାଛୋଟି ନେବାପାଇଁ-। ଏ ଶିଶୁର କି ସମ୍ପର୍କ ଅଛି ବାପ ମା’ଙ୍କ ସହିତ । ଏ ତ ସେହି ବିଶୁଦ୍ଧ ଆନନ୍ଦ ସହିତ ନିଜକୁ ଗଡ଼ାଇ ରଖିଛି । ମାୟାର ଶକ୍ତି ନାହିଁ ଏହାକୁ ସ୍ପର୍ଶ କରିବାକୁ । ଧୀରେ ଧୀରେ କାଳହିଁ ଏ ପବିତ୍ର ବସ୍ତୁକୁ ସେ ଆନନ୍ଦରୁ ଟାଣି ଆଣି ତାକୁ ଏ ଧୂଳି କାଦୁଅରେ ଗଡ଼ାଇବ । ସେତେବେଳେ ସେ ମନେ କରିବ କି ଅବସ୍ଥାରେ ତା’ର ବାପ ମଲା । କିପରି ତା’ ମା’ ଆତ୍ମହତ୍ୟା କଲା । ସେତେବେଳେ ସେ ମନେ କରିବ ତା’ର ପାଳିକା ଥିଲା ଜଣେ ଗୃହତ୍ୟାଗିତୀ, ଅପମାନିତା ଲଜ୍ଜିତା ସ୍ତ୍ରୀଲୋକ । କେହି ତାକୁ ସେତେବେଳେ କହିବେ କି ଯେ, ସେ ସ୍ତ୍ରୀଲୋକ ତା’ ବାପର ପ୍ରଣୟିନୀ ଥିଲା । ସୁବିଧା ଘଟିଥିଲେ ହୁଏତ ବିଧି ଅନୁସାରେ ସହଧର୍ମିଣୀ ହୋଇଥାନ୍ତା ଏକଥା ଜାଣିଲେ ହୁଏତ ଶିଶୁର ମନରେ ମୋ ପ୍ରତି ମାଆ ଭାବ ଆସନ୍ତା । ହୁଏତ ମୋତେ ମା’, ମା’, ବୋଲି ଡାକନ୍ତା-। ସେଇଠି ତ ମୋ ଜୀବନ ସାର୍ଥକ ହୋଇଯାଆନ୍ତା । ହଠାତ୍ ଉଠିଯାଇ ଅତି ସ୍ନେହରେ ନିଦ୍ରିତ ଶିଶୁର କପାଳରେ କୁମୁଦିନୀ ଗୋଟିଏ ଚୁମାଦେଇ ନିଜର ଚିନ୍ତା ସମାପ୍ତ କଲେ । ପିଲାଟିକୁ ଉଠାଇ ନେଇ ଅଲଗା ବିଛଣା କରି ଶୁଣାଇଲେ ।

 

ଦିବ୍ୟସିଂହବାବୁ ସମସ୍ତ ବନ୍ଦୋବସ୍ତ କରି ଆସି ଶବକୁ ସ୍ୱେଚ୍ଛାସେବକଙ୍କଦ୍ୱାରା ଉଠାଇ ନେଇ ଚାଲିଗଲେ । ସୁଦର୍ଶନ ମଧ୍ୟ ସାଙ୍ଗରେ ଗଲା । ଘରେ କେହି ନାହାନ୍ତି । ଏକାକିନୀ କୁମୁଦିନୀ ଶିଶୁ ପାଖରେ ବସିଥାନ୍ତି । ମିଞ୍ଜି ମିଞ୍ଜି ହୋଇ ଆଲୁଅ ଜଳୁଛି ।

 

ନିର୍ଜ୍ଜନତାର ସୁବିଧା ନେଇ ସମୁଦାୟ ଜୀବନର କାହାଣୀ ଚଳଚ୍ଚିତ୍ର ପରି ତାଙ୍କ ଆଗରେ ଅଭିନୀତ ହୋଇଯାଉଛି । କେତେ ବ୍ୟସ୍ତ ହୋଇ ଲାଲମୋହନବାବୁ ଜୀବନରେ ଟିକିଏ ସରସତା ଖୋଜୁଥିଲେ । ଅଭାଗା ସେ, ତାଙ୍କୁ ତା’ ମିଳିଲା ନାହିଁ । କେତେ ବ୍ୟସ୍ତ ହୋଇ ନିଶାମଣି ଜୀବନରେ ଟିକିଏ ଆନନ୍ଦ ପାଇବ ବୋଲି ଚାହିଁ ବସିଥିଲା । ଅଭାଗୀନି ସେ, ତା’ ଭାଗ୍ୟରେ ମଧ୍ୟ ତା’ ଯୁଟିଲା ନାହିଁ । କେତେ ବ୍ୟସ୍ତ ହୋଇ କୁମୁଦିନୀ ନିଜେ ଜୀବନକୁ ଉପଭୋଗ କରିବାପାଇଁ ବାହାରିଥିଲା । ଅଭାଗୀନି ସେ, ତା’ର ଭାଗ୍ୟ ଚିରକାଳ ବଦ୍ଧ । ବାକି ରହିଛି ସେ ଶିଶୁଟି । ଏ କ’ଣ ସେପରି ଅଭାଗା ? ସୁଖ ସୁଖ ବୋଲି ଚାହିଁ ଚାହିଁ ଏ କ’ଣ ସେପରି ଦୁଃଖରେ ନିଜକୁ ରତ କରିବ ? ନା, ତା’ କଦାପି ହେବ ନାହିଁ । ଜୀବନ ଦେଇ ଏ ଶିଶୁକ ଲାଳନପାଳନ କରିବାକୁ ହେବ । ତା’ର ଜୀବନ ସୁଖମୟ କରିବାକୁ ହେବ । ଏ ଶିଶୁ ଭାଗ୍ୟବାନ ହେଲେ ଏହାରି ସୁଖ ପ୍ରେତଲୋକରେ ସୁଦ୍ଧା ପିତାମାତାଙ୍କୁ ସନ୍ତୋଷ ଦେବ । ଆଉ ତା’ର ପାଳିକା ମାଆ ଅବଶ୍ୟ ଆନନ୍ଦ ପାଇବ, ଏଥିରେ ସନ୍ଦେହ ନାହିଁ । ଏପରି ଭାବି ଭାବି କୁମୁଦିନୀ ନିଜ ମନକୁ ଏପରି ତିଆରି କରି ଆସୁଥାନ୍ତି ଯେ, ତାଙ୍କ ନିଜ ଜୀବନର ସୁଖର ପ୍ରୟାସ ସମାପ୍ତ ହେଲା । ଏଣିକି ତାଙ୍କର ଏକମାତ୍ର ସୁଖ ହେବ, ଏହି ଶିଶୁର ସୁଖରେ ।

 

ଏ ସବୁ ଭିତରେ ତାଙ୍କ ନିଜ ଜୀବନବୃତ୍ତାନ୍ତ ଯାହା ଦିବ୍ୟସିଂହବାବୁଙ୍କୁ ଶୁଣାଉଥିଲେ, ସେ ମଧ୍ୟ ଜ୍ୱଳନ୍ତ ଭାବରେ ତାଙ୍କ ଆଖି ଆଗରେ ନାଚି ଯାଉଥାଏ । ନିଜ ପିତାର ମୃତ୍ୟୁ, ନିଜ ସ୍ୱାମୀର ମୃତ୍ୟୁ, ତା’ପରେ ନିଜ ସନ୍ତାନର ମୃତ୍ୟୁ, କେତେ ଢେଉ ଖାଇ ଖାଇ ସେ କେଉଁଠି ପହଞ୍ଚିଲେଣି ? ବରଂ ଭଲ ଥିଲା କଲିକତାରେ ଅବଳାଶ୍ରମରେ, ସେ ଯେତେବେଳେ ମନ ଦୃଢ଼ କରିଥିଲେ ଯେ, ଜୀବନ ବ୍ୟାପୀ ପତିତା ନାରୀଙ୍କ ସେବା କରିବେ । ସେଇଥିରେ ମନ ମାରି ରହିଯାଇଥିଲେ, ଏ ଉଠାଣି ଗଡ଼ାଣିରେ ପଡ଼ିବାକୁ ହୋଇ ନଥାନ୍ତା । ପୁଣି ସେ ଅବସ୍ଥାକୁ ଫେରିଯିବା ମଧ୍ୟ ଅସମ୍ଭବ ମନେ କରୁଥାନ୍ତି । ମନର ସେପ୍ରକାର ଦୃଢ଼ତା ଆଉ ନାହିଁ । ଏଣିକି ଯା କିଛି, ତାଙ୍କୁ ଏ ଶିଶୁକୁ କେନ୍ଦ୍ର କରି କରିବାକୁ ହେବ । ଲାଲମୋହନବାବୁଙ୍କଠାରୁ ସେ ଶିଶୁଟିଏ ଆଶା କରିଥିଲେ, ଏହି ଶିଶୁଟିକୁ ସେ ଜାଣି ଦେଇଛନ୍ତି । ଏଥିରେ ସନ୍ତୁଷ୍ଟ ହୋଇ ଜୀବନରେ ଯାହା କିଛି ତାଙ୍କୁ କରିବାକୁ ହେବ ।

 

ମାତ୍ର ଲାଲମୋହନବାବୁଙ୍କ ରକ୍ଷା ପାଇବାର କ’ଣ କିଛି ଉପାୟ ନାହିଁ ? ଦିବ୍ୟସିଂହବାବୁ ଯେ ଅପିଲ୍ କଥା କହୁଥିଲେ, ସେ କ’ଣ ହେଲା ? ଯଦି ଅପିଲ୍‍ରେ ଖଲାସ ହୋଇ ଯାଆନ୍ତି ବା କେତେବର୍ଷ ଜେଲ ମାତ୍ର ହୁଏ ତା’ପରେ ସେ ଯେତେବେଳେ ଖଲାସ ହୋଇ ଆସିବେ–ସେତେବେଳେ ସେ ମୃତଦାର । ଆଉ ଗୋଟିଏ ସ୍ତ୍ରୀ ବିବାହ କରିବାର ପ୍ରଶ୍ନ ନଥିବ । ତେଣିକି ଆଉ କୁମୁଦିନୀ ଭାବି ପାରୁ ନଥାନ୍ତି । ତାଙ୍କ ଦେହ ଶିହରି ଉଠୁଥାଏ । ହଠାତ୍ ଅନ୍ଧାରରୁ ଆସି ଉଜ୍ଜ୍ୱଳ ଆଲୁଅକୁ ଚାହିଁଦେଲେ ଯେପରି ଆଖି ସହିପାରେ ନାହିଁ, ସେହିପରି ତାଙ୍କ ମନ ସେ କଳ୍ପନାକୁ ଧରି ପାରୁ ନଥାଏ ।

 

ପିଲାଟି ମଝିରେ କାନ୍ଦିବାରୁ ତାକୁ ଉଠାଇ ସାମୁକାରେ ଦୁଧ ପିଆଇଲେ । ଶିଶୁ ପୁଣି ତା’ର ନିଶ୍ଚିନ୍ତ ନିଦ୍ରାରେ ନିଦ୍ରିତ ହେଲା । ମାତ୍ର ନାନାପ୍ରକାର ଚିନ୍ତାରେ କୁମୁଦିନୀ ରାତିଯାକ ବସି ବସି କଟାଇଲେ । ଶେଷରେ ସିନ୍ଦୂରା ଫାଟିବାକୁ ଅଳ୍ପ ସମୟ ଥାଏ, ଦିବ୍ୟସିଂହବାବୁ ଆସି ଦୁଆରେ ଡାକିଲେ ।

 

ଦିବ୍ୟସିଂହବାବୁଙ୍କ ପାଟିବାରି ତରବର ହୋଇ ଦୁଆର ଫିଟାଇ ଚାହିଁଦେବାମାତ୍ରକେ ତାଙ୍କ ମୁହଁରୁ ହଠାତ୍ ବାହାରି ପଡ଼ିଲା, ‘‘ନିଶାମଣିକୁ ମୋର ପାଉଁଶ କରି ଦେଇ ଆସିଲେ–ଆଁ, ସେ ଆଉ ସତେ ନାହିଁ ! ତା’ ପୁଅଟିକୁ ସୁଦ୍ଧା ସେ ପାସୋରି ଦେଇ ଚାଲିଗଲା !’’ ଏତିକି କହୁ କହୁ ଲୁହ ଝରଝର ବୋହିଗଲା । ଦିବ୍ୟସିଂହବାବୁ ମଧ୍ୟ କାନ୍ଦ କାନ୍ଦ ହୋଇଗଲେ । ‘‘ମୁଁ ଯାଉଛି ମୋ ନିତ୍ୟକର୍ମ ସାରି ପୁଣି ଆସିବି ।’’ ଏତିକି କହିଦେଇ ଚାଲିଗଲେ ।

 

–୩୩–

 

ପ୍ରତ୍ୟେକ ମନୁଷ୍ୟର ଜୀବନକୁ ଟିକିନିଖି କରି ଆଲୋଚନା କଲେ ଦେଖାଯିବ ଯେ, କେତେ ଧକ୍କା ସେ ଖାଉଛି ଓ ତା’ର ମନୋରଥ କେତେଥର ଭାଙ୍ଗି ଚୂରମାର ହୋଇ ଯାଉଛି । କେତେଥର ସେ ନିରାଶାରେ ମନେ କରୁଛି ଯେ, ଆଉ ତା’ର ଜୀବନରେ କୌଣସି ପ୍ରୟୋଜନ ନାହିଁ । ତଥାପି ସେ ଚାଲିଛି ନୂତନ ଆଶାରେ ପୁରୁଣା ଦୁଃଖକୁ ଭୁଲିଯାଇ । ଏଇଠି ମନୁଷ୍ୟର ପ୍ରଧାନ ସହାୟ ସମୟ । ଯାହାକୁ ଦାର୍ଶନିକମାନେ ବସ୍ତୁତଃ କିଛି ନୁହେଁ ବୋଲି ଯୁକ୍ତିଛଳରେ କହିଥାନ୍ତି । ଦିନପରେ ଦିନ ବହି ଯାଉଛି–ଠିକ୍ ନଈ ବହିଗଲା ପରି । କେତେ ଘଟନାର ବାଲୁକାରାଶି ଯେ ସେଥିରେ ଅଜଣା ଭାବରେ ଭାସିଯାଉଛି, ଭାବିଲେ ବିସ୍ମିତ ହେବାକୁ ହୁଏ । ଯେ ଦୁଃଖ ଏକସମୟରେ ମନୁଷ୍ୟ ହୃଦୟକୁ ଦଳିମଳି ଛାରଖାର କରି ଦେଇଥିଲା, ସେହି ଦୁଃଖ କାଳର ପ୍ରବାହରେ ଧୀରେ ଧୀରେ ଅଳ୍ପ ଅଳ୍ପ ଅପସରି ଯାଇ ଯେତେବେଳେ କେବଳ ଅତୀତର ସ୍ମୃତି ହିସାବରେ ରହିଯାଏ, ସେତେବେଳେ ମନୁଷ୍ୟ ପୁଣି ଦମ୍ଭ ଧରି ଚିତ୍କାର କରେ–‘ଭୁଲିଯାଅ ଅତୀତକୁ’–ତା’ପରେ ଭବିଷ୍ୟତ ଚିନ୍ତାରେ ନିମଜ୍ଜିତ ହୋଇଥାଏ । ଏପରି ଯଦି ନ ହେଉଥାନ୍ତା, ତେବେ ମନୁଷ୍ୟ ଜୀବନ ଧରି ରହିବାର ଯୋଗ୍ୟ ହୋଇ ନଥାନ୍ତ । ଜୀବନ ସାଙ୍ଗେ ସାଙ୍ଗେ ଦୁଃଖର ଯେପରି ସୃଷ୍ଟି, ସେପରି ସେ ଦୁଃଖକୁ ଧୀରେ ଧୀରେ ଭୁଲିଯିବାର ମଧ୍ୟ ବନ୍ଦୋବସ୍ତ ଅଛି । ସେଥିପାଇଁ ଜୀବନରେ ଯେତେ ଆଘାତ ପାଇ ମଧ୍ୟ ମୁକୁଦିନୀ ସେହି ଶିଶୁଠିଁ ନିଜକୁ ଅଜାଡ଼ି ଦେଇ, ପୁରୁଣା ସନ୍ତାପ ସବୁକୁ ଭୁଲିଯିବା ପାଇଁ ଅଣ୍ଟା ଭିଡ଼ି ବାହାରିଛନ୍ତି ।

 

ଶିଶୁର ମନକଥା ବୁଝୁଛି କିଏ ? ନିଶ୍ଚୟ ସେ ମାଆକୁ ଦେଖିବାକୁ ନ ପାଇ ତା’ ମନ ଘାଣ୍ଟି ଗୋଳେଇ ହେଉଛି । ଛନଛନ ହୋଇ ଏଣେତେଣେ ଅନାଉଛି । ମଝିରେ ମଝିରେ କାନ୍ଦି ଉଠୁଛି । ସେହି କାନ୍ଦଣା ଛଡ଼ା ଆଉ ତା’ର କିଛି ଭାଷା ନାହିଁ । ସେ ଭାଷା ବା ବୁଝୁଛି କିଏ ? କାନ୍ଦି ଉଠିବାମାତ୍ରକେ ମୁକୁଦିନୀ ହାତରେ ଧରି ଝୁଲାଉଛନ୍ତି ବା ବାନ୍ଧରେ ପକାଇ ବୁଲାଉଛନ୍ତି, ସାମୁକାରେ ଦୁଧ ଦେଉଛନ୍ତି, ଖେଳଣା ଆଣି ତା’ ଆଗରେ ଧରୁଛନ୍ତି ବା କେତେବେଳେ ବାହାରକୁ ନେଇ ଜହ୍ନମାମୁକୁ ଦେଖାଉଛନ୍ତି । ମାତ୍ର ଶିଶୁ ଏ ସବୁ ପ୍ରବଞ୍ଚନା ବୁଝୁଥାଏ । ଯେତେବେଳେ କୌଣସି ପ୍ରକାରେ ତା’ କାନ୍ଦଣା ବନ୍ଦ ନହୁଏ, ସେତେବେଳେ କୁମୁଦିନୀ ବୁଝିପାରନ୍ତି ଯେ, ସେ ମାଆକୁ ଖୋଜିଛି । ଆଖି ଢୁଳୁଢ଼ୁଳୁ କରି ପିଲାଟି ଆଡ଼କୁ ଅନାଇ ତା’ ମୁହଁ ପାଖରେ ମୁହଁକୁ ଲଗାଇ କହନ୍ତି, ‘‘ତୋ ମା’ ଯାଇଛି ମାମୁଘରକୁ । ଏହି ଦେଖ ତୋ ମାମୁ ତୋତେ ଉପରୁ ଅନାଇ ରହିଛି ।’’ ଏହା କହି ଜହ୍ନକୁ ହାତ ବଢ଼ାଇ ଦେଖାନ୍ତି । ପିଲାର କାନ୍ଦଣା ଟିକେ ବନ୍ଦ ହୋଇଯାଏ । ବୋଧହୁଏ ସେ ଭାବେ ଯେ, ସତେ ତା’ର ମା’, ସେଆଡ଼େ କୁଆଡ଼େ ଯାଇଛି । ଯେତେ ସେ ଆଦରୁଛି, ତେତେ କୁମୁଦିନୀର ସୁଖ ।

 

ତେଣେ ଲାଲମୋହନବାବୁଙ୍କ ମୋକଦ୍ଦମା ଅପିଲ୍ କରିବା କଥା ହେଲା ନାହିଁ । କାରଣ ବଡ଼ବଡ଼ ଓକିଲମାନେ ମତ ଦେଲେ ଯେ, ଅପିଲ୍ କରିବାରେ କିଛି ନାହିଁ, ତଥାପି ଫାଶୀ ପରିବର୍ତ୍ତରେ ଯାବଜ୍ଜୀବନ କାରାବାସ କରାଇବାପାଇଁ ଚେଷ୍ଟା କରାଯାଇପାରେ । ମାତ୍ର ଲାଲମୋହନ ଅପିଲ୍ କରିବାପାଇଁ ଦୃଢ଼ ଭାବରେ ମନା କଲେ । ତାଙ୍କଠାକୁ ଏହି ସମ୍ପର୍କରେ ଦେଖା କରିବାକୁ ଓକିଲ ଯିବାରୁ ସେ କହିଲେ, ‘‘କେତେ ଲୋକ ଗୁଳି ଖାଇ ମରିଗଲେ । ମୁଁ ଯଦି ସେହିପରି ମରି ଯାଇଥାନ୍ତି ସେଥିରେ ଆଉ ଅପିଲ୍ ନଥାନ୍ତା । ସେହିପରି ଧରି ନିଅ, ମୁଁ ମରିଯାଇଛି-। ମୋତେ କାହିଁକି ମୃତ୍ୟୁ ବଡ଼ ସୁଖକର ବୋଧ ହେଉଛି । ମୋର ମନ ହେଉଛି, ବହୁଲୋକ ଇଚ୍ଛା କରି ନ ମଲେ ଏ ଦେଶର କିଛି ହେବ ନାହିଁ । ଅବଶ୍ୟ ଯେ ଅବସ୍ଥାରେ ମୁଁ ମରିବାକୁ ଯାଉଛି, ତାକୁ ଶୁଦ୍ଧ ସ୍ୱେଚ୍ଛା ମରଣ କୁହାଯାଇ ନ ପାରେ । ମାତ୍ର ଯେତିକି ମୋ ହାତରେ ଅଛି ! –ଅର୍ଥାତ୍ ଏ ଅପିଲ୍ ମୁଁ ନ କରି ମୃତ୍ୟୁର ସମ୍ମୁଖୀନ ହୁଏଁ–ସେତିକି କୃତିତ୍ୱ ମୋର ଥାଉ ।’’ ଓକିଲ ନିରାଶ ହୋଇ ଫେରି ଆସିଲେ । ତା’ପରେ ଲାଲମୋହନବାବୁଙ୍କ ଜୀବନ ସମ୍ବନ୍ଧରେ ଆଉ କୌଣସି ପ୍ରକାର ଆଶା କାହାରି ରହିଲା ନାହିଁ ।

 

କୁମୁଦିନୀଙ୍କ ଏକାନ୍ତ ଇଚ୍ଛା ଯେ, ସେ ଥରେ ଲାଲମୋହନବାବୁଙ୍କୁ ଅନ୍ତିମ ସାକ୍ଷାତ କରିବେ । କିନ୍ତୁ ସେ ଜାଣି ପାରୁ ନଥାନ୍ତି ଯେ ଲାଲମୋହନବାବୁ କିପରି ଅବସ୍ଥାରେ ଥିବେ । ମୃତ୍ୟୁ ଯେତେବେଳେ ସିଧା ଆଗରେ ଛିଡ଼ା ହୋଇଛି, ସେତେବେଳେ ତାଙ୍କ ମନରେ କି ଚିନ୍ତା ଅତି ପ୍ରବଳ ଥିବ କିଏ ଜାଣେ ? ହୁଏତ ସେ ମୃତ୍ୟୁକୁ ଭେଟିବାପାଇଁ ଯେତେ ପ୍ରକାର ମାୟାମମତା ସବୁକୁ ବଳାତ୍କାରେ ପାଶୋରି ପକାଇ ମନକୁ ତିଆରି କରୁଥିବେ ।

 

ଏ ଅବସ୍ଥାରେ ତାଙ୍କୁ ସାକ୍ଷାତ କରିବାର ଅର୍ଥ ହେବ, ତାଙ୍କ କାମରେ ବାଧା ଦେବା । ହୁଏତ ସେ ଦରିଦ୍ର ଅତ୍ୟାଚାରୀତ ଲୋକଙ୍କପାଇଁ ଦିନରାତି ପ୍ରାର୍ଥନା କରୁଥିବେ–ଏହି ବିଶ୍ୱାସରେ ଯେ, ଜୀବନକୁ ସେହିମାନଙ୍କ ପାଇଁ ଦେଇ ଶେଷବେଳରେ ପ୍ରାର୍ଥନା କଲେ ଅବା କିଛି ହେବ ? ଏପରି ଅବସ୍ଥାରେ କିପରି ଜଣେ ଯାଇକି ମୁହଁରେ ତାଙ୍କୁ ଦେଖା କରିବ ? ବାସ୍ତବିକ ଲାଲମୋହନବାବୁଙ୍କ ମନ କି ଅବସ୍ଥାରେ ଥିବ ଅନୁମାନ କରିବାପାଇଁ କୁମୁଦିନୀବି ଖୁବ୍ ଚେଷ୍ଟା କଲେ । ମାତ୍ର ସମର୍ଥ ହୋଇ ପାରିଲେ ନାହିଁ । ସେ ଶୁଣିଥିଲେ ଜୀବନରେ ଯେ ଯାହାକୁ ଅତି ସୁଖ ପାଉଥାଏ, ମୃତ୍ୟୁ ପୂର୍ବରୁ ତାହାହିଁ ମନରେ ବରାବର ନାଚେ । ଲାଲମୋହନବାବୁ ଦେଶକୁ ତ ସବୁଠାରୁ ବେଶି ସୁଖ ପାଉଥିଲେ । କୁମୁଦିନୀଙ୍କ ପ୍ରତି ତାଙ୍କର ଯେ ମମତା ସେ ତ ସଫା କହିଥାନ୍ତି ଯେ, ତାହା ବଡ଼ ବ୍ୟବହାରଜୀବୀଙ୍କ ଦୀର୍ଘ ଅବକାଶରେ ସ୍ଥାନ ପରିବର୍ତ୍ତନ ଭଳି । ଏପରି ସ୍ଥଳେ ହୁଏତ ତାଙ୍କ ମନ ମଧ୍ୟରେ କୁମୁଦିନୀ ଆଦୌ ନଥିବେ । ଏ କଥା ଭାବିଲାମାତ୍ରକେ କୁମୁଦିନୀଙ୍କ ମନ ଦବି ଯାଉଥାଏ । ସେ ପୁଣି ଭାବି ଆନନ୍ଦ ପାଉଥାନ୍ତି ଯେ, ଲାଲମୋହନବାବୁ ତାଙ୍କୁ ନିଶ୍ଚୟ ବେଶି ସୁଖ ପାଉଥିଲେ ଓ ସେ ନିଶ୍ଚୟ ତାଙ୍କ ମନେ ପଡ଼ୁଥିବେ । ମାତ୍ର ତାଙ୍କ ସଙ୍ଗେ ଦେଖା ହେଲେ କହିବେ କ’ଣ ? ଦମ୍ଭ ଧରି ରହିପାରିବେ ତ ? ଏହିପରି ସେ ନାନାଆଡ଼ୁ ଭାବି ସ୍ଥିର କରିପାରୁ ନଥାନ୍ତି, ତାଙ୍କ ସହିତ ସାକ୍ଷାତ କରିବାର ଉଦ୍ୟମ କରିବେ କି ନା ? ଏହି ସମୟରେ ପୁରୀର ପୋଲିସ୍ ଅଫିସ୍‍ରୁ ଏକ ଚିଠି ପାଇଲେ । ଲାଲମୋହନ, ଯେ କି ରଣପୁର ଜେଲରେ ଫାଶୀ ପାଇବାପାଇଁ ଅଛନ୍ତି, ସେ ତାଙ୍କ ସ୍ତ୍ରୀ କୁମୁଦିନୀଙ୍କ ସହିତ ସାକ୍ଷାତ କରିବାପାଇଁ ଇଚ୍ଛା କରିଛନ୍ତି । ଏଣୁ ଆସନ୍ତା ସାତ ତାରିଖ ମଧ୍ୟରେ ସେ ରଣପୁରରେ ଯାଇ ତାଙ୍କ ସହିତ ସାକ୍ଷାତ କରିପାରନ୍ତି ।

 

ଚିଠିଟି ପଢ଼ି କୁମୁଦିନୀ ଗୁମ୍‍ମାରି ଘଡ଼ିଏ ବସିଗଲେ । ସେ ତାଙ୍କୁ ନିଜର ସ୍ତ୍ରୀ ବୋଲି ପ୍ରକାଶ କରି ଅଛନ୍ତି ଅଥଚ ଯେ ସ୍ତ୍ରୀ ସେ ସ୍ୱାମୀର ମୃତ୍ୟୁଦଣ୍ଡର ଖବର ପାଇ ଦିନ ଗୋଟାଏ ସୁଦ୍ଧା ପ୍ରାଣ ଧରି ରହିପାରିଲା ନାହିଁ । ଅଥଚ ସେ ଧୀରେ ଧୀରେ ପୁରୁଣା କଥାକୁ ପାସୋରି ପୁଣି ନୂଆ ଯୋଜନାରେ ମାତି ଚାଲିଚନ୍ତି । ସେ ନିଜକୁ ଓ ନିଶାମଣିକୁ ପ୍ରଣୟିନୀ ଭାବରେ ନିକିତିରେ ତଉଲିଲାବେଳକୁ ନିଶାମଣି ଯେପରି ତଳେ ଲାଗି ଯାଉଥାଏ ଓ ସେ ନିଜେ ଯେପରି ଉପରକୁ ଉଠି ଯାଉଥାନ୍ତି । ଏପରି ଭାବି ସେ ଲଜ୍ଜିତ ହେଉଥାନ୍ତି । ପୁଣି କିଏ ଯେପରି ପଛରୁ କହି ଦେଉଥାଏ, ନିଶାମଣି ତ ଆଉ ନାହିଁ ଓ ଲାଲମୋହନ ତ ରହିବେ ନାହିଁ, ଆଉ ପ୍ରଣୟର ପ୍ରତିଦ୍ୱନ୍ଦ୍ୱିତା କାହାପାଇଁ-?

 

କୁମୁଦିନୀ ରଣପୁର ଯିବେ ଓ ନିଶାମଣିଙ୍କ ତରଫରୁ ଶିଶୁଟିକୁ ଲାଲମୋହନବାବୁଙ୍କୁ ଉପହାର ଦେବେ ଏବଂ ପୁଣି ତାଙ୍କଠାରୁ ପ୍ରୀତିର ନିଦର୍ଶନସ୍ୱରୂପ ଉପହାର ପାଇଁ ସେ ଶିଶୁଟିକୁ ଜୀବନର ଗଣ୍ଠିଧନ ରଖିବେ । ଏହି ଚିନ୍ତାହିଁ ତାଙ୍କୁ ବିଷାଦ କୁହୁଡ଼ି ଭିତରେ ସକାଳ ସୂର୍ଯ୍ୟ ପରି ସାନ୍ତ୍ୱନା ଦେଉଥାଏ ।

 

–୩୪–

 

ଯେତେବେଳେ କୁମୁଦିନୀଙ୍କ ସହିତ ଦେଖା କରିବାପାଇଁ ଲାଲମୋହନବାବୁ ଇଚ୍ଛା ପ୍ରକାଶ କଲେ ଓ ସେ ଇଚ୍ଛାକୁ ଏପରି ବଳବତ୍ତର ଭାବରେ ଜେଲ କର୍ତ୍ତୃପକ୍ଷଙ୍କ ଆଗରେ ଥୋଇଲେ ଯେ, ସେମାନେ ତାହା ପୂରଣ କରିବାକୁ ବାଧ୍ୟ ହେଲେ । ସେତେବେଳର ତାଙ୍କ ମନର ଚିତ୍ର ଆଙ୍କିବା ବଡ଼ କଠିନ । ଫାଶୀର ଆଦେଶ ସେ ଯେତେବେଳେ ଶୁଣିଲେ, ସେତେବେଳେ ତାଙ୍କ ମନ ଦବିଗଲା–‘ସବୁ ଶେଷ’ ଏ ପ୍ରକାର ଏକ ହତାଶ ଭାବ ଆସିଲା । ମାତ୍ର ପରେ ତାଙ୍କ ମନ ଆନନ୍ଦରେ ଉଚ୍ଛୁଳି ଉଠିଲା । ଗତ କେତେ ମାସ ହେଲା ଯେ ବୀଭତ୍ସ ଅତ୍ୟାଚାର ଶାସନ ଓ ଶୃଙ୍ଖଳା ନାମରେ ନିରୀହ ଜନତା ଉପରେ ଗୁଳି ଚଳାଇ ମଧ୍ୟଯୁଗର ବର୍ବରତାକୁ ଚିରକାଳ କାଏମ ରଖିବାର ଚେଷ୍ଟା କରାହୋଇଛି, ସେ ସବୁ ନିଜ ଆଖିରେ ଦେଖି ଦେଖି ତାଙ୍କ ମନ ଏତେ ତିକ୍ତ ହୋଇ ଯାଇଥିଲା ଯେ, ମନୁଷ୍ୟ ଭିତରେ ଯେ ଅନ୍ତର୍ନିହିତ ଦେବତ୍ୱ ଟିକକ ଅଛି, ସେଥିରେ ତାଙ୍କର ଅବିଶ୍ୱାସ ଜନ୍ମି ଯାଇଥିଲା । ତେଣୁ ସେ ଆଉ ଭାବୁ ନଥିଲେ ଯେ, ଅତ୍ୟାଚାର କରି କରି ଅତ୍ୟାଚାରୀ ଆପେ ଥକି ପଡ଼ିବ ଓ ତା’ ମନରେ ସେ ଦେବତ୍ୱ ସ୍ୱତଃ ଜାଗି ଉଠିବ । ତାଙ୍କ ମନରେ ଦାରୁଣ ପ୍ରତିହିଂସା ଭାବ ଜାଗ୍ରତ ହେଉଥିଲା, ଏହାକୁ ସେ ଦବାଇବା ପାଇଁ ଚେଷ୍ଟା କରୁଥିଲେ ଅହିଂସା ଦୃଷ୍ଟିରୁ । ଲୋକେ ଉତ୍ତେଜିତ ହୋଇ ସାହେବଙ୍କୁ ମାରି ପକାଇଲେ, ସେ ସେତେବେଳେ ମନେମନେ ଏକପ୍ରକାର ସନ୍ତୋଷ ଅନୁଭବ କଲେ, ଯାହାକୁ ସେ ବ୍ୟକ୍ତ କରୁଥିଲେ କବିଙ୍କ ଭାଷାରେ ‘‘ଜନ ଦରବାରେ ତା’ର ହୋଇ ଅଛି ସଜା ।’’ ଏ ସନ୍ତୋଷ ତାଙ୍କ ମନକୁ ଆସୁଛି–ସେ ଏଥିପାଇଁ ଦୁଃଖିତ ହେଉଥିଲେ । ଚେଷ୍ଟା କରୁଥିଲେ ସେ ଯେପରି ଜଣଙ୍କ ମୃତ୍ୟୁରେ ଦୁଃଖିତ ହୁଅନ୍ତୁ; ମାତ୍ର ଶହ ଶହ ଲୋକ ଯେ ଗୁଳି ମାଡ଼ରେ ମରିଛନ୍ତି, ଶହ ଶହ ନାରୀ ଯେ ଅତ୍ୟାଚାରିତ ହୋଇଛନ୍ତି–ଏ ସବୁ ଯେପରି ତାଙ୍କ ଚାରିପାଖ ପରିଭ୍ରମଣ କରି ତାଙ୍କ ମନରେ ସାହେବଙ୍କ ହତ୍ୟାର ସନ୍ତୋଷ ଆଣିବାପାଇଁ ତାଣ୍ଡବ ନୃତ୍ୟ କରୁଥାନ୍ତି । ଫାଶୀ ହୁକୁମ ପାଇ ସେ ସନ୍ତୋଷ ଅନୁଭବ କଲେ, ଯେତେବେଳେ ସେ ଭାବିଲେ ଯେ, ନିଜକୁ ଅତ୍ୟାଚାରିତମାନଙ୍କ ସହ ପୂରାପୂରି ମିଶାଇ ଦେବାର ସୁଯୋଗ ପାଇଛନ୍ତି । ଯେତେବେଳେ ପର୍ଯ୍ୟନ୍ତ ସେ କେବଳ ଉତ୍ସାହଦାତା ଥିଲେ ଓ ତାଙ୍କଦ୍ୱାରା ଉତ୍ସାହିତ ହୋଇ ଜନତା ଧନ, ଜୀବନ, ସମ୍ମାନ ସବୁ ହରାଉଥିଲା, ସେତେବେଳେ ପର୍ଯ୍ୟନ୍ତ ସେ ନିଜକୁ ଜନତା ଭିତରେ ଜଣେ ବୋଲି ପୂରାପୂରି ଭବି ପାରୁ ନଥିଲେ । ବର୍ତ୍ତମାନ ସେ ସେହି ଜନତା ଭିତରେ ଜଣେ ଯେ ବହୁ ବର୍ଷର ଅସଭ୍ୟତା ଓ ଅତ୍ୟାଚାରକୁ ଠେଲି ଦେବାକୁ ଯାଇ ନିଜ ଜୀବନକୁ ତୁଚ୍ଛ କରି ଦେଇଛି ।

 

ରାଜନୀତିର ଆତାସବାଜିରେ କେତେ ଜୀବନ ସମ୍ମାନର ଚରମ ସୀମାକୁ ଯାଇ ପୁଣି କୁଆଡ଼େ ବିସ୍ମୃତିରେ ଲୀନ ହୋଇ ଯାଉଛି, ମାତ୍ର ଯେଉଁମାନେ ଦେଶପାଇଁ ଜୀବନ ଦେଉଛନ୍ତି ସେମାନଙ୍କ ନାମ ଇତିହାସରେ ବ୍ୟକ୍ତିଗତ ଭାବରେ ନ ରହିଲେ ମଧ୍ୟ ସମୂହଭାବରେ ସେହିମାନେ ଯେ ଆଧୁନିକ ଇତିହାସର ରଚୟିତା ଏକଥା କାଳ କାଳକୁ ରହିଯିବ । ସେ ନିଜେ ସେହି ଭାଗ୍ୟବାନମାନଙ୍କ ଭିତରୁ ଜଣେ ଯେ ପରାଧୀନତାର ଶିକୁଳି ଛଡ଼ାଇବା ପାଇଁ ନିଜ ଜୀବନ ସୁଦ୍ଧା ଦାନ କରୁଛନ୍ତି ! ଏହି ଚିନ୍ତାଧାରା ଲାଲମୋହନବାବୁଙ୍କ ମନରେ ଅନେକ ଦିନ ପର୍ଯ୍ୟନ୍ତ କାମ କଲା-। ସେ ସମୟରେ ସେ ଆଉ କିଛି ମନେ ପକାଇ ନାହାନ୍ତି, ଘର, ଭାଇ, ବନ୍ଧୁ, ସ୍ତ୍ରୀ ବା କୁମୁଦିନୀ–କେବଳ ତାଙ୍କ ଆଖି ଆଗରେ ନାଚୁଥାଏ ସେହି ଲୋକେ ଯେଉଁମାନେ ଗୁଳିରେ ମରି ଯାଇଛନ୍ତି, ସେହିମାନେ ଯେଉଁମାନେ ସର୍ବସ୍ୱ ହରାଇ ସୁଦ୍ଧା ସାହସବାନ୍ଧି ଅତ୍ୟାଚାର ବିରୋଧରେ ଉତ୍ସାହ ସହକାରେ ଲାଗିଥାନ୍ତି । ଏହି ସମୟରେ ସେ ଚିନ୍ତାରେ ଭରପୂର ହୋଇ ରହିଲେ ଯେ, ସେ ପାଗଳ ହୋଇ ଯାଇଛନ୍ତି ବୋଲି ଜେଲ କର୍ତ୍ତୃପକ୍ଷ ମନେ କଲେ । କାରଣ ସେ ଅନେକ ସମୟରେ ଅବାନ୍ତର ଭାବରେ ଏପରି କଥା ନିଜ ମନକୁ କହନ୍ତି, ଯାହାର ଅର୍ଥ ଜେଲକର୍ତ୍ତାମାନେ ବୁଝିପାରନ୍ତି ନାହିଁ । –‘‘କିଏ କହୁଛି ସେମାନେ ମରିଯାଇଛନ୍ତି–ସେମାନେ କଦାପି ମରି ନାହାନ୍ତି । ସେମାନେ ଯାଇଛନ୍ତି ପୁଣି ସଜବାଜ ହୋଇ ଆସିବାପାଇଁ । ଆସିବେ ସେମାନେ ନୂତନ ଶକ୍ତି ଘେନି–ନୂତନ ଉତ୍ସାହ ଘେନି–ସେ ଦିନ ଆକାଶରେ ବିନ୍ଦୁଏ ହେଲେ ଅନ୍ଧକାର ନଥିବ–ସେଦିନ ସୂର୍ଯ୍ୟ ଚନ୍ଦ୍ର ଏକ ସଙ୍ଗରେ ଉଦିତ ହୋଇ ଅନ୍ଧିସନ୍ଧି ଖୋଜି ପୃଥିବୀର ସବୁଆଡ଼ୁ ଯେତେ ଅନ୍ଧକାର ଅଛି ସବୁ ଦୂର କରିବେ । ସେ ଦିନ ମଳୟ ପବନ ଚାରିଆଡ଼େ କୀର୍ତ୍ତନ କରି ବୁଲିବ ଯେ, ପୃଥିବୀରେ ମନୁଷ୍ୟ ଉପରେ ମନୁଷ୍ୟର ଅତ୍ୟାଚାରର ଅବସାନ ଘଟିଅଛି । ତରୁଲତା, ପଶୁ ପକ୍ଷୀ ସମସ୍ତେ ଆନନ୍ଦରେ କୋଳାହଳ କରି ନାଚିବେ–ଗାଇବେ ସେ ଶାନ୍ତିର ସଙ୍ଗୀତ’’–ଏତିକି କହି ଦେଇ ସେ ଯେଉଁ ଘରେ ବନ୍ଦିଥାନ୍ତି ସେଠାରେ ଦ୍ରୁତଗତିରେ ଏପାଖ ସେପାଖ ପଦକ୍ଷେପ କରନ୍ତି । କେତେବେଳେ ଅବା ଝରକା ପାଖେ ବାହାରକୁ ଅନାଇ ହସି ହସି କହନ୍ତି–‘‘ଭାବିଛୁ ତୋରି ଜୀବନର ମୂଲ୍ୟ ଅଛି–ଆଉ କାହାରି ନାହିଁ । ଏଇଥର ମରଣରେ ବୁଝୁ ଯେ ସମସ୍ତଙ୍କ ଜୀବନ ଅତି କ୍ଷୀଣ ଓ ତାହା ଅନ୍ୟର ଦୟା ଉପରେ ନିର୍ଭର କରେ ।’’

 

ତାଙ୍କର ଖାଇବାପାଇଁ ଭାତ ଡାଲି ପ୍ରଭୃତି କେହି ନେଇ ଦେଲେ, ସେ ବହୁକ୍ଷଣ ପର୍ଯ୍ୟନ୍ତ ଭାତକୁ ଅନେଇ ଧୀରେ ଧୀରେ ଅସ୍ପଷ୍ଟ ଭାବରେ କହନ୍ତି, ‘‘ଯେ ମରିବାକୁ ଯାଉଛି–ତା’ ପାଖକୁ ତୁ ଆପେଆପେ ଆସୁଛୁ–ଯେ ବଞ୍ଚିବାକୁ ଚାହୁଁଛି, ତା’ ପାଖରୁ ତୁ ଦୂରକୁ ଅପସରି ଯାଉଛୁ । ଏ ତୋର ପରିହାସ ନା–ଜୋର କରି ତୋତେ ସେମାନଙ୍କ ପାଖକୁ ଯିବାକୁ ହେବ । ନହେଲେ ରଣପୁରରେ ଯାହା ହେଲା ତାହା ହେବ ।’’ ଏହା କହି ଅଟ୍ଟହାସ୍ୟ କରି ଭାତକୁ ଫୋପାଡ଼ି ଦିଅନ୍ତି । କେବଳ ଯେ ଜାଗ୍ରତ ଅବସ୍ଥାରେ ଏପରି ତାଙ୍କ ରୀତି ତାହା ନୁହେଁ । ରାତିରେ ଶୋଇଥିବାବେଳେ ମଧ୍ୟ ହଠାତ୍‌ ଧଡ଼ପଡ଼ ହୋଇ ଉଠି କେବେକେବେ ବନ୍ଦ ହୋଇଥିବା ଦରଜାକୁ ଖୁବ୍‌ ଜୋରେ ଆଘାତ କରି ପାଟି କରି କହନ୍ତି–‘‘କାହାର ସାଧ୍ୟ, କିଏ ଏତେ ବଡ଼ ଦେଶକୁ ବନ୍ଦ କରି ରଖିବ । ଖୋଲ, ଖୋଲ ଦ୍ୱାର, ନହେଲେ ପ୍ରଳୟ ।’’ ତା’ପରେ ପୁଣି ଆସି ବିଛଣାରେ ପଡ଼ି ରହନ୍ତି । କେତେବେଳେ କି ସ୍ୱପ୍ନ ସେ ଦେଖନ୍ତି କେଜାଣେ, ନିଦରେ ଚିତ୍କାର କରନ୍ତି । ‘ଛାଡ଼ିଦିଅ ଲମ୍ବା ଡୋରି.... । ସେହି ଡୋରିରେ ସେ ଛନ୍ଦି ହୋଇ ମରୁ । ଛାଡ଼୍‌ ଡୋରି ଛାଡ଼୍ । କେତେ ମଲେ କେତେ ରହିଲେ ହିସାବକିତାବ କିଛି କରି ନାହିଁ । ଛାଡ଼୍‌ ଡୋରି ଛାଡ଼, ଯେଉଁ ଦିନ ହିସାବ ହେବ ସେଦିନ ଜଣାଯିବ–କୋଟି କୋଟି ଲୋକଙ୍କ ଭିତରୁ କେତେ ହଜାର ମାତ୍ର ଜୀବନ ଦେଇ ସ୍ୱାଧୀନତା ଆଣିଛନ୍ତି । ଛାଡ଼୍ ଡୋରି ଛାଡ଼୍ ।’’ କେତେବେଳେ ନିଦରେ ପାଟି କରି କହନ୍ତି, ‘‘ଭାବିଛୁ ତୁ ଜୀବନର ଦୁଇ ପ୍ରକାର ମୂଲ୍ୟ ଅଛି ? ଗୋଟିଏ ମୁନିବର ଆଉ ଗୋଟିଏ ମୂଲିଆର । ଏଥର ବୁଝ ସବୁ ଜୀବନର ମୂଲ୍ୟ ଗୋଟିଏ ।’’

 

ଏହିପରି ତାଙ୍କ ଗତିବିଧି ଦେଖି ଜେଲ କର୍ତ୍ତୃପକ୍ଷ ବିଶ୍ୱାସ କରୁଥାନ୍ତି ଯେ, ସେ ପାଗଳ ହୋଇ ଗଲେଣି । ଯେଉଁମାନଙ୍କର ଟିକିଏ ହୃଦୟ ଅଛି ସେମାନେ ଚାକିରି ବଜାୟ ରଖିବାପାଇଁ ଉପରେ କିଛି କହନ୍ତି ନାହିଁ । ମାତ୍ର ଭିତରେ ଦୀର୍ଘ ନିଃଶ୍ୱାସ ପକାଇ ଭାବନ୍ତି–ଏତେ ବଡ଼ଲୋକର ଏଦଶା ହେଲା ? ମାତ୍ର ସେମାନଙ୍କ ହୃଦୟର କାର୍ଯ୍ୟ ଏହି ବିଶ୍ୱାସ ଟିକକଠାରୁ ଆଉ ବେଶି ଦୂର ଯାଇ ନଥାଏ ।

 

ଉପରିସ୍ଥ କର୍ତ୍ତୃପକ୍ଷଙ୍କର ଆଦେଶ ହୋଇଥାଏ ଯେ, ଲାଲମୋହନବାବୁଙ୍କୁ ଏକୁଟିଆ ଘରେ ଦିନରାତି ଚବିଶିଘଣ୍ଟା ବନ୍ଦ ରଖିବାକୁ ହେବ । ସେହି ଘରେ ସେ ସବୁ କରିବେ । ସେ ଫାଶୀ ପାଇବାକୁ ଯାଉଛି ତା’ର ପୁଣି ସୁବିଧା ଅସୁବିଧା କ’ଣ ? ଏତିକିବେଳେ ଦେଖିବାକୁ ହେବ ଯେ, ସେ ଫାଶୀରେହିଁ ମରୁ । ତା’ ପୂର୍ବରୁ ସେ ଯେପରି ଅନ୍ୟ କୌଣସି କାରଣରୁ ମରି ନ ଯାଏଁ, କାରଣ ତାହାହେଲେ ମର୍ଯ୍ୟାଦା ରହିବ ନାହିଁ । ବାସ୍ତବିକ ମନୁଷ୍ୟସମାଜରେ ଏ ଫାଶୀଦଣ୍ଡ ସିନା ମନେ ପକାଇ ଦେଉଛି ଯେ, ମନୁଷ୍ୟ ବର୍ତ୍ତମାନ ସୁଦ୍ଧା ତା’ର ସେହି ପୂର୍ବ ପ୍ରକୃତି ଛାଡ଼ି ନାହିଁ । ଇତିମଧ୍ୟରେ ହଜାର ହଜାର ବର୍ଷ ଅତିବାହିତ ହୋଇ ଯାଇଥିଲେ ମଧ୍ୟ ଫାଶୀ ପାଇବା ପୂର୍ବରୁ ଯେଉଁ ଦଣ୍ଡିତ ଲୋକଟି ମାସେ ଦୁଇମାସ ବା କେତେକ ସ୍ଥଳରେ ବର୍ଷ ବର୍ଷ କାଳ ଜେଲରେ କଟାଏ, ସେତେବେଳେ ସିନା ତାକୁ ହାଣକୁ ଯିବା ପୂର୍ବରୁ ଛେଳି ମେଣ୍ଢାପରି ବ୍ୟବହାର କରାଯାଏ ।

 

ପ୍ରଥମ କେତେଦିନ ଲାଲମୋହନବାବୁ କେବଳ ନିଜର ଉନ୍ନତ୍ତ ଚିନ୍ତା ଛଡ଼ା ଅନ୍ୟ କୌଣସି କଥାକୁ ଭ୍ରୂକ୍ଷେପ କରି ନାହାନ୍ତି । ସେ ଯେ ଗାଧୋଇ ନାହାନ୍ତି, ନିତାନ୍ତ ଦୁର୍ଗନ୍ଧ ପୂର୍ଣ୍ଣ ବଖରାଟିରେ ଦିନରାତି ରହୁଛନ୍ତି–ଶୁଖିଲା ଭାତଗଣ୍ଡେ, ଡାଲି ଟିକିଏ ଓ ଶାଗ ମେଞ୍ଚାଏ ଆଣି ତାଙ୍କ ପାଖରେ ରଖିଦିଆହେଉଛି, ପିଇବାପାଇଁ ପାଣି ସୁଦ୍ଧା ସେ ଘରେ ରଖାଯାଇନାହିଁ–ଏସବୁ କିଛି ତାଙ୍କୁ ଲାଗୁ ନଥାଏ । ମାତ୍ର କିଛିଦିନ ପରେ ଯେତେବେଳେ ଚିନ୍ତାର ଉନ୍ମାଦନା କମି ଆସିଲା, ସେତେବେଳେ ସେ ଧୀରେ ଧୀରେ ଅନୁଭବ କଲେ ଯେ, ତାଙ୍କୁ ବାସ୍ତବିକ୍ ଏକ ନରକକୁଣ୍ଡରେ ପକାଇ ରଖାହୋଇଛି । ଯମ ରାଜାଙ୍କର ନାନାବିଧ ଦଣ୍ଡ ବିଧାନର ବର୍ଣ୍ଣନା ଯେପରି ପୁରାଣରେ ଶୁଣିବାକୁ ମିଳେ, ସେହିପରି ଯାତନା ଭୋଗ ସେ କରୁଛନ୍ତି । ସେ ବିରକ୍ତ ହୋଇ ଉଠିଲେ–ଭାବିଲେ ଜେଲ ପରିଚାଳକଙ୍କୁ କହିବେ । ମାତ୍ର ପୁଣି ଭାବିଲେ ଆଉ କହି ଲାଭ କ’ଣ ?–କେତେ ଦିନକୁ କେତେ କଥା ! ଯେତେବେଳେ ବାସ୍ତବିକ ସେ ଘରେ ରହିବା ଅସହ୍ୟ ହେଲା, ସେତେବେଳେ ପରିଚାଳକଙ୍କୁ ଥରେ କହିଲେ, ଘରକୁ ସାଫ୍‌ସୁତର୍ କରିବାପାଇଁ ଓ ଘରେ ପିଇବା ପାଣିର ବ୍ୟବସ୍ଥାପାଇଁ । ପରିଚାଳକ ମହାଶୟ ନିଜ ଓଠରେ ଅବଜ୍ଞାର ହସଟିଏ ଖେଳାଇ ଦେଇ କହିଲେ, ‘‘ଆଉତ ପନ୍ଦର ଦିନର କଥା–କୌଣସି ପ୍ରକାର ଚଳାଇନିଅ ।’’ ଲାଲମୋହନବାବୁଙ୍କ ମନରେ ସେହି ପନ୍ଦରଦିନ କଥାଟି ଲାଗିଗଲା । ‘ପନ୍ଦର ଦିନରେ ସରିଯିବ ସବୁ କଥା ।’ ଏହିଠାରୁ ତାଙ୍କର ମନ ଯେ ଗତିଗଲା, ସେ ତାଙ୍କର ଘର, ଛାତ୍ରାବସ୍ଥା, ସାଧାରଣ ଜୀବନର ଆରମ୍ଭ, ସାଧାରଣ ଜୀବନର ଟିକିନିଖି ସବୁ କାମ, ନିଶାମଣି, ଏସବୁକୁ ବିଚରଣ କରି ଶେଷରେ ପହଞ୍ଚିଲା କୁମୁଦିନୀ ନିକଟରେ । ‘ଭାଗ୍ୟେ ସିନା ମୁଁ ବିବାହ କରି ନାହିଁ, ନହେଲେ ତ ସେ ବିଚାରୀ ବିଧବା ହୋଇ ଯାଇଥାନ୍ତା ।’ ଜୀବନର ଯେ ପଥ ମୁଁ ବାଛି ନେଇଥିଲି ସେଥିରେ କାହିଁକି ମୁଁ ମନ ବଳାଇଥିଲି ଦାମ୍ପତ୍ୟ ଜୀବନ ଉପଭୋଗ କରିବି ବୋଲି ! କେତେ ସ୍ନେହ ସେ ମୋଠାରେ ଅଜାଡ଼ି ଦେଇଥିଲା–କେତେ ସ୍ନେହ ମୁଁ ତାକୁ ଅର୍ପଣ କରିଥିଲି ଶେଷରେ ସେହି ସିନା ସେ ସ୍ମୃତିଟିକୁ ଘେନି ରହିବ । ବାସ୍ତବିକ ଦିବ୍ୟସିଂହବାବୁ ଠିକ୍‌ ପରାମର୍ଶ ଦେଇଥିଲେ, ଯେ ଦେଶ କାମରେ ମାତି ସ୍ୱକୀୟ ଆମୋଦ ପ୍ରମୋଦ ପ୍ରତି ମନ ଦେବା ଠିକ୍‌ ନୁହେଁ । ସେତେବେଳେ ମନେ ହେଉଥିଲା, ସେ ବାଜେକଥା ଗପୁଛନ୍ତି ବୋଲି ମାତ୍ର ବର୍ତ୍ତମାନ ମୁଁ ଦେଖୁଛି ଯେ, ସେ ଠିକ୍‌ କହୁଥିଲେ ।

 

ନିଶାମଣି କ’ଣ କରୁଥିବ ? ସେ ମୋ ଖବର ପାଇଥିବ ତ ? କୁମୁଦିନୀ ତ ଶିକ୍ଷିତା, ସେ ମନକୁ ବୁଝାଇ ପାରିବ–ମାତ୍ର ନିଶାମଣି ବିଚାରୀ କ’ଣ କରିବ ? ଭାଇ ଭାଉଜ ଏମାନେ ତାକୁ ପଚାରିବେ ତ ? ବିଚାରୀ କେତେ ଆଶା ପୋଷଣ କରିଥିଲା । କେବଳ ନିରାଶା ଛଡ଼ା ମୁଁ ତାକୁ ଆଉ କିଛି ଦେଇ ନାହିଁ । ଯଦି ମୋର କୁମୁଦିନୀ ସହିତ ବିବାହ ହୋଇ ଯାଇଥାନ୍ତା, ତେବେ ସିନା ଆଜୀବନ ଦୁଃଖରେ କେବଳ ମୋରି ନାମରେ ଦୀର୍ଘ ନିଃଶ୍ୱାସ ପକାଇ ଥାଆନ୍ତା । ଓଃ ! ସେ ଦୁଃଖରୁ ସେ ରକ୍ଷା ପାଇ ଯାଇଛି । କାହିଁକି ବା କିଏ ମୋପାଇଁ ଜୀବନସାରା ଝୁରି ହେବ ? ନିଶାମଣି ବା କୁମୁଦିନୀ ମୋତେ କାଳକ୍ରମେ ଭୁଲିଯିବେ । ଶେଷରେ ଯେ ଯାହା ସୁଖ ଦୁଃଖରେ ରହିବେ । କିଛିଦିନ ଭାଳି ହେବେ; ମାତ୍ର କିଛିଦିନ ପରେ ସବୁ ଭୁଲିଯିବେ । ତା’ପରେ ତାଙ୍କ ଜୀବନ ସୁରୁଖୁରୁରେ ଚାଲିବ । ମାତ୍ର କୁମୁଦିନୀ କିଛିଦିନ ପାଇଁ ଭାଳି ହେବ–କାହିଁକି ? ମୋପାଇଁ ସିନା ସ୍ନେହ ଥିଲା । ମୋ ଅନ୍ତେ ତା’ର ସେ ଅନ୍ୟ ପଥ କାହିଁକି ନ ଦେଖିବ । ହୁଏତ ସେ ଅନ୍ୟ କାହାର ପ୍ରଣୟ ଇଚ୍ଛା କରିବ ! ମୁଁ ସିନା ଉପରୁ ଥାଇ ଦେଖୁଥିବି ଯେ, ମୋ ପ୍ରଣୟିନୀ ସହିତ ଅନ୍ୟ ଜଣେ ଆସି ପ୍ରଣୟ ସମ୍ପର୍କ ସ୍ଥାପନ କରିଛି । ଓଃ ! କେତେ ଦୁଃଖ ମୋତେ ଲାଗିବ–ଦେହସାରା କଣ୍ଟା ଢୁକି ଯାଉଥିବ । ମାତ୍ର ଏହି ଅନୁଭୂତି ମୃତ୍ୟୁ ପରେ ମୋର ଥିବ କି ? ଯାହାହେଉ ସେତିକି ମୋର ସାନ୍ତ୍ୱନା–କିନ୍ତୁ ବର୍ତ୍ତମାନ ସେ କଥା ଭାବିଲେ ମୋ ଛାତି ଦହି ହୋଇ ଯାଉଛି । ସେହିପରି ଯଦି ମୁଁ କୁମୁଦିନୀକୁ ବିବାହ କରି ଥାଆନ୍ତି–ନିଶାମଣିର ଛାତି ତ ଜଳିପୋଡ଼ି ଯାଉଥାନ୍ତା । କୁମୁଦିନୀର ଦ୍ୱିତୀୟ ବିବାହ କଳ୍ପନାରେ ମୁଁ ସେ ସନ୍ତାପ ଅନୁଭବ କରୁଚି ମୋର ବାସ୍ତବିକ ଦ୍ୱିତୀୟ ବିବାହରେ ନିଶାମଣିତ ପ୍ରାଣ ରଖି ପାରି ନଥାନ୍ତା । ନିଶାମଣି ବିଚାରୀ ଏକ ବିଷମ ସମସ୍ୟାରୁ ରକ୍ଷା ପାଇଛି । ଭାଇଆରା ଘରେ ବହୁତ ଦୁଃଖ ଭୋଗିବ । ମୋ ଥାଉଁଥାଉଁ କେତେ ଗଞ୍ଜଣା ସେ ସହୁଥିଲା–ମୋ ଅନ୍ତେ ତା’ ଜୀବନ ଦୁର୍ବହ ହୋଇ ଉଠିବ । ଯାହା ହେବାର ହେବ । ମୁଁ ଏସବୁ ଚିନ୍ତାରୁ ପନ୍ଦର ଦିନରେ ମୁକ୍ତ । ତେଣିକି ମୋର ନୂଆ ଜୀବନ । ମାତ୍ର ଥରେ କୁମୁଦିନୀଠାରୁ ବିଦାୟ ନେବି । ଜଗତରେ ଆଉ କାହା ସହିତ ମୋର ସେପରି ସ୍ୱକୀୟ ସମ୍ପର୍କ ନାହିଁ । ସାଧାରଣଙ୍କ ସହିତ ଯେତିକି ସମ୍ପର୍କ ଥିଲା ସେଥିପାଇଁ ସେମାନଙ୍କଠୁ ମୃତ୍ୟୁରେହିଁ ବିଦାୟ ନେବି । ନିଶାମଣିଠାରୁ ଦୂରରୁ କେବଳ ଦୀର୍ଘ ନିଃଶ୍ୱାସରେ ବିଦାୟ ନେଉଛି । ମାତ୍ର କୁମୁଦିନୀଙ୍କଠାରୁ ସାକ୍ଷାତରେ ବିଦାୟ ନେବି । ପରେ ଦେଖିବି ତାକୁ ଶେଷଥର ପାଇଁ ।

 

ତା’ପରେ ସେ ଜିଦ୍‌ ଲଗାଇଲେ ଯେ, ସେ କୁମୁଦିନୀଙ୍କ ସହିତ ସାକ୍ଷାତ କରିବେ ।

 

ପ୍ରଥମେ ନାନାପ୍ରକାର ଆପତ୍ତି କରୁଥିଲେ ମଧ୍ୟ ଶେଷରେ ଜେଲ କର୍ତ୍ତୃପକ୍ଷ ରାଜି ହେଲେ । ନିକଟ ସମ୍ପର୍କ ଛଡ଼ା ଅନ୍ୟ କାହାରି ସହିତ ସାକ୍ଷାତ କରିବାକୁ ଦିଆହେବନାହିଁ । ଏଣୁ କୁମୁଦିନୀଙ୍କୁ ନିଜ ସ୍ତ୍ରୀ ବୋଲି ଲାଲମୋହନ ଜଣାଇଥିଲେ ।

 

–୩୫–

 

ଶିଶୁଟିକୁ ନେଇ କିପରି ଲାଲମୋହନଙ୍କ କୋଳରେ ଥୋଇ ଦେବେ, ପ୍ରଥମେ ଶିଶୁଟି କିପରି ଅଚିହ୍ନା ବାରିବ, ତା’ପରେ ଯେତେବେଳେ ନିଜର ବାପା ବୋଲି ଜାଣିବ ସେତେବେଳେ ସେ କିଛି ନ ବୁଝିପାରିଲେ ମଧ୍ୟ ତା’ ନିଜ ଦେହ ଭିତରେ ରକ୍ତର ଯେ ସମ୍ବନ୍ଧ ଅଛି, ସେ ଉଷ୍ଣ ହୋଇ ଉଠିବ । ସେ ବଲବଲ କରି ବାପା ମୁହଁକୁ ଅନାଇବ । ବାପା ହୁଏତ ତାହାର କପୋଳରେ ଏକ ସ୍ନେହର ଚୁମ୍ବନ ଦେବେ । ସେତେବେଳେ ଶିଶୁ ତା’ ବାପାଙ୍କୁ ନିଶ୍ଚୟ ଚିହ୍ନି ପାରିବ । ତା’ପରେ ସେ ଶିଶୁଟିକୁ କୁମୁଦିନୀ ହାତକୁ ବଢ଼ାଇ ଦେବେ ଓ ରୁଦ୍ଧ କଣ୍ଠରେ କହିବେ, ‘ଲାଗିଲା ତୁମକୁ’ ମୁଁ ଯାଉଛି-। ସେତେବେଳେ କି ଛାତି ସହିବ–ସେ ଦାରୁଣ ବିଦାୟ ଘେନିବାପାଇଁ–ଏଇଠି କୁମୁଦିନୀଙ୍କର ମନ ଛଟପଟ ହୋଇ ଉଠେ । ସେ ଆଉ କିଛି ଭାବିପାରନ୍ତି ନାହିଁ । କିପରି ସେ ନିଶାମଶିର ମୃତ୍ୟୁ ଖବର ଶୁଣାଇବେ–କିପରି ବା ସେ ନିଜେ ତାଙ୍କ ଆଗରେ ବ୍ୟବହାର କରିବେ; ଏସବୁ ତାଙ୍କ ମନରେ ଦିନରାତି ସବୁବେଳେ ଉଠୁଥାଏ । ମାତ୍ର ଦେଖା ହେବ, ଏହି ଆଶାରେ ସେ ବେଳେବେଳେ ଉଲସି ଉଠୁଥାଏ ଓ ତଦନୁସାରେ ନିଜକୁ ତୟାରି କରୁଥାନ୍ତି ।

 

ଯେଉଁଦିନ ସେ ରଣପୁର ଯିବେ ତାହା ପୂର୍ବଦିନ ଖବରକାଗଜ ପଢ଼ିସାରି ରଖିଦେବାବେଳେ ଦୈବାତ୍‌ ତାଙ୍କର ଦୃଷ୍ଟି ପଡ଼ିଗଲା ବିଜ୍ଞାପନ ପୃଷ୍ଠାରେ–ଗୋଟିଏ ବିଜ୍ଞାପନ ପ୍ରତି–ତାକୁ ସେ ଭଲ କରି ପଢ଼ିଲେ ଓ ହଠାତ୍‌ ଏତେ ରାଗିଗଲେ ଯେ, କାଗଜକୁ ଚିରିଚାରି ଫୋପାଡ଼ି ଦେଲେ । ସେ ବିଜ୍ଞାପନଟି ଦେଇଛନ୍ତି ହରମୋହନବାବୁ–ସେଥିରେ ସାଧାରଣଙ୍କୁ ଜଣାଇ ଦେଇଛନ୍ତି ଯେ, ଲାଲମୋହନବାବୁଙ୍କ ସ୍ତ୍ରୀ କୁଳ ଛାଡ଼ି ଧର୍ମାନ୍ତର ଗ୍ରହଣ କରି ଘରୁ ଅନେକ ଦିନହେଲା ଚାଲି ଯାଇଛନ୍ତି । ଏଣୁ ହରମୋହନ ଓ ଲାଲମୋହନଙ୍କ ସମ୍ପତ୍ତିରେ ତାଙ୍କର କୌଣସି ଅଧିକାର ନାହିଁ । ‘‘ଚାରିଆଡ଼େ ସମସ୍ତେ ଜାଣିଲେ ଯେ, ଲାଲମାହନ ଆଉ ଅଳ୍ପଦିନେ ଫାଶୀ ପାଇବେ–ତା’ପରେ ଅଂଶ ରହିବ ତାଙ୍କ ସ୍ତ୍ରୀଙ୍କର ଓ ସନ୍ତାନର । ସେଥିରୁ ସେମାନଙ୍କୁ ବଞ୍ଚିତ କରିବାପାଇଁ ଏ ଆଗତୁରା ସେ ଚାଲିଚନ୍ତି ।

 

କିବା ସମ୍ପତ୍ତି ସେଥିରୁ ବଞ୍ଚିତ ହେଲେ କାହାର ଅବା କ’ଣ ହୋଇଯିବ–ମାତ୍ର ଏତେ ନୀଚ ସ୍ୱାର୍ଥ, ସେମାନେ ମନେ କଲେ ନାହିଁ ଲାଲମୋହନବାବୁଙ୍କୁ ଦେଖିବାପାଇଁ–ଥରେ ସେମାନେ ଭାବିଲେ ନାହିଁ ତାଙ୍କର ସ୍ତ୍ରୀ ଓ ସନ୍ତାନ କିପରି ଅଛନ୍ତି ? ଏହି ପଙ୍କରୁ ଲାଲମୋହନବାବୁଙ୍କ ଭଳି ପଦ୍ମ ସିନା ବାହାରିଛନ୍ତି–ଏହି ସ୍ୱାର୍ଥର କଠିନ ଭୂମିର ନିଃସ୍ୱାର୍ଥପରତାର କୋମଳ ଲତାଟି ଜନ୍ମ ହେଲା ବା କିପରି ଓ ଡାଳପତ୍ର ମେଲାଇ ଚାରିଆଡ଼କୁ ସୁବାସିତ କଲା ବା କିପରି ? ଏହି ତ ଦେଶ–ଜଣେ ଅଧେ ନିଜର କୃତିତ୍ୱ ଘେନି ପର୍ବତ ଶିଖରୀକୁ ଉଠି ଯାଉଛନ୍ତି–ନହେଲେ ସାଧାରଣ ତ ଏହି କ୍ଷୁଦ୍ର ଅନ୍ଧାରର ଦୂରରେ ପଡ଼ି ରହି ଜଗତନୁ ଅନ୍ଧାର ଦେଖୁଛନ୍ତି । ସାଧାରଣକୁ କିପରି ବା ଦୋଷ ଦେଇ ହେବ । ସେହି ସାଧାରଣ ତ ପୁଣି ଦେଶପାଇଁ ଗୁଳି ଖାଇ ପ୍ରାଣ ଦେଇଛନ୍ତି ଓ ସର୍ବସ୍ୱ ହରାଉଛନ୍ତି । ନା–ଏ ସେହି ନିର୍ଦ୍ଦିଷ୍ଟ ବ୍ୟକ୍ତି ଲାଲମୋହନବାବୁଙ୍କ ଭାଇ ହରମୋହନ–ସେହି ନୀଚ ଓ ସ୍ୱାର୍ଥପର–ଏହିପରି କେତେ ଭାବି ଶେଷରେ ସେ ସାନ୍ତ୍ୱନା ପାଇଲେ ଯେ, ଶିଶୁଟିର ଯା କିଛି ସମ୍ପର୍କ ଅନ୍ୟଠି ଥିଲା ସେ ପୂରାପୂରି କଟିଗଲା । ଏଣିକି ସେ ପୂର୍ଣ୍ଣଭାବରେ ତାଙ୍କର ।

 

ଶିଶୁଟିପାଇଁ ନୂଆ ଜାମା, ବେକରେ ପିନ୍ଧିବା ସୁନାର ପତଳା ହାରଟିଏ କିଣି ତାକୁ ପିନ୍ଧାଇଦେଇ କୁମୁଦିନୀ ଗେଲକରି ହାତରେ ନଚାଇ କହିଲେ, ‘‘ଯିବୁ ତୋ ବାପକୁ ଦେଖିବୁ ?’’ ପିଲାଟି ହସୁଥାଏ । ହୁଁ ହୁଁ କରୁଥାଏ । ଶେଷରେ କୁମୁଦିନୀ ରଣପୁର ବାହାରିଲେ ।

 

ଯେଉଁଦିନ ଦେଖା ହେବାର କଥା ସେଦିନ ସକାଳୁ ଯାଇ କୁମୁଦିନୀ ଜେଲ ଫାଟକ ପାଖରେ ଉପସ୍ଥିତ ହେଲେ । ଜେଲ ଆଗରେ ଗୋଟିଏ ଗଛତଳେ ପିଲାଟିକୁ ନେଇ ବସିଥାନ୍ତି । ବାହାରୁ ସେ ପ୍ରାଚୀର ଆକାର ଦେଖି ଭୟ ପାଉଥାନ୍ତି । ତାଙ୍କର ମନେ ହେଉଥାଏ ଯେପରି ଗୋଟାଏ ଅସୁରପୁରୀ ଭିତରେ ଲାଲମୋହନବାବୁ ଓ ଆହୁରି କେତେ ଲୋକଙ୍କୁ ତା’ର ଖାଦ୍ୟ ହେବାପାଇଁ ବନ୍ଦ କରାହୋଇ ରଖାଯାଇଛି । ଉଦ୍‌ବେଗର ସୀମା ନାହିଁ । କେତେବେଳେ ତାଙ୍କୁ ଖବର ଦିଆଯିବ ଦେଖା କରିବାପାଇଁ ।

 

ଶେଷରେ ଜେଲ କର୍ମଚାରୀ ଜଣେ ଖବର ଦେଲେ ଜେଲର ବାହାର ପାଖ ଗୋଟିଏ ଝରକା ପାଖକୁ ଯିବାପାଇଁ । କୁମୁଦିନୀ ଗଲେ, ଝରକାରେ ଲୁହା ଜାଲି ଖୁବ୍‌ ବହଳ ହୋଇ ଦିଆଯାଇଛି । ବାହାରୁ ଆଲୁଅ ପଡ଼ୁଥିବାରୁ ଭିତରଟା ବାହାରକୁ ଦେଖାଯାଉ ନାହିଁ । ଭିତରୁ ଲାଲମୋହନବାବୁ ଝରକାର ଲୁହାଜାଲିରେ ଆଘାତ କରି କହିଲେ, ‘‘କୁମୁଦିନୀ ତୁମେ ଆସିଛ ?’’ କୁମୁଦିନୀକୁ ପରିଷ୍କାର କିଛି ଦେଖାଯାଉ ନଥାଏ । ସେ ଜାଲି ପାଖରେ ମୁହଁ ଲଗାଇ ଲାଲମୋହନବାବୁଙ୍କ ରୂପକୁ ଦେଖି ଚମକି ଉଠିଲେ ।

 

ମୁହଁ ଶୁଖିଯାଇ କଳାକାଠ ପଡ଼ିଯାଇଛି–ବହୁଦିନରୁ କ୍ଷୌର ହୋଇ ନଥିବାରୁ ରୂଢ଼ ବଢ଼ି ରୂପକୁ ଆଉରି ବିକୃତ କରି ଦେଇଛି । ଲୁଗାପଟା ସବୁ ଅତି ମଇଳା । ଶୁଖିଲା ପଙ୍କୁଆ ପୋଖରୀରେ ପଙ୍କ ଫୁଟିଲା ପରି ଲାଲମୋହନବାବୁଙ୍କ ମୁହଁରେ ହସ ଦେଖାଯାଉଛି ।

 

କୁମୁଦିନୀ ବାହାରେ ଥାଇ କହିଲେ, ‘‘ଏହିପରି ଦେଖାହେବ ନା ମୁଁ ଭିତରକୁ ଯାଇ ପାରିବି ?’’ ଲାଲମୋହନବାବୁ ଫେରିପଡ଼ି ଜେଲ କର୍ମଚାରୀଙ୍କୁ କହିଲେ, ‘‘ଦେଖନ୍ତୁ, ଆଉ ଦୁଇଦିନ ମୋର ପରମାୟୁ । ସେ ବିଚାରୀ ଟିକିଏ ଭିତରକୁ ଆସୁ । ଶେଷଥର ପାଇଁ ବସି ଟିକେ ଆମେ ଦୁହେଁ କଥାବାର୍ତ୍ତା କରୁଁ–ଏଥିରେ କ୍ଷତି କ’ଣ ହେବ ?’’ ଏତିକି ସେ ଏପରି କରୁଣ ଭାବରେ କହିଲେ ଯେ, କୁମୁଦିନୀ ଆଖିରୁ ଲୁହ ବୋହିଗଲା । ଏକଥା ଜେଲ କର୍ମଚାରୀଙ୍କୁ ମଧ୍ୟ ଲାଗିଲା । ସେ କୁମୁଦିନୀଙ୍କୁ ଭିତରକୁ ଆସିବାକୁ ଅନୁମତି ଦେଲେ । ଲୁଗାପଟା ସବୁ ତଲାସ କରି ତାଙ୍କୁ ସେହି ଘରକୁ ଆସିବାକୁ ଦିଆଗଲା । ଜଣେ ଜେଲ କର୍ମଚାରୀ ଚୌକି ଉପରେ ବସି ରହିଲେ ।

 

କୁମୁଦିନୀଙ୍କୁ ନିକଟରେ ଦେଖି ଲାଲମୋହନବାବୁ ତାଙ୍କ କାନ୍ଧରେ ହାତ ପକାଇ ଦେଇ କହିଲେ, ‘‘ବସ ଏଇଠି । ଏଠି ବିଛଣା କେହି କାହାକୁ ଦିଅନ୍ତି ନାହିଁ ।’’ ଦୁହେଁଯାକ ବସି ପଡ଼ିଲେ । ଲାଲମୋହନବାବୁ ବ୍ୟଗ୍ର ହୋଇ ପଚାରିଲେ, ‘‘ଏ ପିଲାଟି କିଏ ? ତୁମର ନାରୀରକ୍ଷା କାମ ଭିତରେ ଏଇଟିକୁ କେଉଁଠୁଁ ପାଇଛ ନା କ’ଣ ? ମୋର ତ ସବୁ ଖବର ଶୁଣିଥିବ, ଏଣିକି ତୁମର ସମୟ ନଷ୍ଟ କରିବାକୁ ଆଉ କେହି ନାହିଁ । ବର୍ତ୍ତମାନ ତୁମେ ଏକ ମନରେ ନାରୀରକ୍ଷା କାମରେ ଲାଗ । ଆଉ ସବୁ ତୁମର ଖବର କ’ଣ କହ । ମୁଁ ତ ଏ କେତେମାସ ଭିତରେ କିଛି ଖବର କାହାରି ରଖିନାହିଁ । ଆଜି ସବୁ ଶୁଣି ପୋଥିରେ ଡୋର ଦେବି । ପୁଣି ନୂଆ ଯା କିଛି ହେବାର ହେବ ।’’ ଏତିକି କହୁ କହୁ ଲାଲମୋହନବାବୁଙ୍କ ଆଖି ଛଳଛଳ ହୋଇ ଆସିଲା । କୁମୁଦିନୀଙ୍କ ଆଖିକୁ ମଧ୍ୟ ଲୁହ ଚାଲି ଆସିଲା । ସେ ଏକ ଧ୍ୟାନରେ ଲାଲମୋହନବାବୁଙ୍କ ମୁହଁକୁ ଅନାଇଥାନ୍ତି । ଯେତେବେଳେ ସେ କଥା କହୁଥାନ୍ତି, ଶିଶୁଟି ଲାଲମୋହନବାବୁଙ୍କୁ ହାତ ଦେଖାଇ କୁମୁଦିନୀଙ୍କ ଆଡ଼କୁ ଚାହିଁ ‘ହେଇ’ ‘ହେଇ’ କହି ତାହା ଭାଷାରେ ସେ କ’ଣ ପଚାରୁଥାଏ । ଲାଲମୋହନବାବୁ ପିଲାଟିର ଚିବୁକରେ ହାତମାରି ଗେଲ କଲେ । ପିଲାଟି କିରିକିରି ହୋଇ ହସି ଉଠିଲା । କୁମୁଦିନୀ ପିଲାଟିକୁ ଲାଲମୋହନଙ୍କ ଆଡ଼କୁ ବଢ଼ାଇ ଦେଲେ । ଲାଲମୋହନବାବୁ ପିଲାଟିକୁ ହାତକୁ ନେଇ ପୁଣି ପଚାରିଲେ, ‘‘ଏହାକୁ କେଉଁଠୁଁ ପାଇଲ ?’’

 

କୁମୁଦିନୀ ମୁହଁ ତଳକୁ କରି କହିଲେ–‘‘ଏଇଟିକୁ ମୁଁ ତୁମକୁ ଉପହାର ଦେବାପାଇଁ ଆଣିଛି । ନିଶାମଣି ପଠାଇଛି ।’’ ଲାଲମୋହନବାବୁ ବିସ୍ମିତ ହୋଇ ଚାହିଁଲେ । ଟିକିଏ ନୀରବ ରହି କହିଲେ, ‘‘ନିଶାମଣି ପଠାଇଛି ?’’

 

କୁମୁଦିନୀ ଗମ୍ଭୀର ଭାବରେ କହିଲେ, ‘‘ହଁ, ସେ କହିଛି ଏ ତୁମର ।’’ ଲାଲମୋହନବାବୁ ଆହୁରି ବିସ୍ମିତ ହୋଇ କହିଲେ, ‘‘କ’ଣ ସବୁ କଥା ଶୀଘ୍ର କହ ।’’ କୁମୁଦିନୀ ଟିକିଏ ହସି ଦେଇ କହିଲେ, ‘‘ଏ ପରା ତୁମର ପୁଅ ।’’

 

ଲାଲମୋହନବାବୁ ପିଲାଟି ଆଡ଼କୁ ଚାହିଁ, ଅସ୍ପଷ୍ଟ ଭାବରେ କହିଲେ, ‘‘ଏ ମଧ୍ୟରେ ପ୍ରାୟ ବର୍ଷେ ହୋଇଗଲାଣି । ମୋତେ ନିଦରୁ ଉଠିଲା ପରି ଜଣାପଡ଼ୁଛି ।’’ ତା’ପରେ ଉଚ୍ଚସ୍ୱରରେ କହିଲେ; ‘‘କ’ଣ ସବୁ କଥା କହ । ଡେରି କର ନାହିଁ । ମୋତେ ଭାରି ଅସ୍ଥିର ବୋଧ ହେଉଛି ।’’

 

ତା’ପରେ କୁମୁଦିନୀ ନିଶାମଣିକୁ କିପରି ଘରୁ ଆଣିଲେ ଓ କିପରି ସନ୍ତାନର ଜନ୍ମ ହେଲା ଏ ସମସ୍ତ କହିଲେ ।

 

ଗମ୍ଭୀର ହୋଇ ସବୁ ଶୁଣି ଲାଲମୋହନବାବୁ ବ୍ୟସ୍ତ ହୋଇ ପଚାରିଲେ, ‘‘ସେ ଆସି ତୁମ ପାଖରେ ଥିଲା, ତାକୁ ସାଙ୍ଗରେ ଆଣିଲ ନାହିଁ ? ମୁଁ ଟିକିଏ ଦେଖିଥାଆନ୍ତି ।’’

 

‘‘ସେ ଆଗରୁ ଗଲାଣି ତୁମପାଇଁ ସବୁ ବନ୍ଦୋବସ୍ତ କରି ଦେବାପାଇଁ ।’’ ଏତିକି କହି କୁମୁଦିନୀ ମୁହଁରେ ଲୁଗା ଦେଇଦେଲେ ।

 

ଲାଲମୋହନବାବୁ ବ୍ୟସ୍ତ ହୋଇ କହିଲେ, ‘‘କାନ୍ଦୁଛୁ କାହିଁକି ? ଆଜି ମୁଁ କାହାରି କାନ୍ଦଣା ଦେଖିବାପାଇଁ ଚାହେଁ ନାହିଁ । ଏହି କେତେଟା ମୁହୂର୍ତ୍ତ ଯେତେ ଆନନ୍ଦ ଅଛି ସବୁ ମୋତେ ଦେଇଦିଅ ।’’

 

ଫାଶୀକାଠରେ ଛିଡ଼ା ହେବା ପୂର୍ବରୁ ମୋ ମନରେ ଯେପରି ବିନ୍ଦୁଏ ମାତ୍ର ଦୁଃଖ ନଥାଏ-। କ’ଣ ସବୁ ଆନନ୍ଦ ମତେ କୁହ ।’’

 

କୁମୁଦିନୀ ରହି ରହି ସମସ୍ତ ବିବରଣୀ କହିଲେ । ଲାଲମୋହନବାବୁ ନୀରବ ହୋଇ ତଳକୁ ଚାହିଁଥାନ୍ତି । ତାଙ୍କ ଅଜାଣତରେ ଆଖିରୁ ଲୁହ ବହି ଯାଉଥାଏ । ତାଙ୍କର କାନ୍ଦିବା ଦେଖି କୁମୁଦିନୀ ମଧ୍ୟ ଲୁହ ଗଡ଼ାଇଲେ ।

 

ଲାଲମୋହନବାବୁ ଧୀରେ ଧୀରେ କହିଲେ, ‘‘ଆଜୀବନ ଉପେକ୍ଷାର ଯଥେଷ୍ଟ ଶାସ୍ତି ସେ ମୋତେ ଦେଇଗଲା ।’’ ମୃତ୍ୟୁ ପୂର୍ବରୁ ଏହି କେତେଦିନ ସେ ନିଷ୍ଠୁର ଉପେକ୍ଷାପାଇଁ ଅନୁତାପ କଲେ । ‘‘ମୁଁ କୋଷମୁକ୍ତ ହୋଇ ପାରିବି ? ନା, ନା–ସେ ଦୋଷ ରହିଲା ମୋ ମୁଣ୍ଡ ଉପରେ । ମଲା ପରେ ସୁଦ୍ଧା ମୋ ପଛରେ ଧାଇଁବ, କୁମୁଦିନୀ ! ଦେଖୁଛ ତ ? ମୁଁ କେଡ଼େ ନିଷ୍ଠୁର, ମୋର ହୃଦୟ କେଡ଼େ କଠିନ ? ତୁମର ଭାଗ୍ୟ ଯେ, ତୁମେ ଏ ପାଷାଣର ପାଲରୁ ରକ୍ଷା ପାଇଗଲ । ମୁଁ ଭାବୁଥିଲି କ’ଣ ଦେଶପାଇଁ, ମୁଁ ମୋର ନିର୍ଦ୍ଦୋଷ ଜୀବନ ଦାନ କଲି ବୋଲି । ବର୍ତ୍ତମାନ ମୁଁ ଭାବୁଛି ଏ ନିଷ୍ଠୁରର ଏକମାତ୍ର ନ୍ୟାୟ ଶାସ୍ତି ଫାଶୀ । କ’ଣ କହୁଛ ମୁକୁଦିନୀ ? ମୃତ୍ୟୁଦଣ୍ଡ ମୋତେ ଉପଯୁକ୍ତ ହୋଇନାହିଁ ?’’

 

କୁମୁଦିନୀ ବାଧା ଦେଇ କହିଲେ, ‘‘ଆଉ କାହିଁକି ସେ କଥା ଚିନ୍ତା କରୁଛ ? ବର୍ତ୍ତମାନ ମନକୁ ପ୍ରସନ୍ନ ରଖ । ଜୀବନର ଭଲମନ୍ଦ ସବୁ ଯାହା ହେବାର ହୋଇଯାଇଛି ।’’ ଏଣିକି–

 

ଲାଲମୋହନବାବୁ ବାଧା ଦେଇ କହିଲେ, ‘‘ହଁ, ଯାହା କହିଲ ଠିକ୍‌ । ଏଣିକି ଟିକେଟ୍‌ କାଟି ସାରି ପ୍ଲାଟ୍‍ଫର୍ମ୍‍ରେ ରେଳଗାଡ଼ିକୁ ଅନାଇ ବସିବାର କଥା । କିନ୍ତୁ ନିଶାମଣିକୁ ଯେ ଚାରିଆଡ଼େ ଦେଖୁଛି । ‘‘ଏହି ଦେଖ, ହାହାକରି ସେ ମୋର ଦେଶ ସେବାକୁ ପରିହାସ କରୁଛି ।’’ ଏତିକି କହି ସେ ଉପରକୁ ଚାହିଁ ରହିଲେ । କୁମୁଦିନୀ ଶିଶୁଟିକୁ ଦେଖାଇ ଦେଇ କହିଲେ, ‘‘ଏ ପରା ତୁମର ଆଶୀର୍ବାଦ ମାଗୁଛି ।’’

 

ଲାଲମୋହନବାବୁ ଶିଶୁଟି ଆଡ଼କୁ ଚାହିଁ ଦେଇ କହିଲେ, ‘‘ମୁଁ ଏହାକୁ କି ଆଶୀର୍ବାଦ ଦେବି ? ଏହାକୁ ମୁଁ ତୁମଙ୍କୁ ଦେଇ ଦେଉଛି ।’’ ତୁମେ ଯାହା କରିବ । ମୁଁ ଜାଣେ ତୁମେ ମୋ ସହିତ ବିବାହରେ କାହିଁକି ରାଜି ହୋଇଥିଲ ? ତୁମେ ଚାହୁଁଥିଲ ମାତୃତ୍ୱ । ବର୍ତ୍ତମାନ ସେହି ମାତୃତ୍ୱ ତୁମଙ୍କୁ ଅର୍ପଣ କରୁଛି ।’’

 

ଏହା ଶୁଣି କୁମୁଦିନୀଙ୍କ କୋହ ଉଠିଲା । ସେ କାନ୍ଦି ପକାଇଲେ । ଲାଲମୋହନବାବୁ ଶିଶୁକୁ ଚୁମ୍ବନଟିଏ ଦେଇ କୁମୁଦିନୀଙ୍କ ହାତକୁ ବଢ଼ାଇ ଦେଇ କହିଲେ, ‘‘ଏହି ରହିଲା, ମୋର ନିଶାମଣିର ପ୍ରତିନିଧି ।’’

 

କୁମୁଦିନୀ ଧୀରେ ଧୀରେ ଶିଶୁଟିକୁ ହାତକୁ ନେଇ କହିଲେ, ‘‘ଏହାକୁ ନେଇ ମୁଁ ଦିବ୍ୟସିଂହବାବୁଙ୍କ ଆଶ୍ରମରେ ରହିବି । ତୁମରି ପଦଚିହ୍ନ ଅନୁସରଣ କରି ଜୀବନର ଶେଷ ପର୍ଯ୍ୟନ୍ତ ଯିବି ।’’

 

ଲାଲମୋହନବାବୁ ଉପରକୁ ଚାହିଁ କହିଲେ, ‘‘ନିଶାମଣି ଭାଗ୍ୟବତୀ, ସେ ଚାଲିଗଲା । ଦୁନିଆରେ ମୋତେ ଦୋଷୀ ସାବ୍ୟସ୍ତ କରିଗଲା ।’’

 

କୁମୁଦିନୀ ଲକ୍ଷ୍ୟ କରୁଥାଆନ୍ତି ଯେ, ଲାଲମୋହନଙ୍କର ଆଖି ନିଶ୍ଚଳ ହୋଇ ରହିଛି । ସେ ଟିକିଏ ଉଚ୍ଚ ସ୍ୱରରେ କହିଲେ, ‘‘ଏହି ଶିଶୁକୁ ଦେଖି ସବୁ ଦୁଃଖ ଭୁଲିବାକୁ ହେବ । ମୋର ସମସ୍ତ ଜୀବନ ଏହି ଶିଶୁଟି ପାଖରେ ଅଜାଡ଼ି ଦେଇ ଏହାକୁ ତୁମର ଦାନ ବୋଲି ମନେ କରି ମୁଁ ମୋର ଜୀବନ ସାର୍ଥକ କରିବି । ଆଉ ଏ ଜୀବନରେ କୌଣସି ଅଭିଳାଷ ନାହିଁ । ସେହି ଦିବ୍ୟସିଂହବାବୁଙ୍କ ଆଶ୍ରମକୁ ଯାଇ ଜନସେବା ଓ ଏ ଶିଶୁଟିର ଲାଳନପାଳନରେ ଲାଗିବି । କୁମୁଦିନୀ ଭାବିଥିଲେ ଯେ, ସେ ଲାଲମୋହନବାବୁଙ୍କ ମନକୁ ଫେରାଇ ଆଣି କଥାବାର୍ତ୍ତାରେ ଲଗାଇବେ । କେତେ ଆଶା କରି ସାକ୍ଷାତ ଲୋଡ଼ିଥିଲେ । ଶେଷ ସାକ୍ଷାତ ଦୁଇ ଚାରିପଦ ମନଖୁସି କଥାବାର୍ତ୍ତା ହେବାର ସେ ଆଶା କରିଥିଲେ । ମାତ୍ର ଲାଲମୋହନବାବୁଙ୍କ ମୁହଁ ଧୀରେ ଧୀରେ ବେଶି ଶୁଖିଲା ଦେଖାଗଲା । ସେ ଆଖି ତଳକୁ କରି ଥରେ ଶିଶୁଟିକୁ ଅନାଇଲେ । ପୁଣି କୁମୁଦିନୀଙ୍କ ଆଡ଼କୁ ଅନାଇଲେ । ତା’ପରେ ଅନ୍ୟମନସ୍କ ଭାବରେ କହିଲେ, ‘‘ଉଁ, କ’ଣ କହିଲ ?’’ ଦିବ୍ୟସିଂହବାବୁଙ୍କ ଆଶ୍ରମ, ହଁ ସେହିଠାରେ ରହ । ସେ ବଡ଼ ଖାଣ୍ଟି ଲୋକ ।

 

‘‘କିନ୍ତୁ କିନ୍ତୁ ମୁଁ, ମୁଁ–ମୁଁ ଯେ ଅପରାଧୀ । ହତ୍ୟା ଅଭିଯୋଗରେ ଅପରାଧୀ–ମୁଁ ଯେ ନିଶାମଣିକୁ ହତ୍ୟା କରିଛି ।’’ ଏତିକି କହି ଚମକି ପଡ଼ିଲେ । ତା’ପରେ ‘କ’ଣ ହେଲା’ ‘କ’ଣ ହେଲା’ କହି ଜେଲ କର୍ମଚାରୀ ଚୌକିରୁ ଉଠି ଆସିଲେ । କୁମୁଦିନୀ ତରତର ହୋଇ ଲାଲମୋହନବାବୁଙ୍କ ପାଖକୁ ଘୁଞ୍ଚିଗଲେ । କିନ୍ତୁ ଜେଲ କର୍ମଚାରୀ ତର୍ଜନ ଗର୍ଜନ କରି କୁମୁଦିନୀଙ୍କୁ ଶୀଘ୍ର ବାହାରକୁ ଚାଲିଯିବା ପାଇଁ କହିଲେ ।

 

କୁମୁଦିନୀ କାନ୍ଦୁ କାନ୍ଦୁ ଲାଲମୋହନବାବୁଙ୍କ ମୁଣ୍ଡକୁ ଧୀରେ ଧୀରେ ଉଠାଇବାକୁ ଯିବାବେଳେ ଜେଲ କର୍ମଚାରୀ ତାଙ୍କୁ ଜୋରରେ ଧକାଟାଏ ମାରି ଶୀଘ୍ର ଚାଲିଯିବାକୁ କହିଲେ । ଶିଶୁଟି ଆବା, କାବା ହୋଇ ଥରେ ଲାଲମୋହନବାବୁଙ୍କୁ ଥରେ କୁମୁଦିନୀଙ୍କୁ ଅନାଇ ହୁଁ, ହୁଁ କରି ତା’ର ବିସ୍ମୟ ବ୍ୟକ୍ତ କରୁଥାଏ ।

Image